Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିବର୍ଣ୍ଣ ସାବିତ୍ରୀ
ବିବର୍ଣ୍ଣ ସାବିତ୍ରୀ
★★★★★

© Arabinda Rath

Tragedy

11 Minutes   7.4K    11


Content Ranking

ଲେଖକ- ଅରବିନ୍ଦ ରଥ

କାରଣ କିଛି ବି ନ ଥିଲା, କିନ୍ତୁ ସୁତପା ଓ ଅମିତ୍ ଭିତରେ ଗୋଟିଏ ସାମାନ୍ଯ କଥାକୁ ନେଇ ମନୋମାଳିନ୍ଯ ହୋଇଗଲା। ଏମିତି ତ ହୁଏ ସମସ୍ତଙ୍କ ଭିତରେ। ତେବେ କାହିଁକି କେଜାଣି, ଉଭୟ ଏ ଘଟଣାକୁ ନେଇ ଭୀଷଣ ମାତ୍ରାରେ କ୍ଷତାକ୍ତ ହୋଇଥିଲେ। ହେବେନି ବା କାହିଁକି ! ସେମାନଙ୍କର ବାହାଘର ଜମା ବର୍ଷେ ହୋଇଛି ଓ ବଡ ସରାଗରେ ସୁତପା, ସାବିତ୍ରୀ ବ୍ରତ ପ୍ରଥମ ଥର ପାଳନ କରିବାକୁ ବାହାରିଥିଲା। କିନ୍ତୁ କଣ ସବୁ ଗୋଳମାଳ ଘଟିଗଲା ଯେ କିଛି ଦିନ ହେବ ଦୁଇଜଣ ପରସ୍ପର ପ୍ରତି ଅଚିହ୍ନା ଲୋକ ପରି ବ୍ଯବହାର ଆରମ୍ଭ କରିଦେଇଥିଲେ। ସୁତପା ସୋଫାରେ ବସି ମନଦୁଃଖରେ ପୁରୁଣା ଦିନର ସ୍ମୃତିରେ ନିଜକୁ ନିମଗ୍ନ କରି ଦେଇଥିଲା। ଅଚାନକ ମୋବାଇଲ୍ ବିକଟ ଶବ୍ଦ କରି ବାଜି ଉଠିଲା । ଅଜଣା ନମ୍ବର ଦେଖି ସେ ଫୋନ୍ ନ ଉଠାଇ ଚୁପ୍ ଚାପ ବସି ରହିଲା। କିନ୍ତୁ ବାରମ୍ବାର ସେଇ ନମ୍ବରରୁ କଲ୍ ଆସିବାକୁ ଲାଗିଲା। ଫୋନ୍ ରେ ସେ କଣ ଶୁଣିଲା କେଜାଣି, ଲଥ୍ କରି ସୋଫାରେ ବସି ପଡିଲା।

ସୁତପା ଓ ଅମିତ୍ ସବୁ ଦିନ ପରସ୍ପରକୁ ଭେଟନ୍ତି ବସ୍ ଷ୍ଟାଣ୍ଡ ରେ। ନିତି ଦେଖା ହେବା ପରେ ସେମାନଙ୍କ ଭିତରେ ବଢିଥିଲା ଆତ୍ମୀୟତା। ସେ ଆତ୍ମୀୟତା ଯେ କେତେବେଳେ ପ୍ରେମର ରୂପ ନେଇ ସାରିଥିଲା ସେ ବିଷୟରେ ଦୁଇଜଣ ଅଜ୍ଞ ଥିଲେ। ଦୁଇଜଣଙ୍କର ଜାତି ଅଲଗା ହୋଇଥିବା କାରଣରୁ ବିବାହର ସ୍ବପ୍ନ ବାରମ୍ବାର ଦେଖି ମଧ୍ଯ ଭାଙ୍ଗିବାକୁ ବିବଶ ହୋଇ ପଡଥିଲେ ସେମାନେ। କିନ୍ତୁ ଯେତେବେଳେ ପ୍ରେମର ଶକ୍ତି ବିରୋଧାଭାସ ଠାରୁ ଅଧିକା ହୋଇଗଲା, ଏକ ମନ୍ଦିରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ। ଦୁଇ ପରିବାର ର ସଦସ୍ଯମାନେ ଏ ବିବାହ କୁ ସ୍ବୀକୃତି ଦେଇ ନ ଥିଲେ। ତେଣୁ ବିବାହ ପରଠାରୁ ଦୁଇଜଣ ଦୂରେଇ ଗଲେ ସେମାନଙ୍କର ପରିବାର ଠାରୁ। ସହରରେ ଏକ ଭଡା ଘରେ ସୁଖର ସଂସାର ଗଢିବାକୁ ଲାଗିଲେ। ପ୍ରଥମରୁ କେତେ ରଙ୍ଗୀନ୍ ଥିଲା ସେ ଦିନ ଗୁଡିକ। ଅସରନ୍ତି କଥାର ବର୍ଷାରେ ଭିଜୁଥିଲେ ସେମାନେ। କେତେବେଳେ ଦିନ ସରି ରାତି ଆସୁଥିଲା ଓ ପୁଣି ରାତି ର ସମୟ ଚାହୁଁ ଚାହୁଁ ସରିଯାଉଥିଲା ଜାଣିବାର ଅବକାଶ ନ ଥିଲା। ତା ଭାଗ୍ଯରେ ଏତେ ସୁଖ ଥିଲା ବୋଲି ସୁତପା ବିଶ୍ବାସ କରି ପାରୁ ନ ଥିଲା। ବେଳେବେଳେ ଲାଗୁଥିଲା ସତେ କି ସ୍ବପ୍ନ ଦେଖୁଛି ସେ। ବାହାଘର ପରଠାରୁ ଅମିତ୍ ଅଧିକ ଯତ୍ନବାନ ହୋଇ ଯାଇଥିଲା ସୁତପା ପାଇଁ। ବାହାଘର ପୂର୍ବରୁ, ସୁତପା ର ପରିବାର ହିଁ ତା’ର ସର୍ବସ୍ବ ଥିଲା । ବାପା, ମାଆ, ଭାଇ, ଭଉଣୀଙ୍କ ଗହଣରେ ସମୟ ବିତାଇ ସେ ଜାଣି ପାରୁ ନଥିଲା ଯେ, ବାହାରେ ମଧ୍ଯ ଏକ ଦୁନିଆଁ ଅଛି । କିନ୍ତୁ ଅମିତ୍ ତା ଜୀବନ କୁ ଆସିବା ପରଠାରୁ ଦୁନିଆଁର ସଜ୍ଞା ବଦଳି ଯାଇଥିଲା ଓ ସେ ଅମିତ୍ ଭିତରେ ସେ ପାଉଥିଲା ସର୍ବସୁଖ। ଦୁଃଖ ର ଚିହ୍ନ ବର୍ଣ୍ଣ ନ ଥିଲା, ତା ପାଇଁ ଥିଲା କେବଳ ସୁଖ ହିଁ ସୁଖ। ହଁ ; ମନରେ କିଛି ଅବଶୋଷ ଥିଲା ନିଶ୍ଚୟ। ବାପା ମାଆଙ୍କର ନିଷ୍ପତ୍ତି ନ ମାନି ସେ ଜୀବନ ସାଥୀ ରୂପେ ନିଜ ଜାତି ଠାରୁ ନ୍ଯୁନ ଜାତି ପିଲାର ହାତ ଧରି ସଂସାର ଗଢିଥିଲା। ତା’ର ଏ ନିଷ୍ପତ୍ତି ବାପାଙ୍କ ମାନସମ୍ମାନକୁ ଭୁଲୁଣ୍ଠିତ କରିଥିଲା ଓ ସେ ଜାତି ଭାଇଙ୍କ ଆଗରେ ବେଶ୍ କିଛି ଦିନ ଯାଏ ମୁଣ୍ଡ ପୋତି ଚାଲିବାକୁ ବାଧ୍ଯ ହୋଇଥିଲେ। ଗୋଟିଏ ବେସରକାରୀ ସଂସ୍ଥାରେ ଅମିତ୍ ଚାକିରି କରୁଥିଲା। ଆୟ ସେମିତି ବିଶେଷ ଅଧିକ ନୁହଁ। କିନ୍ତୁ ଦୁଇଜଣ ଖାଇପିଇ ଆରାମରେ ଚଳିବା ପାଇଁ ସେତିକି ସମ୍ବଳ ଯଥେଷ୍ଟ ଥିଲା। ଘରଭଡା ବାବଦକୁ ଦରମାର ଅର୍ଦ୍ଧାଧିକ ଟଙ୍କା ଚାଲିଯାଉଥିଲେ ବି ସେମାନଙ୍କର ବିଶେଷ ଅସୁବିଧା ହେଉ ନ ଥିଲା। ସବୁ କିଛି ତ ଠିକ୍ ଚାଲିଥିଲା।

ସକାଳେ ଗରମ ଚାହା କପ୍ ଧରି ସାରା ଦୁନିଆର ଖବର ବିଷୟରେ ଆଲୋଚନା କଲା ବେଳକୁ ବେଳେବେଳେ ଗମ୍ଭୀର ହୋଇଯାଏ ସୁତପା। ଦିନ କୁ ଦିନ ବଢିଚାଲିଥିବା ଦୁର୍ଘଟଣାର ଖବର, ନଜରରେ ପଡିଲେ ତା ଦେହ ଭିତରଟା ଶିହିରି ଉଠେ। ଏମିତି ଅକାଳ ମୃତ୍ଯୁବରଣ କରିଥିବା ଲୋକଙ୍କର ପରିବାର ପାଇଁ, ତା ଆଖିରୁ ଝରି ଆସେ ଦୁଇବୁନ୍ଦା ଲୁହ। କେବେକେବେ ଅମିତ୍ ର ହାତ ଧରି କୁହେ-- ଆଜିକାଲି ଏମିତି ଘଟଣା ସବୁ କେତେ ମାତ୍ରାରେ ବଢି ଗଲାଣି। ତୁମେ ଟିକେ ସାବଧାନ ରେ ଯିବା ଆସୁଥିବା କରୁଥିବ। ତୁମର କଣ ହେଲେ, ମୋ ଅବସ୍ଥା କଣ ହେବ କହିଲ?

ସୁତପାର ମନ ଭିତରେ ଛପି ରହିଥିବା ଆଶଙ୍କାକୁ ଠିକ୍ ପରଖି ପାରେ ଅମିତ୍। ସେ ସୁତପାର ମୁଣ୍ଡରେ ହାତ ବୁଲେଇ କୁହେ-- ସେମିତି ଡରିଲେ ହେବନି ସୁତପା , ଏତେ ଲୋକ ଯିବା ଆସିବା କରୁଛନ୍ତି। କାହାର କିଛି ହେଉନି। ମୋର ବି କିଛି ହେବନି, ତୁମେ ବ୍ଯସ୍ତ ହୁଅନି । ଠାକୁରଙ୍କ ଆଗରେ ମୁଁ ଶପଥ କରିଛି, ସାତ ଜନ୍ମ ଯାଏ ତୁମ ହାତ ଧରିଥିବି, ମୋତେ ତଡିଲେ ବି ତୁମକୁ ଛାଡି କୁଆଡେ ଯିବିନି। ଏବେ ଆଖିରୁ ମୋତି ଝରାଇବା ବନ୍ଦ କରି ଟିକେ ହସି ଦିଅ। ମୋ ଅଫିସ୍ ଯିବା ସମୟ ହୋଇଗଲାଣି।

ବର୍ଷା ଛାଡି ଯାଇଥିବା ଆକାଶରେ ଇନ୍ଦ୍ରଧନୁ ଉଙ୍କି ମାରିବା ପରି , ଚେନାଏ ହସ ଖେଳିଯାଏ ସୁତପା ଓଠରେ। ଅମିତ୍ ଜାଣି ପାରୁଥିଲା ସୁତପା ମନର ଅବସ୍ଥା। ଯାହା ପ୍ରତି ସବୁଠାରୁ ଅଧିକା ପ୍ରେମଭାବ ଥାଏ, ତାକୁ ହରେଇ ଦେବାର ଭୟ ସଦାବେଳେ ମନ କୁ ଆଚ୍ଛନ୍ନ କରି ରଖିଥାଏ। ନିଜ ପରିବାର ବ୍ଯତୀତ ଆଉ କେହି ନିଜର ନ ଥିଲେ ସୁତପାର। ବାହାଘର ପରଠାରୁ ସାଙ୍ଗସାଥୀ ମାନେ ବି ଦୂରେଇଗଲେ। ତେଣୁ ତା’ର ସୁଖଦୁଃଖ, ଭଲମନ୍ଦ ବୁଝିବାର ଦାୟୀତ୍ବ କେବଳ ଅମିତ୍ ଉପରେ ନ୍ଯସ୍ତଥିଲା। ଅମିତ୍ ମଧ୍ଯ ତା କର୍ତ୍ତବ୍ଯରେ କେବେ ହେଳା କରିନି। ଏଇ କିଛି ଦିନ ତଳେ ଜଣା ପଡିଥିଲା ଘରକୁ ତୃତୀୟ ବ୍ଯକ୍ତିର ଆଗମନ ବିଷୟରେ। ସେଦିନ ସାରା ରାତି ଅନିଦ୍ରା ହୋଇ ଉଭୟ ଆଗାମୀ ଭବିଷ୍ଯତ ବିଷୟରେ କେତେ କଣ ଗପିଲେ। ଏପରିକି ପିଲା ର ନାମକରଣ ବି କରିନେଲେ ଆଗରୁ। ପୁଅ ହେଲେ ନାମ ହେବ ସୁମିତ୍ ଓ ଝିଅ ହେଲେ ସୁମିତା।

ଆଗ ଅପେକ୍ଷା ଅଧିକ ଯତ୍ନବାନ୍ ହୋଇ ଉଠିଥିଲା ଅମିତ୍। ସୁତପା ର ଡାକ୍ତରୀ ପରୀକ୍ଷା, ଠିକ୍ ସମୟରେ ଓୌଷଧ ଖୁଆଇବା ଓ ତା’ର ମନ ଯେପରି ଭଲ ରହିବ, ସେ ଜିନିଷ ଗୁଡିକ ପ୍ରତି ଅଧିକ ଧ୍ଯାନ ଦେଉଥିଲା। କେତେ ବେଳେ କେମିତି ସୁତପା ତା ଘର କଥା ମନେ ପକେଇ କାନ୍ଦେ। କେତେ ଖୁସି ହୋଇଥାଆନ୍ତେ ତା ବାପା ମାଆ ଏ ସମୟରେ ଯଦି ସେ ସେମାନଙ୍କ ପାଖରେ ଥାଆନ୍ତା । କିନ୍ତୁ ତା ଗର୍ଭଧାରଣ ଖବର ଶୁଣାଇବାକୁ ବାପାଙ୍କୁ ଖୁସିରେ ଫୋନ୍ କରିବାରେ, ବାପା ବଡ କଠୋର ଶବ୍ଦରେ ତାକୁ ଗାଳି ଦେଇ କହିଲେ-- ତୁ ମୋର ଝିଅ ବୋଲି ମୁଁ ଭୁଲି ଯାଇଛି। ମୋ ଇଚ୍ଛା ବିରୁଦ୍ଧରେ ଯାହାକୁ ବାହା ହୋଇଛୁ ତା ସହିତ ତୋ ଖୁସି ବାଣ୍ଟେ। ମୋର ସେଥିରେ କିଛି ନେଣ ଦେଣ ନାହିଁ। ରାତି ସାରା ଗୁମୁରି ଗୁମୁରି କାନ୍ଦେ ସୁତପା ଓ ମନରେ ଭାବେ ତାକୁ ଏତେ ଭଲ ପାଉଥିବା ବାପା, ଏତେ ନିଷ୍ଠୁର ଓ କଠୋର କେମିତି ହୋଇପାରିଲେ ତା ପାଇଁ? ଅମିତ୍ ସବୁ ଜାଣିଲେ ବି ପାଟି ଖୋଲି ପଚାରେନି କିଛି। କାରଣ ସେମିତି ପଚାରିବା ଦ୍ବାରା ସୁତପାର ମନରେ କାଳେ ଅଧିକ କଷ୍ଟ ହେବ ; ବରଂ ସେ ଯଥାସମ୍ଭବ ତାକୁ ଖୁସି କରିବାକୁ ଚେଷ୍ଟା କରେ।

ଅମିତ୍ ଅଫିସ୍ ଚାଲିଗଲା ପରେ ସୁତପା ଘର ଭିତରେ ସମ୍ପୂର୍ଣ୍ଣ ଏକୁଟିଆ। ଅମିତ୍ ର ଭଲପାଇବା ଓ ତା ନିଜ ବାପାଙ୍କର ଘୃଣାର ଦୋଛକିରେ ଆଉଟୁ ପାଉଟୁ ହୋଇ ସନ୍ତୁଳି ହେଲା ବେଳକୁ ସଂନ୍ଧ୍ଯା ହୋଇଯାଏ। ତା ପାଇଁ ସବୁ ଦିନ ଅମିତ୍ କିଛି ନା କିଛି ଜିନିଷ ସାଙ୍ଗରେ ଧରି ଆସେ। କେବେ ସୁତପାର ମନ ପସନ୍ଦର ଜଳଖିଆ ଓ କେବେ କିଛି ଉପହାର। ଦିନସାରା ମନ ଭିତରେ ଉଠୁଥିବା ଦୁଃଖର ଜ୍ବାଳାମୁଖୀ କୁ ହସର ଆଢୁଆଳରେ ଲୁଚାଇ ସୁତପା ଚାହା ତିଆରି କରେ ଅମିତ୍ ପାଇଁ। ଏମିତି ବେଶ୍ କିଛି ଦିନ ଯାଏ ଚାଲିଥିଲା ସେମାନଙ୍କ ସଂସାର। ଅମିତ୍ ର ଚାକିରିରେ ସେତିକି ବେଳକୁ ଅସୁବିଧା ଦେଖାଦେଲା। କମ୍ପାନୀ ଟି ଆଶାନୁରୂପକ ପ୍ରଦର୍ଶନ କରି ନପାରିବାରୁ, ସମସ୍ତ କର୍ମଚାରୀ ମାନଙ୍କ ଦରମା କମ୍ କରି ଦିଆଗଲା। କିଏ ପ୍ରତିବାଦ ଉଠେଇଲେ, ଚାକିରୀ ରୁ ଛଟେଇ କରିଦେବାର ଭୟ ଦେଖାଇବାରେ ଅବହେଳା କରୁ ନ ଥିଲେ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ। ବେସରକାରୀ ଚାକିରୀ କରିଥିବା କର୍ମଚାରୀ ମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଝିଟିପିଟି ଲାଙ୍ଗୁଡ ସଦୃଶ ମନେ କରନ୍ତି ସଦାବେଳେ। ଯେତେବେଳେ ଚାହିଁବେ ଛଟେଇ କରିଦେବେ ବା ଦରମା କାଟିଦେବେ। ଲାଙ୍ଗୁଡ କଟିଗଲେ ପୁଣିଥରେ ଲାଞ୍ଜ କଅଁଳିବା ପରି, ଛଟେଇ ହୋଇଥିବା କର୍ମଚାରୀର ସ୍ଥାନ ଅବିଳମ୍ବେ ପୂରଣ ହୋଇ ଯାଏ । ତେଣୁ କାହାର ପ୍ରତିବାଦ କରିବାର ସାହାସ ନ ଥିଲା। ସଂସ୍ଥାର ଏତାଦୃଶ କାର୍ଯ୍ଯାଳପରେ ସବୁଠାରୁ ଅଧିକା କ୍ଷତିଗ୍ରସ୍ତ ହେଉଥିଲେ ଅମିତ୍ ପରି କର୍ମଚାରୀ ମାନେ। ମାସକର ଦରମା ମାସ ଶେଷ ବେଳକୁ ନିଅଣ୍ଟ। ପୁଣି ସେଥିରେ ଯଦି ଦରମା କମିଯିବ ଅବସ୍ଥା ଶୋଚନୀୟ ହେବା ସ୍ବାଭାବିକ୍। ସୁତପା ର କାନ କୁ ଏ ବିଷୟ ନେଇ ନ ଥିଲା ଅମିତ୍। କାରଣ ଏ ଅବସ୍ଥାରେ ସୁତପାର ମନରେ କୌଣସି ପ୍ରକାର ର ଚାପ ଦେବାକୁ ଚାହୁଁ ନ ଥିଲା ସେ। ଭୟଙ୍କର ମାନସିକ ବିଷାଦରେ ରହିବା ପରେ ବି ବେଶ୍ ସ୍ବାଭାବିକ ବ୍ଯବହାର କରିବା ଚାଲୁ ରଖିଥିଲା।

ସେଦିନ ବୋଧେ ସୁତପା ପୁଣି ତା ବାପାଙ୍କୁ ଫୋନ୍ କରିଥିଲା। ଅମିତ୍ ଘରକୁ ଆସିଲା ବେଳକୁ ସୁତପାର ଆଖି ଦୁଇଟି କାନ୍ଦିକାନ୍ଦି ଫୁଲି ଯାଇଥିଲା। ତା ମନ ଓ ହୃଦୟର ଅବସ୍ଥା ବେଶ୍ ସ୍ପଷ୍ଟ ଦିଶୁଥିଲା। ସବୁଦିନ ପରି ଅମିତ୍ ସୁତପା ହାତ କୁ ବଢେଇଦେଲା ଏକ ଉପହାର ଓ ହସି ହସି କହିଲା – ଚାହା କପେ ଦିଅ ସୁତପା।

ସେଦିନ ଅମିତ୍ ର ହସ ର ପ୍ରତ୍ଯୁତ୍ତର ମିଳି ନ ଥିଲା ଓ ସୁତପା ଆଖିରେ ସେ ଆଣିଥିବା ଉପହାର ପାଇଁ କୌଣସି ଜିଜ୍ଞାସା ଦୃଷ୍ଟ ହେଲାନି। ଟିକେ ଅସ୍ବାଭିବିକ ଲାଗିଲେ ବି କୌଣସି ମତେ ପରିସ୍ଥିତି କୁ ହାଲୁକା କରିବାକୁ ଅମିତ୍ ଗପ ଆରମ୍ଭ କରିଦେଲା। କିନ୍ତୁ, ସୁତପାର ମୁହଁର ଭାବଭଙ୍ଗୀରେ କୌଣସି ପରିବର୍ତ୍ତନ ନ ଦେଖି ସେ ଟେଲିଭିଜନ୍ ଖୋଲି ବସିଲା। ସୁତପା ଚାହା କପେ ଥୋଇ ଦେଇ ପୁଣି ଶୋଇବା ଘରକୁ ଚାଲିଗଲା ବିନା ବାକ୍ଯବ୍ଯୟ ରେ। ଅଫିସ୍ କାମର ଚାପ ଓ ସୁତପାର ଏପରି ବ୍ଯବହାରରେ ଟିକେ କ୍ଷୁବ୍ଧ ହେଲା ଅମିତ୍। ମାତ୍ର ମନର ଭାବନା କୁ ମନରେ ରଖି ପୁଣି ସୁତପା କୁ ପଚାରିଲା-- କଣ ହୋଇଛି ସୁତପା? ଆଜି କାହିଁକି ଏତେ ଗୁମସୁମ୍ ହୋଇ ବସିଛ, ଦେହ ଭଲ ଲାଗୁନି କି? ସେ ପ୍ରଶ୍ନ ନିହାତି ସାଧାରଣ ଥିଲେ ମଧ୍ଯ ସୁତପା ମନରେ କୁହୁଳି ଉଠୁଥିବା ଦୁଃଖର ପ୍ରଖର ସ୍ରୋତକୁ କୁଳ ଭାଙ୍ଗି ପ୍ରବାହିତ କରାଇ ଦେବାପାଇଁ ଯଥେଷ୍ଟ ଥିଲା।

ମୁହଁକୁ କଠୋର କରି ସୁତପା କହିଲା-- କାଇଁ ଏତେ ଦିନ ହେଲାଣି ମୋ ମନର ଦୁଃଖ ତୁମକୁ ଦିଶୁ ନ ଥିଲା ? ଆଜି କାହିଁକି ସବୁ ଜଳଜଳ ଦିଶିଗଲା। ମୋ ଦେହ ଭଲ ରହିଲେ କି ଖରାପ ହେଲେ ତୁମର କେତେ ଯାଏ ଆସେ?ତୁମେ ତୁମ କାମ ସମ୍ଭାଳ। ମୁଁ ଘରେ ଏମିତି ମୂର୍ତ୍ତି ପରି ପଡଥିବି ଓ ତୁମ କାମ କରୁଥିବି। ଏତିକି କହି ସୁତପା ମୁହଁରେ ଚଦର ଢାଙ୍କି କାନ୍ଦିବାରେ ଲାଗିଲା।

– କିନ୍ତୁ ହେଲା କଣ? ସେତକି ତ କୁହ? କାହିଁକି ତୁମ ମନ ଦୁଃଖ? ସେ କଥା ଜାଣିବାର ଅଧିକାର କଣ ମୋର ନାହିଁ?

– – ଓଃ ବନ୍ଦ କର ଅମିତ୍ ସେ ଫାଲତୁ କଥା ସବୁ। ଅଧିକାର, ସମ୍ପର୍କ, ଦାୟୀତ୍ବ , ନିବିଡତା ଏମିତି ସବୁ ଫାଙ୍କା ଶବ୍ଦର ଯାଦୁରେ ମୋତେ ବାନ୍ଧିବାକୁ ଚେଷ୍ଟା କରନି। ମୋ ପାଖରୁ ଦୟାକରି ଚାଲିଯାଅ। ମୋର ତୁମ ସହ ଯୁକ୍ତି କରିବାର ଆଗ୍ରହ ବା ଶକ୍ତି ନାହିଁ।

- - କିନ୍ତୁ ସୁତପା, ତୁମ ପେଟରେ ବଢୁଥିବା ସେ କ୍ଷୁଦ୍ର ପ୍ରାଣଟିର କଥା ଭାବଥରେ। ତୁମ ମନର ଅବସ୍ଥା ଏମିତି ହେଲେ ତା’ର କୁପ୍ରଭାବ ପିଲା ଉପରେ ପଡିବ।

- - ଓଃ ତା ହେଲେ ଏମିତି କଥା। ସେଥିପାଇଁ ଏତେ ଚିନ୍ତିତ ? ବେଶ୍ ଭଲ ଅଭିନୟ କରିପାର ତୁମେ ଅମିତ୍, ମାନିଗଲି ତୁମକୁ । ଏମିତି ଅଭିନୟ କରି , ମୋ ଜୀବନ କୁ ଛାରଖାର କରିଦେଲ ତୁମେ।

କବାଟ ବନ୍ଦ କରି ଅମିତ୍ ବାହାରକୁ ଚାଲିଗଲା। ଆଖିରେ ଲୁହର ଝରଣା। ତାକୁ ଲାଗୁଥିଲା ସେତିକି ସମୟ ଭିତରେ ତା ଦୁନିଆଁ ଟା ଜଳିପୋଡି ଛାରଖାର ହୋଇଯାଇଛି। ଶେଷରେ ତା ଭଲପାଇବା ଓ ଆତ୍ମୀୟତା, ସୁତପା କୁ ଅଭିନୟ ପରି ଲାଗିଲା। ଯାହା ପାଇଁ ସେ ସାରା ଦୁନିଆଁ ସହ ସମ୍ପର୍କ କାଟିଦେଲା, ସେ ଆଜି ତାକୁ କେତେ କଥା କହିଦେଇଗଲା। ତା’ର ଭୁଲ କେଉଁଠି ରହିଲା ବୁଝି ପାରୁ ନ ଥିଲା ଅମିତ୍। ସୋଫା ଉପରେ ବହୁତ୍ ସମୟ ପଡିରହିଲା ମାତ୍ର ସୁତପା ବାହାରକୁ ଆସିଲାନି। ତେଣୁ ବଜାରରୁ କିଛି ଖାଇବା ଆଣି ଟେବୁଲ୍ ରେ ବାଢି ତାକୁ ଡାକିଲା।

– ଆସ ସୁତପା କିଛି ଖାଇ ନିଅ। ଦେଖ ତୁମ ମନ ପସନ୍ଦର ଜିନିଷ ସବୁ ଆଣିଛି।

- - ତୁମେ ନିଜେ ଖାଇ ନିଅ ଯଦି ଏତେ ଭୋକ ଲାଗୁଛି। ମୋର ଖାଇବାର ନାହିଁ। ଆଉ ହଁ , ପେଟରେ ବଢୁଥିବା ସେ ପିଲା ବିଷୟରେ ଏତେ ଚିନ୍ତା କରନି। ସେ ମୋ ଗର୍ଭରେ ଅଛି, ତୁମର ନୁହେଁ।

ଏଥର ଅମିତ୍ ର ଧର୍ଯ୍ଯ ର ସୀମା ଟପିି ସାରିଥିଲା। ସେ ବଡ ବିରକ୍ତି ରେ କହିଲା-- ତୁମର କଣ ହୋଇଛି, କାହିଁକି ଏମିତି ବ୍ଯବହାର କରୁଛ ଭଗବାନଙ୍କୁ ଜଣା। ଯଦି ମୋ ମୁହଁ ଏତେ ଅପସନ୍ଦ ତେବେ ମୁଁ ବୈଠକଖାନାରେ ଶୋଇପଡୁଛି। ନିରୁତ୍ତର ରହିଲା ସୁତପା।

ସୁତପା ଶେଯରେ ପଡିରହି ଭାବୁଥିଲା ତା ବାପାଙ୍କର କଥା। ସାନଭାଇର ବାହାଘର ହେଉଛି ଶୁଣି କେତେ ସରାଗରେ ସେ ଫୋନ୍ କରିଥିଲା। ଆଶା କରିଥିଲା ସେମାନଙ୍କୁ ନିହାତି ନିମନ୍ତ୍ରଣ କରିବେ ବାପା। କିନ୍ତୁ ବାପା ରୋକଠୋକ୍ ଶୁଣାଇଦେଲେ-- ତୋ ପରି ଅଜାତିଆ ଲୋକ ମୋ ଘର ବାରଣ୍ଡା ମାଡିବାର ଆବଶ୍ଯକତା ନାହିଁ। ଆମ ଘରେ କଣ ହେଉଛି ସେ ବିଷୟରେ ଚବିଶ ଘଣ୍ଟା ମୁଣ୍ଡ ନ ଖେଳାଇ ତୋ ସ୍ବାମୀକୁ ଧରି ବସିଥା। ବାପାଙ୍କ ପାଖରେ ମାଆ ସକେଇ କାନ୍ଦିବା, ସ୍ପଷ୍ଟ ଶୁଣିପାରିଥିଲା ସେ। ବାପାଙ୍କର ଘୃ ଣା ଓ ମାଆର ବିବଶତା ଅନୁଭବ କରି ତା ମନ ଭିତରେ ଜ୍ବାଳାମୁଖୀ ଫୁଟି ଚାଲିଥିଲା । ମାତ୍ର ସେ ଥିଲା ବିବଶ ଓ କିଂକର୍ତ୍ତବ୍ଯବିମୁଢ। ରାତି ସାରା ବାପାଙ୍କ କଥା ଓ ଅମିତ୍ ର କଟୁକଥା ସୁତପା ମନରେ ସୃ ଷ୍ଟି କରିଥିଲା ଭୀଷଣ ବିଦ୍ରୋହ। କାହିଁକି କେଜାଣି, ତାକୁ ଲାଗୁଥିଲା ତା’ର ଏପରି ଅବସ୍ଥା ପାଇଁ କେବଳ ଅମିତ୍ ହିଁ ଦାୟୀ। ଅମିତ୍ ର ପ୍ରତିଟି କଥା ମନ ଭିତରେ ବାରମ୍ବାର ପ୍ରତିଧ୍ବନିତ ହେବାରେ ଲାଗିଥିଲା।

ଅମିତ୍ ମଧ୍ଯ ସାରା ରାତି ନ ଶୋଇ କେବଳ କଡ ଓଲଟାଇବାରେ ଲାଗିଥିଲା। ସୁତପାର ଏମିତି ବ୍ଯବହାର ର କାରଣ ଖୋଜିଖୋଜି ତା ମୁଣ୍ଡ ଗୋଳମାଳ ହୋଇଯାଉଥିଲା। କେଇ ପଦ କଥା ସେମାନଙ୍କ ଭିତରେ ଲହଡି ଭାଙ୍ଗୁଥିବା ଅନ୍ତହୀନ ପ୍ରେମର ସମୁଦ୍ରକୁ ଶୁଷ୍କ କରିଦେଇଥିଲା। ସୁତପା ର ବ୍ଯବହାର ଓ ଫିଙ୍ଗାଫୋପଡା କଥାର ପ୍ରଭାବ ଏତେ ପ୍ରବଳ ଥିଲା ଯେ ଅମିତ୍ ଭାବୁଥିଲା ତାକୁ ବାହା ହୋଇ ଆଜି ସୁତପା ଅନୁତପ୍ତ। ବୋଧ୍ ହୁଏ ତାର ଜାତି ଓ ଆୟ ପାଇଁ ସୁତପା ଏମିତି ବ୍ଯବହାର ଦେଖେଇଲା। ମନରେ କେତେ କଣ ଭାବନା ଆସି ତାକୁ ଆକ୍ତାମାକ୍ତା କରି ପକାଉଥିଲା। ଦୁଇଟି ଅଭିନ୍ନ ଶରୀର ଓ ପ୍ରାଣ, ମନ ଭିତରେ ପରସ୍ପର ପ୍ରତି ବିଷେଦ୍ ଗାର କରିବାରେ ଲାଗି ପଡିଥିଲେ। ମନର ଭାବନା ମୁହଁରେ ଫୁଟିବାକୁ ବେଶି ସମୟ ଲାଗିଲାନି। ତା ପରଦିନ ଉଭୟ ଅମିତ୍ ଓ ସୁତପା ପରସ୍ପର ମୁହଁ ଚାହିଁବା ତ ଦୂର ର କଥା କଥାବାର୍ତ୍ତା ମଧ୍ଯ ହେଲେ ନାହିଁ। ଏମିତି ଦୁଇ ତିନି ଦିନ ଚାଲିଗଲା। ସୁତପା ସହ କଥା ନ ହେଲେ ବି ଅମିତ୍ ତା ପାଖରେ ଖାଇବା ଓ ଓୌଷଧ ରଖିଦେଉଥିଲା। କେବେ ସୁତପା ସେ ସବୁ ଖାଉଥିଲା ଓ କେବେ ଫିଙ୍ଗି ଦେଉଥିଲା ଅମିତ୍ ମୁହଁ ଉପରେ। ଦାରୁବିଷ୍ଣ ପରି ଅମିତ୍ ସେ ଅପମାନ କୁ ଆକଣ୍ଠ ପାନ କରୁଥିଲା ନିଶବ୍ଦ ହୋଇ। ଭୁଲ୍ ବୁଝାମଣାର ମଞ୍ଜି ଥରେ ବୁଣି ହୋଇଗଲା ପରେ ତାହା ଖୁବ୍ କମ୍ ସମୟ ଭିତରେ ମହାଦ୍ରୁମର ରୂପ ନେଇଯାଏ। ବେଳ ଥାଉ ଥାଉ ବିଶ୍ବାସ ଓ ଭଲପାଇବାର କୁରାଢୀରେ ସେ ଦ୍ରୁମ କୁ ଭୂପତିତ ନ କଲେ ତାହା ସମ୍ପର୍କ ର ଡୋରୀ ଚ୍ଛିନ୍ନ ବିଚ୍ଛିନ୍ନ କରିପକାଏ। ସେମିତି କିଛି ହେଉଥିଲା ଉଭୟଙ୍କ ସହିତ। ପାଖାପାଖି ସାତ ଦିନ ବିତି ଯିବା ପରେ ବି ସୁତପା ଓ ଅମିତ୍ ଙ୍କର ସମ୍ପର୍କ ସ୍ବାଭାବିକ୍ ହୋଇପାରି ନ ଥିଲା। ହେବ ବା କେମିତି? ବାହାଘର ହେବା ପରଠାରୁ ଉଭୟ ପ୍ରଥମ ଥର ପାଇଁ ଏମିତି ଏକ ପରିସ୍ଥିତି ର ସାମନା କରିଛନ୍ତି।

ଆଉ ଦୁଇ ଦିନ ପରେ ସାବିତ୍ରୀ ବ୍ରତ। ସୁତପା ର ମନରେ ଅନେକ ଉତ୍ସାହ। ପ୍ରଥମଥର କରି ପାଳନ କରିବ ସେ ବ୍ରତ। ମନରେ ରାଗ ର ମାତ୍ରା ଯଥେଷ୍ଟ କମି ଗଲାଣି। କିନ୍ତୁ ସେ ଅମିତ୍ ସହ କଥାବାର୍ତ୍ତା ଆରମ୍ଭ କରିନି। କାହିଁକି ବା କରିବ? ଅମିତ୍ ତା ସହ କଥାବାର୍ତ୍ତା କରିଛି କି?

– ସୁତପା, ଆଗକୁ ସାବିତ୍ରୀ ଆସୁଛି। ତୁମ ପାଇଁ କଣ ସବୁ ଆଣିବି ମୋତେ ଚିଠା ଦିଅ। ଆଜି ସବୁ ଆଣି ଆସିବି। ସାଧାରଣ ଭାବରେ ପଚାରିଲା ଅମିତ୍। କିନ୍ତୁ ସୁତପା ର ଆଶା କରୁଥିଲା ଅମିତ୍ ସ୍ବରରେ ଟିକେ ଭଲପାଇବା ଓ ଆତ୍ମୀୟତା। ସେତିକି ନ ମିଳିବାରୁ ଚିଡି ଉଠି କହିଲା

– ମୋର କିଛି ଦରକାର ନାହିଁ। ସାବିତ୍ରୀସ୍ବାମୀ ମାନଙ୍କର ମଙ୍ଗଳ ପାଇଁ କରାଯାଏ। ଯାହା ଆଣିଲେ ତୁମର ମଙ୍ଗଳ ହେବ, ତାହା ଧରି ଆସ। ମୋତେ ପଚାରୁଛ କଣ?

ଅମିତ୍ ଏପରି ଉତ୍ତରର ଆଶା ସ୍ବପ୍ନରେ ବି କରି ନଥିଲା। ସେ ଧୀର ସ୍ବରରେ କହିଲା

– ଥାଉ ସୁତପା, ତୁମେ ଭଲରେ ରୁହ। ମୋର କିଛି ମଙ୍ଗଳ ହେବାର ଆବଶ୍ଯକତା ନାହିଁ।

ଚୁପ୍ ଚାପ୍ ଘରୁ ବାହାରକୁ ଚାଲିଗଲା ଅମିତ୍। ସାବିତ୍ରୀ ଦିନ ଅଫିସ୍ ଗଲା ବେଳକୁ ଦେଖିଲା ବିଭିନ୍ନ ମନ୍ଦିରରେ ଦମ୍ପତ୍ତି ମାନଙ୍କର ଭିଡ। ହାତରେ ପୂଜାଥାଳି ଧରି କେତେ ଖୁସିରେ ସ୍ବାମୀ ମାନଙ୍କ ସହ ସ୍ତ୍ରୀ ମାନେ ମନ୍ଦିରରେ ଅପେକ୍ଷାରତ। ତା’ର ମନରେ ଭାବାନ୍ତର ସୃଷ୍ଟି ହେଲା। ଭାବିଲା, ଗୋଟେ ସାନ ଘଟଣା ପାଇଁ ସେ ସୁତପା କୁ ଦୂରେଇ ଦେଇ ପାରିବନି। ତା ଘର ପରିବାର ଠାରୁ ଦୂର କରି ବିବାହ ବନ୍ଧନରେ ଆବଦ୍ଧ କରି ରଖିଛି ସୁତପାକୁ। ଯଦି ତା ଭଲ ପାଇବା ର ଅମୃତ ଚାଖିଛି, କ୍ରୋଧର ହଳାହଳ ପାନ କରିବାରେ ଅସୁବିଧା କଣ ଅଛି। ସାବିତ୍ରୀ ପାଳନର ସବୁ ଜିନିଷ ପତ୍ର ସହ ଗୋଟେ ପାଟ ଶାଢୀ କିଣି, ସୁତପା ପାଖକୁ ଯିବାକୁ ମନସ୍ଥ କଲା। ସେ ଯେତେ ରାଗିଲେ ବି ତାକୁ ଥରେ କୋଳାଗ୍ରତ କରି, ସବୁ ରାଗ କୁ ପୋଡି ପାଉଁଶ କରି ପୁଣି ଥରେ ସେ ପୁରୁଣା ଭଲପାଇବାକୁ ମନରେ ଉଦ୍ରେକ କରାଇବ ବୋଲି ସେ ଦୃ ଢ ନିଶ୍ଚିତ ଥିଲା।

ମୋଟରସାଇକେଲର ହ୍ଯାଣ୍ଡଲ୍ ଟେ ଝୁଲୁଥିଲା ଗୋଟେ ନାଲି ରଙ୍ଗର ପାଟ ଶାଢୀ। ଅନ୍ଯ ଏକ ଜରିରେ କାଚମାଳି, ସାବିତ୍ରୀ ସତ୍ଯବାନଙ୍କର ମୂର୍ତ୍ତି, ପୂଜା ପାଇଁ ପାନିଆ, କଜ୍ବଳ, ନାଲି ଶଙ୍ଖା ଓ କିଛି ଫଳ। ଜିନିଷ କିଣିଲା ବେଳକୁ ମନରେ ଥିଲା ଅପୂର୍ବ ଉତ୍ସାହ ଓ ଆନନ୍ଦ। ଆଜି ସୁତପା ପ୍ରଥମ ଥର କରି ସାବିତ୍ରୀ ପାଳିବ। ମନେ ମନେ ଭାବୁଥିଲା ସେ ନାଲି ପାଟ ଶାଢୀ କୁ ଦେଖି ସୁତପା କଣ କହିବ? କହିବ କି, ଏତେ ଦାମୀକା ଶାଢୀ ଟା କାଇଁ ଆଣୁଥିଲ? ଏମିତି ଭାବନାର ସୁଅରେ ଭାସିବା ବେଳକୁ ପଛରୁ ଜୋରରେ ଧକ୍କା ମାରିଦେଲା ଗୋଟିଏ ବଡ ଦଶଚକିଆ ଟ୍ରକ୍। ଟ୍ରକ୍ ର ଚକାତଳେ ପଡିଗଲା ଅମିତ୍ ଓ ତା ମୋଟରସାଇକେଲ୍। ଲୋକେ ହାଁ ହାଁ କରି ସେ ଯାଗା କୁ ଦୌଡି ଆସିଲା ବେଳକୁ ଅମିତ୍ ଉପରେ ଟ୍ରକ୍ ଟି ସମ୍ପୂର୍ଣ୍ଣ ଚଢି ଯାଇଥିଲା ଓ ତା ଶରୀରଟି ଏକ ରକମର ମାଂସ ପିଣ୍ଡୁଳାରେ ପରିବର୍ତ୍ତିତ ହୋଇଯାଇଥିଲା। କେବଳ ଅକ୍ଷତ ଥିଲା ଡାହାଣ ହାତ, ଯେଉଁଥିରେ ସେ ଜାବୁଡି ଧରିଥିଲା ସୁତପା ପାଇଁ ନେଉଥିବା ନାଲିଶାଢୀ ଟି।

ଅଟୋରିକ୍ସାରୁ ଓହ୍ଲାଇ ସୁତପା, ଆଖି ଆଗରେ ଅପେକ୍ଷାରତ ନିୟତିର କ୍ରୁର ପରିହାସ କୁ ସାମନା କରିବାର ସାହାସ ଯୁଟାଇ ପାରୁ ନ ଥାଏ। ତଥାପି ସେ ତଳକୁ ଗଲା ଓ ଦେଖିଲା ଟ୍ରକ୍ ଚକା ତଳେ ପଡିଥିବା ରକ୍ତମାଂସର ପିଣ୍ଡୁଳା ଯାହା ସହିତ ଲାଗିରହିଥିଲା ନାଲି ଶାଢୀ ଧରିଥିବା ଏକ କ୍ଷତାକ୍ତ ହାତ । ସେହି ହାତଟିରେ ଲାଗିଥିଲା ଏକ ହାତଘଣ୍ଟା ଯାହା ସୁତପା, ବାହାଘର ଆଗରୁ ଉପହାର ଦେଇଥିଲା ଅମିତ୍ କୁ। ସୁତପା ସ୍ପଷ୍ଟ ଦେଖିପାରୁଥିଲା ରାସ୍ତା ଉପରେ ବିଛାଡି ହୋଇ ପଡିଥିବା ଅମିତ୍ ଓ ତା ସ୍ବପ୍ନର ଭଗ୍ନ ସ୍ତୁପ କୁ। ତା ସହିତ ସେମାନଙ୍କର ଭଲପାଇବା, ଅସୁମାରୀ ଆଶା ଓ ପ୍ରତିଶୃତିର ଧ୍ବଂସାବଶେଷ । ବଡ କଷ୍ଟରେ ସେ ଅମିତ୍ ର ହାତ ପାଖକୁ ଗଲା ଓ ତା ହାତ କୁ ନିଜ ହାତରେ ଜାବୁଡି ଧରି ବୁକୁ ଫଟେଇ କାନ୍ଦିବାରେ ଲାଗିଲା। ପାଖରେ ଘେରି ରହିଥିବା ଲୋକଙ୍କୁ କେବଳ ଏତିକି ଶୁଭୁଥିଲା-- ତୁମେ ଏମିତି ବିଶ୍ବାସ ଘାତକ କେମିତି ହୋଇ ପାରିଲ ଅମିତ୍ ? ସାତ ଜନ୍ମ ପାଇଁ ମୋ ହାତ ଧରି ରହିବ ବୋଲି ଶପଥ କରି, ଅଧାରାସ୍ତାରେ ମୋତେ ଛାଡି ଚାଲିଗଲ।

ସେ ହାତକୁ ଧରି ସୁତପା ରାସ୍ତା ଉପରେ ଗଡିଗଡି କାନ୍ଦିବାକୁ ଲାଗିଲା। କିଏ ଜଣେ କହିବାର ଶୁଣାଗଲା-- ବିଚାରି ର ଭାଗ୍ଯ ଦେଖ। ଆଜି ପରି ଦିନରେ ଯମ ସ୍ତ୍ରୀ ଲୋକଟିର ସତ୍ଯବାନକୁ ନେଇଗଲା ଓ ପ୍ରାଣ ଛାଡିବା ସମୟରେ ସ୍ତ୍ରୀ ଲୋକଟି ତା ସତ୍ଯବାନକୁ ଦେଖି ମଧ୍ଯ ପାରିଲାନି।

ରାସ୍ତା ଉପରେ ଲୋଟି ପଡି କାନ୍ଦୁଥିଲା ଜଣେ ବିବର୍ଣ୍ଣ ସାବିତ୍ରୀ, ଯାହାର ସତ୍ଯବାନ ସବୁ ସ୍ବପ୍ନ କୁ ପାଦରେ ଆଡେଇ ଦେଇ ଚାଲିଯାଇଥିଲା ବହୁତ୍ ଦୂରକୁ।

************************

ସାବିତ୍ରୀ ଆବଦ୍ଧ ପରିବାର

Rate the content


Originality
Flow
Language
Cover design

Comments

Post

Some text some message..