Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଝରକା
ଝରକା
★★★★★

© Soumya Shubhadarshinee

Others

8 Minutes   14.3K    16


Content Ranking

ବାହାରେ ଖରା ଛାଇର ଲୁଚକାଳି ଆଉ ଭିତରେ ଅମା ଅନ୍ଧକାର। ବିରୋଧାଭାଷ ଗୋଟେ ଗତାନୁଗତିକ ପ୍ରବାହ। ଆଲୋକର ସନ୍ଧାନ ପାଇଁ ଉନ୍ମୁକ୍ତ ଗବାକ୍ଷ କେବଳ ଏକମାତ୍ର ବିକଳ୍ପ।

★★★★

ଚାଦରକୁ ଟିକେ ଭିଡି ନେଇ ଚନ୍ଦନା ବସିଲା ଜାକିଜୁକି ହେଇ ଛୋଟ ଦୁଇ ଜଣିଆ ସିଟ୍ ଟି ଉପରେ। ସହଯାତ୍ରୀ ଆବଶ୍ୟକ ଠାରୁ ବହୁ ଅଧିକ ମେଦଧାରୀ, ତେଣୁ ବିଚାରୀ ପାଇଁ ସ୍ଥାନର ଘୋର ଅଭାବ।

ଭଦ୍ର ବ୍ୟକ୍ତି ନିଘୋଡ଼ ନିଦରେ ,ଫାଁ' ମେଲେଇ ଏମିତି ଶୋଇଛି ଯେମିତି ଏଇଟା ତା' ଶ୍ୱଶୁର ଦେଇଥିବା ଖଟ ଆଉ ଜାଗାଟା ତା' ବେଡ଼ରୁମ୍। ଆଉ ପୁଣି ଲୋକଟା ଘୁଙ୍ଗୁଡ଼ି ମାରୁଛି ଗୋଟେ ବିକଟାଳ ଘାଗଡା ଶବ୍ଦ କରି । ବେଳେବେଳେ ସୁସୁରି ମାରିବା ପରି ତୀବ୍ର ଶବ୍ଦବି ଶୁଭୁଛି । ଟିକେ ରହି ପୁଣି

ଘଡ଼ଘଡି ପରି ଘୁଙ୍ଗୁଡ଼ି ମାଡି ଆସୁଛି। ଚନ୍ଦନାର ଛାତି ଧଡ଼ ଧଡ଼ ହେଇଯାଉଛି ସେଇ ଶବ୍ଦ ପ୍ରହାରରେ।

ବିଚାରୀ ଟିକିଏ ବି ସହଜ ହେଇପାରୁନି ଏମିତି ବିଶାଳ ବପୁ ଆଉ ବିଚିତ୍ର ଘୁଙ୍ଗୁଡ଼ି ଧାରୀ ଭଦ୍ର(ଅଭଦ୍ର) ଲୋକର ସହଯାତ୍ରୀ ହେଇ। କିନ୍ତୁ କୌଣସି ବିକଳ୍ପ ନାହିଁ। ବିନା ପୂର୍ବ ପ୍ରସ୍ତୁତିରେ ,ଏକଦମ ବ୍ୟସ୍ତତା ଭିତରେ ଯେଉଁ ସିଟ୍ ଗୋଟିକ ମିଳିଛି ସେଇଟି ଭାରି ମୂଲ୍ୟବାନ। ସେତକବି ଯଦି ମିଳି ନଥାନ୍ତା ତେବେ !.......

ଲୋକଟା ଶୋଉ , ଘୁମେଇ ଘୁମେଇ ତା' କାନ୍ଧରେ ଚନ୍ଦନାର କିଛି ବି ସମସ୍ୟା ନାହିଁ , କାରଣ ସେ ତାକୁ ସିଟ୍ ଟାଏ ଦେଇଛି। ସେହିଁ ଦୁଇଟା ସିଟ୍ ନେଇଥିଲା , କିନ୍ତୁ କୌଣସି କାରଣରୁ ତା' ବନ୍ଧୁ ଆସିପାରିଲା ନାହିଁ ଆଉ ସଂଯୋଗ ବଶତଃ ଚନ୍ଦନାକୁ ମିଳିଗଲା ସେଇ ସିଟ୍ ଟି। ତେଣୁ ଚନ୍ଦନାକୁ ଆଡ଼ଜଷ୍ଟ୍ କରିବାକୁ ପଡିବ। ସେ କରୁଛି ନୀରବରେ କିନ୍ତୁ ଭାରି କାଟିଲାଣି। କାନ୍ଧ ଦରଜ କରି ସାରିଲାଣି ଲୋକଟା। କାନ ତାବଦା ହେଇଗଲାଣି। ମୁଣ୍ଡ ବିନ୍ଧିଲାଣି ଭୟଙ୍କର ଭାବେ। ଆଉ ସେ ଲୋକଟିର ନିଦ ଦେଖି ଅସମ୍ଭବ ଭାବେ ଇର୍ଷାବି ହେଲାଣି ତା'ର!....

କେତେ ଭାଗ୍ୟବାନ ଲୋକଟା ଯେ ! ନିଦ୍ରା ଦେବୀଙ୍କ ଅପୂର୍ବ କୃପା ଲାଭ କରିଛି!!.. କେତେ ସାବଲୀଳ ଭାବେ , ନିର୍ଦ୍ବନ୍ଦରେ, ନିଶ୍ଚିନ୍ତ ନିଦରେ ଶୋଇବାର ସଫଳ ଅନୁଭବଟିଏ ପାଉଛି। ସତରେ ଏମିତି ସୁସୁପ୍ତି କେବେ ମିଳିଥିଲା ତାକୁ ମନେ ନାହିଁ ଚନ୍ଦନାର !......

ଖୁବ୍ ରାତି ଯାଏଁ ତୁଳୀତଳ୍ପ ଶେଜରେ କେବଳ କଡ଼ ଲେଉଟେଇଛି ସେ ଗୋଟେ ଅବରୁ଼ଦ୍ଧ ଭାବନା ଭିତରେ। କେବେ ପ୍ରତୀକ୍ଷାରେ ତ' କେବେ ଅବଶୋଷରେ ପୁଣି କେବେ ଅଶ୍ରୁଳ ଆଖିର ପ୍ରତାରଣା ଭିତରେ ।

ସ୍ଲିପଲେସନେସ୍ ପାଇଁ ସେ ସ୍ଲିପିଂ ପିଲ୍ ସହାରା ନେଉଛି ବିଗତ ଦୁଇ ବର୍ଷ ଧରି। ଡାକ୍ତର ଶୋଭନା ବଡ଼ ଅଶ୍ଚର୍ଯ୍ୟ ହୁଅନ୍ତି ତାକୁ ଦେଖି । ପଚାରନ୍ତି," ମିସେସ୍ ଶତପଥୀ , କି ସମସ୍ୟା ଅଛି ଆପଣର ଯେ ଆପଣ ଏତେ ଇନସିକିଓର୍ ଫିଲ୍ କରୁଛନ୍ତି?".....

ଏଇ ଚିରାଚରିତ ପ୍ରଶ୍ନର ଉପସ୍ଥାପନ କରାଯାଇଛି ଅନେକ ଥର କିନ୍ତୁ ସବୁବେଳେ ଚନ୍ଦନା ଚୁପ ରହିଛି ଅସମ୍ଭବ ଭାବେ। କାରଣ ସେ ମଧ୍ୟ ଜଣେନି ସମସ୍ୟା କେଉଁଠି!.…..

*********

ଜଣେ ସଫଳ ବିଜନେସ୍ ମ୍ୟାନ୍, ଉତ୍ତମ ଜୀବନ ସାଥି , ସମର୍ଥ୍ୟ ପୁରୁଷ ଦିବ୍ୟେନ୍ଦୁ।ତାଙ୍କ ସହ ଜୀବନ ଜିଇଁବା ହୁଏତ ଅନେକ ସୁନ୍ଦରୀଙ୍କ ସ୍ୱପ୍ନ ଥିବ। ଆଜିବି ମାହେଶ୍ୱେତା ପତ୍ରି ନାମ୍ନୀ ସେଇ ସୁନ୍ଦରୀ ଝିଅଟି ଫୋନ୍ ରେ ଭାବପ୍ରବଣ ହେଇଯାଏ। ନିଜେ ଦିବ୍ୟ ଶୁଣନ୍ତି ତା'ର ବ୍ୟାକୁଳସ୍ୱର ଫୋନ୍ ଟିକୁ ଲାଉଡ଼୍ ଭଏସ୍ ମୋଡ଼୍ କରି। ନିଜେ ଶୁଣିଛି ଚନ୍ଦନା , ସେ କୁହନ୍ତି, " ଦିବ୍ୟ ତୁମ ଧର୍ମ ପତ୍ନୀଖୁବ୍ ସୌଭାଗ୍ୟବତୀ , ତୁମ ସାହଚାର୍ଯ୍ୟ ଲାଭ କରିଛି।"

ସତରେ ତଥାକଥିତ ସମାଜରେ ଆବଶ୍ୟକ ଥିବା ସବୁ ପ୍ରାଚୁର୍ୟ୍ଯ ଥିଲା ଚନ୍ଦନା ପାଦ ତଳେ। ଘର , ଗାଡି, ବ୍ୟାଙ୍କ ବଲାନ୍ସ, ସୁନ୍ଦର ସ୍ୱାମୀ , କଣ୍ଢେଇ ପରି ଝିଅ ସବୁ ଦୁର୍ମୂଲ୍ୟ ବସ୍ତୁ ଥିଲା ତା' ନିକଟରେ। ତଥାପି ସେ ବିଷାଦ ଗ୍ରସ୍ତ ଥିଲା। ମାନସିକ ଦୁଶ୍ଚିନ୍ତା ଗ୍ରସ୍ତ ଥିଲା। ଗୋଟେ ଅବ୍ୟକ୍ତ ଅଭାବବୋଧ ଭିତରେ ସନ୍ତୁଳି ହେଉଥିଲା।ହେଲେ ସେଇ ଅଭାବବୋଧଟି କ'ଣ ବୁଝିପାରୁ ନଥିଲା କେବେ!!........

**********

ବସ୍ କଣ୍ଡକ୍ଟର୍ ଆସି ଲୋକଟିର ଅୟସ ଭାଙ୍ଗି ଦେଲା। ମ୍ୟାଡ଼ମ୍ ଙ୍କୁ ଅସୁବିଧା ହେଉଛି ବୋଲି ଯତେଇ ଦେଇ ଗଲା। ଟିକେ ସଳଖି ବସି ଲୋକଟା ବେଖାପ ହସହସି ଚନ୍ଦନାକୁ ଅନେଇଲା। ଯେମିତି କହୁଛି, "ଶୋଇବା ଗୋଟେ ଆବଶ୍ୟକତା, ସେଥିରେ ଖରାପ ଭାବିବାର କ'ଣ ଅଛି। ଯଦି ଏତେ ଅସୁବିଧା ତେବେ ନିଜ କାର୍ ରେ ଯିବ ନା' !".....

ଚନ୍ଦନା ନିରବରେ ବାହାରକୁ ଅନେଇ ଥିଲା। ସମ୍ବଲପୁରରୁ ଭୁବନେଶ୍ୱର ଦୂରତା କେତେ ବୁଝିବା ଠାରୁ ଅଧିକ ଆବଶ୍ୟକ ଥିଲା ସେଇ ଦୂରତ୍ୱକୁ ଭୋଗିବା। ସେଇ ଯାତ୍ରାକୁ ଝେଲିବା!......

ଶୂନ୍ ଶାନ୍ ରାତିର ରାସ୍ତାରେ ଯଦିଚ କିଛି ଦେଖା ଯାଉନଥିଲା ତଥାପି ସେ ଦେଖୁଥିଲା ,ଲୋକଟିକୁ ଆଭଏଡ୍ କରିବାର ଅପଚେଷ୍ଟାରେ। ଲୋକଟା ଶୋଇ ଥିଲା ଭଲ ଥିଲା । କାରଣ ଏବେ ସେ ଚନ୍ଦନା ସହ ଗୋଟେ ଅନାବଶ୍ୟକ ଆତ୍ମୀୟତା ଦେଖେଇବାର ଉମକ୍ରମ କରିବାର ଭୟ ଥିଲା। ଲୋକଟା କିଛି ବି ପଚାରିପାରେ, ଯେମିତି ତା' ଘର କେଉଁଠି ? ବା ସେ ଏକୁଟିଆ କୁଆଡେ ଯାଉଛି? ଏମିତିବି ହେଇପାରେ ଲୋକଟି ତାକୁ ତା' ନାଁ ପଚାରିବ। କିନ୍ତୁ ଏ ସମସ୍ତ ପ୍ରଶ୍ନ ପାଇଁ ଚନ୍ଦନା ପ୍ରସ୍ତୁତ ନାହିଁ। ସେ ବିଲକୁଲ ଇଚ୍ଛା ପ୍ରକାଶ କରୁନାହିଁ ନିଜ ସଂକ୍ରାନ୍ତରେ କିଛିବି କହିବାକୁ।ସେ ଯେ ଅଛି ଗୋଟେ ଅଜ୍ଞାତ ଗସ୍ତରେ ଯେଉଁଠି ନିଜ ବିଷୟରେ କୌଣସି ତଥ୍ୟ ଉନ୍ମୋଚନ କରିବା ଅସମ୍ଭବ।

ଚନ୍ଦନା ମନରେ ଏମିତି ହଜାରେ ଶଙ୍କାର ଆବିର୍ଭାବ ହେଉଥିବା ବେଳେ ଲୋକଟି କିନ୍ତୁ ଥିଲା ନିରବ। ଚନ୍ଦନା ଟିକେ ତା' ଆଡ଼କୁ ଦେଖିଲା ତୀର୍ଜ୍ଜକ ଦୃଷ୍ଟିରେ ଆଉ ଅଶ୍ଚର୍ଯ୍ୟ ହେଇଗଲା। ଯା' ଲୋକଟା ପୁଣି ଶୋଇ ଯାଇଥିଲା। ଠିକ ସେମିତି ନିଧଡ଼କ ନିଦରେ। ଘୁଙ୍ଗୁଡ଼ି ଶବ୍ଦ କେବଳ ଆସୁ ନଥିଲା ଯାହା।

ବିଚିତ୍ର ଲାଗିଲା ଏଇ କାର୍ଯ୍ୟ , ଆଉ ପୁଣି ଆସିଲା ଇର୍ଷା। କେତେ ଭାଗ୍ୟ ଲୋକଟାର!........

*********

ଭୁବନେଶ୍ୱର , 'ସିଫା'ରେ ଥିଲା ସେ ଜୁନିଅର୍ ରିସର୍ଚ୍ଚ ଫେଲୋ। ମାଛ ଆଉ ମାଛ: କେତେ ପ୍ରକାର ରୂପ, ରଙ୍ଗ, ଆକୃତି, ପ୍ରକୃତି, ଖାଦ୍ୟ ରୁଚି , ଜୀବନ ଚର୍ଯ୍ୟା ସବୁ ସମ୍ପର୍କରେ ଟିକି ନିଖି ପଢିଥିଲା ସେ। 'ଫିସ୍ ଆଣ୍ଡ୍ ଫିସରିଜ୍' ସ୍ପେଶାଲ୍ ପେପର ନେଇ ପଢିଲା ବେଳେ ଜେଜି କହିଥିଲା,

" ଆଲୋ ଆମର କ'ଣ କେଉଟ ଘର କିଲୋ ? ତୁ ଅଲକ୍ଷଣୀ ଆଉ କିଛି ପଢ଼ିବାକୁ ପାଇଲୁନି! ଛି ଏଇ ଆଇଁସିଆ ପାଠ ପଢ଼ିଲୁ। ମୋ ପୂଜା ଘରକୁ ପଶିବୁ ନାହିଁ, ମାରା ହେଇଯିବ। ଆମ ପୁରୀ ଶାସନି ବ୍ରାହ୍ମଣ ଘରେ ଏସବୁ ଚଳେନି ହେଲା!"......

ଖିଲ ଖିଲ ହସିକି ଚନ୍ଦନା ଜେଜିକୁ କୁଣ୍ଢେଇ ପକେଇ ଥିଲା। ଆଉ ଆଖି ନଚେଇ କହିଥିଲା, " ଯାଉନୁ ଗାଧେଇବୁ ମୁଁ ତୋତେ ଛୁଇଁ ଦେଲି ପା' !"

ଜେଜି ଗର ଗର ହେଇ ଚାଲି ଯାଇଥିଲା ଆଉ ବାପା ବହେ ହସିଥିଲେ। ତା' ମୁଣ୍ଡ ଆଉଁସି କହିଥିଲେ ପାଠକୁ ଜୀବନରେ ଉପଯୁକ୍ତ ବିନିଯୋଗ କରିବାକୁ। ସେ ସବୁବେଳେ ସେଇ ଝୁଙ୍କରେ ପଢ଼ି ଗବେଷଣା କରୁଥିଲା ମାଛମାନଙ୍କ ଉପରେ । ତା' ଗବେଷଣାର ମୂଳ ବିଷୟ ଥିଲା ମାଛର ପ୍ରଜନନ କ୍ଷମତାକୁ ବହୁଗୁଣିତ କରି ଭବିଷ୍ୟତ ପିଢୀ ପାଇଁ ଉତ୍ପାଦନ ବୃଦ୍ଧି କରିବା। ବୁଝୁଥିଲା ସେ କ୍ରମବର୍ଦ୍ଧିଷ୍ଣୁ ଜନସମାଜ ଲାଗି ଭବିଷ୍ୟତରେ ଖାଦ୍ୟ ସମସ୍ୟା ବିକଟ ହେବ । ତେଣୁ ସଭିଙ୍କ ଲାଗି ସଫଳ ଆହାର ଖୋଜୁଥିଲା ଧ୍ୟାନ ସହକାରେ । ନିଜ କାର୍ଯ୍ୟ କ୍ଷେତ୍ରରେ ଖୁବ୍ ପ୍ରଶଂସା ପାଉଥିଲା। ଭାରି ଭଲ ଥିଲେ ତା'ର ଗାଇଡ଼ ଦାସ ସାର୍। ଦିନ ରାତି ଏକାକାର କରି ଗବେଷଣାରେ ନିମଗ୍ନ ରହୁଥିଲେ। ଆଉ ଚନ୍ଦନା ତାଙ୍କ ସ୍ଥାନରେ ନିଜ ଭବିଷ୍ୟତ ପରିକଳ୍ପନା କରି ଆମୋଦିତ ହେଉଥିଲା। ଜୀବନ ଥିଲା 'ଫୁଲ୍ ଅଫ୍ ଚ୍ୟାଲେଞ୍ଜ୍'।........

**********

ଦିବ୍ୟେନ୍ଦୁ ଓଃ! ଭାରି ପାରିଲାର ପିଲା ୟଙ୍ଗ୍ ବିଜନେସ୍ ଟାଇକୁନ୍ । ସମ୍ବଲପୁରର ଖୁବ୍ ବିଶାଳ ଆଉ ସମ୍ଭ୍ରାନ୍ତ ପରିବାରର ଏକମାତ୍ର ଉତ୍ତରାଧିକାରୀ। ଉଚ୍ଚଶିକ୍ଷା ସାରି ଫ୍ୟାମିଲି ବିଜନେସ୍ ସମ୍ଭାଳି ଥିବା ଦାୟିତ୍ୱବାନ ମଣିଷ। ଏମିତି ସୁଯୋଗ୍ୟ ଜୀବନ ସାଥି ମିଳିିବା ସୌଭାଗ୍ୟ। ବାପା , ବୋଉ , ଜେଜି ସବୁ ଖୁସି ଖୁସି ରାଜି ହେଇଯାଇଥିଲେ।

ପ୍ରଥମ ଦେଖାରେ ଚନ୍ଦନାବି ଆକର୍ଷିତ ହେଇଥିଲା ସୌମ୍ୟ ଦର୍ଶନ ଯୁବକଟି ପ୍ରତି। ସହଯାତ୍ରୀ ହେବାର ସମସ୍ତ ସଫଳ ସମ୍ଭାବନା ଥିଲା ଦିବ୍ୟଙ୍କ ନିକଟରେ।

କିନ୍ତୁ ତା' ରିସର୍ଚ୍ଚ , ତା' କମିନ୍ଟମେଣ୍ଟ୍ , ଭବିଷ୍ୟତ ପିଢୀ ପାଇଁ ବ୍ୟସ୍ତତା, ତା' ପରିଶ୍ରମ ଆଉ ସର୍ବୋପରି ତା' ପରିଚୟ: 'ଡ଼ଃ ଚନ୍ଦନା ପାଢ଼ୀ' ଲେଖା ଥିବା ଆକର୍ଷକ ନେମ୍ ପ୍ଲେଟ୍। ' ସିଫା' ରେ ସୁଦୃଶ୍ୟ ଚ୍ୟାମ୍ବର୍ , ଅଗଣିତ ଛାତ୍ର ଛାତ୍ରୀ, ଉପାଦେୟ ଲେକ୍ଚର୍ ଏସବୁ ସ୍ୱପ୍ନ ଉପରେ ପାବନ୍ଦି ଲଗେଇବାକୁ ହେବ ତାକୁ। କାରଣ ଦିବ୍ୟଙ୍କ ପରିବାର ବୋହୁକୁ ସାଥିରେ ନେଇ ନିଜ ଘରେ ରଖିବାକୁ ଇଛୁକ। ବୋହୁ ବିଜନେସ୍ ସମ୍ଭାଳିବ , ହେବ ଜଣେ

'ପାୱାର୍ ଓମ୍ୟାନ୍' ।

ପରିବାରର ବିଶାଳ ପରିଚୟକୁ ଆହୁରି ସମୃଦ୍ଧ କରିବେ ପୁଅବୋହୂ ମିଶି। ଅଗଣିତ ପ୍ଲାନିଂ ,ମିଟିଂ, ଟ୍ରାନଜାକ୍ସନ, ବିଜନେସ୍ ଟୁର୍ ସମ୍ଭାଳିବାକୁ ହେବ। ସବୁଠି ଗୋଟେ ସଫଳ, ସ୍ମାର୍ଟ, ଡ଼ାଇନାମିକ୍ ପାର୍ଟନର୍ ସାଜିବ ଚନ୍ଦନା। ଆଜିର ଆଧୁନିକ ଦୁନିଆ ନାରୀ ଶକ୍ତିକୁ ବିନିଯୋଗ କରିବାରେ ଖୁବ୍ ମାହିର। ସେଠି ଚନ୍ଦନା ସାଜିବ ବସ୍ , ଯେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବ। କିନ୍ତୁ ନିଜେ ଆଉ ଗୋଟେ ସଂସ୍ଥାରେ ଅଧସ୍ତନ କର୍ମଚାରୀ ହେଇ ରହିପାରିବ ନାହିଁ। ଦିବ୍ୟଙ୍କ ପ୍ରତିପତ୍ତି ଓ ସମ୍ମାନରେ ଆଞ୍ଚ ଆସିବ ନାହିଁ !!!! .....

ବାପା ରାଜି ହେଇଗଲେ ଆଉ ପରିବାରର ଅନ୍ୟ ସମସ୍ତେ । ଝିଅ ସ୍ୱାବଲମ୍ବୀ ହେବ ଆଉ ନିଜ ତାକତରେ ନିଜ ଗୋଡ଼ରେ ଠିଆ ହେଇ ସଫଳ ହେବ। ୟାଠୁ ଭଲ ଆଉ କ'ଣ ହେଇପାରେ। ଚନ୍ଦନା ବି ନିଜକୁ ବୁଝେଇ ନେଇ ଦିବ୍ୟଙ୍କୁ ନିଜର କରି ନେଲା।

*********

ସବୁ ମିଳିଲା , ଅଫିସ, ପାୱାର, ରେସ୍ପେକ୍ଟ, ଶ୍ରଦ୍ଧା , ପରିଚୟ ସବୁକିଛି। ଅଧିକନ୍ତୁ ଚନ୍ଦନା ଆସିବା ପରେ ପରିବାରର ସୌଭାଗ୍ୟ ଅଧିକ ଉଜ୍ଜ୍ବଳ ହେଲା। ସଭିଏଁ ପ୍ରଶଂସା କଲେ। ଚନ୍ଦନା ଫୁଲ ପରି କୋମଳ ଝିଅଟିଏବି ଜନ୍ମ ଦେଇ ପରିବାରକୁ ଅଜସ୍ର ଆନନ୍ଦରେ ଭରି ଦେଲା। ସବୁ ଠିକ ଥିଲା , କିନ୍ତୁ ଧୀରେ ଧୀରେ ଗୋଟେ ଅଜବ ଅଭାବବୋଧ ଗ୍ରାସିଲା ତାକୁ। ଆଉ ତାରି ପ୍ରଭାବରେ ସେ ବିଷାଦ ଗ୍ରସ୍ତ ହେଲା। ନିଦ ହେଲାନି, ଭୋକ ଲାଗିଲାନି, କିଛି କରିବାର ସ୍ପୃହା ରହିଲାନାହିଁ।

ସେଇ ମନୋଦଶା ଭିତରେ ଦିନେ ସେ ଯାଇଥିଲା ଭେଟିବାକୁ ଜଣେ ସଂସାର ତ୍ୟାଗୀ ଯୋଗୀ ମହାରାଜଙ୍କୁ। ବିଶ୍ୱାସ କରେନାହିଁ ସେ ସେଇ ତଥାକଥିତ ଧର୍ମଗୁରୁ ମାନଙ୍କୁ, କିନ୍ତୁ ଏଇ ଯୋଗୀ ଥିଲେ କିଛି ବ୍ୟତିକ୍ରମ। ଘଞ୍ଚ ଜଙ୍ଗଲ ଭିତରେ ସମ୍ପୂର୍ଣ୍ଣ କଠୋର ସାଧନା ଲିପ୍ତ ମଣିଷ । ଦେହରୁ ଗୋଟିଏ ଅନନ୍ୟ ଜ୍ୟୋତି ବିଛୁରିତ ହେଉଥିଲା। ଦିବ୍ୟ ନିଜେ କହିଥିଲେ ଦର୍ଶନ ଲାଗି। ଶାଶୁ ଧର୍ମ ଭୀରୁ ତେଣୁ ଏପରି ଈଶ୍ୱର ଦୂତ ମାନଙ୍କ ପୂଜାର୍ଚ୍ଚନା ଗୋଟେ ଚିରାଚରିତ ବିଧି। ପରିବାର ସହ ଯାଇଥିଲା ସେ।

କେବେ କିଛି ଜିଜ୍ଞାସା କରୁନଥିବା ଚନ୍ଦନା କାହିଁକି କେଜାଣି ସେଦିନ ପ୍ରଶ୍ନ କଲା , " କୁହନ୍ତୁ ମୁଁ ବିଷାଦଗ୍ରସ୍ତ କାହିଁକି?"

ଯୋଗୀ ହସିଲେ , ରହସ୍ୟ ପୂର୍ଣ୍ଣ ହସ ଆଉ କହିଲେ , " ମା' ଝରକା ଖୋଲି ଦିଅ ବିଷାଦ ଅପସରି ଯିବ।"

ବାସ୍ ଏତିକି ଛଡା ଆଉ କିଛି କହିଲେ ନାହିଁ। ସଭିଏଁ ଉତକଣ୍ଠା ଭିତରେ ଫେରିଲେ କିନ୍ତୁ ଜାଣି ପାରିଲେ ନାହିଁ କେଉଁ 'ଝରକା' ଖୋଲିବାକୁ ଅଛି ବୋହୂର ?????.....

********

ସେଇ ଅବୋଧ୍ୟ ବକ୍ତବ୍ୟକୁ ତର୍ଜମା କରୁଛି ଚନ୍ଦନା ଅନେକ ଦିନ ହେଲା। କିନ୍ତୁ ନିରାଶା ଛଡା ଆଉ କିଛି ହସ୍ତଗତ ହେଇନାହିଁ। ସେମିତି ଉଦାସ ଅଛି ତା' ମନ ଆଉ ସେମିତି ସ୍ଲିପିଂ ପିଲ୍ ସାହାରା ନେଇ ଵିତୁଛି ଜୀବନ।

********

କିଛି ଦିନ ହେବ ଚନ୍ଦନା ନିଜ ସ୍ୱପ୍ନରେ ପାଉଛି କିଛି ବିଶେଷ ଅନୁଭବ। ସୁସୁପ୍ତ ସ୍ଥିତିରେ ଯେବେବି କଦବା କ୍ଵଚିତ ପହଞ୍ଚି ଯାଉଛି ସେ, ଆସୁଛନ୍ତି ଅଗଣିତ ଅଚିହ୍ନା ମାଛ ସବୁ। ହାତ ଠାରି ଡାକୁଛନ୍ତି ଯେମିତି। ସେମାନଙ୍କ ସହ ଖୁସି ଖୁସି କଥା ହେଉଛି ଚନ୍ଦନା। ମାଛ ଗୁଡା ଭାରି ଗେଲ୍ହା ହେଉଛନ୍ତି।ଆଉ ଯେବେ ସେମାନଙ୍କୁ ସରାଗରେ ଛୁଇଁ ବାକୁ ଯାଉଛି ସେସବୁ ଅଦୃଶ୍ୟ ହେଇ ଯାଉଛନ୍ତି ଆଉ ନିଦ ଭାଙ୍ଗି ଯାଉଛି ତା'ର । ଏତେ ଜୀବନ୍ତ ସେ ମାଛ ସବୁ ଓଃ !ଅପୂର୍ବ ଉଲ୍ଲାସରେ ଭରି ଦେଉଛନ୍ତି ତା'ର ସମଗ୍ର ସତ୍ତା। ନିଦ ଭାଙ୍ଗି ଗଲା ପରେ କିନ୍ତୁ ଭୟଙ୍କର ଭାବେ ଅସ୍ୱସ୍ତି ଗ୍ରାସୁଛି ତାକୁ। ସେଇ ସ୍ୱପ୍ନକୁ ଝୁରି ହେଉଛି ସେ ଆଉ ଆନମନା ହେଇଯାଉଛି।

ଏଇ ମନୋଦଶା କିନ୍ତୁ ଏକାନ୍ତ ବ୍ୟକ୍ତିଗତ। ଅର୍ଦ୍ଧ ରାତ୍ରୀର ଏଇ ଉପକ୍ରମ କେବେ ଦିବ୍ୟଙ୍କୁ ଜଣେଇ ନାହିଁ ସେ। ନିଦ୍ରାହୀନତାର କାରଣ ସନ୍ଧାନ କରନ୍ତି ନାହିଁ କେବେ ଦିବ୍ୟ ଅଧିକନ୍ତୁ ବିରକ୍ତ ହୁଅନ୍ତି ଯଦି କେବେ ସେ ଅସ୍ତବ୍ୟସ୍ତ ଭାବେ ତାଙ୍କ ନିଦ ଖରାପ କରେ।

ସେଇ ସ୍ୱପ୍ନ ସମ୍ଭାର ଅନୁଭବଟେ ଦେଇଛନ୍ତି ଯେ, ଝରକାଟା ବୋଧେ ଭୁବନେଶ୍ୱରର ' ସିଫା 'ରେ ବନ୍ଦ କରି ଆସିଛି ସେ। ସେଇଠି ଅଛି ତା' ପାଇଁ ଗୋଟେ ଆଲୋକିତ ଅଧ୍ୟାୟ। ନିଜ ପରିସର ଭିତରୁ ବାହାରି ଏଇ ବିଜନେସ୍ ଜଗତରେ ବୋଧେ ରୁଦ୍ଧ ଶ୍ଵାସ ହେଇ ଯାଉଛି ସେ। ମୁକ୍ତ ବାୟୁ ଟିକେ ପାଇଁ , ଆଞ୍ଜୁଳାଏ ଅମ୍ଳଜାନ ପାଇଁ ବିକଳ ହେଉଛି। ସେଇଥିପାଇଁ ବିଷାଦ ଘାରିଛି। ସେ ବ୍ୟତିବ୍ୟସ୍ତ ହେଉଛି। ତା' ଲ୍ୟାବ୍, ରିସର୍ଚ୍ଚ, ନିଶା ମନ ଭିତରେ ଜୋର ଜବରଦସ୍ତ କରି ଦମନ କରିବାର ଅପଚେଷ୍ଟା ହିଁ ସବୁ ଝରକା ରୁଦ୍ଧ କରିଛି। ହୁଏତ ସେଗୁଡିକ ଖୋଲି ଦେଲେ ଶାନ୍ତିରେ ନିଶ୍ୱାସ ମାରିବ ସେ।ତେଣୁ କିଛି କାହାକୁ ନକହି ଏଇ ଭାବନାର ଅନୁସନ୍ଧାନ ପାଇଁ ଘରୁ ବାହାରି ଆସିଛି ।

ନିଜ ପ୍ରତିପତ୍ତି, ସମ୍ମାନ, ଗାଡି , ଘୋଡା ସବୁଥିରୁ ମୁକ୍ତ ହେଇ ଚାଲି ଆସିଛି , ଗୋଟେ ରାତ୍ରି ବସ୍ ରେ ବସି ଭୁବନେଶ୍ୱର। କାରଣ ସେ ଜାଣେ ଦିବ୍ୟ ଆଉ ତାଙ୍କ ପରିବାର କେବେ ସମ୍ମତି ଦେବେନି। ଯଦି ସେମାନଙ୍କ ଅନୁମତି ଲୋଡିବ ସେ ନିଶ୍ଚିତ ନିଃଶେଷ ହେଇଯିବ ପଛେ ମୁକ୍ତ ହେଇପାରିବ ନାହିଁ। ଆହୁରି ହଜାରେ ବିଚକ୍ଷଣ ମନସ୍ତତ୍ତ୍ୱବିତଙ୍କ ପାଖକୁ ନେଇ ତା'ର ମାନସିକ ଚିକିତ୍ସା କରିବେ ଦିବ୍ୟ କିନ୍ତୁ ମୁକ୍ତ କରିବେ ନାହିଁ କେବେ। ତେଣୁ ଆବଦ୍ଧ ଝରକା ଖୋଲିବାକୁ ପ୍ରଥମେ ନିଜକୁ ମୁକ୍ତ କରିନେଇଛି ସେ।ଏବେ କେବଳ ଝରକା ଖୋଲିବା ବାକି!........

***********

କିଛି କ୍ଲାନ୍ତି ଆଉ କିଛି ବ୍ୟସ୍ତତାର ଫେଣ୍ଟାଫେଣ୍ଟି ଅନୁଭୂତି ନେଇ ପହଞ୍ଚିଲା ଚନ୍ଦନା ଭୁବନେଶ୍ୱର ବସ୍ ଷ୍ଟାଣ୍ଡ୍। ଆଉ ସିଧା ଚାଲିଲା ନିଜ ଲ୍ୟାବ୍ , ବିନା କୌଣସି ଦ୍ବିଧାରେ। ଦାସ ସାର୍ ଙ୍କ ଚ୍ୟାମ୍ବର ସେମିତି ଥିଲା କିନ୍ତୁ ନଥିଲେ ସାର୍ ! ଏତେ ସକାଳୁ ଆଉ କି କେହି ଆସେ ଅଫିସ? ନିଜ ଭିତରେ ମଗ୍ନ ଚନ୍ଦନା ସମୟ ସଂକ୍ରାନ୍ତରେ ଭୁଲି ଯାଇଥିଲା। ଗେଟରେ ଥିବା ନୂଆ ପିଲାଟିକୁ ପଚାରିଲା ସେ ଦାସ ସାର୍ ଅଛନ୍ତି କି ନାହିଁ ? ପିଲାଟି ଜଣେଇଲା ସାର୍ ଅଛନ୍ତି। ସେଇ ଖବର ଶୁଣି ଗୋଟେ ଅପୂର୍ବ ଆନନ୍ଦ ମିଳିଲା ତାକୁ। ନୀରବରେ ସେଇଠି ଅପେକ୍ଷା କଲା।ସଠିକ ସମୟରେ ଆସିଲେ ସାର୍। ଚନ୍ଦନାକୁ ଦେଖି ଖୁସିରେ ଗଦଗଦ ହେଇଗଲେ। ଆଖିରେ ତାଙ୍କର ଚମକ ଖେଳିଗଲା।ଯେମିତି ସେ ଥିଲେ ପ୍ରତୀକ୍ଷିତ। ଚନ୍ଦନା ପାଦସ୍ପର୍ଶ କରି ଆଶୀର୍ବାଦ ସାଉଁଟି ନେଲା। ସାର୍ ଥିଲେ ଠିକ ସେମିତି , ଅଭିଭାବକ ପରି , ଆପଣାର କରିବାକୁ ସଦା ତତ୍ପର। ଗୋଟେ ସୁରକ୍ଷାର ଅନୁଭବ ମିଳେ ତାଙ୍କ ପାଖରେ। ନିଜ ଝିଅ ପରି ଚା ' ଜଳଖିଆ ଖୁଏଇ ଅନେକ ଗପ କଲେ। ପୁରା ପାଞ୍ଚ ବର୍ଷ ପରେ ଦେଖା ତେଣୁ ଅସରନ୍ତି ଥିଲା ସେଇ କଥୋପକଥନ।

ଗୋଟେ ଅଦ୍ଭୂତ ପ୍ରଶାନ୍ତି ମିଳିଲା ଚନ୍ଦନାକୁ ସାର୍ ଙ୍କ ସହ କଥା ହେଇ। ଭାରି ହାଲ୍କା ହେଇଗଲା ମନ। ଆରାମରେ ଫୋନ୍ କଲା ସେ ଦିବ୍ୟଙ୍କୁ ଆଉ ଜଣେଇଲା ସେ ଭୁବନେଶ୍ୱରରେ। ଦିବ୍ୟ ଅଧିକ କିଛି ଜିଜ୍ଞାସା କରିବା ପୂର୍ବରୁ ବୁଝେଇ କହିଲା , କିଛି ଅତି ଜରୁରୀ କାମ ପାଇଁ ଆସିବାକୁ ବାଧ୍ୟ ହେଇଛି ସେ। ଆଉ ଅଧିକ କିଛି କହିଲା ନାହିଁ। ଦିବ୍ୟ ହୁଏତ ବୁଝିଲେ ଚୁପ ରହିଲେ କେବଳ।

ଘରକୁ ଯିବାକୁ ଗୋଟେ 'ଓଲା' ବୁକ୍ କରି ବସି ଗଲା ସେଥିରେ ଚନ୍ଦନା। ଦ୍ବିପ୍ରହରର ପ୍ରଚଣ୍ଡ ଖରାରେ ଶୀତତାପ ନିୟନ୍ତ୍ରିତ ସେଇ ଗାଡି ଭିତରେ ବସି ଚନ୍ଦନା କ୍ଲାନ୍ତିରେ ଶୋଇଗଲା ନିଘୋଡ଼ ନିଦରେ , ଠିକ ସେଇ ଭଦ୍ର ଲୋକ ପରି!...........

ସୌମ୍ୟା

ଝରକା ଲୁଚକାଳି ସହଯାତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..