Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Others

3  

sushama Parija

Others

କ'ଣ ନକରେ ଏ ଭୋଅଟ

କ'ଣ ନକରେ ଏ ଭୋଅଟ

7 mins
172



ମକରା ମୁହଁ ଫୁଲେଇ ବସି ରହିଥିଲା ଘରେ , ବାରମ୍ବାର ଆଖି ଦୁଇଟା ତା’ର ଟାଣି ହୋଇ ଯାଉଥିଲା ଦାଣ୍ଡ ଦୁଆର ଆଡକୁ । ସତେ ଯେମିତି କାହାକୁ ଅପେକ୍ଷା କରି ବସି ରହିଛି ସିଏ। ମନଟା ଜମା ଭଲ ଲାଗୁ ନଥିଲା, ମନେ ମନେ ରାଗ ଆସୁଥିଲା ନିଜ ଉପରେ , କାହିଁକି ସେଦିନ ସେ ଏମିତି ଟାଣ କଥା କହିଲା ଟି ବଟିଆକୁ ? ଟିକିଏ ଟିକିଏ କଥାରେ ହାତାହାତି ଯାଏଁ କଥା ଚାଲିଗଲା, ଏତେ ଦିନର ବନ୍ଧୁତା ପାଶୋରି ଦେଇ ଦିହେଁ ଗଡାଗଡି ହେଲେ ଗାଁ ଦାଣ୍ଡରେ, ଗାଆଁ ଲୋକେ ଟଣା ଟଣି କରି ଦୁହିଁଙ୍କୁ ଅଲଗା କରି ନଥିଲେ ହୁଏତ ଦୁଇଜଣଙ୍କ ଭିତରୁ ଜଣେ କିଏ ମରି ସାରିଥାନ୍ତା ସେଦିନ। 


ହରିଦାସ ପୁର ଗାଆଁର ମକରା ଆଉ ବଟିଆ ପିଲାଟି ଦିନରୁ ସାଙ୍ଗ। ସାଙ୍ଗ ହୋଇ ନଈ ପଠାରୁ କଣ୍ଢେଇ କୋଳି ତୋଳିବା ଠାରୁ ଆରମ୍ଭ କରି ବଇଁଶୀ ଦାଦି ର ଆମ୍ବ ତୋଟାରୁ ଆମ୍ବ ଚୋରେଇବା ଯାଏଁ ପିଲାଦିନରୁ ଆଜି ଯାଏଁ କରିଆସିଛନ୍ତି । ହେଲେ ଆଜି କିବା କଥାଟାରେ ଏମିତି ଉତ୍ କ୍ଷିପ୍ତ ହୋଇ ତା’ ଉପରକୁ ହାତ ଉଠେଇବାକୁ ବି ପଛେଇଲା ନାହିଁ ବଟିଆ ,ସେଇ କଥା ଭାବି ଭାବି ମୁଣ୍ଡ କାମ କରୁନାହିଁ ମକରାର। । ଆଗରୁ ଯେତେଥର ଦୁହିଁଙ୍କ ଭିତରେ କିଛି ବି ମନୋମାଳିନ୍ୟ ହେଉଥିଲା, ବଟିଆ ଆଗ ଆସି ସାକୁଲାସାକୁଲି କରି ମନୋଇଥିଲ ମକରାକୁ। ସକାଳ କଳି ସଞ୍ଜ ଯାଏଁ ଯାଉ ନଥିଲା । ଏଥର ତିନିଦିନ ପୁରି ଚତୁର୍ଥ ଦିନ ଆରମ୍ଭ ହେଲାଣି ହେଲେ ବଟିଆ ଆଜି ଯାଏଁ ଆସିଲାନି ତା’କୁ ମନେଇବାକୁ । ନିଜେ ଆସିବା ତ ଦୂରର କଥା ଆଉ କାହା ହାତରେ ଖବର ଟିକିଏ ବି ପଠେଇଲାନି । ଥରେ ବୁଝିବାକୁ ଚେଷ୍ଟା ବି କଲାନି ମକରା କେମିତି ଅଛି ବୋଲି । କ’ଣ ବଡ କଥାଟାଏ ହୋଇଗଲା ଯଦି ସେ ନିଜ ଗାଁ ର ସ୍ୱାଧୀନ ପ୍ରାର୍ଥୀ  ବିକ୍ରମ ଶତ୍ରୁଶଲ୍ୟଙ୍କ ସପକ୍ଷରେ ଭୋଟ ପ୍ରଚାର କରି ଦେଲା କି କିଛି ଲୋକଙ୍କୁ ପ୍ରବର୍ତ୍ତେଇ ଦେଲା ମାଛ ଚିହ୍ନ ରେ ଭୋଟ ଦେଇ ତାଙ୍କୁ ଜିତେଇ ଦେବା ପାଇଁ । ଭୋଟ ବେଳେ ଏମିତି ହେବାଟା ଗୋଟାଏ ସାଧାରଣ କଥା । ହେଲା ଏବେ ଆର ଗାଁ ର କୁଜି ନେତା ଲଡୁକେଶ୍ୱର ସାହୁ ଯିଏ ବଟିଆର ଲେଖା ଯୋଖା ରେ ଭିଣେଇ ହେବେ , ସିଏ ମୁଖ୍ୟ କାରପଟଦାର ମାଠିଆ ଚିହ୍ନ ରେ ଠିଆ ହୋଇଥିବା ବିଶିଷ୍ଟ ନେତା ଶ୍ରୀ ଧୁର୍ଜଟୀ ନାୟକଙ୍କର । କ’ଣ ହୋଇଗଲା ସେଇଠୁ ଯଦି ମକରା ତାଙ୍କ ଦଳରେ ନରହିଲା କି ଧୁର୍ଜଟୀ ନାୟକ ଙ୍କୁ ଭୋଟ ନଦେବା ଲାଗି ଲୋକମାନଙ୍କୁ କହିଲା ତ।


ଆରେ ବାବୁ, ଭୋଟ ପରା ନିଜ ପସନ୍ଦର ଲୋକଙ୍କୁ ଦେବ ,ଯିଏ ସଚ୍ଚୋଟ ଭାବରେ ଦେଶର ସେବା କରୁଥିବ । ଦେଶର ଉନ୍ନତି କରି ପାରିବ, ସେମିତି ଲୋକକୁ ଦେବ ବୋଲି ସରକାରୀ, ବେସରକାରୀ, ସବୁ ସମ୍ବାଦପତ୍ରରେ, ଟିଭିରେ ରେଡିଓ ରେ ବାରମ୍ବାର ଘୋଷଣା ହେଉଛି । ବିକ୍ରମ ଶତ୍ରୁଶଲ୍ୟ ପାଠ ପଢୁଆଲୋକ । ଗାଆଁ ଲୋକମାନଙ୍କ ସୁବିଧା ଅସୁବିଧା ଭଲ ମନ୍ଦରେ ଡାକିଲେ ବି ଆସି ପାଖରେ ଠିଆ ହୁଅନ୍ତି । ଯଥାଶକ୍ତି ସାହାଯ୍ୟ କରନ୍ତି, ଗାଆଁ ରେ ପ୍ରାଇମେରି ସ୍କୁଲ୍ ଟି ହୋଇଛି ତାଙ୍କରି ଚେଷ୍ଟାରେ, ସ୍ତ୍ରୀ ଲୋକ ଆଉ ଝିଅ ମାନଙ୍କୁ ନେଇ ଏସ୍ ଏଚ ଜି କରି ତାଙ୍କୁ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ ସବୁ ଶିକ୍ଷା ଦେବାର ବ୍ୟବସ୍ଥା କରିଛି। ଆମ ଗାଆଁ ର ଉନ୍ନତି ଏଥିରେ ହେଉନି କି? ଯଦି ସେ ଭୋଟ୍ ପାଇ ମନ୍ତ୍ରୀ କି ନେତାଟାଏ ହେବ ଆହୁରି କେତେ କ’ଣ କରିବ ଆମ ଗାଆଁ ପାଇଁ । ଏଇ ଛୋଟ କଥାଟି କ’ଣ ବଟିଆ ମୁଣ୍ଡରେ ପଶୁନି ଯେ ସେ ଏମିତି ଉଲୁକୁମତା ହଉଛି ।


ଧୁର୍ଜଟୀ ନାୟକ ଜଣେ ସବାଖିଆ ନେତା ବୋଲି ଜଗତ ବିଦିତ। ପାଞ୍ଚ ବର୍ଷରେ ଥରେ ସେ ଆସନ୍ତି ଗାଁ କୁ ଏଇ ଭୋଟ ବେଳକୁ । ବାକୀ ଦିନ ତକ ତାଙ୍କ ଛାଇ ପଡେନାଇଁ ଗାଁ ରେ। ଗାଁ ଲୋକଙ୍କ ଭଲରେ ମନ୍ଦରେ ସିଏ ଦିନେ ଠିଆ ହେବାର କେହି ଦେଖି ନାହିଁ, କାହାର କିଛି ଜରୁରୀ କାମ ପଡିଲେ ଏଇ ଲଡୁକେଶ୍ୱର ତା’ଠୁ ଜବରଦସ୍ତି ଟଙ୍କା ପକେଇ ସାଥିରେ ନେଇ ଯାଏ ଭୁବନେଶ୍ଵର, ଯିବା ଆସିବା ଖାଇବାପିଇବା ଖର୍ଚ୍ଚ କରି କରି ବିଚରା ଆର୍ତ୍ତି ଲୋକଟିର ଅବସ୍ଥା ଢିଲା ହୁଏ ସିନା କାମ କିଛି ହୁଏନାହିଁ । ସେଇ ଲଡୁକେଶ୍ୱରର ପେଟ ଆଉ ତା’ର ସମ୍ପତ୍ତି ବଢୁଥାଏ ଯାହା। ଭୋଟ ବେଳ ଆସିଲେ ଖୁବ୍ ବଦଳି ଯାଏ ଲଡୁକେଶ୍ୱର । ଗାଆଁ ଯାକ ଟୋକା ଟାକଳିଆ ମାମଲତକାର ମାନଙ୍କୁ ଟଙ୍କା ପଇସା ଖାଇବା ପିଇବା ଦେଇଗୋଟାପଣେ ନିଜର କରି ରଖିଥାଏ । 


ତା’ରି ଆଦେଶ ରେ ସବୁଯାକ ଗୁଣ୍ଡା ବଦମାସ ଚଳପ୍ରଚଳ ହୁଅନ୍ତି ତା’ରି ହାତରେ ଗାଆଁ ଟା ଯାକ ଭୋଟ୍ ବୋଲି ଧୁର୍ଜଟୀ ନାୟକ ତା’କୁ ଡାହାଣହାତ କରି ରଖିଥାନ୍ତି । ମକରା ଦେହରେ ଏସବୁ ଯାଏନା । ଧୁର୍ଜଟୀ ନାୟକ ମନ୍ତ୍ରୀ ହେଲେ କାହାର କ’ଣ କରିବେ ? ନିଜର ନିଜ ପରିବାର ର ଉନ୍ନତି କରିବା ଛଡା ଆଉ କାହାରି ଉନ୍ନତି କେବେ ଚିନ୍ତା କରି ପାରନ୍ତି ନାହିଁ । ସେଇଥିପାଇଁ ସେ ବଟିଆ କୁ ସବୁବେଳେ ବୁଝାଏ ଏଇ ଗୁଣ୍ଡା ବଦମାସଙ୍କ ସହିତ ମିଳାମିଶା ନକରିବା ଲାଗି। ହେଲେ ସବୁ ଭଲ ଗୁଣ ଥାଇ ବି ବଟିଆ ର ମଦ ପାଇଁ ଟିକିଏ ଅଧିକ ଦୁର୍ବଳତା । ଲଡୁକେଶ୍ୱର ସେଇ ଦୁର୍ବଳତାର ଫାଇଦା ଉଠାଇ ତା’କୁ ନିଜ ଆଡକୁ ଟାଣି ନେଇଛି। ବଟିଆ ତାଆରି କଥାରେ ପଡି ଅବାଟକୁ ଯାଉଛି । ସତ ମିଛ କହି ଲୋକଙ୍କୁ ଡରି ଧମକାଇ କରୁଛି । ଏଗୁଡାକ ଭଲ ଲାଗୁନି ମକରାକୁ । ମକରା ଯେତେ ବୁଝେଇଲେ ବି ସେକଥା ବଟିଆ ବୁଝୁନି। ମକରା ଜାଣେ କାଲି ଭୋଟ ସରିଗଲେ ଲଡୁକେଶ୍ୱର ବଟିଆକୁ କଦଳୀ ଚୋପା ପରି ଫିଙ୍ଗିଦେବ। ଆଉ ପାଖ ପୁରେଇବନି। ହେଲେ ସେତେବେଳକୁ ବଟିଆର ମଦ ପିଇବାଟା ଆଦୃତ ରେ ପଡି ଯାଇଥିବ । ମାଗଣା ଖାଇବା ନିଶାରେ ସେ କାମଚୋର ହୋଇ ଯାଇଥିବ । ସେତେବେଳେ ତା’ର କ’ଣ ହେବ ତା’ ପରିବାରର କ’ଣ ହେବ ସେଇକଥା ଭାବୁଥିଲା ମକରା। ଏବେ ବଟିଆ ମାଗଣା ମାଉଁସ ଭାତ ମାଗଣା ବିଦେଶୀ ମଦ ଲୋଭରେ ପଡିଛି । ଲଡୁକେଶ୍ୱର ର ଚାମଚା ସାଜି ଧୁର୍ଜଟୀ ନାୟକର ଗୁଣମାନ କରି ଲୋକଙ୍କୁ ଭୁଆଁ ବୁଲୋଉଛି ।


ଦିନେ ଗାଁ ବାଲା ବୁଝିବେ ଭଲ କରି ପାନେ ଦେବେ ଲଡୁକେଶ୍ୱର ଆଉ ଧୁର୍ଜଟୀକୁ। ହେଲେ ବଟିଆଟା ମିଛଟାରେ ଖାଲି ତାଙ୍କରି ପାଇଁ ମାଡ ଖାଇବ ନା। ସେଇକଥା ପଦକ କହିଦେଲା ବୋଲି ଗାଆଁ ମଝିଟାରେ ତା’ ସାଙ୍ଗରେ ଭିଡିଗଲା ବଟିଆ । କହିଲା “ ତୁ ମୋର ସୁଖ ଦେଖି ସହିପାରୁନୁ, ସେଇଥିପାଇଁ ଏମିତି ଗାରୁଗାରୁ ହେଉଛୁ, ମୁଁ ଦି’ ପଇସା ଉପୁରି ପାଉଛି, ଭଲ ମନ୍ଦ ଖାଇବାକୁ ପାଉଛି, ଭଲ ଭଲ ଲୋକମାନଙ୍କ ସହିତ ବସାଉଠା କରୁଛି, ସେଇଟା ତୋ ଦିହରେ ଯାଉନି, ତୁ’ ଟା ମୋର କି ସାଙ୍ଗ ବେ? ମୋ ସହିତ ମିଳିମିଶି କାମ କରିବା ଛାଡି ତୁ ଆମ ବିରୋଧୀ ଦଳ ପାଇଁ ପ୍ରଚାର କରୁଛୁ? ଆମ ଭୋଟ ଭାଙ୍ଗୁଛୁ? ଶଃ ବେଇମାନୀ କରୁଛୁ ସାଙ୍ଗ ସାଥୀରେ । ମୁଥ ମାରି ତୋ ଦାନ୍ତ ଭାଙ୍ଗି ଘାଇଲା କରିଦେବି ଯେ ପୁଅ ବୋପାକୁ ମଉସା ଡାକି ଘରେ ପଡିଥିବୁ । ଆଉ ଉଠିବୁ ନା ସେ ବିକ୍ରମ ଶତ୍ରୁଶଲ୍ୟ ପାଇଁ ପ୍ରଚାର କରିବୁ”। ମକରାକୁ ତଳେ ପକେଇ ଦେଇ ଲାତ, ଘୁଷି, ମାରି ମାରି ସତରେ ଘାଇଲା କରି ଦେଇଥିଲା ବଟିଆ, ଦୁଇ ସାଙ୍ଗଙ୍କର ଏମିତି ଯୁଦ୍ଧ ଦେଖି ଗାଁ ବାଲା ହସୁଥିଲେ । ଗାଁ ଦାଣ୍ଡରେ ସେମିତି ରକ୍ତାକ୍ତ ହୋଇ ପଡିଥାଏ ମକରା। ବହୁତ ସମୟ ପରେ ଜଣେ କିଏ ଯାଇ ଖବର ଦେଲା ତାଙ୍କ ଘରେ। ଘର ଲୋକେ ଆସି ତା’କୁ ଘରକୁ ନେଇ ସେବା ଶୁଶ୍ରୁଷା କଲେ। ସେଇଦିନ ଠାରୁ ଆଉ ବଟିଆର ଦେଖା ନାହିଁ । ତା’ଠାରୁ ମାଡ ଖାଇ ମଧ୍ୟ ତା’କୁ ମନେମନେ ଖୋଜୁଛି ମକରା କୁଆଡେ ଗଲା ? କେମିତି ଅଛି ବଟିଆ ବୋଲି ଭାବି ହେଉଛି ଯେତେ ହେଲେ ବି ପିଲାଦିନର ସାଙ୍ଗ ସିଏ । ରାଗଟାଗ ରେ ସାଙ୍ଗ ଉପରକୁ ହାତ ଉଠେଇଦେଇଛି ନିଜେ ଆସି ଭୁଲଟାଏ ମାଗି ଦେଇଥିଲେ କ’ଣ ମକରା ତା’କୁ କ୍ଷମା କରି ଦେଇ ନଥାନ୍ତା? ମକରା ର ମନ ଖାଲି ଛଟପଟ ହେଉଥାଏ ବଟିଆ କୁ ଦେଖିବାକୁ ।


ବଟିଆ ସିନା ମଦ ନିଶା ରେ ଚୁର୍ ହୋଇ ପିଟି ପକେଇଥିଲା ମକରାକୁ, ହେଲେ ନିଶା ଛାଡିଲା ବେଳକୁ ତା’ର କିଛି ମନେ ନଥିଲା । ସକାଳୁ ଉଠି ଯେତେବେଳେ ସେ ବାହାରିଲା ମକରା ପାଖକୁ ସେତେବେଳେ ବୋଉ କହିଥିଲା ରାତିରେ ଘଟିଥିବା ଘଟଣା। କେମିତି ସେ ମକରାକୁ ଗାଆଁ ଲୋକମାନଙ୍କ ସାମନାରେ ମାରିପିଟି, ଲହୁଲୁହାଣ କରି ଫୋପାଡି ଦେଇ ଆସିଥିଲା ଗାଆଁ ଦାଣ୍ଡରେ । ନିଜର କୃତକର୍ମ ପାଇଁ ଅନୁତାପ କରୁଥିଲା ବଟିଆ, ସତରେ କେଡେ ବଡ ଭୁଲ୍ ଟାଏ ନ କଲା ସେ ! ତା’ର ପିଲା ଦିନର ସାଙ୍ଗ, ତା’ର ସୁଖ ଦୁଃଖ ର ସାଥୀ, ତା’ର ଭାଇ ସମାନ ମକରା ଉପରକୁ ସେ ହାତ ଉଠେଇ ପାରିଲା? ପୁଣି କାହା ପାଇଁ? ଏଇ ଲଡୁକେଶ୍ୱର ପାଇଁ? ଯିଏ ଏଇ ମାତ୍ର ତା’ର ଜୀବନ କୁ ଆସିଛି ନିଜର ସ୍ୱାର୍ଥ ହାସଲ କରିବା ପାଇଁ? ତା’କୁ ମଦ ମାଂସ ଖୁଆଇ ତା’କୁ ଗୁଣ୍ଡା, ଅମଣିଷ ସଜେଇ ବୋଲକରା ଚାକର ଭଳି ଖଟାଉଥିବା ସ୍ୱାର୍ଥୀ ଲୋକଟାକୁ ପାଇଁ ତା’ର ହିତୈଷି ବନ୍ଧୁ ଟାକୁ ଦରମରା କରିଦେଲା ସିଏ । ଜଗନ୍ନାଥେ ତା’କୁ ମୋଟେ କ୍ଷମା କରିବେ ନାହିଁ ଏଇ ସାଙ୍ଘାତିକ ଭୁଲ୍ ଟି ପାଇଁ । କ’ଣ କରିବ ସିଏ ? କେମିତି ଯାଇ ମୁହଁ ଦେଖେଇବ ମକରା କୁ? ଗାଆଁ ସାରା ଲୋକ ବସିଥିବା ତା’କୁ ଦେଖି,ସେମାନଙ୍କୁ କ’ଣ କହି ଭୁଲ୍ ମାଗିବ? କେମିତି ପ୍ରାୟଶ୍ଚିତ କରିବ ସିଏ ତା’ ପାପ ର? କିଛି ଚିନ୍ତା କରି ପାରୁନଥିଲା ବଟିଆ, ଅସହ୍ୟ ଦୁଃଖ ରେ ଛାତି ଫାଟି ଯାଉଥିଲା, ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା , କବାଟ କଣକୁ ସେମିତି ଆଉଜି ବସି ରହିଥିଲା । ତିନି ଦିନ ତିନି ରାତି ସେମିତି ଅଖିଆ ଅପିଆ ବସି ବସି କାଟିଦେଲା ବଟିଆ। ଲଜ୍ଜା ରେ ମୁଣ୍ଡ ନଇଁ ଯାଉଥିଲା ତା’ର ନିଜର କୁକର୍ମ ପାଇଁ । ମନ ଛଟପଟ ହେଉଥିଲା ଥରେ ମକରା ପାଖକୁ ଯାଇ ତା’ ସହିତ ଦି’ପଦ ଦୁଃଖ ସୁଖ ହୋଇ ଆସିବା ପାଇଁ, ନିଜର ଅପରାଧ ପାଇଁ ତା’ଠୁ କ୍ଷମା ମାଗି ନିଜର ଆତ୍ମା ଡହକବିକଳ ହେଉଥିଲା ।କିନ୍ତୁ ନିଜ ଅନ୍ତରର ପାପବୋଧ ତା’କୁ ଆଗକୁ ବଢିବାକୁ ଦେଉନଥିଲା ।ଚୁପ୍ ହୋଇ ଶୋଇ ରହିଲା ସେ।


ଦିନ ଯାଇ ରାତି ହେଲା , ଆଉ ନିଜକୁ ଅଟକାଇ ପାରିଲାନି ବଟିଆ । କାନ୍ଧରେ ପକାଇଥିବା କୋତରା ଗାମୁଛା ଖଣ୍ଡିକରେ ମୁଣ୍ଡ ଆଉ ମୁହଁକୁ ଭଲ ଭାବରେ ଗୁଡେଇ ପକେଇ କବାଟ ଖୋଲି ମକରା ଘର ଆଡକୁ ବାହାରି ଗଲା ସିଏ। ଛାପିଛାପିକା ଜହ୍ନ ଆଲୁଅ ପଡିଛି ହାତରେ ଠେଙ୍ଗାଟିଏ ଧରି ଗୋହିରୀ ରାସ୍ତା ରେ ଧୀରେ ଧୀରେ ପାଦ ପକାଉଥାଏ ବଟିଆ । ତିନି ଦିନ ଉପାସିଆ ଶରୀର ରେ ବଳ ପାଉ ନଥାଏ ତଥାପି ଏକା ନହସରେ ଚାଲିଥାଏ। ବାଟରେ ଗାଁ ମଝିରେ ଗାଁର ଭାଗବତ ଘର , ସେଇଠି କିଛି ଖୁସ୍ ଖୁସ୍ ଆବାଜ୍ ସହିତ କିଛି ଟୁପ୍ ଟାପ୍ କଥା ଶୁଣି ଅଟକି ଗଲା ବଟିଆ, ଭାବିଲା ଏତେ ରାତିରେ ଭାଗବତ ଘରେ କିଏ ପଶିଛି, ନିଶ୍ଚୟ ଚୋର ହୋଇଥିବ , ରାଧା କୃଷ୍ଣ ଙ୍କର ପିତ୍ତଳ ମୂର୍ତ୍ତି ଚୋରେଇବାକୁ ଆସିଛି ବୋଧହୁଏ, ଏଇ କଥା ଭାବି ପାଦ ଚିପି ଚିପି ସେଇ ଆଡକୁ ଆଗେଇ ଗଲା ବଟିଆ, ଚୋର କୁ ଠେଙ୍ଗାରେ ଦି ପାହାର ଦେବ ବୋଲି । ଆଉ ଟିକିଏ ଆଗେଇ ଗଲା ପରେ ଶୁଭିଲା କାହାର ଚାପା ହସ , ଆଉ କାହାର ଧୀର କଥା । ଭାଗବତ ଘରର ପଛ ପଟ ଝରକା ଟିକିଏ ଫାଙ୍କ ଅଛି ସେଇଠି ଆଖି ଲଗାଇ ଦେଖିବା ପାଇଁ ଚେଷ୍ଟା କରି ଯାହା ଦେଖିଲା ସେଥିରେ ବଟିଆ ର ପାଦ ତଳୁ ଭୂଇଁ ଖସିଗଲା । ଭାଗବତ ଘର ଭିତରେ ସାମନା ସାମନା ହୋଇ ବସିଛନ୍ତି ଧୁର୍ଜଟୀ ନାୟକ ଆଉ ବିକ୍ରମ ଶତ୍ରୁଶଲ୍ୟ ,ପାଖରେ ଅଛି ଲଡୁକେଶ୍ୱର ଆଉ ବିକ୍ରମ ଶତ୍ରୁଶଲ୍ୟ ର ପାଖ ଲୋକ ବୋଲାଉଥିବା ମହନି ଦାଶ , ଛୋଟ ଲଣ୍ଠନ ଟିଏ ଜଳୁଛି, ମଝିରେ ବିଡାଏ ଟଙ୍କା ଥୁଆହୋଇଥିବାର ଦେଖିଲା ବଟିଆ। ସଭିଙ୍କ ମୁହଁ ରେ ହସ ଲାଖି ରହିଛି । କ’ଣ ସବୁ ଅନୁଚ୍ଚ ସ୍ୱର ରେ କହିଲେ ଧୁର୍ଜଟୀ ନାୟକ, ଖିଁ, ଖିଁ ହସି ଟଙ୍କା ବିଡାକ ଉଠେଇ ପକେଟରେ ପୁରେଇଲେ ବିକ୍ରମ ଶତ୍ରୁଶଲ୍ୟ, ଉଠି ପଡି ଠିଆ ହୋଇ କହିଲେ , “ ଏବେ ମୁଁ ଉଠୁଛି ବଡଭାଇ, ଯେମିତି ଆପଣ କହିବେ ସେମିତି ହିଁ ହେବ, ଆପଣଙ୍କ କଥା କ’ଣ କେବେ ମୁଁ ଭାଙ୍ଗିଛି ନା ଭାଙ୍ଗି ପାରିବି, ଆପଣ ଏମିତି ଆଶୀର୍ବାଦ ର ହାତ ରଖିଥାନ୍ତୁ ମୋ ଉପରେ “। ଏତିକି କହି ଧୁର୍ଜଟୀ ନାୟକଙ୍କର ପାଦ ଛୁଇଁ ମୁଣ୍ଡରେ ହାତ ଲଗେଇଲେ ବିକ୍ରମ ଶତ୍ରୁଶଲ୍ୟ । ମହନି ଦାଶେ ଟର୍ଚ୍ଚ ଆଲୁଅ ପକେଇଲେ ଦୁଆରମୁହଁ ଆଡକୁ ଯେଉଁଠି ସେମାନଙ୍କ ଚପଲ ସବୁ ଥୁଆ ହୋଇଥିଲା । ଝରକା ପଛପଟେ ଠିଆ ହୋଇଥିବା ବଟିଆର ଆପାଦମସ୍ତକ ଥରୁଥିଲା, ରାଗ ରେ କି ଅପମାନରେ ସେ ବୁଝି ପାରୁନଥିଲା କିନ୍ତୁ ଧୁର୍ଜଟୀ ନାୟକ ଆଉ ଲଡୁକେଶ୍ୱର ର ମୁହଁ ରେ ଉକୁଟି ଆସୁଥିବା କୁଟିଳ ହସ ଯେମିତି ଛିଗୁଲେଇ ହୋଇ କହୁଥିଲେ ବଟିଆକୁ “ ଟଙ୍କାର କରାମତି ଦେଖରେ ବଟିଆ , କ୍ଷଣିକ ଛେଳି କୁ ବାଘ ଆଉ ବାଘ କୁ ଛେଳି ବନେଇ ଦେଇ ପାରେ , ପୈସା କ୍ୟା ନକରେ କାମ୍? “।


ବଟିଆର କାନ ମୁଣ୍ଡ କିଏ ଠାଏ କିନା ଚଟକଣୀ ଟାଏ ବସେଇ ଦେଲା ଭଳି ଲାଗୁଥିଲା । ତା’ ଅନ୍ତରାତ୍ମାରୁ ଶବ୍ଦ ଶୁଭୁଥିଲା “ ରେ ପାଷାଣ୍ଡ, ମୁର୍ଖ, ନରାଧମ ! ଏଇ ମାନଙ୍କ ପାଇଁ ତୁ ଦେବ ପ୍ରତିମ ତୋ’ର ବାଲ୍ୟବନ୍ଧୁକୁ ମାଡ ମାରି ଦରମରା କରିଦେଲୁ? ଧିକ୍, ଶତ ଧିକ୍, ତୋ ମଣିଷ ପଣିଆ କୁ, ଯାଆ ଆଞୁଳାଏ ପାଣି ରେ ବୁଡି ମର, ନହେଲେ ମୁହଁ ରେ ଚୂନ କାଳି ବୋଲି ହୋଇ ଯା’ ଭୁଲ୍ ମାଗିବୁ ମକରା କୁ । ଯଦି ସେ ତା’ର ବଡପଣରେ ତତେ ମାଫ୍ କରିଦେଲା ତ ଜାଣିବୁ ତୋର ଭାଗ୍ୟ ଭଲ ନଚେତ୍ ନର୍କ ରେ ପଡିବୁ ତୁ “ ।

ସେ ଦୌଡି ଦୌଡି ଯାଇ ପହଞ୍ଚିଲା ମକରା ର ଘରେ ଆଉ ଭୋ ଭୋ କରି କାନ୍ଦି କାନ୍ଦି ପାଦତଳେ ପଡିଗଲା ତା’ର । ଦୁଇ ବନ୍ଧୁଙ୍କ ଆଖିରୁ ଝରିପଡୁଥିବା ଲୁହରେ ଧାର ସବୁ ମନୋମାଳିନ୍ୟ କୁ ଧୋଇ ନେଇ ଫିଙ୍ଗି ଦେଉଥିଲା ଦୂରକୁ।



Rate this content
Log in