Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Tragedy

3  

T.Durga Prasad Rao

Tragedy

“ପଥ”ର ମହକ - ୨

“ପଥ”ର ମହକ - ୨

6 mins
8.1K


“ପଥ”ର ମହକ

(୨)

ହଠାତ୍ କଲିଂବେଲ୍ ଶବ୍ଦରେ ସ୍ମିତା ଭାବନା ରାଜ୍ୟରୁ ଫେରି ଆସିଲା। ପାର୍ଶ୍ୱ ବାଲ୍କୋନୀରୁ ଉଠି ଆସି ସଦର ଦରଜା ଖୋଲିଦେଲା। ଏଇଟା ଚିନିର କୋଚିଙ୍ଗ୍.ରୁ ଫେରିବାର ସମୟ। ଚିନି, ଚିନ୍ମୟୀ ଦାସ, ସ୍ମିତାର ଏକମାତ୍ର କନ୍ୟା। ରଙ୍ଗରୂପରେ ଦେଖିବାକୁ ଠିକ୍ ତା ମା ପରି। ଗୋରା ତକ୍ ତକ୍। ମସ୍ତକର କେଶ ସମ୍ପୂର୍ଣ୍ଣ କଳା ନ ହୋଇ ଇଷତ୍ ସୁନେଲି ପୁଣି ଅଙ୍ଗୁରିୟ। ଭିତରକୁ ପ୍ରବେଶ କରୁ କରୁ ଚିନି ଚିରାଚରିତ ଅଭିଯୋଗ ଭରା କଣ୍ଠରେ କହିଲା “ମମି, ଏ କୋଚିଂଟା ଛାଡ଼ିବାକୁ ପଡ଼ିବ। ଫେରୁ ଫେରୁ ରାତି ହେଉଛି ପୁଣି ଏପଟେ ମୋର କେହି ସାଙ୍ଗ ନାହାନ୍ତି, ଏକା ଆସିବାକୁ ହେଉଛି। ମୋତେ କିଛି ଭଲ ଲାଗୁନି। ମୋର ସବୁ ସାଙ୍ଗମାନଙ୍କର ଘର କୋଚିଙ୍ଗ୍ କ୍ଳାସ୍ ଆଖପାଖରେ। କେବଳ ଆମ ଫ୍ଳାଟ୍ ହିଁ... ଏତେ ଦୂରରେ...।“ ସ୍ମିତା ସବୁ ଶୁଣେ। ପୁଣି ଚିରାଚରିତ ଢଙ୍ଗରେ ଉତ୍ତର ଦିଏ “କଣ ସ୍କୁଟିରେ ଏକା ଆସୁଛୁ ବୋଲି ଡର ଲାଗୁଛି? ତା ପୁଣି ଜନଗହଳିପୂର୍ଣ୍ଣ ସହର ରାସ୍ତାରେ? ତୁ ଜାଣୁ, ତୁ ମୋ ବେଟି ନୁହଁ...“ ଚିନି ଟିକିଏ ଥକ୍କା କଣ୍ଠରେ କଥା ଛଡ଼ାଇ ନେଇ କହେ “ୟେସ୍ ଆଇ ନୋ ମମି, ଆଇ ଆମ୍ ୟୋର୍ ସନ୍।”

ଯୁକ୍ତ ଦୁଇ ବିଜ୍ଞାନ ପରେ ଚିନି ପ୍ରସ୍ତୁତ ହେଉଥିଲା ମେଡ଼ିକାଲ୍ ଏଣ୍ଟ୍ରାନ୍ସ୍ ପାଇଁ। ସ୍ମିତାର ଆଉ କର୍ପୋରେଟ୍ ଜଗତରେ ମନ ଲାଗୁନଥିଲା। ସେ ଯେତିକି ବାଧାବିଘ୍ନର ସମ୍ମୁଖୀନ ହୋଇଛି, ସେ ଚାହୁଁନଥିଲା ତା କନ୍ୟା ବି ସେ ସବୁ ଦେଇ ଗତି କରୁ। ସ୍ମିତାର ଇଚ୍ଛା ଚିନି ଡାକ୍ତର ହେବ। ସତ୍ ପଥରେ ଗରିବ ରୋଗୀମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରି ରଖିବ। ତା ଜୀବନ ନିଜ ପାଇଁ ନ ହୋଇ ଆଉ ଦଶ ଜଣଙ୍କ ସେବା ପାଇଁ ଉଦ୍ଦିଷ୍ଟ ହେବ। ଚିନିର କୌଣସିଥିରେ କିଛି ଆପତ୍ତି ନାହିଁ। ଅଥବା ଆପତ୍ତି କଲା ପରି ବୟସ ହୋଇନି ଚିନିର! ନିଜ ଭବିଷ୍ୟତ ବିଷୟରେ ନିଜେ ନିଷ୍ପତ୍ତି ନେବାରେ ବୋଧହୁଏ ଦୃଢ଼ ହୋଇପାରି ନାହିଁ ତାର ମନ ଏ ଯାବତ୍। ସ୍ମିତା ଯାହା ନିଷ୍ପତ୍ତି ନିଏ ତାର ଭବିଷ୍ୟତକୁ ନେଇ ଚିନି ମାନିବାକୁ ବାଧ୍ୟ ହୁଏ। ହୁଏତ ଚିନି ଲକ୍ଷ୍ୟ କରେ ତାକୁ ନେଇ ତାର ମମିର ଚିନ୍ତା, ଦାୟିତ୍ୱବୋଧ। ତା ଭବିଷ୍ୟତ ପାଇଁ ତାର ପକ୍କା ଯୋଜନା। ତାରି ଭିତରେ ସେ ହୃଦୟଙ୍ଗମ କରେ ମମିର ତା ଏକମାତ୍ର କନ୍ୟା ପ୍ରତି ଥିବା ନିସର୍ତ୍ତ ସ୍ନେହ ଓ ଭଲପାଇବା। ତେବେ ବେଳେ ବେଳେ ପଢ଼ାର ଚାପରେ ଥକି ପଡ଼େ ବିଚାରୀ। ଥିରି କରି ତା ମନର ଅତଳ ଗର୍ଭରୁ ତା ଅଜାଣତରେ ବାହାରିଯାଏ ଅସ୍ପଷ୍ଟ ଆପତ୍ତି ଅଭିଯୋଗଟିଏ। ଠିକ୍ ଘିଅ ସରି ଆସୁଥିବା ଦିପାଳୀର ଲିଭନ୍ତା ସଳିତାର ଧୂମଶିଖାଟିଏ ପରି। ଯାହା ପର ମୂହୂର୍ତ୍ତରେ ଶୂନ୍ୟରେ ମିଳାଇଯାଏ ସ୍ମିତାର ଦୃଢ଼ ମନୋବଳ ଓ ଚିନି ପ୍ରତି ଥିବା ମମତାର ନିବିଡ଼ ଆଶ୍ଳେଷ ଆଗରେ।

ସ୍ମିତାର ସଂସାର କହିଲେ ସେ ଓ ଚିନି। ବାସ୍। ଶଶାଙ୍କ ତାକୁ କେବେ ଛାଡ଼ି ଚାଲିଯାଇଛି। ଯେମିତି ସେ ଝଡ଼ ପରି ପ୍ରବେଶ କରିଥିଲା ତା ଜୀବନରେ ସେମିତି ଝଡ଼ ପରି ଅନ୍ତର୍ଦ୍ଧାନ ମଧ୍ୟ ହୋଇଗଲା। ଶଶାଙ୍କ ଥିଲା ତା ଠାରୁ ଦୁଇ ବର୍ଷ ବଡ଼। ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା କଲେଜ୍ କ୍ୟାରିୟରରେ। ପୁଣି ଥରେ ସେମାନେ ଏକାଠି ହେଲେ ସେ ବି.ସି.ଏ କଲା ବେଳେ। ସେତେବେଳେ ଶଶାଙ୍କ ଏମ୍.ସି.ଏ. କରୁଥିଲା ସେଇ ଅନୁଷ୍ଠାନରେ। ସ୍ମିତା ଯେତେବେଳେ ପୁନେ ଚାଲିଗଲା ଗ୍ରାଫିକ୍ସ୍ ଡିଜାଇନିଂ କୋର୍ସ ନେବା ପାଇଁ ତାଙ୍କ ମଧ୍ୟରେ ବହୁଦିନ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିଲା ନାହିଁ। ଦିନେ ହଠାତ୍ ସ୍ମିତାର ଜଣେ ବାନ୍ଧବୀଙ୍କ ବିବାହ ଉତ୍ସବରେ ଦେଖା ହେଲା ଶଶାଙ୍କ ସହିତ ଏବଂ ସେଇଠି ଶଶାଙ୍କ ତାକୁ ପ୍ରପୋଜ୍ କରି ବସିଲା। ଆକସ୍ମିକ ଏଭଳି ଏକ ପ୍ରସ୍ତାବରେ ସ୍ମିତା ହଁ କହିବ କି ନା କହିବ କିଛି ସ୍ଥିର କରିପାରିଲା ନାହିଁ। ସ୍ମିତାର ଦୋଳାୟମାନ ଭାବନା ଓ ମୁଖରେ ଫୁଟି ଉଠୁଥିବା କୁଞ୍ଚିତ ରେଖାକୁ ଲକ୍ଷ୍ୟ କରି ଶଶାଙ୍କ ତାକୁ କିଛିଦିନର ଅବଧିରେ ତାର ଉତ୍ତର ଦେବାକୁ କହିଲା। ଏକଥା ବି ଜଣାଇଦେଲା ଯେ ସେ ତାର ହଁ ରେ ଯେତିକି ଖୁସି ହେବ, ନା ରେ ବି କିଛି ଦୁଃଖ କରିବ ନାହିଁ। ସେମାନେ ପୂର୍ବ ପରି ବନ୍ଧୁ ରହିବେ। ଶଶାଙ୍କର ସେତକ କଥାରେ ଭ୍ରୁକୁଞ୍ଚନ ଦୂର ହୋଇ ସ୍ମିତା ପୂର୍ବାବସ୍ଥାକୁ ଫେରି ଆସିଲା। ସେ ଯେ ଶଶାଙ୍କକୁ ଚାହୁଁ ନ ଥିଲା, ସେକଥା ନୁହେଁ, ତେବେ ପସନ୍ଦ କରିବା ଓ ବିବାହ କରିବା ଦୁଇଟା ଅଲଗା କଥା। ସ୍ମିତା ସେତେବେଳେ ନୂଆ ନୂଆ ଆଡ୍ କମ୍ପାନୀରେ ଯୋଗ ଦେଇଥାଏ। ସେତେବେଳ ଯାଏଁ ତା ଚାକିରୀର କୌଣସି ସ୍ଥିରତା ନ ଥିଲା। ପୁଣି ଶଶାଙ୍କ ବିଷୟରେ ସେ ବେଶୀ କିଛି ଜାଣି ନ ଥିଲା। କେବଳ ସେ ଏତିକି ଜାଣିଥିଲା ଯେ ଶଶାଙ୍କ ଗୋଟିଏ ନାମୀ କମ୍ପାନୀରେ ସଫ୍ଟୱେର୍ ଇଞ୍ଜିନିୟର୍ ଭାବରେ କାମ କରୁଛି। ଦିନ ଯେତିକି ଗଡ଼ି ଚାଲିଲା, ସ୍ମିତା ଅନୁଭବ କରୁଥିଲା ଯେ ତା ମୁଣ୍ଡରେ ଉତ୍ତର ଦେବାର ଦାୟିତ୍ୱବୋଧଟିଏ ଯେମିତି ଡିମୋକ୍ଳିସ୍ ଖଡ୍ଗ ପରି ଝୁଲୁଛି। ନା ସେ ଠିକ୍.ରେ ଖାଇପାରିଲା ନା ଶୋଇପାରିଲା। ଅନ୍ୟ କୌଣସିଥିରେ ମଧ୍ୟ ତାର ମନ ଲାଗିଲା ନାହିଁ। ସେ ଚିନ୍ତା କଲା ତାକୁ ଯଦି ଉତ୍ତର ଦେବାକୁ ହିଁ ହେବ, ତେବେ ଉତ୍ତରଟିଏ ଦେଇ ସେ ନିଶ୍ଚିନ୍ତ ନ ହେବ ବା କାହିଁକି? ଦିନେ ଫୋନ୍ କରି ସ୍ମିତା ତା ମନକଥା ଶଶାଙ୍କକୁ ଜଣାଇଲା। ସେ ଶଶାଙ୍କର ପ୍ରସ୍ତାବରେ ରାଜି। ତେବେ ତାର ଛୋଟ ଗୋଟିଏ ସର୍ତ୍ତ ଶଶାଙ୍କକୁ ମାନିବାକୁ ହେବ। ଶଶାଙ୍କ କେବେ ବି ସ୍ମିତାର କର୍ମଜୀବନରେ ହସ୍ତକ୍ଷେପ କରିବ ନାହିଁ। ଶଶାଙ୍କ ସର୍ତ୍ତକୁ ଅତି ନଗଣ୍ୟ ଭାବେ ଗ୍ରହଣ କରି ସ୍ମିତାର ତା ପ୍ରତି ଥିବା ଭଲପାଇବାକୁ ଜାଣି ପାରି ଖୁବ୍ ଖୁସି ହୋଇଗଲା। ଅତି ଅଳ୍ପ ଦିନରେ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ। ଏ ବିବାହରେ କିନ୍ତୁ ଶଶାଙ୍କ ପରିବାରର ଜଣେ ବି ସଦସ୍ୟ ଯୋଗ ଦେଇନଥିଲେ। ତାଙ୍କ ଡାଡିଙ୍କର ଏ ବିବାହରେ କୁଆଡ଼େ ସମ୍ମତି ନ ଥିଲା।

ସ୍ମିତାର ବୈବାହିକ ଜୀବନ କିଛି କାଳ ପାଇଁ ଠିକ୍ ଠାକ୍ ଚାଲିଲା। ଶଶାଙ୍କ ଯେ ତଥାକଥିତ କର୍ପୋରେଟ୍ ଜଗତର ମାନ୍ୟଗଣ୍ୟ ବ୍ୟକ୍ତି ଦୀନଦୟାଳୁ ଦାସଙ୍କ ଏକମାତ୍ର ପୁତ୍ର ଏବଂ ଦାସ୍ ଗ୍ରୁପ୍ ଅଫ୍ କମ୍ପାନୀଜ୍ ର ଏକମାତ୍ର ଉତ୍ତରାଧିକାରୀ ଏକଥା ସ୍ମିତା ଜାଣିଲା ଅନେକ ଡେରିରେ। ଆଉ ଶଶାଙ୍କ ଯେଉଁ ବ୍ରାଞ୍ଚ୍.ରେ କାମ କରୁଛି ସେଇଟା ତାଙ୍କରି କମ୍ପାନୀର ଏକ ଅଂଶବିଶେଷ। ଶଶାଙ୍କକୁ ଦେଖିଲେ କିନ୍ତୁ ସେମିତି କିଛି ଜାଣିପାରେନି ସ୍ମିତା। ଖୁବ୍ ସିଧା ସାଧା ସତେ ଯେମିତି ମାଲିକ ନୁହେଁ ସେ ବି ଅନ୍ୟ ସମସ୍ତଙ୍କ ପରି ଜଣେ କର୍ମଚାରୀଟିଏ। ପ୍ରତି ମାସ ପୁରିଲେ ଦରମା ଉଠାଏ। ସ୍ମିତାର ଦେହ ଖରାପ ହେଲେ ଛୁଟି ବି ନିଏ। ଚିନିକୁ ଖୁବ୍ ସ୍ନେହ କରେ। ରବିବାର ଆସିଲେ ସହର ବାହାରକୁ ପରିବାର ସହ ଟୁର୍ ପକାଏ।

ଦିନେ ହଠାତ୍ ଘରକୁ ଫେରି ସ୍ମିତାକୁ ଚମକାଇ ଦେଲା ପରି କହିଲା “ଆମର ଖର୍ଚ୍ଚ ବା କେତେ? ତୁମର ଚାକିରୀ କରିବା ଦରକାର ନାହିଁ, ଆମ ପରିବାର ପାଇଁ ମୋ ରୋଜଗାର ଯଥେଷ୍ଟ ବୋଲି ମୁଁ ଭାବୁଛି। ତାଛଡ଼ା ଆଜି ସିନା ଡାଡି ତୁମକୁ ଗ୍ରହଣ କରିନାହାନ୍ତି, ଦିନ ଆସିବ ସେ ତାଙ୍କର ଭୁଲ୍ ବୁଝି ଆମ ସମସ୍ତଙ୍କୁ ଆପଣାଇ ନେବେ। ସେତିକି ଦିନ ଅନ୍ତତଃ ସମ୍ମାନର ସହ ବଞ୍ଚିଯିବା ଦରକାର।“ ସ୍ମିତା ଟିକିଏ ବିସ୍ମିତ ହୋଇ ପଚାରିଲା “ଏ କଥାର ତାତ୍ପର୍ଯ୍ୟ କଣ? ମୋ ଚାକିରୀ କରିବା ଦ୍ବାରା ତୁମ ସମ୍ମାନରେ ଆଞ୍ଚ ଆସୁଛି ବୋଲି କହୁନାହଁ ତ?” ଶଶାଙ୍କ କଥାଟାକୁ ଅଧିକ ନ ଘାଣ୍ଟି ସେଠାରୁ ଉଠି ଚାଲିଗଲା। ଶଶାଙ୍କର ଏପରି ବ୍ୟବହାରରେ ହତଚକିତ ହୋଇଉଠିଲା ସ୍ମିତା। ସେ ନିଜକୁ ଅପମାନିତ ବୋଧ କଲା। ଶଶାଙ୍କର ଏ ପରିବର୍ତ୍ତନ ପଛରେ କାରଣ ଯାହା ବି ହୋଇଥାଉ, ସେଥିରେ ସ୍ମିତାର କିଛି ଯାଏ ଆସେନା। ସେ ତାକୁ ସନ୍ଦେହ ଚକ୍ଷୁରେ ଦେଖିଛି ଓ ତାର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିଛି ଏକଥା ସହ୍ୟ କରିପାରିଲା ନାହିଁ ସ୍ମିତା।

ଅଳ୍ପ କିଛି ଦିନର ବ୍ୟବଧାନରେ ପୁଣି ଥରେ ସେଇ କଥାକୁ ଦୋହରାଇଲା ଶଶାଙ୍କ। ଏଥର କିନ୍ତୁ ଚୁପ୍ ହୋଇ ପାରିଲା ନାହିଁ ସ୍ମିତା। ସେ ରୋକ୍ ଠୋକ୍ ଜଣାଇ ଦେଲା ଯେ ସେ ଚାକିରୀ ଛାଡ଼ିବ ନାହିଁ। ଆଉ ଏକଥା ବି ମନେ ପକାଇଦେଲା ଯେ ତାର ବିବାହ ପୂର୍ବରୁ ଏକମାତ୍ର ସର୍ତ୍ତ ଥିଲା ଶଶାଙ୍କ ତାର କର୍ମଜୀବନରେ ଆଦୌ ହସ୍ତକ୍ଷେପ କରିବ ନାହିଁ। ଶଶାଙ୍କକୁ ସ୍ମିତାର ଜବାବ୍ ବୋଧହୁଏ ଭଲ ଲାଗିଲା ନାହିଁ। ସେ ସହଜ ହୋଇ ପାରିଲା ନାହିଁ। ରବିବାର ଦିନତମାମ କୁଆଡ଼େ ନ ଯାଇ ଭାରାକ୍ରାନ୍ତ ମନରେ ଘରେ ବସି ରହିଲା। ତା ପରଦିନ ସକାଳୁ ଆବଶ୍ୟକୀୟ କିଛି ପୋଷାକ ପତ୍ର ସହ ବ୍ୟାଗ୍ ଟିଏ ସଜାଡ଼ି ସ୍ମିତା ଓ ଚିନିକୁ ଛାଡ଼ି ଚାଲିଗଲା।

ହର୍ଷ ଉଲ୍ଲାସରେ ବିତି ଯାଉଥିବା ପରିବାରକୁ ଯେମିତି କାହାର ନଜର ଲାଗିଗଲା। ସ୍ମିତା ଖବର ନେଇ ବୁଝିଲା ଯେ ଶଶାଙ୍କ ତାର ଅଫିସ୍ ଆଟେଣ୍ଡ୍ କରୁଛି କିନ୍ତୁ ଅଧିକାଂଶ ସମୟ ଛୁଟିରେ ରହୁଛି। ସେ ସିଧାସଳଖ ଶଶାଙ୍କକୁ ଫୋନ୍ କରି ପାରୁନଥିଲା। ପ୍ରତି ସପ୍ତାହରେ ଚିନିର ବ୍ୟାକୁଳତା ଭରା ପ୍ରଶ୍ନ “ମମି! ପାପା, କେବେ ଆସିବେ? କାହିଁ ଏ ସଟର୍.ଡେ ତ ଆସିଲେ ନାହିଁ। ଏନିଥିଙ୍ଗ୍ ରଙ୍ଗ୍ ମମି?” ଚିନିର ସେ କୋମଳ ମନର ପ୍ରଶ୍ନ ସବୁକୁ ସାମ୍ନା କରି ପାରୁନଥିଲା ସ୍ମିତା। କଣ କହିବ ତାକୁ? ତା ପାପା ଯେ ସେ ଦୁହିଁଙ୍କୁ ଛାଡ଼ି ଚାଲି ଯାଇଛନ୍ତି, କହିପାରିବ? ସ୍ମିତା ବାଁରେଇ ଦିଏ “ତୋ ପାପାଙ୍କ ଅଫିସ୍.ରେ କାମ ଭିଡ଼, ଆସି ପାରୁନାହାନ୍ତି। କାଲି ପରା ମୋ ସହ କଥା ହୋଇ କହୁଥିଲେ, କଣ ଗୋଟେ ବଡ଼ ପ୍ରୋଜେକ୍ଟ ହାତକୁ ନେଇଛନ୍ତି, ଆଦୌ ସମୟ ମିଳୁନି।“ ଚିନି ଆଗରେ ତା ମମିର ମିଛ ଧରା ପଡ଼ି ଯାଉଥିଲା। କାରଣ ସ୍ମିତା ମିଛ କହିବାରେ ଅଭ୍ୟସ୍ତ ନ ଥିଲା। ଆଉ ଚିନି ବି ବଡ଼ ହୋଇ ସାରିଥିଲା। ସେ ବୁଝୁଥିଲା ତା ମମି ଓ ପାପା ମଧ୍ୟରେ କିଛି ଭୁଲ୍ ବୁଝାମଣା ହୋଇଛି, ଯେଉଁଥିପାଇଁ ତାର ପାପା ଘରକୁ ଆସୁନାହାନ୍ତି କି ଫୋନ୍ କରୁନାହାନ୍ତି।

ହେଲେ ଦିନେ ତାର ଶଶାଙ୍କ ପ୍ରତି ଥିବା ସବୁ ସନ୍ଦେହକୁ ଭୁଲ୍ ପ୍ରମାଣିତ କରି ତାଙ୍କ ଅଫିସ୍ ସେକ୍ରେଟାରୀ ମାଳା ଠାରୁ ଫୋନ୍ ଆସିଲା “ମାଡାମ୍, ମୋତେ ମନା କରା ଯାଇଥିଲେ ବି ମୁଁ ଆପଣଙ୍କୁ ନ ଜଣାଇ ରହି ପାରୁନାହିଁ, ସାର୍.ଙ୍କର ଦେହ ଭୀଷଣ ଖରାପ। ଆପଣ ଯେତେ ଶୀଘ୍ର ପାରନ୍ତି ମୁମ୍ବାଇର ଟାଟା ମେମୋରିଆଲ୍ ହସପିଟାଲରେ ପହଞ୍ଚନ୍ତୁ।“ ଆଶ୍ଚର୍ଯ୍ୟଚକିତ ସ୍ମିତା ହାତରୁ ଫୋନ୍ ଖସି ଯାଇ ଚଟାଣରେ ବାଜିଲା। ପାଖ ଚେୟାରରେ ଲଥ୍ କରି ବସି ପଡ଼ିଲା ସ୍ମିତା। ପଲଙ୍କ, ଦେୱାଲ୍, ଛାତ ସବୁ କିଛି ଜୋର୍ ଜୋର୍ ଘୁରୁଥିଲା ତା ଆଖି ସାମ୍ନାରେ।

ଟାଟା ମେମୋରିଆଲ୍ ହସପିଟାଲରେ ଆଇ.ସି.ୟୁ.ରେ ଭର୍ତ୍ତି ହୋଇଥିଲା ଶଶାଙ୍କ। ବ୍ଳଡ୍ କ୍ୟାନସର୍ ରୋଗରେ ପିଡ଼ିତ। ଶେଷ ସମୟ। ଶଶାଙ୍କକୁ ଦେଖି ସ୍ମିତା ଏବଂ ଚିନି କୋହ ସମ୍ଭାଳି ପାରିଲେ ନାହିଁ। ଶଶାଙ୍କ ସେମାନଙ୍କୁ ଦେଖି ସ୍ମିତ ହସିବାକୁ ଚେଷ୍ଟା କଲା। ସ୍ମିତାର ମନେ ହେଲା ସେ ଚାପୁଡ଼ା ଚାପୁଡ଼ା କରି ପିଟି ନେବ ଶଶାଙ୍କକୁ। ହେଲେ କିଛି କରି ପାରିଲା ନାହିଁ। ଶଶାଙ୍କର ହାତଟିକୁ ଧରି ପକାଇ ଛୋଟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଲା। ବାସ୍ କିଛି କ୍ଷଣ। ଶଶାଙ୍କ କିଛି କହିବା ପାଇଁ ଚେଷ୍ଟା କରୁଥିଲା, ହେଲେ ପାଟିରୁ ତାର ଭକ୍ ଭକ୍ କରି ବାହାରି ଆସିଲା ଦଲକା ଦଲକା ରକ୍ତ। ସ୍ମିତାର ଅସ୍ଥି ପଞ୍ଜରା ଏକ ଭୟାବହ ଆଶଙ୍କାରେ ଦୋହଲିଗଲା। ଖୁବ୍ ଜୋର୍ ଚିତ୍କାର କରି ଉଠିଲା ସ୍ମିତା। ଡାକ୍ତର ଶଶାଙ୍କକୁ ମୃତ ଘୋଷଣା କଲେ।

ତା ପରର କାହାଣୀ ଅତି ସଂକ୍ଷିପ୍ତ। ଶଶାଙ୍କର ଡାଡି ସ୍ମିତା ଆଗରେ କ୍ଷମା ପ୍ରାର୍ଥନା କରି ଦୁହିଁଙ୍କୁ ଆଦରରେ ଓ ଅଭିଭାବକର ଅଧିକାରରେ ବାଧ୍ୟ କରି ତାଙ୍କ ଘରକୁ ପାଛୋଟି ନେଲେ। ସ୍ମିତା ଛାଡ଼ି ଦେଇଥିଲା ଆଡ୍ କମ୍ପାନୀର ସି.ଇ.ଓ. ପଦବୀ। ଦାସ୍ ଗ୍ରୁପ୍ ଅଫ୍ କମ୍ପାନୀର ସେ ବର୍ତ୍ତମାନ ଚେୟାର୍ ପର୍ସନ୍। ତେବେ ସ୍ମିତାର ହସ ଟିକକ କିନ୍ତୁ ସେଇଦିନଠାରୁ ହଜିଯାଇଛି, ଯେଉଁଦିନ ଶଶାଙ୍କ ଏ ଇହଧାମ ଛାଡ଼ି ଚାଲିଗଲା। ଏବେ ବି ତାର ମୁରୁକି ହସା ଫଟୋଟିକୁ ଛାତିରେ ଚାପି ଧରି ସ୍ମିତା ସ୍ୱଗତୋକ୍ତି କରେ “ଧୋକ୍କାବାଜ୍! ସମସ୍ତଙ୍କୁ ପର କରି କେମିତି ଚାଲି ଯାଇପାରିଲ ଏତେ ନିର୍ବିଘ୍ନରେ? କେଉଁ ‘ପଥ’ ର ମହକରେ???”


Rate this content
Log in

Similar oriya story from Tragedy