Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅକିଞ୍ଚନ
ଅକିଞ୍ଚନ
★★★★★

© Arati Sahoo

Inspirational Tragedy

7 Minutes   14.2K    18


Content Ranking

ପୃଥିବୀ ତ କାହିଁ କେଉଁଠି ଇଞ୍ଚେ ହେଲେ ବଦଳି ନାହିଁ ।ସୂର୍ଯ୍ୟ ସେମିତି ଭସା ବାଦଲ ସାଥିରେ ହଁ ନାହିଁର ଖେଳ ଖେଳୁଛି । କାଉଟା ସବୁ ଦିନ ଭଳି ଆମ୍ବ ଗଛର ଡାଳରେ ବସି ଅନବରତ କା କା ରାବି ଚାଲିଛି । ଘର ଚଟିଆ ଦୁଇଟା ସେମିତି କିଚିରି ମିଚିରି ହୋଇ ପରସ୍ପର ଖୁମ୍ପୁରା ଖୁମ୍ପୁରି ହେଉଛନ୍ତି । ପିମ୍ପୁଡି଼ ଧାର ବି ସେଇମିତି ଲମ୍ବିଛନ୍ତି ଗୋଟିଏ ଗାତରୁ ଆଉ ଗୋଟିଏ ଗାତକୁ । କଲ୍ୟାଣୀ ନିଜକୁ ଅନାଇଲା । ନା,ତା ଠି ମଧ୍ୟ କିଛି ପରିବର୍ତ୍ତନ ଘଟିନାହିଁ । ତା ହୃଦୟ ଭିତରଟା କିନ୍ତୁ ଗୁମୁରି ଗୁମୁରି କୁହୁଳି କୁହୁଳି ଖୋଜୁଛି ଅତୀତକୁ । ଆଉ ତା ଆଖିରୁ ମଧ୍ୟ ଲୁହ ଧାର ଶୁଖୁନି  ।

ଏଇତ,ଆଜିକୁ ମାତ୍ର ଆଠ ଦିନ ହୋଇଛି,ଶ୍ରାବଣୀର ନିଶ୍ଚଳ, ନିଷ୍ପନ୍ଦ ଶରୀରଟାକୁ ତା’ଠାରୁ ବଳାତ୍ ଛଡ଼ାଇ ନେଇ ଗଲେ । କେହି ଜଣେ ହେଲେ ତା ଉପରେ ଦୟା କଲେ ନାହିଁ ।

କ’ଣ ଉଦ୍ଭଟ ଚିନ୍ତା ସବୁ ଆସୁଛି ତା ମନରେ?ମୃତ ଶରୀର ଟାରେ ଆଉ ଥାଏ ବା କଣ । ଶ୍ରାବଣୀ ତ ତାକୁ ଛାଡି଼ ଚାଲିଗଲା ଚିରଦିନ ପାଇଁ, ତାର ମନଟାକୁ ନିଃସ୍ୱ କରିଦେଇ,ଗୋଟିଏ ଅସଜଡ଼ ।  ମୁହୂର୍ତ୍ତ ଉପରେ ଅଭିମାନ କରି । ସେ ଆଉ ଅଝଟ ହେବ ନାହିଁ । ଅପାର ମୁହଁରେ ମୁହଁ ଗେଞ୍ଜି ଆଉ ଗେଲ କରିବ ନାହିଁ । ଅଧା ଇସାରା ଅଧା ଭାଷାରେ ନିଜର ଭାବ ଦୋହରେଇବ ନାହିଁ ।

ଶ୍ରାବଣୀ, କଲ୍ୟାଣୀର ଭିନ୍ନକ୍ଷମ, ସର୍ବଥା ତା ଉପରେ ନିର୍ଭରଶୀଳା ଟିକି ଭଉଣୀ । ମସ୍ତିଷ୍କ ଥିଲା ତାର ଅର୍ଦ୍ଧ ବିକଶିତ । ବୟସ ସହ ତାର ଶରୀର ବଢ଼ି ଚାଲିଥିଲା ଉଛୁଳା ନଈ ପରି, କିନ୍ତୁ ସ୍ୱଭାବରେ ସେ ତିନି ଚାରି ବର୍ଷର ଶିଶୁ ହୋଇ ରହିଗଲା ।

***

ବଡ଼ ଝିଅ ଆସି ଡାକିଲା କଲ୍ୟାଣୀକୁ,ଭିତରକୁ ହାତ ଧରି ନେଇ ଗଲା । ବସାଇଲା ଡାଇନିଂ ଟେବୁଲ ପାଖରେ, ଜୟପ୍ରକାଶଙ୍କ ପାଖ ଚୌକିରେ । ଜୟପ୍ରକାଶ ବ୍ୟବସାୟର ସମସ୍ତ ଦାୟିତ୍ୱ ସହାୟକ ମାନଙ୍କ ହାତରେ ଦେଇ ପନ୍ଦର ଦିନ ଧରି ଘରେ ରହୁଛନ୍ତି କେବଳ ତାରି ପାଇଁ । ତାକୁ ବୋଧ ଦେଉଛନ୍ତି, ତାକୁ ସାଷ୍ଟମ କରିବାକୁ ଅନବରତ ପ୍ରୟତ୍ନଶୀଳ ରହୁଛନ୍ତି । ଶାଶୁ ରୋଷେଇ ଘର ସମ୍ଭାଳିଛନ୍ତି । ଦୁଇ ଝିଅଙ୍କୁ ଖୋଇବା ସ୍କୁଲ ପଠେଇବା ଇତ୍ୟାଦି ସମସ୍ତ ଦାୟିତ୍ୱ ସୁରୁଖୁରୁରେ ଚଲାଇଛନ୍ତି ।

ତାର ଅପରାଧବୋଧ ତାକୁ ନିରନ୍ତର ଲାଞ୍ଛିତ କରୁଛି । କିନ୍ତୁ ସେ ତ ତାର ନିଜ ଆୟତ୍ତ ରେ ହିଁ ନାହିଁ, କରିବ ବା କଣ । ବେଳେବେଳେ ସେ ଉନ୍ମାଦିନୀ ପରି ବ୍ୟବହାର କରି ପକାଉଛି, ନ ଚାହିଁ ସୁଦ୍ଧା ।

ତାର ବାଁ ପାଖ ଚୌକିରେ ସାନଝିଅ ଆସି ବସୁ ବସୁ କଲ୍ୟାଣୀର ହାତଟା ସେ ଚୌକି ଉପରକୁ ଆପଣା ଛାଏଁ ଚାଲି ଗଲା ଝିଅକୁ ସେଥିରେ ବସିବାକୁ ବାରଣ କରିବା ଉଦ୍ଦେଶ୍ୟରେ । ସେହି ଚୌକିଟା ଯେ ଶ୍ରାବଣୀର । ସେ ତାକୁ ସେଠାରେ ବସାଇ ଆପଣା ହାତରେ ଖୁଆଇ ଦେଉଥିଲା । ଆଜି ତାର ଅସ୍ତିତ୍ଵ କାହିଁ କେଉଁଠି ମିଳେଇ ଗଲା । ଅନ୍ତରରୁ କୋହ ଉଠିଲା, ସେ ଆଉ ବସି ରହି ପାରିଲା ନାହିଁ । ସେଠାରୁ ଉଠି ଆସିଲା ଶ୍ରାବଣୀର ଶୟନ କକ୍ଷକୁ । ତାର ଶୂନ୍ୟ ଖଟରେ ହାତ ବୁଲେଇ ଉଚ୍ଚ ସ୍ୱରରେ ବିକଳ ହୋଇ କାନ୍ଦିବାକୁ ଲାଗିଲା । ଦୁଇ ଝିଅ ତା ପଛେ ପଛେ ଧାଇଁ ଆସି ତାକୁ କୁଣ୍ଢେଇ ଧରି ସାନ୍ତ୍ଵନା ଦେବାର ବୃଥା ଚେଷ୍ଟା କଲେ । ସେ ବିରକ୍ତ ହୋଇ ଉଠିଲା । ଶ୍ରାବଣୀ ତ ସମସ୍ତଙ୍କ ଗଳାର କଣ୍ଟା ଥିଲା । ସେ ମଲା ପରେ କାହାରି କିଛି ଅଣେଇ ପଡ଼ିନାହିଁ । ଏମାନେ ସମସ୍ତେ ହୁଏତ କିଛିଟା ଆଶ୍ୱସ୍ତ ହୋଇଥିବେ ।

ଅତୀତର ପୃଷ୍ଠା ଓଲଟେଇଲା କଲ୍ୟାଣୀ । ତିନି ଭାଇଙ୍କ ପରେ କଲ୍ୟାଣୀର ଜନ୍ମ । ସେ ବାର ତେର ବର୍ଷ ହେଲା ପରେ ଆସିଲା ଶ୍ରାବଣୀ, ବାପାଙ୍କ ସ୍ୱଇଚ୍ଛାଚାରୀତା ଓ ମାଆର ସମ୍ପୂର୍ଣ୍ଣ ନୀରବ ଆତ୍ମସମର୍ପଣର ସନ୍ତକ ରୂପେ ।

କଲ୍ୟାଣୀ କିନ୍ତୁ ସାନ ଭଉଣୀ ଟିଏ ପାଇ ଖୁବ ଖୁସି ହୋଇ ଥିଲା । ମାଆର ଦୁର୍ବଳ ଶରୀରର ଅଂଶ ହୋଇ ସଂସାରକୁ ଆସିଥିବା ଶ୍ରାବଣୀ ବାରମ୍ବାର ରୋଗରେ ଆକ୍ରାନ୍ତ ହେଲା । ସେ ଏପିଲେପ୍ସିର ଶୀକାର ହୋଇ ପଡ଼ିଲା । ଅବଶେଷରେ ସେ ପରିଣତ ହେଲା ଏକ ବିକଳାଙ୍ଗ ଶିଶୁରେ । କଲ୍ୟାଣୀ ସ୍ନାତକୋତ୍ତର ପଢ଼ୁଥିବା ବେଳେ ମାଆ ତାର ସେହି ଦୁଃଖ ମନରେ ନେଇ ଆଖି ବୁଜିଲା  । ଶ୍ରାବଣୀର ଯାବତୀୟ ଦାୟିତ୍ୱ ଆସି ପଡ଼ିଲା କଲ୍ୟାଣୀର ମୁଣ୍ଡ ଉପରେ । ସେତେବେଳକୁ ଭାଇମାନଙ୍କ ବିବାହ ହୋଇ ସାରିଥାଏ । ଭାଉଜ ମାନେ ଶ୍ରାବଣୀକୁ ବୋଝ ମଣୁଥାଆନ୍ତି । ଭାଇମାନେ ଯେ ଯାହାର ଚାକିରୀ ବ୍ୟବସାୟ ଇତ୍ୟାଦି ରେ ବ୍ୟସ୍ତ । ବାପା ଜୀବନର ଶେଷ ପାହାଚରେ ଅତ୍ୟନ୍ତ ଅସହାୟ ହୋଇ ସାରିଥାନ୍ତି । ପଶ୍ଚାତାପର ଚିହ୍ନ ସବୁ ତାଙ୍କ ଆଖି ଦୁଇଟିରେ କଲ୍ୟାଣୀ ସ୍ପଷ୍ଟ ଦେଖି ପାରୁଥାଏ । ମାଆ ବଞ୍ଚି ଥିଲା ବେଳେ ସେ ସମ୍ପୂର୍ଣ୍ଣ ରୂପେ ତାରି ଉପରେ ନିର୍ଭର କରୁଥିଲେ । ଦିନର ଅଠର ଘଣ୍ଟା ସେ ତାକୁ ନିଜର ସେବାରେ ନିୟୋଜିତ ରଖୁଥିଲେ । ମାଆ ସେହି ଭିତରେ ମଧ୍ୟ ଶ୍ରାବଣୀକୁ ସାମାନ୍ୟତମ ଅବହେଳା କରୁନଥିଲା । ବର୍ତ୍ତମାନ ବାପାଙ୍କ ଦାୟିତ୍ୱ ମଧ୍ୟ କଲ୍ୟାଣୀକୁ ତୁଲେଇବାକୁ ପଡ଼ିଲା । ମାତ୍ର କୋଡ଼ିଏ ବର୍ଷ ବୟସରେ ସେ ଦୁଇ ଦୁଇଟା ଅସହାୟ ଛୁଆଙ୍କ ମାଆ ପାଲଟି ଯାଇଥିଲା ।

ଦୁହିଁଙ୍କର ସମସ୍ତ କାମ ସାରି ସେ କଲେଜ ଯାଏ । ଫେରିଲା ବେଳକୁ ପ୍ରାୟ ନିତି ଦିନ ଶ୍ରାବଣୀ ଆଖିରୁ ଆଷାଢ଼ ଶ୍ରାବଣର ଧାରା ଝରୁଥାଏ । ଭାଉଜ ମାନଙ୍କର ବିରକ୍ତିଆ କର୍କଶ ସ୍ୱର ଶୁଣାଯାଉଥାଏ । କେବେ କେବେ ଶ୍ରାବଣୀ ମଳମୁତ୍ଧ ତ୍ୟାଗକରି ସେହିଥିରେ ଘାଣ୍ଟି ହେଉଥାଏ ।  ଅପାରଗ ବାପାଙ୍କ ପରଳ ପଡ଼ି ଯାଇଥିବା କାରୁଣ୍ୟତାଭରା ଆଖିରେ କେବଳ ବେଦନାସିକ୍ତ ଫାଙ୍କା ଫାଙ୍କା ଭାବ ।  ତାକୁ ଦେଖିଲେ ସେ ଛୋଟ ନିଶ୍ୱାସ ଟିଏ ମାରି ତଳକୁ ମୁହଁ ପୋତି ଦିଅନ୍ତି,ଯାହାକି କଲ୍ୟାଣୀକୁ ସମ୍ପୂର୍ଣ୍ଣ ଭାବେ ନିସ୍ତେଜ କରି ପକାଏ ।

ଏହିଭଳି ଦୁଃଖରେ ଜର୍ଜରିତ ହୋଇ ବାପା ମଧ୍ୟ ତାକୁ ଓ ଶ୍ରାବଣୀକୁ ଭାଇ ଭାଉଜଙ୍କ ତାଚ୍ଛଲ୍ୟ ଓ ଅଣହେଳା ମଝିରେ ଛାଡି ଇହଲୀଳା ସମ୍ବରଣ କରନ୍ତି ।

ଯେମିତି ସେମିତି ପାଠ ପଢି କୌଣସିମତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା କଲ୍ୟାଣୀ । ସ୍ୱର୍ଣ୍ଣ ପଦକ ପ୍ରାପ୍ତିର ଆଶା ତାର ଧୂଳିସାତ୍ ହୋଇଗଲା । ଏମ୍ ଫିଲ୍ କରିବାର ପ୍ରବଳ ଇଚ୍ଛାକୁ ମନରେ କବର ଦେଇ ସେ ଗୋଟିଏ ଘରୋଇ କଲେଜରେ କାମ କଲା,କେବଳ ଶ୍ରାବଣୀର ଖର୍ଚ୍ଚ ପାଇଁ ଘରେ ବଢୁଥିବା ଅଶାନ୍ତିକୁ ଆଖି ଆଗରେ ରଖି ।

ନିଜ ଦରମା ପଇସାରେ ସେ ଭାଉଜ ଓ ଝିଆରୀ ପୁତୁରା ମାନଙ୍କ ପାଇଁ ନାନା ପ୍ରକାର ଉପହାର ଆଣି ଦେଉଥିଲା ଲାଞ୍ଚ ସ୍ୱରୂପ ।  କିଛି ଦିନ ଶ୍ରାବଣୀର ସ୍ୱଳ୍ପ କିଛି ଦାୟିତ୍ୱ ମଧ୍ୟ ଭାଉଜମାନେ ନେଲେ ନିଜ ନିଜ ଭିତରେ ପାଳି କରି ।  କିଛି ଦିନ ପାଇଁ ସେ ଟିକେ ଚିନ୍ତାମୁକ୍ତ ହେଲା । କିନ୍ତୁ ଗୋଟିଏ ବଢ଼ିଲା ଅସହାୟ ଝିଅର ଦାୟିତ୍ୱ ନେବା ଆଦୌ ସହଜ ନୁହେଁ । ସୁତରାଂ ଅଳ୍ପ ଦିନ ପରେ ଯଥା ପୂର୍ବଂ ତଥା ପରଂ । ପୁତୁରା ଝିଆରୀ ମାନେ ମଧ୍ୟ ତା ସହିତ ବାଳସୁଲଭ ଦାଉ ସାଧିଲେ । ଶ୍ରାବଣୀକୁ କିଏ ଚିମୁଟି ଦେଲାଣି ତ କିଏ ପେଲି ଦେଲାଣି । କଲେଜ ଗଲାବେଳେ ଶ୍ରାବଣୀ ତାକୁ କୁଣ୍ଢେଇ ଧରି ବିକଳ ହୋଇ କାନ୍ଦେ । କଲେଜରେ ତାର ମନ ଲାଗେନା । ଫେରିଲେ ପୁଣି ଶ୍ରାବଣୀ ତା ଉପରେ ଲୋଟିଯାଏ କାନ୍ଦି କାନ୍ଦି । କାକୁସ୍ଥ ଆଖିରେ ତାର ଭୟ ଓ ଅନୁନୟ ଭରି ରହିଥାଏ । ତାର ପାଟି ସିନା ଫିଟେନା, କିନ୍ତୁ ତାର ଅକୁହା ବେଦନାକୁ କଲ୍ୟାଣୀ ବେଶ ଅନୁଭବ କରି ପାରେ ।

ଉପାୟ ଶୂନ୍ୟ ହୋଇ ସେ ଶ୍ରାବଣୀକୁ ନେଇ ଅଲଗା ଘରେ ଭଡ଼ା ରହିଲା । ଭାଇ ମାନେ ମଧ୍ୟ ତାକୁ ଅଟକାଲେ ନାହିଁ । ଶ୍ରାବଣୀର କଥା ବୁଝାବୁଝି କରିବା ସକାଶେ ସେ ଜଣେ ସ୍ତ୍ରୀଲୋକକୁ ନିଯୁକ୍ତ କଲା । ସନ୍ତୋଷ ଜନକ ନହେଲେ ମଧ୍ୟ କାମ ଚଳିଲା । ଏ ଭିତରେ ଭାଇ ମାନେ ତାକୁ ବିବାହ କରିବାକୁ ଯୋର ଦେଲେ । କାରଣ ଗାଁ ସାହିରେ ଲୋକମାନେ ତାଙ୍କୁ ଏଥିପାଇଁ ଉଲୁଗୁଣା ଦେଉଥିଲେ ।

କଲ୍ୟାଣୀ ବିବାହ କରିବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଲା ।

କିନ୍ତୁ ନିୟତିର ଇସାରା ଭିନ୍ନ ଦିଗକୁ ଗତି କରୁଥିଲା । ତେଣୁ ସେ ମନା କରି ପାରିଲାନି ଜୟ ପ୍ରକାଶଙ୍କ ପ୍ରସ୍ତାବକୁ । ତାଙ୍କ ମାମୁ ଝିଅ ଭଉଣୀର ଏଡମିଶନ ପରିପ୍ରେକ୍ଷୀରେ ଜୟ ପ୍ରକାଶଙ୍କ ସହ ତାର ପରିଚୟ । ପ୍ରଥମ ଦୃଷ୍ଟିରେ ହିଁ ସେ ଭଲ ଲାଗିଲା ଜୟ ପ୍ରକାଶଙ୍କୁ । ଶ୍ରାବଣୀର କଥା ଶୁଣି ସେ ଆହୁରି ପ୍ରଭାବିତ ହେଲେ । କଲ୍ୟାଣୀ ନିଜ ନିଷ୍ପତ୍ତି ବିଷୟରେ ଓ ତାର କାରଣ ବିଷୟରେ ତାଙ୍କୁ ଅବଗତ କରାଇଥିଲା । କିନ୍ତୁ ଜୟପ୍ରକାଶ ଶ୍ରାବଣୀର ଦାୟିତ୍ୱ ମଧ୍ୟ ବହନ କରିବେ ବୋଲି ସହର୍ଷେ ସ୍ୱଇକାର କଲେ ।

ତାଙ୍କୁ ବିଶ୍ୱାସ କରି, ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଓ ତାଙ୍କର କାରୁଣ୍ୟତାଭରା ଆଖିର ଅନୁନୟ ବିନୟକୁ ପ୍ରତ୍ୟାଖ୍ୟାନ କରିନପାରି ସେ ତାଙ୍କୁ ବିବାହ କଲା ।

ବିବାହ ପରେ ଶ୍ରାବଣୀକୁ ନିଜ ଛୋଟ ଭଉଣୀ ପରି ଆଦର ଯତ୍ନ କଲେ ଜୟପ୍ରକାଶ । ତାର ଛୋଟ ମୋଟ କାମ ମଧ୍ୟ କରିଦେଲେ । କଲ୍ୟାଣୀକୁ ବେଶ ଆଶ୍ୱାସନା ମିଳିଲା । ସେ ଜୟ ପ୍ରକାଶଙ୍କୁ ଜୀବନ ସାଥି ରୂପେ ପାଇ ନିଜକୁ ଭାଗ୍ୟବତୀ ମଣିଲା ।

ବସ୍ତ୍ର ପରିଧାନ ବ୍ୟବସାୟୀ ଥିଲେ ଜୟପ୍ରକାଶ । ଘରେ ଚାକରାଣୀ ଟିଏ ଥିଲେ ମଧ୍ୟ କଲ୍ୟାଣୀ ଶ୍ରାବଣୀର ସମସ୍ତ କାମ ନିଜେ କରୁଥିଲା । ତେଣୁ କଲ୍ୟାଣୀ କଲେଜ ଗଲେ ସେ ଦୋକାନରୁ ଆସି ଶ୍ରାବଣୀର ଖାଇବା ପିଇବା ଦାୟିତ୍ୱ ବୁଝି ଯାଉଥିଲେ ।

ଶାଶୁ ଶ୍ୱଶୁର ସବୁ ଜାଣି ମଧ୍ୟ ଏ ବିବାହରେ ଅରାଜି ନଥିଲେ । କାରଣ କଲ୍ୟାଣୀ ସୁନ୍ଦରୀ, ସୁଶିକ୍ଷିତା ହୋଇଥିବା ସହ ତାର ଚାକିରୀଟା ମଧ୍ୟ ସ୍ଥାୟୀ ହୋଇ ଯାଇଥିଲା । । ବଡ ଝିଅର ଜନ୍ମ ବେଳେ ଦୁହେଁ ଆସିଥିଲେ । ତାପରେ ପରିସ୍ଥିତି ଭିନ୍ନ ମୋଡ଼ । ନେଇଥିଲା । ଅବଶ୍ୟ ଶ୍ରାବଣୀ ପାଇଁ ବେଳେ ବେଳେ ଝିଅକୁ ଅଣହେଳା କରୁଥିଲା କଲ୍ୟାଣୀ । କାରଣ, ସେ ଜାଣିଥିଲା, ଝିଅର ଯତ୍ନ ଶାଶୁ ନେଉଥିଲେ ଖୁବ୍ ଭଲ ଭାବରେ । କିନ୍ତୁ ଶାଶୁ ଶ୍ୱଶୁରଙ୍କ ଆଖିରେ ଏସବୁ ଗଲା ନାହିଁ । ଏ ନେଇ ପ୍ରଥମେ ଶାଶୁ ଶ୍ୱଶୁରଙ୍କ ସହ ତାର ମନୋମାଳିନ୍ୟ ଆରମ୍ଭ ହେଲା । କ୍ରମେ ତାହା ସଞ୍ଚରିଗଲା ଜୟ ପ୍ରକାଶଙ୍କ ନିକଟକୁ । ଶ୍ରାବଣୀ ସମସ୍ତଙ୍କ ଚକ୍ଷୁଃଶୂଳ ପାଲଟି ଗଲା ।

କଲ୍ୟାଣୀ ଆପ୍ରାଣ ଚେଷ୍ଟା କଲା, ଶ୍ରାବଣୀ ସହ ଅନ୍ୟ ସମସ୍ତଙ୍କ ଯତ୍ନ ମଧ୍ୟ ଠିକ ଭାବେ ନେବାକୁ । ତାକୁ ଘରେ ଅଶାନ୍ତି ମୋଟେ ଭଲ ଲାଗୁନଥିଲା । କିନ୍ତୁ ଅନେକ ସମୟରେ ଶ୍ରାବଣୀ ପ୍ରତି ପକ୍ଷପାତ କରି ପକାଉଥିଲା ଅଜାଣତରେ । ତାର କାରଣ ଆଉ କିଛି ନୁହେଁ, କେବଳ ଶ୍ରାବଣୀ ଏକଦମ ନିଃସହାୟ ଓ କଲ୍ୟାଣୀ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳା ଥିଲା ବୋଲି । ଝିଅ ତ ପାଟି କରି କାନ୍ଦୁଥିଲା କିଛି ଦରକାର ପଡ଼ିଲେ । କିନ୍ତୁ ଶ୍ରାବଣୀର ସୁନ୍ଦର କମନୀୟ ଆଖି ଦୁଇଟିରେ କେବଳ ଲୁହ ଢଳଢଳ ହେଉଥିଲା । ଝିଅ ଜିଦି କଲା ବେଳେ ଶ୍ରାବଣୀ ଆକୁଳ ଆଖିରେ ନିରୀହ ପ୍ରାର୍ଥନା କରୁଥିଲା ।

କଲ୍ୟାଣୀ ଆଦୌ ଦ୍ୱିତୀୟ ସନ୍ତାନ ଚାହୁଁ ନ ଥିଲା, କିନ୍ତୁ ବଂଶ ଦାୟାଦ ପାଇଁ ଆଗ୍ରହୀ ଜୟପ୍ରକାଶ ଓ ଶାଶୁ ତାକୁ ଏକରକମ ବାଧ୍ୟ କଲେ । ପୁତ୍ର ସନ୍ତାନ ତ ନୁହେଁ, ଆସିଲା ସାନଝିଅ । ବର୍ତ୍ତମାନ କଲ୍ୟାଣୀ ଏକେବାରେ ଅତିଷ୍ଠ ହୋଇ ପଡ଼ିଲା । କଲେଜ ,ଶ୍ରାବଣୀ ଓ ଝିଅ ମାନଙ୍କ ମଧ୍ୟରେ କଲ୍ୟାଣୀ ପେଶି ହୋଇଗଲା । ଘରେ ଅହରହ ଅଶାନ୍ତି ଲାଗି ରହିଲା । କଲେଜରୁ ବାରମ୍ବାର ଛୁଟି ନେଲା । କଲେଜ ଗଲେ ମଧ୍ୟ କେବେ ଗୋଟାଏ କେବେ ଦୁଇଟି କ୍ଲାସ କରି ଘରକୁ ଫେରିଲା । ଘରୋଇ କଲେଜ, ତେଣୁ ପ୍ରଥମେ ୱାର୍ଣ୍ଣ କରି ପରେ ତାର ସ୍ଥାୟୀ ଛୁଟି କରି ଦେଲେ  । କଲ୍ୟାଣୀ ମଧ୍ୟ ଦେଖିଲା ଆଉ ଚାକିରୀ କରିବା ସମ୍ଭବପର ନୁହେଁ । ଘରେ ରହିଲା ପରେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିଲା ନାହିଁ । ଶ୍ରାବଣୀକୁ ନେଇ ସଦାସର୍ବଦା ଯୁକ୍ତିତର୍କ ଓ କନ୍ଦଳ ଲାଗି ରହିଲା । ଶାଶୁ ପରୋକ୍ଷରେ ଶ୍ରାବଣୀକୁ ଅନାଥାଶ୍ରମରେ ଛାଡ଼ିବା ପାଇଁ ପ୍ରସ୍ତାବ ଦେଲେ । କଲ୍ୟାଣୀ ହୃଦୟରେ ଛୁଞ୍ଚି ଫୋଡି଼ ହୋଇଗଲା । ସେ ଶୁଣି ନଶୁଣିବାର ଛଳନା କଲା । ଏହିପରି ଅଶାନ୍ତି ଭିତରେ ଦିନ ଗଡ଼ି ଚାଲୁଥିଲା ।

ଦିନେ ସାନ ଝିଅକୁ ଗାଧୋଇ ଦେଉ ଦେଉ ଶ୍ରାବଣୀର ଗଁ ଗଁ ଶବ୍ଦ ଶୁଣା ଗଲା । ଝିଅକୁ ପୋଛିପାଛି ଆସୁ ଆସୁ ରୋଷେଇ ଘରୁ କ୍ଷୀର ପୋଡ଼ି ବାର ଗନ୍ଧ ନାକରେ ବାଜିଲା । ଚାକରାଣୀ ଲୁଗା ଶୁଖେଇବାକୁ ଛାତକୁ ଯାଇଥିଲା । ଶାଶୁ ଶ୍ୱଶୁର ଦୁହେଁ ମାମୁ ଘରକୁ ଯାଇଥିଲେ ।

ଝିଅକୁ ଛାଡି ଗ୍ୟାସ ବନ୍ଦ କରି ଶ୍ରାବଣୀ ପାଖକୁ ଗଲାରୁ ଦେଖିଲା, ସେ ଘରଟା ସାରା ଝାଡ଼ା ପରିସ୍ରା କରି ଘାଣ୍ଟି ହେଉଛି । ତାର ହିତାହିତ ଜ୍ଞାନ ଲୋପ ପାଇଗଲା । ସେ ବିରକ୍ତ ହୋଇ ଦୁଲ୍ କିନା ଗୋଟେ ଶକ୍ତ ବିଧା ବସାଇ ଦେଲା ଶ୍ରାବଣୀ ପିଠିରେ । ସେ ମୁହଁ ମାଡ଼ି ପଡ଼ି ଗଲା । ଏତେବେଳେ କଲ୍ୟାଣୀର ସମ୍ବିତ୍ ଫେରି ଆସିଲା । ଦେଖିଲା,ଶ୍ରାବଣୀର ଓଠରୁ ରକ୍ତ ସ୍ରାବ ହେଉଛି । ଶ୍ରାବଣୀ ଆଖିରେ ନଥିଲା ଲୁହ, ନଥିଲା ବି ଅଭିଯୋଗ ବା ଅଭିମାନ । ଡବଡବ କରି ଅପାକୁ ତାର ଅନେଇ ରହିଲା ରିକ୍ତ ଦୃଷ୍ଟିରେ । କଲ୍ୟାଣୀ ପ୍ରଥମ ଥର ପାଇଁ ଶ୍ରାବଣୀକୁ ମାରିଲା । ଦୁଃଖ କୋହରେ ସେ ଫାଟି ପଡ଼ିଲା । ଶ୍ରାବଣୀକୁ କୁଣ୍ଢେଇ ଧରିଲା । ଶ୍ରାବଣୀ ମଧ୍ୟ ପ୍ରଥମ ଥର ପାଇଁ ଅପା କୋଳରୁ ନିଜକୁ ମୁକ୍ତ କରିବାର ନିଷ୍ଫଳ ପ୍ରୟାସ କଲା ।

ସେହି ଦିନଠାରୁ ଖାଇବା ପିଇବା କମ କରିଦେଲା ଶ୍ରାବଣୀ ।  ଯୋର କରି ଖୁଆଇଲେ ତାର ବାନ୍ତି ହୋଇଗଲା । କ୍ରମଶଃ ସେ ଦୁର୍ବଳ ହୋଇ ପଡ଼ିଲା । ଜୟପ୍ରକାଶ ତାକୁ ଭଲ ଭଲ ଡାକ୍ତର ପାଖକୁ ନେଇ ଗଲେ । କୌଣସି ଔଷଧ ଆଉ କାଟୁ କଲା ନାହିଁ । କଲ୍ୟାଣୀ ଅନୁଭବ କଲା, ଶ୍ରାବଣୀ ଓ ତା ମଧ୍ୟରେ ଥିବା ମାୟା ମୋହର ରଜ୍ଜୁ ଧୀରେ ଧୀରେ ଶ୍ରାବଣୀ କୋହଳ କରି ଦେଉଛି । ସେ ଧିରେ ଧିରେ ତାଠାରୁ ଦୂରେଇ ଯାଉଛି । ତାର ଜିଜୀବିଷା ମରି ମରି ଆସୁଛି ।

ବହୁତ ଅନୁତାପ କଲା କଲ୍ୟାଣୀ । ଅନୁତାପ କଲେ ଜୟପ୍ରକାଶ । କଲ୍ୟାଣୀ ପାଖରେ ଅପରାଧୀ ପରି ଠିଆ ହୋଇ କ୍ଷମା ପ୍ରାର୍ଥନା କଲେ । ଆଉ ମଧ୍ୟ ଅନୁତାପ କଲେ ଶାଶୁ ଶ୍ୱଶୁର । ବର୍ତ୍ତମାନ କଲ୍ୟାଣୀର ସମସ୍ତ ସମୟ କଟିଲା ଶ୍ରାବଣୀର ସେବା ଯତ୍ନରେ । ଶାଶୁ ଘର ଓ ପିଲାମାନଙ୍କୁ ସମ୍ଭାଳିଲେ । । ଜୟପ୍ରକାଶ ମଧ୍ୟ ଶ୍ରାବଣୀ ପାଇଁ ପାଣି ଭଳି ପଇସା ଖର୍ଚ୍ଚ କଲେ । କିନ୍ତୁ ସର୍ବୋତ୍କୃଷ୍ଟ ଚିକିତ୍ସା ସତ୍ତ୍ୱେ ଶ୍ରାବଣୀର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିଲା ନାହିଁ । ତାର ଉଦାସ ଆଖି ଦୁଇଟିରେ ଶୂନ୍ୟତା ଘନେଇ ଆସିଲା ।  ଶେଷରେ କାହାକୁ ପ୍ରାୟଶ୍ଚିତ କରିବାର ଅବସର ନଦେଇ ସେ ଚିରଦିନ ପାଇଁ ଶୋଇଗଲା । ଘରେ ସମସ୍ତେ ଅତ୍ୟନ୍ତ ଦୁଃଖୀ ହେଲେ । କିନ୍ତୁ କଲ୍ୟାଣୀକୁ ସବୁ ନାଟକ ପରି ଲାଗିଲା ।

ଶ୍ରାବଣୀର ଶୂନ୍ୟ ବିଛଣାରେ ସେ ହାତ ବୁଲାଉ ବୁଲାଉ ଜୟପ୍ରକାଶ ଆସି ତା କାନ୍ଧରେ ହାତ ରଖିଲେ । ଶ୍ରାବଣୀର ଗୋଟିଏ ବଡ଼ ଲେମିନେଟେଡ ଫଟୋଗ୍ରାଫ ସାଙ୍ଗରେ ଗୋଟିଏ ରସିଦ ବିଛଣା ଉପରେ ରଖିଦେଲେ । ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖା ଥିଲା, "ଶ୍ରାବଣୀ ଟ୍ରଷ୍ଟ ଫର ଫିଜିକାଲି ଡିଜେବଲ୍ଡ" । ସେ ଜୟପ୍ରକାଶଙ୍କୁ ଖାଲି ଖାଲି ଆଖିରେ ଅନେଇଲା । ତାଙ୍କ ଆଖିରେ ଲୁହ ଢଳଢଳ । ଦୀର୍ଘ ନିଶ୍ୱାସ ଟିଏ ନେଇ ସେ ତାଙ୍କ ହାତ ଉପରେ ହାତ ରଖିଲା । ।

ଆରତୀ ସାହୁ(ଆଶା)

ପୃଥିବୀ କଲ୍ୟାଣୀ ଶ୍ରାବଣୀ

Rate the content


Originality
Flow
Language
Cover design

Comments

Post

Some text some message..