ସୋନ ପାପଡି଼
ସୋନ ପାପଡି଼
"ସକାଳୁ ସକାଳୁ କାହିଁକି ଗୋଟେ ବକର ବକର ଲଗେଇଛ କହିଲ?ଦୁର୍ଭାଗ୍ୟ ଏମିତି ଯେ ବୁଧବାର ଦିନ ପଡ଼ିଛି ଦୀପାବଳି।ଆଗେରେ ଛୁଟି ନାହିଁ କି ପଛେରେ ଛୁଟି ନାହିଁ।ଭଲା,ଶୁକ୍ରବାର କି ଶନିବାର ପଡ଼ି ଥାନ୍ତା ବୋଇଲେ ମଣିଷ ଦୁଇଦିନ ଆରାମରେ ଶୁଅନ୍ତା।"
ତକିଆଟାକୁ କାନ ଉପରେ ଚାପି ରଖି କହୁଥିଲା ଅରବିନ୍ଦ।
" ହଁ ଭଲ? ଶୁକ୍ରବାର ମୋର ସନ୍ତୋଷୀ ବ୍ରତ,ସୋମବାର ଶିବୋପବାସ।ମୁଁ ଖାଲି ଖଟି ଖଟି ମରିବି।ଆଉ ତୁମେମାନେ ସବୁ ଗେଫିବ,ନାଇଁ?କହି ଦେଉଛି, ଏଥର ସେ ସୋନ ପାପଡି଼ ଡବା ମୁଁ କାହାକୁ ହେଲେ ଦେବି ନାହିଁ ଟି।କଣ ଭିନ୍ନ ଜିନିଷ ଆଣ।ଗଲା ଦୀପାବଳିର ଦୁଇଟା ସୋନ ପାପଡି଼ ଡବା ଥୁଆ ହୋଇଛି ଆହୁରି।ତୁମ ଅଫିସ କଲିଗ ମାନେ ମଧ୍ୟ ସେହି ବଳକା ସୋନ ପାପଡି଼ ଡବାମାନଙ୍କର ଶୁଦ୍ଧିକ୍ରିୟା କରିଛନ୍ତି ବୋଧେ ତୁମ ପାଖରେ।ବଡ଼ ନାମଜାଦା ମିଶ୍ର ବ୍ରାହ୍ମଣ କି ନା।ଏକାବେଳକେ ଦଶଟା ଡବା ମିଳି ଯାଇଛି।ମୁଁ ସେଗୁଡ଼ା କାହାକୁ ହେଲେ ଗିଫ୍ଟ କରିବି ନାହିଁ ଜମ୍ମା।ସମସ୍ତଙ୍କୁ ହସିବାର ଖୋରାକ ମିଳିଯିବ।ହେଇ ଦେଖୁନ,ୱ୍ହାଟସ୍ ଏପ୍ ରେ ମେସେଜ ଭାଇରଲ ହୋଇଛି-
ପାଞ୍ଚଟି ଅକ୍ଷରେ ନାମ ମୋହର,
କାଲି ଥିଲି ମୁହିଁ ତ ଜଣକର,
ଆଜି ହୋଇ ଗଲି ଆଉ କାହାର,
କାଲି ପୁଣି ଯିବି ଆରେକ ଘର।
ହେଇ ଉଠିଲ,ମୁଁ ନୂଆ କରି କିଛି ଦୀପାବଳି ଗିଫ୍ଟ ଦେବାକୁ ଚାହେଁ।ଡେରି ହେଲେ ଏହି ଇନୋଭେଟିଭ ଆଇଡିଆଟା ଅଲଗା କାର ମୁଣ୍ଡରେ ଯଦି ଢୁକି ଗଲା ନା।"
ସୁମିତ୍ରାର ନନ୍ ଷ୍ଟପ କଚର କଚର ବନ୍ଦ ହେବାର ନାଁ ନେଉନି।ମଣିଷ ଶୋଇବ ଆଉ କଣ।
"ହ ଇ ହୋ,ସେହି ଡବା ସବୁ ବାଣ୍ଟି ଦେଲେ କଣ ପାଞ୍ଜି ଅଶୁଦ୍ଧ ହୋଇ ଯିବ?ଧନତ୍ରାସ କୁ ତ ଲୋନ୍ ତ୍ରାସ କରି ପକାଇଲ,ଗୋଟିଏ ତିରିଶ ହଜାରିଆ ହାରରେ ହାତ ମାରି।ମୋ ପକେଟକୁ ଏମିତି ହାଲକା କରି ଦେଲ ଯେ, ପୋଲିସ ଖାନତଲାସିରେ ବି କିଛି ମିଳିବ ନାହିଁ।ସେଥିରେ ବି କମ୍ପିଟିସନ୍ ,କଣ ନା ସମସ୍ତେ ସୁନା କିଣୁଛନ୍ତି ମୁଁ ବି କିଣିବି।ଶ୍ୟେଃ। କି ଧନ ତେରସ୍ କେଜାଣି, ସୁନା ଦୋକାନରେ ସତେକି ସୁନା ମାଗଣାରେ ବଣ୍ଟା ହେଉଛି।ଚାର୍ଲି ଚାପ୍ଲିନଙ୍କ 'rush for gold' ମନେ ପଡ଼ି ଯାଉଛି।ପୁଣି କଣ ଦୋକାନ ମାନଙ୍କରୁ ଝାଡୁ ବି ଶେଷ।ଝାଡୁ କିଣା ବି ଭାଇରଲ ହେଲାଣି।ସାଧୁ ବାଣୀର ସାଧୁ ଜଣକ ତାକୁ ଆହୁରି ସଂକ୍ରାମକ କରି ଦେଇଛନ୍ତି। ହଁ ଭଲ , ଦୀପାବଳି ପରଦିନ କେତେକ ଘରେ patent medicine ପାଲାରେ ଦରକାର ଆସିବ। ହେଇଟି, ନହେଲେ ଗୋଟେ କାମ କରୁନ,ଘରେ ମଣ୍ଡା, କାକରା,ବରା, ନିମିକି ଇତ୍ୟାଦି ତିଆରି କରି ଦେଉନ?ବଜାର ମିଠା କୁଆଡ଼େ ଭେଜାଲ,କେମିକାଲ।ରସଗୋଲା, ପନୀର କୁଆଡ଼େ ଟିସୁ ପେପରରେ ତିଆରି ହେଉଛି।"
" ହଁ, ବଢ଼ିଆ ଆଇଡିଆ? ମୁଁ ପାର୍ଲର ଯିବି ଭାବୁଛି, ଆଉ ତୁମେ କହୁଛ ରୋଷେଇ ଘରେ ଝାଳ ନାଳ ହୋଇ ଆରିସା କାକରା ଛାଣିବି।ହେଇ ପାରିବନି, ହେଇ ପାରିବନି।ସମସ୍ତେ ସଜ ହୋଇ ରାଜରାଣୀ ଦେଖାଯିବେ ଆଉ ମୁଁ ଚାକରାଣୀ ଦେଖାଯିବି,ନାଇଁ?"
ଅରବିନ୍ଦ ଟିକେ କୌତୁକରେ ଅନ୍ତର ଭାବନାକୁ ଯୋର କରି ଚପାଇ ରଖି କହିଲା,
"ନା ମ"
"ଯେତେ ଝାଳନାଳ ହେଲେ ମଧ୍ୟ ତୁମର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ କିଏ ଟପି ଯିବ?ତୁମର ସେ ଐଶ୍ୱର୍ଯ୍ୟା ରାୟ ଭଳି ନୀଳ ନୟନ,ଆଲିଆ ଭଟ୍ଟ ଭଳି ତୀର୍ଯ୍ୟକ ହସ-"
"ହଃ ରଖ ହୋ ତୁମ ସୁହାଗ,ମୁଁ ଭାବୁଛି ଆମେ paper boat ର ଜୁସ୍ ପ୍ୟାକେଟ ଦେଲେ କେମିତି ହୁଅନ୍ତା?"
"ଠିକ କଥା ଯେ,ହେଲେ ଏତେ ଗୁଡ଼।ଏ ଖର୍ଚ୍ଚ।ତୁମ ଗୁଣବନ୍ତ ପୁଅର ପୁଣି ବରାଦ, ଏଥର ସେ ବାଣ ଫୁଟେଇବନି,ଗ୍ରିନ୍ ଦିୱାଲି ମନେଇବ,ସେଥିପାଇଁ ତାର ଗୋଟେ ଆଇ ଫୋନ ଦରକାର।ତାପରେ ସେ ସୋନ ପାପଡି଼ ଡବା ସବୁ ହେବ କଣ?ପୁଣି ମେଞ୍ଚେ ସେଥିରୁ ଆସିବ ଏଥର।"
"ମୁଁ କିଛି ଜାଣିନି, ହେଲେ ସେଥିରୁ କିଛି ଧୋବା,ବାହାଦୂର, କାମବାଲୀ, ଝାଡୁ ବାଲୀଙ୍କୁ ଦେଇ ଦେବି,ବାକି ଦେଖିବା।ତୁମେ ଗଲ ଏବେ।ମୁଁ ଯାଏ,ପାର୍ଲର ବାଲୀ ଦଶଟାରେ ଆସିବାକୁ କହିଥିଲା।"
*****ପାଞ୍ଚଦିନ ପରେ****
"ନେ ବାବା, ଏଇ ଗୋଟେ ଗ୍ଲାସ ଜୁସ୍ ପିଇ ଦେ,ପ୍ଲିଜ"
ସୁମିତ୍ରାର ପୁଅକୁ ଆକୁଳ ଅନୁନୟ,
"ଆରେ,କହିଲି ନା,ଆଉ ମୋ ଦ୍ୱାରା ହେବନି।ତୁ ପିଇ ଦେଉନୁ?ଚାରି ଦିନ ହେଲା ଦିନକୁ ପାଞ୍ଚ ଛଅ ଥର ଜୁସ୍ ପିଆଇ ପିଆଇ ମୋ ଟେଷ୍ଟ ,ମୋ ମୁଡ ବିଗାଡି଼ ସାରିଲୁଣି।ମୁଁ ଆଉ ଜୁସ୍ ପିଇ ପାରିବିନି।ଭୋମିଟିଂ ହେଇ ଯିବ।ଯା ପାପାଙ୍କୁ ଦେ।"
ପୁଅର ରୋକ୍ ଠୋକ୍ ଜବାବ।
ଅରବିନ୍ଦ ସିଆଡେ ରବିବାର ଦିନ ଟାରେ ଦିପ୍ରହରେ ନ ଶୋଇ ଜୁସ୍ ପ୍ୟାକେଟ ଗଣୁଛି।ଆଉ ,ବଳକା ଅନେଶ୍ୱତଟା ପ୍ୟାକେଟ ତାକୁ ଖତେଇ ହେଉଛନ୍ତି।
ଆରତୀ ସାହୁ