Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -40
ଜହ୍ନମାମୁଁ -40
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.2K    17


Content Ranking

ଯଥା ରାଜା ତଥା ପ୍ରଜା

ଅନେକ କାଳ ତଳର କଥା । ବିଜୟଗଡ ରାଜ୍ୟ ବ୍ୟାପି ଅରାଜକତା ବ୍ୟାପିଥାଏ । ଦେଶରେ ଯେତିକି ଚୋରି, ଗୁଣ୍ଡାମି ବଢିଥାଏ, ଜନସାଧାରଣ ବି ସେତିକି ମାତ୍ରାରେ ବିଶୃଙ୍ଖଳ ବ୍ୟବହାର କରୁଥାନ୍ତି । ଯଦି ଚୋରଟିଏ ଧରା ପଡିଗଲା, ତେବେ ତାକୁ ସିପାହୀମାନଙ୍କ ଜିମା ନଦେଇ ନିଜେ ନିଜେ ଛେଚି ଦେଉଥାନ୍ତି । ବିଚାରାଳୟରୁ କୌଣସି ବିଷୟରେ କୌଣସି ନିଷ୍ପତି ଘୋଷଣା କରାଗଲେ ମଧ୍ୟ ତାକୁ ଲୋକେ ପ୍ରାୟ ମାନୁ ନଥାନ୍ତି ।

ଏଣେ ଜିନିଷପତ୍ରର ଦରଦାମ ଯେ ଖାଲି ବଢି ଚାଲିଥାଏ, ସେତିକି ନୁହେଁ, ବେପାରୀମାନେ ଭେଜାଲ୍ ଜିନିଷ ଛଡା ଭଲ ଜିନିଷ ବିକିବା ପ୍ରାୟ ଛାଡି ଦେଇଥାନ୍ତି ।

ବିଜୟଗଡର ରାଜା ବୀରଭଦ୍ର ଏଥି ପାଇଁ ବଡ ଚିନ୍ତିତ ହୋଇ ରହିଥାନ୍ତି ।

ବିଜୟଗଡର ପଡୋଶୀ ରାଜ୍ୟ ପ୍ରତାପ ନଗରର ଅବସ୍ଥା କିନ୍ତୁ ପୁରା ବିପରୀତ । ସେ ରାଜ୍ୟରେ କୌଣସି ବିଶୃଙ୍ଖଳା ନଥାଏ । ଲୋକେ ସୁଖ ଶାନ୍ତିରେ ଜୀବନ ଯାପନ କରୁଥାନ୍ତି । ରାଜ୍ୟର ସମୃଦ୍ଧି ମଧ୍ୟ ବଢି ଚାଲିଥାଏ ।

ପ୍ରତାପନଗରୀରେ ଏହା କିପରି ସମ୍ଭବପର ହୋଇଛି, ଏକଥା ପ୍ରତ୍ୟକ୍ଷ ଭାବରେ ଜାଣିବା ନିମନ୍ତେ ବିଜୟଗଡର ରାଜା ବୀରଭଦ୍ର ଯାଇ ସେ ରାଜ୍ୟରେ ପହଁଚିଲେ । ପ୍ରତାପନଗରର ରାଜା ଶଙ୍ଖସେନ ବୀରଭଦ୍ରଙ୍କୁ ସ୍ୱାଗତ ଜଣାଇଲେ ।

ରାଜା ବୀରଭଦ୍ର ଏକାନ୍ତରେ ଶଙ୍ଖସେନଙ୍କୁ ପଚାରିଲେ, “ବନ୍ଧୁ! ତମ ରାଜ୍ୟରେ ସବୁ କଥା ଏପରି ସୁରୁଖୁରୁରେ କିପରି ଚାଲିଛି? ଏହାର ରହସ୍ୟ କ’ଣ?”

ଶଙ୍ଖସେନ କହିଲେ “ଏହାର ପ୍ରକୃତ ରହସ୍ୟ ହେଲା ମୋ ପ୍ରଜାମାନେ ବଡ ମହତ୍ । ସେମାନେ ସାଧୁ ଭାବରେ ଜୀବନ ଯାପନ କରିବାକୁ ବେଶି ଭଲ ପାଆନ୍ତି । ପରସ୍ପର ସୁଖ ଦୁଃଖରେ ଭାଗୀ ହୁଅନ୍ତି ।”

ରାଜା ବୀରଭଦ୍ର କହିଲେ “ଏ ରାଜ୍ୟର ପ୍ରଜାମାନଙ୍କ ସହ ମିଶିବାକୁ ମୋର ଭାରି ଇଚ୍ଛା ହେଉଛି ।”

“ସେଥିରେ ଅସୁବିଧା କ’ଣ? ଚାଲ, ଦୁହେଁ ଛଦ୍ମବେଶରେ ବାହାରି ଯିବା ।” ଏହିଭଳି ଭାବେ ଶଙ୍ଖସେନ ପ୍ରସ୍ତାବଦେଲେ ।

ସେହି ସିଦ୍ଧାନ୍ତ ଅନୁସାରେ ସେ ଦୁଇ ରାଜା ଛଦ୍ମବେଶରେ ପରଦିନ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । କିନ୍ତୁ ଅସୁବିଧା ହେଲା, ଶଙ୍ଖସେନଙ୍କ ଛଦ୍ମବେଶ ଧାରଣ କରିବା ସତ୍ତ୍ୱେ ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରଜାମାନେ ତାଙ୍କୁ ଚିହ୍ନି ପକାଇଲେ ଓ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ । ବୀରଭଦ୍ରଙ୍କୁ ଅବଶ୍ୟ କେହି ଚିହ୍ନିବାର ପ୍ରଶ୍ନହିଁ ଉଠୁ ନଥିଲା ।

ରାଜା ଶଙ୍ଖସେନ ଯଦି କୌଣସି ଦୋକାନରୁ କିଛି ଜିନିଷ କିଣିବାକୁ ମନକଲେ, ତେବେ ଦୋକାନୀ ସଙ୍ଗେ ସଙ୍ଗେ ସେ ଜିନିଷ ନଅରକୁ ପଠାଇବାର ବ୍ୟବସ୍ଥା କରୁଥାଏ, କିନ୍ତୁ ରାଜା କୌଣସି ମତେ ତାକୁ ଦାମ୍ ନେବାକୁ ସମ୍ମତ କରାଇ ପାରୁ ନଥାନ୍ତି । “ମହାରାଜ! ରାଜା ପ୍ରଜାଙ୍କ ଭିତରେ ବେପାର ଚାଲି ନ ପାରେ । ଆମେ ଆପଣଙ୍କୁ କୌଣସି ଜିନିଷ ଭେଟି ଦେବାର ସୁଯୋଗ ପାଇଲେ ଧନ୍ୟ ମନେ କରୁ!”

ରାଜା ବୀରଭଦ୍ର ପ୍ରତାପନଗରର ପ୍ରଜାମାନଙ୍କର ସୌଜନ୍ୟ ଓ ରାଜଭକ୍ତି ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ବିଦାୟ ନେବା ପୂର୍ବରୁ ସେ ରାଜା ଶଙ୍ଖସେନଙ୍କୁ କହିଲେ, “ଆପଣଙ୍କ ପ୍ରଜାମାନେ ବାସ୍ତବିକ ମହତ୍ ।”

ନିଜ ରାଜ୍ୟକୁ ଫେରି ଆସି ସେ ଛଦ୍ମବେଶ ପକାଇ ରାଜ୍ୟ ବୁଲି ଦେଖିବାକୁ ବାହାରିଲେ । କୌଣସି ଗୋଟାଏ ସ୍ଥାନରେ ବି ଲୋକେ ତାଙ୍କୁ ମୋଟେ ଚିହ୍ନିପାରିଲେ ନାହିଁ ।

ସେ ଗୋଟାଏ ଦୋକାନରୁ କିଛି ଜିନିଷ କିଣିବାକୁ ଚାହିଁବାରୁ ଦୋକାନୀ ଚଢା ଦାମ୍ ବତାଇଲା । ସେ କହିଲେ, “ଯଦି ରାଜା ଏ ଜିନିଷଟି ପସନ୍ଦ କରି ନଅରକୁ ନେବାକୁ ମନ କରନ୍ତେ, ତେବେ?” ଦୋକାନୀ ବେପରୁଆ ରୀତିରେ ଜବାବ୍ ଦେଲା, “ତେବେ ମୁଁ ତ ଏହାର ଦୁଇଗୁଣ ଦାମ୍ କହନ୍ତି!”

ରାଜା ବୀରଭଦ୍ର ହତାଶ ହୋଇ ନଅରକୁ ଲେଉଟି ଆସିଲେ । ମନ୍ତ୍ରୀଙ୍କୁ ଡକାଇ ସେ କହିଲେ, “ପ୍ରତାପନଗରର ପ୍ରଜାମାନେ ଏଡେ ଭଦ୍ର ଓ ମହତ୍ । ହେଲେ ଆମ ପ୍ରଜାମାନେ ସେପରି ମୋଟେ ନୁହଁନ୍ତି । ଏହାର କାରଣ କ’ଣ?”

ମନ୍ତ୍ରୀ ଟିକିଏ ଚିନ୍ତା କରି କହିଲେ, “ମହାରାଜ! ଆମ ପ୍ରଜାମାନଙ୍କ ଭିତରୁ ଶହେ ସରିକି ଦାୟିତ୍ୱବାନ୍ ପ୍ରଜା ବାଛି ସେମାନଙ୍କୁ କିଛିଦିନ ସକାଶେ ପ୍ରତାପନଗରର ଭିନ୍ନ ଭିନ୍ନ ସ୍ଥାନରେ ବୁଲି ଲୋକମାନଙ୍କ ସମ୍ପର୍କରେ ଆସିବାର ସୁଯୋଗ ଦିଆଯାଉ । ସେମାନେ ପ୍ରତାପନଗରର ପ୍ରଜାମାନଙ୍କ ବ୍ୟବହାର ଦ୍ୱାରା ନିଶ୍ଚୟ ପ୍ରଭାବିତ ହେବେ ।”

ରାଜା ଏ ପ୍ରସ୍ତାବ ଗ୍ରହଣ କରି ଶହେ ଲୋକ ବାଛି ପ୍ରତାପନଗର ପଠାଇଲେ । ତିନିମାସ ପରେ ସେମାନେ ସେଠାରୁ ଲେଉଟି ଆସିଲେ । ସେମାନଙ୍କ ମୁଖପାତ୍ରଙ୍କୁ ରାଜା ପଚାରିଲେ, “କ’ଣ ଦେଖିଲ? ପ୍ରତାପନଗରର ଲୋକେ ସାଧୁ ଓ ଶୃଙ୍ଖଳିତ, ଅଥଚ ଆମ ଲୋକେ କାହିଁକି ସେପରି ନୁହଁନ୍ତି?”

ମୁଖପାତ୍ର କହିଲେ, “ଛାମୁ! ମୁଁ ଯଦି ସତ କହିବି, ତେବେ ଆପଣଙ୍କର ଓ ବହୁ ବଡ ବଡ ରାଜକର୍ମଚାରୀଙ୍କର ଅପ୍ରିୟ ହେବି । ଏମିତିକି ମୋ ଜୀବନ ଉପରେ ବିପଦ ବି ଆସିପାରେ ।”

ରାଜା କହିଲେ “ସେଭଳି ଆଶଙ୍କା କରନାହିଁ । ମୁଁ ତୁମକୁ ଅଭୟ ଦେଉଛି ।”

ମୁଖପାତ୍ର କହିଲେ “ମହାରାଜ! ତେବେ ଶୁଣନ୍ତୁ । ପ୍ରତାପନଗରର ରାଜା ଓ ତାଙ୍କ ମୁଖ୍ୟ କର୍ମଚାରୀମାନେ ବଡ ମହତ୍ ଓ ସାଧୁ ।”

ରାଜା ବିରକ୍ତ ହୋଇ କହିଲେ, “ପାଗଳ! ଖୋଦ୍ ରାଜା ଶଙ୍ଖସେନ ମୋତେ କହିଛନ୍ତି କି ତାଙ୍କ ପ୍ରଜାମାନେ ମହତ୍!”

ମୁଖପାତ୍ର କହିଲେ “ମହାରାଜ! ତାହାହିଁ ତ ତାଙ୍କ ମହତ୍ୱର ପ୍ରମାଣ । ସେ ଏଡେ ବିନୟୀ ଯେ ରାଜ୍ୟର ଶୃଙ୍ଖଳା ଓ ସମୃଦ୍ଧି ପାଇଁ ସେ ବାହାଦୁରୀ ନେବାକୁ ଚାହାଁନ୍ତି ନାହିଁ । ତାଙ୍କର ସେ ବିନୟ ଗୁଣ ଦ୍ୱାରା ପ୍ରଜାମାନେ ଅନୁପ୍ରାଣିତ । ସେମାନେ ସବୁ ଭଲ କଥା ପାଇଁ ରାଜାଙ୍କ ପ୍ରଶଂସା କରୁଛନ୍ତି ।”

ରାଜା ପଚାରିଲେ “ତେବେ ମୁଁ କ’ଣ ଅସାଧୁ?”

“ମହାରାଜ! ଆପଣ ତ ଅତ୍ୟନ୍ତ ସାଧୁ । କିନ୍ତୁ ଆପଣ ରାଜକାର୍ଯ୍ୟରେ ବିଶେଷ ସହଯୋଗୀ ନୁହଁନ୍ତି । ଫଳରେ ଆପଣଙ୍କର ଅଧିକାଂଶ କର୍ମଚାରୀ ଅସାଧୁ ହୋଇ ଯାଇଛନ୍ତି । ପ୍ରଜାମାନଙ୍କ ସହ ଆପଣଙ୍କର ତ ସିଧାସଳଖ ସମ୍ପର୍କ ନାହିଁ, ମାତ୍ର ସେମାନଙ୍କର ତାହା ଅଛି । ସେମାନଙ୍କ ଆଚାର ବ୍ୟବହାର, ମତ୍ଲବ୍, ସ୍ୱାର୍ଥପରତା ଦ୍ୱାରା ପ୍ରଜାମାନେ ବେଶ୍ ପ୍ରଭାବିତ । ରାଜା ଶଙ୍ଖସେନଙ୍କୁ ଧୋକା ଦେଇ କୌଣସି କର୍ମଚାରୀ କିଛିବି ଅସାଧୁ କାମ କରିବାକୁ ଅକ୍ଷମ ।”

ରାଜା ବୀରଭଦ୍ର କ୍ଷୋଭ କରି କହିଲେ “ତମେ ଯାହା କୁହ ପଛେ, ପ୍ରତାପନଗରର ପ୍ରଜାମାନେ ବଡ ବୁଦ୍ଧିମାନ୍ । ଗୋଟାଏ ଉଦାହରଣ ଦେଖ । ଶଙ୍ଖସେନ ଛଦ୍ମବେଶରେ ବୁଲିଲେ ବି ଅଧିକାଂଶ ସ୍ଥାନରେ ପ୍ରଜାମାନେ ତାଙ୍କୁ ଚିହ୍ନି ପକାଇଲେ । ମୋ ରାଜ୍ୟରେ ମୁଁ ଛଦ୍ମବେଶ ପକାଇ ବୁଲିଲି । କେହି ହେଲେ ଜଣେ ବି ମୋତେ ଚିହ୍ନିଲେ ନାହିଁ ।”

“ମହାରାଜ! ସୁନାଚେକା ଯଦି ମାଟିଗୋଡି ସହିତ ମିଶି ପଡିଥିବ, ତେବେ ବି ତାହା ଦୃଷ୍ଟିକୁ ଆସିଯିବ । ରାଜା ଶଙ୍ଖସେନ ତାଙ୍କ ପ୍ରଜାଙ୍କ ଆଖିରେ ଠିକ୍ ସେଇ ସୁନାଚେକା ଭଳି…” ଏତିକି କହି ସେ ମୁଖପାତ୍ର ଚୁପ୍ ରହିଲେ ।

ରାଜା ଅନେକ ସମୟ ନୀରବ ରହି କହିଲେ, “ଆଚ୍ଛା, ଯାଅ ।” ସେମାନେ ଚାଲିଯିବା ମାତ୍ରେ ରାଜା ମନ୍ତ୍ରୀଙ୍କୁ ଡାକି କହିଲେ, “ବହୁତ ଭୁଲ୍ ହୋଇ ଯାଇଛି । ଏହି ମୁହୂର୍ତ୍ତରୁ ମୁଁ ଆଉ ରାଜା ନୁହେଁ, ମୋ ପ୍ରଜାଙ୍କ କର୍ମଚାରୀ ମାତ୍ର ।” ଏହାପରେ ସେ ଅସାଧୁ କର୍ମଚାରୀମାନଙ୍କୁ ବାହାର କରି ଦେଲେ । ନିଜେ ନିରଳସ ଭାବରେ ରାଜକାର୍ଯ୍ୟ ବୁଝିଲେ । ଚାହୁଁଚାହୁଁ ବର୍ଷକ ଭିତରେ ତାଙ୍କ ରାଜ୍ୟର ଅବସ୍ଥା ପୁରାପୁରି ବଦଳିଗଲା ।

ବିଚାରାଳୟ ରାଜା ବୀରଭଦ୍ର ଶଙ୍ଖସେନ

Rate the content


Originality
Flow
Language
Cover design

Comments

Post

Some text some message..