Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଆଉ ଜଣେ କାଉଲ୍......( ୨ୟ ଭାଗ )

ଆଉ ଜଣେ କାଉଲ୍......( ୨ୟ ଭାଗ )

4 mins
7.5K


( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )

ଭାଇଙ୍କୁ ମୁଁ କାଉଲ୍ ନାମ କାଇଁ ଦେଲି ତା ଉପରେ ଆଗ କିଛି ରୋଚକ ତଥ୍ୟ ଏଠି ଉପସ୍ଥାପନା କରିବା ଉଚିତ୍ ହେବ । ମୁଁ ଯେତେ ବେଳେ ଯୁକ୍ତ ୩ ପ୍ରଥମ ବର୍ଷରେ ପଢୁଥିଲି ମୋର ଜଣେ ସମ୍ପର୍କୀୟ ବଡ ଭାଇ ଓଡିଆ ଅନର୍ସ ନେଇ ପଢୁଥିଲେ । ସେ ଦିନେ ମୋତେ ଡାକି କହିଲେ , " ଆରେ ତୁ କୁଆଡେ ପ୍ରେମ କରୁଛୁ ? ଆଚ୍ଛା ସେ ଝିଅଟାର ରେସ୍ପନ୍ସ କେମିତି ? "

ତାଙ୍କ କଥା ଶୁଣି ଟିକେ ଲାଜେଇ ଗଲେ ବି ମନେ ମନେ ବହୁତ ଖୁସି ହେଲି । ଭାବିଲି ଯାହା ହେଉ ମୋ ପ୍ରେମ କରିବାଟା ଏ ଭିତରେ ଖବର ପାଲଟି ଗଲାଣି । ମୋ ଉପର କ୍ଲାସ୍ ପିଲାମାନେ ବି ମୋ ପ୍ରେମ ଉପରେ ଆଲୋଚନା କଲେଣି । ନୂଆ ନୂଆ ପ୍ରେମରେ ପାଦ ଦେଇ ମୁଁ ତାହେଲେ ଫେମସ୍ ହୋଇଗଲେଣି । ତଥାପି ମୋ ହୃଦୟ ଭିତରେ କଲ୍ଲୋଳିତ ହେଉଥିବା ସବୁ ଖୁସିକୁ ଯୋର କରି ଚାପିଦେଇ କହିଲି, " ନାଇଁ ଭାଇ , ସେମିତି କିଛି ବି ନୁହେଁ ।"

ସେ କହିଲେ, " ଆରେ ଦୁଷ୍ଟ ଟା କିରେ ! କଲେଜରେ ପଢିଲା ବେଳେ ପ୍ରେମ କରିବୁନି ତ ଆଉ କେତେବେଳେ କରିବୁ ? ମୋତେ କାଇଁ ଲୁଚାଉଛୁ ? ଆରେ ମୋତେ କହିଲେ ଅସୁବିଧା ନାହିଁ । ମୋ ଦ୍ୱାରା ଯେତିକି ହେବ ସାହାଯ୍ୟ କରିବି । "

ମୁଁ ପୁରା ଲାଜେଇ ଯାଇ କହିଲି, " ହଁ ଭାଇ, ଏଇ ଅଳ୍ପ ଦିନ ହେଲା ଆରମ୍ଭ ହୋଇଛି ।"

" ଆଚ୍ଛା ତା ସହିତ କଥାବାର୍ତ୍ତା ହେଉଛୁ ? " ସେ ପଚାରିଲେ ।

ମୁଁ କହିଲି, " ନାଇଁ ଭାଇ କଥା ହୋଇନି ।"

ସେ କହିଲେ, " ତାହେଲେ ସେ ଭଲ ପାଉଛି ବୋଲି କେମିତି ଜାଣିଲୁ ?"

" ଆମେ କ୍ଲାସ୍ ରେ ବସି ଅନାଅନି ହେଉ ।" - ମୁଁ କହିଲି ।

ବାସ୍ତବରେ ସେ ସମୟରେ ଆଜିକାଲି ପରି ଏମିତି ଖୁଲମ୍ଖୁଲା ପ୍ରେମ ନଥିଲା । କାଁଭାଁ କେଇ ଜଣ ପ୍ରେମିକ ପ୍ରେମିକା କଲେଜରେ କଥାବାର୍ତ୍ତା ହୁଅନ୍ତି । କେତେ ସମୟ କଥା ହେଉଥିଲେ ସେକଥା କିଛି ବାଳୁଙ୍ଗା ଟୋକା ତାଙ୍କ ଘଣ୍ଟା ଦେଖି ପ୍ରଚାର କରୁଥିଲେ । ମୋ ପ୍ରେମ ଟା କେବଳ ଆଖିରେ ଚାଲୁଥିଲା । ଚାରି ଆଖିର ମିଳନରେ ହିଁ ପ୍ରେମର ସୃଷ୍ଟି - ଏ ତତ୍ୱ ଥିଲା ମୋ ପ୍ରେମର ମୂଳ ମନ୍ତ୍ର ।

ଯାହା ହେଉ ଶେଷକୁ ସେ ମୋତେ କହିଲେ, " ଶୁଣ୍ ! ଦୁଇଟା ଉପନ୍ଯାସ ନାଁ କହୁଛି । ପ୍ରେମ କରିବୁତ ସେ ଉପନ୍ଯାସ ବହି ଦୁଇଟିକୁ ନିହାତି ପଢିବୁ । ପ୍ରେମ କଣ ସେଇ ବହି ଦୁଇଟିରୁ ଠିକ୍ ଜାଣି ପାରିବୁ ।"

କଲେଜ ସମୟର ପ୍ରେମ - ନୂଆ ନୂଆ ପ୍ରେମ । ସେ ପୁଣି ଜୀବନର ପ୍ରଥମ ପ୍ରେମ । ତେଣୁ ଅସମ୍ଭବକୁ ସମ୍ଭବ କରିହୁଏ ଏଇ ପ୍ରେମ ବଳରେ । ଖାଇବା ପିଇବା , ଘରେ ବାହାରେ , ପାଠ ପଢାରେ କେଉଁଠି ବି ମନ ଲାଗେନା । ଆଖିଆଗରେ ଖାଲି ନାଚି ଉଠେ ସେଇ ପ୍ରେମିକା ମୁହଁ । ସେ ମୁହଁ ଆଗରେ ବିଶ୍ୱ ସୁନ୍ଦରୀର ସୌନ୍ଦର୍ଯ୍ୟ ବି ଫିକା ଫିକା ଲାଗେ ।

ସେ ଭାଇଙ୍କ ଠାରୁ ଶୁଣିଲି ତ କଲେଜ ଲାଇବ୍ରେରୀକୁ ଚାଲିଲି ବହି ଦୁଇଟିକୁ ଆଣିଵାକୁ । ଆଣିଲି ମଧ୍ଯ । ଦେଖିଲି " ଝଡର କବରୀ " ବହିଟା " ଅମାବାସ୍ଯାର ଚନ୍ଦ୍ର " ଠାରୁ ବହୁତ ମୋଟା । ଅର୍ଥାତ୍ ପୃଷ୍ଟାରେ ତିନି ଗୁଣ ଖଣ୍ଡେ ହେବ । ଭାବିଲି ଆଗ ଅଳ୍ପ ପୃଷ୍ଟାର ବହି - ଅମାବାସ୍ଯାର ଚନ୍ଦ୍ରକୁ ପଢିଦେବି । କିନ୍ତୁ ସେ ଭାଇ ଉପଦେଶ ଦେଇ କହିଥିଲେ ଆଗ " ଝଡର କବରୀ " କୁ ପଢିବା ପାଇଁ । ମୋ ମନରେ ପ୍ରଶ୍ନ ଉଠିଲା ଯଦି ଆଗ " ଅମାବାସ୍ଯାର ଚନ୍ଦ୍ର " କୁ ପଢିବି ତାହେଲେ ମୋ ପ୍ରେମରେ କିଛି ଅସୁବିଧା ହୋଇପାରେ । ଏମିତି ହୋଇଥିବ ସେ " ଝଡର କବରୀ " ଉପନ୍ଯାସଟା ଥିଓରୀ ଆଉ " ଅମାବାସ୍ଯାର ଚନ୍ଦ୍ର " ଉପନ୍ଯାସଟା ପ୍ରାକ୍ଟିକାଲ୍ । ତେଣୁ ଆଗ ଥିଓରୀକୁ ମଜବୁତ କରି ତା ପରେ ପ୍ରାକ୍ଟିକାଲ୍ କୁ ଯିବା ଠିକ୍ ହେବ ।

ସେଦିନ ସଂଧାରୁ ଆରମ୍ଭ କରି ରାତି ପାହିବା ବେଳକୁ ନରସିଂହ ସାହୁଙ୍କ " ଝଡର କବରୀ " ଉପନ୍ୟାସକୁ ଆମୁଳଚୂଳ ପଢିଦେଲି । ମଝରେ ମଝିରେ ବାପା ଉଠିକି ଦେଖନ୍ତି ପୁଅ ପାଠ ପଢୁଛି । ଖୁସି ହୋଇ କହନ୍ତି , " ରାତି ଏତେ ହେଲାଣି, ଶୋଇପଡ । କାଲି ପଢିବୁ ।"

ମୁଁ କିନ୍ତୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ପାଠ ପଢାରେ ମଗ୍ନ ଥିଲି । ନିଦ୍ରା ମୋ ପାଖ ମାଡିବାର ଚାନ୍ସ୍ ନଥିଲା । ସତରେ କି ପ୍ରେମ । ଉପନ୍ଯାସର ନାୟକ ଗୋଟେ ଛୋଟ କଲେଜ - ଗଞ୍ଜା କଲେଜର ଅଧ୍ଯାପକ । ନାଁ ତାର ସଂଗ୍ରାମ । କଣ ସେ ଭଲ ପାଇବା ! ଯାହାକୁ କହନ୍ତି ହୃଦୟ ଦେଇକି ଭଲ ପାଇବା । ସେ ବହିର ସବୁ ଲାଇନ୍ ରେ ପ୍ରେମ ଖାଲି ଡିଆଁ ଡିଁ କରୁଥାନ୍ତି ଯେମିତି । ଉପନ୍ଯାସର ପ୍ରଥମ ଭାଗରେ ବଡ କାକୁତି ବିନତି ହେବାର ପ୍ରେମ ଦେଖିଲି ସେ ସଂଗ୍ରାମର । ଯାହାକୁ କୁହନ୍ତି ଲୁଙ୍ଗ୍ଡ଼ା ସେମିତିକା ପ୍ରେମ । ଖାଲି ନସର ପସର । ନାୟିକା ଚିନ୍ମୟୀ ନାରୀ ସୁଲଭ ଗୁଣ ଦେଖାଇ ମାପି ଚୂପି ପ୍ରେମ ଦେଖାଇ ଦେଖାଇ ଶେଷକୁ ଅନ୍ୟକୁ ବାହା ହୋଇଗଲା - ଯିଏ ବିଦେଶରେ ଖୁବ୍ ଉଚ୍ଚ ପଦରେ ଚାକିରି କରିଛି ।

ଚିନ୍ମୟୀର ବାହାଘର ପରେ ସଂଗ୍ରାମର ପ୍ରେମ ବୋଧହୁଏ ଅମର ହୋଇଗଲା । ଆଉ ବାହା ହେଲାନି । ଆତ୍ମହତ୍ଯା କରିବାକୁ ନିଷ୍ପତି ନେଇ ଚିନ୍ମୟୀର ବାହା ବେଦୀ ପାଖରୁ ହିଁ ଆସିଥିଲା । କିନ୍ତୁ ମନରେ ପରିବର୍ତ୍ତନ ଆଣି ଭାରତୀୟ ସେନାରେ ଯୋଗ ଦେଇ ସେଥିରେ ଉତ୍କୃଷ୍ଟତା ଦେଖାଇ ପାହାଚ ପରେ ପାହଚ ଚଢି ଚାଲିଲା ।

ଏଣେ ଚିନ୍ମୟୀର ବିବାହ ପରେ ତାକୁ ସଂଗ୍ରାମର ପ୍ରେମ ପାଗଳ କରିଛି । ସେ ଉପନ୍ଯାସର ଦ୍ୱିତୀୟ ଭାଗରେ ନାୟୀକା ଚିନ୍ମୟୀର ହୃଦୟ ବିଦାରକ ଭଲପାଇବା ଫେରାର୍ ଥିବା ସଂଗ୍ରାମ ପ୍ରତି ପୁରା ଜଳ ଜଳ କରି ଦେଖାଯାଉଛି ।

ତା ପରଦିନ ବାରିଷ୍ଟର ଗୋବିନ୍ଦ ଦାସଙ୍କର ଉପନ୍ଯାସ " ଅମାବାସ୍ଯାର ଚନ୍ଦ୍ର " କୁ ପଢି ସାରିଦେଲି । ସେଥିରେ ଏଇ କାଉଲ୍ ଚରିତ୍ରକୁ ପାଇଲି । ବାପ୍ ରେ କଣ ସେ ଚରିତ୍ର !!! ମଣିଷ ମନକୁ କିମିଆଁ କରିଦେଲା ପରି ଚରିତ୍ରଟିଏ । ସବୁଥିରେ ପାରଙ୍ଗମ । ସବୁ ବିଦ୍ୟାରେ ପାଶ୍ । ପାପ କରି ପ୍ରାୟଶ୍ଚିତ କରିବାର ନାହିଁ । ଭୁଲ୍ କରି ଭୁଲ୍ ମାଗିବାର ନାହିଁ । ପୂଣ୍ଣ୍ୟକରି ବାହାବା ନେବାର ଅଭିପ୍ରାୟ ନାହିଁ । ଭାବନା ନାହିଁ, ଶୋଚନା ନାହିଁ । କାହାକୁ ଖାତିର୍ କରିବାର ନାହିଁ । ଯାହା ଠିକ୍ ଭାବିବ ତାକୁ ସବୁ ତାକତ୍ ଲଗାଇ କାର୍ଯ୍ୟରେ କରି ଦେଖାଇବାର ଅଦମ୍ୟ ସାହସର ଚରିତ୍ର ଏଇ କାଉଲ୍ । ନସର ପସର , ଲୁଙ୍ଗ୍ଡ଼ା ଆଦି ଗୁଣରୁ ଢେର୍ ଦୂରରେ ରହୁଥିବା ନାୟକ ହେଉଛି ଏଇ " ଅମାବାସ୍ଯାର ଚନ୍ଦ୍ର" ର ନାୟକ - କାଉଲ୍ ।

ଆଉ ମୁଁ ଯେଉଁ ବଡ ଭାଇଙ୍କ କଥା ଆରମ୍ଭ କରିଛି ଏ ହେଉଛନ୍ତି ସେଇ " ଅମାବାସ୍ଯାର ଚନ୍ଦ୍ର " ର ନାୟକ କାଉଲ୍ ଚରିତ୍ର ପରି ଖୁବ୍ ଓଜନଦାର ଚରିତ୍ର । କୌଣସି ଶୋଚନା କିମ୍ୱା ପଛଘୁଞ୍ଚା ଦେବାର ଗୁଣ ଠାରୁ ଢେର୍ ଦୂରତାରେ ରହୁଥିବା ଚରିତ୍ର ହେଉଛନ୍ତି ସେଇ ଭାଇ ।

( କ୍ରମଶଃ ........)

********************************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୧୬


Rate this content
Log in