ବାପାଙ୍କୁ ଚିଠି
ବାପାଙ୍କୁ ଚିଠି
ଏ କୁଳାଙ୍ଗାରଟା ରାମଚନ୍ଦ୍ର ହୋଇ ପାରିଲାନି ।ଏତିକି ତ ଅବଶୋଷ ଥିଲା ତୁମର ?କଣ କରିବି, ମୁଁ ଯେ ମୁଁ ଆଉ ନାହିଁ,ବସ୍ତୁ ପାଲଟି ଯାଇଛି ସଂପର୍କର ନାମରେ ।ଛାତି ଭିତରେ କଣ ଗୋଟିଏ ଧଡ୍ ଧଡ୍ ହେଉଛି ବୋଲି ଜାଣି ପାରୁଛି ମୁଁ ବଂଚିଛି,ନ ହେଲେ ଏ ବଂଚିବାର ଅର୍ଥଟା ଏବେ ମୋ ଲାଗି ନିର୍ରଥକ ।ତୁମେ ଭାବ ପୁଅଟା ମାଇପ ବୁଦ୍ଧିଆ ଆଉ ସ୍ତ୍ରୀ ଭାବେ ମୁଁ ରାମଚନ୍ଦ୍ରିଆ ।ମୁଁ ଯେ ମୁଁ ...ଏକଥା କେହି ଥରେ କାହିଁକି ଭାବିଲନି ?ତୁମ ମାନଙ୍କ ଅପବାଦ ଆଉ ମୋ ନୀରବତା ମୋତେ ବସ୍ତୁ କରିଦେଇଛି ।ଏବେ ଏ ବସ୍ତୁକୁ ଯେତେ ଚିପୁଡିଲେ ବି ରସ ବାହାରିବନି ।ସତରେ ଅଙ୍ଗାରଟେ ପାଲଟି ଯାଇଛି ।ମୋଟା ଅଙ୍କର ଯୌତୁକ ନେଇ ମୋ ଗଳାରେ ବାନ୍ଧିଦେଲ ଗୋଟେ ଫାଶ ।ସେ ଫାଶ ଦିନକୁ ଦିନ ମୋ ଗଳାକୁ ଚାପି ଧରୁଛି।ସେ ଫାଶର ନାମ ନିରୁ ।ଯେତେ ରୋଜଗାର କଲେ ବି ନିୟଣ୍ଟ ତାକୁ ।ତା ଛୋଟ ସିନ୍ଦୂର ଟୋପା ଧିରେ ଧିରେ ବଡ ହେବାକୁ ଲାଗୁଛି ।ତା ଅଭାବ ମେଣ୍ଟାଇବାକୁ ମୁଁ ଅକ୍ଷମ ।ସେ ସର୍ବଗିଳା ଟୋପା ଦେଖିଲେ ମୋତେ ଡର ଲାଗେ ।ବେଳେ ବେଳେ ଲାଗେ ଏ ଟୋପାଟା ମୋତେ ଚଳୁ କରି ଦେବ ।ସମସ୍ତଙ୍କୁ ଖୁସି କରିବାକୁ ଯାଇ ନିଜକୁ ବଳି ପକାଇଲି ।ଓଭର୍ ଟାଇମ୍ କାମ କଲି ।ଥକ୍କା ମନରେ ଘରକୁ ଫେରିଲା ବେଳେ ତୁମର ନାଲି କଟାକ୍ଷ,ବୋଉର ଦେଖେଇ ହୋଇ ଖୁଁ ଖୁଁ ଶବ୍ଦ ଆଉ ନିରୁର ଫେଣ୍ଡରା ମୁହଁ ।
ପୁଅ ବି କୋଳରେ ବସି ତା ପୋଜେକ୍ଟର ଲମ୍ବା ଲିଷ୍ଟ ଧରାଇ ଦିଏ ।ଘରଟା ଟିଭି ଆବାଜ୍ ରେ ଘଣ ଘଣ ।ଆଉ ମୁଁ ଏକ ଅସହାୟ ବସ୍ତୁ ।ଖାଇବା ଟେବୁଲ୍ ଉପରେ ଥାଳି କଚାଡି ରଖି ଦିଆଯାଏ ।ଓଡିଆ ସିରିଏଲ୍ ନିଶାରେ ସବୁ ମସଗୁଲ ।କଂଚା ଦରସିଝା ଖାଦ୍ୟ ମୋତେ ଭଲ ଲାଗୁଛି ଆଜି କାଲି ।ଯେଉଁ ଦିନ ତରକାରୀ ଭଲ ହୋଇଥିବ ତେବେ ଜାଣ ଆଗକୁ କିଛି ଗୋଟିଏ ଡିମାଣ୍ଡ ଥିବ ।ଖାଇବା ଦେଖି ମୁଁ ଜାଣିନିଏ ମୋ ପକେଟର କି ହାଲତ୍ ହେବ ।ଟିକେ ଆଉଁସି ଦିଏ ପକେଟ୍ କୁ ।ପକେଟ୍ କୁ ଭାରି କରିବାକୁ ଦ୍ୱିପହର ଖାଇବା ବି ବନ୍ଦ କରି ଦେଇଛି ।ଦୁଇ ଲିଟରିଆ ପାଣିବୋତଲ୍ ଗୋଟିଏ ମୋର ଦ୍ୱିପହର ଖାଦ୍ୟ ଯାହା ମୁଁ ଘରୁ ନେଇଥାଏ ।ତୁମେ ମାନେ ଖୁସିରେ ରୁହ ଏତିକି ତ ଚାହିଁଛି?ମୋ ପୁଅ ମୋ ପରି ନୁହଁ ଯିଏ ବାପର ଅଭାବ ବୋଧକୁ ଫଟା ମୌଜାରେ ଜୋତା ତଳେ ଲୁଚାଇ ରଖୁଥିଲା ।ସେ ଇଂରାଜୀ ମିଡିୟମ୍ ପିଲା ।ଟିକେ ଅସୁବିଧା ହେଲେ ଡବ ଡବ କରି ଶୁଣାଇ ଦେବ ଅଯୋଗ୍ୟ ବାପ ବୋଲି ।ଏଇ ପଦିଏ କଥା ନ ଶୁଣିବି ବୋଲି ଆକଚା ମାକଚା ହୋଇ ତାର ସବୁ ଇଛା ପୁରଣ କରେ ।ତୁମର ଡାଏବେଟିସ୍ ରୋଗ ଆଉ ବୋଉର ଶ୍ୱାସ ରୋଗର ଦାମୀ ଔଷଧ ଲାଗି ଓଭର୍ ଡିୟୁଟି କରେ ।ମୁଁ ସବୁ ଯନ୍ତ୍ରଣା ନେଇ ପାରେ କାରଣ ମୁଁ ବସ୍ତୁଟିଏ ବାପା ।ବସ୍ତୁର ପୁଣି ଥକା ଅଥକା କଣ ?ସେ ଚାଲୁଥାଏ ଅନବରତ ।ସେଲ୍ଫିରେ ଦାନ୍ତ ଦେଖାଇ ହସେ ।ଏ ହସ ଭିତରେ କଣ ଅଛି କେହି ଜାଣେନା ଖାଲି ଆମ ଅଫିସ୍ ଆସିଷ୍ଟାଣ୍ଟ ଡଲିକୁ ଛାଡି ।କାଳୀ ଦାନ୍ତୁଡି ଝିଅଟି ଯେତେ ବେଳେ କୁହେ ମିସ୍ ୟୁ ସାର୍ ...ମୁଁ ଖୁସି ହୁଏ କାରଣ ଘରେ ମୋତେ କେହି ମିସ୍ କରନ୍ତିନି .. କେବଳ ମାସର ପ୍ରଥମ ଦିନ ଦରମା ବାରିକୁ ଛାଡି ।ସେଦିନ ନୀରୁ ଓଠରେ ଲିପଷ୍ଟିକ୍ ବୋଳି ହୋଇ ଥାଏ ଆଉ ମୋ ଦାଢିଆ ମୁହଁରେ ଜବରଦସ୍ତ ଚୁମାଟିଏ ବି ଦିଏ ।ମୋତେ କିଛି ଫରକ୍ ପଡେନି କାରଣ ମୁଁ ବସ୍ତୁଟିଏ ।ବେଳେ ବେଳେ ଶାଶୁ ବୋହୂଙ୍କ ଝଗଡାରେ ମୁଁ ରାମ୍ପୁଡା ରାମ୍ପୁଡି ବି ହୁଏ ।କଷ୍ଟ ଲାଗେନି ମୋତେ ଆଦୌ ।ମୁଁ ସବୁ ଦେଖେ ।ରାମଚନ୍ଦ୍ର ହୋଇ ତୁମମାନଙ୍କୁ ଛାଡି ବନବାସ ଯାଇ ପାରେନି କି ସ୍ତ୍ରୀ କୁ ପାତାଳି କରି ପାରେନି ।ବାଥରୁମ୍ ର ପାଣି ପାଇପ୍ ଖୋଲି ତା ତଳେ ଅନେକ ସମୟ ବସି ରୁହେ ।ସତରେ ବାପା ମୁଁ ଆଦୌ ରାମଚନ୍ଦ୍ର ହୋଇ ପାରିଲିନି ...କୁଳାଙ୍ଗାରଟିଏ ହୋଇ ରହି ଗଲି..ଆଉ ଶେଷରେ ବସ୍ତୁଟିଏ ପାଲଟି ଗଲି ।ମତେ କ୍ଷମା କରିଦିଅ ବାପା..କ୍ଷମା....।