କର୍ମ ହିଁ ଶ୍ରେଷ୍ଠ
କର୍ମ ହିଁ ଶ୍ରେଷ୍ଠ
ଶୁଭ ନାରାୟଣ ଶତପଥୀ
ଚାଲିଛି ରଥଯାତ୍ରା । କାହିଁ କେତେଆଡୁ ଭକ୍ତ , ଦର୍ଶନାର୍ଥୀ ଛୁଟିଛନ୍ତି ରଥାଯାତ୍ରା ଦେଖିବାକୁ । ସକାଳୁ ସକାଳୁ ରତନା ହାତରେ ଖବରକାଗଜ ବିଡାଟିଏ ଧରି ବୁଲିବୁଲି ବିକ୍ରି କରୁଛି । ଏମିତିକା ଖବରକାଗଜ ବିକ୍ରି କରିବା ତା’ର ନିତିଦିନିଆ କାମ । ସ୍କୁଲ ଯିବାପୂର୍ବରୁ ସେ କିଛି ଖବର କାଗଜ ବିକ୍ରି କରି ଯାହା ରୋଜଗାର କରେ ସେଥିରେ ତା’ର ପାଠପଢା ଖର୍ଚ୍ଚ ଚଳିଯାଏ । ପିଲାଦିନରୁ ବାପା ମା’ ଛେଉଣ୍ଡ ହୋଇଥିଲେ ମଧ୍ୟ ରତନା କେବେ ଅନ୍ୟ ଉପରେ ନିର୍ଭର କରେ ନାହିଁ । ଏଣେ ରଥଯାତ୍ରା ଗହଳି ଭିତରେ ଖବରକାଗଜ ବିକ୍ରି କରିବା ବେଳେ ତା’ର ନଜର ପଡ଼ିଲା ଚାଇନା ଉପରେ । ଆଖିରେ କଳା ଚଷମା ଓ ହାତରେ ବାଡ଼ିଟିଏ ତାର । ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଛି ଭିକ୍ଷା ମାଗିବାକୁ । ଅନ୍ଧ ପିଲାଟିଏ ବୋଲି ଭାବି ଲୋକମାନେ ତାକୁ ଯଥେଷ୍ଟ ଦାନ ଦେଉଥାନ୍ତି । ଚାଇନା ଦିନକୁ ପାଞ୍ଚଶହ ଟଙ୍କାରୁ ଉର୍ଦ୍ଧ୍ୱ ଭିକ୍ଷାରୁ ପାଇଯାଏ । ଚାଇନାର ଏପରି କାର୍ଯ୍ୟକଳାପ ଦେଖି ରତନା କହିଲା ତୁ ଏମିତି କେତେଦିନ ଅନ୍ୟମାନଙ୍କୁ ଠକି ଚାଲିଥିବୁ ? କାମ କରି ରୋଜଗାର କର । ସହଜରେ କିଛି ଅର୍ଥ ପାଇଯାଉଥିବାରୁ ଚାଇନା ଜମାରୁ ରତନାର କଥାକୁ କାନ ଦେଉନଥାଏ । ସେଦିନ ଜଣେ ବିଦେଶୀ ନାଗରିକ ଚାଇନାର ଥାଳିରେ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ୍ ପକାଇ ଦେଲା । ଲୋଭ ସମ୍ଭାଳି ନପାରି ଚାଇନା ଥାଳିରୁ ଟଙ୍କାକୁ ସଙ୍ଗେ ସଙ୍ଗେ ପକେଟ୍ରେ ଭର୍ତ୍ତି କରି ଦେଲା । ଏହା ଦେଖି ଲୋକମାନେ ଚାଇନାକୁ ସନ୍ଦେହ କଲେ । ତୁରନ୍ତ ଚାଇନା ସେଠାରୁ ଖସି ଚାଲିଗଲା । ତା’ପରଠାରୁ ଚାଇନା ଅନ୍ୟ ରାଜ୍ୟକୁ ଚାଲିଗଲା ଭିକ୍ଷା କରିବାକୁ ।
ଦିନପରେ ଦିନ ଗଡିଚାଲିଲା । ରତନା ବିଦେଶରେ ଚାକିରି କଲାଣି । ଚାଇନା ସେମିତି ଭିକ ମାଗୁଛି । ଥରେ ଏଇ ରଥଯାତ୍ରାରେ ଧାଡି ହୋଇ ବସିଥିବା ଦୁଃଖିମାନଙ୍କୁ କିଛି ପଇସା ରତନା ବାଣ୍ଟୁଥିବା ବେଳେ ଚାଇନାକୁ ଦେଖିଲା । ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ୍ ତା’ ଥାଳିରେ ପକାଇଦେଇଥାଏ ରତନା । ସଙ୍ଗେ ସଙ୍ଗେ ଚାଇନା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ତା’ର ମନେ ପଡ଼ିଗଲା ପିଲାବେଳର ସେ ରଥଯାତ୍ରା ଦିନର କଥା । ୟା ଭିତରେ ଚାଇନା ଲୋକମାନଙ୍କୁ ଠକୁଥିବା କାରଣରୁ ତିନିଚାରିଥର ଜେଲ ଦଣ୍ଡ ଭୋଗି ସାରିଲାଣି । ଚାଇନା ଭାବୁଥାଏ , ମୁଁ ଯଦି ରତନା କଥା ସେତେବେଳେ ଶୁଣିଥାନ୍ତି ଓ ପାଠପଢି ପରିଶ୍ରମ କରି ରୋଜଗାର କରିଥାନ୍ତି , ତେବେ ସମାଜରେ ଜଣେ ଭଲ ମଣିଷଟିଏ ହୋଇ ପାରିଥାନ୍ତି । ରତନା ହୃଢମନା , କଠିନ ପରିଶ୍ରମୀ ହୋଇଥିବାରୁ ସେ ସଫଳତା ପାଇଲା । ଚାଇନା ସହ କଥା ହୋଇ ରତନା ତାକୁ ସାଙ୍ଗରେ ନେଇ ଚାଲିଗଲା । ସେଦିନଠୁ ଚାଇନା ରତାନାର ଫାର୍ମ ହାଉସ୍ ଠାରେ କାମ କରି ରୋଜଗାର କରୁଛି ଓ ଚଳୁଛି । ଏବେ ବୁଝିପାରିଲା କର୍ମଠାରୁ ଶ୍ରେଷ୍ଠ ଏଦୁନିଆରେ କିଛି ନାହିଁ ।