Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

JITENDRA KUMAR KONHAR

Drama Tragedy

3  

JITENDRA KUMAR KONHAR

Drama Tragedy

ବର୍ଷା

ବର୍ଷା

8 mins
7.8K


               ବୟସର ଅପରାହ୍ନରେ ଆଜି ବାଦଲ । ଶୁଖିଲା ପତ୍ର ଝଡି ପଡିଲା ପରି ତା'ଜୀବନ କେତେବେଳେ ଯେ ଝଡି ପଡିବ କିଏ ବା କହିବ। ସେ ଜମା ବି କାନ୍ଦିବାକୁ ଭଲ ପାଏନି। କାରଣ ତାକୁ ତା' ବର୍ଷା ପରା ମନା କରିଛି କାନ୍ଦିବାକୁ। ହେଲେ ଏ ଅମାନିଆ ଲୁହ ଗୁଡିକ କ'ଣ ବୋଲ ମାନନ୍ତି। କେତେବେଳେ ଅଜାଣତରେ ବୋହି ଯାଆନ୍ତି ଯେ ନିଜେ ବି ଜାଣି ପାରେନି। ଏତେ ବଡ ଦୁନିଆରେ ସେ ପୁରା ଏକା । ବାସ୍ ବୁଢ଼ୀ ବିନି ମାଉସୀ ଘରର ସବୁ ପାଇଟି କରିଦେଇ ଯାଆନ୍ତି। ସବୁବେଳେ କାମ ସାରି ଯିବା ବେଳକୁ ତା' ବାଦଲ ବାବୁଙ୍କୁ ସବୁ ବୁଝେଇ ଦେଇ ଯାଆନ୍ତି ଖାଇବା ପିଇବା ଠୁ ଆରମ୍ଭ କରି ଔଷଧ ଖାଇବା ପର୍ଯ୍ୟନ୍ତ ସବୁକିଛି। ହେଲେ ବାଦଲ ସବୁବେଳେ ଏକା ଏକା ଏକ ଚୌକି ଉପରେ ବସି କେଉଁ ଏକ ଅଜଣା ଦୁନିଆରେ ହଜିଯାଇ କେତେବେଳେ ମୁରୁକି ହସ ଦେଉଥିବ ତ କେତେବେଳ ଖିଲି ଖିଲି ହୋଇ ହସୁଥିବ । କ'ଣ ପାଇଁ କେଜାଣି। ବିନି ମାଉସୀ ର ସେ ସବୁ ସମଝ ର ବାହାରେ। କେତେଥର ବାଦଲ ବାବୁଙ୍କୁ ପଚାରିଛି ହେଲେ କ'ଣ ସେ କିଛି କହିଲେ ସିନା। ଯେତେବେଳେ ବୁଢ଼ୀ ମାଉସୀ କିଛି ପଚାରିବ ବାଦଲ ଖାଲି ସ୍ମିତ ହସ ଟିଏ ଦେଇଦିଏ ଆଉ କିଛି କୁହେନି। କିନ୍ତୁ ମାସ ସରିବା ପୂର୍ବରୁ ବୁଢ଼ୀ ମାଉସୀ ଙ୍କୁ ଦରମା ଦେବାକୁ କେବେ ଭୁଲେନି। ସବୁବେଳେ ତ ସେ କେଉଁ ଏକ ଅଜଣା ଦୁନିଆରେ। ନିଜେ ନିଜେ ହସୁଥିବ ଆଉ ବେଳେ ବେଳେ ନିଜ ସହିତ କଥା ହେଉଥିବ। ବୁଢ଼ୀ ବିନି ମାଉସୀ ପାଖ ପଡିଶା ଠାରୁ ସବୁ ଜାଣିବାକୁ ଚେଷ୍ଟା କରେ। ସବୁ ଘଟଣା ଜାଣି ଭାରି ମନ ଦୁଃଖ କରେ ଆଉ ତା' ବାଦଲ ବାବୁ ଙ୍କର ଭଲରେ ଯତ୍ନ ନେବାକୁ ଚେଷ୍ଟା କରେ।

      ବାଦଲ ର ସେହି ଅଜଣା ଦୁନିଆ ବିଷୟରେ ଜାଣିବାକୁ ହେଲେ ଆମକୁ ଯିବାକୁ ପଡ଼ିବ ଢେର କିଛି ବର୍ଷ ତଳକୁ। ବାଦଲ ବାରମ୍ବାର ହଜିଯାଉଥିବା ଭାବନା ରାଇଜ ଭିତରକୁ। ଯେବେ ବାଦଲ ର  ପ୍ରଥମ ଦେଖା ହୋଇଥିଲା ବର୍ଷା ସହିତ। ଆକାଶରୁ ଝରିପଡୁଥିବା ବର୍ଷା ସହ ନୁହେଁ । ବର୍ଷା ତା ପ୍ରେମିକା ସହିତ। ସେ ଦିନ ବାଦଲ ଅଫିସ ଯିବା ପାଇଁ ତାର ବାଇକ ରେ ବାହାରି ଥାଏ। ସେତେବେଳେ କିଛି ବାଟ ଗଲା ପରେ ଦେଖିଲା ଆଗରେ ଲୋକ ପ୍ରବଳ ଗହଳି। ବାଦଲ ଯାଇ ଦେଖେ ତ ଗୋଟେ ଝିଅ ସଡକ ଦୁର୍ଘଟଣା ର ଶିକାର ହୋଇ ରାସ୍ତା ରେ ପଡ଼ି ରହିଛି। ଆଉ ଲୋକମାନେ କେବଳ ଦେଖେଣାହାରି ସାଜିଛନ୍ତି। କେହି କେହି ତ ମୋବାଇଲ ରେ ଭିଡ଼ିଓ ରେକଡ଼ିଂ କରିବାରେ ବ୍ୟସ୍ତ। କଣ ନା ଫେସବୁକ ଆଉ ହ୍ଵାଟ୍ସଆପ ରେ ଛାଡିବେ। ମାନବିକତା ସତେ ମରି ଯାଇଥିଲା। ବାଦଲ ସଂଗେ ସଂଗେ ୧୦୮ ଡାଏଲ କରି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲା। ହେଲେ ଉତ୍ତର ଆସିଲା ଆମ୍ବୁଲାନ୍ସ ନାହିଁ। କଣ କରିବ ଏବେ ସେ। ପାଖରେ ଥିବା ଲୋକ ମାନଙ୍କୁ ସାହାଯ୍ୟ କରିବା କୁ କହିଲା ସିନା କେହି ଆଗକୁ ବାହାରିଲେ ନାହିଁ। ରାସ୍ତାରେ ଯାଉଥିବା ଅନେକ ଅଟୋ ଗାଡିକୁ ବାଦଲ ଅଟକାଇବାକୁ ଚେଷ୍ଟା କଲା କିନ୍ତୁ କେହି ସାହାଯ୍ୟ କରିବାକୁ ନାରାଜ। ଏପଟେ ଝିପ୍ ଝିପ୍ ବର୍ଷାବି ଆରମ୍ଭ ହୋଇ ଯାଇ ଥାଏ। ବହୁତ କଷ୍ଟରେ ଜଣେ ଅଟୋ ବାଲା ରାଜି ହେଲା ଦୁର୍ଘଟଣା ର ଶିକାର ଝିଅ କୁ ମେଡିକାଲ ନେବା ପାଇଁ। ଲୋକ ମାନେ ବାଦଲ ସହ ମିଶି ସେଇ ଝିଅକୁ ଅଟୋରେ ବସାଇ ଦେଲେ ସତ। ହେଲେ ତା ସହ କେହି ମେଡିକାଲ ଯିବାକୁ କେହି ବାହାରିଲେ ନାହିଁ। କହୁଥିଲେ ଝିଅ ଟି ଯଦି ମରିଗଲା ପୋଲିସ କେସ ହେବ। ଏତେ ଭିତରେ କିଏ ପଶିବ। କିଛି ନ ଭାବି ବାଦଲ ରାସ୍ତା ପାଖ ଦୋକାନ କଡରେ ନିଜ ବାଇକ ଟି କୁ ରଖି ଏକୁଟିଆ ଅଟୋରେ ବସିଗଲା। ଅଟୋ ମାଡି ଚାଲିଲା ପାଞ୍ଚ କି.ମି ଦୂରରେ ଥିବା ହସ୍ପିଟାଲ ଅଭିମୁଖେ। ଝିଅଟିର ଚେତା ବୁଡି ଯାଇଥାଏ। 

            ହସ୍ପିଟାଲରେ ପହଞ୍ଚନ୍ତେ ଡାକ୍ତର ବାବୁ ଦେଖି ସଂଗେ ସଂଗେ ଅପରେସନ ଥିଏଟର କୁ ନେବା ପାଇଁ କହିଲେ। ଡାକ୍ତର ବାବୁ କହିଲେ ଟିକେଟ କରି ତିରିଶ ହଜାର ଟଙ୍କା ଜମା କରିବା ପାଇଁ । ଟିକେଟ କାଉଣ୍ଟର ରେ ତ ପେସେଣ୍ଟ ର ନା' କହିବାକୁ ପଡିବ ନା । ବାଦଲ ର ପାଟିରୁ ହଟାତ ବାହାରି ଯାଇ ଥିଲା ଝିଅ ଟିର ନା' ବର୍ଷା। ଆଉ ସେ ଠିକଣା ଜାଗାରେ ନିଜ ଠିକଣା ଦେଇଥିଲା। ଏଟିଏମ୍ ରୁ ଟଙ୍କା ଆଣି ବାଦଲ ଡିପୋଜିଟ ବି କରିଦେଲା। ଅପରେସନ ଆରମ୍ଭ ହୋଇ ଯାଇଥାଏ । ଆଉ ବାଦଲ ବାହାରେ ଅପେକ୍ଷା କରିଥାଏ। ମନରେ ତାର କେତେ ପ୍ରଶ୍ନ ଉଙ୍କି ମାରୁଥାଏ। କିଏ ସେ ଝିଅ। କୋଉଠି ଘର ତାର।  ନା' ତାର କଣ।କେମିତି ତା ଘର ଲୋକଙ୍କୁ ଖବର ଦେବ। ଅପେକ୍ଷା କରି ରହିଲା ଅପରେସନ ଶେଷ ହେବା ପର୍ଯ୍ୟନ୍ତ। ନିଜ ଅଫିସ କୁ ଫୋନ କରି ଘଟଣାବଳୀ କହି ଛୁଟି ବି ନେଇଗଲା। ଡାକ୍ତର ବାବୁ ଅପରେସନ ଥିଏଟର ରୁ ବାହାରୁ ଆସନ୍ତେ ବାଦଲ ଝିଅ ର ଅବସ୍ଥା ବିଷୟରେ ଜାଣିବାକୁ ଚାହିଁଲା। ଡାକ୍ତର ବାବୁ କହିଲେ,"ଝିଅ ଟିର ଜୀବନ ବଂଚି ଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ଚେତା ଫେରିନି। ଯଦି ଦୁଇ ଦିନ ଭିତରେ ଚେତା ନ ଫେରେ ବାକି ଭଗବାନ ଭରସା। ବାଦଲ କ'ଣ କରିବ ଜାଣି ପାରୁ ନ ଥାଏ। ତଥାପି ଭଗବାନ କୁ ଡାକି ଝିଅ ଟି ର ପାଖେ ପାଖେ ରହିଲା ଆଉ ତାର ସମ୍ପୂର୍ଣ୍ଣ ଦେଖା ଶୁଣା କଲା। ଏ ଭିତରେ ଦୁଇ ଦିନ ବିତିବାକୁ ବସିଲାଣି ହେଲେ ନା ଝିଅ ର ଚତା ଫେରିଛି ନା ଝିଅ ଟିର ଠିକଣା ମିଳିଛି। ଫେସବୁକ ଆଉ ହୁଆଟ୍ସ ଆପ ଜରିଆରେ ମଧ୍ୟ ଝିଅ ର ଫୋଟ ଦେଇ ସେ ଠିକଣା ଖୋଯିବାକୁ ଚେଷ୍ଟା କରୁଥାଏ।ଡାକ୍ତର ବାବୁ ଆସି କହିଲେ ଆଉ ଆଶା ନାହିଁ। ସେ ଏବେ ଶେଷ ଅବସ୍ଥାରେ। ଠିକ ଏତିକି ବେଳକୁ ନର୍ସ ଆସି କହିଲେ ଝିଅଟିର ହୋସ ଆସିବାକୁ ଯାଉଛି। ଡାକ୍ତର ବାବୁ ସଂଗେ ସଂଗେ ଯାଇ ଝିଅ ଟିର ପରୀକ୍ଷା କଲେ। ଆଉ କହିଲେ ଇଏ ଭଗବାନ ଙ୍କ ଚମତ୍କାର ଛଡା ଆଉ କିଛି ନୁହେଁ । ବାଦଲ ବି ଖୁସି ହୋଇଯାଇଥିଲା। ଆଉ ତାର ଆଖିରୁ କାହିଁକି କେଜାଣେ ଆଖିରୁ ଦୁଇ ଧାର ଲୁହ ବୋହି ଯାଇଥିଲା। ସେତିକି ବେଳକୁ ସେଇ ଝିଅ ର ପରିବାର ଲୋକେ ଫେସବୁକ ରୁ ଖବର ପାଇ ହସ୍ପିଟାଲ ପହଂଚି ଯାଇଥିଲେ। ବାଦଲ ଝିଅ ସହିତ କିଛି କଥା ହେବା ପୂର୍ବରୁ ତା' ଘର ଲୋକ ତାକୁ ହସପିଟାଲରୁ ନେଇ ଯାଇଥିଲେ ବାଦଲ କୁ ତାର ମଣିଷ ପଣିଆ ପାଇଁ ଧନ୍ୟବାଦ ଆଉ ତିରିଶ ହଜାର ଟଙ୍କା ଦେଇ। ହେଲେ ବାଦଲ କୁ କାହିଁକି କେଜାଣେ ଭାରି କଷ୍ଟ ଲାଗୁଥାଏ। ଝିଅଟିର ବାଟ ଯିବାକୁ ଯେମିତି ଅନାଇ ରହିଥାଏ। ସତେ ଯେମିତି ସେ ଚାହୁଁଥିଲା ସମୟ ତା ଟିକିଏ ଧୀର ହୋଇ ଯାଆନ୍ତା କି। ଏଇ ଦୁଇ ଦିନ ର ହସ୍ପିଟାଲ ରେ ରହଣି ଭିତରେ ଯେମିତି ସେ ଝିଅ ତାକୁ ଭାରି ନିଜର ନିଜର ଲାଗିଥିଲା। ବୋଧହୁଏ ବାଦଲ ତାକୁ ଭଲ ପାଇ ବସିଥିଲା। ହେଲେ ସେ ସାହସ କରି କହି ପାରିଲା ନା ସମୟ ତାକୁ ସୁଯୋଗ ଟିଏ ବି ଦେଲା। ଖାଲି ସେ ଜାଣିବାକୁ ପାଇଲା ଯେ ଝିଅ ଟିର ନା' ବର୍ଷା ନୁହେଁ। ତାର ନା' ହେଲା  ଭାବନା।

        ସେ ବାଦଲ ପାଖରୁ ଚାଲି ଯାଇଥିଲା ସିନା ଯେମିତି ସେ ତା ଭାବନାରେ ରହିଯାଇ ଥିଲା। ଭାବନା ସତରେ ସେଦିନ ଭାବନା ହୋଇଯାଇଥିଲା। ଭଗବାନ ଙ୍କର ଯାହା ଇଛା କହି ବାଦଲ ତାର ସବୁଦିନିଆ ଜୀବନ ଶୈଳୀକୁ ଫେରି ଯାଇଥିଲା ଭାବନା କୁ ନେଇ ଥିବା ତାର ସ୍ମୃତି କୁ ଛାତି ତଳେ ସାଇତି ରଖି। ଏମିତି କିଛି ମାସ ବିତି ଗଲା। ହଟାତ ଦିନେ ବାଦଲ ଅଫିସ ରୁ ଘରକୁ ଫେରି କବାଟ ଖୋଲି ଦେଖେତ କବାଟ ତଳେ ପଡିଛି ଚିଠି ଟିଏ। ଉପରେ ବଡ ବଡ ଅକ୍ଷରରେ ଲେଖା ହୋଇଛି ବର୍ଷା। ବାଦଲ କୌତୁହଳ ର ସହ ଚିଠି ଖୋଲିବାକୁ ଲାଗିଲା। ଚିଠିରେ ଲେଖା ହୋଇଥିଲା," କ୍ଷମା କରିବେ ସେ ଦିନ ହସ୍ପିଟାଲରେ ଦେହ ଭଲ ନ ଥିବାରୁ ଆଉ ଦୁର୍ବଳତା ଅନୁଭବ ଯୋଗୁଁ ମୁ ଆପଣଙ୍କ ସହିତ ଟିକିଏ କଥା ବି ହୋଇ ପାରିନଥିଲି। ମୋତେ ନୂଆ ଜୀବନ ଦେଇ ଥିବାରୁ ମୁଁ ଆପଣଙ୍କ ପାଖରେ ଚିର ଋଣୀ। ମେଡିକାଲ ପ୍ରେସକ୍ରିପ୍ସନ ରୁ ଆପଣଙ୍କ ଠିକଣା ପାଇଲି। ଆଉ ଜାଣିବାକୁ ପାଇଲି ମୋର ନୂଆ ନାଁ ବର୍ଷା। ଜାଣି ଭାରି ଖୁସି ଲାଗିଲା। ଆପଣ ତ ନ ଥିଲେ ତେଣୁ ଏଇ ଚିଠି ଛାଡି ଯାଉଛି। ତଳେ ମୋ ଫୋନ ନମ୍ବର୍... କଲ କରିବେ।
ଇତି... ଭାବନା ନୁହେଁ ବର୍ଷା। ବାଦଲ ଭାରି ଖୁସି ହୋଇଯାଇଥିଲା ଆଉ ତାର ମୋବାଇଲ କୁ ଖୋଜୁଥିଲା ଭାବନା କୁ ଫୋନ କରିବ ବୋଲି।
×××××××××××
         ସମୟ କ୍ରମେ ଦୁହିଁଙ୍କ ଭିତରେ ବନ୍ଧୁତାରୁ ସମ୍ପର୍କ ନିବିଡ ହେବାକୁ ଲାଗିଲା। ଆଉ ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେଲା। ଦେଖା ସାକ୍ଷାତ ବି ହେଲା। ଭାବନା ଙ୍କ କଥାରେ ରାଜି ହୋଇ ତାର ବାପା ମା ବାଦଲ ସହିତ ବାହାଘର କରିଦେଲ। ବାଦଲ ସବୁବେଳେ ଭାବନା କୁ ବର୍ଷା ହିଁ ଡାକେ। ସତେ ଯେମିତି ଭାବନା ସେଇ ଡାକରେ ହିଁ ଖୁସି। ଯେମିତି ଦୁନିଆ ର ସବୁ ଖୁସି ବାଦଲ ଆଉ ବର୍ଷା ପାଇଁ ହି  ରହିଥିଲା। ବାଦଲ ବର୍ଷା କୁ ଆଉ ବର୍ଷା ବାଦଲ କୁ ବହୁତ ଭଲ ପାଉଥିଲେ। ବର୍ଷାର ପିଲାଳିଆମି ବାଦଲ କୁ ବେଶି ଭଲ ଲାଗେ। ବର୍ଷା ବାଦଲ ର ହାତରୁ କିଛି ଖାଇବା ପାଇଁ ସବୁବେଳେ କିଛି ନା କିଛି ବାହାନା କରେ। କହେ,'ଆଜି ମୋ ହାତରେ ମେହେନ୍ଦୀ ଲାଗିଛି, ଆଜି ମୋ ହାତ କଷ୍ଟ ହେଉଛି।ଏମିତି ଅନେକ। ଆଉ ଖାଇ ସାରି ବାଦଲ ର ଡ୍ରେସ ରେ ହିଁ ତାର ମୁହଁ ପୋଛି ପକାଏ। ବାଦଲ ବର୍ଷାର ବାହାନା ସବୁ ବୁଝି ପାରେ କିନ୍ତୁ ବର୍ଷା ର ଖୁସି ପାଇଁ ସେ ସେଇଥିରେ ବର୍ଷା ସହ ସାମିଲ ହୋଇଯାଏ। ଆଉ ବର୍ଷା ବେଳେ ବେଳେ ବିନା କାରଣ ରେ ବାଦଲ ଉପରେ ଅଭିମାନ କରି ରୁଷି ଯାଏ। କଥା ବାର୍ତା କରେନି। କେବଳ ବାଦଲ ତାକୁ ସ୍ନେହରେ ଟିକିଏ ମନାଉ ବୋଲି। ବାଦଲ ବି ମନାଏ ଆଉ ବର୍ଷା ମାନି ଯାଏ ଆଉ ବହୁତ ଖୁସି ହୁଏ। କିନ୍ତୁ ବାଦଲ ଆଖିରୁ କେବେ ଲୁହ ବହିବାକୁ ଦିଏନି। ଯେତେବେଳେ ବି କିସଚି ବିପଦ ଆସେ ସେ ବାଦଲ ଆଗରେ ଠିଆ ହୋଇ ପଡେ। ସମୟ ର ସ୍ରୋତରେ ଦୁହିଁଙ୍କର ଜୀବନ ବେସ ହସ ଖୁସିରେ ଗଡ଼ି ଚାଲିଥାଏ। ଏ ଭିତରେ ସେମାନେ ବାହାଘର ପରେ ପଚିଶଟି ବସନ୍ତ ଅତିକ୍ରାନ୍ତ କରି ସାରିଲେଣି। ଖାଲି ଏତିକି ଦୁଃଖ ଭଗବାନ ତାଙ୍କର କୋଳକୁ ଛୁଆ ଟିଏ ଦେଲେନି। ତଥାପି ଦୁହେଁ କେବେ ମନ ଦୁଃଖ କରି ନାହାନ୍ତି। ବାସ ହାତରେ ହାତ ଦେଇ ଜୀବନ କୁ ଜିଇଁ ଚାଲିଛନ୍ତି।

         ଦିନେ ବାଦଲ ଅଫିସରେ ଥାଏ। ପଡିଶା ଘରୁ ଫୋନ ଆସିଲା ଭାବନା ର ଦେହ ବହୁତ ଖରାପ । ଶୀଘ୍ର ଆସିବାକୁ। ବାଦଲ ଶୀଘ୍ର ଆସି ଭାବନା କୁ ହସ୍ପିଟାଲ ନେଇଗଲା। ରକ୍ତ ପରୀକ୍ଷାରୁ ଜଣା ପଡିଲା ଭାବନା କୁ ବ୍ଲଡ଼ କ୍ୟାନ୍ସର ଆଉ ଲାଷ୍ଟ ଷ୍ଟେଜ। ବାଦଲ ଉପରେ ସତରେ ସେଦିନ ବାଦଲ ଛିଡି ପଡିଥିଲା। କେମିତି ସାମ୍ନା କରିବ ସେ ଏବେ ଭାବନା କୁ। କଣ କହିବ ଆଉ ନିଜକୁ କେମିତି ସମ୍ଭାଳିବ। କେମିତି ବଂଚିବ ସେ ତା ବର୍ଷା ବିନା। ଡାକ୍ତର ଙ୍କ କହିବା ଅନୁସାରେ ଆଉ ଭାବନା ପାଖରେ ମାତ୍ର 24 ଘଣ୍ଟା।  ସେ ଭାବନା ପାଖରେ ହିଁ ବସିଥାଏ। ଭାବନା ବାଦଲ କୋଳରେ ମୁଣ୍ଡ ରଖି ଶୋଇଥାଏ। ବାଦଲ ର ଲୁହ ର ସ୍ପର୍ଶ ରେ ଭାବନା ର ନିଦ ଭାଙ୍ଗିଗଲା। ସେ କହିଲା, " ଆରେ କଣ ମୁ ଚାଲିଯିବି ବୋଲି ମନ ଦୁଖ କରୁଛ। ମୁ ତୁମର ଆଉ ଡାକ୍ତର ବାବୁ ଙ୍କ କଥା ସବୁ ଶୁଣିଛି। ମୋ ପାଖରେ ଆଉ ଅଳ୍ପ ସମୟ। ଜମା ବ୍ୟସ୍ତ ହୁଅନି ମୁ ତୁମକୁ ଛାଡି କୁଆଡେ ବି ଯିବିନି। ମୋତେ ଖାଲି କଥା ଦିଅ ତୁମେ କେବେ ବି କାନ୍ଦିବନି। ବାଦଲ କାନ୍ଦୁ କାନ୍ଦୁ ପୁଣି ସେ ନିଜକୁ ନିୟନ୍ତ୍ରଣ କଲା ଆଉ ଭାବନା ର ହାତରେ ହାତ ରଖି କହିଲା ସେ କେବେବି କାନ୍ଦିବନି ବୋଲି। ଭାବନା ର ଓଠରେ ସ୍ମିତ ହସ ଟିଏ ଖେଳିଗଲା। ଆଉ ସେହି ମୁହୂର୍ତ୍ତରେ ହିଁ ସବୁ ଦିନ ପାଇଁ ବାଦଲ କୁ ଛାଡି ଏ ଦୁନିଆରୁ ସବୁ ଦିନ ପାଇଁ ଚାଲି ଯାଇ ଥିଲା। ବାଦଲ କାନ୍ଦି ନ ଥିଲା ସତ କିନ୍ତୁ ସେ ସମ୍ପୂର୍ଣ୍ଣ ନିରବ ହୋଇ ଯାଇଥିଲା। ସେହି ଦିନଠୁ ବାଦଲ କାହା ସହିତ ବି ଭଲରେ କଥା ହୁଏନି। କେବଳ କଥା ହୁଏ ତା ବର୍ଷା ସହିତ ଏକ ଅଲଗା ଦୁନିଆରେ। 

          ଏଇ ମାସ କେଇଟା ହେବ ବାଦଲ ଚାକିରୀ ରୁ ଅବସର ନେବା ପରେ ଅଧିକ ନିଃସଙ୍ଗ ହୋଇ ଯାଇଛି। ବଞ୍ଚିଛି ତ କେବଳ ତାର ସ୍ମୃତିରେ। ବାଟ ଚାଲି ପାରୁଛି ତ କେବଳ ତାର ସ୍ମୃତିର ର ଶକ୍ତି ପାଇଁ। କାରଣ ବର୍ଷା ର ସ୍ମୃତି ବାଦଲ ଆଖିରେ କେବେ ଲୁହ ଆଣିନି। ଯେତେ ପର୍ଯ୍ୟନ୍ତ ତାର ଛାତି ତଳର ହୃଦୟ ଧକ ଧକ କରୁଥିବ ସେତେ ପର୍ଯ୍ୟନ୍ତ ବର୍ଷା ତା ପାଇଁ ଜୀବନ୍ତ ଜୀବନ ସାଥିହୋଇ ରହିଥିବ। ସେ କେବେ କାନ୍ଦିବନି କି ହାରି ଯିବନି। ଅବସର ନେବା ପରେ ପରେ ପରିବାର ପ୍ରତିପୋଷଣ ପାଇଁ କାମ ଖୋଜୁଥିବା ଏକ ଅସହାୟ ବୁଢ଼ୀ ବିନି ମାଉସୀ ଙ୍କୁ ମଧ୍ୟ ନିଜ ଘରେ କାମ ଦେଇଛି। ବର୍ଷା ଯିବା ପର ଠାରୁ ବୁଢ଼ୀ ମାଉସୀ ହିଁ ବାଦଲ ର ଦେଖା ଶୁଣା କରେ। ଏମିତି ଥିଲା ବାଦଲ ଆଉ ତା ବର୍ଷାର କାହାଣୀ।
  
       ସବୁଦିନ ପରି ପରଦିନ ସକାଳୁ ବୁଢ଼ୀ ମାଉସୀ ଆସି କବାଟ ରେ ବେଲ ବଜାଇଲେ ବି ବାଦଲ ବାବୁ ଖୋଳିଲେନି। ବୁଢ଼ୀ ମାଉସୀର ସନ୍ଦେହ ହେଲା। ସଂଗେ ସଂଗେ ବୁଢ଼ୀ ମାଉସୀ ପୋଲିସ କୁ ଖବର ଦେଲେ। ପୋଲିସ ର ଉପସ୍ଥିତିର କବାଟ ଭାଙ୍ଗି ସମସ୍ତେ ଭିତରକୁ ଗଲେ। ହେଲେ ଏ କଣ ବାଦଲ ବାବୁ ଚେୟାର ଉପରେ ବସି ରହିଛନ୍ତି। ଓଠରେ ତାଙ୍କର ଗୋଟିଏ ବଡ ସ୍ମିତ ହସ ଟିଏ। ଆଉ ହାତରେ ତାଙ୍କର କାଗଜ ଖଣ୍ଡିଏ। ବୁଢ଼ୀ ମାଉସୀ ବାଦଲ ବାବୁ ଙ୍କୁ ଡାକ ଦିଅନ୍ତେ ଜାଣିବାକୁ ପା'ନ୍ତି ସେ ଆଉ ଏ ଦୁନିଆରେ ନାହାନ୍ତି। ବୁଢ଼ୀ ମାଉସୀ ଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ। ତାଙ୍କ ହାତରେ ଥିବା କାଗଜରେ ଲେଖା ପୋଲିସ ବାବୁ ପଢିବାକୁ ଲାଗିଲେ, ସେଥିରେ ଲେଖା ହୋଇଥିଲା," ବିନି ମାଉସୀ ତୁମେ ମୋର ବହୁତ ଦେଖା ଶୁଣା କଲ। ମୋର ମୋ ବର୍ଷା କଥା ବହୁତ ମନେ ପଡ଼ିଲାଣି। ମୁ ଏଠି କାନ୍ଦି ପାରିବିନି ସିନା ତା ପାଖକୁ ତ ଯାଇ ପାରିବି। ତାର ସ୍ମୃତିରେ ନୁହଁ ଏବେ ମୁଁ ତା ସାଥିରେ ରହିବାକୁ ଚାହୁଁଛି। ଏ ଘର ଆଉ ଜାଗା ମୁ ତୁମ ନାଁ ରେ କରିଦେଇ ଯାଉଛି। ହଁ ଯଦି କେବେ କାହାକୁ ସାହାଯ୍ୟ ଦରକାର ପଡେ କରିବାକୁ ଭୁଲିବନି।" ଏତିକି ପୋଲିସ ବାବୁ ବୁଢ଼ୀ ମାଉସୀ ଙ୍କ ପାଇଁ ସେ ଚଠି ପଢି ଦିଅନ୍ତେ, ବାହାରେ ଜୋର୍ ରେ ବାଦଲ ଫାଟି ଘଡଘଡି ସହ ବର୍ଷା ହେବାକୁ ଲାଗିଲା। ବୋଧହୁଏ ପୁଣି ବାଦଲ ଆଉ ବର୍ଷା ଏକାଠି ହୋଇ ଯାଇଥିଲେ ଆଉ ତାଙ୍କ ପ୍ରେମର ଅମରତ୍ୱ କୁ ବଖାଣି ଚାଲିଥିଲେ। କେହି ବୁଝି ନ ପାରିଲେ ବି ବୁଢ଼ୀ ମାଉସୀ ସେ ସବୁକୁ ବେସ୍ ବୁଝି ପାରୁଥିଲା।

@@@@####@@@@

ଜିତେନ୍ଦ୍ର କୁମାର କହଁର
କଲାଡ଼ି, ଫୁଲବାଣୀ
ଦୂରଭାଷ-୯୪୩୯୫୪୨୫୨୧


Rate this content
Log in

Similar oriya story from Drama