Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Others

4.7  

Bismita Sahoo

Others

ଇଏ ବୋଧେ ପ୍ରେମ

ଇଏ ବୋଧେ ପ୍ରେମ

7 mins
496


ଚାକରାଣୀ ସୀମା ଭଡ଼ଭଡ଼ ହେଉଛି -

ମା ତୁମେ ଜାଣିଛ, ସେ ଆର ସାହିର ପଧାନ ପୁଅ କାଲି ରାତିରେ ମିଶ୍ର ବାବୁଙ୍କ ଝିଅକୁ ନେଇ ଫେରାର। ଏବେ ଦି ଦିନ ତଳେ ଟୋକିଟାର ବାହାଘର ଗୋଟେ ଇଂଜିନିୟରବାବୁ ସାଙ୍ଗେ ଠିକ୍ ହେଇଥିଲା। ସେ ତାକୁ ଗନ୍ଧେଇଲା। ଦଶମ ଫେଲ୍ ପାନଦୋକାନୀ ନଟିଆ ତାକୁ କି କିମିଆ କଲା ଯେ ଅଧ ରାତିରେ ତା ସହିତ ଛୁ।


- ଏ ବାଜେ କଥାସବୁ ମୋ ଆଗରେ ଗପିବୁନି। ଆର ଘରେ ଝିଅ ପାଠ ପଢୁଛି। 


ସରିତା କଥା ଶୁଣି ସୀମା ରାଗରେ ଗରଗର ହେଇ ରୋଷେଇ ଘରକୁ ପଶିଗଲା।


 ସରିତା ଭାବୁଥିଲା ମିଶ୍ରବାବୁଙ୍କ ଝିଅ କଥା।

ସତରେ କେଡ଼େ ଅଜବ ଝିଅଟା। ମା, ବାପାଙ୍କ ଇଜ୍ଜତକୁ ମାଟିରେ ମିଶେଇ ଘର ଛାଡ଼ି ପଳେଇଗଲା। ଟିକିଏ ବି ଚିନ୍ତା କଲାନି ସେମାନଙ୍କ କଥା। ଏଡେବଡ଼ ଘରର ଝିଅ। କେତେ ଗେହ୍ଲାରେ ବାପା- ମା ବଢ଼େଇଛନ୍ତି। ପାଟିରୁ କଥା ବାହାରିବା ପୂର୍ବରୁ ସବୁ ଚାହିଦା ପୂରଣ କରିଛନ୍ତି। ଏବେ ନ ଖାଇ ନ ପିଇ ବାର ଦୁଆର ବୁଲିବା ସାର ହେବ। ଜୀବନଟା କଣ 'ରାଜା ହିନ୍ଦୁସ୍ତାନୀ' ଫିଲ୍ମ ହେଇଛି ଯେ ଅଯାଚିତ ଭାବେ ରହିବାକୁ ଘର ଏବଂ ବାପା ମାଙ୍କ ପରି ସ୍ନେହ ରଙ୍କୁଣା ମାଲିକ, ମାଲିକାଣି ମିଳିଯିବେ। ଆଜିକାଲି ପିଲାଏ ତ ଫିଲ୍ମ ଦେଖିକି ଏମିତି ହିଁ ବାଟ ହୁଡୁଛନ୍ତି। ସେଥିପାଇଁ ସେ ତା ଝିଅକୁ ବେଶୀ ଟିଭି ଦେଖିବାକୁ ଦିଏନି। ସାଙ୍ଗମାନଙ୍କ ସହ ଏକୁଟିଆ ବୁଲିବାକୁ ଛାଡେନି। ଯାହା ବି କରିବାକୁ ଇଚ୍ଛା ନିଜ ବାପା ମାଙ୍କ ସହ କର। ଖାଅ, ପିଅ, ବୁଲ ମନା ନାହିଁ, କିନ୍ତୁ ନିଜ ପରିବାର ସହିତ। 


  ବାପା ମାଙ୍କ ଇଚ୍ଛାରେ ବାହା ହେଲେ, ବୈବାହିକ ଜୀବନରେ କିଛି ଅସୁବିଧା ହେଲେ ସେମାନେ ସାହାରା ହେବେ, ଆଉ ନିଜେ ଜୀବନସାଥୀ ବାଛିଲେ ଯଦି ସ୍ୱାମୀ ନ ପଚାରିଲା ମୁଣ୍ଡ ଗୁଞ୍ଜିବାକୁ ଛାତ ବି ମିଳିବନି। ଜାଣିଶୁଣି ଅସୁରକ୍ଷିତ ଜୀବନକୁ କାହିଁକି ଝିଅମାନେ ବାଛି ନିଅନ୍ତି ସେ ବୁଝିପାରେନି।


  ହେ ଏସବୁ କଣ ସେ ଭାବୁଛି? ତାର ତା ସଂସ୍କାର ଉପରେ ଭରସା ଅଛି। ଝିଅ ସୋନାଲିର ଟ୍ୟୁସନ୍ ସାର୍ ଆସିବେ। ତାଙ୍କ ପାଇଁ ଚା କରିବାକୁ ସରିତା କ୍ଷୀର ଷ୍ଟୋଭରେ ବସେଇଲା। 


   ସତରେ ଏ ପ୍ରେମ ମାନେ କଣ ବିବାହର ୧୬ବର୍ଷ ପରେ ମଧ୍ୟ ସେ ବୁଝିପାରେନି। ତା ମାନେ ତା ସ୍ୱାମୀଙ୍କୁ ସେ ଭଲ ପାଏନି ତା ନୁହେଁ। 'ପସନ୍ଦ' ଗୋଟିଏ ଶବ୍ଦ ଯାହାକି ତା ଜୀବନର ଶବ୍ଦକୋଷରେ ନାହିଁ କି କେବେ ବି ତାର ଇଚ୍ଛା ହେଇନି। ଦୁଇ ଭାଇର ଗେହ୍ଲା ଭଉଣୀ ସେ। ସବୁଠୁ ସାନ ବୋଲି ମା, ବାପା, ଜେଜେମା ସଭିଏଁ ଭଲ ପାଆନ୍ତି। ସେ ମା ଯାହା ଦିଏ ତାହା ଖାଏ, ମା ପସନ୍ଦର ଡ୍ରେସ ପିନ୍ଧେ। ମା ର ସବୁ କଥା ମାନେ। ସଦାବେଳେ ମା କାନି ଧରି ପଛେ ପଛେ ବୁଲୁଥାଏ। 


କଲେଜରେ ତା ସାଙ୍ଗମାନେ କୁହନ୍ତି ସେ କୁଆଡ଼େ ବ୍ଲାକ ଡ୍ରେସରେ ପରୀଟିଏ ପରି ସୁନ୍ଦର ଦେଖାଯାଏ। ସେ କେବେ ଏସବୁ ଅନୁଭବ କରି ପାରିନି। କାରଣ ମା ଯେଉଁ ରଙ୍ଗର ପୋଷାକ ଦିଅନ୍ତି ସେ ତାକୁ ପିନ୍ଧି ପକାଏ। ପୋଷାକ ତା ପାଇଁ ଶରୀରକୁ ଖରା, ବର୍ଷା, ଶୀତ ଦାଉରୁ ରକ୍ଷା କରୁଥିବା ବସ୍ତୁଟିଏ ମାତ୍ର। ତା ସାଙ୍ଗମାନେ ଯେତେବେଳେ ନିଜ ନିଜର ବୟଫ୍ରେଣ୍ଡ ସାଙ୍ଗରେ ଗପିବାରେ ମସଗୁଲ ଥାନ୍ତି ସେ ସମୟ ବିତାଏ ବହିମାନଙ୍କ ଗହଣରେ। ମୁଣ୍ଡରେ ମେଞ୍ଚାଏ ରାଶିତେଲ ଲଗାଇ ଅତି ଚାପି ଚାପି ଦୁଇଟି ବେଣୀ ମା ତିଆରି କରି ଦିଅନ୍ତି। ଯେତେବେଳେ ଝିଅମାନେ ଓଠରେ ଲିପଷ୍ଟିକ, ମୁହଁରେ ପାଉଡର ଲଗେଇ କଲେଜ ଯାଆନ୍ତି ସେ ସେମିତି ତେଲିଆ ମୁହଁରେ କ୍ଲାସ କରେ। ତାକୁ ସବୁ ପୁଅମାନେ 'ବେହେନଜୀ' ଡାକନ୍ତି, ହେଲେ ସେସବୁ ତା ମନକୁ ଆନ୍ଦୋଳିତ କରେନି। ପଦାର୍ଥ ବିଜ୍ଞାନରେ ସ୍ନାତକ କରିସାରିଲା ପରେ ନଳିନୀ ଦେବୀ କଲେଜରୁ ବି. ଏଡ୍ କରିବା ପାଇଁ ତାର ଇଣ୍ଟିମେସନ୍ ଆସିଥିଲା। ଠିକ୍ ସେତିକି ବେଳେ ଅମରଙ୍କ ସହିତ ତାର ବିବାହ ପ୍ରସ୍ତାବ ପଡ଼ିଲା। ଅମର ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀରେ ଅଧ୍ୟକ୍ଷତା କରୁଥିଲେ। ତା ମା ବାପା ଏତେ ସୁନ୍ଦର ପ୍ରସ୍ତାବକୁ କରଛଡ଼ା କରିବାକୁ ଚାହୁଁନଥିଲେ। ବାସ୍ ତା ପରେ ଆଉ କଣ? ସେ ବାହାହେଇଗଲା ଅମରଙ୍କୁ।


  ବାହାହେଲା ପରେ ସ୍ବାମୀଟିଏ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ତା ସ୍ବାମୀକୁ ଭଲ ପାଇବାକୁ ବାଧ୍ୟ। ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥାଏ। ସୁଆଦିଆ ଖାଇବା ରାନ୍ଧିବା, ସ୍ୱାମୀର ପସନ୍ଦ ମୁତାବକ ଶାଢ଼ୀ ପିନ୍ଧି ନିଜକୁ ସଜେଇବା, ପିଲାଙ୍କ କଥା ବୁଝିବା, ରାତି ହେଲେ ଇଚ୍ଛା ଥାଉ ବା ନଥାଉ ସହବାସ ପାଇଁ ସମ୍ମତି ପ୍ରଦାନ କରିବା, ଏସବୁକୁ ଦେଖି ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ କେତେ ନିବିଡ଼ତା ଅଛି ଆମେ ବୁଝି ପାରିବା ତେବେ ହଁ ସେ ତା ସ୍ବାମୀକୁ ପ୍ରେମ କରେ।  


    ଚଏସ୍ ଶବ୍ଦଟି ତା ଜୀବନରୁ ନିରୁଦ୍ଦିଷ୍ଟ। ଯାହାର ପୋଷାକ ପିନ୍ଧିବାରେ, ମୁଣ୍ଡ କୁଣ୍ଡାଇବାରେ, ନିଜ ଇଚ୍ଛା ଅନୁଯାୟୀ ବାଟ ଚାଲିବାରେ ସ୍ୱାଧୀନତା ନାହିଁ ତା ପାଇଁ ପସନ୍ଦ ନାପସନ୍ଦ ଗୋଟେ ଅନାବଶ୍ୟକ ବିଷୟବସ୍ତୁ।


        ଚା ଉତୁରି ଚୁଲିରେ ପଶିବାରୁ ସରିତା ପ୍ରକୃତିସ୍ଥ ହେଲା। ଚା କପ୍ ଟି ସାର୍ ଙ୍କୁ ବଢ଼େଇଦେଲା। ସୋନାଲିର ଟ୍ୟୁସନ ସାର୍ ଗୋଟିଏ ପ୍ରାଇଭେଟ୍ ଇଂରାଜୀ ମିଡ଼ିଅମ୍ ସ୍କୁଲରେ ପାଠ ପଢ଼ାନ୍ତି। ଦରମା ଟଙ୍କା ପୋଷାଏନି ବୋଲି ଘର ଘର ବୁଲି ଟ୍ୟୁସନ କରନ୍ତି। ସରିତା ହାତରୁ ଚା ନେଲାବେଳେ ସାର୍ କହିଲେ


- ମ୍ୟାମ ଯାହା କୁହନ୍ତୁ, ଆପଣଙ୍କ ଚା' ରେ ଗୋଟେ ଲାଜବାବ୍ ସ୍ୱାଦ ଥାଏ। ଏଇ ଚା ପିଇଦେଲେ ମୋ ଟାୟାର୍ଡନେସ୍ ଚାଲିଯାଏ। 


 ସରିତା କିଛି ନ କହି ହସିଦେଇ ଚାଲିଗଲା। କାଇଁ ଏମିତି ତ କିଛି ଅଲଗା ଜିନିଷ ସେ ଆଜି ଚା ରେ ପକେଇନି। ଅମର ତ ସବୁଦିନ ତା ହାତରୁ ଚା ପିଅନ୍ତି କାଇଁ ଦିନେ ବି ତ ଚା ର ପ୍ରଶଂସା କରନ୍ତିନି। ଆଉ ଏଇ ଟୋକା କଣ କହୁଛି ନା ଲାଜବାବ୍ ଚା। 


    କେବେ ଚା ପିଉନଥିବା ସରିତା ବଳି ପଡିଥିବା ଚା କେଟିଲ୍ ରୁ କପ୍ କୁ ଢାଳିଲା। ମାଗାଜିନ୍ ଟିଏ ଧରି ସୋଫା ଉପରେ ବସି ଅତି ଆରାମ ରେ ଟିକିଏ ଟିକିଏ ଚା ର ଚୁସ୍କି ନେଲା। ଆରେ ସତେତ! ଚା ରେ ଏତେ ଦମ ଥାଏ। ତାର ସବୁ ଥକାପଣ କୁଆଡ଼େ ଉଭେଇ ଗଲା। ବାହାରେ ନିଧୁମ ବର୍ଷା କାଚୁଛି।ଥଣ୍ଡା ହେଇଯିବ ବୋଲି ବର୍ଷାରେ ସେ କେବେ ଭିଜେନି। ବର୍ଷା ହେଲା ମାନେ ରାସ୍ତା ଘାଟ କର୍ଦ୍ଦମାକ୍ତ ହୁଏ ବୋଲି ସେ ଏହି ଋତୁଟିକୁ ଘୃଣା କରେ। 


  ହେଲେ ଆଜି କାହିଁକି ତା ପାଦ ଦିଓଟି ଆପଣାଛାଏଁ ଛାତ ଉପରକୁ ଚାଲିଗଲା। ବର୍ଷା ଯେମିତି ବୁନ୍ଦା ବୁନ୍ଦା ହେଇ ଝରୁଥିଲା ତା ମନରେ। ସେ ହାତ ବଢ଼େଇ ବର୍ଷାଠୋପା ଗୁଡିକୁ ମୁହଁରେ ଲେସି ପକେଇଲା। ଆଃ କି ତୃପ୍ତି! ଏଇଥିପାଇଁ ତା ସାଙ୍ଗମାନେ ଗାଳି ଶୁଣିଲେ ମଧ୍ୟ ହଷ୍ଟେଲରେ ବର୍ଷାରେ ଓଦା ହୁଅନ୍ତି। 


  ସେ ତା ଶାଢ଼ୀ କାନିକୁ ଅଣ୍ଟାରେ ବାନ୍ଧି ହାତ ଦୁଇଟି ଉପରକୁ ଟେକି ବର୍ଷା ର ତାଳେ ତାଳେ ନାଚିବାକୁ ଲାଗିଲା। ସଦାବେଳେ ବାନ୍ଧି ରଖୁଥିବା କେଶଗୁଡ଼ିକୁ ଖୋଲିଦେଲା। ପବନରେ ଫରଫର ହେଇ ଉଡୁଥିବା କେଶ ସତେ ଯେମିତି ତା ମନକୁ ଉଡ଼େଇ ନେଲା। ଖୁସିରେ ପାଗଳ ପରି ଝୁମିବାକୁ ଲାଗିଲା ସରିତା। ଆଖି ଯୋଡ଼ିକ ଆପେ ଆପେ ବନ୍ଦ ହେଇଗଲା।


 - ରିତୁ, ରିତୁ


ଇଏ କାହାର ସ୍ୱର? କିଏ ଡାକୁଛି? କାହାକୁ ଡାକୁଛି? ତା ନାଁ ତ ସରିତା। ତାକୁ ଏଠି ରିତୁ ବୋଲି କିଏ ଡାକୁଛି?


  ମେଞ୍ଚାଏ ତେଲ ବୋଳି ପାତେଇକି କୁଣ୍ଡେଇଥିବା ଝିଅଟେ ଦିଟା ବେଣୀ ହଲେଇ ହଲେଇ ରାସ୍ତାରେ ଯାଉଛି। ଦଳେ ଟୋକା ପାନ ଦୋକାନରେ ଥାଇ ଲତାଜୀ ଓ ଲତାଜୀ , ବେହେନଜୀ, ବେହେନଜୀ କହି ଝିଅଟିକୁ ଥଟ୍ଟା କରୁଛନ୍ତି। କେଉଁଠି ଥିଲା ପିଲାଟିଏ ଆସି ଝିଅଟିକୁ କମେଣ୍ଟ ନ ମାରିବାକୁ ସେ ପିଲାଙ୍କୁ ଅନୁରୋଧ କରିଲା। ତାର ପତଳା ଶରୀର କୁ ଦେଖି ଟୋକାଗୁଡ଼ିକ ହସି ହସି କହିଲେ

- ବାପ୍ ରେ ବାପ୍ ଏତେ ସାହସ! ଆମେ ତ ଡରିଗଲୁ। କଣ ବେହେନଜୀ ସାଙ୍ଗେ ପ୍ରେମ ହେଇଯାଇଛି କି?


ପିଲାଟି କଣ କହିବ କଣ ନ କହିବ ଭାବି ନପାରି ଚୁପଚାପ ମୁହଁ ତଳକୁ କରି ଛିଡା ହୋଇ ରହିଲା। ଟୋକାମାନେ କଣ ବୁଝିଲେ କେଜାଣି ସେଠାରୁ ପଳେଇଗଲେ। ଝିଅଟି କାନ୍ଦି କାନ୍ଦି ଦୌଡ଼ି ପଳେଇଲା। 


   ପୁଅଟି ଝିଅଟିର ପଛେ ପଛେ ତା ପାଖେ ହାଜର।


- ରିତୁ ଆଇ ଲଭ ୟୁ।


ଝିଅଟି କଣେଇକି ପୁଅକୁ ଚାହିଁଲା। ଆରେ ଇଏ ତ ତାଙ୍କ ଡିପାର୍ଟମେଣ୍ଟର ସବୁଠାରୁ ଗଧ ପିଲା ରୋହିତ। ଯିଏକି ନିଉଟନଙ୍କ ଥାର୍ଡ ଲ ଏକଜାମ୍ପଲରେ କହିଥିଲା ଯେ ସାର ଆମେ ଖଟା କମଳା ଖାଇଲେ ଆମ ଆଖି ବନ୍ଦ ହେଇଯାଏ। ଏଠି କମଳା ଖାଇବା କ୍ରିୟା ଓ ଆଖି ଆପେ ଆପେ ବନ୍ଦ ହେଇଯିବା ପ୍ରତିକ୍ରିୟା। 

   ଏହା ଶୁଣି ସବୁ ପିଲା ହୋ ହୋ ହେଇ ହସିଥିଲେ। ସେ ପିଲାର ଏତେ ସାହସ ସେ ପୁଣି କ୍ଲାସରେ ପ୍ରଥମ ହେଉଥିବା ଝିଅକୁ ପ୍ରୋପୋଜ୍ କରିବ? ଭଲ ପାଠ ପଢ଼ୁଥିବା ଝିଅଟିଏ କଣ କେବେ ପଛଧାଡ଼ିରେ ବସୁଥିବା ଗଧ ପିଲାକୁ ପ୍ରେମ କରି ପାରିବ? 

  ମା ର ଅଚାନକ ଦେହ ଖରାପ ଖବର ଶୁଣି ଝିଅଟି ତରତର ହେଇ ହଷ୍ଟେଲରୁ ବସ୍ ଷ୍ଟାଣ୍ଡକୁ ଯାଉଥିଲା। ଆଜି ସୂର୍ଯ୍ୟ ଦେବତା ବୋଧେ ରୁଷି ଥିଲେ। ଧୁ ଧୁ ଖରାରେ ସତେ ଯେମିତି ତାର ପୁରା ଶରୀର ଜଳି ଯାଉଥିଲା। ତା ପାଟି ଓଠ ଅଠା ପଡିଯାଉଥିଲା। ରାସ୍ତାର ପ୍ରଶସ୍ତିକରଣ ପାଇଁ ରାସ୍ତା କଡର ଗଛଗୁଡ଼ିକୁ କାଟି ଦିଆ ଯାଇଥିଲା। ପାଖରେ କୋଉଠି ଟିକିଏ ଅଟକିବା ପାଇଁ ତା ପାଖେ ନା ସମୟ ଥିଲା ନା ସେ ଖରାରେ ଆଗକୁ ବଢ଼ି ପାରୁଥିଲା। କିଏ ଗୋଟାଏ ତା ହାତରେ ଛତାଟିଏ ଗୁଞ୍ଜି ଉଭାନ ହେଇଗଲା। ଝିଅଟି ପଛକୁ ଚାହିଁଲା ନା ତ କେହି ନାହାନ୍ତି। 


           - ବର୍ଷାଟାରେ ପାଗଳୀଙ୍କ ପରି ଏମିତି କଣ ଓଦା ହେଉଛ? ଥଣ୍ଡା ଧରିବ ଯେ ମାସେ ଯାଏଁ ନିଜେ ହଇରାଣ ହେବା ସହିତ ମୋତେ ବି କରିବ। ଜଲ୍ଦି ଘର ଭିତରକୁ ଆସ।


 ଅମରଙ୍କ ପାଟି ଶୁଣି ସରିତା ପ୍ରକୃତିସ୍ଥ ହେଲା। ଅମରଙ୍କୁ ଦେଖି କିଛି ନ କହି ଶାଢ଼ୀ ବଦଳେଇବାକୁ ଘର ଭିତରକୁ ଗଲା। କଳା ରଙ୍ଗରେ କପରସଲଫେଟ ବଡ଼ର ଥିବା ଶାଢ଼ୀଟିଏ ପିନ୍ଧିଲା। ଛୋଟ ଛୋଟ ଚୁଟି ଗୁଡିକ ମୁହଁଉପରକୁ କୁଣ୍ଡେଇ ସାଇଜ କଲା। ଓଦା ଚୁଟିଗୁଡିକୁ ଭଲରେ ପୋଛି ନ ବାନ୍ଧି ସେମିତି ଖୋଲା ଛାଡିଦେଲା। ମଥାରୁ ବଡ଼ ନାଲି ଟିକିଲି ଟି କାଢ଼ି ଦେଇ ଖଇରିଆ ଛୋଟିଆ ଟିକିଲି ଟିଏ ଲଗେଇଲା। କାନ ପାଖରେ ଫୁରୁଫୁରୁ କରୁଥିବା କେରାଏ କେଶକୁ ଆଙ୍ଗୁଠିରେ ମୋଡ଼ି ମୋଡ଼ି କୁଞ୍ଚି କୁଞ୍ଚିଆ କରିଲା। ହାତରେ ଦୁଇ ପଟ ଚୁଡ଼ି ରଖି ବାକି ସବୁ ବାହାର କରିଦେଲା। ଗହଣାବାକ୍ସ ଖୋଲି ଛୋଟିଆ ଝୁମୁକା ହଳେ ଲଗେଇଲା। ସବୁଠାରୁ ବେଶୀ ଝୁମ ଝୁମ କରୁଥିବା ପାଉଁଜି ପାଦରେ ନାଇଲା। ଏଥର ଚୁପକିନା ତା ମୁହଁକୁ ଆଇନାରେ ଦେଖି ନିଜେ ନିଜେ ଲାଜେଇ ଯାଇ କବାଟ ପରଦାରେ ଲୁଚିଗଲା। ପୁଣି ଛମ ଛମ କରି ରୋଷେଇ ଘରକୁ ଯାଇ ଚା କରି ଅମରଙ୍କୁ ଦେଲା ଓ ନିଜେ ବି ପିଇବାକୁ ଲାଗିଲା।


  ଅମର ସରିତାର ଏପରି ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ କହିଲେ 

- ତମେ ପରା ଗ୍ୟାଷ୍ଟ୍ରିକ ପେସେଣ୍ଟ। ଚା କଣ ପିଉଛ ଯେ? ତମେ ତ କେବେବି ଚା ପିଅନି? ଆଜି ପୁଣି କେମିତି? ଏ କଳାରଙ୍ଗର ଶାଢ଼ୀ କାହିଁକି ପିନ୍ଧିଛ? ଭୁଲିଗଲ କି କଳା ରଙ୍ଗ ମୋର ଜମା ପସନ୍ଦ ନୁହେଁ। 


 ସରିତା ନିରୁତ୍ତର ରହିଲା। ସେ ସମୟରେ ସୋନାଲି ଛତାଟିଏ ଆଣି ସରିତାକୁ ଦେଇ କହିଲା - ମମି, ଏ ଛତାଟି କାହାର? ମୁଁ ତ କାଇଁ କେବେ ଦେଖିନି। ତୁମ ଆଲମାରୀ ତଳେ ପଡିଥିଲା।


  ସରିତା ଛତାଟିକୁ ଝିଅଠାରୁ ଟାଣି ନେଇ ଜାବୁଡ଼ି ଧରିଲା। ଝୁମୁକା କାଢ଼ିଲା ବେଳେ ଆଲମାରୀରୁ ତା ଅଜାଣତରେ ତଳେ ପଡ଼ି ଯାଇଛି। ଛତାଟିକୁ ଦେଖି ତା ଓଠରେ ଚେନାଏ ହସ ଖେଳିଗଲା। 


  ସୋନାଲି ସରିତା କୋଳରେ ବସି ତାକୁ ଗେଲ କରି କହିଲା

- ମମି, ଏଇ ଗେଟଅପ୍ ରେ ତୁମେ କେତେ ସୁନ୍ଦରୀ ଦିଶୁଛ। ଆଜିଠୁ ତୁମେ କେବେ ଚୁଟି ବାନ୍ଧିବନି। 


ସୋନାଲି କଥା ଶୁଣି ସରିତା ସତେ ଯେମିତି ଲାଜରେ ଜଡ଼ ସଡ଼ ହେଇଗଲା।

ଛାତ ଉପରେ ଶୁଖେଇଥିବା କପଡ଼ା ଗୁଡିକ ଓଦା ହେଇଯିବ କହି ଛତାଟିକୁ ଧରି ଉପରକୁ ଗଲା। ଖୁବ୍ ଜୋରରେ ପବନ ବହୁଥିଲା। ପବନରେ ଛତାଟି ଓଲଟି ତଳେ ପଡ଼ିଗଲା। ସରିତା ଛତାଟି ଉଠେଇବାରୁ ଦେଖିଲା କାହାର ନାଁ ଲେଖା ହେଇଛି। ତାର ହୃତକମ୍ପନ ସ୍ଥିର ହେଇଗଲା। 


 ଛତାର ପ୍ରକୃତ ମାଲିକ କିଏ ଜାଣି ନଥିବାରୁ କଲେଜରେ କାହାକୁ ଫେରେଇ ପାରିନଥିଲା ହେଲେ ଛତାଟି ପ୍ରତି ତା ଅଲକ୍ଷ୍ୟରେ ସେ ଆକୃଷ୍ଟ ହେଇ ଯାଇଥିଲା। ତେଣୁ ବାହାହେଲା ପରେ ସେ ନିଜ ଜିନିଷ ସହିତ ଛତାଟିକୁ ଶାଶୁଘରକୁ ନେଇ ଆସିଥିଲା। ଛତାଟିକୁ ସେ ନିବିଡ଼ ଆଶ୍ଲେଷରେ ଭିଡ଼ି ଧରିଲା। ତା ମୁଣ୍ଡ ଦେଇ ଗୁଡିଏ ପ୍ରଜାପତି ଉଡ଼ି ବୁଲୁଥିଲେ। ଆକାଶରେ ଇନ୍ଦ୍ରଧନୁର ସପ୍ତରଙ୍ଗ ଚମକୁଥିଲା। 


  ହଠାତ ତା ମୋବାଇଲ ଘଣ୍ଟି ବାଜି ଉଠିଲା। ସେ ଫୋନ କାନ ପାଖକୁନେଲା। ସେପଟୁ କେହିଜଣେ ରିତୁ ରିତୁ ଡାକୁଥିଲା। ତା ପାଖରୁ ମୋବାଇଲଟି ତଳେ ପଡ଼ିଗଲା। ସେ ତଳକୁ ଉଠେଇ କାନ ପାଖକୁ ନେଲା। ସେପଟୁ ବାରମ୍ବାର ଶୁଭୁଥାଏ 

-ରିତୁ ରିତୁ

 

ରିତୁ ଶବ୍ଦଟି ସତେ ଯେମିତି କାନ୍ଥରେ ବାଜି ପୁଣି ତା କାନକୁ ଫେରି ଆସୁଥିଲା। ସାଇଁ ସାଇଁ ପବନ, ଚଢେଇର ଡେଣା ଫଡ଼ଫଡ଼, ବର୍ଷାର ଟପ୍ ଟପ୍ ସବୁ ଏକାଠି ହେଇ ତାକୁ ଯେମିତି ରିତୁ ରିତୁ ଡାକୁଥିଲେ। ତା ଦେହରେ କେମିତି ଏକ ଶିହରଣ ସୃଷ୍ଟି ହେଉଥିଲା। ତାକୁ ଆଜି ମୁକ୍ତ ପକ୍ଷୀସମ ଡେଣା ମେଲାଇ ଆକାଶରେ ଉଡ଼ି ବୁଲିବାକୁ ଇଛା ହେଇଥିଲା। ଜୀବନରେ ପ୍ରଥମଥର ପାଇଁ ନିଜ ପସନ୍ଦର ଶାଢ଼ୀ ପିନ୍ଧିଥିଲା। ନିଜ କେଶଗୁଚ୍ଛକୁ ଖୋଲା ଛାଡିଥିଲା, ନିଜ ପସନ୍ଦ ମୁତାବକ ନିଜକୁ ସଜେଇଥିଲା। ଏବେଠୁ କାହିଁକି କେଜାଣି ତା ଆକ୍ବାରିୟମର ବ୍ଲାକ ଶାର୍କରେ, ତା ଫ୍ଲାୱାର୍ ଭେସ୍ ରେ ଥିବା ହ୍ଵାଇଟ୍ ଲିଲିରେ, ତାରୁମ ଏଣ୍ଟ୍ରାନ୍ସରେ ଲାଗିଥିବା ଉଇଣ୍ଡ ଚିମ୍ ରେ , ଏପରିକି ତା ବେଡ୍ ରୁମ୍ ର ୱାଲରେ ଲାଗିଥିବା କଳା ପେଣ୍ଟିଙ୍ଗଟି ରଙ୍ଗମୟ ଦିଶୁଥିଲା। ସରିତା ନିଜକୁ ପ୍ରେମ କରିବା ଆରମ୍ଭ କରି ଦେଇଥିଲା।





Rate this content
Log in