Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suniti Devi

Tragedy Abstract

4.1  

Suniti Devi

Tragedy Abstract

ଅନ୍ତର୍ଦାହ

ଅନ୍ତର୍ଦାହ

20 mins
21.6K


ଅନ୍ତର୍ଦାହ

ଧିରେଧିରେ ପ୍ରେମର ମୃତ୍ୟୁ ଘଟେ । ଯକୃତକୁ କର୍କଟ ଖାଇଲା ପରି ଆଗଆଗ ପ୍ରେମ ଖାଏ ନିଜକୁ,ନିଜ ମନ ଆଉ ଦେହକୁ । ଉତ୍କଟ ହୁଏ ସେ ବ୍ୟାଧି,ଶିରାପ୍ରଶିରା ବ୍ୟାପି ଯାଏ । ସତରେ କଣ ଅଵା ତାର ସମାଧାନ ଥାଏ ? ବିବାହ ଏକ ମାତ୍ର ପନ୍ଥା ସତେ ଯେପରି ! ତାପରେ ବିରହର ଅନ୍ତ ଘଟେ । କିନ୍ତୁ ଆନନ୍ଦ ସରିଯାଉଥାଏ ପ୍ରତି ମୁହୂର୍ତ୍ତରେ ନିଃସର୍ତ୍ତରେ । ଵିତିଯାଏ ବର୍ଷ ପରେ ଵର୍ଷ । ପାକଳ ପ୍ରେମ ଫାଟିଯାଇ ଏଣେ ତେଣେ ବିଚ୍ଛୁରିତ ହୁଏ । ଯେଉଁଠି ସେ ବିକ୍ଷେପିତ ଵୀଜ ଉତୁରି ଆସେ ସେଠି ସ୍ଵାମୀଟି ଉଷ୍ମତା ଖୋଜେ । ଘର କାରାଗାର ପରି ଲାଗେ । ହେଲେ ସ୍ତ୍ରୀ ତ ପାତିଥାଏ ପିଲାଛୁଆର ସଂସାର । ସ୍ଵାମୀ ସୋହାଗିନୀ ନିର୍ବୋଧ ଗଧଟିଏ ପରି ପିଠିରେ ଲଦିଥାଏ ପିଲାଙ୍କ ବୁଜୁଳା ।ସୁଉଚ୍ଚ କାନ୍ଥ,ମୁଣ୍ଡ ଉପରେ ନିର୍ଦ୍ଦିଷ୍ଟ ଛାତ,କିଛି କିଛି ବିଡ଼ମ୍ଵନାର ମୁହୂର୍ତ୍ତ ଆଉ ପିଲାଙ୍କ ହେପାଜତ,ରନ୍ଧାବଢା, ସ୍ଵାମୀର ଯତ୍ନ ଅପର ପକ୍ଷରେ ସ୍ୱାମୀର ଶିଉଳି ଲଗା ଭଲ ପାଇବା ,ତାର ଅଶ୍ରଦ୍ଧା,ତାର ଅହଂ, ତାର ତିକ୍ତତା, ସଵୁ ବିଚାରୀ ସ୍ତ୍ରୀକୁ ସହିବାକୁ ହୁଏ । ଆଉ ଏମିତି ବୁଢୀ ସ୍ତ୍ରୀକୁ ସେଇ ସ୍ଵାମୀ ଵୋଲାଉଥିବା ଲୋକଟି ସହିପାରେନା । ଏଇ କଥା ଏକାକୀ ବୁଢୀ ଅରୁଣା ଦିନ ରାତି ଭାଵେ । ଗୋଟିଏ ବୋଲି ଝିଅର ବାହାଘର ହେଇନି । ଉଚ୍ଚ ଶିକ୍ଷିତା ଶିଳ୍ପା ତାଠୁ ଅନେକ ଦୂରରେ ଚାକିରୀ କରୁଛି । ଅରୁଣା କାହାକୁ ଆଉ ମନ କଥା କହିବ?

ସ୍ୱାମୀ ଶ୍ରୀହର୍ଷ ଏଵେ ବି ଯେମିତି ପଞ୍ଚଷଠି ବର୍ଷରେ ବୁଢା ହେଇ ନାହାନ୍ତି । କିନ୍ତୁ ଅରୁଣା ଦେହ ଚୁର୍ଣ ହେଇଛି । ତା ମନସ୍ତତ୍ତ୍ୱକୁ ଶ୍ରୀହର୍ଷ ବୁଝିବେ କେମିତି ଆଉ କାହିଁକି ଯେ !ସକାଳୁ ସକାଳୁ ଭଲ ଶବ୍ଦଟିଏ ବାହାରେନି ତୁଣ୍ଡରୁ। ତାକୁ ଲାଗେ ଏଵେ ବେଶି ସ୍ଵଚ୍ଛନ୍ଦ ହେଇଯାଇଛନ୍ତି ସେ । ଲାଗେ ସେ ଯେମିତି ଅନୁଭଵ କରନ୍ତି ତାଙ୍କ ଉପରେ ସେ ଏକ ବୋଝ ହେଇଛି । ଗୋଟେ ମୁହୂର୍ତ୍ତ ବି ତାକୁ ସେ ସହ୍ୟ କରିପାରୁ ନାହାନ୍ତି । ସ୍ତ୍ରୀ ସଙ୍ଗେ ଯେମିତି ପ୍ରତି କଥାରେ ପ୍ରତିଦ୍ଵନ୍ଦିତା କରିବାକୁ ଚାହାନ୍ତି । ଆଉ ଘରଟା ଭିତରେ କୋଉଠି ହେଲେ ସେ ସ୍ଵାମୀର ହୃଦୟଟିକୁ ପାଏନା । ଖାଲି ଚାପ ଆଉ କଟକଣା । କେଉଁଠି ଟିକେ ଖିଲାପ ହେଇଗଲେ ତାଙ୍କ ସ୍ଵାମୀ ନିର୍ମାଣର ଭୁଲ୍ ଭଟକାରେ ସ୍ଵାମୀତ୍ଵ ଭୁଷୁଡି ପଡିବ।ଇଏ ହେଲା ଜୀବନର ଗୋଟେ ନୂଆ ମୋଡ଼ । ଚାକିରୀ ଗଲା ପରେ ଅଵସର ସମୟର ଅପଦାର୍ଥ ମଣିଷଟେ ସେ । ଆସ୍ତେ ଆସ୍ତେ ସ୍ଵାମୀ ଆଉ ସ୍ତ୍ରୀ ଭିତରେ ଏକ ଲମ୍ଵା ଦୂରତା ଆସେ । ଏଇଟା କଣ ସଵୁଠି ଘଟେ ! ନାଁ କେଵଳ ସେ ଅନୁଭଵ କରୁଛି ? ଶ୍ରୀହର୍ଷ ସଵୁକଥାରେ ଯୁକ୍ତି କରନ୍ତି । ମିଛ ବି ଅନାୟାସରେ ସତ ପରି କହନ୍ତି । ମଧୁଶାଳାରୁ ମଧୁ ନିଃଶେଷ ହେଲା ପରେ ଓଠ କଣ ଶୁଖିଲା ରହେ । ସେ ଓଠ ପଛେ ସ୍ଵାଦ ଚାଖିଵାର କ୍ଷମତା ହରାଇ ଵସି ଥାଉ,ଅନ୍ତତଃ ଓଠର ବର୍ଣାଳୀକୁ ଭୁଲିବାକୁ ହେଵନାହିଁ ।

କେତେକେତେ ଅଭାବରେ ଘାଣ୍ଟି ହୁଏ ସେ । ଯଦି ସକାଳେ କଥା ଲହସରେ ଶ୍ରୀହର୍ଷକୁ କହିଦିଏ ଯେ କାଲି ରାତିରେ ଜମା ନିଦ ହେଲାନି,ଶ୍ରୀହର୍ଷ କହେ "ତମେ କଣ ଭାବୁଛ ମୁଁ ଘୁଂଘୁଡି ମାରୁଥିଲି ଵୋଲି, ମୁଁ ଵି ସାରା ରାତି ଶୋଇନି" । ତାପରେ ଯୁକ୍ତି ତର୍କରୁ ମହାଭାରତ । ଲଢେ଼ଇ କରିବାରେ ଯେମିତି ସ୍ୱାମୀଟି ସୁଉଚ୍ଚ ଶୃଙ୍ଗ । ତା' କଥାକୁ ଗ୍ରହଣ ନ କଲେ ଏଇନେ ସେ ଠେଲିଦବ ଶୃଙ୍ଗରୁ ଅତଳ ଗହ୍ଵରକୁ । ଅରୁଣା ଜାଣେ ଶୃଙ୍ଗାରର ଶେଷ ଯେଉଁଠି ସଂଘର୍ଷର ଆରମ୍ଭ ସେଇଟି । କାରଣ ଶୃଙ୍ଗାରରେ କେଵେ ବି ପୁରୁଷଟିଏ କ୍ଳାନ୍ତ ହୁଏନି ବରଂ ତାର ଅନନ୍ତ କ୍ଷୁଧା ଅସମାପ୍ତ । ଶ୍ରୀହର୍ଷ ଏଵେ ରୋକ୍ ଠୋକ୍ କହେ ନିଜର ଆବଶ୍ୟକତାଠୁ ପଦେ ସେ ଅଧିକ କଥା ଶୁଣିବାକୁ ଭଲପାଏନି । ସ୍ତ୍ରୀ ଭାବରେ ଅରୁଣାର ସୀମାରେଖା ବିଵାହ ପରେ ନିର୍ଦ୍ଧାରିତ ହେଇ ଯାଇଛି । ତେଣୁ ଏଵେ ସେ ଏକୁଟିଆ ଘର ଭିତରେ ଚଳିବାର ଅଭ୍ୟାସ କରିବ ମଲା ପର୍ଯ୍ୟନ୍ତ । ସତରେ ସ୍ତ୍ରୀକୁ ବୋହିବାର କି କ୍ଳାନ୍ତି । ଆଉ ମୁକୁଳା ଆକାଶର ପକ୍ଷୀ ପରି ଶ୍ରୀହର୍ଷ ଘୁରିବୁଲୁଛି ବାହାରେ । ଲାଗେ ଅରୁଣାର ଯେମିତି ଆଦୌ ଶ୍ରୀହର୍ଷ ସହିତ ସଂପର୍କ ନଥିଲା । ସେ ଟୁକୁରା ଟୁକୁରା ହେଇଗଲାଣି । ନିଜ ଆଖି,ଵକ୍ଷୋଜ,ନିତମ୍ବ, ମୃଣାଳଦଣ୍ଡ ବାହୁ ଶୀର୍ଣତାରେ ବରଗଛର ଶୁଖିଲା ଓହଳ ପରି ହେଇଗଲାଣି । ଘୃଣାରେ ଆଉ ଚାହିଁ ପାରେନି ଶ୍ରୀହର୍ଷ ତା ଆଡେ । ଦିନେ କହିବି ଦେଲା "ମୁଁ ଚାହେଁ ତୁମେ ଆଗ ମରିଯାଅ । ନ ହେଲେ ମୁଁ ଆଗ ତମ ଆଗରେ ଚାଲିଗଲେ ତମେ ରହିବ କେମିତି ।" ଅରୁଣାକୁ ଲାଗିଲା ସ୍ଵାମୀ ତାର ନିଷ୍କୃତି ଚାହୁଁଛି ତା'ଠୁ । ଉଦଵିଗ୍ନ ହେଇ ପଚାରିଲା,"ଆଉ ଝିଅ ବାହାଘର !" "ସେଇଟା କଣ ଅଟକି ଯିଵ?" ଦି'ଟୋପା ଲୁହ ପିଇନେଲା ସେ । ଭାଵିଲା ଏଇ ଶ୍ରୀହର୍ଷ ହିଁ ଦିନେ ହାତ ପାତି ତାର ବନ୍ଧୁତ୍ଵର ଭିକ୍ଷା ମାଗିଥିଲା । ଆଉ ଆଜି ନିର୍ଵିକାର ନିଃସଙ୍କୋଚରେ କହୁଛି "ତୁ ମରିଯା "!

ହଁ ସେ ମରିଗଲେ ଆକାଶ ଶୂନ୍ୟ ହେଵନି,ସମୁଦ୍ରରେ ସେମିତି ଲହଡି ଉଠୁଥିବ,ସାମ୍ନା ପଡିଆରେ ପିଲାମାନେ ଖେଳୁଥିବେ, ସେମିତି ଵର୍ଷା ଛିଟା ସଵୁ ଝର୍କା ଦେଇ ଶ୍ରୀହର୍ଷ ମୁହଁରେ ପଡୁଥିବ । ଜହ୍ନରାତି ବିଛଣାକୁ ସେମିତି ଆଲୋକିତ କରୁଥିବ । କେବଳ ସେ ବିଛଣାରେ ନଥିବ ଅରୁଣା । ବାଁ ହାତରେ ନିଦ ବାଉଳାରେ ତା ସ୍ଵାମୀର ଦେହକୁ ଆଉ ଅଣ୍ଡାଳୁ ନଥିବ। ଝିଅ ଆଖିରେ ଥିବ ଲୁହର ନିଟୋଳ, ନିରିହ କେଇ ବୁନ୍ଦା । ଶ୍ରୀହର୍ଷର ଈର୍ଷାନ୍ଵିତ ମୁହଁଟା ତୋଫା ଦିଶୁଥିଵ । ସୂର୍ଯ୍ୟ ମୁଠାଏ ଆଲୁଅ ବିଞ୍ଚିଦବ ବୋଲି ବିଛଣା ଉପରେ ତରତର ହେଇ ମୁଣ୍ଡ ଟେକିଲାଣି ଝର୍କା ଫାଙ୍କରେ । ଶ୍ରୀହର୍ଷ ଆଖି ଖୋଲି ଅରୁଣା ମୁହଁକୁ ଚାହିଁଲା । ଦି ଆଖିରୁ ଝରିପଡୁଛି ଧାରଧାର ଲୁହ । ନିଜ ପାପୁଲିରେ ସେ ଲୁହ ପୋଛି ଦେଇ କହିଲା "ଅରୁ, ସକାଳୁ ସକାଳୁ କାନ୍ଦୁଛ କାହିଁକି ? କଣ ଖରାପ ସ୍ୱପ୍ନ ଦେଖିଲକି ?" ଆହୁରି କଇଁ କଇଁ ହୋଇ କାନ୍ଦି ଉଠିଲା ସେ । ପଚାରିବାକୁ ଇଚ୍ଛା ହେଉଥିଲା ତାର "ଶ୍ରୀହର୍ଷ କାହିଁକି ଏତେ ଦିନ ପରେ ମୋତେ ଲୋଡିବାର ଛଳନା କରୁଛ ? ତମ ପ୍ରେମ କେଵେଠୁ ବରଫ ପାଲଟି ଯାଇଛି ! ଅନ୍ତତଃ ମୋତେ ତମକୁ ନିର୍ବିଘ୍ନରେ ଉତ୍ତାରିବାକୁ ଦିଅ ମୋ ଛାତିରେ । ତମେ ଯେତେଵେଳେ ସମ୍ପୂର୍ଣ ଘନେଇ ଯିବ ମୋ ଭିତରେ ମୋର ମୃତ୍ୟୁ ହେଉ । ଆଉ, ଆରଜନ୍ମରେ ତମ ସହିତ ମୋର ଦେଖା

ନହେଉ ।" ହେଲେ ଅରୁଣିମା କେବଳ ଦୀର୍ଘଶ୍ଵାସଟିଏ ଛାଡି ଉଠିଗଲା ବିଛଣାରୁ । ଶ୍ରୀହର୍ଷ କହିଲା "ଅରୁ, ଆଜି ସକାଳ ସୂର୍ଯ୍ୟ ନ ଉଠୁଣୁ ଏତେ ଗରମ ହାଓ୍ଵା !"

ସୁନୀତି/୧୦.୯.୧୭


Rate this content
Log in

Similar oriya story from Tragedy