Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Others Tragedy

3  

sushama Parija

Others Tragedy

ଶେଷ ଚିଠି

ଶେଷ ଚିଠି

7 mins
7.6K


ସଂପର୍କ ନଥିଲେ ସମ୍ବୋଧନ ର ମାନେ ହୁଏନା, ତେଣୁକରି ବିନା ସମ୍ବୋଧନ ହିଁ ଲେଖୁଛି । ସେଦିନ ସବୁ ସଂପର୍କ କୁ କାଟିଦେଇ ତମେ ଚାଲିଗଲ ମୁହଁ ଆଡେଇ, ମତେ ପଛ କରି । କହି ଦେଇଗଲ ଯେ ବୋଉର ବୋହୂ ଦରକାର ଥିଲା ସେ ତମକୁ ଆଣିଥିଲା, ତମେ ସେଇ ବୋଉର ବୋହୂ ହେଇ ରହିବ , ମୋର ସ୍ତ୍ରୀ ହେବାକୁ କେବେବି ଚେଷ୍ଟା କରିବନି। କାରଣ ମନୋଜ ଦାସର ପସନ୍ଦ କେବେ ତମେ ନଥିଲ କି ତମେ କେବେ ହେଇ ପାରିବନି । ଓଢ଼ଣା ତଳୁ କାନ୍ଦି ଉଠିଥିଲି ମୁଁ । ଆହୁରି ଶାଣିତ ସ୍ୱରରେ କହି ଉଠିଥିଲ ତମେ , ମନୋଜ ଦାସର ହୃଦୟଟା ତା' ନିଜ ପାଖରେ ନାହିଁ , ସେଇଟିକୁ ସେ ଦେଇ ସାରିଛି ଅନିତାକୁ , ତମେ ଏଠିକି ଆସିବାର ଅନେକ ଦିନ ଆଗରୁ । ତେଣୁ ତମେ କନ୍ଦାକଟା କରି କିଛି ଲାଭ ନାହିଁ । ବୋଉ ମତେ ରାଣ ନିୟମ ଦେଇ ବାଧ୍ୟ କରି କହିଲା ବୋଲି ମୁଁ ବାହା ହେବାକୁ ଆସିଲି , ସାତଦିନ ପରେ ମୁଁ ଫେରିଯିବି ମୋର କାର୍ଯ୍ୟସ୍ଥଳୀକୁ। ବୋଉକୁ ଅବଶ୍ୟ କହିକି ଯିବି ଯେ ମୁଁ କିଛିଦିନ ପରେ ସୁବିଧା କରି ଆସି ତମକୁ ନେଇଯିବି ବୋଲି , କିନ୍ତୁ ମୁଁ ଆଉ କେବେ ବି ଫେରି ଆସିବିନି ତୁମ ପାଖକୁ । କାରଣ ସେଠାରେ ମୋର କ୍ଵାର୍ଟରରେ ଅନିତା ଆଉ ମୁଁ ଅନେକ ଦିନରୁ ସାଥୀ ହୋଇ ଅଛୁ । ତମକୁ ସବୁ ସତ କଥା ଏଇଥିପାଇଁ ଜଣାଇଲି ଯେ ତୁମେ ଚାହିଁଲେ ତୁମ ଘରଲୋକଙ୍କୁ ଖବର ଦେଇ ଏଘରୁ ବାହାରି ଯାଇ ତମର ନୂଆ ଜୀବନ ଆରମ୍ଭ କରି ପାରିବ । ବୋଉ ଦିନେ ଦୁଇଦିନ କାନ୍ଦିବ ତା'ପରେ ଧୀରେ ଧୀରେ ସବୁ ବୁଝି ଯିବ। ଏତିକି କହି ମୋର କୌଣସି ପ୍ରଶ୍ନ କି ଉତ୍ତରକୁ ଅପେକ୍ଷା ନକରି ତମେ ଝଡ ଭଳି ବାହାରି ଯାଇଥିଲ ଆମ ଶୋଇବା ଘରୁ । ମୁଁ ସ୍ଥାଣୁ ହୋଇ ବସି ରହିଥିଲି ଅନେକ ସମୟ ଯାଏଁ। ଏତିକି ବି ମୁହଁ ଖୋଲି କହି ପାରିଲିନି ଯେ ଗତକାଲି ରାତିରେ ଭୋଜିଭାତ ସରିଲା ପରେ ତମେ ଆକଣ୍ଠ ମଦ୍ୟପାନ କରି ଟଳମଳ ହୋଇ ଏଇ ବାସର ଘରକୁ ପଶିଥିଲ। ତମେ ପଡିଯିବା ଆଗରୁ ମୁଁ ବାସର ଶେଯରୁ ଲଜ୍ଜା ତ୍ୟାଗ ଉଠି ଆସି ଧରି ପକାଇଥିଲି ତୁମକୁ । ତମେ ନିବିଡ ବାହୁ ବନ୍ଧନରେ ଆବଦ୍ଧ କରି ମୋତେ ତୋଳି ନେଇ ଥିଲ ବାସର ଶେଯ ଉପରକୁ । ମତେ ଛାତିରେ ଜଡେଇ ଧରି ପାଗଳ ଭଳି ଗପି ଚାଲିଥିଲ '' ଆଇ ଲଭ୍ ୟୁ ଅନିତା, ଆଇ କାଣ୍ଟ ଲିଭ୍ ଉଇଦାଉଟ ୟୁ ଡାର୍ଲିଙ୍ଗ ଇତ୍ୟାଦି ଇତ୍ୟାଦି ଅନେକ ଅବୋଧ୍ୟ ଶବ୍ଦ ''। ଲାଜ ଆଉ ଭୟରେ ଥରି ଉଠୁଥିବା ମୋର ଓଠକୁ ବାନ୍ଧି ରଖିଥିଲା ତମର ଉତ୍ତପ୍ତ ଓଠ, ମୋର ସମଗ୍ର ସତ୍ତାକୁ କବଳିତ କରି ରଖିଥିଲା ତୁମର ବଳିଷ୍ଠ ଶରୀର । ଖିନ୍ ଭିନ୍ କରି ତିଳତିଳ କରି ଉପଭୋଗ କରିଥିଲ ତମେ ମୋତେ । ତା' ପରଦିନ ତମ କଥା ଶୁଣି ମୋର ହୃଦ୍ ବୋଧ ହୋଇଥିଲା ଯେ ତମେ ତମର ଅବଚେତନ ମନରେ ମତେ ନୁହେଁ ମୋ ଶରୀରରେ ଅନିତାଙ୍କୁ ହିଁ ଉପଭୋଗ କରିଥିଲ। ସବୁ ଝିଅମାନେ ଯେଉଁ ରାତ୍ରିଟିକୁ କୁମାରୀ ଜୀବନରୁ ବହୁ ପ୍ରତୀକ୍ଷିତ ସ୍ବପ୍ନ କରି ସାଇତି ରଖିଥାନ୍ତି, ତମେ ସେଇ ରାତିରେ ମତେ ମୋ ଠାରୁ ଚୋରେଇ ନେଲ ଆଉ କାହା ଲାଗି । ପରଦିନ ସକାଳୁ ସକାଳୁ ଉଠି ତମେ ଚାଲିଗଲ, ହୁଏତ ଥରଟିଏ ମୋ ଆଡକୁ ଦୃଷ୍ଟି ବି ପକାଇନଥିଲ , ଦୃଷ୍ଟି ପକାଇଥିଲେ ତ ମୋ ଅସଂଯତ ବେଶଭୂଷା ଦେଖି ଅବଶ୍ୟ ଜାଣି ପାରିଥାଆନ୍ତ କି ତମେ ନିଶାରେ କ'ଣ କରିଛ ବୋଲି । ଲଜ୍ଜା ଅପମାନରେ ସାରା ଶରୀରରେ ନିଆଁ ଚରି ଯାଉଥିଲା ମୋର କିନ୍ତୁ କିଛି କରିବାର ଉପାୟ ନଥିଲା , ଆଖିରୁ ଲୁହ ଗଡାଇବା ଛଡା ।

ସ୍ୱଳ୍ପ ବେତନଭୋଗୀ ବାପା ମୋର ନିମ୍ନମଧ୍ୟବିତ୍ତ ପରିବାରରେ ଆମ ତିନି ଭଉଣୀଙ୍କୁ କେମିତି ବାହା ତୋଳା କରିଛନ୍ତି ସେ କଥା ମୁଁ ଆଖି ଆଗରେ ଦେଖିଛି । ଖଣ୍ଡିଖଣ୍ଡି କରି ପାଞ୍ଚ ମାଣ ବିଲ ବିକି ଆମ ତିନି ଭଉଣୀଙ୍କୁ ବାହା କରିଥିଲେ ଭଲ ଘର ବର ଦେଖି । ବଡ ଭଉଣୀର ସ୍ଵାମୀଟି ହଠାତ୍ ମରିଗଲା ପରେ ସେ ଏବେ ଆସି ବାପାଙ୍କ ଉପରେ ବୋଝ ହୋଇ ଲଦି ହୋଇଛି । ମଝିଆଁ ଭଉଣୀର ଯୌତୁକ ଲୋଭୀ ଶାଶୁଘର ସବୁବେଳେ କିଛି ନା କିଛି ଦାବୀ କରି ବାପାଙ୍କ ଜୀବନ ଅଧା କଲେଣି । ବୋଉ ଆଖିରୁ ଲୁହ ଶୁଖୁନି ସେସବୁ ଦେଖି ।

ସେଥିରେ ମୋର ଏ ଦୁଃଖ ମୁଁ କାହା ଆଗରେ କହିଥାନ୍ତି ? ଶାଶୁଙ୍କର ଏକୋଇରବଳା ବିଶିକେଶନ ତମେ । ଶଶୁରଙ୍କୁ ଅତି ଅଳ୍ପ ବୟସରେ ହରାଇ ସେ କେତେ ଦୁଃଖ କଷ୍ଟ ସହି ତମକୁ ମଣିଷ କରିଛନ୍ତି ସେ କଥା ଗାଁ ଲୋକଙ୍କ ମୁହଁରୁ ଶୁଣିଛି ମୁଁ । ତମର ଏଇ ଚରମ ବିଶ୍ବାସଘାତକତା କଥା ତାଙ୍କୁ କହି ତାଙ୍କର ଦୁଃଖକୁ ଆହୁରି ବଢେଇବା ଲାଗି ମୋ ମନ କହୁନଥିଲା। ଚୁପ୍ ହୋଇ ମୁଣ୍ଡ ପାତି ସବୁ ସହି ଗଲି ମୁଁ। ଚତୁର୍ଥୀ ଦିନ ପରେ ତମେ ଆଉ ଆସିନଥିଲ ମୋ ପାଖକୁ । ସାଙ୍ଗ ସାଥୀମାନଙ୍କ ସହିତ ଗପ ସପ କରି ଡେରିରେ ଫେରୁଥିଲ ଘରକୁ ଆଉ ଚୁପ୍ ଚାପ୍ ଚଦର ଘୋଡି ହୋଇ ଶୋଇପଡ଼ୁଥିଲ ଚଟାଣ ଉପରେ । ଖଟ ଉପରେ ଆଖି ବୁଜି ଶୋଇବାର ଛଳନା କରି ମୁଁ ସବୁକିଛି ଦେଖୁଥିଲେ ମଧ୍ୟ ଚୁପ୍ ରହୁଥିଲି । କ'ଣ ବା ଅଉ କରି ପାରିଥାନ୍ତି ମୁଁ ।

ଆମ ଘରକୁ ଫେରି ଯାଇଥିଲେ ବାପାଙ୍କୁ ନିନ୍ଦା ହୋଇ ଥାଆନ୍ତା, ଆଉ କାହା ଆଗରେ କହିଥିଲେ ତମକୁ ।

ସବୁ ଆଡ଼କୁ ଭାବିଭାବି ମୁଁ ଚୁପ୍ ଚାପ୍ ହୋଇ ନୀଳକଣ୍ଠ ହୋଇ ସବୁ ବିଷ ପିଇଗଲି ।

ସପ୍ତମଙ୍ଗଳା ପରେ ତମେ ଫେରି ଗଲ ତମର କାର୍ଯ୍ୟାଳୟରେ ଯୋଗ ଦେବାକୁ । ପତି ପରିତ୍ୟକ୍ତା ମା’ ଜାନକୀଙ୍କ ଭଳି ମୁଁ ପଡି ରହିଲି ତମ ଘରେ । ଶାଶୁଙ୍କର ହଜାରେ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା । ହଁ ସବୁ ଠିକ୍ ଅଛି କହିବା ବ୍ୟତୀତ ଆଉ କୌଣସି ଚାରା ବି ନଥିଲା । ମୁଁ ସିନା ଚୁପ୍ ରହିଲି ହେଲେ ତମର ସେଇ ରାତିରେ କରିଥିବା ପାପଟି ଲୁଚି ରହିଲାନି । ସେ ମୋ ଗର୍ଭରେ ଦାନା ବାନ୍ଧି ବଢିବାକୁ ଲାଗିଲା । ଦୁଇ ମାସ ହେବାରୁ ଥରେ ଖାଇବାବେଳେ ବାନ୍ତି ହେବାରୁ ଜାଣି ପାରିଲେ ବୋଉ। ଖୁସିରେ ଆତ୍ମହରା ହୋଇ ବହେ ମୁଣ୍ଡିଆ ମାରିଲେ ଗ୍ରାମଦେବତୀଙ୍କୁ । ନାତିଟିଏ ଦେଇ ମୋ ବଂଶ ରକ୍ଷାକର ବୋଲି ଗୁହାରି କଲେ ଶ୍ରୀ ଜଗନ୍ନାଥଙ୍କୁ । ମୋ ମନରେ ବି ଖୁସିର କ୍ଷୀଣ ଧାରଟିଏ ଖେଳି ଯାଉଥିଲା, ମତେ ବଞ୍ଚିବା ଲାଗି ସାହାରାଟିଏ ମିଳିଯିବ ବୋଲି । ତମେ ମାସକୁ ମାସ ଟଙ୍କା ପଠାଉଥିଲ ବୋଉଙ୍କ ନାଆଁରେ । ଟିପଚିହ୍ନ ଦେଇ ଡାକପିଅନ ଠାରୁ ସେ ଟଙ୍କା ନେଲାବେଳେ ସେ ମତେ ଡାକି କହୁଥିଲେ ତମକୁ କହିବା ଲାଗି । ମୁଁ କିନ୍ତୁ କହିବାକୁ ଚାହୁଁ ନଥିଲି, କାରଣ ମନରେ ଭୟ ହେଉଥିଲା କାଳେ ତମେ ଏଇ ସୃଷ୍ଟିକୁ ଅସ୍ଵୀକାର କରିବ।

ସେଦିନ ରାତିରେ ଯାହା ସବୁ ମୋ ସହିତ ଘଟିଥିଲା ସେ ସମ୍ପର୍କରେ ତମର କିଛି ମନେ ହିଁ ନଥିବ , ସଂପୂର୍ଣ୍ଣ ଭାବେ ନିଶାଗ୍ରସ୍ତ ମଣିଷ କେମିତି ଜାଣିବ କାହା ସହିତ କ'ଣ କରୁଛି ବୋଲି । ଥରେ ଯଦି ତମେ ଏ ସୃଷ୍ଟିକୁ ଅସ୍ଵୀକାର କର ତେବେ ମୁଁ ଦୋଚାରୁଣୀ ବୋଲି ସାବ୍ୟସ୍ତ ହେବି ଦୁନିଆଁ ଆଖିରେ । ଆଉ ସେଇ କଳଙ୍କର ବୋଝ ମୁଣ୍ଡାଇ ମୁଁ ବଞ୍ଚି ପାରିନଥାନ୍ତି। ମୋ ପାଇଁ ମୋର ଚିନ୍ତା ନଥିଲା, ମୁଁ ଭାବୁଥିଲି ଆମର ସେଇ ଅନାଗତ ସନ୍ତାନର କଥା। ମୁଁ ଯଦି କିଛି କରିବସେ ତେବେ ମୋ ସହିତ ତା'ର ଜୀବନ ମଧ୍ୟ ଯିବ। କ'ଣ ତା'ର ଦୋଷ? କେଉଁ ଦୋଷ ଲାଗି ସେ ଏଇ ଦୁନିଆଁକୁ ଆସିବା ଆଗରୁ ମୁଁ ତା'କୁ ମାରି ଦେବି ? କୋଉ ଅଧିକାରରେ ??? ଏମିତି ଅନେକ ଅସମାହିତ ପ୍ରଶ୍ନ ମତେ ଆତ୍ମହତ୍ୟାରୁ ନିବୃତ୍ତ କରି ରଖିଥିଲା ।

ବହୁତ ଦୁଃଖ କଷ୍ଟରେ କଟିଥିଲା ସେଇ ସାତ ଆଠ ମାସ। ବୋଉଙ୍କୁ କହିଥିଲି ହଠାତ୍ ଅଫିସ୍ କାମରେ ତମକୁ ବାହାରକୁ ଯିବାକୁ ପଡିଲାରୁ ତମେ ଆମକୁ ଦେଖିବାକୁ ଆସି ପାରୁନ । ଟୁରରୁ ଫେରିବା ପରେ ଆସିବ ବୋଲି । ତାଙ୍କରି ମନ ରଖିବାକୁ ଏବେ ମନିଅର୍ଡର ଫର୍ମରେ ମୁଁ ଦସ୍ତଖତ କରି ପଇସା ରଖୁଥିଲି ଓ ମିଛରେ ଏଣୁ ତେଣୁ କରି ଲେଖିବାର ଅଭିନୟ କରୁଥିଲି। ସେ ଜାଣୁଥିଲେ ସବୁ ଠିକ୍ ଅଛି ଆମ ଭିତରେ । ଶେଷରେ ସେଇ ଚରମ ଦିନ ଉପସ୍ଥିତ ହେଲା । ବୋଉ ଯାଇ ଡାକି ଆଣିଲେ ଚମ୍ପା ଧାଇକୁ । ସାରା ରାତି କଷ୍ଟ ପାଇପାଇ ଶେଷରେ ମୁଁ ଜନ୍ମ ଦେଲି ଆମର ରକ୍ତର ସନ୍ତକକୁ । ଗୋରା ତକତକ ସୁନ୍ଦର ଚେହେରାର ସେଇ ପୁଅଟିକୁ ଦେଖି ମୁଁ ଭୁଲିଗଲି ମୋର ସବୁ କଷ୍ଟ, ସବୁ ଯନ୍ତ୍ରଣା, ତମେ ମୋ ପ୍ରତି କରିଥିବା ସମସ୍ତ ଅନ୍ୟାୟ ,ଅବିଚାର । ପୁଅଟିକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ ବୋଉ , ପୁଅ କୁଆଡେ ଅବିକଳ ତୁମରି ଭଳିଆ ହୋଇଛି । ତମକୁ ତ ଭଲ ଭାବରେ ମୁହଁ ଟେକି ଦେଖି ପାରିନାହଁ ତେଣୁ ଜାଣି ପାରିଲିନି, ବୋଉଙ୍କ କଥା ଶୁଣି ଭାବିଲି ଈଶ୍ବର ଅଛନ୍ତି ନିଶ୍ଚିତ, ନହେଲେ ଏମିତି ଚମତ୍କାରଟିଏ ହୋଇନଥାନ୍ତା । ପୁଅକୁ ଦେଖିବା ପରେ ଅନ୍ତତଃ ପକ୍ଷେ ତମେ ତ ମତେ ଅବିଶ୍ବାସ କରିବନାହିଁ। ଭାବିଥିଲି ପୁଅ ହେବା ଖବର ତମକୁ ଜଣାଇ ଅନ୍ତତଃ ଥରଟିଏ ପାଇଁ ତା'କୁ ଦେଖି ଯିବାକୁ ତମକୁ ଅନୁରୋଧ କରିବି ହେଲେ ମୋର ଆତ୍ମସମ୍ମାନ ମତେ ବାଧା ଦେଲା । ପୁନର୍ବାର ପ୍ରତ୍ୟାଖ୍ୟାତ ହେବାର ସାହସ ନଥିଲା ମୋ ପାଖରେ । ନିଜର ମନକୁ ମାରି ବୋଉଙ୍କୁ ମିଛ ଆଶ୍ବାସନା ଦେବା ସହିତ ସବୁ ସମୟ ଉପରେ ଛାଡ଼ି ଦେଇ ରହିଲି। ଦିନକୁ ଦିନ ପୁଅ ବଡ ହେଉଥିଲା । ମୋର ସମୟ କଟିଯାଉଥିଲା ତା'ରି ମୁହଁକୁ ଚାହିଁ ।

ପୁଅର ଜନ୍ମ ଦିନ ବେଳକୁ ତମେ ନ ଆସିବାରୁ ବୋଉଙ୍କର ସନ୍ଦେହ ବଢିଲା । ରାଣନିୟମ ଦେଇ ମୁଣ୍ଡ ଛୁଆଁଇ ସବୁ ସତ କଥା ଆଦାୟ କରିନେଲେ ମୋ ପାଖରୁ। ସବୁ କଥା ଶୁଣି କାନ୍ଥରେ ଢାଏ କରି ପିଟିଦେଲେ ମୁଣ୍ଡକୁ।

ଖାଇବା ପିଇବା ସବୁ ବନ୍ଦ କରି ବସି ରହିଲେ ତିନି ଦିନ ତିନି ରାତି। ସେ ନଖାଇଲେ ମୁଁ ଆଉ ଖାଆନ୍ତି କେମିତି ଯେ ? ମୁଁ ବି ଖାଡାଖାଡା ଉପାସ ରହିଲି ତିନି ଦିନ ଧରି । ଚତୁର୍ଥ ଦିନ ମୋର ଦେହ ମୁଣ୍ଡ ବୁଲେଇ ମୁଁ ବେହୋସ୍ ହୋଇଗଲି। ବୋଉ ମତେ ପାଣି ଛାଟି ସାଷ୍ଟମ କଲେ । ପରଷ୍ପରକୁ କୁଣ୍ଢାଇ ଧରି ବହେ କନ୍ଦାକଟା କଲା ପରେ ନିଜ ନିଜର ମନକୁ ବୁଝାଇ ଖିଆପିଆ କଲୁ । ନିଜ ସହିତ ସଂଗ୍ରାମ କରି ସିନା ମୁଁ ବଞ୍ଚି ରହିଥିଲି , ହେଲେ ବୋଉଙ୍କୁ ଏମିତି ଖଣ୍ଡଖଣ୍ଡ ହୋଇ ଭାଙ୍ଗି ପଡିବାର ଦେଖି ମୁଁ ସହି ପାରୁନାହିଁ । ନିଜ ଭିତରେ ନିଜେ ଆତ୍ମଗ୍ଳାନିରେ ସଢି ଯାଉଛି । ଏଇ ପନ୍ଦର ଦିନ ତଳର କଥା । ଜୋରରେ ମୋର ପେଟ କାଟିବାରୁ ସାଇ ପଡ଼ିଶାଙ୍କୁ ଧରି ବୋଉ ମତେ ନେଇଗଲେ ଡାକ୍ତରଖାନା । ପରୀକ୍ଷା ନିରୀକ୍ଷା କରି ଡାକ୍ତର ସେଠି କହିଲେ ଯେ ମୋର ଜରାୟୁରେ କ୍ୟାନସର ହୋଇଛି । ରୋଗ ଭଲ ହେବାର ସମ୍ଭାବନା କମ୍ । ଖୁବ୍ ବେଶିରେ ଆଉ ଛଅ ମାସ ଆୟୁଷ ମୋର। କୋଉ ମୁହୂର୍ତ୍ତରେ କ'ଣ ହେବ କହି ହେବନି । ଛାତିରୁ ନିଆଁ ହୁଳାଟାଏ ଖସି ପଡିଲା ମୋର। ମୋ ଦେଢ ବର୍ଷର ପୁଅ କେମିତି ରହିବ ? ମୋର ଷାଠିଏ ବର୍ଷର ବୁଢୀ ଶାଶୁଙ୍କର କ'ଣ ହେବ ? ମୋ ଛଡା ଏ ଦୁନିଆରେ ତାଙ୍କର କିଏ ଅଛି ? କିଏ ନେବ ସେମାନଙ୍କ ଦାୟିତ୍ଵ ? ବହୁତ ଭାବି ଚିନ୍ତି ସେଇଥିପାଇଁ ବାଧ୍ୟ ହୋଇ ଚିଠି ଲେଖୁଛି ତମକୁ । କିଏ ଜାଣେ ଏ ଚିଠିଟି ତମ ପାଖରେ ପହଞ୍ଚିବ କି ନାହିଁ , ଯଦି ବା ପହଞ୍ଚିଲା ତମେ ଏ ଚିଠିକୁ ବିଶ୍ଵାସ କରିବ କି ନାହିଁ , ମୋ କଥା ରକ୍ଷାକରି ତମେ ଏଠିକି ଆସିବ କି ନାହିଁ । ଯଦି ଅବା ତମେ ଆସ ତେବେ କିଏ ଜାଣେ ତମେ ଆସିବା ଯାଏଁ ମୋର ଆୟୁଷ ଥିବ କି ନାହିଁ । ମରିବାକୁ ମୁଁ କେବେ ଡରୁନଥିଲି ହେଲେ ଆଜି ଡରୁଛି , ମୋ ପୁଅର କ'ଣ ହେବ , ବୋଉଙ୍କର କ'ଣ ହେବ ଭାବି । ମରିବା ପୂର୍ବରୁ ମୋର ବହୁତ ଇଚ୍ଛା ହେଉଛି ଥରଟିଏ ଆଖି ପୁରେଇ ତମକୁ ଦେଖିବାକୁ, ମନ ପୁରେଇ ତମ କୋଳରେ ଶୋଇ ରହି ତମରି ନାଁର ଶଙ୍ଖା ସିନ୍ଦୂର ନାଇ ଆରପାରିକୁ ଚାଲି ଯିବାକୁ । ତମ ଅନୁଜକୁ ଦେଖି ତମ ମୁହଁରେ ଉକୁଟି ଆସିଥିବା ଅନେକ ପ୍ରଶ୍ନବାଚୀର ଉତ୍ତର ଦେବା ଆଗରୁ ମୁଁ ମରିବାକୁ ଚାହୁଁନି । କିଏ ଜାଣେ ବିଧାତାର କ'ଣ ବିଚାର ? ମରିବା ପୂର୍ବରୁ ତମ ଜୀବନରେ ଅଜାଣତରେ ଧସେଇ ପଶିବା ଅପରାଧ ପାଇଁ କ୍ଷମା ମାଗୁଛି । ଆଶା କରେ କ୍ଷମା କରିଦେବ । ମୋ ଅନ୍ତେ ଅନୁଜ ଆଉ ବୋଉଙ୍କୁ ତମ ପାଖକୁ ନେଇଯିବ । ଅନିତାଙ୍କୁ କହିବ ଅନୁଜ ମୋ ଗର୍ଭରୁ ଜନ୍ମ ନେଇଥିଲେ କ'ଣ ହେଲା , ସେ ତୁମରି ଅଂଶ । ତା'କୁ ଘୃଣା କରିବେନି , ମାଆ ହୋଇ ପାଳନ କରିବେ।

ଶେଷ ପ୍ରଣାମ ଜଣାଇ ରହୁଛି ।

।। ଅଲିଭା ।।


Rate this content
Log in