Soumya Shubhadarshinee

Inspirational Tragedy


3  

Soumya Shubhadarshinee

Inspirational Tragedy


ଅନୁସନ୍ଧାନ

ଅନୁସନ୍ଧାନ

4 mins 3.8K 4 mins 3.8K

" ଲଜ୍ଜା ଲାଗିଲାନି ! ଅନ୍ତତଃ ନିଜର ବୟସ ଓ ଆମର ସାମାଜିକ ସମ୍ମାନ ବିଷୟରେ ତ ଭାବିଥାନ୍ତେ ଥରେ , ଛି!!

ଏଇଟା କୋଉ ସଂସ୍କାର ଟିକେ ବୁଝେଇ କୁହ । ମୋ ଲାଗି ତ ସମ୍ପୂର୍ଣ୍ଣ ଅବୋଧ୍ୟ। ତୁମ ମା' ପରା ଗୋଟେ ନୀତିବାନ ଶିକ୍ଷୟତ୍ରୀ । ବାଃ ଖୁବ୍ ଶିକ୍ଷା ଦେଉଛନ୍ତି!....

ବର୍ଷୁଛି ଅଦିନିଆ ମେଘ । ନା ମେଘ ନୁହେଁ ଏଇଟା ଏବେ ଧୀରେ ଧୀରେ ଅବପାତର ରୂପ ନେଉଛି। ବିଗତ ଦୁଇ ଦିନ ହେଲା ଏଇ ତିକ୍ତ ଶବ୍ଦର ବର୍ଷାରେ ଭିଜୁଛି ଅରୁଣାଭ। ମା' ର ନିନ୍ଦା କରୁଛି ସ୍ତ୍ରୀ । ନୂଆ ସମୟ , ଅତୀତରେ ମା' ଥିଲା ବୋହୂର ଠିକ ଭୁଲର ନିନ୍ଦୁକ। ଆଉ ଆଜି ପଟ ପରିବର୍ତ୍ତନ!....

***

" ମାମା ପ୍ଲିଜ କୁହ କାହିଁକି ପାପାଙ୍କ ନାଁ ଜାଗାରେ ଅଜାଙ୍କ ନାଁ ଲେଖିଲ ସ୍କୁଲ ରେଜିଷ୍ଟରରେ ସବୁ ସାଙ୍ଗ ପଚାରୁଛନ୍ତି?

ପୁଅର ଏ ପ୍ରଶ୍ନର ଉତ୍ତର କେବେ ନଥିଲା ମାନସୀଙ୍କ ପାଖରେ। ସେ ଥିଲେ ସିଙ୍ଗଲ ମଦର୍ । ସୁବୋଧ ଠକି ନଥିଲେ , ନିୟତି ଠକି ଥିଲା । ସେ ଥିଲେ ବାଗଦତ୍ତା ସୁବୋଧଙ୍କର , ବାହାଘର ହେବାକୁ ଥିଲା । କିନ୍ତୁ ଦୁର୍ଘଟଣାରେ ଚାଲିଗଲେ ସ୍ୱୀକୃତି ନଦେଇ ତାଙ୍କୁ ଅର୍ଦ୍ଧାଙ୍ଗିନୀର । ହେଲେ ସେ ଦେଇ ସାରିଥିଲେ ସୁବୋଧଙ୍କୁ ସ୍ୱୀକୃତି ଅରୁଣାଭର ସୃଷ୍ଟି ପାଇଁ। ଅଜନ୍ମା ଶିଶୁକୁ ନିଜ ଜୀବନରୁ ବିଦାୟ ସେଇ ପୁଣି ଥରେ ସଂସାର କରିବାର ପ୍ରଲୋଭନ ଦେଇଥିଲେ ସଭିଏଁ।

କିନ୍ତୁ ସେ ସୁବୋଧଙ୍କୁ ନିଜର ଆତ୍ମା ସମର୍ପି ଦେଇଥିଲେ। ଅରୁଣାଭ ତାଙ୍କର ସନ୍ତକ ଥିଲା। କେମିତି ନିଜ ସହ ପ୍ରତାରଣା କରିଥାନ୍ତେ !! ସଭିଙ୍କ ଅନିଚ୍ଛା ସତ୍ତ୍ୱେ ସେ ନିଜେ ନେଇଥିଲେ ସମାଜରେ ଗୋଟେ କଳଙ୍କିତ ପରିଚୟ ନେଇ ଏକା ଏକା ଚାଲିବାର ସଂକଳ୍ପ ସହାରା କରି ଅରୁଣାଭକୁ।

ଆରୁ ଧୀରେ ଧୀରେ ବୁଝୁଥିଲା ନିଜ ସ୍ଥିତିର ସତ୍ୟତା। ମା' ଥିଲା ଅସୀମ ଶକ୍ତିର ଅଧିକାରିଣୀ । ସ୍ୱାବଲମ୍ବୀ ଆଉ ଖୁବ୍ ଆତ୍ମସଚେତନ। ସିଦ୍ଧାନ୍ତ ନେବାରେ କ୍ଷମତା ଥିଲା ମା' ର ଖୁବ୍ । ସେଇ ଦୃଢ଼ ଚେତନଶକ୍ତି ହିଁ ଥିଲା ଅରୁର ଅସ୍ତିତ୍ୱର ପରିଚାୟକ। ଅରୁ କେବେ ମା' ର ସିଦ୍ଧାନ୍ତକୁ ଅବମାନନା କରିନଥିଲା । ସେଇ ସିଦ୍ଧାନ୍ତ ଅରୁକୁ ଦେଇଥିଲା ସମ୍ପନ୍ନ ଜୀବନ।

ଅରୁ କିନ୍ତୁ ମା' କୁ ଉଚିତ ନ୍ୟାୟ ଦେଇ ପାରିନଥିଲା ରୋମା ସହ ବାହାଘର ପରେ। ମା' ର ତା ପ୍ରତି ଥିବା ଅହେତୁକ ଶ୍ରଦ୍ଧା ସ୍ତ୍ରୀର ସଜ୍ୟ ହେଲାନି। ସବୁବେଳେ ରୋମାର ଅଭିଯୋଗ ଥିଲା ସେ ଗୋଟେ ଅସମ୍ଭବ ମାତୃଗତ ପ୍ରାଣ । ତା ଜୀବନରେ ସ୍ତ୍ରୀର ଅଵଶ୍ୟକତା ନାହିଁ। ମା' କାନୀ ଧରି ଜୀବନ ସାରା ଚାଲୁଥିବା ବାଧ୍ୟ ପୁଅ କେବେ ସ୍ତ୍ରୀର ସୁଯୋଗ୍ୟ ସ୍ୱାମୀ ନୁହେଁ!.....

ମା' ବୁଝୁଥିଲା ପୁଅର ଦୁଃଖ ଆଉ ପୁଣି ଥରେ ନେଲା ଦୃଢ଼ ସିଦ୍ଧାନ୍ତ। " ଅରୁ ମୁଁ ଶିମଲା ଯିବି ସେଠି ଗୋଟେ ଭଲ ମିଶନାରୀ ସ୍କୁଲରେ ଅଫର୍ ଅଛି। ତୁମେ ତ ବେଶ ଭଲ ଭାବେ ସଜାଡି ନେଲଣି ସଂସାର।" …...

ଅରୁ ନିଜ ସ୍ୱାଭିମାନୀ ମା'କୁ ଅଟକେଇ ବାର ଚେଷ୍ଟା କରି ଅସଫଳ ହେଲା। ରୋମା ଖୁସି ଥିଲା ଏ ନିଷ୍ପତ୍ତିରେ। ଆଉ ମା' ଚାଲିଗଲା।

ତିନି ବର୍ଷ ହେଲା ମା' ସେଠି। ଅରୁ ଯାଇ ବୁଲି ଆସୁଛି କିନ୍ତୁ ସେ ଆସି ନାହାନ୍ତି। ସେ ଏକରକମ ଦୁରେଇ ଯାଇଛନ୍ତି ସ୍ୱଇଚ୍ଛାରେ।

କିନ୍ତୁ ଦୁଇଦିନ ପୂର୍ବେ ମା' ଡକେଇଛି ଶିମଲା ସେ ଦୁହିଁଙ୍କୁ। କାରଣ ବି ଜଣେଇଛି ଯାହା ଅବିଶ୍ୱସନୀୟ।

ମା' ବିବାହ କରୁଛି!...

ଏଇ ଖବର ରୋମା କୁ ଅଗ୍ନି ବର୍ଷି କରିଛି। ଯାବତୀୟ କଦର୍ଯ୍ୟ ଭାଷା ପ୍ରୟୋଗ କରି ରୋମା ମା' ର ଚରିତ୍ର ସଂହାର କରୁଛି।

ଅରୁ ଗ୍ଲାନି ଓ ଲଜ୍ୟାରେ ସଢୁଛି ଆଉ ମନେ ମନେ କାରଣର ସନ୍ଧାନ କରୁଛି। ମା' କାହିଁକି ଏ ବୟସରେ ? ଯେବେ ସେ ଥିଲା ସମ୍ପନ୍ନା ସେବେ ତ ନେଇନଥିଲା ଏ ସିଦ୍ଧାନ୍ତ। ସାରା ଜୀବନ ଏକାକୀ ଜୀଇଁ ଥିବା ମଣିଷ। ନିଜକୁ ନିଜେ ଗଢିଥିବା ମଣିଷ। ଆଜି ଜୀବନର ଶେଷ ପର୍ଯ୍ୟାୟରେ ଏମିତି ନିଷ୍ପତ୍ତି ନେଲା କାହିଁକି?.....

ଉତ୍ତର ନଥିଲା ତା ପାଖେ ଆଉ ସାହସ ବି ନଥିଲା ଖୋଜିବାକୁ ! ସେ କଣ କରିଛି ନିଜ କର୍ତ୍ତବ୍ୟ ମା' ପାଇଁ ଯେ ଅଧିକାର ରେ ପ୍ରଶ୍ନ କରିବ । ସେ ତ ମା' କୁ ନିଜ ପୃଥିବୀରୁ ଦୁରେଇ ଦେଇଛି । ମା' ମୁକ୍ତ ନିଜ ଜୀବନରେ ନେବାକୁ ନୂଆ ସିଦ୍ଧାନ୍ତ!

ମା' ଯେବେ ଏକା ଥିଲା କେବେ ମନ ଖୋଜୁନଥିଲା । ଭାବୁନଥିଲା ମା' ର ନିଃସଙ୍ଗତା ସମ୍ପର୍କରେ । କେବେ ଚାହୁଁ ନଥିଲା ତା କର୍ତ୍ତବ୍ୟ ର ଅବହେଳା ମା, ଉପରେ କି ପ୍ରଭାବ ପକଉଛି ଜାଣିବାରେ। କିନ୍ତୁ ଆଜି ଏ ବିବାହ ର ନିଷ୍ପତ୍ତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ମନ ଖୁବ୍ ଆଗ୍ରହୀ ଉଭୟ ପୁଅ ଆଉ ବୋହୁ ର!.....

ଅରୁ ସହ ରୋମା ବି ଆସିଲା ଦେଖିବାକୁ ମା' ର ଗୋପନ ଅଭିସାର। ମା' ଘରେ ପହଂଚିଲେ ସେ ଦୁହେଁ। ସେ ଦୁହିଁଙ୍କୁ ଦେଖି ମା' ଆଶ୍ୱସ୍ତ ହେଲା। ରୋମାର ମନରେ ପ୍ରବଳ ଘୃଣା ଓ ଅରୁର ଅଗଣିତ ପ୍ରଶ୍ନର ସାମ୍ନା କରିବାକୁ କିନ୍ତୁ ସମୟ ନଥିଲା ମା' ପାଖେ। ମା' ସେ ଦୁହିଁଙ୍କୁ ନେଇ ବ୍ୟସ୍ତତା ଭିତରେ କୁଆଡେ ଗୋଟେ ଯିବାକୁ ବାହାରିଲା।

ଉପାୟ ନଥିଲା ଅରୁ ପାଖେ ମା'ର ପଦାଙ୍କ ଅନୁସରଣ କରିବା ଛଡା ।ସେମାନେ ସଭିଏଁ ଯାଇ ପହଁଚିଲେ ହସ୍ପିଟାଲରେ।

କିନ୍ତୁ ହସ୍ପିଟାଲ କାହିଁକି!..… ମା କଣ ଅସୁସ୍ଥ?......

ମା' ର ଦ୍ରୁତ ପାଦ ସେ ଦୁହିଁଙ୍କୁ ନେଇଗଲା ଗୋଟିଏ ସୁନ୍ଦର ପିଲା ପାଖକୁ। ପିଲାଟି ଥିଲା ଖୁବ୍ ଅସୁସ୍ଥ । ମା' ତା ନିକଟରେ ଏକାତ୍ମ ହେଇଗଲା ଠିକ ନିଜ ମା' ପରି। ସେ ଜିଦ୍ କରୁଥିଲା,ଅଝଟ ହେଉଥିଲା, ମା' ପାଖେ ଥିଲା ତାର ସବୁ ସମସ୍ୟାର ସମାଧାନ। ଅରୁ ମା'ର ଏ ରୂପ ସହ ଥିଲା ଖୁବ୍ ପରିଚିତ।

କିନ୍ତୁ ରୋମା ଆଉ ଅରୁ ବୁଝୁନଥିଲେ କିଏ ଏ ପିଲା। ମା ଏଠି କାହିଁକି??

ମା ' ଡକ୍ଟରଙ୍କ ସହ ପରିଚୟ କରିଦେଲା। ଡକ୍ଟର ସୁଖି ହେଲେ। ଉଭୟଙ୍କୁ ବହୁ ସାଧୁବାଦ ଦେଲେ, ଗୋଟେ ମହାନ ମା' ର ପିଲା ଭାବେ। ମା' ର ବିବାହ ଗୋଟେ ଶ୍ରେଷ୍ଠ ସିଦ୍ଧାନ୍ତ ଭାବେ ଖୁବ୍ ପ୍ରଶଂସା କଲେ।

ଆଶ୍ଚର୍ଯ୍ୟ ହେଉଥିଲା ଅରୁ କଣ ମହାନ କାମ ଏଇଟା ? ଉତ୍ତର ବୟସ ରେ ବିବାହ କରିବାରେ କି ମହନୀୟତା!...

ମା' ସନ୍ଧ୍ୟାରେ ଅରୁ ଆଉ ରୋମାକୁ ବସେଇ ଜଣେଇଲା ତାର ନିଷ୍ପତ୍ତିର କାରଣ। ହସ୍ପିଟାଲରେ ଶିଲା ନାମ୍ନୀ ସେ ଝିଅଟି ମା' ର ଛାତ୍ରୀ। ସେ ବିଗତ ତିନି ବର୍ଷ ଧରି ରହିଛି ଅରୁଣାଭର ସ୍ଥାନରେ ଠିକ ନିଜ ପିଲା ପରି।

ମଣିଷ ଏକା ଆସେ ଏକା ଯାଏ କିନ୍ତୁ ଏକା ରହିପରେନି। ଲୋଡ଼େ ଗୋଟେ ସାହାରା ଶିଲା ସେଇ ସାହାରା ସାଜିଥିଲା । କିନ୍ତୁ ନିଷ୍ଠୁର ନିୟତି ସେଇ ଝିଅଟିକୁ ନେଇଯିବ ଖୁବ୍ କମ ସମୟରେ। ମୃତ୍ୟୁର ଖୁବ୍ ନିକଟବର୍ତ୍ତୀ ଝିଅର ଶେଷ ଇଛା ମା’କୁ ପାଇବାକୁ ସମ୍ପୂର୍ଣ୍ଣ ଭାବେ। ତାକୁ ସବୁଠାରୁ ଅଧିକ ଭଲ ପାଉଥିବା ମଣିଷ ଆଉ ତା ପାପା ମିଶି ଗଢ଼ନ୍ତୁ ତା ଲାଗି ପରିପୂର୍ଣ୍ଣ ଘର।

ମା' ସାରା ଜୀବନ ଏକାକୀ ଥିଲା ପୁଅ ପାଇଁ ଆଉ ଆଜି ଏ ସିଦ୍ଧାନ୍ତ ନେଇଛି ଝିଅ ପାଇଁ।....

ସୌମ୍ୟା


Rate this content
Originality
Flow
Language
Cover Design