Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purusottam Mishra

Inspirational Tragedy

4.8  

Purusottam Mishra

Inspirational Tragedy

ଅନ୍ତିମ ସୂର୍ଯ୍ୟ

ଅନ୍ତିମ ସୂର୍ଯ୍ୟ

12 mins
865


ପୁରୁଷୋତ୍ତମ ମିଶ୍ର

ମୁଁ ପ୍ରତିବର୍ଷ ଖରା ଦିନ ଛୁଟି ଟି ମୋ ମାମୁଁ ଘର ସନ୍ଥମାଧବ ଶାସନରେ ଖେଳି,ବୁଲି ଓ ଅଳ୍ପ ପଢ଼ି କଟାଏ । ସେ ବର୍ଷ ମୋର ସପ୍ତମ ପରୀକ୍ଷା ସରିଯାଇଥାଏ ଓ ଅଷ୍ଟମ ଶ୍ରେଣୀ ପାଇଁ ବହି ସବୁ ଯୋଗାଡ଼ ବି ହେଇସାରିଥାଏ । ମୋ ମାମୁଁଘରେ ଖରାଦିନିଆ ସକାଳ ସବୁ ଭାରି ସୁନ୍ଦର । ଉଠୁ ଉଠୁ ସ୍କୁଲ କିମ୍ବା ଟିୟୁସନ ର ଚିନ୍ତା ନଥାଏ କି ଡେରି ରେ ଉଠିଲେ ଆଉ ବାପାଙ୍କ ଗାଳିଶୁଣିବା ର ଟେନସନ ବି ନଥାଏ ।

ମୁଁ ସେଦିନ ସକାଳୁ ମାଇଁଙ୍କ ଠାରୁ ରୁଟି ଓ ଭଜା ଖାଇ ବସିଗଲି ମାମୁଁଙ୍କ ପାଖରେ ଗଣିତ ପଢ଼ିବାକୁ । ମାମୁଁ ମୋତେ ୧0ଟା ଅଙ୍କ କରିବାକୁ ଦେଇ ସମାଜ ସାପ୍ତାହିକ ଧରି ବସିଗଲେ ଗପ ପଢିବାକୁ, ମୁଁ ମଝିରେ ମଝିରେ ଦେଖିବାକୁ ଚେଷ୍ଟା କରୁଥିଲି ମାମୁଁ କୋଉ ଗପ ପଢୁ ଛନ୍ତି କିନ୍ତୁ ମୋତେ କେବଳ ସ୍ପଷ୍ଟ ଭାଵେ ଦୃଶ୍ୟ ହେଉଥିଲା 4-5-2008 ଯାହା ସେଦିନର ଡେଟ୍ ଥିଲା, ଏଇ ସମୟରେ ମାମୁଁ ଘର ଗାଁର ଦିବାକର ମିଶ୍ର ନିଜ ସାଥିରେ ନିଜ ଝିଅ କୁ ଆଣି ସେଠାରେ ମାମୁଁଙ୍କ ପାଖେ ଛାଡ଼ିଦେଇଗଲେ । ଝିଅଟି ଚପଲ ପିନ୍ଧି ନଥିବାରୁ ତାତିଲା ଚଟାଣ ଉପରେ ଡେଇଁ ଡେଇଁ ଆସୁଥିଲା । ମୁଁ ଟିକେ ହସିଦେଲି ଆଉ ମୋ ହସ ଦେଖି ମାମୁଁ ମୋତେ ଗାଳି କଲେ କିନ୍ତୁ ସେ ଝିଅ କିଛି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ । ରଜ ଛୁଟି ସରିବା ପର୍ଯ୍ୟନ୍ତ ସେ ପ୍ରତିଦିନ ମାମୁଁଙ୍କ ପାଖକୁ ପଢିବାକୁ ଆସୁଥିଲା ଏବଂ ସେ ଓ ମୁଁ ମିଶି ମାମୁଁଙ୍କ ପାଖେ ଗଣିତ ଓ ବିଜ୍ଞାନ ପଢ଼ୁଥିଲୁ । ଏ ଭିତରେ ମୁଁ ଜାଣିସାରିଥାଏ ତା ନାଁ ଇପ୍ସିତା ମିଶ୍ର । ମାମୁଁ ତାକୁ ଡାକୁଥିଲେ ଇପି । ମୁଁ କିନ୍ତୁ ତାକୁ ସେହି ଇପ୍ସିତା ହିଁ ସମ୍ବୋଧନ କରୁଥିଲି ।

ସେ ବି ଅଷ୍ଟମ ରେ ପଢୁଥିଲେ ମଧ୍ୟ ପୁରୁଣା ନବମ ଶ୍ରେଣୀ ଗଣିତ ବହିଟେ ସାଙ୍ଗରେ ଧରି ଆସୁଥିଲା । ମଝିରେ ମଝିରେ ନବମ ବୀଜଗଣିତ ର କେତୋଟି ପ୍ରଶ୍ନର ସମାଧାନ କରୁଥିବା ମୁଁ ଦେଖୁଥିଲି । ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲାରୁ ସେ କହିଲା, "ଏଇଟା ମୋ ବଡ଼ବାବାଙ୍କ ପୁଅ ଟୁନୁ ନନାର ବହି । ତାକୁ ତାଙ୍କ ଟିୟୁସନ୍ ସାର୍ ଯାହା ପାଠ ପଢ଼ା ଦିଅନ୍ତି ସେ ମୋତେ ଦେଇଦିଏ କରିଦେବା ପାଇଁ ।"

--କିନ୍ତୁ ସେଇଟା ତ ନବମ ଗଣିତ ? ତୁ କେମିତି କରିପାରୁଛୁ ?

--ମୁଁ କଣ ସବୁ କରିପାରୁଛି ? ଉଦାହରଣ ଦେଖି ଯେତିକି ଆସୁଛି ସେତିକି କରିଦେଉଛି ନା । ଘରେ ନବମ ପାଠ କଲେ ବାପା ରାଗୁଛନ୍ତି ଆଉ ଟୁନୁନନା ତାଙ୍କ ଘରେ ମାଡ଼ ଖାଉଛି ବୋଲି ଏଠିକି ନେଇଆସିଛି । ବିଷ୍ଣୁସାର୍ ଆସିବା ଆଗରୁ ଗୋଟେ ଦୁଇଟା ଗଣିତ କରି ଦେଉଛି ।

ମୁଁ ଆଶ୍ଚର୍ଯ୍ୟ ହୁଏ ଝିଅଟାର ଗଣିତ ପ୍ରତି ଏତେ ଆଗ୍ରହ ଦେଖି । ସେ କେବେ ବି ଅଙ୍କଟିଏ ଭୁଲ କରେନି । ମାମୁଁ ବି ତା ବିଚକ୍ଷଣ ମେଧାରେ ଖୁବ୍ ଖୁସି ହୁଅନ୍ତି । ମୋର କେବେ ପାଠ ଭୁଲ୍ ହେଲେ କହନ୍ତି, "ଇପି ତା କାନ କୁ ମୋଡି ଦୁଇ ଚଟକଣା ମାରେ ତ, ଅକଲ ଆସିଯାଉ ସେ ମୂର୍ଖ ର "। ଇପ୍ସିତା ମୋ କାନ ନମୋଡ଼ି ଖାଲି ହସେ । ଆମେ ଦୁଇ ଜଣ କିନ୍ତୁ ସେହି ସ୍ୱଳ୍ପ ସମୟ ଭିତରେ ଖୁବ ଭଲ ସାଙ୍ଗ ହୋଇ ଯାଇଥିଲୁ । ମୋ ଡାକ ନାମ ଗୁଲସନ୍ ହେଇଥିବା ସତ୍ୱେ ସେ ମୋତେ ଗୁଲିସୁନ ଡାକି ଚିଡ଼ଉଥିଲା ।

ସେହି ସପ୍ତମ ପରୀକ୍ଷା ପରଠୁ ପ୍ରତିବର୍ଷ ଖରା ଦିନ ଛୁଟିରେ ଆମର ଦେଖା ସାକ୍ଷାତ ହେଉଥିଲା । ଇତି ମଧ୍ୟରେ ମୁଁ ମାଟ୍ରିକ ପରୀକ୍ଷା ଦେଇ ଅପେକ୍ଷା କରିଥାଏଁ ପରୀକ୍ଷା ଫଳକୁ । ଫଳ ବାହାରିଲା ମୁଁ 600 ରୁ 532 ମାର୍କ ରଖି ପ୍ରଥମ ଶ୍ରେଣୀ ରେ ଉତୀର୍ଣ୍ଣ ହେଲି । ମାମୁଁଙ୍କ ଠାରୁ ଜାଣିବାକୁ ପାଇଲି ଇପ୍ସିତା 535 ମାର୍କ ରଖି ରେଭେନସା ବିଶ୍ୱବିଦ୍ୟାଳୟ ରେ ପଢୁଛି । ମୁଁ ତାକୁ ୟା ଭିତରେ ଥରେ ଦି ଥର ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ତା ସହ ଆଉ କୌଣସି କଣ୍ଟାକ୍ଟ ରେ ନଥିଲି । ମୁଁ ଯୁକ୍ତ ଦୁଇ ପଢିବା ପରେ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ରେ ଆଡ଼ମିଶନ ନେଲି । ସେହି ସମୟରେ ଜାଣିବାକୁ ପାଇଲି ଇପ୍ସିତା ବୁର୍ଲା ସ୍ଥିତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟ ରେ ଡାକ୍ତରୀ ପଢୁଛି । ଶୁଣିବାକୁ ପାଇଥିଲି ପ୍ରଥମ ଚେଷ୍ଟାରେ ସେ ମେଡିକାଲ ଏଣ୍ଟ୍ରାନ୍ସ ଭଲ rank ରଖି ଉତୀର୍ଣ୍ଣ ହେଇଛି ।

ଇତି ମଧ୍ୟରେ ପାଞ୍ଚ ଛ ବର୍ଷ ବିତି ଯାଇଥିଲା । ମୁଁ ବ୍ୟସ୍ତତା ଭିତରେ ଆଉ ମାମୁଁ ଘରକୁ ବେଶି ଯାଇପାରି ନଥିଲି । କିନ୍ତୁ ମାମୁଁଘର କଥା ମନେ ପଡ଼ିଲେ ସବୁଠୁ ଆଗ ଇପ୍ସିତା ର ଶାନ୍ତ ସରଳ ଚିତ୍ର ଟା ମୋ ଆଖି ଆଗରେ ଆଙ୍କି ହେଇ ଯାଉଥିଲା । ତା ପତଳା ଶରୀର, କୁଞ୍ଚୁକୁଞ୍ଚିଆ କେଶ, ବଡ଼ ବଡ଼ ସ୍ଥିର ଦୁଇଟି ଚକ୍ଷୁ ଓ ଖିଲି ଖିଲି ହସ ତ ଜୀବନରେ କେବେ ଭୁଲିବାର ନୁହଁ । ଏବେ ସେ କେମିତି ଦିଶୁଥିବ ଆଉ ମୋତେ ଚିହ୍ନି ମୋ ସହ କଥା ହେବକି ନାହିଁ ମୁଁ ଜାଣିବାକୁ ଚାହୁଁଥିଲି ।

ଇପ୍ସିତା ସମ୍ବନ୍ଧୀୟ ଆଉ ଏକ ଘଟଣା ଆଜି ବି ମୋର ସ୍ପଷ୍ଟ ମନେ ଅଛି । ନବମ ଶ୍ରେଣୀ । ଜୁନ ମାସ । ରଜ ଆଉ ଅଳ୍ପଦିନ ଥାଏ । ମାଇଁ ତାଙ୍କ ବାପଘରୁ କୁ ଦୁଇଦିନ ପାଇଁ ଯିବାକୁ ବାହାରିଥିଲେ । ପାଖରେ ତାଙ୍କ ଘର ।ମୋତେ ବି ରିକ୍ସା ରେ ବସେଇ ସାଙ୍ଗରେ ନେଇଗଲେ । ସେଠି ବି ସବିତା ର ଭଣଜା ବୋଲି ମୋର ଖାତିର କାହିଁରେ କଣ । ଫେରିଲା ବେଳକୁ ମୋର ନୂଆ ପ୍ୟାଣ୍ଟ ଶାର୍ଟ, ମାମୁଁ ଝିଅ ବୁନିର ଫ୍ରକ୍ ଓ ମାଇଁଙ୍କର ନୂଆଶାଢ଼ି କିଣା ହେଇ ଆସିଲା । ମାଇଁଙ୍କର ଛୋଟ ଝିଆରୀଟେ ଥିଲା, ଝୁନା । ମୋରି ବୟସର । ପ୍ରଚଣ୍ତ ଗଧୀ । ତାର ପୁରୁଣା ଡ୍ରେସ କେଇହଳ ମାଇଁ ମାଗି କରି ଆଣିଲେ । କହିଲେ, "ଆମ ଘର ପାଖରେ ଗରିବ ଝିଅଟେ ଅଛି । ବହୁତ ଭଲ ପଢେ । ହଳକୁ ଛାଡ଼ି ଆଉ ଦୁଇ ହଳ ଫ୍ରକ୍ ବି ନାହିଁ ବିଚାରୀ ର । ଝୁନା ତ ଏସବୁ ପିନ୍ଧୁନି । ତାକୁ ଦେଲେ ସେ ବଡ଼ ଖୁସି ରେ ପିନ୍ଧନ୍ତା " ।

ମୁଁ ଭାବୁଥିଲି କିଏ ସେ ଗରିବ ଭଲ ଛାତ୍ରୀ ଟି ? ମୁଁ ବି ଦେଖେ ଇପ୍ସିତା ପ୍ରତିଦିନ ସେହି ନୀଳ ଖଇରୀ ରଙ୍ଗର ଫ୍ରକ୍ କୁ ଛାଡ଼ି ଅନ୍ୟ କିଛି ପୋଷାକ ପିନ୍ଧି କରି କୋଉଦିନ ଆସେନି । ଆମେ ନଥିଲୁ ବୋଲି ଇପ୍ସିତା ପଢ଼ିବାକୁ ଆସିନଥିଲା । ରବିବାର ସକାଳେ ମାଇଁ ମୋତେ ପଠେଇଲେ ତାକୁ ଡାକିଆଣିବା ପାଇଁ । ମୁଁ ତାଙ୍କ ଘରକୁ କେବେ ଯାଇନଥିଲି । ମୋ ମାମୁଁଙ୍କ ଛୋଟ ଝିଅ ବୁନି ସହ ତାଙ୍କ ଘରକୁ ଗଲି । ଆମେ ତାଙ୍କ ଘର କବାଟ ନବାଡେଇ ସିଧା ସେହି ନୁଆଁଣିଆ ଚାଳ ଘର ଭିତରକୁ ପଶିଗଲୁ । ଆଉ ଯାହା ଦେଖିଲି, ମୋ କୈଶୋର ମନ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କରି ଉଠିଲା । ଇପ୍ସିତା ସେତେବେଳେ ଏକଦମ ଚିରା, ପିଠି ପାଖରେ ବୋତାମ ଛିଡି ଗଣ୍ଠି ପଡିଥିବା ଫ୍ରକ ଟିଏ ପିନ୍ଧି ବସି କଂସାଟେ ଆଗରେ ଥୋଇ ତୁଚ୍ଛା ପଖାଳ ଖାଉଛି । ପଖାଳ କଂସାଟି ବି ଫଟା । କଂସା କଡ଼ରେ ଛୋଟିଆ ଥାଳିଆ ରେ ଲଙ୍କା ଆଉ ଲୁଣ ଥୁଆ ହେଇଛି । ତାରି ଭିତରେ ବି ଇପ୍ସିତା ବାମ ପାଖରେ ଇତିହାସ ବହିଟି ଥୋଇ କଂସା ରେ ଡାହାଣ ହାତ ପୁରାଉଛି ଓ ବାଁ ହାତରେ ବହିର ପୃଷ୍ଠା ଓଲଟାଉଛି । ଟିକେ ଦୂରରେ ଇପ୍ସିତା ର ମାଆ ତାର ସେହି ନୀଳ ଖଇରିଆ ଡ୍ରେସ ଟା ସିଲେଇ କରୁଛନ୍ତି । ମୋତେ ସେଠି ଦେଖି ଇପ୍ସିତା ଟିକେ ଅପ୍ରସ୍ତୁତ ହୋଇ ପଡ଼ିଲା । ମୁଁ କିନ୍ତୁ ଆଉ ସେଠି ଠିଆ ହୋଇ ପାରିଲିନି । "ମାଇଁ ଡାକୁଛନ୍ତି, ଖାଇସାରି ଆସିବୁ", କହି ଦୌଡି ପଳେଇ ଆସିଲି ସଙ୍ଗେ ସଙ୍ଗେ ।

ସେଦିନ ସେ ଚାରିଟା ବେଳେ ମାମୁଁଘରକୁ ଆସିଲା । ଝୁନାର ସବୁ ଡ୍ରେସ ପିନ୍ଧିକି ହେଉଛି କି ନାହିଁ ଦେଖିଲା ବୋଧେ । କିଛି ସମୟ ପାଇଁ ମାଇଁଙ୍କ ରୁମ୍ ଟା ବନ୍ଦ ଥିଲା । ସେ ସେହି ସବୁ ଡ୍ରେସ କୁ ଜରି ବ୍ୟାଗ ଭିତରେ ରଖି ମାମୁଁ ଘର ପିଣ୍ଡା ତଳକୁ ଓଲ୍ହେଇ ପଳାଉଥିଲା ମୋତେ କନିଅର ଗଛ ପାଖରେ ଦେଖି ଅଟକି ଗଲା । ମୁଁ ତାକୁ ପଚାରିଲି, "କାଲି ସକାଳୁ ଆସିବୁ ତ? "

--ହଁ ଆସିବି । ତୁ କାହିଁକି ସଙ୍ଗେ ସଙ୍ଗେ ପଳେଇଆସିଲୁ । ମୋ ବାବା ମାଆ ତତେ ପଛରୁ ଡାକିବାକୁ ଗଲାବେଳକୁ ତୁ ସେଠୁ ଛୁ ।

--ହଁ ଟିକେ କାମ ଥିଲା ।

--ଆମର ଗରିବ ବୋଲି ତୁ ଆମ ଘରେ ବସିଲୁନି ନାଁ ?

ତାର ଏମିତି ପ୍ରଶ୍ନ ରେ ମୋ ଛାତିର ଦୁଃଖଟା ଆହୁରି ଭାରି ହେଇଗଲା ଭଳି ମୋତେ ଲାଗିଲା । ମୁଁ ମୁଣ୍ଡ ହଲେଇ କହିଲି," ନାଇଁ ରେ ସେମିତି ନୁହେଁ । ଧନୀ ଆଉ କିଏ କି? "

ସେ କିନ୍ତୁ ସେଦିନ ବଡ଼ ଦମ୍ଭ ରେ ଚିକମିକ ଆଖିରେ ମୋତେ କହିଥିଲା, "ଗୁଲିସୁନ ! ତୁ ଦେଖିବୁ, ମୁଁ ପାଠ ପଢ଼ି ବହୁତ ଆଗକୁ ଯିବି । ମୋର ଇଚ୍ଛା ମୁଁ ଗୋଟେ ବଡ଼ ଡାକ୍ତର ହେଇ ମୋ ବାବା ମାଆଙ୍କ ସ୍ୱପ୍ନ ପୂରଣ କରିବି । ମୋ ବାବା ମୋ ପାଇଁ ଯେତେ କଷ୍ଟ କରୁଛନ୍ତି ମୁଁ ବି ଦିନେ ଚାକିରୀ କରି ତାଙ୍କର ସବୁ ଦୁଃଖ କଷ୍ଟ ଦୂର କରିଦେବି । "

ସେ ସେତିକି କହିଲାବେଳେ ତା ଗଳା ପାଖରେ ସ୍ୱର ଟା ଟିକେ କରୁଣ ହେଇ ଆସୁଥିଲା । ସେ ଚାଲିଯାଉଥିଲା ଆଉ ମୁଁ ତାକୁ ପଛରୁ ଥାଇ ସେମିତି ଚାହିଁରହିଥିଲି । କି ଦୃଢ଼ତା ଥିଲା ତାର ସେହି କେହି ଧାଡ଼ି କଥାରେ ! ଆଜି ଯାଏଁ ମୁଁ ତାର ସେହି ଉଜ୍ଜ୍ୱଳ ଆଖି ଓ ଦୃଢ ବାକ୍ୟ କୁ ଭୁଲି ନାହିଁ ।

ଡିସେମ୍ବର ମାସ । ମୁଁ ଗାଁ କୁ ଆସିଥାଏ । ମାଆ କହୁଥିଲା ମାମୁଁଘର ଆଡ଼େ ଯିବ । ତା ମାଆ ମାନେ ମୋ ଆଈର ଶ୍ରାଦ୍ଧ ଦିନ ଯିବାକୁ ମାମୁଁ ତାକୁ ଡକେଇଛନ୍ତି । ମାଆ ମୁହଁରୁ ମାମୁଁଘର ନାଁ ଶୁଣି ପୁଣି ଥରେ ମୋର ଖରାଦିନିଆ ଛୁଟି ଓ ଇପ୍ସିତା କଥା ମନେ ପଡିଗଲା । ମୁଁ ମାଆଠୁ ତା ବିଷୟରେ ଜାଣିବାକୁ ପଚାରିଲି ।

--ମାଆ ସେ ଦିବାକର ମାମୁଁ ଙ୍କ ଝିଅ ଯିଏ ଡାକ୍ତରୀ ପଢୁଥିଲା ତା ଖବର କଣ? ଏମ୍.ବି.ବି.ଏସ୍ ପରେ ପିଜି ପାଇଲାଣି ନାଁ ପାଇନି ?

--ଭାଉଜ କହୁଥିଲେ ସେ କୋଉଠି ଗୋଟେ ଜଏନ୍ କରିଛି । ତାଙ୍କ ଘର ପରିସ୍ଥିତି ଯାହା ଥିଲା, ତାର ଚାକିରୀଟେ ଆଗ ଦରକାର ଥିଲା । ସରକାରୀ ମେଡିକାଲ ରେ ଚାକିରୀ ପାଇଛି । ଭଲ ଦରମା ବି ପାଉଛି । ତା ବାପ ପରା ତାଙ୍କର ଘର କଲାଣି । ଗାଁରେ ଲୋକେ କହୁଛନ୍ତି, "ଶହେ ଟା ବାଳୁଙ୍ଗା ପୁଅ ଠୁ ଇପି ଭଳି ଗୋଟାଏ ଯୋଗ୍ୟ ଝିଅ କୋଟିଏ ଗୁଣରେ ଭଲ " । ଯାହା କହ ପଛେ ଦିବାକର ନନା କୋଉ ଜନ୍ମ ରେ କି ପୂଣ୍ୟ କରିଥିବେ ନିଶ୍ଚୟ, ନହେଲେ ଏମିତି ହୀରା ଖଣ୍ଡେ ପାଇଥାନ୍ତେ ! ସେ ଯେମିତି ଟ୍ୟାଲେଣ୍ଟେଡ ଝିଅ ଚାକିରୀ କରୁ କରୁ ପିଜି ପାଇଯିବ ନିଶ୍ଚୟ ।

ମୁଁ ଆଉ ମାଆ କୁ ବେଶି କିଛି ପଚାରିଲିନି, ନହେଲେ ସେ ତା ପରେ ପରେ ଇପ୍ସିତା ସହ ମୋତେ ତୁଳନା କରି ଗାଳି କରିବା ଆରମ୍ଭ କରିଦେଇଥାନ୍ତା । କୋଉ କଥା ନେଇ କୋଉଠି ପହଞ୍ଚେଇ ଦେଇଥାନ୍ତା ।

ମାଆର ମାମୁଁଘର କୁ ଯିବା ଆହୁରି ଦୁଇ ଦିନ ବାକିଥାଏ । ଆମେ ସକାଳୁ ସେଦିନ ପିଣ୍ଡାରେ ଖରାରେ ବସି ଚା ପିଉଛୁ, ପେପର୍ ଵାଲା ସମ୍ବାଦ ପେପର୍ ପକେଇଦେଇ ଗଲା । ବାବା ପେପର୍ ଉଠେଇ ପ୍ରଥମ ପୃଷ୍ଠା ଟା ଖୋଲିଛନ୍ତି କଣ ଗୋଟେ ପଢିକି ଆଶ୍ଚର୍ଯ୍ୟ ହେଇ ମାଆ କୁ ପଚାରିଲେ, "ତୁମ ଗାଁର ସେ ଡାକ୍ତର ଝିଅଟା କୋଉଠି ପୋଷ୍ଟିଙ୍ଗ ହେଇଥିଲା କୁହନି "?

--କାହିଁ କଣ ହେଲାକି ?

--ହେଇ ଦେଖିଲ କଣ ବାହାରିଛି ?

ଆମେ ସମସ୍ତେ ଖବର କାଗଜ ଟା ଉପରେ ନଇଁ ପଡ଼ିଲୁ । ଖବର ଟିର ହେଡିଙ୍ଗ୍ ପଢ଼ି ମୋ ମୁଣ୍ଡ ଘୁରେଇ ଦେଲା । ମୋ ପାଦ ତଳର ମାଟି ଖସି ଯାଉଥିଲା । ମୋତେ ଲାଗୁଥିଲା ଏଇ ଏବେ ଆକାଶଟା ବି ମୋ ମୁଣ୍ଡ ଉପରେ ଛିଡି ପଡ଼ିଯିବ । ଖବର ଟି ଥିଲା ଏମିତି, "ରାଘବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀର ଅଚାନକ ମୃତ୍ୟୁ କୁ ନେଇ ଉତକ୍ଷିପ୍ତ ପରିଜନ ଘଟାଇଲେ ଉନ୍ମତ କାଣ୍ଡ । ରାତି ଅଧରେ ଡାକ୍ତରାଣୀ ଙ୍କ ସରକାରୀ କ୍ୱାର୍ଟର୍ସ ରେ ଧସେଇ ପଶି କଲେ ଗଣଦୁଷ୍କର୍ମ । ଡାକ୍ତରାଣୀ ଗୁରୁତର " ।

ମାଆ ସଙ୍ଗେ ସଙ୍ଗେ ମାଇଁଙ୍କୁ ଫୋନ୍ ଲଗାଇଲା । ମାଇଁ କହିଲେ, "ହଁ, ବିଚାରୀ ଏବେ ମୃତ୍ୟୁ ସହ ଲଢ଼ୁଛି ।"

ମୁଁ ସେ ଯାଏଁ ଇପ୍ସିତା କୁ ଫେସବୁକ ରେ ଖୋଜି ଖୋଜି ପାଇନଥିଲି କାରଣ ସେ ଇପ୍ସିତା ମିଶ୍ର କିମ୍ବା ଡ଼କ୍ଟର ଇପ୍ସିତା ମିଶ୍ର ନାଁରେ ତା ପ୍ରୋଫାଇଲ ଖୋଲିନଥିଲା । ସେ ଫେସବୁକ ରେ ତା ନାଁ ରଖିଥିଲା ଇପ୍ସିତା ଫାଇଟର୍ । ତା ସହ ଏହି ଘଟଣା ପରେ ବୁନିର ପ୍ରୋଫାଇଲ ଚେକ କରି ମୁଁ ସେହି ଫାଇଟର ଟିକୁ ପାଇଲି । ସତରେ ସେ ଗୋଟେ ଫାଇଟର । ତା ଲଢେଇ ର, ସଂଘର୍ଷ ର ସୀମା ନଥିଲା । ଖୁବ ଇଚ୍ଛା ହେଉଥିଲା ତା ପାଖକୁ ଦୌଡି ଯିବା ପାଇଁ । ମୁଁ ଛଟ୍ ପଟ୍ ହେଉଥିଲି । ମାଆ ମାମୁଁଘରକୁ ବାହାରିଲା । ମୋତେ ଡାକିଲା । ମୁଁ ବାହାରିଲି । ମାମୁଁଘର ଗାଁ ଯେମିତି ଇପିର ଦୁର୍ଦଶାରେ ନାରଖାର ହେଇଯାଇଥିଲା । ଇପ୍ସିତାର ବାବା ମାଆ ଡାକ୍ତରଖାନା ରେ ଥିଲେ । ତାଙ୍କ ଅଧାଗଢ଼ା ଘର ଆଗରେ ତାଲା ଝୁଲୁଥିଲା ।

ଟିଭିରେ ଆଉ ନିୟୁଜ ପେପର୍ ରେ ଅହରହ ସେହି "ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ " ଘଟଣାର ଖବର ସାମ୍ନାକୁ ଆସି ମୋ ମନକୁ ଆହୁରି ଖିନଭିନ କରି କଷ୍ଟ ଦେଉଥିଲା । ମାମୁଁଘର ଗାଁରେ ସଭିଙ୍କ ମୁହଁରେ ଗୋଟିଏ କଥା, "କେତେ କଷ୍ଟରେ ଦିବାନନା ଝିଅକୁ ଡାକ୍ତରାଣୀ କରିଥିଲେ,କିନ୍ତୁ ହେଲା କଣ? ଦୁଃଖର ଦିନ ତାଙ୍କର ସରିଆସୁଥିବା ବେଳେ ଭଗବାନ ଏ କି ଦଣ୍ଡ ଦେଲେ ? ଆହାଃ ! କେଡ଼େ ସୁନ୍ଦର, କେତେ ଗୁଣର ଝିଅଟା ! ହେ ପ୍ରଭୁ, ଝିଅଟା ବଞ୍ଚିଯାଉ " ।

ଆଉ କେହି କେହି କହୁଥିଲେ, "ତାର ଯାହା ହେଇଛି ସେ କଣ ବଞ୍ଚିବ ? ସେ ପଶୁଗୁଡ଼ାକ ପରା ତାର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ାକ ହାତ ପୁରାଇ ଓଟାରି ଆଣିଛନ୍ତି । ଡାକ୍ତରମାନେ କହୁଛନ୍ତି ଝିଅଟି ଯଦି ବି ବଞ୍ଚେ ସେ ଆଉ କୌଣସି ଦିନ ସାଧାରଣ ଜୀବନ ଯାପନ କରିପାରିବ ନାହିଁ । "

ଏମିତି ସବୁ ଖବର ଓ ଲୋକଙ୍କ କଥା ଶୁଣି ମୋ ହୃଦୟ ଫାଟି ଯାଉଥିଲା । ମୋ ଆଖି ଆଗରେ ସେହି କୁନି ଝିଅ ଇପ୍ସିତା ର ଚେହେରା ଭାସି ଉଠୁଥିଲା । ତାର ସେହି ଉଜ୍ଜ୍ୱଳ ଆଖି ମୋ ଆଖି ଆଗରେ ଥିଲା ଓ ତାର ଦୃଢ ଆତ୍ମବିଶ୍ୱାସ ଭରା କଥା ମୋ କାନ ପାଖରେ ପିଟି ହେଉଥିଲା । 'ଗୁଲିସୁନ ତୁ ଦେଖିବୁ, ମୁଁ ପାଠ ପଢ଼ି ବହୁତ ଆଗେଇବି ।'ଏହି ବାକ୍ୟ ଟି ବାରମ୍ବାର ମୋତେ ଶୁଭୁଥିଲା ।

ରାତି ଅନେକ ହେଲାଣି ମୋ ଆଖିକୁ କିନ୍ତୁ ନିଦ ନାହିଁ । ମୁଁ ଆଖି ବୁଝିଲା ବେଳକୁ ଦେଖୁଛି ସୁନ୍ଦର ପରୀ ଭଳି ଝିଅଟେ ଖିଲ ଖିଲ ହେଇ ହସି ଦେଉଛି । ପୁଣି ଆଖି ଖୋଲି ଆଖି ବନ୍ଦ କଲା ବେଳକୁ ଦେଖୁଛି ଚିରା ଫ୍ରକ ଟେ ପିନ୍ଧି ନବମ ଶ୍ରେଣୀର ଟ୍ୟାଲେଣ୍ଟେଡ ଝିଅଟେ ପଖାଳ ଖାଉ ଖାଉ ପାଠ ପଢୁଛି । "ନାଁ..ମୁଁ ଶୋଇପାରିବିନି ",କହି ଉଠି ବସିଲି ଆଉ ବସୁ ବସୁ ଖୁବ ଗୋଟେ ବଡ଼ ପାଟି କରି କାନ୍ଦି ଉଠିଲି । ମାଆ କୁ ଶୁଣାଗଲା ବୋଧେ । ମୋ ରୁମ୍ କୁ ଆସି ଲାଇଟ୍ ଅନ କରି ମୋ ପାଖରେ ବସିଲା । ମୁଁ ସ୍ୱପ୍ନ ଦେଖିଛି ଭାବି ମୋତେ ଆଉଁଷି ଦେଲା । କହିଲା, "ବାୟା ଶୋଇପଡ ଏବେ " ।

ମୁଁ କିନ୍ତୁ ସକାଳ ଯାଏଁ ଇପ୍ସିତାର ଦୁଃଖ ଓ କଷ୍ଟ ଭିତରେ ହିଁ ଛଟଛଟ ହେଉଥିଲି ।

ଖୁବ ସକାଳୁ ବୁନି ଆସି ଆମ ସମସ୍ତଙ୍କୁ କହିଲା, "ଗୋଟେ ଖରାପ ଖବର ଅଛି । ଇପି ନାନୀ ବୋଧେ ଆଉ ନାହିଁ ।"

ବୁନିର କଥା ଟା ଶୁଣି ମୋ ଆଖି ଆଗ ଅନ୍ଧାର ହେଇଗଲା । ମୋତେ ଲାଗିଲା ମୋ ଶରୀରରୁ ବି ଆତ୍ମା ଟା ବାହାରି ଯାଉଛି ।

ମାମୁଁଘରେ ସମସ୍ତେ ଟିଭି ଦେଖୁଥିଲେ । ମୁଁ ଦୁରେଇ ବସି ସମସ୍ତଙ୍କୁ ଲୁଚେଇ ମୋ ଛାତି ଭିତରର ଦୁଃଖକୁ ତରଳେଇ ଚାଲିଥିଲି । ମୋତେ ବି ଟିଭିର ସାଉଣ୍ଡ ଶୁଭୁଥିଲା ଯେ କେମିତି ଇପ୍ସିତା ତା ଶେଷ ସମୟରେ ବଞ୍ଚିଯିବା ପାଇଁ ସଂଘର୍ଷ କରିଥିଲା । ଆଖିର ଇଶାରାରେ କହିଥିଲା ସେ ବଞ୍ଚିବାକୁ ଚାହେଁ ।

ମୁଁ ଭାବୁଥିଲି ସେହି ସାହସୀ ଝିଅଟା ତା ଜୀବନର ଶେଷ ମୁହୂର୍ତ୍ତ ଗୁଡିକୁ କେମିତି ସାମ୍ନା କରିଥିବ । ମୁଁ ଇପ୍ସିତା କଥା ଭାବୁଛି ଆଉ ମୋତେ ଯେମିତି କେହି ତାର ଶେଷବେଳ ର ଦୃଶ୍ୟ ଓ କାହାଣୀ ଶୁଣେଇ ଚାଲିଛି । ମୁଁ ସେମିତି ହିଁ ଅନୁଭବ କରୁଥିଲି । ମୁଁ ଦେଖୁଥିଲି ଇପ୍ସିତା ତା ଶଯ୍ୟାରେ କ୍ଷତ ବିକ୍ଷତ ହେଇ ଶୋଇଛି । ଯନ୍ତ୍ରଣାରେ ଜର୍ଜରିତ ଶରୀର ତାର ଏ କଳୁଷିତ ସଂସାର ରୁ ମୁକ୍ତି ଚାହୁଁଛି । ତଥାପି ମନରେ ଅଦମ୍ୟ ସାହସ । ବଞ୍ଚିଯିବାକୁ ଅସମ୍ଭବ ଇଚ୍ଛା । ଯେତେବେଳେ ଶରୀର ତା ମନର ସାଥ ଦେଇନପାରି ତାର ଆଖିକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ଯାଉଛି, ସେତିକି ବେଳେ ଇପ୍ସିତା ର ସେହି ସୁନ୍ଦର ବଡ଼ ବଡ଼ ଆଖି ଆଗରେ ତା ଗରିବ ବାପା ମାଆଙ୍କ ଛବି ଭାସି ଉଠୁଛି । ସେ ଭାବୁଛି, "ମୋ ବ୍ୟତୀତ ଏ ଦୁହିଁଙ୍କର ଆଉ ଅଛି କିଏ ? ମୋତେ ବଞ୍ଚିବାକୁ ହେବ । ମୋ ବାପାମାଆ ଙ୍କ ପାଇଁ ମୋତେ ଭଲ ହେଇ ଫେରିବାକୁ ହେବ । ମୁଁ ସୂର୍ଯ୍ୟ ହେଇ ତାଙ୍କ ଜୀବନକୁ ଆଲୋକିତ କରିବି । ମୁଁ ବଞ୍ଚିବି । ମୋତେ ବିନା ଦୋଷରେ ଯେଉଁମାନେ ନିର୍ଯାତନା ଦେଇଛନ୍ତି ସେମାନଙ୍କୁ ଶାସ୍ତି ଦେବି " । ଇପ୍ସିତା ର ଦୃଢ ମନୋବଳ ତାକୁ ଶେଯରୁ ଉଠେଇବାକୁ ଯାଉଥିବ, କିନ୍ତୁ ଶରୀରଟିର ଯନ୍ତ୍ରଣା ତାକୁ ଚୀର ନିଦ୍ରାକୁ ଟାଣି ନେଉଥିବ ।

ରାତି ପାହିଲେ ନବ ବର୍ଷ ର ନୂତନ ସକାଳ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ନେଇ ଆସୁଥିବ, ସୂର୍ଯ୍ୟଙ୍କ ସୁନେଲି କିରଣ ସମସ୍ତଙ୍କ ସକାଳକୁ ଆନନ୍ଦ, ଉଦ୍ଧିପନା ରେ ଭରିଦେଉଥିବ । ମାତ୍ର ଇପ୍ସିତାର ଜୀବନରୁ ସୂର୍ଯ୍ୟ ସବୁଦିନ ପାଇଁ ଅସ୍ତ ହେଇଯାଉଥିବେ । ଦିବାକର ମାମୁଁ ଙ୍କ ପରିବାର ର ଉଜ୍ଜଳ ସୂର୍ଯ୍ୟଟିର ଅନ୍ତ ହେଇଯାଉଥିବ ।

ମାଆ ଆସି ମୋ ପାଖରେ ଠିଆ ହେବା ଯାଏଁ ମୁଁ ଇପ୍ସିତାର ଯନ୍ତ୍ରଣାକୁ ଜୀଉଁଥିଲି ଆଉ ତାରି ଶେଷ ଦୃଶ୍ୟ ମୋ ଛାତିରୁ ହୃତପିଣ୍ଡକୁ କାଟି ଟିକ ଟିକ କରୁଥିଲା । କାନ୍ଦି କାନ୍ଦି ମୋ ଆଖି ଲାଲ ହେଇଯାଇଥିଲା । ମାଇଁ ଆଉ ମାଆ ଆସି ମୋ କଡ଼ରେ ବସିଲେ । ଆମେ ସମସ୍ତେ ନୀରବରେ ବସିଥିଲୁ । ମାଇଁ ନୀରବତା ଭାଙ୍ଗିଲେ, "ଭଗବାନ ଏଡ଼େ ନିଷ୍ଠୁର କାହିଁକି ହୁଅନ୍ତି କେଜାଣି ? କଣ ଥିଲା ଝିଅଟାର ଦୋଷ ? ଭଲ ପାଠ ପଢ଼ି ଡାକ୍ତରାଣୀ ହେବା ନାଁ ଏତେ ସୁନ୍ଦର ହେଇ ଜନ୍ମ ହେବା ? କୋଉଟା ତାର ଦୋଷ ? ଶୁଣିଛି ରୋଗୀଟାକୁ ଇପି ବହୁତ ଚେଷ୍ଟା କରିଥିଲା ବଞ୍ଚେଇବା ପାଇଁ । ଛୋଟିଆ ଡାକ୍ତରଖାନା ଟାରେ ସବୁ ସୁବିଧା ନଥିବାରୁ ପରିବାର ଲୋକଙ୍କୁ କହିଥିଲା ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିନେବା ପାଇଁ । ରେଫର କରିବା ପାଇଁ ଲେଖିବି ଦେଇଥିଲା । ସେମାନେ କିନ୍ତୁ ମାନିଲେନି । ଛୋଟ ଡାକ୍ତରଖାନାଟା ଛାଡିଲେନି । ପଚିଶ ବର୍ଷର ଭେଣ୍ଡିଆ ପିଲାଟା ଅକାଳ ରେ ଚାଲିଗଲା । ଏଥିରେ ଇପି ର ଦୋଷ କୋଉଠି ? ଆହୁରି ବି ଶୁଣାହେଉଛି ଯେଉଁମାନେ ଇପି ସହ ଏସବୁ କଲେ ସେମାନେ ଠିକ ରେ ଜାଣନ୍ତିନି ମରିଯାଇଥିବା ପିଲାଟାର ରୋଗ କଣ ଥିଲା । ପରିଜନ ର ପ୍ରତିଶୋଧ ନୁହେଁ ସେମାନେ ଉଦେଶ୍ୟ ମୂଳକ ଭାବେ ଇପି ଉପରେ ରାତି ଅଧିଆ ଆକ୍ରମଣ କଲେ । କେଡ଼େ ନୃଶଂସ ଲୋକଗୁଡ଼ା ! ଫାସି ଠୁ ଯଦି ଆଉ କିଛି ବଡ଼ ଦଣ୍ଡ ଥାଏ ସେଇଟା ମିଳୁ ସେମାନଙ୍କୁ । ହାୟରେ ବିଧାତା ! କଣ ହେଇଗଲା ନିରୀହ ଝିଅଟାର । ଆମ ଗାଁର ଗର୍ବ ଥିଲା ଇପି " ।

ମାଇଁ ବି କାନ୍ଦୁଥିଲେ । ଇପି ଏ ଦୁନିଆଁ ଛାଡ଼ି ଚାଲିଯାଇଥିଲା । ସେହି ମେଧାବୀ ଝିଅଟାର ବଡ଼ ବଡ଼ ଆଖି ବୁଜି ହେଇଯାଇଥିଲା । ତା ପାଦରେ ସେଦିନ ଚପଲ ନଥିବାରୁ ମୁଁ ହସିଥିଲି, ଆଜି ତାଙ୍କ ଛୋଟିଆ ଘରେ ସେ ଜୀବିତ ଅବସ୍ଥାରେ ନଥିବାରୁ ମୁଁ ଛାତି ଫଟେଇ ଭିତରେ ଭିତରେ କାନ୍ଦୁଥିଲି । ସେଦିନ ସେ କିଛି ପ୍ରତିକ୍ରିୟା ଦେଖେଇନଥିଲା, ଆଜି ବି ଦେଖାଉ ନାହିଁ । ଆଖି ବୁଜି ଶୋଇପଡିଛି । ମୁଁ ତାକୁ ଦେଖିବାକୁ ବଡ଼ ମନ କରିଥିଲି କିନ୍ତୁ ଏମିତି ଭାବେ ଦେଖିବି ମୋ କଳ୍ପନା କୁ ବି ଏ ଚିତ୍ର ଆସିବା ଅସମ୍ଭବ ଥିଲା । ତା କୁଞ୍ଚୁକୁଞ୍ଚିଆ କେଶ ସେମିତି ପୂର୍ବ ପରି ତା ଗାଲରେ ବିଛାଡ଼ି ହେଇପଡ଼ିଥିଲା । ହେଲେ ସେ ଆଉ ଆଗପରି ହାତରେ ସଜାଡ଼ି କାନ ପାଖରେ ଗେଞ୍ଜି ଦେଉନଥିଲା । ମୁଁ ଆଉ ବେଶି ସମୟ ସେଠି ଠିଆ ହେଇପାରିଲିନି । ଦୌଡ଼ି ପଳାଇ ଆସୁଥିଲି । ମୋତେ ଲାଗିଲା କେହି ଜଣେ ମୋତେ ପଛରୁ ଟାଣି ଧରି କହୁଛି, "ଗୁଲିସୁନ ! ରହ । ଯାଉଛୁ କୁଆଡ଼େ? ଆମର ଗରିବ ଘର ବୋଲି ଟିକେ ବସିବୁ ବି ନାହିଁ? "

ମୁଁ ରହିଗଲି । ମୋ ଆଖ ପାଖରେ କେହି ନଥିଲେ । ମୁଁ କିନ୍ତୁ କାନ୍ଦି କାନ୍ଦି କହୁଥିଲି, "ନାଇଁ ରେ, ସେମିତି ନୁହେଁ । ତୋ ଠାରୁ ଧନୀ ଆଉ କେହି ନାହିଁ । "

ମୁଁ ଦେଖୁଥିଲି ଇପିର ଶରୀରଟା ସ୍ମଶାନ ଆଡ଼କୁ ବିରାଟ ଏକ ପଟୁଆରରେ ଯାଉଛି ଆଉ ତା ସହ ଗାଁର ସବୁଯାକ ଆଲୁଅ ବି ଲିଭିଯାଇ ଦିନ ଟାରେ ଅମା ଅନ୍ଧକାର ଘୋଟି ଯାଉଛି । ଲାଗୁଥିଲା ଯେମିତି ଗାଁରୁ ସୂର୍ଯ୍ୟ ବିଦାୟ ନେଉଛନ୍ତି । ସତରେ, ସୂର୍ଯ୍ୟଙ୍କର ଅନ୍ତିମ ଯାତ୍ରାର ଦୃଶ୍ୟ ବି ବଡ଼ କରୁଣ ଓ ହୃଦୟ ବିଦାରକ ଥିଲା ।

ପୁରୁଷୋତ୍ତମ ମିଶ୍ର

ନନ୍ଦିପୁର, ଦଶରଥପୁର, ଯାଜପୁର


Rate this content
Log in

Similar oriya story from Inspirational