ବିଦୂଷକଙ୍କ ମନ୍ତ୍ରଶକ୍ତି
ବିଦୂଷକଙ୍କ ମନ୍ତ୍ରଶକ୍ତି
ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ ।
ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ ।
ରାଜାଙ୍କ ପ୍ରଶ୍ନରେ କଟୁଆଳ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମୁହଁ ଶୁଖି ଯାଉଥାଏ । ଫଳରେ ସେମାନେ ମୁଣ୍ଡ ତଳକୁ କରି ଠିଆ ହୋଇ ରହୁଥାନ୍ତି ।
ଦିନେ ରାଜାଙ୍କ ବିଖ୍ୟାତ୍ ବିଦୂଷକ ତେନାଲିରମନ୍ କହିଲେ, “ମହାରାଜ, ସାଧାରଣ ଗୁପ୍ତଚର ବା କର୍ମଚାରୀମାନେ ଏଭଳି ଡାକୁକୁ ଆଦୌ ଧରିପାରିବେ ନାହିଁ । ଏ ପ୍ରକାର ଡାକୁକୁ ଧରିବା ସକାଶେ ମନ୍ତ୍ରଶକ୍ତି ଦରକାର ।”
ରାଜାଙ୍କ କଟୁଆଳ ଏହା ଶୁଣି ବିରକ୍ତ ହୋଇ କହିଲେ, “କ’ଣ ଅବାନ୍ତର କଥା କହୁଛ ବୟସ୍ୟ! ମନ୍ତ୍ରଶକ୍ତି ଦ୍ୱାରା ଯଦି ଡାକୁ ଧରି ହେବ, ତେବେ ସେ ମନ୍ତ୍ର କ’ଣ କହୁନା?”
ତା’ପରେ ସେ ବିଦୂଷକ ଗମ୍ଭୀର ହୋଇ ଉତ୍ତର ଦେଲେ “ଏଡେ ସହଜରେ କହିଦେବି?”
ତାଙ୍କ କଥା ଶୁଣି କଟୁଆଳ ପ୍ରସ୍ତାବ ଦେଲେ “ଯଦି ତମକୁ ସେ ମନ୍ତ୍ର ଜଣା ଅଛି, ତେବେ ତମେ ନିଜେ ଧରୁନାହଁ? ସେପରି କଲେ ମୁଁ ତା’ହେଲେ ତମକୁ ମୋ କଟୁଆଳ ପଦ ଛାଡିଦେବି ।”
ତହୁଁ ବିଦୂଷକ କହିଲେ “କଟୁଆଳ! ତମେ ବୋଧେ ଭୁଲିଯାଉଛ ଯେ ମୁଁ ରାଜାଙ୍କ ବିଦୂଷକ ପଦରେ ଅଛି । ଏବେ ପୁଣି ମୁଁ କେଉଁ ଗରଜରେ କଟୁଆଳ ହେବି? ବରଂ ତମେ ଯଦି ତମ ବର୍ଷକର ଦରମା ମୋତେ ଦେଇଦେବ, ତେବେ ମୁଁ ମୋ ମନ୍ତ୍ରଶକ୍ତିର ପରିଚୟ ଅବଶ୍ୟ ଦେଇପାରେ ।”
ତାଙ୍କର ଏଭଳି ପ୍ରସ୍ତାବ ଶୁଣି କଟୁଆଳ କହିଲେ “ମନ୍ତ୍ରଶକ୍ତିର ଅନ୍ୟ କିଛି ପରିଚୟ ମୋର ଲୋଡା ନାହିଁ । ଯଦି ମନ୍ତ୍ର ଦ୍ୱାରା ଡାକୁ ଧରିଦେଇ ପାରିବ, ତେବେ ମୁଁ ମୋର ଦୁଇବର୍ଷର ଦରମା ତମକୁ ଦେଇଦେବି ।”
ବିଦୂଷକ ସେଥିରେ ରାଜି ହୋଇ ସେଠାରୁ ବାହାରିଗଲେ । ସହରର ଗୋଟିଏ ଛକ ଉପରେ କେତେଜଣ ଅମାତ୍ୟ ବସିଥାନ୍ତି । ବିଦୂଷକ ସେଠିକୁ ହାଇ ମାରି ମାରି ଯାଇ ପହଁଚିଲେ ।
ଜଣେ ପଚାରିଲେ “କିହୋ ରମନ୍, ଏଭଳି କାହିଁକି ହାଇ ମାରୁଛ? ରାତିରେ ଶୋଇ ନାହଁ କି?”
ବିଦୁଷକ କହିଲେ “ନା ଭାଇ, ଡାକୁ ଡରରେ ମୁଁ ଶୋଇପାରି ନାହିଁ!”
ଅମାତ୍ୟ ଟିପ୍ପଣୀ ଦେଲେ “ଅର୍ଥାତ୍ ଘରେ ବହୁତ ଟଙ୍କା!”ଏକଥା ଶୁଣି ବିଦୂଷକ ହସିଦେଇ ସେଠାରୁ ଚାଲିଗଲେ ।
ଆହୁରି ବି ଗୋଟାଏ ଦୁଇଟା ସ୍ଥାନରେ ବିଦୂଷକ ପରୋକ୍ଷରେ ପ୍ରଚାର କରିଦେଲେ ଯେ ତାଙ୍କ ଘରେ ବହୁତ ଟଙ୍କା ।
ପରଦିନ ରାତିରେ ସେ ଶୋଇଛନ୍ତି, କେହି ଘରେ ପଶିବାର ସେ ବୁଝିପାରିଲେ । ପୂର୍ବରୁ ସେ ତ ତାଙ୍କ ସ୍ତ୍ରୀଙ୍କୁ ତାଲିମ୍ ଦେଇ ରଖିଥାନ୍ତି ।
ସ୍ତ୍ରୀ ପଚାରିଲେ, “ଏ ଜହ୍ନ ପକ୍ଷରେ ତମେ ଉପାର୍ଜନ ପାଇଁ ଯିବ ନାହିଁ କି?”
ଉତ୍ତର ଆସିଲା “ନା, ଏଥର ନୁହେଁ । ଆଗାମୀ ଜହ୍ନପକ୍ଷକୁ ଯିବା ।”
ସ୍ତ୍ରୀ କହିଲେ “ଆଚ୍ଛା ତମେ ମୋତେ ସେ ମନ୍ତ୍ରଟି କହିଦେବ ବୋଲି ଶହେଥର ପ୍ରତିଶୃତି ଦେଇ ତାହା ରଖିନାହଁ । ଆଜି ଯଦି ନ କହିବ, ତେବେ ମୁଁ ଅବଶ୍ୟ ମୋ ପ୍ରାଣ ହାରିବି ।”
ବିଦୂଷକ ପଚାରିଲେ “ତମ ପେଟରେ କଥା ରହିବଟି? ମୁଁ ରାଜାଙ୍କ ଖଜଣାଖାନାରୁ ଚୋରି କରୁଛି, ଥରେ ଏକଥା ଜଣାପଡିଗଲେ ଜାଣ କଥା ସରିଲା ।”
ସ୍ତ୍ରୀ କହିଲେ “ମୁଁ କାହାରିକୁ କିଛି କହିବି ନାହିଁ ବୋଲି ଶପଥ କରୁଛି ।”
ବିଦୁଷକ କହିଲେ “ରାଜାଙ୍କ ଉଆସର ପୂର୍ବପଟ ପାଚିରୀ ଉପରକୁ ଉଠିଗଲେ ଗୋଟାଏ ଝରକା ଦେଖିବାକୁ ମିଳିବ । ସେ ଝରକା ଉପରେ ତ ଠିଆ ହେବା ସମ୍ଭବ । ପାଚିରୀରୁ ଝରକାକୁ ଯାଇ ତାକୁ ଖୋଲି ହେବ । କାରଣ ଭିତରପଟରୁ ଝରକା ବନ୍ଦ ନଥାଏ । ସେଇଠି ଅପେକ୍ଷା କରିବାକୁ ହେବ । ଯେମିତି ଜହ୍ନ ସିଧା ସେ ଝରକାରେ ପଡିବ, ସେମିତି ମନ୍ତ୍ରଟି ତିନିଥର ପଢି ଭିତରକୁ ଲମ୍ଫ ଦେବାକୁ ହେବ । ଜହ୍ନ କିରଣ ଦୋଳି ଭଳି କାମ ଦେବ । ଧିରେ ଧିରେ ସେ ଆଣି ଭିତରେ ପହଁଚାଇ ଦେବ । ତା’ପରେ ସିନ୍ଦୁକରୁ ତିନି ଖେପରେ ଯେତିକି ସମ୍ଭବ ସେତିକି ବିତ କାଢିନେଇ ପୁଣି ତିନିଥର ମନ୍ତ୍ରଟି ପଢି ଉପରକୁ କୁଦିଲେ ଜହ୍ନ କିରଣ ପୁଣି ଧିର ଭାବରେ ଆଣି ଝରକାରେ ପହଁଚାଇ ଦେବ । ମନ୍ତ୍ରଟି ହେଲା “ଉଃଭ୍ରାନ୍ତି, ଉଃଭ୍ରାନ୍ତି ଉଃଭ୍ରାନ୍ତି!”
“ଓ, ଏମିତି କଥା!” ସ୍ତ୍ରୀ ଏତକ କହି ଶୋଇଯିବାର ଅଭିନୟ କଲେ ।
ଡାକୁ ସବୁ ଶୁଣିଲା ଓ ସେଠୁ କିଛି ନେବାର ଚେଷ୍ଟା ନକରି ଫେରିଗଲା ।
ପର ରାତିରେ ବିଦୂଷକଙ୍କ ପରାମର୍ଶରେ ଉଆସର ପୂର୍ବତଟ ଝରକା ଖୋଲା ରଖାହେଲା । ଜହ୍ନ ସେ ଝରକା ଉପରେ ପଡିବା ପରେ ପରେ ଗୋଟାଏ ଶବ୍ଦ ଶୁଭିଲା । ଠିକ୍ ଏହା ମଧ୍ୟ ଆଶା କରାଯାଉଥିଲା । ପ୍ରାସାଦର ପ୍ରହରୀମାନେ ଯାଇ ଦେଖିଲେ, ଜହ୍ନ କିରଣ ଯୋଗେ ଦୋଳି ଖେଳି ଭିତରେ ପହଁଚିବା ଆଶାରେ ଲମ୍ଫ ଦେଇଥିବା ଡାକୁ ତଳେ ପଡିଛି । ତା’ର ହାତ ମକଚି ଯାଇଛି । ଏହିଭଳି ଭାବେ ସେ ଡାକୁ ଧରା ହେଲା ।
ସକାଳେ କଟୁଆଳ ବିଦୂଷକଙ୍କୁ ତାଙ୍କ ଦୁଇ ବର୍ଷର ଦରମା ଦେଇ ଦେବାକୁ ପ୍ରସ୍ତୁତ ହେଲେ । ତେବେ ରାଜା କୃଷ୍ଣଦେବରାୟ ନିଜେ ସେତକ ପୁରସ୍କାର ରୂପେ ବିଦୂଷକଙ୍କୁ ଦେଇ ଦେଲେ । ଅର୍ଥାତ୍ କଟୁଆଳଙ୍କୁ ଆଉ କିଛି ବି ଦେବାକୁ ପଡିଲା ନାହିଁ ।