Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SIPRA NAMTA

Inspirational

3  

SIPRA NAMTA

Inspirational

ଅର୍ଦ୍ଧ ରାଗ

ଅର୍ଦ୍ଧ ରାଗ

12 mins
14.4K


ମାନବୀକୁ ଆଜି ଖୁବ୍ ନିଃସହାୟ ଲାଗୁଛି । ଆପଣାର ଦୁଃଖ ସୁଖର ସାଥୀ ଅତି ଅନ୍ତଃରଙ୍ଗ ଘନିଷ୍ଠ ବାନ୍ଧବୀର କଟାକ୍ଷ-"କଣ ପାଇଲୁ ଏତେ ତ୍ୟାଗ କରି ??" ଖୁବ୍ ବ୍ୟଥିତ କରିଛି ଆତ୍ମାକୁ ତା'ର । କାହା ଠାରୁ ପ୍ରତିଦାନରେ କିଛି ପାଇବା ପାଇଁ ତ ସେ କୌଣସି କାମ କରିନି ।ତେବେ ଶୋଭା ତାକୁ ଭୁଲ ବୁଝିଲା କାହିଁକି ?? ଅନୁପମ ପାଇଁ ..........?! କିନ୍ତୁ ଅନୁପମକୁ ତ ସେ ସ୍ପଷ୍ଟ କରି କହିଛି ,, ଭାଇ ଭଉଣୀଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବା ପରେ ଯାଇ ତା'ର ବିବାହ ହେବ ଏବଂ ଅନୁପମ ମଧ୍ୟ ସେଥିରେ ସହମତ। ନିଜ ଅତୀତକୁ ଫେରିଗଲା ମାନବୀ ।************

                  ଖୁବ୍ ଅଳ୍ପ ବୟସରୁ ପିତୃହରା ହୋଇ ମାଆର କରୁଣ ଜୀବନ ସଂଗ୍ରାମକୁ ଅତି ପାଖରୁ ଦେଖିଆସିଛି ସେ । ବାପାଙ୍କ ଯିବା ପରେ ଯେମିତି ଅକାଳ ବଜ୍ର ପଡିଯାଇଥିଲା ପରିବାର ଉପରେ ।ସପ୍ତମ ଶ୍ରେଣୀର ଛାତ୍ରୀ ମାନବୀ ,ତା'ତଳକୁ ଶିବାନୀ ୪ର୍ଥ ଶ୍ରେଣୀ ରେ ପଢୁଥାଏ ଏବଂ ଭାଇ ଗୌରବ ସ୍କୁଲ

ଯିବା ଆରମ୍ଭ କରିଥାଏ ।ବାପା ବି କୌଣସି ସରକାରୀ ଚାକିରୀ କରି ନ ଥିଲେ ।ଏକ ବେସରକାରୀ କମ୍ପାନୀରେ ରାତ୍ରୀଜଗୁଆଳୀ ଭାବେ କାର୍ଯ୍ୟରତ ଥିଲେ । ଯାହା କିଛି ଆର୍ଥିକ ସାହାଯ୍ୟ ମିଳିଥିଲା ,ଅଭାବୀ ଘରକୁ ସମୁଦ୍ରକୁ ଶଙ୍ଖେ ପରି ।ତଥାପି କଷ୍ଟେ ମଷ୍ଟେ ସଂସାରକୁ ଚଳାଇବା ପାଇଁ ଅଣ୍ଟା ଭିଡି ବାହାରିଥିଲେ ମାଆ । ସିଲେଇ କରିବା ,ବଡି ,ଆଚାର ,ପାମ୍ପଡ଼ ଓ କିଛି ପ୍ରତିଷ୍ଠିତ ପରିବାରରେ ରୋଷେଇ କାମ କରି ଦି' ମୁଠା ଆହାର ଜୁଟାଇବା ସହିତ ପିଲାଙ୍କ ପୋଷାକ ପତ୍ର ଓ ପଢାପଢି ପାଇଁ ରୋଜଗାରର ପନ୍ଥା କାଢିଥିଲେ ।ମାନବୀ ମାଆର ସଂଘର୍ଷରେ ନିଜକୁ ସାମିଲ କରିନେଇଥିଲା ।ନିଜ ସହିତ ଭାଇ ଭଉଣୀଙ୍କୁ ନେଇ ଦିନ ବେଳେ ପଢା କାମ ସାରିଦିଏ ।ସନ୍ଧ୍ୟା ଆସନ୍ନ ମାତ୍ରେ ଘରେ ଚତୁର୍ଦ୍ଦିଗ ବହଳିଆ କଳା ଆସ୍ତରଣ ପରସ୍ତ ପରସ୍ତ ହୋଇ ମାଡିଯାଏ । ଖାଲି ମିଞ୍ଜି ମିଞ୍ଜି ହୋଇ ଛୋଟ ଏକ ବିଦ୍ୟୁତ ଆଲୋକ ସେ ଘନ ଅନ୍ଧକାରକୁ ଭେଦ କରିବା ଅତୀବ କଷ୍ଟସାଧ୍ୟ ମନେହୁଏ ମାନବୀକୁ ।ସେ ପୁଣି ଖାଇବା ସମୟରେ ।ତା'ପରେ ସେଇ କ୍ଷୁଦ୍ର ଆଲୋକଟିକୁ ନିର୍ବାପିତ ହେବାକୁ ପଡେ ଦାରିଦ୍ର୍ୟର ପଦାଘାତ ରେ ।

       ମାନବୀକୁ ଲାଗୁଥିଲା, ସେ ଏଣିକି ଆଉ ଛୋଟ ପିଲା ନୁହେଁ ,ବୋହୁବହୁକା ଧୂଳିଘର ଖେଳ ଖେଳିବାର ବୟସ ଆଉ ତା'ର ନାହିଁ । ସେ ବଡ ହୋଇଯାଇଛି । ଗୋଟେ ପରେ ଗୋଟେ ଶ୍ରେଣୀ ଡେଇଁ ଆଗକୁ ଚାଲୁଥିଲେ ମାନବୀ ସହିତ ଭାଇ ଓ ଭଉଣୀ ।ଦଶମ ପହଁଚିବା ବେଳକୁ ତଳ ଶ୍ରେଣୀର ପିଲାଙ୍କୁ ଟ୍ୟୁସନ କରିବାରେ ଲାଗିଥିଲା ମାନବୀ ।ଭାଇ ଭଉଣୀଙ୍କ ଯତ୍ନ ଓ ପାଠ ପଢିବାର ଦାୟିତ୍ୱ ଯେମିତି ଗୋଟାପଣେ ତା'ର ।ଘରକାମରେ ମାଆକୁ ସାହାଯ୍ୟ କରିବା ସହିତ ଭାଇଭଉଣୀଙ୍କ କଥା ବୁଝିବାର ସବୁ ଚାପ କେତେବେଳେ ଆପେ ଆପେ ତା'ଉପରେ ପଡିଯାଇଥିଲା ନିଜେ ବି ଜାଣିପାରି ନ ଥିଲା ।ଏଣିକି ପାଠର ଅଧିକ ଚାପ ପଡୁଥିଲା ବେଳେ ସମୟ ନିଅଣ୍ଟିଆ ହେଉଥିଲା ।ସେଥିପାଇଁ ଅନେକ ସମୟରେ ମନ୍ଦିର ବେଢାରେ ଜଳୁଥିବା ଆଲୋକକୁ ସାହାରା କରି ଭାଇ ଭଉଣୀଙ୍କୁ ନେଇ ସନ୍ଧ୍ୟା ବେଳେ ପଢିବାକୁ ବସୁଥିଲା ମାନବୀ ।କୃତିତ୍ତ୍ଵର ସହ ଦଶମ ଉତ୍ତୀର୍ଣ୍ଣ ହେଲା ପରେ ଘର ପାଖରୁ ପାଞ୍ଚ କିଲୋମିଟରରୁ ଉର୍ଦ୍ଧ୍ବ ଦୂରରେ ଥିବା କଲେଜରେ ଯୁକ୍ତଦୁଇ କଳା ଶ୍ରେଣୀରେ ନାମ ଲେଖାଇଥିଲା ମାନବୀ ।

     ବସ ଭଡା ବଞ୍ଚାଇବାକୁ ଛାତ୍ର ବୃତ୍ତି ପଇସାରୁ ସାଇକେଲଟିଏ କିଣିଥିଲା କଲେଜ ଯିବା ପାଇଁ । ସେଥିରୁ ଉତ୍ତୀର୍ଣ୍ଣ ହେବା ପରେ ଜଣେ ଅଧ୍ୟାପକଙ୍କ ସହାୟତାରେ ସି. ଟି. ଟ୍ରେନିଂ ନେଇ ସେଥିରେ ମଧ୍ୟ କୃତିତ୍ୱ ପ୍ରଦର୍ଶନ କରିଥିଲା ।ତା'ର ଦୁଇ ବର୍ଷ ପରେ ଶିକ୍ଷକ ଚାକିରୀଟିଏ ପାଇ ଆନନ୍ଦରେ ଆତ୍ମହରା ହୋଇଯାଇଥିଲା ।ନିଜ ଗୋଡରେ ନିଜେ ଠିଆ ହୋଇ ସ୍ବପ୍ନକୁ ସତ କରିପାରିଥିଲା ।ମାଆକୁ ଆଉ କାମ କରିବାକୁ ହେବନି ଏବଂ ଭାଇ ଭଉଣୀଙ୍କର ଉପଯୁକ୍ତ ତତ୍ୱାବଧାନ ହୋଇପାରିବ

ବୋଲି ......କେମିତି ଆତ୍ମମଗ୍ନତାରେ ହଜିଯାଇଥିଲା ମାନବୀ ।କିନ୍ତୁ ଚାକିରୀ କରିବା ପର ବର୍ଷ ହିଁ ହଠାତ ମାଆଙ୍କର ମୃତ୍ୟୁରେ ଦୁଃଖର ପାହାଡ ଭାଙ୍ଗିପଡିଥିଲା ତା'ଉପରେ ।ଓଃ.......ଏତେ ଦୁଃଖ ସତରେ ଭଗବାନ କେମିତି ଦିଅନ୍ତି ଯେ !!!!! ନିଜ ପାଇଁ କିଛି ସଜେଇ ଆଣୁଥିବା ସ୍ବପ୍ନକୁ ମନ ଭିତରେ କବର ଦେଇଦେଲା ସେ ।ଭାଇ ଭଉଣୀଙ୍କ ପାଠରେ ଖର୍ଚ୍ଚର ଜୋର ଧରୁଥିଲା ସେମାନଙ୍କୁ ଉପଯୁକ୍ତ ମଣିଷ କରିବା ପାଇଁ ନିଜକୁ ବାପାମାଆ ଉଭୟ ରୂପରେ ଠିଆ ହୋଇଥିଲା ସେ ।

        ଚାକିରୀ ପୋଷ୍ଟିଂ ୩୫ କି. ମି. ଦୂର ରେ ହୋଇଥିଲା ତା'ର ।ଦୁଃଖରେ ସହଭାଗୀ ହେବାକୁ ମିଳିଯାଇଥିଲେ ସହକାରୀ ଶିକ୍ଷୟିତ୍ରୀ ଶୋଭା ଓ ପ୍ରଧାନ ଶିକ୍ଷକ ।ବାସ୍ ଆଉ କିଛି ଅସୁବିଧା ଜାଣି ନାହିଁ ସେ । ୟା' ଭିତରେ ଅନେକ ବର୍ଷ ବିତିଗଲାଣି ।ଯେଉଁ ଆଶା ସେ ଦେଖିଥିଲା ଭାଇ ଭଉଣୀଙ୍କୁ ନେଇ ସେ ସ୍ବପ୍ନ ସତ ହୋଇଛି ।ଶିବାନୀ ଜଣେ କମ୍ପ୍ୟୁଟର ଇଞ୍ଜିନିଅର ଭାବେ ଚାକିରୀ କରିଥିବା ବେଳେ ଜଣେ ବ୍ୟାଙ୍କ ଅଫିସର ସହିତ ବିବାହ ଦେଇଛି ।ସାନ ଭାଇ ଗୌରବକୁ ଡାକ୍ତରୀ ପଢାଉଛି ।ତା'ର ପାଠପଢା ସରିଯାଇଛି ଆଉ ମାତ୍ର ୪ ମାସ ପରେ ସେ ଡାକ୍ତର ରୂପେ ପରିଗଣିତ ହେବ ।*************

              -"କଣ କହୁଛୁ ଶୋଭା ? ବାପାମାଆ କେବେ ନିଜ ସନ୍ତାନ ଙ୍କ ପାଇଁ କିଛି ପ୍ରତିଦାନ ଆଶା କରି କରନ୍ତି ??"ଅନ୍ତରରେ ଭୀଷଣ ଆଘାତ ପାଇ କହିଲା ମାନବୀ ।

 - "ତୋ ବୟସର ସମସ୍ତେ ବାହାସାହା ହୋଇ ସନ୍ତାନର ଜନକଜନନୀ ହେଲେଣି ।କିନ୍ତୁ ତୁ ଏକ ଭିନ୍ନ ପୃଥିବୀର ଏକ ନିଆରା ମଣିଷ "।ଶାଣିତ କଣ୍ଠ ଆଉ ତୀକ୍ଷ୍ଣ ଚାହାଁଣୀ ରେ କହିଲା --"ତୁ ପାଷାଣ ହୋଇଯାଇଛୁ ,ନୋଚେତ୍ ମହାମାନବୀଟେ ବନିଯାଇଛୁ କିନ୍ତୁ କସମିନକାଳେ ଆଉ ମାନବୀରେ ନାହୁଁ ।ତୋର କିଛି ଫିଲିଙ୍ଗସ ନାହିଁ ,ହାର୍ଟ ଲେସ ସୋଲ ।"

କହି ତା' କାନ୍ଧକୁ ଶକ୍ତ କରି ଝୀଂଯୋଡି ଦେଇ ଚାଲିଗଲା ।

ମାନବୀର ଓଠ ଥରି ଉଠୁଥିଲା ଉତ୍ତେଜନାରେ ସମଗ୍ର ଶରୀରରେ ରୋମକୁପ ଗୁଡିକରେ ବିଦ୍ୟୁତର ଶିହରଣ ଖେଳିଯାଉଥିଲା ବେଳେ ଯେପରି ରୋମ ଗୁଡିକ ଟାଙ୍କୁରି ଉଠୁଥିଲା କିନ୍ତୁ କିଛି କହିବା ପରିବର୍ତ୍ତେ ଅବସାଦ ଭରା ହୃଦୟରେ ବହାରିଆସିଲା ସେ କୋଠରୀରୁ । ସ୍କୁଲ ସମୟ ସରିଯାଇଥିଲା । ଆସନ୍ତାକାଲି ପାଇଁ ଛୁଟି ଦରଖାସ୍ତଟିଏ ଦେଇ ସେ ବସ ଷ୍ଟପେଜରେ ପହଞ୍ଚିଲା ।ଆହୁରି ପନ୍ଦର ମିନିଟ ପରେଦୀପଶିଖା (ବସ ) ଆସିବ ।ଦୀର୍ଘଶ୍ଵାସଟିଏ ଛାଡିଲା ସେ ।ଘରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଯିବ ।ରାତି ଆଠଟାରେ କିଛି ପିଲା ଟ୍ୟୁସନ ପଢିବା ପାଇଁ ଆସିବେ ।ହଠାତ କାହା ସମ୍ବୋଧନରେ ବେକ ଭାଙ୍ଗି ଚାହିଁଲା ମାନବୀ --"ଆରେ ଅନୁପମ !

ମୁହଁରେ ସ୍ମିତ ହସ ଖେଳାଇ କହିଲା ମାନବୀ ।

"ଏପଟେ ହଠାତ ......" ।

---"ହଁ ଟିକେ ଏ ସାଇଟରେ କାମ ଥିଲା ।ତୁମ ସହ ଦେଖା କରିବାକୁ ସ୍କୁଲ ଯାଇଥିଲି ।ବନ୍ଦ ଥିଲା ।ତେଣୁ ଏପଟେ ଚାଲି ଆସିଲି ।ହଉ ଗୋଟେ କାମ କର ,ଆସ ମୋ ସହିତ ...ବସ ,"ବାଇକ କୁ ଇଙ୍ଗିତ କରି କହିଲେ ଅନୁପମ ।

ମାନବୀ ଚାରିଆଡକୁ ଟିକେ ଚାହିଁ ନୀରବରେ ଆସି ବସିପଡିଲା ଅନୁପମ ପଛରେ ବାଇକରେ ।ଅଳ୍ପ କିଛି ବାଟ ଆସିବା ପରେ ମାନବୀ କହିଲା --"ପାଗ ଟା ଖରାପ ହେଲାଣି

ଶୀଘ୍ର ଚାଲ ବେଳ ଥାଉ ଥାଉ ପହଞ୍ଚି ଗଲେ ରକ୍ଷା ।"

---କାହିଁକି ...... ବର୍ଷା କୁ ଏତେ ଡର ନା ମୋ ସହ ଭିଜିବାକୁ ଡର ???

---କୋଉଥିରେ ବି ନୁହେଁ ବୋଲି ତୁମେ ଭଲ କରି ଜାଣିଛ ।

ତଥାପି ଏଇ ମଣିଷ ମାନଙ୍କର ନାଲି ଆଖି ଗୁଡାକୁ ଡର ଲାଗେ।

----ହେ ...ହେ ,କଥା ପଦେ କହିଲ ,ସତ ରେ ତୁମ ପରି ନାରୀ ଏ ଯୁଗ ରେ ବିରଳ ।ବାକଦତ୍ତା ହେଲା ପରେ ବି ଡର ????

ହଉ ଛାଡ ସେ କଥା ,ବୋଉକୁ ବୁଝାଇବା ଆଉ ସମ୍ଭବ ହେଉନି ମୋ ଦ୍ୱାରା ।ବାରମ୍ବାର କହିଲାଣି ,"ମୋ ବୋହୁ କୁ କେବେ ମୋ ପାଖକୁ ଆଣୁଛୁ ?" ସତ କହିବାକୁ ଗଲେ ମୁଁ ମଧ୍ୟ ଆଉ ପ୍ରତୀକ୍ଷା କରିପାରୁନି ।ଅନେକ କଷ୍ଟ ଏଇ ପ୍ରତୀକ୍ଷା କରିବା ମାନବୀ ।"

  ପବନଟା ଧୀରେ ଧୀରେ ଅମାନିଆ ହେଉଥିଲା ।ହଠାତ ବରକୋଳିଆ ଠୋପା ପକାଇବାକୁ ଆରମ୍ଭ କଲା ।ବ୍ୟସ୍ତ ହୋଇ ଅନୁପମ ରାସ୍ତା କଡରେ ଥିବା ମୋଟା ଗଛ ତଳେ ଗାଡିକୁ ଅଟକାଇଲେ ।ଆଖ ପାଖ ତିନି କି .ମି. ବ୍ୟାପୀ ଗୋଟେ କୁଡିଆ ଘର କିମ୍ବା ପାନ ଦୋକାନ ଖଣ୍ଡେ ହେଲେ ନାହିଁ ବୋଲି ନିତିଦିନିଆ ଯାତ୍ରୀ ମାନବୀକୁ ବେଶ ଜଣା । ବାଇକ ରୁ ଓଲ୍ହାଇବା ବେଳକୁ ବୁଲା କୁକୁର ଦୁଇଟି ସେଠାରେ ଆସ୍ଥାନ ଜମାଇ ଦେଇଥାନ୍ତି ।ପରସ୍ପର ଦେହସଂଲଗ୍ନ ହୋଇ ଠିଆ ହେଲେ ଦୁହେଁ ।ମେଘର ଗତି ପ୍ରଚଣ୍ଡ ହେଉଥିଲା ।ପବନର ତୀବ୍ରତା ସାଥିରେ ବିଜୁଳୀର ଦୁଇ ତିନୋଟି ତଡିତ ପ୍ରବାହ ଛାତି ଥରାଇ ଦେଉଥିଲା ।ଅନୁପମର ବାହୁକୁ ଶକ୍ତ କରି ଧରି ଥାଏ ମାନବୀ ଆଉ ମୁହଁରୁ କେବଳ ବାହାରୁ ଥାଏ "ହେ ପ୍ରଭୁ ରକ୍ଷାକର ।" ।ଅନୁପମ ଭୀଷଣ ଅଶ୍ୱସ୍ତିବୋଧ କରି କହିଲେ-"ଏମିତି ବର୍ଷା ହେବାର ଜାଣିଥିଲେ ତୁମକୁ ବରଂ ବସରେ ପଠାଇ ଦେଇଥିଲେ ଭଲ ହୋଇଥାନ୍ତା ।ଏ ବର୍ଷାରେ ଭିଜିଲେ ଦେହ ଖରାପ ସୁନିଶ୍ଚିତ ।"ମାନବୀର କାନରେ କୌଣସି କଥା ଵାଜୁ ନ ଥିଲା ।ନାରୀ ମନର ସୁକ୍ଷ୍ମ କୋଣରେ ଯେଉଁ ହୃଦୟ ଦୌର୍ବଲ୍ୟ ଟିକକ ପ୍ରେମିକା ଟିଏ ସାଜିବାର ଅଫୁରନ୍ତ ଉଲ୍ଲାସରେ ଅପର ହୃଦୟଟିକୁ ଜିଣିପାରେ ,ସେଥିପାଇଁ ବର୍ଷ ବର୍ଷ ଧରି ପ୍ରତୀକ୍ଷା କରିପାରେ ।କେବେ ....? କେବେ ଆସିବ ସେଇ ଦିନଟିକୁ ସେ ଚାହିଁ ବସିଛି ଯେଉଁ ଦିନ ସମାଜ ଆଗରେ ସେ ଅନୁପମର ପତ୍ନୀ ବୋଲି ସଗୌରବେ ପରିଚୟ ଦେଇ

ପାରିବ । ""ଏତେ ବର୍ଷ ଗଲାଣି ଆଉ ଦିନ କେଇଟା ଅପେକ୍ଷା କର "" କେତେବେଳେ ନିଜ ଅଜାଣତରେ ପାଟିରୁ ବାହାରି ଆସିଲା ମାନବୀର ।

-----"ତୁମକୁ ସତରେ ମୁଁ ଥରେ ଥରେ ବୁଝି ବି ବୁଝିପାରେନା ।

କୋଉଁ ଉପାଦାନରେ ଭଗବାନ ତୁମକୁ ଗଢିଥିଲେ କେଜାଣି ??" ବର୍ଷାର ବେଗ କମି ଆସୁଥିବା ବେଳେ ଚଡ୍ ଚଡ୍ କରି ବିଜୁଳୀ ଗୋଟାଏ ଆଖିଝଲସାଇ ଚାଲିଗଲା ।ଠାଏ ଠାଏ ଶବ୍ଦରେ ବସୁଧା ଵିଦୀର୍ଣ୍ଣ ହୋଇଗଲା ଯେମିତି । ମାନବୀ ଲୋଟିପଡିଲା ସେଇ ବଜ୍ରପାତରେ ଅନୁପମ ଉପରେ ।ଭୟଙ୍କର ଦେଖା ଯାଉଥିବା ପ୍ରକୃତିକୁ ଆଉ ବରଦାସ୍ତ କରି ହେଉନଥିଲା କିନ୍ତୁ ଅନ୍ୟ କୌଣସି ଉପାୟ ମଧ୍ୟ ନ ଥିଲା ଦୁହିଁଙ୍କ ପାଖରେ ।ଅନୁପମ ମାନବୀ ସହିତ ଘୁଞ୍ଚିଗଲେ ଆଉ ଟିକିଏ ଗଛର ଗଣ୍ଡି ପାଖକୁ ଏବଂ ଗଣ୍ଡିକୁ ଆଉଜି ବସିପଡିଲେ ଦୁହେଁ ।କିଛି ସମୟ ପରେ ବିଜୁଳିର ତୀବ୍ରତା ସାମାନ୍ୟ କମିବାରୁ ସେଠାରେ ରହିବା ଆଦୌ ନିରାପଦ ନୁହେଁ ବୋଲି କହି ଅନୁପମ ଓ ମାନବୀ ଗୃହାଭିମୁଖୀ ହେଲେ ।ରାସ୍ତା ସାରା ବର୍ଷାର ରିମଝିମ ତାନରେ ଅସ୍ତବ୍ୟସ୍ତ ହୋଇ ଘରେ ପହଁଚିଲା ବେଳକୁ ସନ୍ଧ୍ୟା ଗତ ହୋଇ ରାତ୍ରି ପ୍ରଥମ ପ୍ରହରକୁ ସ୍ୱାଗତ କରୁଥିଲା ବର୍ଷା ବିଭୋର ଧରିତ୍ରୀ ।ଚତୁର୍ଦ୍ଦିଗ ଅନ୍ଧକାର ।ବୋଧ ହୁଏ କରେଣ୍ଟ ନାହିଁ ।ଏହା ସ୍ୱାଭାବିକ ।ଅନୁପମ ମୋବାଇଲରେ ଲାଇଟ ଦେଖାଇବାରୁ ମାନବୀ ଚାବି ଖୋଲିଲା ।ଘର ଭିତରକୁ ନ ପଶି ଅନୁପମ କହିଲେ ---"ଏମିତିରେ ତ ସମ୍ପୂର୍ଣ୍ଣ ଓଦା ,ବସିବା ବି ସମ୍ଭବ ନୁହେଁ ,ମୁଁ ଆସେ ....କିଛି ଡିସ୍କସନ କରିବାର ଥିଲା ...ହଉ ପରେ କେତେବେଳେ ହେବା ।" କହି ଚାଲିଯିବାକୁ ଉଦ୍ୟତ ହେଉଥିବା ବେଳେ ମାନବୀର କଥା ଶୁଣି ରହିଗଲେ । "କାହିଁକି ମୋ ପାଖରେ ତା'ର ବିକଳ୍ପ ଅଛି ।

ଭିତରକୁ ଆସ ...."ଚାର୍ଜର ଲାଇଟଟି ଟେବୁଲ ଉପରେ ରଖୁ ରଖୁ କହିଲା ମାନବୀ । "ଏଇ ନିଅ .....ବଦଳେଇ ଦେଇ ବସ ......ଏତେ ବର୍ଷାରେ ଭିଜି ଆସିଲେ ଚା'କପେ ନ ପିଇ ଚାଲିଯିବ ?ଏତେ ଅକୃତଜ୍ଞ ମୁଁ ??? ତମେ ବଦଳାଇ ବସ ମୁଁ ବି ଆସୁଛି "କହି ମାନବୀ ଅନୁପମ ହାତରେ ଚଉତା ହୋଇଥିବା ସମ୍ବଲପୁରୀ ଶାଢୀ ଖଣ୍ଡେ ଦେଇ ଅନ୍ୟ ପଟକୁ ଯାଉଥିବା ସମୟରେ ବିଜୁଳିବତୀ ଆସିବାରୁ ମାନବୀ ସଙ୍ଗେ ସଙ୍ଗେ ଫ୍ୟାନ ସୁଇଚ କୁ ଫୁଲ୍ ସ୍ପୀଡ଼ରେ ଦେଇ ଅନ କରିଦେଲା ।

"ବାଃ ମୁଁ ପ୍ରକୃତରେ ଭାଗ୍ୟବାନ ।ବୋଉ ସେଇଥିପାଇଁ ତୁମକୁ ଝୁରି ହେଉଛି ।ତା ଦେହଖରାପରେ ତୁମେ ଯେଉଁ ସେବାଯତ୍ନ କରିଛ ......."ଅନୁପମ ପାଟିରେ ହାତ ଦେଇ କଥା ବନ୍ଦ କରିଦେଲା ମାନବୀ --" ଛିଃ ସେମିତି କହି ମୋତେ ତଳକୁ କରିଦିଅନି ।ସେଇଟା ମୋ କର୍ତ୍ତବ୍ୟ ଥିଲା ।" ଏଥର ନିଜକୁ ସମ୍ଭାଳି ପାରିଲେନି ଅନୁପମ । ମାନବୀକୁ ନିଜ ସହିତ ଦେହଲଗ୍ନା କରି କହିଲେ "ସେଇଥିପାଇଁ ତ ମୁଁ କହିଲି ,କାରଣ ମୋ ସାଙ୍ଗ ସାଥୀ ମାନେ ଘର ସଂସାର କରି ମଧ୍ୟ ଏମିତି ସେବା ଟିଏ ପାଉନାହାନ୍ତି ।"

----"ବାସ ବାସ ସେତିକି ଥାଉ ।ପ୍ରଶଂସା ପରେ କରିବ, ପ୍ରଥମେ ପାଲଟି ଦିଅ । ଥଣ୍ଡା ଧରିଯିବ ।ମୁଁ ସିନା କାଲି ପାଇଁ ଛୁଟି ଆଣିଛି ।ତୁମର ତ ନ ଥିବ ନା ।"

ମାନବୀ ଶୁଖିଲା ଲୁଗା ବଦଳାଇ ରୋଷେଇ ଘରେ ପଶିଲା । କିଛି ପକୁଡି କରିବାର ଆୟୋଜନ କଲା ସେ ।ଅନୁପମ ଚଉତା ଶାଢୀକୁ ବଦଳଉ ବଦଳଉ ପ୍ରଶ୍ନ କଲେ "ଛୁଟି କଣ ପାଇଁ ?"

ଫ୍ୟାନ ତଳେ ପ୍ୟାଣ୍ଟ ସାର୍ଟକୁ ଶୁଖାଇବାର ଚେଷ୍ଟା ଚାଲିଥିଲା ଅନୁପମଙ୍କର ।ମାନବୀ କରିଥିବା ପକୁଡି ଖାଇ ଓ ଚା'ପିଇ ଅନୁପମ ଯିବାକୁ ବାହାରିଲେ ।ସେଇ ଦରଶୁଖିଲା ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଆଉ ଇଛା ନ ଥିଲା ତାଙ୍କର ।କିନ୍ତୁ ଉପାୟ ନ ଥିଲା ।

ମାନବୀର ମନେପଡ଼ିଗଲା ଅନୁପମର ଜନ୍ମଦିନ ପାଇଁ ହଳେ ପ୍ୟାଣ୍ଟ ସାର୍ଟ ଆଣି ରଖିଛି ।ସେଇଟା ସରପ୍ରାଇଜ ଦେବାକୁ ଠିକ୍ କରିଥିଲା ସେ ।ଏବେଏ ପରିସ୍ଥିତିରେ ସାଇତି ରଖିଥିବା ଉପହାରକୁ କାମରେ ଲଗାଇଦେଲା ସେ ।

---"ଆଜି ମୋ ରାଶି ଫଳ ବହୁତ ଭଲ ବୋଲି ଦେଖୁଛି ।ଏଇଟା କୋଉ କାମ ପାଇଁ ଆସିଥିଲା ଶୁଣେ ?? ଯୋଉଟା ପାଇବା କଥା କିନ୍ତୁ ମିଳୁନି ।ହଉ ତୁମେ କାଲି ବୋଉ ପାଖକୁ ଗଲେ ସେ ତୁମକୁ ସବୁ ବୁଝେଇଦବ ।"

ପକୁଡି ମେଞ୍ଚେ ଟିଫିନରେ ବୋଉଙ୍କ ପାଇଁ ପଠାଇଛି ମାନବୀ ।ଇଛା ହେଉଥିଲା କହିଦେବା ପାଇଁ"ମୋତେ ଆଉ ମୋ ଇଚ୍ଛାରେ ରଖନା ଅନୁପମ ।ତୁମ ଇଛା ଟିକୁ ଜୋର କରି ମୋ ପାଖରୁ ଆଦାୟ କରିନିଅ ।ଅନୁପମ ଚାଲିଗଲେଣି କେତେବେଳୁ ସେ କିନ୍ତୁ ଭାବନା ରାଜ୍ୟରୁ ମୁକୁଳି ପାରୁନାହିଁ ।

          ଶୋଭାର କେଉଁ ଏକ ସମ୍ପର୍କୀୟ ହେବେ ଅନୁପମ ।

କୃଷିଉଦ୍ୟାନ ବିଭାଗରେ କାର୍ଯ୍ୟରତ ।କିଛି ଚାରାଗଛ ପାଇଁ ଶୋଭା ନେଇଯାଇଥିଲା ଅନୁପମର ଅଫିସକୁ ।ସେଇଠାରୁ ହିଁ ଭଲପାଇବାର ଅଙ୍କୁରୋଦଗମ ହେଲା ଅନୁପମ ଏବଂ ତା' ମଧ୍ୟରେ ।ଭଲପାଇବାର ୠତୁଟି ଚାରି ପାଞ୍ଚ ବର୍ଷ ହେଲାଣି କଡ଼ ଲେଉଟୁଛି ।କଥା ଥିଲା ଶିବାନୀ ଓ ଗୌରବ ଆତ୍ମନିର୍ଭରଶୀଳ ହେବା ପରେ ଅନୁପମର ପତ୍ନୀ ହେବାର ସାମାଜିକ ଅଧିକାରଟି ମିଳିଯିବ ।ଶିବାନୀର ଦାୟିତ୍ୱ ନିର୍ବାହ କରିବାରେ ସଫଳତା ହାସଲ କରିସାରିଛି ସେ ।ଏବେ ଖାଲି ଗୌରବ ପାଇଁ ଅପେକ୍ଷା ।

ଏଇ କିଛି ବର୍ଷରେ ଅନୁପମର ପରିବାର ଠାରୁ ଅନାବିଳ ସ୍ନେହ ଶ୍ରଦ୍ଧା, ଭଲପାଇବା ଓ ମାତୃତ୍ବର ମମତା ଭିତରେ ବାନ୍ଧି ହୋଇଯାଇଛି ସେ ।ଏକମାତ୍ର ସନ୍ତାନ ହିସାବରେ ଅନୁପମର ଇଛା ବିରୁଦ୍ଧରେ ପିତାମାତା କୌଣସି କଥାରେ ଆପତ୍ତି କରିନାହାନ୍ତି ।ଦୁଇବର୍ଷ ତଳେ ଅନୁପମଙ୍କ ପିତା ଅସୁସ୍ଥ ହେବାରୁ ମାନବୀ ତାଙ୍କର ଅନେକ ସେବା ଶୁଶ୍ରୁଷା କରିଥିଲା ।ଗୋଟିଏ ଝିଅର ସ୍ନେହ ମମତା ଠାରୁ ଆରମ୍ଭ କରି ଗୋଟେ ବୋହୁର ସେବାଯତ୍ନ ପର୍ଯ୍ୟନ୍ତ ସବୁକିଛି ଅର୍ପଣ କରିଛି ।ଛୁଟି ନେଇ ରାତିଦିନ ଡାକ୍ତରଖାନାରେ ରହି ଭାବୀ ଶ୍ୱଶୁରଙ୍କ ସେବାରେ କାର୍ପଣ୍ୟ କରି ନ ଥିଲା ସେ ।

                 କିନ୍ତୁ ଫୁସଫୁସରେ କର୍କଟ ରୋଗ ଆଉ ଭଲ ହୋଇପାରିଲାନି କିମ୍ବା ମାନବୀର ରକ୍ତଦାନ ଓ ସେବାଯତ୍ନ ତାଙ୍କ ଜୀବନ କୁ ବଞ୍ଚାଇ ରଖିପାରିଲା ନାହିଁ ।ଅବଶେଷରେ ତାଙ୍କ ଇଛା ପୂରଣ କରିବାକୁ ଯାଇ ତାଙ୍କ ଅନ୍ତିମ ଶଯ୍ୟାରେ ଅନୁପମ ମାନବୀର ମଥାରେ ସିନ୍ଦୁରଟୋପେ ଦେଇ ବାପାଙ୍କ ଆତ୍ମାକୁ କୌଣସି ପ୍ରକାରେ ଶାନ୍ତି ଦେଲେ ।ଏକ ମାତ୍ର ପୁଅ ହିସାବରେ ବାପା ମାଆଙ୍କ ଇଚ୍ଛାପୁର୍ତ୍ତି କରି ନ ପାରିବାର ଗ୍ଲାନିଟା ମାନବୀ ପାଖକୁ ସଂଚରି ଆସେ ।

          କିନ୍ତୁ ନିଜ ଜନ୍ମଦାତ୍ରୀ ମାଆକୁ ଦେଇଥିବା ପ୍ରତିଶୃତିରୁ ଓହରି ପାରେ ନାହିଁ ।ଅନୁପମ ତା'ପ୍ରତିଶୃତିକୁ ସମ୍ମାନ ଦେଇଛନ୍ତି ,ସବୁଥିରେ ତାକୁ ସହାୟତା କରିଆସିଛନ୍ତି ।କେବଳ ସାମାଜିକ ବନ୍ଧନ ଟିଏ ବାକି ରହିଯାଇଛି ତା' ନିଜ ପାଇଁ ।ଅନୁପମଙ୍କ ସିନ୍ଦୁର ଦାନ ପର ଠାରୁ ସେ ଆଉ ତାଙ୍କ ବୋଉକୁ ଭାବୀ ଶାଶୁ କି ଭାବୀ ଶ୍ୱଶୁର ବୋଲି ଭାବେ ନାହିଁ ଶାଶୁ ଶ୍ୱଶୁର ରୂପେ ଗ୍ରହଣ କରେ ଏବଂ ବାପା, ବୋଉ ବୋଲି ଡାକେ ।ସେଇ ଦିନ ଠାରୁ ସେ ଅନୁପମର ବାକଦତ୍ତା ବୋଲି ନିଜକୁ ପରିଚୟ ଦେବାର ବର୍ଷ ଟିଏ ଛୁଇଁଲାଣି ।ଶ୍ୱଶୁରଙ୍କ ଦେହାନ୍ତ ପରେ ଶାଶୁଙ୍କର ଭୀଷଣ ଶାରୀରିକ ଓ ମାନସିକ ଅସୁସ୍ଥତା ତାକୁ ଦାରୁଣ ସ୍ଥିତିରେ ପକାଇଦେଇଥିଲା ।ନିଜ ବାପାମାଆ ,ଶ୍ୱଶୁରଙ୍କୁ ହରାଇ ସାରିବା ପରେ ଆଉ କୌଣସି ଦୁର୍ଘଟଣାର ସମ୍ମୁଖୀନ୍ନ ହେବା ପାଇଁ ତା'ର ହୃଦୟ ବିଦ୍ରୋହ କରିଉଠିଥିଲା ।ରାତି ରାତି ଉଜାଗର ରହି ସେ ଶାଶୁଙ୍କର ସେବା କରିଛି ।ଔଷଧ ଠାରୁ ଆରମ୍ଭ କରି ମଳ,ମୂତ୍ର ,ସବୁ ସଫା କରିଛି ଏଇ ହାତରେ ।ନିଜ ଆଞ୍ଜୁଳା ପାତିଦେଇଛି ଶାଶୁ ବାନ୍ତି କଲାବେଳେ ବିକାରହୀନ ହୋଇ ।ଗୋଡ ହାତରେ ତେଲ ମାଲିସ କରି ସତେଜ ରଖିଛି । ଅନୁପମ ପରିବାରର ଜ୍ଞାତିକୁଟୁମ୍ବ ମାନବୀର ପରିସ୍ଥିତି ସହିତ ଅଜ୍ଞାତ ନୁହଁନ୍ତି ।ତେଣୁ ତାଙ୍କ ଘରେ ତା'ର ଅବାଧ ଚଳପ୍ରଚଳ ।

        ମୋବାଇଲ ରିଙ୍ଗ ହେବାର ଶବ୍ଦ ରେ ପ୍ରକୃତିସ୍ଥ ହେଲା ମାନବୀ । ଶିବାନୀର ଫୋନ।ବେଶ ଭଲମନ୍ଦ ବିଷୟ କଥା ହେବା ପରେ ସାରମର୍ମ ଥିଲା ଶିବାନୀର,, ପତି ଶୁଭଙ୍କର ମାନବୀର ବିବାହ ନ ହେବା ପର୍ଯ୍ୟନ୍ତ ସନ୍ତାନ ଉତ୍ପତ୍ତିକୁ ବିରୋଧ କରିଛନ୍ତି ।ଶିବାନୀର ମାତୃତ୍ବ ତା' ପାଇଁ ଅଟକିଛି ।

ଅବିଶ୍ୱାସ୍ୟ ଲାଗୁଛି କାନକୁ କଥାଟା ।ଆଃ .......ଛାତିଟା ବିନ୍ଧି ହୋଇଗଲା ସେ କଥା ଶୁଣିବା ପରେ ।ଶୁଷ୍କ କଣ୍ଠରେ ଯାହା ସମସ୍ତଙ୍କ ପାଇଁ ଭଲ ହେବ ସେଇୟା କରିବା ଉଚିତ ବୋଲି ତାକୁ ଉତ୍ତର ଦେଲା ପରେ ଶିବାନୀ ର ବାଷ୍ପରୁଦ୍ଧ କଣ୍ଠର କୋହ ସବୁ ଉଭେଇ ଗଲା ପରି ଲାଗିଲା ମାନବୀକୁ ।ତା 'କଣ୍ଠରେ ଯେମିତି ଉଲ୍ଲାସ ସଂଚରି ଗଲା ମାନବୀର ତଥାସ୍ତୁରେ ।ଆଜି ଦୀର୍ଘ ବର୍ଷ ପରେ ଶିବାନୀ ପାଖରୁ ଯାହା ଶୁଣିଲା ନିର୍ବାକ ହୋଇଗଲା ।"ହେ ପ୍ରଭୁ ତୁମେ ହିଁ କେବଳ ମୋତେ ଏ ଦୁଃଶ୍ଚିନ୍ତାରୁ ମୁକ୍ତ କରିପାରିବ ।ଅନୁପମ ପିନ୍ଧିଯାଇଥିବା ଶାଢୀ ଉପରେ ନଜର ପଡିଲା ତା'ର ।ଅତି ଅସହାୟ ହୋଇ ସାଉଁଟି ଆଣି ଜାକି ଧରିଲା ଛାତିରେ ।ଆଖିରୁ ଧାର ଧାର ହୋଇ ଲୁହ ଝରି ଭିଜାଇ ଦେଲା ଶାଢୀର କିଛି ଅଂଶ ।

           ପାହିଗଲା ରାତି ।ଗତାନୁଗତିକ ଧାରାରେ ଜୀବନ ଆଗେଇଚାଲେ ।ସମୟ କାହାକୁ ଅପେକ୍ଷା କରେନାହିଁ ବରଂ ସମସ୍ତଙ୍କୁ ତା ସହିତ ତାଳ ଦେଇ ଚାଲିବାକୁ ପଡେ ।ବିତିଯାଉଥିଲା ଦିନ ।ଅବଶେଷରେ ବହୁ ପ୍ରତୀକ୍ଷମାଣ ଦିବସଟି ମଧ୍ୟ ଉପନୀତ ହେଲା ,ଯେତେବେଳେ ସାମାଜିକ ରୀତିନୀତି ଓ ବୈଧତା ଅନୁସାରେ ମାନବୀକୁ ଅନୁପମ ସହିତ ଯୋଡି ଦିଆଗଲା ।କିଛି ଦିନର ବ୍ୟବଧାନ ପରେ ସେ ଏକାଧାରରେ ପାଲଟିଗଲା ଭଗିନୀ, ଜାୟା ,ଜନନୀ ,ଧାତ୍ରୀ ।ସବୁରି ମୁହଁରେ ମାନବୀର ଗୁଣର ପ୍ରଶଂସା ।ପ୍ରତ୍ୟେକଙ୍କ କାମରେ ତା'ର

ଉପସ୍ଥିତି ଏକାନ୍ତ ଆବଶ୍ୟକ । ଅନୁପମର ଚାକିରୀ କ୍ଷେତ୍ରରେ ଅଭାବନୀୟ ବଦଳି ଖବରକୁ ସାହସର ସହିତ

ଜଣେ ସାମ୍ବାଦିକ ବନ୍ଧୁଙ୍କ ଜରିଆରେ ବାତିଲ କରିଦେଇ ପାରିଲା ।ସେଦିନ କଥା ଛଳରେ ଅନୁପମ ମାନବୀ ହାତ ଧରି କହିଲେ ---ତୁମ ପରି ଅର୍ଦ୍ଧାଙ୍ଗିନୀ ଟିଏ ପାଇ ମୋ ଜୀବନ ଧନ୍ୟ ହୋଇଛି । ତୁମକୁ ଭଗବାନ ମାନବୀ ତ ନୁହେଁ ମହାମାନବୀ କରି ଗଢି ତୋଳିଥିଲେ ।ଏତେ ତ୍ୟାଗ, ନିଷ୍ଠା ,ସ୍ନେହ, ପ୍ରେମ ,ମମତା ,ଓ କର୍ତ୍ତବ୍ୟ ନିଷ୍ଠା କେବଳ ମହାମାନବଙ୍କ ପକ୍ଷରେ ସମ୍ଭବ ହୋଇଥାଏ । "

----ସେମିତି କୁହନି ......ମୁଁ ତୁମ ଜୀଵନ ର ଅର୍ଦ୍ଧ ରାଗ ହେଲେ ତୁମେ ମୋର ପୂର୍ଣ୍ଣ ରାଗ ।ତୁମରି ପୂର୍ଣ୍ଣତାକୁ ନେଇ ମୋର ଅସ୍ତିତ୍ବ । ଦେଖ ...ତ ମୋର ସୁଖକୁ .................ତୁମ ସମସ୍ତଙ୍କ ସ୍ନେହ ,ଆଦର ସଦିଛା ଯୋଗୁଁ ଆଜି ସବୁକିଛି ସମ୍ଭବ ହୋଇପାରିଛି ।ଶେଷ ଆଡକୁ କଣ୍ଠ ତା'ର ବାଷ୍ପରୁଦ୍ଧ ହୋଇ ଆସୁଥାଏ ।ଆଖିରୁ ଦି' ଟୋପା ଲୁହ ଚିକ ଚିକ କରୁଥାଏ ମାନବୀର ।

                  ଏ ଲୁହ ସୁଖ ର ,ଆନନ୍ଦର ,ଜୀବନ ସାରା କର୍ତ୍ତବ୍ୟର ପୁଞ୍ଜି ବିନିମୟରେ ଏ ଲୁହ ,ଜୀବନର ଦୁର୍ଗମ ସାରଣୀରେ ପଥ ପରିଷ୍କାର କରି ଆଗେଇବାର ସଫଳତାର ଲୁହ ,ଜୀବନ ସଂଗ୍ରାମରେ ଉଚିତ ରୂପେ ମୁକାବିଲା କରିପାରିଥିବାର ଲୁହ ।ପ୍ରତି ମୁହୂର୍ତ୍ତର ଭାବନାର ସଞ୍ଚିତ ମୂଲ୍ୟ ଏ ଲୁହ ।ଏ ଲୁହ ତାକୁ ସାହସ ଦିଏ,ଧୈର୍ଯ୍ୟଦିଏ ,ଆଗକୁ ବଢିବାର ପଥ କଢ଼ାଇ ନିଏ ।ଏମିତି ଚାଲିଥିବ ସେ ଜୀବନର ଅନ୍ତିମ ପର୍ଯାୟ ପର୍ଯ୍ୟନ୍ତ ନିରବିଛିନ୍ହ ଭାବରେ ...........ପଛକୁ ଘୁରି ଚାହିଁବାର ବେଳ ଆଉ ଯେ ନାହିଁ ,ତାକୁ ଅର୍ଦ୍ଧାଙ୍ଗିନୀର ସକଳ ଅର୍ଦ୍ଧରାଗ ପୂର୍ଣ୍ଣରାଗରେ ପରିଣତ କରିବାରେ ଆଉ ଅନୁପମର ଘରକୁ ନିଜ ହାତର କାଉଁରୀ ପରଶରେ ସ୍ୱର୍ଗର ନନ୍ଦନବନର ପାରିଜାତ ଫୁଟାଇବାରେ ତା' ନାରୀତ୍ବର ସାର୍ଥକତା ପ୍ରତିପାଦନ କରିବାରେ................।

                          -------------------

              

   


Rate this content
Log in

Similar oriya story from Inspirational