ଠାକୁର ଓ ନୋଟବନ୍ଦୀ ର ସାଇଡ ଇଫେକ୍ଟ
ଠାକୁର ଓ ନୋଟବନ୍ଦୀ ର ସାଇଡ ଇଫେକ୍ଟ
ଅନନ୍ତ ଶୟନରେ ଶାୟିତ ଲୀଳାମୟ ଭଗବାନ ବିଷ୍ଣୁ । ପାଖରେ ମା ଲକ୍ଷ୍ମୀ । ବୈକୁଣ୍ଠ ପୁର ସମ୍ମୁଖରେ ଦଣ୍ଡାୟମାନ କିଛି ଦେବ,ଦେଵୀ ଗଣ । ସମସ୍ତଙ୍କର ଅଭିଯୋଗ ସମାନ। "ମାତା ଲକ୍ଷ୍ମୀ, ଆମେ ସମସ୍ତେ ବଡ଼ ଅଦ୍ଭୁତ ଅସୁବିଧାରେ ପଡିଛୁ। ପ୍ରଭୁଙ୍କୁ ଟିକେ ଆମ କଥା ଜଣାନ୍ତୁ।" ମା ଲକ୍ଷ୍ମୀ କହିଲେ, " ପ୍ରଭୁ ଏବେ ଯୋଗନିଦ୍ରାରେ। ଯାହା କହିବା କଥା ମୋତେ କୁହନ୍ତୁ।"
ଟିକିଏ ମୁହଁ ଚାହାଁଚାହିଁ ହୋଇ ସେମାନେ କହିଲେ, " ପ୍ରଭୁଙ୍କୁ ବା କଣ ଅଛପା ? ଭାରତରେ ଏବେ ନୋଟ ବନ୍ଦୀ ଯୋଗୁଁ ବଡ଼ ନୋଟ ସବୁ ଅଚଳ। ଭକ୍ତମାନେ ସେଇ ଅଚଳ ଟଙ୍କା ସବୁ ଆମ ମନ୍ଦିର ହୁଣ୍ଡିରେ ପକାଇ ଦେଇ ଚାଲିଯାଉଛନ୍ତି। ଆମେ କଣ କରିବୁ ? ଏଇ ସୁଯୋଗରେ ମନ୍ଦିର କର୍ମକର୍ତ୍ତା ମାନେ ହୁଣ୍ଡିରେ ଥିବା ସାନ ନୋଟ ଓ ଖୁଚୁରା ନେଇ ,ନିଜର ଅଚଳ ବଡ଼ ନୋଟକୁ ବି ବଦଳାଇ ଦେଉଛନ୍ତି। ସମସ୍ତେ ସାଧୁ ହେବାକୁ ଚେଷ୍ଟା କରି ଆମକୁ ଅସାଧୁ କରୁଛନ୍ତି। ବ୍ୟାଙ୍କକୁ ଆମେ କି ସଫେଇ ଦେବୁ ? ଠାକୁର ହୋଇ ଆମ ପାଖରୁ ଯଦି ଅଧିକ ଅଚଳ ନୋଟ ବାହାରେ, ତେବେ ବଦନାମ ତ ଆମେ ହେବୁ।ଆମକୁ ଉପାୟ କୁହ ମା।"
ଗମ୍ଭୀର ସ୍ୱରରେ ଲକ୍ଷ୍ମୀ କହିଲେ, " କାହାକୁ ଆପଣ ଅଭିଯୋଗ କରିବାକୁ ଆସିଛନ୍ତି ? ଖୋଦ ଭଗବାନ ବିଷ୍ଣୁଙ୍କ ବଡ଼ ବଡ଼ ମନ୍ଦିର ହୁଣ୍ଡିରେ ପରା କୋଟି କୋଟି ଅଚଳ ନୋଟ ଯୋଗୁଁ ଇନକମ ଟ୍ୟାକ୍ସ ବିଭାଗରୁ ନୋଟିସ ଆସିଛି ।ଧନ,ସମ୍ପତ୍ତିର ଦେବୀ ହିସାବରେ ଏସବୁ ଝାମେଲା ପାଇଁ ସେ ମୋତେ ଦାୟୀ କରୁଛନ୍ତି । ଆପଣ ମାନେ କୁହନ୍ତୁ ଦୋଷ କାହାର ?କିଏ ଦାୟୀ ? ଏକସ୍ୱରରେ ସବୁ ଦେବ ଦେବୀ ମାନେ କହିଉଠିଲେ," ଏସବୁ ନାଟର ଗୋବର୍ଦ୍ଧନ ହେଲେ......କାହିଁକି କେଜାଣି ସମସ୍ତେ ଚୁପ୍ ହୋଇଗଲେ। ଯୋଗନିଦ୍ରାରେ ହସୁଥିଲେ ବିଷ୍ଣୁ।
(ନୋଟବନ୍ଦୀ ଘୋଷଣାର ବର୍ଷ ପୂର୍ତ୍ତ ଉପଲକ୍ଷେ)
(ଅରବିନ୍ଦ ଦାସ)