ଅଷ୍ଟମ ଆଶ୍ଚର୍ଯ୍ୟ
ଅଷ୍ଟମ ଆଶ୍ଚର୍ଯ୍ୟ
ଅସାଧାରଣ ବ୍ୟକ୍ତିତ୍ୱ ଆଉ ପ୍ରଚଣ୍ଡ ପ୍ରଜ୍ଞାନର ଅଧିକାରୀ ଆମ ବାପା ଶାସ୍ତ୍ରୀଜୀଙ୍କ ଭଳି ଅତ୍ୟନ୍ତ ସାଧାସିଧା ଓ ସରଳ ।ସହଜରେ କଳନା କରି ହୁଏନି ତାଙ୍କର ସେ ସୁଗୁଣ ସବୁକୁ ।କେମିତି କରି ପାରନ୍ତି ସେ ଏତେ କିଛି,ଭାବିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ । ଆଜି ବି ମନେ ପଡୁଛି ସେଇ ପିଲା ଦିନର କଥା,ବାପାଙ୍କ ସ୍ନେହ-ଆଦର ,ଗପ,କବିତା ଆଉ ମହାପୁରୁଷଙ୍କ ଜୀବନ କାହାଣୀ ସବୁକୁ ଶୁଣେଇବାର ମୁହୂର୍ତ୍ତ ସବୁ ।ଅବର୍ଣ୍ଣନୀୟ ତାଙ୍କର ପାଠ ପଢେଇବାର ଶୈଳୀ ।ଶ୍ରେଣୀ କକ୍ଷରେ ତାଙ୍କ ଶିକ୍ଷାଦାନକୁ ମନ୍ତ୍ରମୁଗ୍ଧ ହୋଇ ଶୁଣନ୍ତି ଛାତ୍ରଛାତ୍ରୀ ।ପ୍ରତ୍ୟେକଟି ବିଷୟକୁ ପ୍ରାଞ୍ଜଳ ଭାବେ ବାପା ବୁଝେଇ ଦିଅନ୍ତି ସେମାନଙ୍କୁ ।ଶିକ୍ଷା ପ୍ରତି ଶ୍ରଦ୍ଧା ହୀନ ଆଉ ବଦମାସ ଛାତ୍ରଙ୍କୁ ବି ସେ ସଜାଡି ଦିଅନ୍ତି ସହଜରେ ।ସହଯୋଗୀ ଶିକ୍ଷକମାନଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ।
ବାପା ନାମକ ବ୍ୟକ୍ତି ଜଣଙ୍କ ପ୍ରତି ସାଧାରଣତଃ ଅନେକଙ୍କ ମନରେ ଭୟ ବା ଶଙ୍କା ରହିଥାଏ ।ଆମ କ୍ଷେତ୍ରରେ କିନ୍ତୁ ତାହା ଏକ ବ୍ୟତିକ୍ରମ ।ବାପା ଆମ ପାଇଁ ଏକ ବ୍ୟକ୍ତ କରି ହେଉ ନ ଥିବା ଅସୀମ ଆନନ୍ଦର ଉତ୍ସ ।ସ୍ନେହ ମମତାର ଖଣି ।ଆମେ କେବେ ତାଙ୍କର ନାଲିଆଖି ଦେଖି ଡରିଯିବାର ସୁଯୋଗ ପାଇନୁ ।ଛୋଟ ମୋଟ ଭୁଲ ପାଇଁ ଆକଟ କି ଅଭିଯୋଗ ନ ଥାଏ ତାଙ୍କର ।ସୁବିଧା ଦେଖି ବାପା ଆମକୁ ଗେଲ କରି ବୁଝେଇ ଦିଅନ୍ତି ଉଚିତ ଅନୁଚିତ କଥା ସବୁକୁ ।ଆମେ ବି ବୁଝିଯାଉ,ପୁନର୍ବାର ସେ ଭୁଲକୁ ଦୋହରାଉନି ସହଜରେ ।
ସେତେବେଳେ ବାପା ଘର ପାଖରୁ ଦୂର ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି । ମୁଁ ତାଙ୍କ ସହ ସେଠିକୁ ବିଦ୍ୟାଧ୍ୟୟନ ପାଇଁ ଯାଏ ।ଆମେ ସୋମବାର ଦିନ ଗମନ ଓ ଶନିବାର ଘରକୁ ପ୍ରସ୍ଥାନ କରୁ । ଏବେବି ମନେ ପଡିଯାଏ ବାପାଙ୍କ ସହ ଯିବା ଆଉ ବାହୁଡ଼ିବାର ସମୟ । ବାଟସାରା
ବାପା କେତେ ଜାଣିବା କଥା ଏବଂ ପାଠ ସବୁକୁ କୌତୁକିଆ ଶୈଳୀରେ ବୁଝେଇବା ସହ ପଚାରି ଚାଲନ୍ତି ।ମୁଁ ବି ବଡ଼ ଆଗ୍ରହରେ ସେସବୁ ଶୁଣିବା ସହ ଉତ୍ତର ଦେଇ ଚାଲିଥାଏ ।ଜ୍ଞାନ ବିଜ୍ଞାନର ଗନ୍ତାଘର ବାପାଙ୍କ ପ୍ରଶଂସା ଅନ୍ୟ ସହପାଠୀଙ୍କ ମୁହଁରୁ ଶୁଣିଲେ ଛାତି କୁଣ୍ଢେମୋଟ ହୋଇଯାଏ ।ଅଭାବ ଅନାଟନ ଭିତରେ ବଢ଼ି ସେ କେମିତି ଜାଣିଲେ ଏତେ ସବୁ !!ଆମପାଇଁ ସେ ଏକ ବିସ୍ମୟ ।
ଆଜି ବି ମନେପଡ଼େ ଆଈମା'ଙ୍କର ସେଇ କଥା ପଦକ .."ମୋ ପୁଅ ଯୋଉଦିନ ତୋ ଜେଜେବାପା କରିଥିବା ଋଣ ସବୁକୁ ଶୁଝି ଦେଲା ,ଖୁସିରେ ତାଙ୍କ ଆଖିରୁ ଲୁହ
ବୋହିଗଲା ।ସେ ତୋ ବାପର ପିଠି ଥାପୁଡ଼େଇ କହିଲେ"-'ତୁ ମୋତେ ଋଣୀ ହୋଇ ମରିବା ଅପବାଦ ଆଉ ଯମଦଣ୍ଡରୁ ରଖି ଦେଲୁରେ,ପ୍ରଭୁ ତୋର ମଙ୍ଗଳ କରନ୍ତୁ ।'
ଆହୁରି ବି ଶୁଣିଛୁ,ଏଇ ବାପା ନିଜେ ଓପାସ ରହି ତାଙ୍କ ପରିବାର ଦାୟିତ୍ୱ ତୁଲାଇଛନ୍ତି,ଭାଇ ,ଭଉଣୀ-ବାପା-ମାଆଙ୍କ ପ୍ରତି ଦିନେହେଲେ ଅବହେଳା କରି ନାହାଁନ୍ତି ।ତା' ସହ ବିପଦ,ଆପଦର ସମ୍ମୁଖୀନ ହେଉଥିବା ସାଇ ପଡ଼ିଶା ଲୋକଙ୍କ ପାଖରେ ଛିଡାହୋଇ ସେ ସାହାଯ୍ୟ ଆଉ ସହଯୋଗର ହାତ ବଢାନ୍ତି ।
ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ବି ସେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ଭଳି ଆଚରଣ କରନ୍ତି ।ଅବଶୋଷ,ହତାଶ ଠାରୁ ସେ ଅନେକ ଉର୍ଦ୍ଧ୍ଵରେ ।ସ୍ଥାନାନ୍ତର ହୋଇ ବାପା ଯେଉଁ ବିଦ୍ୟାଳୟରେ ବି ଶିକ୍ଷାଦାନ କରିଛନ୍ତି ,ସବୁଠି ତାଙ୍କର ଯଶଗାନରେ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଶତ ମୁଖର ହୁଅନ୍ତି ।
ଏତେ ପରେ ବି ସର୍ବଦା କର୍ମ ଚଞ୍ଚଳ ବାପା ଆମର ସମ୍ପୂର୍ଣ୍ଣ ଅହଂ ଶୂନ୍ୟ ।
ବିନା ଆକଟ ଓ ନାଲିଆଖିରେ ସେ ଆମକୁ ମଣିଷ କରି ଗଢି ତୋଳିଛନ୍ତି ।
କେବେ ଅବାଟରେ ଯିବାକୁ ଦେଇ ନାହାଁନ୍ତି ।ଆକାଶଠୁ ବିଶାଳ ତାଙ୍କର ହୃଦୟ ,ଆଉ ସାଗରଠାରୁ ଗଭୀର ବି ।ସହଜରେ ମାପି ପାରୁନା ଆମେ ତାଙ୍କର ସେହି ପ୍ରଚଣ୍ଡ ବ୍ୟକ୍ତିତ୍ଵକୁ ।ସେ ଆମ ପାଇଁ ଅଷ୍ଟମ ଆଶ୍ଚର୍ଯ୍ୟ ।ତାଙ୍କୁ ପିତା ଭାବରେ ପାଇଥିବାରୁ ମନରେ ପ୍ରଚୁର ସନ୍ତୋଷ ଆସେ ;କେବେ କେବେ ତ ଇଚ୍ଛା ହୁଏ,ପ୍ରତି ଜନ୍ମରେ ତାଙ୍କୁ ଏମିତି ପିତା ଭାବରେ ପାଇବାକୁ ।ତାଙ୍କରି କୋଳରେ ବିଚରଣ କରି ଏଡୁଟିଏରୁ ଏଡ଼ୁଟେ ହେବାକୁ ।ସତରେ ବିଧାତା ପୁଣି ସେଇ ସୁଯୋଗ ଦିଅନ୍ତେ କି !!
ମୁଁ ଧନ୍ୟ ହୋଇଯା'ନ୍ତି ପୁଣିଥରେ ତାଙ୍କ ପରଶ ଓ ଆଶିଷ ଲାଭକରି ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।