Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Tragedy

2  

Jyotiranjan Sahu

Tragedy

ଶ୍ରେଷ୍ଠ ରଚନା

ଶ୍ରେଷ୍ଠ ରଚନା

5 mins
681


॥ ଶ୍ରେଷ୍ଠ ରଚନା ॥

ଏ କାହାଣୀଟା ଆଜିର ନୁହେଁ । ଦୀର୍ଘ ତିରିଶି ବର୍ଷତଳର । ଯେତେବେଳେ ସହରଟା ଗାଁ ପାଇଁ ସ୍ବପ୍ନ ଥିଲା ଆଉ ଗାଁଟା ସହର ପାଇଁ ଅସ୍ପୃଶ୍ୟ । ଏହିପରି ଏକ ଅନାମଧେୟ ଗାଁର ପ୍ରାଥମିକ ବିଦ୍ୟାଳୟରେ ପଢୁଥିଲେ ରାମ ଆଉ ଶ୍ୟାମ । ଏ ନାଁଗୁଡା ନିହାତି ପୁରୁଣା କାଳିଆ ଲାଗୁଥିବ । ହଁ ! କାହାଣୀଟା ମଧ୍ୟ କୋଉ ନୂଆଯେ । ସେହି ରାମ ଶ୍ୟାମ ଯଦୁ ମଧୂ ଦାମ ହରି ଏହିମାନେହିଁତ ସେତେବେଳର କାହାଣୀ ମାନକଂର ଚରିତ୍ର । ଆଉ ଏ କାହାଣୀଟାର ମୁଖ୍ୟ ଚରିତ୍ର ହେଲେ ରାମ ଆଉ ଶ୍ୟାମ । ଭାବିଥିଲି ଲେଖିଥାନ୍ତି ଦୁଇ ଭାଈ ବୋଲି । କାହିଁକିନା ତାଂକର ବନ୍ଧୁତାଟା ଭ୍ରାତୃ ସମ୍ପର୍କରୁ ବଳି । ଦୁହେଁ ଏକାସାଂଗରେ ପଢନ୍ତି । ତାମାନେ ନୁହେଁ ସେମାନେ ସମବୟସ୍କ । ରାମ ଦୁଇ ବର୍ଷ ବଡ ଶ୍ୟାମଠାରୁ । ଅଖ୍ୟାତ ପଲ୍ଲୀରେ କିଏ ବୁଝୁଛି ଶିକ୍ଷାର ମହତ୍ତ୍ବ । ପିଲା ପଢିଲେ କେତେ ଆଉ ନପଢିଲେ କେତେ ! ତେବେ ଏଠି ରାମ , ଶ୍ୟାମ ପାଇଁ ଜାଣିଶୁଣି ଗୋଟିଏ କ୍ଲାସରେ ଦୁଇଥର ପଢିଲା । କାହିଁକିନା ଦୁହେଁ ଦୁହିଁକଂର ଖୁବ୍ ନିକଟତର ଥିଲେ । ସେତେବେଳେ ନୂଆ କରି ତାଂକ ବିଦ୍ୟାଳୟକୁ ଆସିଥିଲେ ଜଣେ ଷ୍ଟ୍ରିକ୍ଟ ହେଡମାଷ୍ଟର । ବଳିଆ ସାର୍ ! ନାଁଟା ଯେମିତି ଚେହେରାଟା ବି ସେମିତି । ପ୍ରଥମ ଶ୍ରେଣୀ ରେ ସବୁଦିନ କେହିନା କେହି ବଳିଆ ସାର୍ କଂ ଡରରେ ପ୍ୟାଣ୍ଟରେ ପରିସ୍ରା କରିବାଟା ଯେମିତି ଗୋଟିଏ ସାଧାରଣ ଘଟଣା ହୋଇଯାଇଥିଲା । ରାମ ଆଉ ଶ୍ୟାମ ବି ବହୁତ ଭୟ କରୁଥିଲେ ବଳିଆ ସାରକୁଂ । ଦୁହିଁକଂର ପାଠଘର ଶୂନ । ପନ୍ଚମ ଶ୍ରେଣୀରେ ଦୁହେଁ ଶେଷଆଡୁ ପ୍ରଥମ ଆଉ ଦ୍ବିତୀୟ । ମୁଣ୍ଡରେ ଗୋବର ଭର୍ତ୍ତି କିନ୍ତୁ ଶାଠରେ ଖୁବ୍ ଓସ୍ତାଦ୍ । ପାଠପାଇଁ ସବୁଦିନ ଦୁଇ ଚାରିଟା ବେଗୁନିଆ ବାଡି ତାଂକ ପିଠିରେ ଚାଲିଯାଏ ବଳିଆ ସାରକଂର । ଘରେ ତାଂକର ନା ଥିଲା ଲାଇଟ୍ ନା ଖାତା କିଣିବାକୁ ପଇସା । ଅଭାବି ସଂସାରରେ ଦୁହେଁଯେ ପାଠ ପଢିବାକୁ ବିଦ୍ୟାଳୟ ଆସୁଥିଲେ ସେଇଟା ହିଁ ଥିଲା ବଡ କଥା । ତେବେ ପିଲା ଦୁହିଁକଂର ବ୍ୟବହାର ଖୁବ୍ ମାର୍ଜିତ । ମାସରେ ଅର୍ଦ୍ଧେକଦିନ ଗାଈ ବଗାଳରେ କଟିଯାଉଥିବାବେଳେ ବାକି ଅର୍ଦ୍ଧେକଦିନ ବିଦ୍ୟାଳୟର ଉପସ୍ଥାନ ଖାତାରେ ନାଁଟା ପଡେ । ମାଡ ଖାଇଖାଇ ଦୁହେଁ ଏପରି ହୋଇଯାଇଥିଲେ ଯେ ଆଉ ତାଂକୁ ମାଡ ଖାଇବାକୁ ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ପଡୁନଥିଲା । ତେବେ ଏସବୁ ଭିତରେ ଅଖୋଜା ଅଲୋଡା ଦୁଇ ବନ୍ଧୁକୁଂ ଖୋଜାପଡୁଥିଲା ବଗିଚା କାମରେ ଆଉ ବିଦ୍ୟାଳୟର ଚାରିପାଖ ବାଡ ଘେରା କାମବେଳେ । ଏମିତି ମାଡ ଗାଳିରେ କଟିଯାଉଥିଲା ଦୁଇ ବନ୍ଧୁକଂର ସମୟ ।

ସେବର୍ଷ ଗାଁରେ ହୋଇନଥିଲା ଭଲବର୍ଷା । କ୍ରୁର ବୈଶାଖର ଜ୍ବାଳାରେ ତ୍ରାହିତ୍ରାହି କରୁଥିଲେ ଗାଁ ଲୋକେ । ଗଡିଆ ପୋଖରୀ ସବୁ ଜଳଶୂନ୍ୟ । ପରିବେଶଟା ପାଲଟି ଯାଇଥିଲା ଗୋଟିଏ ତୃଷାର୍ତ୍ତ ଶ୍ବାନର ଉନ୍ମୁକ୍ତ ମୁଖପରି । ଚାରିଆଡେ ପାଣିପାଇଁ ହାହାକାର । ଏହିଭଳି ଏକ ହୃଦୟହୀନ ଖରାବେଳର ଖାଇବା ଛୁଟିରେ ଶୀଘ୍ର ଖାଇସାରି ବିଦ୍ୟାଳୟର ସବୁ ପିଲା ବ୍ୟସ୍ତ ଥାଆନ୍ତି ନିଜନିଜ ଖେଳରେ । ରାମ ଆଉ ଶ୍ୟାମ କିନ୍ତୁ ବିଦ୍ୟାଳୟ ପାଖ ନଳ କୂଅ ମୂଳରେ ପାଣି କାଦୁଅରେ ଘାଣ୍ଟି ହେଉଥାଆନ୍ତି । ଏତିକିବେଳେ ହଠାତ୍ ନଳ କୂଅ ପାଖକୁ ଚାଲିଆସିଲେ ବଳିଆ ସାର୍ । ହାତରେ ଥାଏ ଗୋଟିଏ ମୋଟା ଅମରୀ ବାଡି । ଆଉ ତାପରେ ଯାହା ସବୁଦିନ ଘଟେ ସେଇ ଅଧ୍ୟାୟଟାର ପୁନରାବୃତ୍ତି ହୋଇଗଲା । ଖାଇବା ଛୁଟି ପର କ୍ଳାସରେ ବଳିଆ ସାର୍ ଗୋଡିଦେଇ ଆଣ୍ଠେଇଦେଲେ ରାମ ଆଉ ଶ୍ୟାମକୁ । ଗର୍ଜନ କରି ପଚାରିଲେ " କଣ ଚାଲିଥିଲା ସେଇ ନଳ କୂଅ ପାଖରେ ! ପାଠଶାଠ ନାହିଁ ବଦମାସିରେ ଓସ୍ତାଦ୍ ଦୁଇଟାଯାକ । ଆଚ୍ଛା ନଳ କୂଅ ବିଷୟରେ ରଚନାଟିଏ ଲେଖ । ନା ' ନା ତମେ ଦୁଇଟା କଣ ଲେଖିବ ରଚନା । ରଚନା ବନାନ ତ ଆସିବନି ତୁମ ଦୁଇଟାକୁଂ । ଆଚ୍ଛା ତେବେ ତୁମେ ରଚନାଟା କୁହ । ଯଦି କହିବ ବସିବ ନଚେତ୍ ଏଇମିତି ଆଣ୍ଠେଇଥିବ " । ବଳିଆ ସାରକଂର କଥା ଶୁଣି ପରସ୍ପରକଂର ମୁହଁ ଚାହାଁଚାହିଁ ହେଲେ ରାମ ଆଉ ଶ୍ୟାମ । କିଛି ସମୟପରେ ରାମ କହିଲା " ସାର୍ ! ମୋର ତ ପାଠ ଭଲ ହେଉନି । କଣ କହିବି ରଚନା ନଳ କୂଅ ବିଷୟରେ । ଶ୍ୟାମ ତୁ କିଛି କହୁନୁ "। ଏହା ଶୁଣି ଶ୍ୟାମ ଟିକିଏ ରହିଯାଇ କହିଲା " ଏ ବର୍ଷ କେତେ ଗରମ ! ଆଗରୁତ ଆମ ଘରେ ଲାଇନ୍ ନଥିଲା , ଲେଖିବା ପାଇଁ ଖାତା ନଥିଲା ଆଉ ଭାତ ସହ ତରକାରୀ ନିଅଣ୍ଟ ହେଉଥିଲା । ହେଲେ ଏବର୍ଷ ଆମ ଘରେ ପାଣି ବି ନାହିଁ । ସାର୍ କହୁଥିଲେ ଜଳ ହିଁ ଜୀବନ । ହେଲେ ଆମ ପାଖରେତ ଜଳ ହିଁ ନାହିଁ । ଆଉ ଜୀବନ କେମିତି ରହିବ ! ବାଡିରେ ପରିବା କିଛି ଲଗେଇଥିଲିଯେ ସେଗୁଡାକବି ପାଣି ନପାଇ ଜଳିଗଲାଣି । ଗାଈ ଛେଳି ସବୁ ପାଣି ନପାଇ ମରିବାକୁ ବସିଲେଣି । ଗତ ରାତିରେ ରାମ ର ଗର୍ଭିଣୀ ଛେଳିଟା ମରି ପଡିଆରେ ପଡିଥିଲା । ଏଠିତ ଆମକୁ ପାଣି ନିଅଣ୍ଟ , ସେତେବେଳେ ଏ ପରିବା ବାଡି , ଗାଈ, ଛେଳି ଆଦିକଂ କଥା ବୁଝୁଛି କିଏ ? ଗାଁର ସବୁ ଗଡିଆ ପୋଖରୀ କୂଅ ଆଦି ଶୁଖିସାରିଲାଣି । ଗାଁରେ ଏବେ ଆଉ ଭାଗବତ ଚର୍ଚ୍ଚା ହେଉନି ସମସ୍ତକଂର ମୁହଁରେ ଖାଲି ପାଣି ଚର୍ଚ୍ଚା । ପାଣି କେମିତି ମିଳିବ ? ଏଭଳି ସମୟରେ ସମ୍ପୂର୍ଣ୍ଣ ଗାଁ ପାଇଁ ଗୋଟିଏ ହିଁ ଆଶା ଆଉ ଭରସା , ଆଉ ସେଇଟା ହେଲା ଆମ ବିଦ୍ୟାଳୟର ନଳ କୂଅଟା । ଏଇ ନଳ କୂଅ ମୂଳରେ ଗାଁଟା ସାରା ଲୋକ ସକାଳୁ ସଞ ପର୍ଯ୍ୟନ୍ତ ଛିଡାହେଉଛନ୍ତି ପାଣି ମୁନ୍ଦାଏ ପାଇଁ । କିଛିଦିନ ଆଗରୁ ରାମ କହୁଥିଲା ଆରେ ଆମେତ କୌଣସି ପ୍ରକାରେ ଚଳିଯାଉଛୁ । ହେଲେ ଆମ ଗାଈ ଛେଳି ସବୁ କଣ କରିବେ ? କେଉଁଠାକୁ ଯିବେ ସେମାନେ ନିଜର ଶୋଷ ମେଣ୍ଟାଇବାକୁ ? ଏତିକିବେଳେ ହଠାତ୍ ତା ମୁଣ୍ଡକୁ କଣ ଆସିଲା କେଜାଣି ମୋତେ ଡାକି କହିଲା ଚାଲ୍ ଏଇ ନଳ କୂଅ ମୂଳରେ ବଡ ଗାତଟିଏ କରିବା । ସେହି ଗାତରେ ଜମା କରିଦେବା ନଳ କୂଅର ପାଣି । ସକାଳୁ ଶହେଥର ନଳ କୂଅକୁ ମୁଁ ବାଡାଏ ଆଉ ଶହେଥର ରାମ । ଖରାବେଳେ ବି ଏମିତି ପାଳିକରି ପାଣି ବାହାର କରୁ । ଜାଣନ୍ତି ସାର୍ ଦୂରରୁ ଥାଇ ଆମେ ଦେଖୁ କେତେ ଚଢେଇ ଆସି ପାଣି ପି' ସାରି ଖୁସିରେ ଡେଣା ଝାଡି ଉଡିଯାଆନ୍ତି ଦୂର ଆକାଶକୁ । ଗାଁର ସବୁ ଗାଈ ଛେଳି ଏବେ ଜାଣିସାରିଛନ୍ତି ପାଣି ମିଳିବାର ଠିକଣା । ପାଣି ପାଇ ନଳ କୂଅ ମୂଳଟାବି ଘାସ ଭର୍ତ୍ତି ହୋଇଯାଇଛି । ଏଇ ନଳକୂଅ ମୂଳଟା ଏବେ ଆମ ଗାଁ ଗାଈ ଗୋରୁକଂର ଚରିବାର ନୂଆ ଠିକଣା । ଦେଖୁନାହାନ୍ତି କେମିତି ରାମ ଘର ବଉଳା ଗାଈର ବାଛୁରୀଟା ଖୁସିରେ କ୍ଷୀରଟିକେ ପିଇବାକୁ ଦୌଡିଯାଉଛି ସେହି ଘାସଗାଲିଚା ଉପରେ କୁଦଟିଏ ମାରି ତା ମା ଆଡକୁ । ବହୁତ ଖୁସି ଲାଗୁଛି ଏକଥା ଦେଖି ଯେତେବେଳେ ଆମ ଗାଈ ବାଛୁରୀ ସବୁ ଦୌଡିଆସୁଛନ୍ତି ପାଣି ମୁନ୍ଦାଏ ପାଇଁ ଏ ନଳକୂଅ ମୂଳକୁ । ସେଇଥିପାଇଁ ଆମେ ଦୁଇଜଣ ଚିନ୍ତାକରୁଥିଲୁ ଏ ଗାତଟାକୁ ଆଉଟିକିଏ ବଡ କରିବୁ । ଆହୁରି ବେଶି ଆହୁରି ବେଶି ପାଣି ଭର୍ତ୍ତି କରିବୁ । ଯେମିତି ଆମ ଗାଁର ଗାଈ ବାଛୁରୀ ଛେଳି ଚଢେଇ କେହି ଶୋଷରେ ନମରନ୍ତୁ । ଏଥର ଶହେ ନୁହେଁ ଦୁଇଶହ ଥର ମୁଁ ନଳ କୂଅ ବାଡେଇବି ଆଉ ରାମ ବି । ଏ ପଡିଆଟା ସାରା ଘାସ ଭର୍ତ୍ତି କରିଦେବୁ ଏ ନଳ କୂଅର ପାଣିଦେଇ । ଆଉ ... ଆଉ ... ଆଉ ... । ଏତିକି ବେଳେ ବଳିଆ ସାର୍ କହିଲେ " ଆଉ ଏଇଟା ହେଉଛି ମୁଁ ମୋ ଜୀବନରେ ଶୁଣିଥିବା ସବୁଠାରୁ ଶ୍ରେଷ୍ଠ ରଚନା " । ଏତିକି କହି ଶ୍ୟାମ ଆଉ ରାମ କୁ କୁଣ୍ଢାଇ ଧରିଲେ ବଳିଆ ସାର୍ । ଆଉଁଷି ପକାଇଲେ ମାଡଖାଇ ଫାଟିଯାଇଥିବା ଦୁହିଁକଂର କଅଁଳିଆ ପିଠି । ସେହିଦିନ ପାଖରୁ ବଳିଆ ସାର୍ ଆଉ ପିଲାକୁଂ ପିଟିବା ଛାଡିଦେଲେ । ଆଉ କାରଣ ପଚାରିଲେ କୁହନ୍ତି " ପିଲାମାନେ ଭଗବାନକଂ ରୂପ । ଯାହା ସେମାନକୁଂ ଦେଖାଯାଏ ଆଉ ଯାହା ସେମାନେ ଜାଣନ୍ତି ; ସେସବୁ ନା ମୁଁ କେବେ ଦେଖିପାରିବି ନା ଜାଣିପାରିବି । ବାସ୍ ସେଇଥିପାଇଁ ପିଟିବା ଛାଡିଦେଇଛି " ॥

॥ ଜ୍ୟୋତିରଞନ ସାହୁ ॥

8895156355


Rate this content
Log in

Similar oriya story from Tragedy