Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Drama Tragedy

3  

Arabinda Rath

Drama Tragedy

ବାହାଦୁର

ବାହାଦୁର

18 mins
15.2K


ଲେଖକ-ଅରବିନ୍ଦ ରଥ

ନୂଆ କରି ମୁଁ କଲୋନୀକୁ ଆସି ଥାଏ। ସେଦିନ ସକାଳେ ବାରଣ୍ଡାରେ ବସି ଚାହା ପିଇଲା ବେଳକୁ ଜଣେ ଅଳ୍ପ ଉଚ୍ଚତା ବିଶିଷ୍ଟ ଲୋକ ଆସି ମୋତେ ନମସ୍କାର କଲା।

– ସଲାମ ସାହାବ୍। ମୁଁ ବାହାଦୁର। ଏ କଲୋନୀରେ ରାତିରେ ଜଗେ। ଆପଣ ନୂଆ ଆସିଲେ, ତେଣୁ ଦେଖା କରିବାକୁ ଚାଲି ଆସିଲି।

ଲୋକଟିର ମୁହଁରେ ଆତ୍ମୀୟତା ଭରି ରହିଥିଲା,ଧିରସ୍ଥିର କଥା । ତା ମୁହଁଟିରେ ନିରୀହତାର ଭଷା ସ୍ପଷ୍ଟ ପଢି ହେଉଥିଲା। କେଜାଣି କାହିଁକି ଲୋକଟି ମୋତେ ଭଲ ଲାଗିଲା।

– ହଉ ଠିକ୍ ଅଛି। ଭଲ ହେଲା ଚାଲି ଆସିଲ। ମୁଁ ତ ଏକୁଟିଆ ରହୁଛି। ମୋ ପରିବାର ଗାଁଆରେ। ମୋ ଅନୁପସ୍ଥିତିରେ ଘରର ଦାୟୀତ୍ବ ତୁମକୁ ଲାଗିବ। ହସିହସି କହିଲି ତାକୁ। ସେ ମୁଣ୍ଡ ଟୁଙ୍ଗାରି ହଁ ଭରିଲା।

ରାତିରେ ମୁଁ ଡେରିରେ ଶୁଏ। ଅଫିସର କାମ ସାରି କିଛି ପଢାପଢି କରି ଶୋଇଲା ବେଳକୁ ରାତି ଦୁଇଟା ପାଖାପାଖି। ମନ ହେଲେ ବାହାରେ ଠିଆ ହୋଇ ପବନ ଟିକେ ଖାଇବାକୁ ମୋତେ ବହୁତ୍ ଭଲ ଲାଗେ। ସେଦିନ ପୁଣି ଦେଖାହେଲା ବାହାଦୁର। ଭାବିଲି ତା ସହ ତା ଟିକେ ଦୁଖସୁଖ ହେବି। ମୋତେ ଦେଖି ବାହାଦୁର ମୋ ପାଖକୁ ଆସିଲା।

– ସଲାମ୍ ସାବ୍। କଣ ଏତେ ବେଳ ହେଲାଣି ଶୋଇ ନାହାଁନ୍ତି। ନିଦ ହେଉନି କି? ଯଦି କହିବେ ଟିକେ ଘଷାମୋଡା କରି ଦେବି।

ଆରେ ନା। ମୋତେ ବାହାରେ ଟିକେ ଠିଆ ହେଲେ ଭଲ ଲାଗେ ତ ସେଇଥି ପାଇଁ ଏଠି ଅଛି। ଆଉ ତୁମ ଖବର କଣ କୁହ।

– ସାହାବ୍ ମୋ ଘର ହେଲା ନେପାଳ । ପେଟ ପାଟଣା ପାଇଁ ଚାଲି ଆସିଛି ଏ ସହରକୁ। ଘରେ ସ୍ତ୍ରୀ ଓ ସାନ ପୁଅ। ଯେତିକି ପାଇସା ପାଉଛି କଷ୍ଟେମଷ୍ଟେ ଚଳିଯାଉଛି।

– ତୁମେ ଜଗିଲେ ପଇସା କେତେ ମିଳେ? ପଚାରିଲି ମୁଁ।

– ସେମିତି କିଛି ଠିକ ନାହିଁ। ଯିଏ ଯାହା ଦିଏ। କିଏ ଦଶ, କିଏ କୋଡିଏ। ମୁଁ କାହାକୁ କିଛି ମାଗେେନି। ଯାହା ମିଳେ ଖୁସିରେ ସେତିକିରେ ମୁଁ ସନ୍ତୁଷ୍ଟ। ସନ୍ଧ୍ଯା ବେଳେ ଟିଫିନରେ ରୁଟି ଦିଇଟା ଧରି ମୁଁ ବାହାରି ଆସେ ଘରୁ। ରାତି ସାରା ଜଗେ। ଭୋକ ଲାଗିଲେ ଖାଇଦିଏ। ଭୋର ହେଲେ ଘରକୁ ଯାଏ। ତା ପରେ କିଛି ସମୟ ଶୋଇ ପୁଣି ବାହାରି ପଡେ ଧାନ ମିଲ୍ କୁ।

– ଧାନ ମିଲ୍ କୁ କଣ ପାଇଁ?

ମୁଁ ସେଠି କାମ କରେ ସାହେବ୍। ମୁଁ ପାଠ ପଢିଛି। ତେଣୁ ଧାନ ମିଲରେ ହିସାବପତ୍ର କାମ କରେ। ଆସିବା ଆଗରୁ ଆମ ଗାଁଆ ସ୍କୁଲରେ ପାଠ ପଢଉ ଥିଲି। ସ୍କୁଲ୍ ଟି କୌଣସି କାରଣରୁ ବନ୍ଦ ହୋଇଯିବା ପରେ ପେଟ ପାଟଣା ପାଇଁ ଆଉ କିଛି ଉପାୟ ନଥିଲା। ମୋ ଚାଚା ଏ ସହରରେ ଥିଲେ । ସେ ମୋତେ ଡାକିଲେ ଏଠିକୁ ଆସିବା ପାଇଁ। ଚାଲି ଆସିଲି ମୁଁ ମୋ ପରିବାର ଧରି। ଆଜିକୁ ୫ ବର୍ଷ ହେବ ଅଛି ଏଇ ସହରରେ। ଭଲ ଲାଗୁଛି ଏ ଯାଗା। ମୋ ପୁଅ ବି ପଢୁଛି ଏଇ ପାଖ ସ୍କୁଲ୍ ରେ। ସ୍ତ୍ରୀ ମୋର ସିଲେଇ ଭଲ କରେ । ଛୋଟ ଦୋକାନଟେ କରିଛି ଘରେ। ଶାଢି, ଶାୟା, ବ୍ଲାଉଜ୍ ଇତ୍ଯାଦି ସିଲେଇ କରେ। ସେଥିରୁ କିଛି ରୋଜଗାର ହୁଏ। ଘରେ ଅଭାବ ନାହିଁ। ଦି ଓଳି ଭଲରେ ଖାଇ ଚଳିବା ପାଇଁ ପଇସା ମିଳି ଯାଉଛି।

ଗୋଟେ ନିଶ୍ବାସରେ ସବୁ କହିଗଲା ବାହାଦୁର।

--ଆଚ୍ଛା ତୁମେ ପାଠ ପଢିଛ। ଏମିତି ବାହାଦୁର କାମ କରିବା ବେଳକୁ ନିଜକୁ କିଛି ଖରାପ ଲାଗୁନି?

ଖରାପ ଲାଗିବ କଣ ସାହେବ୍। ପରିବାର ଚଳାଇବା ପାଇଁ ପଇସା ଦରକାର। ଯଦି ମୁଁ ପାଠୁଆ ଲୋକ ବୋଲି ନିଜକୁ ଭାବି ଜଦି ଚାକିରି ଖୋଜିବି ମୋ ପରିବାରକୁ ଚଳାଇବ କିଏ। ତେଣୁ ଯାହା ବି କାମ ମିଳିଲା ସେ କାମରେ ମୁଁ ଖୁସି।

କହିବା ଭିତରେ ବାହାଦୁର ତା ବ୍ଯାଗରୁ ଏକ ପୁଡିଆ ବାହାର କଲା । ଦେଖି ଜଣା ପଡୁଥିଲା ତାହା ଏକ ଖାଦ୍ଯ ପୁଡିଆ।

– ସାହେବ ଯଦି ଖରାପ ନ ଭାବିବ ମୋତେ ଟିକେ ପାଣି ଦେବ। ମୋତେ ଆଜି କଲୋନୀର ଜଣେ ବାବୁ ଏ ଖାଇବା ପୁଡିଆଟା ଦେଇଛନ୍ତି। କହିଲେ ଭଲ ହୋଟେଲର ଖାଇବା । ଖାଇ ନେବ। ତେଣୁ ଆଜି ଘରୁ ଖାଇବା ନ ଆଣି ଆସଛି। ଯଦି କିଛି ଆପତ୍ତି ନଥାଏ ଏଇଠି ବସି ଖାଇ ଦିଅନ୍ତି।

---- ଆରେ ତୁମ ମୁଣ୍ଡ ଖରାପ୍ ନା କଣ। ମୋ ଘରକୁ ଆସ। ମୁଁ ଘରେ ଏକୁଟିଆ। ଟେବୁଲରେ ବସି ଖାଇବ। ଏତିକି କହି ବାଧ୍ଯ କରି ବାହାଦୁରକୁ ଘର ଭିତରକୁ ଆଣିଲି। ବଡ ସଙ୍କୋଚରେ ଆସିଲା ସେ ଘରକୁ। ବହୁତ୍ ବାଧ୍ଯ କଲା ପରେ ଟେବୁଲରେ ବସିଲା । ରୋଷେଇ ଘରୁ ପ୍ଲେଟ ଓ ପାଣି ବୋତଲ ଆଣି ତାକୁ ଦେଲି। କହିଲି ଆରାମରେ ଖାଇଦିଅ। ମୋ ଘରକୁ ଆସିବାରେ ସଙ୍କୋଚ କରିବନି। ବରଂ ମୁଁ ଖୁସି ହେବି। ବାହାଦୁର ଆଖିରେ କୃତଜ୍ଞତାର ଭାଷା ସ୍ପଷ୍ଟ ପଢି ପାରୁଥିଲି ମୁଁ। ମୋତେ ପଚାରିଲା –

– ବାବୁ ତୁମେ ଖାଇଛ କି ନାହିଁ।

ଆରେ ମୋ ଖାଇବା ସରି ଯାଇଛି। ତୁମେ ଆରାମରେ ଖାଇନିଅ। ତା ପରେ କଥା ହେବା।

ମୁହଁରୁ ଜଣା ଯାଉଥିଲା ବିଚରା ଭୋକରେ ଥିଲା। ବଡ ଆଗ୍ରହର ସହ ଖାଇବା ପୁଡିଆଟି ଖୋଲି ପ୍ଲେଟ୍ ରେ ସଜେଇ ରଖିଲା। ମାତ୍ର ମୋତେ ଲାଗିଲା ସେ ଖାଇବା ଗୁଡିକ ନିହାତି ବାସି। କେମିତି ଗୋଟେ ଆମ୍ବିଳା ବାସ୍ନା ଖେଳିଗଲା ଘର ଭିତରେ। ବାହାଦୁର ବି ଜାଣି ପାରିଲା ସେ କଥା। ସେ ତରକାରୀରେ ହାତ ମାରି ଦେଖିଲା ଲାଳୁଆ ହୋଇଯାଇଥିଲା ସବୁ। କିଛି ଗୋଟେ ତରକାରୀ ସାଙ୍ଗକୁ ଫ୍ରାଏଡ୍ ରାଇସ। ଯେ କେହି ବି କହି ଦେବ ଖାଇବା ଜିନିଷ ନିହାତି ଅସ୍ବାସ୍ଥ୍ଯକର ଥିଲା। କଣ କରିବ ସେ କିଛି ଜାଣି ପାରିଲାନି। ମୁଁ ଆଗରେ ବସିଥାଏ। ତେଣୁ ମୁହଁରେ କିଛି ପ୍ରତିକ୍ରିୟା ବି ଦେଖେଇପାରୁ ନଥିଲା ବୋଧେ। ଛେପ ଢୋକି କହିଲା

--- ସାହେବ ତୁମକୁ ଲାଗୁନି, ଏ ଖାଇବା ସବୁ ନଷ୍ଟ ହୋଇ ଯାଇଛି ବୋଲି। କେମିତି ଗୋଟେ ପଚା ଗନ୍ଧ ବାହାରୁଛି।

ମୁଁ ବଡ ପାଟିରେ କହିଲି

--- ଫିଙ୍ଗ ସେ ଖାଇବା। ଯିଏ ତୁମକୁ ଦେଲା ସେ ମଣିଷ ନା କଣ। ନିହାତି ବାସି ଖାଇବା ଗୁଡା। ତୁମକୁ ଦେବାକୁ ସାହାସ କଲା କେମିତି। ଯିଏ ବି ଖାଇବ ଫୁଡ୍ ପଏଜନିଙ୍ଗରେ ଜୀବନ ଯିବ। ଛିଃ ଏମିତି ଅମଣିଷ ମାନେ ବି ଅଛନ୍ତି ଏ ଦୁନିଆରେ।

ବାହାଦୁର ଆଖିରେ ଲୁହ ଜକେଇ ଆସିଲା। କହିଲା ଆମେ ଗରୀବ ସତ। ମାତ୍ର ଲୋକ ମାନେ ଆମକୁ ପଶୁ ହିସାବରେ ଦେଖୁଛନ୍ତି। ଆମ ଜୀବନରେ ଖୁସି ନାହିଁ, ହସ ନାହିଁ। ଆମେ କେବଳ ଅନ୍ୟର ଫିଙ୍ଗା ଜିନିଷ ଖାଇ ବଞ୍ଚିବୁ ବୋଲି ଲୋକମାନେ ଭାବୁଛନ୍ତି। ଏ ଖାଇବା କୁକୁରକୁ ଦେଲେ ବି ସେ ମୁହଁ ମୋଡି ଚାଲିଯିବ। ମାତ୍ର ସେ ଲୋକ ଚକଚକିଆ ଜରିରେ ପୁରେଇ ମୋତେ ବିଷ ଧରେଇ ଦେଲା। କାହାକୁ କଣ କହିବି ମୁଁ।

ବାହାଦୁର ଭିତରେ ଜଳି ଉଠୁଥିବା ବିଦ୍ରୋହକୁ ମୁଁ ଠିକ୍ ଦେଖି ପାରିଥିଲି। ସେ ଗରୀବ ହୋଇପାରେ। ମାତ୍ର ତାର ଏ ଅବସ୍ଥା ଉପରେ ପରିହାସ କରିବାର ଅଧିକାର କାହାର ବି ନାହିଁ। ଯିଏ ବି ତାକୁ ଏ ଜିନିଷ ଦେଲା ସେ ନିହାତି ଭାବରେ ଭାବିଥିବ ଯେ ବାହାଦୁର ପରି ଲୋକ ମାନେ ସମାଜରେ କୁକୁର ବା ଘୁଷୁରୀଙ୍କ ଠାରୁ କିଛି ଗୁଣରେ କମ ନୁହଁ। ତାଙ୍କୁ ଅଇଁଠା, ବାସି, ପଚା ଯାହା ଦେଲେ ବି ସେ ମନ ଖୁସିରେ ଗ୍ରହଣ କରିବେ। ମୋ ମନ ଭିତରେ କ୍ରୋଧର ବହ୍ନି ଜଳୁଥିଲା। ମନ ହେଉଥିଲା ସେଇ ସମୟରେ ସେ ଲୋକ ଘରକୁ ଯାଇ ତା ମୁହଁରେ ଖାଇବାତକ ଫିଙ୍ଗି ଆସିବା ପାଇଁ। ମୋ ଭାବନାର ସୁଅରେ ରୋକ୍ ଲାଗିଗଲା ବାହାଦୁରର କଥାରେ। ସାହେବ ମୁଁ ଯାଉଛି। ହାତରେ ଧରିଥିଲା ସେ ବାସି ଖାଇବା ତକ। ତାକୁ ଦେଇଥିବା ପ୍ଲେଟ୍ ଟି ଧୋଇ ପରିଷ୍କାର କରି ଟେବୁଲରେ ରଖି ସାରିଥିଲ।

--- ଆରେ ରୁହ ଯିବ କୁଆଡେ। ଆଜି ରାତିରେ ଖାଇବ କଣ?

–---- କିଛି ନାହିଁ ବାବୁ। ରାତି ତିନିଟା ବାଜିଲାଣି। ପାଣି ପେଟେ ପିଇ ଦେଇଛି। ସକାଳେ ଦେଖିବି ଘରକୁ ଗଲା ପରେ କିଛି ଖାଇ ନେବି। ଶାନ୍ତ ସରଳ ଭାବରେ କହିଲା ସେ।

ତା କଥା ନଶୁଣି ମୁଁ ରୋଷେଇ ଘରେ ପଶିଲି। ଦେଖିଲି ରୁଟି ଚାରି ପଟ ଅଛି। ଫ୍ରିଜରେ ଛେନା ଅଛି। ଗୋଟେ ପ୍ଲେଟ୍ ରେ ରୁଟି ଛେନା ଓ କିଛି ଚିନି ଆଣିଲି। କହିଲି

--- ମୋ ଘରକୁ ପ୍ରଥମ ଥର ଆସିଛ। କିଛି ନଖାଇଲେ ଯାଇ ପାରିବନି। ହସିହସି କହିଲି ଆରେ ମୁଁ ସେ ଲୋକ ପରି ବାସି ଖାଇବା ଦେଇନି। ନିଜେ ରୁଟି କରିଛି। ଆସି ଖାଇ ନିଅ।

ବାହାଦୁର ବୁଲି ଚାହିଁଲା। ମୋ ହାତ ଧରି କାନ୍ଦି ପକେଇଲା। କହିଲା

– ବାବୁ ପେଟ ଭୋକ ଅପେକ୍ଷା ଆତ୍ମାର ଆଘାତଟା ବେଶି ହୋଇଯାଇଛି। ବହୁତ ବାଧିଛି ମୋତେ। ସତରେ କଣ ଆମ ମାନଙ୍କର ଜୀବନ ପଶୁ ଠାରୁ ବି ଖରାପ୍ ? କଣ ଆମକୁ ଲୋକ ମାନେ ଏଇ ନଜରରେ ଦେଖନ୍ତି ?

– ସେମିତି କାହଁକି ଭାବୁଛ ତୁମେ। ଜଣେ ଲୋକ ପାଇଁ ତୁମେ ସମସ୍ତଙ୍କୁ ଏମିତି ଭାବିବାଟା ଠିକ ନୁହେଁ। ଭଦ୍ର ସମାଜରେ ବି ବହୁତ ପଶୁମାନେ ମୁଖା ଘୋଡେଇ ଚାଲିଛିନ୍ତି। ସେମାନଙ୍କ ନଜରରେ ନିଜ ଛଡା ଅନ୍ଯ ସମସ୍ତେ ଇତର ପଶୁ। ତେଣୁ ସେମାନଙ୍କ ପାଇଁ ନିଜ ମନରେ କଷ୍ଟ ଦିଅନି। ଭବିଷ୍ଯତରେ ଯଦି କେହି ତୁମକୁ ଏମିତି କିଛି ଦେଲା ମୁହଁରେ ମନା କରିଦେବ। ବାସ୍ କାମ ତମାମ। ଏବେ ସେସବୁ କଥା ଛାଡ। ଗୋଟେ ବଡ ଭାଇପରି କହୁଛି, ଆସି ଖାଇନିଅ।

ବାହାଦୁର ବାଧ୍ଯ ପିଲାଟି ପରି ଆସି ଟେବୁଲରେ ବସି ଖାଇଲା। ମୁଁ ଜାଣି ପାରୁଥାଏ ତା ମନର ଅବସ୍ଥା। ମୋତେ ନିଜକୁ ଖରାପ ଲାଗଥାଏ। କେମିତି ଲୋକ ସବୁ ଅଛନ୍ତି ଏ ଦୁନିଆରେ।

ବାହାଦୁର ହାତ ଧୋଇ ସାରିଲା ପରେ ମୁଁ କହିଲି

– ମୋର ଗୋଟେ ଅନୁରୋଧ। ଯେତେ ବେଳେ ଯାହା ଅସୁବିଧା ହେବ ମୋତେ କହିବ। ନିଜ ବଡ ଭାଇପରି ଭାବିବ ମୋତେ।

ହାତ ଯୋଡି ବାହାଦୁର କହିଲା, ସାହେବ ଏତେ ବଡ କଥା କୁହନ୍ତୁନି। ମୋ ପରି ମଣିଷକୁ ନିଜ ଭାଇ ବୋଲି କଣ ପାଇଁ କହୁଛନ୍ତି। ମୁଁ ଆଜି ଅଛି କାଲି କି ନଥିବି। ସହରରେ ବୁଲୁଥିବା ବୁଲା କୁକୁର ପରି ମୋ ଜୀବନ। ଆପଣଙ୍କ ପରି ବଡ ଲୋକ ମୋତେ ଆଜି ଖାଇବାକୁ ଦେଇ ଯିତିକି ସମ୍ମାନ ଦେଲେ ମୁଁ ସାରା ଜୀବନ ଭୁଲିବିନି। ସେତିକି ଯଥେଷ୍ଟ ମୋ ପାଇଁ। ଭଗବାନ ଆପଣଙ୍କୁ ବହୁତ୍ ଖୁସି ଦିଅନ୍ତୁ। ଏବେ ମୁଁ ଯାଉଛି। ଆହୁରି ବହୁତ ଯାଗାରେ ପହରା ଦେବାର ଅଛି। ଚୋର ମାତିଛନ୍ତି ସହରରେ। କିଛି ଅଘଟଣ ଘଟି ଗଲେ ସବୁ ଦୋଷ ମେତେ ହିଁ ଦେବେ। ଅଣ୍ଟାରେ ଖୋସିଥିବା ଭୁଜାଲିକୁ ଥରେ ଖୋଲି ଭଲରେ ପୋଛି ପୁଣି ଯଥା ସ୍ଥାନରେ ରଖି ବାହାରକୁ ଚାଲିଗଲା ସେ। ମୁଁ ନିର୍ବାକ ହୋଇ ଠିଆ ହୋଇ ଭାବୁଥାଏ , ଆଜିକାଲି ସମାଜର ଚଳଣିକୁ। ଧନ୍ଯ ଏ ସମାଜ। ପଛେ ନିଜ କୁକୁରକୁ ଏସି ରୁମରେ ଶୁଆଇବେ, କାର୍ ସିଟରେ ବସେଇ ବଜାର ବୁଲେଇବେ, ତାଙ୍କ ମାନଙ୍କ ପାଇଁ ସ୍ନାସ୍ଥ୍ଯକର ଖାଇବା ଆଣିବେ, କିନ୍ତୁ ମଣିଷ ମାନଙ୍କ ପାଇଁ ବାସି, ପଚା ଖାଦ୍ଯ ପୁଡିଆରେ ଗୁଡେଇ ଧରେଇଦେବେ। ଧିକ୍ ଏ ସମାଜକୁ।

ସେଦିନ ରାତିରେ ଭଲ ନିଦ ହେଲାନି ମୋତେ। ଖାଲି ବାହାଦୁରର ଲୁହ ଛଳଛଳ ଆଖି ଯୋଡିକ ଦିଶୁଥାଏ। କେତେ ବାଧି ଥିବ ବିଚରା ଲୋକଟିକୁ।

ଦିନ ପରେ ଦିନ ବିତି ଚାଲିଲା। ପ୍ରାୟ ସବୁଦିନ ମୋର ଦେଖା ହୁଏ ତା ସହ। ରାତିରେ ସେ ମୋ ଘର ଆଗ ଦେଇ ଗଲା ବେଳେ କିଛି ସମୟ ନିହାତି କଥା ହୁଏ। ଦିନେ ତାକୁ ପଚାରିଲି

– ତୁମେ ଏ ଭୁଜାଲିକୁ କେବେ ବ୍ଯବହାର କରିଛ ନା ସେମିତି ଖାଲି ପାଖରେ ରଖିଛ।

ହସିଲା ବାହାଦୁର। କହିଲା ସାହାବ ମୋ ପୁଅ ବି ତୁମ ପରି ମୋତେ ପଚାରେ ସଦାବେଳେ ଏଇ କଥା। ମୁଁ କରାଟେ ଶିଖିଛି। ଭୁଜାଲି ଚଳାଇବା ସହ ଆହୁରି ଅନେକ ପ୍ରକାରର ଯୁଦ୍ଧ କଳା ବି ଶିଖିଛି । ଅବଶ୍ଯ କେବେ ବ୍ଯବହାର କରିବାର ସୁଯୋଗ ପାଇନି। ଆମେ ବାହାଦୁର ଜାତିକୁ ଏ ସବୁ ଶିଖିବାକୁ ପଡେ। ନୋହିଲେ ଆମକୁ କିଏ ବା କଣ ପାଇଁ ଖାତିର କରନ୍ତା ।

ସେଦିନ ପ୍ରଥମ ଥର ପାଇଁ ମୁଁ ବାହାଦୁରର ମାଂଶପେଶୀ ବହୁଳ ହାତ ଦୁଇଟାକୁ ନିରୀକ୍ଷଣ କଲି। ସତରେ ଚଉଡା ବପୁ ଓ ଶକ୍ତ ବାହୁ ଯୋଡା ,ବାହାଦୁରର ବାହାଦୁରୀକୁ ଆହୁରି ବଢାଇ ଦେଉଥିଲା।ସେଦିନ ବାହାଦୁର ବହୁତ ବ୍ଯସ୍ତ ଜଣା ପଡୁଥିଲା। ପଚାରିବାରୁ କହିଲା ଯେ

– --ଏଇ କଲୋନୀରେ ଥିବା ରାଏ ବାବୁଙ୍କର ଝିଅ ବାହାଘର ଅଛି। ସେଥିପାଇଁ ମୋତେ ଟିକେ ସାବଧାନ ରହିବାକୁ କହିଛନ୍ତି। ତାଙ୍କ ଘରେ ଗହଳ ଚହଳ ଲାଗି ରହିଛି। ଯାବତୀୟ ଜିନିଷ ପତ୍ର ବି ବାହାରେ ପଡିଛି। ସେଇଥି ପାଇଁ ମୋତେ ଟିକେ ବେଶି ପହରା ଦେବାକୁ ହେବ। ଆଜି କାଲି ସହରରେ ଚୋରଙ୍କ ଉତ୍ପାତ ବଢି ଯାଇଛି। ସେଥି ପାଇଁ ତାଙ୍କର ବେଶି ଚିନ୍ତା।

– – ଆରେ ତୁମେ ଥାଉ ଥାଉ କାହାର ସାହାସ ଅଛି ଆମ କଲୋନୀରେ ଚୋରି କରିବ। ତୁମେ ତାକୁ ବାଡେଇ ଛତୁ କରି ଦେବାକୁ କେତେ ସମୟ ଲାଗିବ। ଏତିକି କହି ମୁଁ ହସିଲି। ବାହାଦୁର ବି ହସିଲା ଗୋଟେ ମନଖୋଲା ହସ। ବୋଧ ହୁଏ ଏମିତି ପ୍ରଶଂସା ଶୁଣିବା ତା ଭାଗ୍ଯରେ କେବେ ଜୁଟି ନ ଥିଲା।

–- ମୁଁ ଚାଲିଲି ସାହେବ୍। ବହୁତ୍ ଯାଗା ବୁଲିବାର ଅଛି।

ସତକୁ ସତ ତା ପରଦିନ ଜଣେ ମଧ୍ଯ ବୟସ୍କ ଲୋକ ହାତରେ ବାହାଘର କାର୍ଡ ଧରି ମୋ ଘରେ ପହଞ୍ଚିଲେ।

--- ଆଜ୍ଞା ମୁଁ ରାମଚନ୍ଦ୍ର ରାଏ। ଏଇ କଲୋନୀରେ ଆପଣଙ୍କ ପଡୋଶୀ। ସହରରେ ଯେଉଁ ବଡ ଲୁଗା ଦୋକାନ ଅଛି ତାହା ମୋର। ମୋ ବଡ ଝିଅର ବାହାଘର ଅଛି। ଆପଣଙ୍କ ସହ କେବେ ଦେଖା ହୋଇ ନଥିଲା। ତେଣୁ କାହା ହାତରେ କାର୍ଡ ନ ପଠେଇ ନିଜେ ଚାଲି ଆସିଲି। ନିହାତି ଆସିବେ। ଆପଣଙ୍କ ପରି ସାହେବ ଲୋକ ମୋ ଘରକୁ ଆସିଲେ ମୋ ସମ୍ମାନ ବଢିବ। ମୁଁ ସେଦିନ ସେଲସ୍ ଟାକ୍ସ ଅଫିସକୁ ଯାଇଥିଲି। ସେଦିନ ଆପଣଙ୍କ ଷ୍ଟାଫ ମାନେ କହିଲେ ଆପଣ ଆମ କଲୋନୀରେ ରହୁଛନ୍ତି ବୋଲି। ଆମ ଭାଗ୍ଯ ଆପଣଙ୍କୁ ଆମ ଗହଣରେ ପାଇ।

ଏକ ନିଶ୍ବାସରେ କହି ସାରିବା ପରେ ଲୋକ ଜଣଙ୍କ ମୋ ମୁହଁକୁ ଚାହିଁଲେ। ମନେମନେ ହସିଲି ମୁଁ। ତା ମାନେ ଏ ବାହାଘର କାର୍ଡ ମୋ ପାଇଁ ନୁହଁ , ଏ କାର୍ଡ ସେଇ ସେଲସ୍ ଟାକ୍ସ ଅଫିସରଙ୍କୁ ଯାହାଙ୍କ ହାତରେ ଦୋକାନୀ ମାନଙ୍କର ଭାଗ୍ଯ ନିର୍ଦ୍ଧାରିତ ହୁଏ। ତଥାପି ସୌଜନ୍ଯତା ଦୃଷ୍ଟିରୁ କହିଲି

– ନିହାତି ଯିବି ଆଜ୍ଞା। ଏ ଦୂର ଯାଗାରେ ଆପଣ ମାନେ ତ ମୋ ପରିବାର। ଗୋଟିଏ କଲୋନୀରେ ରହୁଛେ ଯେତେ ବେଳେ ଆପଣଙ୍କ ଖୁସିରେ ସାମିଲ ହେବିନି କେମିତି। ଟିକେ ଅପେକ୍ଷା କରନ୍ତୁ । ଚାହା ଟିକେ ପିଇ ଯିବେ। ମୋ କଥା ଶୁଣି ଲୋକ ଜଣକ କୃତ୍ଯକୃତ୍ଯ ହୋଇଗଲା।

--- ନାଁ ଆଜ୍ଞା, ଆପଣ ଚାହା କରିବେ ମୁୁଁ ପିଇବି। ସେମିତି ଯମା ହେବନି। ମୋତେ ବହୁତ ଯାଗାରେ କାର୍ଡ ଦେବାକୁ ହେବ। ଆପଣଙ୍କୁ ଅନୁରୋଧ ନିହାତି ଆସିବେ। ଆପଣଙ୍କ ଅଫିସର ସବୁ ଷ୍ଟାଫ୍ ମାନଙ୍କୁ ବି କହିଛି ଆସିବା ପାଇଁ।

ଏତିକି କହି ଲୋକଟି ଚାଲିଗଲା। ମୁଁ ଜାଣି ପାରିଲି ତା ମାନେ ଇଏ ସେଇ ରାଏ ବାବୁ ଯାହା ଝିଅ ବାହାଘର ଅଛି। ଏଇ ଲୋକ ପାଇଁ ଆମ ବାହାଦୁର ଏତେ ବ୍ଯସ୍ତ। କାର୍ଡରେ ଥରେ ଆଖି ବୁଲେଇ ନେଲି। ଆଉ ଦୁଇଦିନ ପରେ ବାହାଘର।

ସେଦିନ ରାତିରେ ବାହାଦୁର ବେଶ୍ ଖୁସି ଜଣା ପଡୁଥିଲା। ପଚାରିଲାରୁ କହିଲା--

– ଆଜି ରାଏ ବାବୁଙ୍କ ଝିଅ, ଯାହାର ବାହାଘର ଅଛି, ସେ ମୋତେ କହିଲେ ବାହାଘରକୁ ନିହାତି ଆସିବା ପାଇଁ। ମୋ ପରିବାରକୁ ନେଇ ଆସିବାପାଇଁ କହିିଛନ୍ତି। ଏତେ ବଡ ଲୋକ ମୋତେ ଡାକିଛନ୍ତି । ମୋ ପାଇଁ କେତେ ବଡ କଥା।

ତା କଥା ଶୁଣି ମୁଁ ବି ଖୁସି ହେଲି। ଯାହା ହେଉ ଲୋକଟାର ଝିଅର ହୃଦୟ ଅଛି। ବାହାଦୁରକୁ ଡାକିଛି ବହୁତ ବଡ କଥା। କାରଣ ରାଏ ବାବୁର ବଡ ଦୋକାନ ଅଛି। ଧନ, ସମ୍ପତ୍ତି ବି ଅମାପ। ତେଣୁ ତା ଘରକୁ ନିହାତି ବହୁତ ବଡବଡିଆ ଲୋକ ଆସିବେ। ସେମିତି ଗୋଟେ ଉତ୍ସବରେ ସାମିଲ ହେବା ଗୌରବର କଥା ନିଶ୍ଚୟ। ମୁଁ ଉତ୍ସାହିତ ହୋଇ କହିିଲି-

– ଆରେ ସେ ରାଏ ବାବୁ ମୋତେ ବି ଡାକିଛନ୍ତି। ଯାହା ହେଉ ସେଦିନ ତୁମ ପରିବାର ଲୋକଙ୍କ ସହ ମୋର ସାକ୍ଷାତ ବି ହେଇଯିବ। ତୁମେ ଆସିବ ଆମେ ସାଙ୍ଗ ହୋଇଯିବା।

ମୋ କଥା ଶୁଣି ଶାଙ୍କୁଡି ହୋଇଗଲା ବାହାଦୁର। କହିଲା ବାବୁ ଆପଣ ମୋ ସହ ଦି ପଦ ଭଲରେ କଥା ହେଉଛିନ୍ତି, ତାହା ମୋ ପାଇଁ ବହୁତ୍ ବଡ । ଆପଣଙ୍କ ସହ ଭୋଜିକୁ ଯିବାର ଧୃଷ୍ଟତା କରିପାରିବିନି। କେତେ ଲୋକ ଥିବେ। ସବୁ କଣ କହିବେ। ଆପଣଙ୍କ ସହ ଦେଖା ହେବ ଭୋଜିରେ। ପୁଣି ମୋ ସ୍ତ୍ରୀ ଓ ପୁଅକୁ ନେଇ ମୁଁ ଆସିବି। ତେଣୁ ଆସୁବିଧା ହେବ ଆପଣଙ୍କ ସହ ଗଲେ। ଏମିତି କହି ମୋ କଥା ଟାଳିବାକୁ ଲାଗିଲା ସେ। ମୁଁ ତାକୁ ବାଧ୍ଯ କଲିନି। ସେମିତି କରିବାଟା ମୋତେ ଉଚିତ୍ ମନେ ହେଲାନି। ହସିହସି ତାକୁ କହିିଲିି ତେବେ ଠିକ୍ ଅଛି। ସେଇ ଭୋଜିରେ ଦେଖା ହେବ ଆମର।

ରାଏ ବାବୁର ଘର ସେଦିନ ପୃଥିବୀର ସପ୍ତାଶ୍ଚର୍ଯ୍ଯ ଭିତରୁ ଗୋଟିଏ ପରି ଦିଶୁଥିଲା। ବହୁତଳ ପ୍ରାସାଦଟି ଉଜ୍ଜଳ ଆଲୋକମାଳାରେ ସଜେଇ ହୋଇ ରହିିଲା। ଦୂରରୁ ଦେଖିଲେ ଲାଗୁଥିଲା ସତେ କି ଢେଙ୍କାନାଳର ଲକ୍ଷ୍ମୀପୂଜା ମେଢ ଚାଲିଛି। ଘର ଆଗରେ ଧାଡି କରି ଥୁଆ ଯାଇଥାଏ ଅତି ଦାମୀକା ଗାଡି ମାନ ଯାହାର ମୂଲ୍ଯ ଲାକ୍ଷାଧିକ। ଟେଣ୍ଟ କରିଥିବା ଲୋକଟି ନିଜର ସମସ୍ତ ଜିନିଷ ଲଗେଇ ଥିଲା ବୋଧେ ସେଇ ବାହାଘରରେ। ଘର ବାହାରେ ସଜେଇ ହୋଇ ରହିଥିଲେ ନୂତ୍ଯାଙ୍ଗନା ମୂର୍ତ୍ତି, ମୟୁର ଆହୁରି କେତେ କଣ। ରାସ୍ତା ପାଖରୁ ବାହାଘର ଯାଗା ଯାଏ ଲମ୍ବି ରହିଥିଲା ଦାମୀ କାର୍ପେଟ୍। କାଳେ ଅତି ବିଶିଷ୍ଟ ଅତିଥି ମାନଙ୍କର ବହୁମୂଲ୍ଯ ଯୋତାରେ ଧୂଳି ଲାଗିଯିବ। ତା ସାଙ୍ଗକୁ ସେଇ ରାସ୍ତା ଉପରେ ପାଖାପାଖି ପଚାଶ ଜଣ ସିକ୍ଯୁରିଟି ଗାର୍ଡ ହାତରେ ବାଡି ଓ ଟର୍ଚ୍ଚ ଧରି ସାବଧାନ ହେବା ଭଙ୍ଗିରେ ଠିଆ ହୋଇଥିଲେ। ଗାଡି ସବୁ ଆସିବା ମାତ୍ରେ ସେଗୁଡିକୁ ଠିକ୍ ଯାଗାରେ ପାର୍କିଙ୍ଗ କରିବା କାମ ତାଙ୍କର ଥିଲା। ମୁଁ ଆଜିଯାଏ ଯେତେ ବାହାଘର ଯାଇଛି ଏମିତି ହାଇ ସୋସାଇଟି ବାହାଘରରେ ସାମିଲ ହେବାର ସୌଭାଗ୍ଯ କେବେ ମିଳି ନଥିଲା । ଘର ପାଖ ବୋଲି ଚାଲିଚାଲି ଯାଇଥିଲି। ସେମିତି କାହା ସହ ଅତି ଚିହ୍ନା ପରିଚିତ ବି ହୋଇ ନଥିଲି। ତେଣୁ ମନରେ ଆଶଙ୍କା ଆସୁଥିଲା ଯଦି ମୋତେ କେହି ଚିହ୍ନି ନପାରିବେ ତେବେ କଣ ହେବ। ତଥାପି ନିଜ ପଦବୀର ଖୋଳ ମୋତେ ସୁରକ୍ଷା ଦେଇଥିଲା। ସିଂହ ଜଙ୍ଗଲରେ ରହୁ କି ପଞ୍ଜୁରୀରେ ସେଇ ସିଂହ ହୋଇ ରହିବ। ଆଉ ମୁଁ ସୁଟ୍ ପିନ୍ଧେ କି ଗାମୁଛା, ସେଇ ସେଲସ ଟାକ୍ସ ଅଫିସର ଭାବରେ ମୋ ଓଜନଟା ବଜାୟ ରହିବ। ରାଏ ବାବୁର ଗେଟ୍ ପାଖରେ ପହଞ୍ଚିଲା ବେଳକୁ ଉଗ୍ର ଆଧୁନିକ ବେଶରେ ସଜ୍ଜିତ ଦୁଇ ଜଣ ତରୁଣୀ ମୋ ମୁଣ୍ଡ ଉପରେ ଫୁଲ ପାଖୁଡା ଓ ଅତର ସିଞ୍ଚନ କରି ଘର ଭିତରକୁ ପାଛୋଟି ନେଲେ। ଭିତରେ ଥିବା ନାରୀ ମାନଙ୍କୁ ଦେଖି ମୋର ଆଶ୍ଚର୍ଯ୍ଯର ସୀମା ରହିଲାନି। ସେମାନଙ୍କୁ ଦେଖିଲେ ଲାଗୁଥିଲା ଗହଣା ଦୋକାନର ସମସ୍ତ ଭାର ନିଜ ଶରୀରରେ ବହନ କରି ବାହାଘରରେ ଯୋଗ ଦେବା ପାଇଁ ଆସିଛନ୍ତି। ଯାହାକୁ ଦେଖିବ ଲାଗିବ ସତେକି ଜଗନ୍ନାଥଙ୍କର ସୁନାବେଶର ପ୍ରତିରୂପ। ପ୍ରତିଟି ନାରୀ ଶରୀରରେ ପାଖାପାଖି ଅଧା କେଜି ସୁନା। ମୋ ଜନ୍ମ ଜାତକରେ ଏମିତି ବେଶରେ ସଜ୍ଜିତା ନାରୀ ମାନଙ୍କୁ ଦେଖିବାର ଅବକାଶ ଜୁଟିନି କେବେ। ସେମାନଙ୍କ ସାମନାରେ ନିଜକୁ ଗୋଟେ ତୁଚ୍ଛ ଜୁଳୁଜୁଳୁଆ ପୋକ ପରି ଅନୁଭବ ହେଉଥିଲା ମୋତେ। ଜୁଳୁଜୁଳିଆ ପୋକର ଉଦାହରଣ ଦେବାର ତାତ୍ପର୍ଯ୍ଯ ଏହିକି ଯେ ମୋ ପାଖରେ ସେଇ ଚାକିରୀର ଆଲୋକ ଯାହା ମିଞ୍ଜିମିଞ୍ଜି ହୋଇ ଜଳୁଥିଲା। ବାସ୍ ତା ଛଡା ଆଉ କିଛି ବି ନଥିଲା। ହୀନମନ୍ଯତାର ନାଗଫାଶରେ ଗୁଡେଇ ତୁଡେଇ ହେବା ସମୟରେ କାହାର ସ୍ବରରେ ନିଜକୁ ବ୍ଯବସ୍ଥିତ କଲି । ଦେଖିଲି ସାମନାରେ ରାଏ ବାବୁ। ହାତ ଯୋଡି ନମସ୍କାର କରି କହିଲେ

– ମୋ ଭାଗ୍ଯ ଆପଣ ମୋ ଘରେ ପାଦ ପକେଇଲେ। ଅଫିସର ଷ୍ଟାଫ୍ ମାନେ ବି ଆସି ଗଲେଣି। ଆଉ ବିଳମ୍ବ ନ କରି ଆସି କିଛି ଖାଇ ନିଅନ୍ତୁ।

ରାଏ ବାବୁର କଥା ଶୁଣି ମୁଁ ନିଜେ କୃତ୍ଯକୃତ୍ଯ ହୋଇଗଲି।

କିଛି ସମୟ ପାଇଁ ଭୁଲି ଗଲି, ଯେଉଁ ଟଙ୍କାର ଗର୍ବରେ ଏମାନେ ଆଜି ମତ୍ତହସ୍ତୀ ପରି ହେଉଛନ୍ତି, ସେ ପଇସା ଚୋରି ଓ ବେଇମାନିର। ସରକାରଙ୍କୁ ଲକ୍ଷଲକ୍ଷ ଟଙ୍କାର ଟିକସ ଫାଙ୍କି, ଗରୀବ ଲୋକଙ୍କ ତଣ୍ଟିରେ ମଡା ପକେଇ ଓ ଯେତେ ପ୍ରକାରର ଅନ୍ଯାୟ, ଅନୀତି କରି ଏଇ ଟଙ୍କା ସବୁ ରୋଜଗାର କରିଛନ୍ତି। ଏମାନଙ୍କ ସ୍ତ୍ରୀ ମାନଙ୍କର ବେକରେ ଶୋଭା ପାଉଥିବା କୋଟିକୋଟି ଟଙ୍କାର ହାରରେ, କେତେ ଗରୀବ, ନିରିହ ସ୍ତ୍ରୀ ଲୋକଙ୍କର ମଙ୍ଗଳସୂତ୍ର ବଳି ପଡିଛି ତାର ହିସାବ ନାହିଁ। ଅନ୍ଯର ରକ୍ତ ଶୋଷି ଜୋକ ଯେମିତି ମୋଟା ସୋଟା ହୋଇ ଅୟସରେ ବଞ୍ଚେ, ଏ ମାନେ ଠିକ୍ ସେଇପରି ନିଧଡକ ବଞ୍ଚୁଛନ୍ତି।

ନିଜକୁ ପ୍ରକୃତିସ୍ଥ କଲି। ନାଁ ମୁଁ ଏମିତି ହେବା ଯମା ବି ସମୀଚିନ ନୁହଁ। ଯଦି ମୋ ମନର ଭାଷା ରାଏ ବାବୁ ପଢି ଦେବ, କାଲି ସକାଳେ ଲାଞ୍ଚ ଧରି ମୋ ଅଫିସରେ ହାଜର ହୋଇଯିବ। ଗଳାରେ ଟିକେ ହାକିମାତି ଆଣି ପଚାରିଲି

--- ରାଏ ବାବୁ , ଆୟୋଜନ ବେଶ୍ ଜୋରଦାର ହୋଇଛି। ଝିଅ କେଉଁ ଠାରେ ଅଛି। ତାକୁ ଟିକେ ଦେଖି ଦିଅନ୍ତେ।

ମୋତେ ସେ ଝିଅର ବେଦୀ ପାଖକୁ ନେଇ ପରିଚୟ କରେଇ ଦେଲା। ଝିଅ ମୋ ପାଦ ଛୁଇଁ ପ୍ରଣାମ କଲା ଓ ଆଶିର୍ବାଦ ଦେବା ସହ ତା ହାତରେ ଧରେଇ ଦେଲି ଦୁଇ ହଜାର ଟଙ୍କା ଥିବା ଏକ ଲଫାପା। ସେଠାରୁ ରାଏ ବାବୁ ମୋତେ ଖାଇବା ଯାଗାକୁ ନେଇ ଗଲେ ଓ ମୋ ଠାରୁ ବିଦାୟ ନେଇ ଅନ୍ଯ ଅତିଥି ମାନଙ୍କ ପାଖକୁ ଚାଲିଗଲେ। ଖାଇବା ଜାଗାଟି ବାଲିଯାତ୍ରା ପଡିଆଠାରୁ କୌଣସି ଗୁଣରେ କମ ନଥିଲା। ଯାହା ଯାହା ଚିନ୍ତା କରାା ଯାଇପାରେ ସବୁ ମହଜୁଦ୍ ଥିଲା ସେ ଯାଗାରେ। ମାତ୍ର ମନେମନେ ମୁଁ ଖୋଜୁଥିଲି ବାହାଦୁରକୁ। ସେ କହିଥିଲା ତାକୁ ଡାକିଛନ୍ତି ବୋଲି। ନିହାତି ଆସିଥିବ। ଚାରି ଆଡେ ଆଖି ବୁଲେଇଲି, ମାତ୍ର ଏତେ ଗହଳିରୁ କାହାକୁ ପାଇବା କଷ୍ଟ।

ହଠାତ୍ କୋଳାହଳ ଶୁଭିଲା। ମାର ତାକୁ। ଶଳା ଭିକାରି କୁଆଡେ ପଶି ଆସିଛି। ଲୋକ ଗଲଳି ଆଡେଇ ଯିବାକୁ ଚେଷ୍ଟା କଲି , ମାତ୍ର ଆଗକୁ ଯାଇ ହେଲାନି। ଦୂରରୁ ଯାହା ଦିଶିଲା ଜଣେ ସ୍ତ୍ରୀ ଲୋକ ଜଣେ ପୁରୁଷକୁ ଲୋକଙ୍କ ମାଡରୁ ବଞ୍ଚେଇବାର ପ୍ରୟାସ କରୁଛି। ଲୋକଟି ପେଟରେ ବୋଧେ କିଏ ମାଡ ମାରିଛି। ତଳେ ପଡି କଷ୍ଟରେ ଗଁ ଗଁ କରୁଛି। ପାଖରେ ସାନ ପିଲାଟିଏ ଜୋରରେ କାନ୍ଦୁଛି। ଲୋକଟିର ହାତରେ ନାଲି ଜରିରେ ଗୁଡା ଯାଇଥିବା କିଛି ଗୋଟେ ପ୍ଯାକେଟ୍ ଅଛି। ବୋଧ୍ ହୁଏ ଲୋକଟି କିଛି ଗୋଟେ ଉପହାର ଧରି ବାହାଘରକୁ ଆସିଥିଲା। କିନ୍ତୁ ଏ କଣ। ଅନାର୍ଯ୍ଯ ଲୋକ ଗୁଡା ତାକୁ ଏମିତି ପଶୁ ପରି ମାରି ଚାଲିଛନ୍ତି କଣ ପାଇଁ। ଚାରି ପଟରେ ତଥାକଥିତ ଭଦ୍ର ଲୋକ ମାନେ ପାଟିରେ ହାତ ଦେଇ ତାମସା ଦେଖିବାରେ ବ୍ଯସ୍ତ। କେହି ଜଣେ ବି ଆଗେଇ ଆସି ସେ ଲୋକଟିକୁ ବଞ୍ଚେଇବାର ପ୍ରୟାସ ବି କରୁ ନାହାଁନ୍ତି। ବରଂ କହୁଥାନ୍ତି

– ଆଜି କାଲି ଏ ଭିକାରୀ ଗୁଡା ଯାହା ହେଉଛନ୍ତି ଏମାନଙ୍କୁ ଗୁଳି କରି ମାରି ଦେବା କଥା। ଯୁଆଡେ ବାହାଘର ଭୋଜି ଦେଖିଲେ କୁକୁର ପରି ମାଡି ଆସୁଛନ୍ତି। କେତେ ଜଗିବ ଏମାନଙ୍କୁ। ରାଏ ବାବୁ ରାଗରେ ଜର୍ଜରିତ ହୋଇ କହୁଥାନ୍ତି

– ଶଳା ଚୋରକୁ ପୋଲିସ୍ ରେ ଦିଅ। ଭିକାରୀ କୋଉଠିକାର। ୟାକୁ ଦେଖିଲେ ମୋ ଗେଷ୍ଟ ମାନେ କଣ ଭାବିବେ। ୟା ବେଶ ପୋଷାକ ଦେଖ। କେମିତି ପଶିଲା ସେ ଭିତରେ। ଏତେ ସିକ୍ଯୁରିଟି ଜଗେଇଲା ପରେ ବି ଭିତରକୁ ଆସିଲା କେମିତି। ବାଡା ଶଳାକୁ। ଏମିତି ମାଡ ଦିଅ ଯେମିତି ଜୀବନ ଥିବା ଯାଏ କାହା ବାହାଘରକୁ ଯିବାର ସାହାସ କରିବନି।

ଲୋକଟିର ପାଖରେ ଗଞ୍ଜା କେଶ ଧାରି କିଛି ତରୁଣ ସେଲଫି ନେବାରେ ବ୍ଯସ୍ତ। ଏମିତି ଏକ ଜୀବନ ଆକ୍ସନ ସିନ୍ କୁ ହାତଛଡା କରିବାକୁ ସେମାନେ କେହି ଚାହୁଁ ନଥିଲେ। ସାଙ୍ଗେସାଙ୍ଗେ ସେ ଫଟୋକୁ ଫେସବୁକରେ ଅପଲୋଡ କରିବା ପାଇଁ ସମସ୍ତଙ୍କର ବ୍ଯଗ୍ରତା କାହିଁରେ କଣ।

ଦାମୀ ବୋତଲରୁ ଝରୁଥିବା ମଦରେ ମତୁଆଲା ଥିବା ଯୁବକ ମାନଙ୍କ ପାଇଁ ରାଏ ବାବୁର କଥା ଥିଲା ନିଜ ପୌରୁଷତ୍ବକୁ ପ୍ରମାଣ କରିବାର ଏକ ମାତ୍ର ସୁଯୋଗ। ସେମାନେ ଦଳି ଦେଇଗଲେ ତଳେ ପଡି ଥିବା ଲୋକ ଟିକୁ। ପାଖରେ ବସି ଥିବା ନାରୀଟି ନିଜ ସିନ୍ଦୁରକୁ ବଞ୍ଚାଇବାପାଇଁ ଯେତେ ଚେଷ୍ଟା କଲେ ବି ବିଫଳ ହେଉଥିଲା। ତାକୁ ମଧ୍ଯ ଛାଡୁ ନଥିଲେ ଲୋକେ। ପିଶାଚ ଗୁଡାକ ନିରୀହ ପିଲାଟିକୁ ମଧ୍ଯ ବାଡେଇବାକୁ ଲାଗିଲେ। ସତେ ଯେମିତି ଗୋତେ ବିରାଟ ବଡ ବିଷାକ୍ତ ସାପ ପଶି ଆସିଛି ସେ ଭୋଜି ଯାଗାକୁ। ପାଖରେ ଠିଆ ହୋଇଥିବା ନାରୀ ମୂର୍ତ୍ତି ମାନେ ନିଜର ଶାଢୀ ସଜାଡିବାରେ ବ୍ଯସ୍ତ ଥାଆନ୍ତି। ଲାଗୁଥିଲା ଯେପରି ସେ ଲୋକଟି ପଶି ଆସିିବା ଫଳରେ ସେ ପରିବେଶଟା ବିଷାକ୍ତ ହୋଇଗଲା। ସେମାନଙ୍କର ଯାତନା ସେତିକିରେ ସରିଲାନି। କିଏ ଜଣେ ଆସି ଲୋକଟି ଉପରେ ଗରମ ସୁପ୍ ଢାଳି ଦେଲା, ଠିକ୍ ଯେମିତି ଜଳଖିଆ ଦୋକାନରେ କୁକୁର ପଶିଗଲେ ଦେକାନୀ ଗରମ ପାଣି ଫିଙ୍ଗିଦିଏ। ଲୋକଟିର କଥା କହିବାର ଶକ୍ତି ନଥାଏ। କେବଳ ନିଜ ଦେହକୁ ହଲେଇ ଜଣାଉଥାଏ ଯେ ସେ ଆଉ କଷ୍ଟ ସହିପାରୁନି। ଦେଖିଲେ ଲାଗୁଥିଲା ସତେକି ତାଲିବାନୀ ଦେଶର ଦଣ୍ଡ ପ୍ରକ୍ରିୟା ଚାଲିଛି। ସେ ଲୋକଙ୍କ ଭିତରୁ କିଏ ଜଣେ କହିଲା

--- ଆରେ ଦେଖ ତା ହାତରେ ପୁଡିଆଟେ ଧରିଛି । ଦେଖିଲେ ଲାଗୁଚି କିଛି ଗୋଟେ ଉପହାର ହେଇଥିବ। ଚୋରଟା ଆମ ଝିଅର ଉପହାରରୁ କିଛି ଚୋରି କରିନି ତ?

ବାସ୍ ନିଆଁରେ ଘିଅ ଢାଳିବା ପରି ଏଇ କଥାଟି ସେଠରେ ଥିବା ଲୋକଙ୍କୁ ଆହୁରି ମତୁଆଲା କରିଦେଲା।

ଶଳା ଚୋର ଏଠି ଚୋରି କରୁଛୁ ନାଇଁ????? ପୁଣି ସାଙ୍ଗରେ ପରିବାର ଧରି ଚୋରି କରୁଛୁ। ତୋ ଜୀବନ ଆଜି ଗଲା ଜାଣ। ଏତିକି କହି ପୁଣି ମାଡର ବର୍ଷା ଆରମ୍ଭ ହୋଇଗଲା। ସ୍ତ୍ରୀ ଲୋକଟିର ଚୁଟି ଧରି ଜଣେ ମଦ୍ଯପ ଟାଣି ଧରି କହିଲା

--- କହ ତୁ କାହା ଗ୍ଯାଙ୍ଗରେ କାମ କରୁଛୁ। ନୋହିଲେ ଏଇ ଯାଗାରେ ତୋର ଚିର ହରଣ କରିବି। ପାଖରେ ଥିବା ପିଶାଚ ଗୁଡା ଆହୁରି ଉତ୍ତେଜିତ ହୋଇ ଚିତ୍କର କରି ସେ ଲୋକଟିକୁ ଆହୁରି ଉସୁକାଇବାରେ ଲାଗିଲେ। ସ୍ତ୍ରୀ ଲୋକଟି ପାଟି କରିକରି ତା ତଣ୍ଟି ବସି ସାରିଥିଲା। କେବଳ ନିଜର ଇଜ୍ଜତ ବଞ୍ଚାଇବା ପାଇଁ ପିନ୍ଧା ଶାଢିଟିକୁ ଜାବୁଡି ଧରିଥିଲା।

ମୁଁ ଆଉ ସହି ପାରିଲିନି। ଯେନତେନ ପ୍ରକାରେ ସେ ଭିଡକୁ ଡେଇଁ ଆଗକୁ ମାଡି ଆସିଲି। ଚିତ୍କାର କରି କହିଲି,

---- ଚୁପ୍ ରୁହ ସବୁ। କଣ ଲୋକଟାକୁ ମାରିଦେବ ନା କଣ? କେତେ ଆଉ ମାରିବ ତାକୁ , ତା ଦୋଷ କଣ।

ଆଜ୍ଞା, ଆପଣ ବେଶି ଭଦ୍ରଲୋକି ଦେଖାନ୍ତୁନି। ନୋହିଲେ ଆପଣଙ୍କ ଗାଲ ବି ବିଲାତି ପରି ଲାଲ୍ ହୋଇଯିବ।

ସେ ଭିଡ ଭିତରୁ କିଏ ଜଣେ କହିଲା।

ମୁଁ ନିରେଖି ଦେଖିଲି ସେ ଲୋକଟିକୁ। ମୋ ପାଦ ତଳୁ ଭୁଇଁ ଖସି ଯିବା ପରି ଲାଗିଲା। ସେ ଆଉ କେହି ନୁହଁ, ସେ ଥିଲା ମୋର ଅତି ନିଜର ବାହାଦୁର। ତା ମୁହଁ ଫାଟି ରକ୍ତାକ୍ତ ହୋଇଯାଇଥାଏ। ଦେହର ଚାରିଆଡେ ଆଘାତର ଦାଗ। ପିନ୍ଧିଥିବା ଡ୍ରେସ ଚିରି ଯାଇଥାଏ। କି ଅବସ୍ଥା କରିଛନ୍ତି ଏ ପିଶାଚ ଗୁଡା ନିରୀହ ଲୋକଟିର। ତା ପାଖରେ ସ୍ତ୍ରୀ ଓ ପୁଅ ଅଚେତ ପ୍ରାୟ ପଡିଥାନ୍ତି। ସେମାନଙ୍କ ଦେହରୁ ରକ୍ତର ଧାର ଛୁଟି ଚାଲିଥାଏ। ରାଗରେ ମୋ ଆଖି ଲାଲ୍ ହୋଇଗଲା। ଚିତ୍କାର କରି କହିଲି

– ସେ ଚୋର ନୁହଁ କି ଭିକାରି ନୁହଁ। ସେ ଆମ କଲୋନୀର ବାହାଦୁର। ତାକୁ ରାଏ ବାବୁଙ୍କର ଝିଅ କହିଥିଲା ପରିବାର ନେଇ ବାହାଘରକୁ ଆସିବାକୁ। ସେଥିପାଇଁ ସେ ଆସିଛି। ହାତରେ ଧରି ଥିବା ପୁଡିଆଟି ଚୋରି ଜିନିଷ ନୁହଁ, ବରଂ ସେ କିଛି ଉପହାର ନେଇ ଆସିଥିଲା ଝିଅକୁ ଦେବା ପାଇଁ। ଅଚାନକ ହୋଃ ହାଲା ବନ୍ଦ ହୋଇଗଲା। ସବୁ ଦେଖିଲେ ନିରେଖି ସେ ଲୋକକୁ। ଆରେ ସତେ ତ ଇଏ ତ ବାହାଦୁର୍ । ତାକୁ ମାଡ ଦେଇଥିବା ଲୋକ ପଛକୁ ଘୁଞ୍ଚିଗଲେ।

ସେତିକି ବେଳେ ରାଏ ବାବୁ ଆସି ପହଞ୍ଚିଲେ। ତାଙ୍କ ସାଙ୍ଗରେ ଥାଏ ବାହା ହେବାକୁ ଥିବା ଝିଅ। କଣ ହେଉଛି ଜାଣିବା ପାଇଁ ଆସିଛି ସେ ଯାଗାକୁ।

ମୁଁ ଏକ ନିଶ୍ବାସରେ ସବୁ କହିଗଲି। କହିଲି ରାଏ ବାବୁ ଆପଣଙ୍କ ଝିଅ ଡାକିବାରୁ ସେ ଏଠିକୁ ଆସିଛି। ନୋହିଲେ ସେ ବା କାହିଁକି ଏଠିକୁ ଆସନ୍ତା। ରାଏ ବାବୁ ଆଖି ଲାଲ୍ କରି ଝିଅ ଆଡେ ଚାହିଁଲେ। ଝିଅ ଅତି ସହଜ ଭଙ୍ଗୀରେ କହିଲା

– ଆରେ କିଏ ସେ ବାହାଦୁର। ମୁଁ ତାକୁ କେମିତି ଜାଣିବି। ମୋର କାମ ନଥିଲା ଯେ ତାକୁ ଡାକୁଥିଲି ମୋ ବାହାଘରକୁ। ମୋ ବାହାଘରରେ ମନ୍ତ୍ରୀ, ନେତା, ବଡ ବ୍ଯବସାୟୀ ଓ ଅଫିସରଙ୍କର ଅବାବ ଥିଲା ଯେ ୟାକୁ ଡାକୁଥିଲି ମୁଁ।ଏତିକି କହି ମୁହଁ ମୋଡି ଚାଲିଗଲା।

ଯାହା ସବୁ ମୋ ସାମନାରେ ଘଟି ଚାଲିଥିଲା ମୋ ଚିନ୍ତା ଶକ୍ତି ବାହାରେ ଥିଲା। ଏମିତି ଗୋଟେ ପରିସ୍ଥିତିରେ ମୁଁ ପଡିବି ବୋଲି କେବେ ଭାବି ବି ନଥିଲି। ନିଜର ପକ୍ଷ ରଖିବାର ସୁଯୋଗ ନା ବାହାଦୁର ପାଖରେ ଥିଲା ନା ଥିଲା ତା ପରିବାର ପାଖରେ। ରକ୍ତର ନଦୀରେ ସେମାନେ ସିକ୍ତ ହୋଇ ପଡି ରହିଥିଲେ ସେଇ କାର୍ପେଟ୍ ଉପରେ।

ରାଏ ବାବୁ ଗର୍ଜନ କରି କହିଲା ଏ ଘୁଷୁରୀ ଗୁଡାକୁ ନେଇ ନଳାରେ ଫିଙ୍ଗି ଦେଇ ଆସ। ସେଠି ଯାହା ଅଇଁଠା ପଡିଛି ସେମାନେ ଖାଇ ଘରକୁ ଯାଆନ୍ତୁ। ତାଙ୍କ କଥା ନ ସରୁଣୁ ଦୁଇଟା ଲୋକ ଆସି ଶବ ଉଠାଇଲା ପରିି ଘୋଷାରି ନେଲେ ବାହାଦୁର, ତା ସ୍ତ୍ରୀ ଓ ପିଲାକୁ। ମୋତେ ସିଧା ନ ଚାହିଁ ରାଏ ବାବୁ କହିଲା--

--- ଏ କଲୋନିରେ ଭଦ୍ର ଲୋକଙ୍କ ସଂଖ୍ଯା ବୋଧେ ବେଶି ବଢି ଯାଇଛି। ଯିଏ ସବୁ ଖାଇ ସାରିଲେ ସେମାନେ ନିଜ ଘରକୁ ଯାଇ ପାରନ୍ତି। ଏଠି ରହି ତାମସା କରିବାର ଆବଶ୍ଯକତା ନାହିଁ। ବଡବଡ ଲୋକ ମାନେେ ଆସିବେ ଅଳ୍ପ ସମୟ ଭିତରେ। ଯାହାର ଦେଶସେବା କରିବାର ଅଛି ନିଜ ଘରେେ କରିପାର। ମୋ ଘରଟା ଆଖଡା ନୁହଁ।

ମୁଁ ଠିକ୍ ଜାଣି ପାରିିଲି ସେ କଥା ମୋ ପାଇଁ ଉଦ୍ଦିଷ୍ଟ ଥିଲା। କାରଣ ବାହାଦୁରର ପକ୍ଷ ନେଲା ବେଳକୁ ମୁଁ ଥିଲି ସମ୍ପୁର୍ଣ୍ଣ ଏକୁଟିଆ।

କାହାକୁ କିଛି ନ କହି ସେ ସ୍ଥାନ ପରିତ୍ଯାଗ କଲି। ସତକୁ ସତ ଘର ପାଖ ନଳାରେ ବାହାଦୁର ଓ ତା ପରିବାରକୁ ଫିଙ୍ଗି ଦେଇଥିଲେ ରାଏ ବାବୁର ଚାମଚା ମାନେ। ପାଖରୁ ଦୁଇଜଣ ରିକ୍ସାବାଲାଙ୍କୁ ଡାକୁ କିଛି ପଇସା ଦେଇ ଅନୁରୋଧ କଲି ମୋ ଗରକୁ ସେମାନଙ୍କୁ ନେଇ ଯିବାପାଇଁ। ବହୁତ୍ ଅନୁରୋଧ ପରେ ସେମାନେ ମୋ ସହ ମିଶି ବାହାଦୁର୍ ଓ ତା ପରିବାରକୁ ମୋ ଘର ଯାଏ ଆଣିଲେ। କିଛି ସମୟ ଗଲା ପରେ ବାହାଦୁର ସ୍ତ୍ରୀ ସାଷ୍ଟାମ ହେଲା। ତାକୁ ନିଜ ପରିଚୟ ଦେଇ କହିଲି ବ୍ଯସ୍ତ ନହେବା ପାଇଁ। ଡାକ୍ତରଙ୍କୁ ଡାକିଲା ପରେ ଜାଣିଲି ଅତ୍ୟଧିକ ମାଡ ହେବାରୁ ବାହାଦୁରର ଦେହର ଅବସ୍ଥା ଗମ୍ଭୀର ଅଛି। ମେଡିକାଲ୍ ରେ ଆଡମିଶନ କରିବାକୁ ହେବ। ପାଖାପାଖି ପନ୍ଦର ଦିନ ପରେ ବାହାଦୁର ସୁସ୍ଥ ହେଲା। ଆଖି ଖୋଲିଲା ପରେ ମୋ ହାତ ଧରି ପିଲା ପରି କଇଁକଇଁ କାନ୍ଦିଲା। କହିଲା--

– ସାହାବ୍ ମୁଁ ତ କେବେ ଠୁ କୁକୁର ପରି ଜୀବନ ବିତଉଥିଲି। ମାତ୍ର ମୋ ଦୋଷରୁ ମୋ ପିଲା ଓ ସ୍ତ୍ରୀ ବି ମୋ ପରି ହୋଇଗଲେ। ସେମାନେ ଆମ ମାନଙ୍କୁ କଣ ନକଲେ ବାବୁ। କି ଦୋଷ ଥିଲା ମୋର।

ବାହାଦୁର ପିଠିରେ ମୁଁ ହାତ ବୁଲେଇ କହିଲି। ସେମିତି କିଛି ବି ଭାବିବାର ଆବଶ୍ଯକତା ନାହିଁ। ତୁମେ କଣ ମୁଁ ଜାଣିଛି। ସେ ଘଟଣାକୁ ମନରୁ ପୋଛି ନୂଆ ରୂପରେ ଜୀବନ ଆରମ୍ଭ କର। ଆଜି ଠାରୁ ତୁମର ବାହାଦୁର କାମ କରିବାର ଆବଶ୍ଯକତା ନାହିଁ। ଆମ ଅଫିସ୍ ରେ ରାତ୍ର ଜଗୁଆଳ ପଦବୀଟା ଖାଲି ଥିଲା। ତୁମକୁ ସେଇ ଯାଗାରେ କାମ କରିବାକୁ ହେବ। ମାସକୁ ମାସ ଦରମା ମିଳିବ। ମୁଁ ଥିବା ଯାଏ କିଛି ବି ଅସୁବିଧା ହେଲେ ମୋତେ କହିବ। ଜଣେ ବଡ ଭାଇ ପରି ଯାହା ବି ସାହାଯ୍ୟ ଦରକାର ମୁଁ କରିବି।

– କିନ୍ତୁ ଏତେ ଅନ୍ଯାୟ କରିଥିବା ସେ ରାଏ ବାବୁ ପରି ଲୋକଙ୍କୁ କଣ କେବେ ଦଣ୍ଡ ମିଳିବନି ବାବୁ? ବଡ ଆତୁର କଣ୍ଠରେ ପଚାରିଲା ବାହାଦୁର।

– ହାଃ ହାଃ ହାଃ ମୁଁ ହସିଲି। କହିଲି ବାହାଦୁର ସବୁ କାର୍ଯ୍ଯର ଫଳ ଅଛି। ରାଏକୁ ଏମିତି ଦଣ୍ଡ ମିଳିଛି ଯେ ସେ ସାତ ଜନମ ଯାଏ ଭୁଲି ପାରିବନି। ଯେଉଁ ଦିନ ତୁମକୁ ପଶୁ ପରି ବାଡେଇ ଘରୁ ଫିଙ୍ଗିଦେଲେ ସେଇ ଦିନ ରାତିରେ ହିଁ ସେ ଦଣ୍ଡ ପାଇ ଯାଇଛି। ତାକୁ ବାହା ହେବାକୁ ଆସୁଥିବା ବର, ବାଟରେ ଭୀଷଣ ମଦ ପିଇ ଗାଡି ଚଲାଇବାକୁ କହିଲା। ଯିଏ ମନା କଲେ ବି ଶୁଣିଲାନି। ବାଟରେ କିଛି ଯୁବକଙ୍କ ସହ ଗାଡି ଓଭରଟେକିଂକୁ ନେଇ ଗଣ୍ଡହୋଳ ହେଲା। ସେମାନେ ମିଳିମିଶି ନିର୍ଧୁମ ଛେଚିଲେ ସବୁ ବରଯାତ୍ରୀଙ୍କୁ। ଏମିତି ମାଡ ଯେ ବର ସିଧା ମେଡିକାଲରେ । ବରପିତା ଭୀଷଣ ରାଗିଲେ ରାଏ ଉପରେ, କାରଣ ବର ଓ ଯାତ୍ରୀଙ୍କର ସୁରକ୍ଷା ପାଇଁ କିଛି ଆୟୋଜନ କରାଯାଇ ନ ଥିଲା। ସେଇ ଯାଗାରୁ ଫେରି ଗଲା ବର ଗାଡି। ସେଦିନ ଆଉ ଝିଅର ବାହାଘର ହୋଇପାରିଲାନି। ଏତିକିରେ କଥା ସରିଲାନି। ରାଏ ବାହାଘର ପାଇଁ ଲାକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା। ତା ବେପାରକୁ ଦେଖିଲେ ଏତେ ଟଙ୍କା ପାଖରେ ରଖିଛି ସେ କଥା ବଶ୍ବାସଯୋଗ୍ଯ ହେଉ ନଥିଲା। ତେଣୁ କେହି ଜଣେ ଆୟକର ବିଭାଗ ଓ ସେଲସ ଟାକ୍ସ ବିଭାଗରେ ଆପତ୍ତି ଜଣାଇଲା। ରାଏ ବାବୁର ଘର , ଦୋକାନ ଓ ଅନ୍ଯ ଯେତେ ଯାଗାରେ ଯାହା ସବୁ ସମ୍ପତ୍ତି ରଖିଛି ସବୁ ଯାଗାରେ ଚଢଉ ହେଲା। ଦେଖାଗଲା ଲକ୍ଷ ଲକ୍ଷ ଟଙ୍କାର ଟିକସ ଫାଙ୍କି କୋଟିକୋଟି ଟଙ୍କା ଚାପି ରଖିଛି ରାଏ ବାବୁ। ଏବେ ଟିକସ ଫାଙ୍କି ଅଭିଯୋଗରେ ଜେଲରେ ଚକି ପେଶୁଛି। ରାଏ ର ଏ ଅବସ୍ଥା ଦେଖି ମୋତେ ଲାଗୁଛି ଯେ ଉପରବାଲା ସବୁ ଦେଖୁଛି। ଯେସା କୁ ତେସା ନ୍ୟାୟରେ ଏ ସଂସାର ଚାଲିଛି।

ମୁଁ ଲକ୍ଷ କଲି ବାହାଦୁର ଆଖି ଯୋଡିକରେ ଉଜ୍ଜଳତା। ସେ ଅନୁଭବ କରି ପାରୁଥିଲା ତା ପ୍ରତି ଅନ୍ଯାୟ କରିଥିବା ଲୋକମାନେ ଠିକ୍ ଶାସ୍ତି ପାଇଛନ୍ତି।

ଧିର ଗଳାରେ ପଚାରିଲା ବାହାଦୁର-

- ସାହେବ୍ , ଆପଣ କଣ ପାଇଁ ମୋର ଏତେ ଯତ୍ନ ନେଉଛନ୍ତି ?

ମୁଁ ହସି ହସି କହିଲି ତୁମର ଜାଣିବାର ଆବଶ୍ଯକତା ନାହିଁ। କେବଳ ଏତିକି ଜାଣ ଯେ ତୁମ ହୃଦୟଟି ଗଙ୍ଗାଜଳ ପରି ପବିତ୍ର। ମୋର ଆଶା ତୁମେ ସାରା ଜୀବନ ନିଜକୁ ଏମିତି ଶାନ୍ତ, ସରଳ ଓ ପବିତ୍ର କରି ରଖିବ। କଣ ବୁଝିଲା କେଜାଣି ବାହାଦୁର, ମୁଣ୍ଡ ଟୁଙ୍ଗାରି ହଁ କଲା।

------ସମାପ୍ତ----


Rate this content
Log in

Similar oriya story from Drama