Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er. Bijaya Kumar Senapati

Tragedy

2  

Er. Bijaya Kumar Senapati

Tragedy

ଦୀନବଂଧୁ ସାର୍

ଦୀନବଂଧୁ ସାର୍

4 mins
7.6K


ବାଂଗର କାଟର ଲୋକଟିର ଟାଂଗରା ମୁଣ୍ତରେ କେତେଯେ ମସଲା ଭରିରହିଥାଏ କଳନା କରିବା କଷ୍ଟ | ସଂସ୍କୃତ ସାହିତ୍ଯରେ ଅଗାଧ୍ଯ ପାଣ୍ତିତ୍ଯ । ନିଜେ ଲେଖିବା ସହ ଗାହାଣ ହୋଇ ସୁନ୍ଦର ପାଲା ପରିବେଷଣ କରିବାର ଦକ୍ଷତା ରଖନ୍ତି | ଶ୍ରୋତା ମାନଂକୁ ବାନ୍ଧି ରଖିପାରନ୍ତି,ଘଣ୍ଟା ଘଣ୍ଟା ଧରି । ମଝିରେ ମଝିରେ ରସେଇ ମଜେଇ ସମାଜ ସୁଧାରର ବାର୍ତ୍ତା ବି ଦିଅନ୍ତି ପାଲା ମାଧ୍ଯମରେ । ଦୃରଦୂରାନ୍ତ ରୁ ଲୋକମାନେ ଧାଇଁଆସନ୍ତି ତାଂକ ପାଲା ଶୁଣିବାକୁ | ସେ ଆଉ କିଏ ନୁହନ୍ତି,ଆମ ପ୍ରାଇମେରୀ ସ୍କୁଲ୍ ର ହେଡ୍ ମାଷ୍ଟର,ଦୀନବଂଧୁ ସାର୍ | ଛାତ୍ରବତ୍ସଳ,ସ୍ନେହୀ ଓ ଅମାୟିକ ବ୍ଯକ୍ତିତ୍ବ | ସେତେବେଳେ ମଧ୍ଯାନ ଭୋଜନର ବ୍ଯବସ୍ଥା ନ ଥିଲା । ସେ ଆମମାନଂକୁ କେବେକେବେ ନିଜ ପକେଟ୍ ରୁ ଘୁଘୁନି କିଣି ଖୁଆନ୍ତି ଓ ପାଠ ନ ସରିବା ଯାଏ ବସେଇଥାନ୍ତି, ସ୍କୁଲ୍ ଟାଇମ୍ ସରିବା ପରେବି ।

କେତେବର୍ଷ ହେଲା ସେବାନିବୃତ ହୋଇସାରିଲେଣି । ନିଜ ଗଁ।ରେ ଖଣ୍ତେ ବଖୁରିକିଆ ପକ୍କାଘରେ ରୁହନ୍ତି । ଆମେ ମାନେ କଲେଜ୍ ଛୁଟିରେ କେବେ କେବେ ତାଂକ ପାଖକୁ ଯାଉ | ସେ କାହାକୁ ଡାକ୍ତର , କାହାକୁ ଇଂଜିନିୟର୍ ,କାହାକୁ ମାଷ୍ଟର ତ କାହାକୁ କଲେକ୍ଟର୍ ବୋଲି ଡାକନ୍ତି | ଆମେ ନିଶ୍ଚୟ କିଛି କରିବୁ ବୋଲି ତାଂକର ଦୃଢ ବିଶ୍ବାସ ଥାଏ । ଆମର ବି ନିଜ ଉପରେ ବିଶ୍ବାସ ବଢିଯାଇଥାଏ । କିଛି ସମୟ ଆମେ ପୁଣି ସେଇ ପୂର୍ବଦିନର ସ୍ମୃତି ଚାରଣ କରିଥାଉ | ସେ ଖୁସିରେ ଆତ୍ମହରା ହୁଅନ୍ତି | କିଏକିଏ କହନ୍ତି ସେ ବିପତ୍ନିକ ହେବା ପରଠୁଁ ସାଇର ସବୁପିଲାଂକୁ ଡାକି ନିଜଘରେ କ ଭ କରାଇ ସମୟ ଅତିବାହିତ କରନ୍ତି |

ତାଂକର ଏକ ମାତ୍ର ପୁଅ ଭୂବନେଶ୍ବରରେ ସଚିବାଳୟରେ କିରାଣୀ ଅଛି | ସେ ତା ପରିବାର ନେଇ ସେଠାରେ ରହେ | ଆମେ କିନ୍ତୁ ତାଂକୁ କେବେବି ଭେଟ ପାଉନା | ପଚାରିଲେ, ସାର୍ ସେ କଥାକୁ ଏଡାଇଦେଇ ଭଲରେ ଅଛନ୍ତି ବୋଲି କୁହନ୍ତି |

ଏଇ କେତେଦିନ ହେବ ସାର୍ଂକ କଥା ବହୁତ ମନେପଡୁଛି | ଚାକିରୀ ରେ ଯୋଗଦେବାପରେ କର୍ମ ବ୍ଯସ୍ତତା ଯୋଗୁଁ ତାଂକ ପାଖକୁ ଯିବା ଆସିବା କମିଯାଇଛି,ଅନିଛା ସତ୍ତ୍ବେ | ସାଂଗ ମାନେ ବି କେହି କିଛି ଖବର ଦେଇପାରୁନାହାନ୍ତି,ତାଂକ ସଂପର୍କରେ | ଅଗତ୍ଯା ଶନିବାର ଦିନ ବାହାରି ପଡିଲି ଗାଁ ଅଭିମୁଖେ | ରବିବାର ବଡି ଭୋରୁ ସାର୍ଂକ ଘରକୁ ବାହାରିପଡିଲି | ବହୁଦିନର ବ୍ଯବଧାନ ପରେ ଗାଁକୁ ଯାଇଥିବାରୁ ମୋତେ ସବୁକିଛି ଅଲଗା ଅଲଗା ଲାଗୁଥିଲେବି କିଛି ବଦଳି ନଥିଲା,ଗାଁର ପକ୍କା ରାସ୍ତା ଛଡା | ଦଶ ମିନିଟ୍ ର ପ୍ରାତଭ୍ରମଣ ପରେ ତାଂକ ଘର ସମ୍ମୁଖରେ ଦଣ୍ତାୟମାନ ହେଲି | ସାର୍ ତ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଲୋକ ! ଦ୍ବାର କବାଟ ବନ୍ଦ ଥିବାର ଦେଖି ସନ୍ତର୍ପଣରେ କବାଟରେ କରାଘାତ କରିଲି । କିଛି ସମୟ ପରେ ଜଣେ ମଧ୍ଯ ବୟସ୍କା ମହିଳାଂକ ଆବିର୍ଭାବ ମୋତେ ଚକିତକଲା |

ପଚାରିଲି , ସାର୍ ନାହାନ୍ତି କି ?

--କୋଉ ସାର୍ ?

ଦୀନବଂଧୁ ସାର୍ ।

---ନାଁ,ସେ ଏଠି ରହନ୍ତିନି |

ଆଗରୁ ତ ରହୁଥିଲେ ନା ?

--- ତାଂକ ପୁଅ ଠୁ ଅାମେ ଏଘର କିଣିଛୁ |

ସିଏ ଏବେ କୋଉଠି ?

--- ଜଣାନାହିଁ |

କହୁକହୁ କବାଟ ଦୁଇଟି ଧଡ୍ କରି ବଂଦ ହୋଇଗଲା | ବହୁ ଅସମାହିତ ପ୍ରଶ୍ନର ଉତ୍ତର ଦେବାକୁ ମୋ ପାଖରେ କେହି ଉପସ୍ଥିତ ନଥିଲେ | କବାଟରେ ମରାଯାଇଥିବା କୃପାଳୁଜୀ ମହାରାଜଂକର ପ୍ରସନ୍ନ ମୁଦ୍ରାର ଫଟୋଟି ଆଶିର୍ବାଦ ଦେଇଚାଲିଥିଲା,ପୂର୍ବ ପରି|

ପରେ କିଏ କହିଲା,ତାଂକ ପୁଅ ଘରଡିହ ବିକି ଦେଲାପରେ,ସେ ଘରଛାଡି କୁଆଡେ ଚାଲିଯାଇଛନ୍ତି ଅବା କେଉଁ ବୃଦ୍ଧାଶ୍ରମ ରେ ନିଜ ପେନସନ୍ ଜମାକରି ରହୁଥିବେ !

ଜୀବନଯାକ ହାଡଭଂଗା ପରିଶ୍ରମ କରି,ନିଜପେଟରୁ କାଟି ପିଲାଛୁଆଂକୁ

ବଢେଇ ଥିବା ବାପା ମାଂକୁ ଯଦି ବୃଦ୍ଧାବସ୍ଥାରେ ନିଜ ପିଲାଏ ଅଣଦେଖା କରିବେ , ସେମାନଂକର ଉପାୟ କଣ ? କିଏ କିଏତ ରାସ୍ତା କଡରେ ଭିକମାଗିବାକୁ ବି ପଛାନ୍ତିନାହିଁ | ଆଉ କିଛି ସ୍ବାଭିମାନୀ ମାଆ ବାପା ମାନେ ଟ୍ରକ୍ ଅବା ଟ୍ରେନ୍ ଆଗକୁ ଡେଇଁପଡିଥାନ୍ତି, ନିଲଠା ଜୀବନରୁ ମୁକ୍ତି ପାଇଁ |ସାର୍ଂକ ଚିନ୍ତା ରେ ଭାରକ୍ରାନ୍ତ ହୋଇପଡୁଥିଲି ମୁଁ ବେଳକୁ ବେଳ |

ସନ୍ତୁଳିତ ମନରେ ଫେରିଲି ନିଜର କର୍ମସ୍ଥଳି କୁ ।

ମୋର ବଂଧୁ ଜୀବନାନଂଦ କୁ ଫୋନ୍ ରେ ସବୁକଥା କହିଲି ଓ ଦାୟିତ୍ବଦେଲି ସାର୍ଂକ ବିଷୟରେ ଭୂବନେଶ୍ବର ଯାଇ ତାଂକ ପୁଅଠୁଁ ବୁଝିବା ପାଇଁ | ଦୁଇ ସପ୍ତାହପରେ ସେ ନିରାଶବାଣୀ ଶୁଣାଇ କହିଲା ଯେ ,ସେ କାଳେ ପାଗଳହୋଇଯାଇଥିଲେ,ପତ୍ନୀବିୟୋଗ ପରେପରେ| ଭୂବନେଶ୍ବର ଆଣିବା ବେଳେ ନିଖୋଜ ହୋଇଯାଇଛନ୍ତି,ଭଦ୍ରକ ଷ୍ଟେସନ୍ ରୁ | ପୋଲିସ୍ ରେ ସେ ଏତାଲା ଦେଇଦେଇଛନ୍ତି |

କିଛିଦିନର ବ୍ଯବଧାନ ପରେ ପୁରୀ ରଥଯାତ୍ରା ଦେଖିଯାଇଥିବା ବେଳେ ହଠାତ୍ ଜଣେ ବାଂଗରା ଚନ୍ଦାମୁଣ୍ତିଆ ଲୋକ ଉପରେ ମୋ ଦୃଷ୍ଟି କାହିଁକି ଲାଖିରହିଲା| ଏକ ଅଜଣା କୌତୁହଳରେ ମୁଁପିଛା କରିବାକୁ ଲାଗିଲି,ସେ ଗେରୁବସ୍ତ୍ରପିନ୍ଧା ସାଧୁଂକୁ ଯିଏକି କୃପାଳୁ ମହାରାଜଂକ କୀର୍ତ୍ତନ ଦଳର ପୁରୋଧା ଥିଲେ| ବଡକଷ୍ଟରେ ଭିଡ ଏଡାଇ ପାଖରେ ପହଂଚିଲି| ଅଜାଣତରେ ପାଟିରୁ ବାହାରିଗଲା,ସାର୍ ଆପଣ ? ମୁହଁରେ ହାତଦେଇ ଚୁପ୍ ରହିବାକୁ ଇଂଗିତ ଦେଇ ଅନୁସରଣ କରିବାକୁ ଏକପ୍ରକାର ନିର୍ଦେଶ ଦେଲେ |

ଆଶ୍ରମର ଏକ ନିବୃତ କକ୍ଷରେ ସାର୍ ମୋତେ ବସାଇଦେଇ କିଛି ଖିଚୁଡିଆଣି ମୋ ହାତରେ ଧରାଇଦେଲେ। ତାଂକ ମୁହଁରେ ଚିନ୍ତାକି ଶୋଚନାର ଲେଶ ମାତ୍ର ଚିହ୍ନବର୍ଣ ନଥିଲା| ମୁଁ କିଛି ପଚାରିବା ଆଗରୁ ସେ ନିଜ ତରଫରୁ କହିଲେ, ତୁମକୁ ଦୁଇଟି କାମ ଦେବି | ମୁଁଜାଣେ ତୁମେ ମୋ ପାଇଁ ନିଶ୍ଚୟ କରିବ| ମୋର ଆଗ୍ଯାଧୀନ ଛାତ୍ର ନା ତୁମେ |

କୋହ ସମ୍ବରଣ କରି ନପାରି ମୁଁ ଭେଁକରି କାଂଦିଉଠିଲି,ଛୋଟପିଲାଟିଏ ପରି | ସେ ମୋ ଆଖିରୁ ଲୁହପୋଛିଦେଉଦେଉ କହୁଥିଲେ ଏ ମଣିଷ ଜନ୍ମଟା ହଡ ଅନିଶ୍ଚିତତା ର ଖେଳରେ ବାବୁ | କେତେବେଳେ କି ମୋଡନେବ,ସଭିଂକୁ ଅଜଣା|ଦମ୍ଭ,ସାହସ,ଧୈର୍ଯ୍ୟ ହିଁ ତୁମକୁ ସାହାଯ୍ୟ କରିବ,ପ୍ରତି ମୁହୁର୍ତ୍ତରେ |

ମୋର ପ୍ରଥମ କାମ ତୁମପାଇଁଯେ,ଆମର ଏ ସାକ୍ଷାତ ଓ ମୋର ଠିକଣା କେବଳ ତୁମ ଓ ମଧ୍ଯରେ ଗୋପନ ରଖିବ,ଅନ୍ତତଃ ମୋର ମୃତ୍ଯୁ ପର୍ଯ୍ଯନ୍ତ ।ଦ୍ବିତୀୟ କାମ ଟି ଦରକାର ବେଳେ ମୁଁ ଠିକ୍ ସମୟ ପୂର୍ବରୁ ଚିଠିରେ ଲେଖି ଜଣାଇଦେବି | କିଛି ସମୟ ଆଶ୍ରମରେ ବିତାଇଲା ପରେ ସାର୍ ମୋତେ ବିଦାୟ ଦେବାକୁ ଫାଟକ ପର୍ଯ୍ୟନ୍ତ ଆସିଲେ | ମୁଁ ପାଦଧୂଳି ନେବାପାଇଁ ନଇଁପଡିବାରୁ ସେ ନିଜ ଛାତିରେ ମୋତେ କୁଣ୍ଢାଇ ଧରିଲେ। ଅଜାଣତ ରେ ତାଂକ ଅାଖିରୁ କେଇବୁନ୍ଦା ଲୁହ ଝରିପଡିଥିଲା,ମୋ କାନ୍ଧରେ ।

କିଛିଦିନ ପରେ ଖଣ୍ଡେ ଚିଠି ମିଳିଲା ସାର୍ଂକ ଠାରୁ | ଦେହ ଭଲରହୁନି|ଆତ୍ମାପକ୍ଷୀ ଛଟପଟ ହେଲାଣି ପରମାତାତ୍ମା ରେ ମିଳନ ଲାଗି | ଆଶ୍ରମରେ କହି ରଖିଛି କିଛିଅଘଟଣ ହେଲେ ଫୋନ୍ ରେ ଜଣାଇଦେବେ| ଇଂଜିନିୟର୍ ବାବୁ ! ଏଇଟା ତୁମପାଇଁ ଦିତ୍ବୀୟ କାମ| ହଁ ମୋ ଜନ୍ମକରା ପୁଅକୁ କେବେବି ଛୁଇଁବାକୁ ଦେବନି ମୋ ମୃତ ଶରୀର କୁ | କାରଣ ସଂପର୍କକୁ ବୋଝ ଭାବୁଥିବା କାପୁରୁଷ ଗୁଡାଂକୁ ମୁଁ ଘୃଣାକରେ| ତୁମକୁ ମୁଁ ମୋ ପୁଅ ପରି ଭାବୁଛି | ତୁମେହିଁ ମୋତେ କାଂଧ ଦେବ,ନିଅଁ। ଦେବ।

ମନ କହୁଥାଏ ଏହିପରି ଅସଂଖ୍ଯ କାମ କରିବାକୁ ମୋର କୁଣ୍ଠା ନାହିଁ ସାର୍ | ତୁମର ସବୁ କିଛି କଥା ମୁଁ ନିଶ୍ଚୟ ପାଳନ କରିବି |

ଦୁଇବର୍ଷ ତଳେ ଠିକ୍ ଆଜିର ଦିନରେ ,ମୁଁମୋ ସାର୍ଂକ ଚିତାଭସ୍ମକୁ ଭସାଇ ଦେଇ ଆସିଥିଲି ମହୋଦଧୀରେ । ପାଣି ଆଞୁଳାରେ ଟେକିଧରି ମାଗିଥିଲି ଈଶ୍ବରଂକୁ,"ହେ ଈଶ୍ବର ! ଯଦି ପୂନର୍ଜନ୍ମ ସତ,ମୋ ସାର୍ଂକୁ ମୋକୋଳକୁ ଫେରାଇଦିଅ !"

ତା 24/05/18 ରିଖ ।

@ବିଜୟ କୁମାର ସେନାପତି,ଭଦ୍ରକ


Rate this content
Log in

Similar oriya story from Tragedy