ସମ୍ବଲପୁରରେ ରଥ ଯାତ୍ରା
ସମ୍ବଲପୁରରେ ରଥ ଯାତ୍ରା
ସମ୍ବଲପୁର ସହରରେ ଅନେକ ଜଗନ୍ନାଥ ମନ୍ଦିର ଅଛି ଓ ସବୁ ମନ୍ଦିରରେ ରଥଯାତ୍ରା ହୁଏ । ମାତ୍ର କେଉଁ ରଥ ପ୍ରଥମେ ଓ ତାପରେ ପର୍ଯାୟ କ୍ରମେ ଶୃଙ୍ଖଳିତ ହିସାବରେ ଆଗକୁ ବଢିବ ତାର ଗୋଟିଏ ଲୋକଗୀତି ଅଛି । ଏହା ବହୁ ପ୍ରାଚୀନ ତଥା ଦୀର୍ଘ ୫୦୦ ବର୍ଷର ପରମ୍ପରା । ପଶ୍ଚିମ ଓଡ଼ିଶାରେ ମନ୍ଦିରକୁ "ଗୁଡି" କୁହାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଗୁଡିର ମାନେ ହେଲା ପିଲା ମାନେ ଆକାଶରେ ଉଡାଉଥିବା କାଗଜ ଗୁଡି। ବୋଧ ହୁଏ ଏହି ଶବ୍ଦଟି ବି ସେଇ ଗୁଡା ଦେଶ ଶବ୍ଦରୁ ଅପଭ୍ରଂଶ ହୋଇ ଆସିଛି । "ଗୁଡି" ର ଅର୍ଥ ହେଲା ଗୁଡା ଦେଶ (ଉଚ୍ଚ ସ୍ଥାନ) ରେ ଭଗବାନଙ୍କ ବାସ । ସହର ରେ ଥିବା ବିଭିନ୍ନ ଗୁଡି ବା ମନ୍ଦିର ମାନେ ହେଲେ :-
୧- ବ୍ରହ୍ମପୁରା ଗୋପୀନାଥ ଗୁଡି
୨ - ଦଧି ବାମନ ଗୁଡି
୩ - ହୋତା ପଡା ଗୁଡି
୪ - ସତ୍ୟବାଦୀ ଗୁଡି
୫ - ମଦନ ମୋହନ ଗୁଡି
୬ - ଲିଆଖାଇ ଜଗନାଥ
୭ - ଯଜ୍ଞ ବରାହ ଗୁଡି
୮ - ଟିମିନି ଜଗନ୍ନାଥ
୯ - ମୁଦିପଡା ଜଗନ୍ନାଥ
୧୦ - କୋଠା ଜଗନ୍ନାଥ
୧୧ - ଗୋପାଳଜୀ ମଠ ଜଗନ୍ନାଥ, କମଲି ବଜାର
୧୨ - ବଡ଼ ବଜାର ଜଗନ୍ନାଥ
୧୩ - ଗୋପାଳଜୀ ଗୁଡ଼ି, ଧନୁପାଲି
ଲୋକଗୀତ ଟି ହେଲା ----
"ବରମପୁରା ର ନାକେ ଚନ୍ଦନ,
ତା ପଛ କୁ ଦଧିବାମନ ।
ଦାଧିବାମନ ଖାଇଲେ ପେଡା,
ତା ପଛକୁ ହୋତା ପଡା ।
ହୋତାପଡା ଚକ ଗରଜି,
ତା ପଛ କୁ ସତ୍ୟବାଦୀ ।
ସତ୍ୟବାଦୀ ହେଲେ ମଉନ,
ତା ପଛକୁ ମଦନ ମୋହନ ।
ମଦନ ମୋହନ ହେଲେ ବାଇ,
ତା ପଛ କୁ ଲିଆଖାଇ ।
ଲିଆଖାଇ ଖାଇଲେ ଲିଆ,
ତା ପଛକୁ ବୁଢା ପଛେ କୁଠା ଗୁଡିବ ।
କୁଠା ମାହାପୁରୁ ର ଏଡ଼େ ଗଣ୍ଡି
ସେ ନାଇଁ ଯାଏ ବିନାଖଣ୍ଡି........
କୋଠା ଜଗନ୍ନାଥ ଗୁଡିର ତିନି ବିଗ୍ରହଙ୍କ ବହୁତ ବଡ଼ ହୋଇଥିବାରୁ ଓ ବଡ଼ ବିଗ୍ରହଙ୍କ ପାଇଁ ବି ବଡ଼ ରଥ । ସହର ର ବଡ଼ ସଡକଟି ଅପେକ୍ଷାକୃତ ଛୋଟ ହେଇଥିବାରୁ ଅନ୍ୟ ସବୁ ରଥ ଏକ ନିର୍ଦ୍ଧିଷ୍ଠ ସ୍ଥାନ(ବିନାଖଣ୍ଡି) କୁ ଗଡି ଗଡି ଯାଏ, ମାତ୍ର କୁଠା ଗୁଡିର ରଥ ଯାଇ ପାରେ ନାହିଁ, ତେଣୁ ଏହା ସେଇ ଉଦେଶ୍ୟରେ ଲେଖା ଯାଇଛି । ("ସେ ନାଇଁ ଯାଏ ବିନାଖଣ୍ଡି......" )
ସହର ତଥା ଗ୍ରାମାଞ୍ଚଳ ର ମନ୍ଦିର ଗୁଡିକ ଜଗନ୍ନାଥ ସଂସ୍କୃତି ରେ ଓତପ୍ରେତ ଭାବେ ଜଡ଼ିତ । ମଂଦିର ର ସବୁ ରୀତିନୀତି ଶ୍ରୀକ୍ଷେତ୍ର ର ଶ୍ରୀ ମନ୍ଦିର ସଂଗେ ସମାନ ।
ସରୋଜ କୁମାର ସାହୁ
ସମ୍ବଲପୁର