Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Abstract

3  

Aravinda Das

Abstract

ଅସ୍ତିତ୍ୱ

ଅସ୍ତିତ୍ୱ

10 mins
15.2K


ଅସ୍ତିତ୍ୱ

 

ଅରବିନ୍ଦ ଦାସ

 

       ଗେଟ୍ ପାଖରୁ ପଛଆଡ଼କୁ ବୁଲି ଘରଟାକୁ ଶେଷଥର ପାଇଁ ଦେଖିନେଲେ ଅର୍ଚ୍ଚନା । ଏକ ଦୀର୍ଘନିଃଶ୍ୱାସ ଯେମିତି ଛାତି ଫଟାଇ ନିଃଶବ୍ଦରେ ବାହାରିଗଲା । ନିଜକୁ ବାରମ୍ବାର ଦୃଢ଼ କରିବାକୁ ଚେଷ୍ଟା କରି, ଆଖିରେ ଲୁହକୁ ଜବରଦସ୍ତି ଅଟକାଇବାର ପ୍ରୟାସ ଜାରି ରଖିଥିଲେ ଅର୍ଚ୍ଚନା ।

       ଉପର ମହଲା ବେଡ୍ ରୁମ୍ ଝରକା ପର୍ଦ୍ଦା ଆଢୁଆଳରେ ସୁଦୀପ୍ତଙ୍କ ମୁହଁଟା ଦିଶୁଛି । ଅର୍ଚ୍ଚନାଙ୍କ ଆଖି ସହ ତାଙ୍କ ଆଖି ମିଶିଯିବାରୁ ପର୍ଦ୍ଦାଟା ପକାଇଦେଲେ ସୁଦୀପ୍ତ ।

       ତାକୁ ଘର ଛାଡ଼ି ନଯିବା ପାଇଁ ସୁଦୀପ୍ତଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା ବୋଲି ଦୁଇଦିନ ହେଲାଣି ସିଧାସଳଖ ଅର୍ଚ୍ଚନା ସହ କଥା ହେଉନଥିଲେ ।

       ଅର୍ଚ୍ଚନା କ’ଣ ସତରେ ମନଖୁସିରେ ସୁଦୀପ୍ତଙ୍କୁ ଛାଡ଼ପତ୍ର ଦେଇ ଘର ଛାଡ଼ି ଚାଲିଯାଉଛି? ତିରିଶ ବର୍ଷର ବିବାହିତ ଜୀବନର ଅନେକ ମଧୁର ସ୍ମୃତି ଭିତରୁ ଏଇ ଘରଟା ହେଉଛି ଗୋଟେ । ନିଜର ସ୍ୱପ୍ନର ମହଲ ଗଢ଼ିଲା ଭଳି, ଘରଟା ତିଆରି ହେଲାବେଳେ ଅର୍ଚ୍ଚନା ସବୁବେଳେ ଆସି ନିଜେ ତଦାରଖ କରୁଥିଲା ଏକ ଅଭିଜ୍ଞ ଇଞ୍ଜିନିୟର ଭଳି ।

       ଜୀବନରାସ୍ତାରେ ଏମିତି କିଛି ମୋଡ଼ ଆସିବ ବୋଲି ସେ କ’ଣ କେବେ ଭାବିଥିଲା? ସଂପର୍କର ଅଡୁଆ ଖିଅ ଠିକ୍ ରାସ୍ତାର ଅମାନିଆ ଟ୍ରାଫିକ୍ ଭଳି । କେତେବେଳେ ଗାଡ଼ି କୁଆଡ଼କୁ ମୋଡ଼ିହୋଇଯିବ କିଏ ଜାଣେ? ଘରର ପୁରୁଣା ଚାକର କେଶବ ଓ ତା ସ୍ତ୍ରୀ ମାଳତୀ ଆଖିକୁ ପୋଛୁଥାନ୍ତି । ଡ୍ରାଇଭର ଅଭି ଡାକରେ ପ୍ରକୃସ୍ଥିତ ହେଲେ ଅର୍ଚ୍ଚନା । “ମା, ଖାଲି ଏଇ ଦୁଇଟା ବ୍ୟାଗ୍ ନା ଆଉ କ’ଣ ଅଛି?”

       କ’ଣ ଉତ୍ତର ଦେବେ ଜାଣିପାରୁ ନଥିଲେ ଅର୍ଚ୍ଚନା । ଦୁଇଟା ଟ୍ରଲିବ୍ୟାଗ୍ ରେ ସେ ନିଜର ସମସ୍ତ ସଂସାରକୁ ଏକାଠି କରି ଯାଉଛନ୍ତି । ଘର ଭିତରେ କପ୍ ବୋର୍ଡ ଓ ଷ୍ଟିଲ୍ ଆଲମାରୀରେ ଗଦାଗଦା ଶାଢ଼ୀ ଓ ଡ୍ରେସ୍ ଥୁଆହୋଇଛି । କାହିଁକି ନେବେ ଓ କ’ଣ ପାଇଁ ନେବେ ସେ? ସାଧାରଣ ଭାବେ ଚଳିବା ପାଇଁ ଏଇ ଦୁଇ ବ୍ୟାଗରେ ଜିନିଷପତ୍ର ଯଥେଷ୍ଟ ।

       “ପଳାଶପଲ୍ଲୀ ଫ୍ଲାଟ୍ କୁ ଚାଲ ।” ଡ୍ରାଇଭରକୁ ନିଦେ୍ର୍ଦଶ ଦେଇ ଗାଡ଼ିରେ ବସିଲା ପୂର୍ବରୁ ଅର୍ଚ୍ଚନା କେଶବ ଓ ମାଳତୀଙ୍କୁ ପାଖକୁ ଡାକି କହିଲେ,  “ଯେମିତି ହେଳା ନହୁଏ, କେଶବ ତୁ ବାବୁଙ୍କ ଔଷଧଗୁଡ଼ାକ ମନେକରି ଦେଉଥିବୁ । ମାଳୀକୁ କହି ଘାସଗୁଡ଼ାକ କଟାଇ, ଜିନିଆ ଓ ଡାଲିଆ ଚାରା ଲଗାଇବାକୁ କହିବୁ । ଦୁଧ ଏକଲିଟର କମାଇକରି ଆଣିବୁ । କିଛି ଦରକାର ପଡ଼ିଲେ ମୋତେ ଫୋନ୍ କରିବୁ । ସବୁଦିନ ଘରୁ ଲଞ୍ଚ୍ ଅଫିସକୁ ପଠାଇବୁ ।” ମାଳତୀ ନିଜକୁ ସମ୍ଭାଳି ନପାରି ଭୋ’ଭୋ’ ହୋଇ କାନ୍ଦି ଅର୍ଚ୍ଚନାଙ୍କୁ କୁଣ୍ଢାଇପକାଇ ପଚାରିଲା, “ତମେ କ’ଣ ସତରେ ଜମା ଫେରିବନି ମା’? ବାବୁ କ’ଣ ତମ ବିନା ରହିପାରିବେ?”

       ଅର୍ଚ୍ଚନା ହଠାତ୍ ନିଜକୁ ପ୍ରଶ୍ନ କରୁଥିଲା । ସୁଦୀପ୍ତଙ୍କୁ ଛାଡ଼ି ସେ ରହିପାରିବ ତ? ଛାତି ଭିତରେ ହାବୁକା ମାରୁଥିବା କୋହର ଢେଉକୁ  ପ୍ରଶମିତ କରିବାର ଚେଷ୍ଟା କରୁଥିଲା ସେ ।

       ସ୍ୱାମୀ, ଘର ଓ ନିଜ ସଂସାରକୁ ଛାଡ଼ି ଏମିତି ଚାଲିଯିବା କ’ଣ ତା’ର ସ୍ୱାର୍ଥପରତାର ପରିଚୟ? ଏହି ଅର୍ନ୍ତଦ୍ୱନ୍ଦ୍ୱ ଅନେକ ଦିନ ହେଲାଣି ତା ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ହେଲେ ସେ ଏ ପ୍ରଶ୍ନର ସମାଧାନ କରିଦେଇଛି । ସବୁ ବୁଝିବିଚାରି ଏହି ଚରମ ନିଷ୍ପତ୍ତି ନେଇଛି ସମସ୍ତଙ୍କ ଭଲ ଏବଂ ସ୍ୱାର୍ଥକୁ ଆଖିରେ ରଖି ।

       ସୁଦୀପ୍ତ ଜଣେ ବରିଷ୍ଟ ଆଇ.ଏ.ଏସ୍ ଅଫିସର । ଆଉ ଛଅମାସ ପରେ ରିଟାୟାର୍ କରିବେ । ଘରବାଡ଼ି, ପଇସାପତ୍ର, ମଉଜ ମଜଲିସ୍, ସୁନାଗହଣା କେଉଁଥିରେ ଊଣା କରିନାହାନ୍ତି ଅର୍ଚ୍ଚନାକୁ ସୁଦୀପ୍ତ । ତେବେ ସମସ୍ତେ କ’ଣ ଖାଲି ଏଇ ବସ୍ତୁବାଦୀ ଜିନିଷ ମୋହରେ ଘରସଂସାର କରନ୍ତି? ନିଜର ଆତ୍ମପରିଚୟ, ଆତ୍ମଅଭିମାନ ଓ ଆତ୍ମଗୌରବର କ’ଣ କିଛି ମୂଲ୍ୟ ନାହିଁ?

       “ତମେ ଲାଇଫ୍ ରେ ଯାହା ପାଇଛ ସେସବୁ କେବଳ ମୋ ପାଇଁ ଆଇ.ଏ.ଏସ୍ ସୁଦୀପ୍ତ ମହାପାତ୍ର ପାଇଁ । ଲୋକେ ତମକୁ କେବଳ ମୋ ସ୍ତ୍ରୀ ବୋଲି ଜାଣି ତମ ଏନ୍.ଜି.ଓ ପାଇଁ ଫଣ୍ଡ୍ ଓ ଡୋନେସନ୍ ଦେଉଛନ୍ତି । ଥରେ ଖାଲି ଅର୍ଚ୍ଚନା ରଥ ହୋଇ କାହା ପାଖକୁ ଯାଇ ତଫାତ୍ ଟା ଦେଖ ।”

       ଶକ୍ତ ଧକ୍କା ଲାଗିଥିଲା ଅର୍ଚ୍ଚନାଙ୍କୁ । ଏମିତି ଅପମାନଭରା କଥା କିଛି ନୂଆ ନଥିଲା ତା ପାଇଁ । ତାଚ୍ଛଲ୍ୟ ଓ ହେୟଜ୍ଞାନର ଏକ ସୀମା ଥାଏ । ନିଜ ଆତ୍ମପରିଚୟର ସଂଜ୍ଞା ଖୋଜିବାକୁ ବର୍ତ୍ତମାନ ବୋଧେ ବହୁତ ଡେରି ହୋଇଯାଇଥିଲା ।

       ମିସେସ୍ ସୁଦୀପ୍ତ ମହାପାତ୍ରର ଖୋଳପା ଭିତରେ ରହିରହି ସେ ନିଜର ପରିଚୟ ପାଶୋରିଦେଇଥିଲା । ଏତେବର୍ଷର ଘରସଂସାର, ପିଲାଛୁଆଙ୍କ ଅର୍ଦ୍ଦଳି, ସ୍ୱାମୀ, ପରିବାର ଭିତରେ ନିଜର ଇଚ୍ଛା, ମୌଳିକ ଅଧିକାର, ଆଶା ଆକାକ୍ଷାଂକୁ କେବେ ପ୍ରାଧାନ୍ୟ ଦେଇ ନଥିଲା ।

       ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିଦେଇଥିଲା । ହଠାତ୍ କୁଆଡୁ କେଜାଣି ଖଣ୍ଡିଆଭୂତ ପରି ପବନ ଆସି ଧୂଳି, ଶୁଖିଲା ପତ୍ର, କାଗଜ ସବୁ ଉଡ଼ାଇବାରେ ଲାଗିଲା । ଚକ୍ରାକାରରେ ସବୁ ଉପରକୁ ଉଠିଯାଉଥାଏ । କାର୍ କାଚ ଭିତରୁ ଧୂଳିର ପରଦା ଭିତରୁ ଘରଟା ଅସ୍ପଷ୍ଟ ଦିଶୁଥାଏ । ଆଖିକୋଣର ଲୁହକୁ ପୋଛି ସାମ୍ନାକୁ ଅନେଇଲେ ଅର୍ଚ୍ଚନା । ସୁଦୀପ୍ତ ରୂପକ ଖଣ୍ଡିଆଭୂତ ତା ଜୀବନର ସମସ୍ତ ସ୍ୱପ୍ନ ଆଶାକୁ ଶୂନ୍ୟକୁ ଉଡ଼ାଇନେଇଛି । “ତମେ ଏ ମାଷ୍ଟ୍ରାଣୀ ଚାକିରି ଛାଡ଼ିଦିଅ ।” ବାହାଘର ପରେ ସେଣ୍ଟ୍ରାଲ୍ ସ୍କୁଲର ସୁନ୍ଦର ଚାକିରିଟା ବାଧ୍ୟ ହୋଇ ଛାଡ଼ିଥିଲା ଅର୍ଚ୍ଚନା । ଗୋଟେ ଆଇ.ଏ.ଏସ୍ ଅଫିସରର ସ୍ତ୍ରୀ ଏକ ସ୍କୁଲ ଟିଚର ହେବା କ’ଣ ସତରେ ଖରାପ? ଅପମାନଜନକ?

       ସୁଦୀପ୍ତଙ୍କ କିଛି କଲିଗ୍ ମାନଙ୍କ ସ୍ତ୍ରୀ ଚାକିରି କରିଛନ୍ତି, ହେଲେ ସୁଦୀପ୍ତଙ୍କୁ ଜମା ପସନ୍ଦ ନଥିଲା ଅର୍ଚ୍ଚନାଙ୍କ ଚାକିରି । ନିଜ ଇଚ୍ଛା ବିରୋଧରେ ଜବରଦସ୍ତି ଚାକିରି ଛାଡ଼ି ହାଉସ୍ ୱାଇଫ୍ ହୋଇ ରହିଥିଲେ ଅର୍ଚ୍ଚନା । କ୍ଲବ୍ କିଟିପାର୍ଟ, ଭଲ ଲାଗେନା ତାଙ୍କୁ ।

       ହଠାତ୍ ଗାଡ଼ିଟା ବ୍ରେକ୍ ମାରିବାରୁ ଧ୍ୟାନଭଙ୍ଗ ହେଲା ଅର୍ଚ୍ଚନାଙ୍କର । “ମା, ପଛ ଚକଟା ପମ୍ପଚର୍ ହୋଇଗଲା ବୋଧେ । ଦଶମିନିଟ୍ ରେ ସଜାଡ଼ିଦେଉଛି ।”

       ଅର୍ଚ୍ଚନା ମନେମନେ ନିଜର କର୍ମପନ୍ଥା ସ୍ଥିର କରିନେଉଥିଲେ । ବର୍ତ୍ତମାନ ସେ ସିଧା ଯିବେ ନିଜ ନାଁରେ ଥିବା ଫ୍ଲାଟ୍କୁ , ଯେଉଁଠି ସେ ନିଜର ଏନ୍.ଜି.ଓ ‘ପ୍ରୟାସ’ ଚଳାଉଛନ୍ତି । ନିର୍ଯାତିତ, ଅସହାୟ ଗରିବ ମହିଳା ଓ ଝିଅଙ୍କ ପାଇଁ ଏଇ ଅନୁଷ୍ଠାନଟି ଗତ ଛଅବର୍ଷ ହେଲା କାମ କରିଆସୁଛି । ମନକୁ ମନ ହସିଲେ ଅର୍ଚ୍ଚନା, ଆଜି ସେ ନିଜେ ସବୁଦିନ ପାଇଁ ‘ପ୍ରୟାସ’କୁ ଚାଲିଯାଉଛି ଅନ୍ୟ ଅସହାୟ ନାରୀମାନଙ୍କ ପାଇଁ ।

       ବଡ଼ଝିଅ  ଲୋପାର ବାହାଘର ପରେ ଘରେ ଆଉ କିଛି ଜଞ୍ଜାଳ ନଥିଲା । ସାନପୁଅ ପିଣ୍ଟୁ ସିଙ୍ଗାପୁରରେ ଏମ୍.ବି.ଏ. କରୁଥିଲା । ସୁଦୀପ୍ତ ଅବଶ୍ୟ ସେଥର ହଁ ଭରିଥିଲେ ଅର୍ଚ୍ଚନାଙ୍କର ପ୍ରସ୍ତାବରେ । ଟେଲିଭିଜନ୍ ସିରିଏଲ୍ ରେ କାମ କରିବା ପାଇଁ ଯେଉଁ ଅଡିସନ୍ ସିଲେକ୍ଟ ମଧ୍ୟ ହୋଇଯାଇଥିଲେ । ସେଥିପାଇଁ ସୁଦୀପ୍ତ ରୋକ୍  ଠୋକ୍ ମନା କରିଦେଇ କହିଥିଲେ, “ଏ ବୁଢ଼ୀ ବୟସରେ ମୁହଁରେ ରଙ୍ଗ ପାଉଡର ବୋଳିହୋଇ ନାରେ ନାରେ, ଥେଇ ଥେଇ ହେବ? କ’ଣ ତମ ଇଚ୍ଛା? ସିନେମାରେ ହିରୋଇନ୍ ହେବ?”

       ଅର୍ଚ୍ଚନାଙ୍କ ମୁଣ୍ଡକୁ ବି ପିତ୍ତ ଚଢ଼ିଯାଇଥିଲା । “ଏ ବୟସରେ ତମେ ତମ ଝିଅ ବୟସର ପିଲାଙ୍କ ସହ କ୍ଲବ୍ ରେ ଡ୍ୟାନ୍ସ କରିପାରିବ, ପର୍ସନାଲ୍ ସେକ୍ରେଟାରୀ ସହିତ ଆଫେୟାର୍ ଚଳାଇପାରିବ, ଅଥଚ ମୁଁ ଟି.ଭି.ରେ ଅଭିନୟ କରିପାରିବି ନାହିଁ?”

       ସୁଦୀପ୍ତ ସେଦିନ ଟିକେ ଅଧିକ ଡ୍ରିଙ୍କ୍ କରିଥିଲେ । ରାଗିଯାଇ ଗ୍ଲାସଟା କାନ୍ଥକୁ ଫୋପାଡ଼ିଦେଇ ଚିକ୍ରାର କରି କହିଲେ, “ବ୍ଲଡିବିଚ୍ ! ଏତେ ସାହସ ହୋଇଗଲାଣି? ସବୁକଥା ତୋ ମନଇଚ୍ଛା କରିବୁ? ମୋ ପର୍ସନାଲ୍ ଲାଇଫ୍ ଉପରେ ଆଲିଗେସନ୍ ଆଣିବୁ?”

       ରାଗରେ ଅନ୍ଧ ହୋଇଗଲେ ସୁଦୀପ୍ତ ତାକୁ ତୁ ତା ବୋଲି ସମ୍ବୋଧନ କରି ଅସଭ୍ୟ ଭାଷା ବ୍ୟବହାର କରନ୍ତି । ଏତେବର୍ଷ ହେଲାଣି ଏସବୁ ସହିଆସିଛି ଅର୍ଚ୍ଚନା । “କାହିଁକି ନୁହେଁ? ମୋର କ’ଣ ନିଜର ବୋଲି କିଛି ଇଚ୍ଛା ନାହିଁ? ମଲା ପର୍ଯ୍ୟନ୍ତ ତମରି ଇଚ୍ଛା ଅନୁସାରେ ଚଳିବି? ୟୁ ଆର୍ ସୋ ସେଲଫିସ୍ ! ଏମିତିକି ସେକ୍ସ ବି ତମେ କେବଳ ନିଜ ଖୁସି ଓ ଇଚ୍ଛା ଅନୁଯାୟୀ କର ।”

ଠାଏ କରି ଚଟକଣାଟାଏ ସୁଦୀପ୍ତ ମାରିଥିଲେ ଅର୍ଚ୍ଚନାକୁ ।

“ବାହାରିଯା ମୋ ଘରୁ । ମୁଁ ଠିକ୍ ଜାଣିପାରୁଛି ଏମିତି କଥା ଆଜି କାହିଁକି ବାହାରୁଛି । କାହା ସାଙ୍ଗରେ ଆଫେୟାର୍ସ ଚାଲିଛି?” ଅର୍ଚ୍ଚନାକୁ ଦୁଇହାତରେ ଚାପିଧରି ମୁହଁକୁ ବିକୃତ କରି ମଦନିଶାରେ ଚୁର୍ ନିଜ ବଡ଼ ବଡ଼ ନାଲିଆଖି ଦେଖାଇ ଧମକାଇବା ଭଙ୍ଗିରେ ପଚାରୁଥିଲେ ସୁଦୀପ୍ତ ।

       ନିଜର ସମସ୍ତ ବଳ ଖର୍ଚ୍ଚ କରି ଧକ୍କାଟାଏ ଦେଲା ଅର୍ଚ୍ଚନା । ଖଟ ଉପରେ ଛିଟିକିପଡ଼ିଲେ ସୁଦୀପ୍ତ । ବେଡ୍ ରୁମ୍ର କବାଟ ବାହାରପଟୁ ଲକ୍ କରି ଅନ୍ୟ ବେଡ୍ ରୁମ୍ କୁ ଚାଲିଗଲା ଅର୍ଚ୍ଚନା । ଆରପଟୁ କବାଟ ବାଡ଼େଇ ଅସଂକ୍ଷିତ ସ୍ୱରରେ ପାଟିଗୋଳ କରୁଥିଲେ ସୁଦୀପ୍ତ । କିଛ ସମୟ ପରେ ସବୁ ଚୁପ୍ । ହାଲିଆ ହୋଇ ଶୋଇପଡ଼ିଥିବେ ବୋଧେ ।

       ଘରେ କାମ କରୁଥିବା ଲୋକଗୁଡ଼ାକ ବୋଧେ ଅପେକ୍ଷା କରୁଥିଲେ ଅର୍ଚ୍ଚନାଙ୍କ ନିଦେ୍ର୍ଦଶକୁ । ବାବୁଙ୍କ ସହ ମା’ଙ୍କର ଏମିତି ରୁକ୍ଷ ବ୍ୟବହାର କେବେ ଦେଖି ନଥିଲେ ସେମାନେ । ଉତ୍ତେଜନାରେ ଅର୍ଚ୍ଚନାଙ୍କ ହେହ ଥରୁଥିଲା, ଠିକ୍ ମ୍ୟାଲେରିଆ ରୋଗୀ ଭଳି । ଏତେବର୍ଷର ସାଂସାରିକ ସଂପର୍କକୁ ଏମିତି ହତାଦର ଭାବ ଦେଖାଇବାର ଏକଚାଟିଆ ଅଧିକାର ସ୍ୱାମୀକୁ କିଏ ଦେଇଛି? ସ୍ୱାମୀତ୍ୱ ଜାହିର୍ କରିବାର ନିଶାରେ କ’ଣ ମଣିଷ ଏମିତି ହିତାହିତ ଜ୍ଞାନ ଭୁଲିଯାଇ ଅନ୍ଧ ହୋଇଯାଏ?

       ଗୋଟାଏ କଥା ଯାହା ଆଜି ପର୍ଯ୍ୟନ୍ତ ଅର୍ଚ୍ଚନାକୁ କଷ୍ଟ ଓ ମନସ୍ତାପ ଦେଇଆସିଛି ତାହା ହେଲା ସୁଦୀପ୍ତ କେବେହେଲେ ନିଜର ଏମିତି ଅସଭ୍ୟ ବ୍ୟବାହାର ପାଇଁ ସାମାନ୍ୟ ଅନୁତାପ କରି ନାହାନ୍ତି, କ୍ଷମା ମାଗିବା ତ ଦୂରର କଥା ।

       ପୁଅଝିଅ ଦୁଇଟାଯାକ ବି ପୂରା ସୁଦୀପ୍ତଙ୍କ ଭଳି ଏକଜିଦିଆ । ଝିଅ ଲୋପା ଅବଶ୍ୟ ଏବେ ଟିକେ ବୁଝିସୁଝି ଅଭିଜ୍ଞ ପରି ବ୍ୟବହାର କରୁଛି । କାଲିକା ପରି ଲାଗୁଥିଲା ଅର୍ଚ୍ଚନାଙ୍କୁ ।

       ଜ୍ୱାଇଁ ଅଭିଜିତ୍ ଙ୍କ ସହ ଝଗଡ଼ା କରି ଲୋପା ନିଜ ବ୍ୟାଗପତ୍ର ଧରି ଘରେ ହାଜର ହୋଇଯାଇଥିଲା । ଅର୍ଚ୍ଚନା ଝିଅକୁ ଏମିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ସେ ଜାଣିଥିଲେ ଅଭିଜିତ୍ ବହୁତ ଶାନ୍ତ ଓ ସରଳ ସ୍ୱଭାବର ପିଲା । ସମୁଦି-ସମୁଦୁଣୀ ବି ବହୁତ ଭଲ ।

       “ମୋତେ ସେଠାରେ ସମସ୍ତେ ମେଣ୍ଟାଲ୍ ଟରଚର୍ କରୁଛନ୍ତି । ମୁଁ ସେ ଘରର ବୋହୂ ନା ଚାକରାଣୀ? ଘରକାମ ମୁଁ କାହିଁକି କରିନି? ବୁଢ଼ାବୁଢ଼ୀ ଦୁଇଜଣ ବି ସବୁବେଳେ ମୋ ସହିତ ଗେରେଗେରେ ହେଉଛନ୍ତି । ପ୍ରାଇଭେସି ବୋଲି କିଛି ନାହିଁ । ଅଭିଜିତ୍ ବି ପୂରା ମାଇଚିଆ; ଏକଦମ୍ ଶ୍ରବଣକୁମାର । ମୁଁ କହିଦେଇ ଆସିଛି ଏ ଘରେ କିଏ ରହିବ? ତମ ବାପାମା’ ଅଥବା ତମ ସ୍ତ୍ରୀ?”

       ସାଙ୍ଗେସାଙ୍ଗେ ସୁଦୀପ୍ତ ରାଗିଯାଇ କହିଥିଲେ, “ତୁ ବ୍ୟସ୍ତ ହଅନା ମା’ । ପୋଲିସ୍ ଆଇ.ଜି. ମୋ ଫ୍ରେଣ୍ଡ୍ । ତାଙ୍କ ପୂରା ଫ୍ୟାମିଲିକୁ ଡାଉରି କେସ୍ ରେ ଜେଲ୍ରେ ପୂରାଇଦେବି । ଏ ଘର ତୋର । ସେଠାକୁ ଯାଇ ଟରଚର୍ ହେବା ଦରକାର ନାହିଁ । ଅଭିଜିତ୍ ଏଠାରେ ରହୁ, ନହେଲେ ତୁ ଡାଇଭର୍ସ କରିଦେ ।”

       ଚଟ୍ କିନା ଲୋପା କହିଉଠିଲା, “ଏକଜାକ୍ଟଲି ଏଇ କଥା ୟାଙ୍କୁ ମୁଁ କହିଦେଇଛି । ଡାଇଭର୍ସ କରି ମୋ ଜୀବନ ମୁଁ ଉପଭୋଗ କରିବି ।” ଅର୍ଚ୍ଚନା ଗୋଟେ ମା’ ହିସାବରେ ସବୁ ବୁଝୁଥିଲେ । ସେ ଜାଣିଥିଲେ ସବୁ ଦୋଷ ଲୋପାର । ସମସ୍ତଙ୍କୁ ବୁଝାସୁଝା କରି ଆପୋଶ ମିଳାମିଶା କରାଇଥିଲେ । ଲୋପା ଏବେ ବେଶ୍ ଖୁସିରେ ଅଛି ।

ଅଥଚ ଆଜି ସେ ନିଜେ ସ୍ୱାମୀଙ୍କୁ ଛାଡ଼ପତ୍ର ନୋଟିସ୍ ଦେଇ ଘର ଛାଡ଼ି ଚାଲିଯାଉଛନ୍ତି?

       ଡ୍ରାଇଭର୍ ଟାୟାରଟା ବଦଳାଇଦେଇଥିଲା । କାର୍ ଟା ଆଗକୁ ଚାଲିଲା । କାହିଁ କେତେ ପଛରେ ରହିଗଲା ତାଙ୍କ ନିଜ ଘର ।

       ‘ପ୍ରୟାସ’ରେ ପହଞ୍ଚôଲା ପରେ ଅନ୍ତେବାସୀ ଝିଅମାନେ ଦୌଡ଼ିଆସି ତାଙ୍କ ଜିନିଷପତ୍ର ଭିତରକୁ ନେଇଗଲେ । ଏଇ ଫ୍ଲାଟ୍ ସାମ୍ନାରେ ଏକ ବଡ଼ ଘରେ ମହିଳା ଓ ଝିଅମାନେ ରହନ୍ତି । ଫ୍ଲାଟ୍ ରେ ଥିବା ଅଫିସ୍ ଘରର ଗୋଟେ ବେଡରୁମ୍ ରେ ଅର୍ଚ୍ଚନା ଏଣିକି ରହିବେ । ଅନ୍ୟସବୁ ସୁବିଧା ଅଛି । କିଛି ଅସୁବିଧା ହେବନି ତାଙ୍କର । ଆସନ୍ତା କାଲିଠାରୁ ଟି.ଭି. ସିରିଏଲ୍ ଧାରାବାହିକରେ ଅଭିନୟ କରିବାକୁ ମଧ୍ୟ ଯିବାକୁ ହେବ । ଜୀବନର ଏଇ ନୂଆ ସୋପାନ ଓ ଭବିଷ୍ୟତ କଥା ଭାବି ଟିକେ ଅନ୍ୟମନସ୍କ ହୋଇପଡୁଥିଲେ ଅର୍ଚ୍ଚନା ।

       ପୁଅ ବଣ୍ଟି ଏବେ ଆମେରିକାରେ । ନିଜ ଜର୍ମାନ ଗାର୍ଲଫ୍ରେଣ୍ଡ୍ ସହ ଭୁବନେଶ୍ୱରରେ ତା ବାହାଘର ସରିଛି । କେତେ ଆଶା କରିଥିଲେ ଅର୍ଚ୍ଚନା ଗୋଟେ ସୁନ୍ଦର ଘରୁଆ ଓଡ଼ିଆ ଝିଅକୁ ବୋହୂ କରି ଆଣିବା ପାଇଁ ! ବହୁଥର ପୁଅକୁ ବି କହିଥିଲେ । “ତୋ ପାଠପଢ଼ା, କ୍ୟାରିଅର ଇତ୍ୟାଦି ବିଷୟରେ ମୁଁ କେବେ ମୁଣ୍ଡ ଖେଳାଇନି । କିନ୍ତୁ ମୋତେ କଥା ଦେ, ଓଡ଼ିଶା ଝିଅଟେ ତୁ ବାହାହେବୁ । ଇଣ୍ଡିଆ ଛାଡ଼ି ବାହାରକୁ ନଯାଇ ଏଇଠି ତମେ ଦୁହେଁ ରହିବ । ମୋତେ ପ୍ରମିସ୍ କର ।”

       ବଣ୍ଟି ଅନେକ ପ୍ରମିଜ୍ କରିଥିଲା, ଠିକ୍ ସୁଦୀପ୍ତ ଯେମିତି ସିଗାରେଟ୍, ମଦ ଛାଡ଼ିବାକୁ ପ୍ରମିଜ୍ କରନ୍ତି । ସବୁ କିନ୍ତୁ କେବଳ ମିଛ ସାନ୍ତ୍ୱନା, ଖାଲି ଅର୍ଚ୍ଚନାକୁ ବୁଝାଇବା ଲାଗି ।

       “ପୁଅପିଲା ସେ । ତା’ର ଯେଉଁଠି ଇଚ୍ଛା ସେ ସେଇଠି ବାହାହେବ, ଚାକିରି କରିବ । ତମେ ଅନ୍ୟମାନଙ୍କ ଉପରେ ସବୁବେଳେ ନିଜ ଜିଦିକୁ କାହିଁକି ଲଦିଦିଅ?”

       ସୁଦୀପ୍ତଙ୍କ ଯୁକ୍ତି ଶୁଣି ନିରବ ରହିଥିଲେ ଅର୍ଚ୍ଚନା ।  ଏ ଘରେ ତାଙ୍କ କଥା କେହି ଶୁଣିବେନି । ସେ ଖାଲି ସମସ୍ତଙ୍କ କଥାକୁ ଅଜ୍ଞାମାଳ କରି ବୁଲୁଥିବେ । ତାଙ୍କ ଜିଦି ବା ଇଚ୍ଛାକୁ ଆଜି ପର୍ଯ୍ୟନ୍ତ କାହା ଉପରେ ଲଦିପାରିଛନ୍ତି ସେ?

       ପିଣ୍ଟୁ ଓ କ୍ଲଡିଆ ଆମେରିକା ଚାଲିଗଲାପରେ ଅର୍ଚ୍ଚନା ଜାଣୁଥିଲେ ଯେ ତାଙ୍କ ପୁଅ ହୁଏତ ଆଉ କେବେ ଇଣ୍ଡିଆ ନଫେରିପାରେ । ଯଦିବା ଆସେ, ହୁଏତ ଅତିଥି ଅଭ୍ୟାଗତଙ୍କ ପରି ଆସି ଚାଲିଯିବ । କାହା ପାଇଁ ଏତେ ଯତ୍ନରେ ଏଇ ଘରଟା ସେ ସଜାଡ଼ି ରଖିଥିଲେ?

       ଲୋପା ଓ ଅଭିଜିତ୍ ସନ୍ଧ୍ୟାବେଳକୁ ପହଞ୍ଚôଯାଇଥିଲେ ଅର୍ଚ୍ଚନାଙ୍କ ପାଖରେ । ସାଙ୍ଗରେ ସୁଦୀପ୍ତ ବି ଆସିଥିଲେ । ଏମିତି ଏକ ବଡ଼ ନିଷ୍ପତ୍ତି ଯେ ସେ ନେଇପାରିବେ, ତାହା ବୋଧେ କେହି କଳ୍ପନା କରିପାରି ନଥିଲେ ।

       “ମମି, ପ୍ଳିଜ୍ ତମେ ଘରକୁ ଫେରିଚାଲ । ଡ୍ୟାଡି ତମେ ମମିକୁ ସରି କୁହ । ପିଲାଙ୍କ ପରି ଏମିତି କରିବା କ’ଣ ଏ ବୟସରେ ଶୋଭା ଦିଶିବ? ଲୋକମାନେ କ’ଣ ଭାବିବେ? ଡ୍ୟାଡି କେମିତି ଯେ ତମ ବିନା ଚଳିବେ, ତାହା କେବେ ଭାବିଛ?” ଲୋପା ବୁଝାଇଲା ପରି କହୁଥିଲା ।

       “ଆଇ ଆମ୍ ଏକ୍ସଟ୍ରିମଲି ସରି ଅର୍ଚ୍ଚନା । ପ୍ଳିଜ୍ ଘରକୁ ଫେରିଆସ ।”

       ସମସ୍ତଙ୍କ ଉପରେ ଆଖି ଘୂରାଇଆଣି ଅର୍ଚ୍ଚନା କହିଲେ, “ଏ ନିଷ୍ପତ୍ତି ମୁଁ ହଠାତ୍ ନେଇନି । ତୋ ଡ୍ୟାଡିଙ୍କୁ ମୁଁ ଏ ବିଷୟରେ ଆଗରୁ ବି କହିଛି । ନିଜ ଜୀବନକୁ ନିଜ ଇଚ୍ଛାରେ ସ୍ୱାଧୀନଭାବେ ବଞ୍ଚôବାକୁ ଚାହୁଁଛି । ବିନା କଟକଣା, ପ୍ରତିବନ୍ଧକ ଏବଂ ଅନ୍ୟର ଅନୁମତିରେ । ସତ କହୁଛି, ପ୍ରକୃତରେ ମୁଁ ନିଜକୁ ନୂଆ ଭାବେ ଆବିଷ୍କାର କରିବାକୁ ଚାହୁଁଛି । ପରିବାରର ଜଞ୍ଜାଳ ତ ପ୍ରାୟ ସରିଗଲା । ତୋ ଡ୍ୟାଡିଙ୍କର ଚଳିବାରେ ଯେମିତି କିଛି ଅସୁବିଧା ନହୁଏ, ତା’ର ସମସ୍ତ ବ୍ୟବସ୍ଥା ବି କରିଦେଇଛି । କିଛିବର୍ଷ ଆଗରୁ ମୁଁ ଯଦି ମରିଯାଇଥା’ନ୍ତି,  ତା’ହେଲେ କ’ଣ କରିଥାନ୍ତ ତମେ? ପୁଣି କିଛିଦିନ ଅର୍ଚ୍ଚନା ରଥ ହୋଇ ବଞ୍ଚô ଏକାଏକା ଜୀବନରେ ପ୍ରତିଷ୍ଠା ଅର୍ଜନ କରିବା ପାଇଁ ଚାହୁଁଛି ।”

       “ହେଲେ ମମି, ଘରେ ରହି ବି ତମେ ଏକଥା କରିପାରିବ, ଆଜି ପର୍ଯ୍ୟନ୍ତ ଯେମିତି କରୁଥିଲ । ତମର ଆକ୍ଟିଂ କ୍ୟାରିୟର୍ ପାଇଁ ବି ଡ୍ୟାଡି ରାଜି ହୋଇଯିବା ପରେ ପୁଣି ତମେ ଘର କାହିଁକି ଛାଡ଼ିଲ? ମୋତେ ଏତେ ବୁଝାଇ ମୋ ଘର ଭାଙ୍ଗିବାରୁ ବଞ୍ଚାଇଦେଲ । ଅଥଚ ତମେ ନିଜେ?”

       “ତୋ ଏବଂ ମୋ କଥା ସଂପୂର୍ଣ୍ଣ ଭିନ୍ନ । ତୁ ନିଜର ଆତ୍ମଗର୍ବ ଏବଂ ବାପାର ପଇସା, କ୍ଷମତାରେ ଅନ୍ଧ ହୋଇ ଶ୍ୱଶୁରଘର ଛାଡ଼ିବାକୁ ଜିଦି କରୁଥିଲୁ । ଶାଶୁ-ଶଶୁରଙ୍କ ଦାୟିତ୍ୱ ନେବାକୁ ଚାହୁଁ ନଥିଲୁ । ଏଠି ମୋର ନିଜ ଆତ୍ମପରିଚୟ ଓ ଆତ୍ମସମ୍ମାନର ପ୍ରଶ୍ନ ଉଠିଛି । ସତରେ କ’ଣ ମୁଁ କେବଳ ମିସେସ୍ ସୁଦୀପ୍ତ ମହାପାତ୍ର? ଅର୍ଚ୍ଚନା ବୋଲି ମୋର ନିଜର ଅସ୍ଥିତ୍ୱ ନାହିଁ? ଗୋଟେ ଚ୍ୟାଲେଞ୍ଜ୍ ନେଇ ଘରୁ ପାଦ କାଢ଼ିଛି କେବଳ ନିଜକୁ ପ୍ରମାଣ କରିବା ପାଇଁ ।”

       “ତା’ହେଲେ ଡାଇଭର୍ସ କାହିଁକି?” ଲୋପା ପ୍ରଶ୍ନ କଲା ।

       ଏକ ଶୁଖିଲା ହସ ମୁହଁରେ ଫୁଟାଇ ଅର୍ଚ୍ଚନା କହିଲେ, “ତୋ ଡ୍ୟାଡିର ଛାପ ମୋ ଦେହରୁ ହଟାଇବା ପାଇଁ । ମୁଁ ଜାଣେ ତାଙ୍କ ଆତ୍ମବଡ଼ିମା ଉପରେ ଆଞ୍ଚ ଆସିବ । ତାଙ୍କ କଲିକ୍ ମାନେ ଫୁସୁରୁଫାସର ହେବେ । ତମମାନଙ୍କ ସହିତ ମୋତେ ଘରକୁ ଫେରାଇନେବାକୁ ସେ ଆସି ନାହାନ୍ତି । ବରଂ ତାଙ୍କ ପୌରୁଷ ଓ ଆଇ.ଏ.ଏସ୍ ଅଫିସର ଫୁଟାଣି ଉପରେ ଉଠିବାକୁ ଥିବା ପ୍ରଶ୍ନବାଚୀକୁ ହଟାଇବାକୁ ସେ ଆସିଛନ୍ତି ।”

       “ପ୍ଳିଜ୍ ଅର୍ଚ୍ଚନା, ଯାହା ହୋଇଯାଇଛି ସବୁ ଭୁଲିଯାଅ । ପୁଣି ଆମେ ନୂଆ ଭାବେ ଲାଇଫ୍ ଆରମ୍ଭ କରିବା ।” ସୁଦୀପ୍ତଙ୍କ କଣ୍ଠରେ ଆକୁଳତାର ଆଭାସ । “ମମି, ଆପଣ ଘରକୁ ଫେରିଲେ ଭଲ ହୁଅନ୍ତା । ତେବେ ଆପଣ ନିଜେ ନିଷ୍ପତ୍ତି ନେଇଛନ୍ତି ଯେତେବେଳେ, ତା’ର ପୁର୍ନବିଚାର କରିପାରନ୍ତେ ।” ଜ୍ୱାଇଁ ଅଭିଜିତ୍ ମୁହଁ ଖୋଲିଲା ।

       “କାହାକୁ ମୁଁ ଇମୋସନାଲ୍ ବ୍ଲାକମେଲିଂ କରୁନି କିମ୍ବା କୌଣସି କ୍ଷତିପୂରଣ ବା ଆଲିମନି ମାଗୁନି । ସୁଦୀପ୍ତ ଓ ମୁଁ ଏବେ ଦୁଇଜଣ ଭଲ ବନ୍ଧୁ ହିସାବରେ ରହିବୁ ବୋଲି କଥାବାର୍ତ୍ତା ହୋଇଛୁ । କେବଳ ବନ୍ଧୁ ହିସାବରେ ସବୁଦିନ କଥାବାର୍ତ୍ତା କରିବାରେ, ଦେଖାସାକ୍ଷାତରେ ଅସୁବିଧା ନାହିଁ । ଅଳ୍ପ କିଛିଟା ସ୍ୱାଧୀନତା ପାଇବାର ଅଧିକାର ମୋ’ଠାରୁ ଛଡ଼ାଇନେବାର କାହାର ଅଧିକାର ନାହିଁ ।”

       ସମସ୍ତେ ଚୁପଚାପ୍ ବସିରହିଥିଲେ ଏବଂ ଫେରିଯିବା ଆଗରୁ ଲୋପା କହିଥିଲା, “ମୁଁ ଭାବୁଛି ମମି ଏକୁଟିଆ ରହି ତା ଲାଇଫ୍ ସହ ପରୀକ୍ଷା ନିରୀକ୍ଷା କରୁ ।” ଅର୍ଚ୍ଚନା ନିଜ ଜୀବନକୁ ବାଜି ଲଗାଇଦେଇଥିଲେ ନିଜ ଅସ୍ଥିତ୍ୱର ପ୍ରମାଣ ପାଇଁ ।

       ବର୍ଷେ ପରେ ଏକ ବଡ଼ ପ୍ରୋଗ୍ରାମରେ ଚିଫ୍ ଗେଷ୍ଟ୍ ଭାବେ ଆମନ୍ତ୍ରଣ ସୁଦୀପ୍ତଙ୍କ ହାତରୁ ଶ୍ରେଷ୍ଠ ଟିଭି ଅଭିନେତ୍ରୀ । ପୁରସ୍କାର ଗ୍ରହଣ କଲାବେଳେ ଅର୍ଚ୍ଚନାକୁ ଲାଗୁଥିଲା ତାଙ୍କ ଜୀବନର ସାର୍ଥକତା ଆସିଛି ।

 

ଆସିଷ୍ଟାଣ୍ଟ କମିଶନର

ସେଣ୍ଟ୍ରାଲ୍ ଏକ୍ସାଇଜ୍ ଏଣ୍ଡ ଅଡିଟ୍

ଫ୍ଲାଟ୍ ନଂ-୧୦୩, ହୋରାଇଜନସ୍ ଏନକ୍ଲେଭ୍

ମହାରାଣୀପେଟା, ବିଶାଖାପାଟଣା-୨

ପିନ୍-୫୩୦୦୦୨

ମୋବାଇଲ୍-୦୯୧୭୭୬୦୫୧୦୫

*****

 


Rate this content
Log in

Similar oriya story from Abstract