Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଃସର୍ତ୍ତ ପ୍ରେମ
ନିଃସର୍ତ୍ତ ପ୍ରେମ
★★★★★

© SIPRA NAMTA

Tragedy

10 Minutes   396    21


Content Ranking

ଉଦାସୀ ଅପରାହ୍ନର ଅଳସ ଆକାଶଟା ଚିପୁଡି ହୋଇ ଟିପ ଟିପ ଲୁହ ଝରାଉଛି । ସେଇ ପାଣି ଟିକେ ଟିକେ ଛୁଇଁ ଯାଉଛି ଗଛର ବହଳିଆ ପତ୍ର ମଧ୍ୟରେ ,ଝର୍କା ଦେଇ ତା'ର ଆଖି ଲମ୍ବିଯାଇଛି ସେଇ ଆଡକୁ । ।ବର୍ଷଣ ମୁଖର ସନ୍ଧ୍ୟା ଆଗତ ପ୍ରାୟ ।କିଛି ଭଲ ଲାଗୁନି ।ମନ ଟାକୁ ବୁଝାଇ ବୁଝାଇ ଥକିଗଲାଣି ମିହୁଲ । ସମୀର ଏମିତି କରିଵ ବୋଲି ସେ ଆଶା କରି ନ ଥିଲା । ମିକୁ ଯଦି ହଲାଇ ଡାକି ନ ଥାନ୍ତା ପାଣି ଛିଟିକି ବିଛଣା ଓଦା ହେବା କଥା ସେ ଜାଣି ପାରି ନ ଥାନ୍ତା ।

----କାହିଁକି ଏମିତି ହେଉଛୁ ?ଆଉ କିଛି ଭାବିବୁନି ବୋଲି ରାଣ ଦେଇ କହିଥିଲି ପରା ।। କହିଲା ମିକୁ ।

----କିଛି ଭଲ ଲାଗୁନି ....

ଭିଜା ଆଖିର ପଲକରୁ ଝରିଆସିଲା କେଇ ଟୋପା ଲୁହ ।ଆର୍ଦ୍ର ଆଖିକୁ ଦେଖି ମିକୁ ବୁଝିଗଲା ମିହୁଲ ସମୀରର ଭାବନାରେ ହଜିଯାଇଛି । ସାମାନ୍ୟ ଆଖି ଟେକି ମିହୁଲ ଚାହିଁଲା ସେଇ ଝର୍କା ଦେଇ, ସୂର୍ଯ୍ୟଙ୍କର ଦେଖା ନ ଥିଲା ଯଦିଓ ଆକାଶ ଟା ଟିକେ ଫର୍ଚ୍ଚା ଦେଖାଯାଉଥିଲା କିନ୍ତୁ ପାଣି ସେମିତି ଟିପ ଟିପ କରି ପଡୁଥିଲା ।ବର୍ଷାର ବେଗ ହୁଏତ କିଛି ସମୟ ପରେ ବଢିପାରେ କିମ୍ବା କମିପାରେ କିଛି ବୁଝି ପାରୁ ନ ଥିଲା ସେ ।

ବେଶୀ ବେଶୀ ମନେପଡୁଥିଲା ସମୀର ତା'ର ,ଏଇ ପାଗରେ ।କାହିଁକି, କାହିଁକି ,ଏମିତି କଲା ସମୀର ଉଫଃ ଭାରି ବିରକ୍ତ ଓ ଅସନ୍ତୋଷରେ ଫାଟିପଡୁଥିଲା ସେ ।ମିକୁର ହାତ ଧରି ସେ କଇଁ କଇଁ କାନ୍ଦି ପକେଇଲା ।ଆକାଶ ଟା ବାଦଲ ଘେରରେରହିଲେ ,ସେଥିରେ ଜହ୍ନର ବା କି ଦୋଷ ? ସେ ତ କେବେ କାର୍ପଣ୍ୟ ପ୍ରକାଶ କରିନି ଚାନ୍ଦିନୀ ବିତରଣ କରିବାକୁ ।ତେବେ ସମୀର କାହିଁକି ଭୁଲ ବୁଝିଲା ତାକୁ ? ସେ ତ କେବେ ତାକୁ ପ୍ରେମଦାନ କରିବାରୁ ବଞ୍ଚିତ କରିନି ।ତା ନିଜ ଘରେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ଆସିଛି ସେଗୁଡିକୁ ଆଡେଇ ସେ ସମୀରକୁ ପ୍ରସ୍ତାବ ଦେଇ ଥିଲା ।ସମୀର ମଧ୍ୟ

ସେଥିରେ ସହମତି ଦେଇଥିଲା କିନ୍ତୁ ପାରିବାରିକ ସମ୍ପର୍କ ସୃଷ୍ଟି କରିଥିଲା ବ୍ୟବଧାନ ।ମିହୁଲ ସମୀରର ଭାଉଜଙ୍କ ନଣନ୍ଦ ।

ସମୀରର ପାଠ ପଢିବା ନ ସରିଥିଲେ ମଧ୍ୟ ମିହୁଲ ଦେଇଥିଲା ପ୍ରସ୍ତାବ ,ସେ ଟ୍ୟୁସନ କରି ଘରର ଓ କଂପିଟିଟିଭି ପରୀକ୍ଷା ପାଇଁ ଯାହା ଖର୍ଚ୍ଚ ଦରକାର ସେସବୁ ସେ ତୁଲାଇବ ।

ଚିହିଁକି ଉଠିଥିଲା ସମୀର ----"କଣ କହିଲ ........ତୁମେ ପୁଣି ପୋଷିବ ମୋତେ ,ହା.... ହା ।ବହୁତ କଥା କହି ଶିଖିଛ

ଦେଖୁଛି ।"

ପୌରୁଷତ୍ୟର ଖୁବ୍ଅହଂକାର ଦେଖାଇଥିଲା ସମୀର ।

ଗଭୀର ଆଶ୍ୱାସନାରେ ପୋତି ଦେଇ ସମୀର ନିଜ ରାଜ୍ୟ ଛାଡି ,ଦେଶ ଛାଡି ବାହାରକୁ ଚାଲିଯାଇଥିଲା ଚାକିରୀ ଉଦ୍ଦେଶ୍ୟରେ , ଆଉ ଛାଡିଯାଇଥିଲା ମିହୁଲକୁ ଜଳିବାକୁ ଗଭୀର ଅନ୍ତର୍ଦହନରେ । ଫେରିଗଲା ଅତୀତର କେଇ ପୃଷ୍ଠା ପଛକୁ ........

-------

ସ୍ୱଳ୍ପ ମଧ୍ୟବିତ୍ତ ପରିବାରର ଦୁଃଖ କଷ୍ଟ ଭିତରେ ବଢିଥିବା ବାପାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ମାଆ ବି ଅଧିକାଂଶ ସମୟରେ ବିଛଣାରେ ପଡି ପଡି ଜ୍ଵରାକ୍ରାନ୍ତ ହେଉଥାନ୍ତି ।

ମିହୁଲର ବାପା ତା ମାଆଙ୍କୁ ତାଙ୍କ ପରିବାରର ଇଛା ବିରୁଦ୍ଧରେ ବିବାହ କରିଥିବାରୁ ସେ ପର୍ଯ୍ୟନ୍ତ ତା ମାଆଙ୍କୁ ଶ୍ୱଶୁର ଘରେ କେହି ଗ୍ରହଣ କରି ନ ଥିଲେ ।କୁଳୀନ ବ୍ରାହ୍ମଣ ପରିବାରରେ ବାପା ଜନ୍ମ ହୋଇ ନିମ୍ନ ଜାତିରେ ବିବାହ କରିଥିବାରୁ ସେ କଥା ସହଜରେ କେହି ଗ୍ରହଣ କରି ପାରି ନ ଥିଲେ ।ତେଣୁ ବାପାଙ୍କ ମୃତ୍ୟୁରେ ମାଆଙ୍କୁ ନେଇ ମିହୁଲର ସେ ଘରକୁ ଯିବାର କୌଣସି ରାସ୍ତା ନ ଥିଲେ ବି ସେ ସାହସ କରି ଥରେ ଯାଇଥିଲା ।କିନ୍ତୁ ସେତେବେଳେ ଯୋଉ ଠିକଣା ଟି ସେ ବାପାଙ୍କ ପାଖରୁ ପାଇଥିଲା ସେଠାରେ କେହି ନ ଥିଲେ ।

ବାପାଙ୍କୁ ସବୁ ସମ୍ପତ୍ତିରୁ ବଞ୍ଚିତ କରି ତାଙ୍କ ବଡ ଭାଇ ସେଠାକାର ଜମି ବାଡି ବିକ୍ରୀ କରି ଅନ୍ୟତ୍ର ସ୍ଥାନିତ ହୋଇଯାଇଛନ୍ତି ବୋଲି ଜାଣିବାକୁ ପାଇଥିଲା ସେ ।ତେବେ ଗୋଟେ ଆଶ୍ଚର୍ଯ୍ୟ ଘଟଣା ଟିଏ ଘଟିଥିଲା ବୋଲି ସେ ଆସି ମାଆଙ୍କୁ କହିଥିଲା ।ବାପାଙ୍କ ବଡଭାଇ ଯାହାଙ୍କୁ ସେ ଜାଗା ବିକ୍ରୀ କରିଥିଲେ ସେ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ ଏବଂ ଖୁବ୍ ସ୍ନେହୀ ମଧ୍ୟ । ସେ ତାକୁ ଏକ ବନ୍ଦ ଲଫାଫା ଟିଏ ଦେଇ କହିଥିଲେ " ଝିଅ ଏଇଟା ତମ ବୁଢାବାପା ମୋତେ ଲୁଚାଇ ଦେଇଥିଲେ ।ବହୁତ ମନ ଦୁଃଖ କରୁ ଥିଲେ, ତମ ମାନଙ୍କ ପାଇଁ ।ସେଥିପାଇଁ କହିଥିଲେ ,କେହି ଯଦି କେବେ ଆସି ତାଙ୍କୁ ଖୋଜେ ତେବେ ଏଇ ଲଫାଫା ଟି ଦେବ ।ଅନେକ ବର୍ଷ ହେବ ମୁଁ ୟାକୁ ସାଇତିରଖିଥିଲି ।ଆଉ ଆଶା ବି କରୁ ନ ଥିଲି ଯେ କେହି ଆସିବେ ବୋଲି ।କିନ୍ତୁ ତମ ବୁଢା ବାପାଙ୍କ ବିଶ୍ୱାସ ଦେଖି ଏବେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।ଦୀର୍ଘ ଦୀର୍ଘ ବର୍ଷ ଧରି ମୁଁ ଏକ ଅଶ୍ୱସ୍ତିରେ କାଳ କାଟୁଥିଲି ,ଯୁବକରୁ ବୃଦ୍ଧହୋଇଗଲି।କିନ୍ତୁ ଏବେ ମୁଁ ନିଶ୍ଚିତ ଓ ଶାନ୍ତିରେ ନିଃଶ୍ୱାସ ମାରିପାରିବି " ।

ମିହୁଲ ସେ ଲଫାଫା ଟିକୁ ଦେଖିଥିଲା କିନ୍ତୁ ଜାଣିବାକୁ ଚେଷ୍ଟା କରି ନ ଥିଲା ତା ଭିତରେ କଣ ଅଛି ବୋଲି ।କେବଳ ମାଆକୁ ଆଣି ଧରେଇ ଦେଇଥିଲା ।ମାଆ ବି ସେମିତି ସେଇଟିକୁରଖି ଦେଉଥିଲା ବେଳେ କଣ ମନ ହେଲା କେଜାଣି ବାପାଙ୍କ ଫୋଟ ଆଡକୁ ଚାହିଁ ଖୋଲିଥିଲେ ସେଇଟିକୁ ।ସେଥିରେ ଥିଲା ଏକ ତୋଟା ବାଡିର ଦଲିଲ ଯେଉଁଥିରେ କିଣିବା ଲୋକ ଥିଲେ ତା ବାପା ଶିଵ ନାରାୟଣ ମିଶ୍ର ।ଆଶ୍ଚର୍ଯ୍ୟରେ ଆଖି ବଡ ବଡ ହୋଇଯାଇଥିଲା ତା ମାଆଙ୍କର । ଗୋଟେ ଛୋଟ କାଗଜ଼ , ଖୁବ୍ ମଇଳା ମଇଳା କାଗଜ଼ରେ କେଇପଦ....ବାପାଙ୍କୁ ଉଦ୍ଦେଶ୍ୟ କରି ଲେଖା ହୋଇଥିଲା ,

"ବାବୁ...ରେ

ଖୁବ୍ ଅନୁତାପରେ ମୁଁ ଅଛି ,କିନ୍ତୁ ଏବେ ଆଉ କିଛି କରିବାର ନାହିଁ ।ବୋହୂ ଆଉ ପିଲାମାନଙ୍କ ସହକୁଶଳରେ ଥା ।ତୋ ଭାଇ ସବୁ ଜାଗା ବିକ୍ରୀ କରିଦେବ କହୁଛି, ମୁଁ ବି କିଛି କରିପାରିବିନି ।ସେଥିପାଇଁ ତୋ ନାଁରେ କିଛି ବାଡି ଜାଗା କିଣି ଦେଇଛି ,ଭବିଷ୍ୟତରେ କାମରେ ଲାଗିବ ।ତୋ ସହ ଏ ଜନ୍ମରେ ହୁଏ ତ ଦେଖା ହୋଇ ପାରିବନି ।"

ଇତି ତୋର ବାପା

ନୀଳକଣ୍ଠ ମିଶ୍ର ।

ମାଆ ସେତକକୁ ଧରି ବୋହେ କାନ୍ଦିଥିଲେ ଆଉ ବାପାଙ୍କ ଫୋଟ ସମ୍ମୁଖରେ ଠିଆ ହୋଇ ଅଶ୍ରୁ ତର୍ପଣ କରି କହୁଥିବାର ସେ ଶୁଣୁଥିଲା ..."ଏଇ ଦେଖୁଛ ,ବାପା ଆମକୁ ସ୍ଵୀକାର କରିସାରିଛନ୍ତି ।ମିହୁଲ ଆମର ଖାଲି ଝିଅ ନୁହେଁ ସେ ବି ଆମର ପୁଅ ଭଳି କାମ କରି ପାରିଛି ।ଏବେ ଆଉ ମୋର ଦୁଃଖ ନାହିଁ ।

ଏଥର ଶାନ୍ତିରେ ମରିପାରିବି । "

କିନ୍ତୁ ସେଇ ଦିନ ଠାରୁ ମାଆର ଦେହ ଭଲରହିଲାନି ।ସବୁବେଳେ ମିହୁଲର ବିବାହ ପାଇଁ ଚିନ୍ତିତରହୁଥିବା ମାଆ ଶେଷରେ ମିହୁଲକୁ ବାଧ୍ୟ କଲେ ବିବାହରେ ରାଜି ହେବାକୁ ।

---"ମା ଲୋ ,ତୁ ଯେତିକି ଝିଅ ସେତିକି ବି ପୁଅ ବୋଲି ମୁଁ ଭାବେ ।ମୋତେ ଅନ୍ୟ ପ୍ରକାରେ ଭାବିବୁ ନାହିଁ ।ମୁଁ ତୋ ଇଛା ବିରୁଦ୍ଧରେ ଯା ବୋଲି କହୁନାହିଁ କିନ୍ତୁ ତୋ ବାହାଘର ଟା ନ ହେବା ପର୍ଯ୍ୟନ୍ତ ମୋତେ ସବୁବେଳେ ଦୁଃଶ୍ଚିନ୍ତା ମାଡି ଆସୁଛି ।ତୁ ବାହା ହେବାକୁ ରାଜି ହୋଇ ଯା । "

ଦୁଃଖର ଘନ କଳା ବାଦଲ ମାଡି ଆସିଥିଲା ମିହୁଲର ଜୀବନରେ ।କି ପ୍ରକାର ନିଷ୍ପତ୍ତି ନେବ ...ଅସହାୟ ଲାଗୁଥିଲା ।ସମୀର ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଥାଏ ତା'ର ।ଏପଟେ ମାଆର ସ୍ୱାସ୍ଥ୍ୟ ।ମାଆ ବି କୌଣସି ଜୋର ଜବରଦସ୍ତ କରି ନାହାନ୍ତି ।ମିହୁଲ ତା ପସନ୍ଦର ପାତ୍ରକୁ ବାହା ହେଉ ସେତିକି ଯାହା ସେ ଚାହୁଁଛନ୍ତି ।ଏଥିରେ ମାଆର ବା ଦୋଷ କଣ ?

ସେ ତ ସମୀର କଥା ଜଣାଇ ଦେଇଥିଲା ।କିନ୍ତୁ ଏବେ କଣ କରିବ କିଛି ଭାବି ପାରୁ ନ ଥାଏ ।ଏହା ମଧ୍ୟରେ ବିଭିନ୍ନ ଜାଗାରେ ଚାକିରୀ ପାଇଁ ଆବେଦନ କରୁଥିବା ଅବସ୍ଥାରେ କୋର୍ଟରେ ଷ୍ଟେନୋ ଚାକିରୀ ଟିଏ ମିଳିଗଲା ମିହୁଲକୁ ।ସେଥିରେ ଆତ୍ମତୃପ୍ତି ମିଳୁ ନ ଥିଲେ ମଧ୍ୟ ଅନ୍ୟ ଉପାୟ ନ ଥିଲା ତା'ର ।ମାଆକୁ ଶାନ୍ତିରେରଖିବା ପାଇଁ ଅନେକ ପ୍ରଯତ୍ନ ତା'ର ବ୍ୟର୍ଥ ହେବାକୁ ବସିଥାଏ ।ମାଆର ଫୁସଫୁସରେ କ୍ୟାନସର ତା'ର ଜାଲ ବିସ୍ତାର କରିସାରିଥାଏ ।ଏଣେ ଡାକ୍ତରଙ୍କ ଅନୁସାରେ ମାଆର ସମୟ ଦିନକୁ ଦିନ କମିବାରେ ଲାଗି ଥାଏ ।ମାଆ ଭୀଷଣ ଆଶା ଆଶଙ୍କା ଦିନ କାଟୁଥିବା ବେଳେ ମିହୁଲ ଉପରେ ମଧ୍ୟ ଚାପରହୁଥିଲା ।ମାଆର କୋହ ଭରା ସ୍ୱର "ମୁଁ କଣ ତୋତେ ସେଇ ବେଶରେ ଦେଖିପାରିବି ନାହିଁ "।

ଭୀଷଣ ଅଶ୍ୱସ୍ତିରେରହୁଥିବା ବେଳେ ମିହୁଲ ସହିତ ଦେଖା ହେଲା ବିକାଶର ।ବିକାଶ ଏକ ସ୍ବେଛାସେବୀ ଅନୁଷ୍ଠାନ ସହିତ ଜଡିତ ,ଯୋଉଠି ନାରୀ ମାନଙ୍କର ସୁବିଧା, ସୁରକ୍ଷା ,ସେମାନଙ୍କର ଅଧିକାର ଇତ୍ୟାଦିକୁ ନେଇ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ପ୍ରଚାର ,ପ୍ରସାର ଓ ବିଭିନ୍ନ କର୍ମଶାଳା ସଂଯୋଜନା କରାଯାଏ ।ସେ ସେଥିରେ ଏକ ସଂଯୋଜକ ରୂପେ କାର୍ଯ୍ୟ କରେ ।ବିକାଶ ସହିତ ସେ ସେଇ ସନ୍ଦର୍ଭରେ ମାଆଙ୍କ ରୋଗକୁ ନେଇ ଆଲୋଚନା କରିବାକୁ ଚାହିଁଥିଲା ।କାଳେ ଯଦି ଅନୁଷ୍ଠାନ ମାଧ୍ୟମରେ ଭଲ ଡାକ୍ତର ଓ ଚିକିତ୍ସାର ସୁବିଧା ମିଳିପାରେ ।

ସେସବୁ ସୁବିଧା ସଂସ୍ଥା ମାଧ୍ୟମରେ ନ ହେଉ ପଛକେ ବିକାଶ କିନ୍ତୁ ବ୍ୟକ୍ତିଗତ ଭାବେ ମିହୁଲର ମାଆ ସୁରମା ଦେବୀଙ୍କ ଯତ୍ନ

ନେବାପାଇଁ ଇଛା କରିଥିଲା ।ସେତେବେଳେ ମାଆର କଥା ହିଁ କେବଳ ଚିନ୍ତା କରିଥିଲା ମିହୁଲ । ବ୍ୟକ୍ତି ଚରିତ୍ରକୁ ବୁଝିବାର ଯେତିକି ଦକ୍ଷତା ହାସଲ କରିଥିଲା ସେଇ ଆଧାରରେ ବିକାଶକୁ ଅନୁରୋଧ କରିଥିଲା କଣ୍ଟ୍ରାକଚୁଆଲ ମ୍ୟାରେଜ ପାଇଁ ।ତା'ର

ସବୁ ଅସୁବିଧାକୁ ଦର୍ଶାଇ ଥିଲା ସେ ,ବିକାଶକୁ ।ସତେ ଯେମିତି ସେ ଏକ ଦେବଦୂତ ସାଜି ଆସିଛି ତାକୁ ଏ ଦୁର୍ଗତିରୁ ଉଦ୍ଧାର କରିବା ପାଇଁ ।

ବିଶ୍ୱାସ ....ତା'ର ପରିଭାଷା କଣ ? ଏକ ଅସହାୟ ହୃଦୟର କିଛି ଆଶାକୁ ଯିଏ ପୂରଣ କରିବାର ମାଧ୍ୟମ ହୋଇ ଆସେ ! ମନର ଏକ ସୁସୁପ୍ତ ଚେତନାରେ ଯାହା ଆସେ ନା ଆଉ କିଛି ....।ଏତେ ଭିତରକୁ ଯିବାକୁ ଚାହୁଁ ନ ଥିଲା ମିହୁଲ ।ସେ ଖାଲି ଏତିକି ଜାଣିଥିଲା ଯେ ସେ ଯାହା କରୁଥିଲା ମନର ଆବେଗରେ ।ବିକାଶକୁ ବିଶ୍ୱାସ କରିବାକୁ ତା ମନ କହୁଥିଲା ଆଉ ଶେଷରେ ସେ ତାକୁ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ରାଜି ହୋଇଗଲା ।ଦିନକୁ ଦିନ ଅସହାୟତାର ସମୟ ଗୁଡିକ ବୃଦ୍ଧି ପାଉଥିଲା ।ବିକାଶର ସାହାଯ୍ୟ ସହାନୁଭୂତି ମଧ୍ୟ ବଢ଼ୁଥିଲା ।କାଣିଚାଏ ସ୍ୱାର୍ଥପରତା ଅନୁଭବ କରି ପାରୁ ନ ଥିଲା ସେ ।

ସେଦିନ ସେ ମାଆକୁ ଦେଖିସାରି ଅଫିସ ଆଡକୁ ମୁହାଉଁଛି ହଠାତ ନଜର ପଡିଗଲା ବଡ କାର ଭିତରେ ସମୀର ପରି କେହି ଜଣେ ବସିଥିବାର ।ଚମକି ପଡିଲା ସେ ଆରେ ...ଏ ତ ସମୀର.... ହଠାତ ଫୋନରେ କାହାକୁ ଗୋଟେ ଛୁଟି ଦରଖାସ୍ତ ଦେବାକୁ କହି ସେ କାରକୁ ଅନୁସରଣ କଲା ।ଗୋଟେ ବିରାଟ ଅଟ୍ଟାଳିକା ଭିତରକୁ ଗାଡି ଚାଲିଗଲା ।ମିହୁଲ ବାହାର ଗେଟର ନାମ ଫଳକ ଦେଖିଲା ',ରାଗିଣୀ ସମୀର ସିଂହ ଭଞ୍ଜ ' ।ବାପରେ ଏତେ ବଡ ନାଁ ....।ୟେ କଣ ମୋ ସମୀର ନା ଆଉ କେହି ? ପତ୍ତା ଲଗେଇବାକୁ ହେବ ।କଲିଂ ବେଲରେ ହାତ ଦେଲା ମିହୁଲ ।ବାହାରି ଆସିଲେ ବେଶ ସମ୍ଭ୍ରାନ୍ତ ଦିଶୁଥିବା ଯୁବକ ।ସେ ଯେ ସମୀର ଏଥିରେ ସନ୍ଦେହ ନ ଥିଲା

ମିହୁଲର । କିନ୍ତୁ ସେ ତାକୁ ସମ୍ବୋଧନ କରିବାକୁ ଯାଉଛି ,ପଛରୁ କୋମଳ କିନ୍ତୁ ଗମ୍ଭୀର ନାରୀ କଣ୍ଠ ସ୍ୱର ଭାସିଆସିଲା ,"କଣ ହୋଇଛି ଡିୟର "।ସେତକ ସେ କିନ୍ତୁ ଇଂରାଜୀରେ କହି ଥିଲେ । ଆଖି ଚୋରାଇ ସମୀର ବୋଲି କହୁଥିବା ଯୁବକ ଜଣକ ",କେହି ଜଣେ ଭଦ୍ର ମହିଳା ଜଣକୁ ଖୋଜୁଛନ୍ତି ।"।ମିହୁଲ ସନ୍ଦେହରେ ଫେରିଆସିବାକୁ ବାଧ୍ୟ ହେଲା ସତ କିନ୍ତୁ ସମୀରର ଏ ଅଚିହ୍ନା ପଣକୁ ସେ ବୁଝିପାରିଲା ନାହିଁ ।ଦିନ ଦିନ ଧରି ଲଗାତାର କିଛି ଦିନ ସେ ସମୀରର ମହଲ ଚାରିପଟେ ଚକ୍କର କାଟିଲା,, କିନ୍ତୁ କେବଳ ବିଦେଶୀ ଦମ୍ପତ୍ତି ଏଇ କିଛି ଦିନ ହେବ ଆସି ଏଠାରେରହିଛନ୍ତି ,,ବ୍ୟତୀତ ଆଉ କିଛି ବିବରଣୀ ପାଇଲା ନାହିଁ ।

ଗୋଟେ ସପ୍ତାହ ପରେ ହଠାତ ସମୀରର ଉପସ୍ଥିତି ଚମକାଇ ଦେଲା ମିହୁଲକୁ ତା ଅଫିସ ପ୍ରକୋଷ୍ଠରେ ।

"ତୁମର ସାହସ ହେଲା କେମିତି ? ସେ ଘରକୁ ଯିବାକୁ ? ଜାଣିଛ, ତୁମ ପରି ଝିଅ ମାନେ ତା ପାଦ ଧୂଳିକୁ ସରି ହେବେନି । ମୁଁ ଆସିବା ପରେ ପରେ ତୁମର ସବୁ ଖବର ନେଇ ଜାଣିଲି ତୁମେ ଏକ ଚରିତ୍ରହୀନା ନାରୀ ।ସେଇଥିପାଇଁ ତ ତାକୁ ଆସିବାକୁ କହିଲି ।ଆଉ କେବେ ମୋ ସହ ସମ୍ପର୍କ ଯୋଡିବାକୁ ପ୍ରୟାସ କରିବନି ।ନୋଚେତ ମୋତେ ସମ୍ପୂର୍ଣ୍ଣ ଏକୁଟିଆ କରିଦେଇ ସେ ଚାଲିଯିବ ।" ଯେମିତି ଧପ ଧାପ ଆସିଥିଲା ସେମିତି ଜୋତା ମଚ ମଚ କରି ଚାଲିଗଲା ସମୀର ।

ଆଖିରୁ ଠପ ଠପ ଲୁହ ଖସି ଆସୁଥିଲା ମିହୁଲର ।ସମୀର ତା ବିଷୟରେ ଏତେ ଭୁଲ ବୁଝାମଣାରଖିଛି ଭାବି ପାରୁ ନ ଥାଏ ମିହୁଲ ।ମାଆର ଜିଦ ବଢି ବଢି ଚାଲିଛି ,ଶୀଘ୍ର ବାହାଘର କାମ ସାରିଦେବାକୁ ।ଅନନ୍ୟୋପାୟ ହୋଇ ବିକାଶକୁ ନେଇଯାଏ ମାଆ ପାଖକୁ ।ହସ୍ପିଟାଲ ବେଡରେ ଶୋଇ ଶୋଇ ଆଶୀର୍ବାଦ ଦେଉଥିଲେ ସୁରମା ବିକାଶ ଓ ମିହୁଲକୁ ପରମ ତୃପ୍ତିରେ । ତାଙ୍କର ଏ ତୃପ୍ତି ଏତେ ଚରମ ସୁଖଦାୟୀ ଥିଲା ଯେ କେଇ ଘଣ୍ଟା ମଧ୍ୟରେ ନଶ୍ୱର ଶରୀର ଟିକୁ ଛାଡିଦେଇ ସ୍ୱାମୀଙ୍କ ପାଖକୁ ଯିବା ପାଇଁ ସେ ତତ୍ପର ହୋଇ ଉଠିଲେ । ମିହୁଲ ମଥାରେ ବଜ୍ର ପଡିଲା । ମାଆ ପାଇଁ ଏତେ ଛଳନା ,ଏତେ ବାହାନା ନୋଚେତ ବିକାଶକୁ ବନ୍ଧୁ ବ୍ୟତୀତ ଆଉ କିଛି ଦୃଷ୍ଟିରେ ସେ ଦେଖି ପାରୁନାହିଁ । କିନ୍ତୁ ବିକାଶ ଯେମିତି ଅନ୍ୟ ଉପାଦାନରେ ଗଢ଼ା ।ସେ ମିହୁଲ ସାମ୍ନାରେ ହିଁ କଣ୍ଟ୍ରାକ୍ଟ ପେପରକୁ ଚିରିଦେଇ ଚିରଦିନ ବନ୍ଧୁତ୍ୱର ବନ୍ଧନରେରହିବାର ପ୍ରତିଶୃତି ଦେଲା ଯେମିତି । ବୁଢ଼ାବାପା ଠାରୁ ପାଇଥିବା ତୋଟା ବାଡିକୁ ଜବରଦଖଲ ଉଚ୍ଛେଦ କରି ଖୋଲିଲା "ଶିବନାରାୟଣ ସେବା ଟ୍ରଷ୍ଟ "।ପରିଚାଳନାର ଦାୟିତ୍ୱ ବିକାଶର ।ଅନେକ ବେସାହାରା ଝିଅ ପିଲାଙ୍କୁ ସାହାରା ଦେଇଛି ଏହି ଟ୍ରଷ୍ଟ ।ଭଡା ଘର ଛାଡ଼ି ଏଇଠୁ ଅଫିସ ଯିବା ଆସିବା କରେ ସେ । ଦୁଇଦିନ ତଳେ ପିଲାଙ୍କର ଫଁକ୍ସନ ଥିଲା ।ତେଣୁ ଖୁସିର ମୁହୂର୍ତ୍ତ ଟିକୁ ହାତ ଛଡା କରିବାକୁ ଚାହୁଁ ନ ଥିଲା ସେ ।ଟ୍ରଷ୍ଟ ସାମ୍ନାରେ ବିରାଟ କାର । କେହି ଆସିଥିବେ କିଛି ଡୋନେଟ କରିବାକୁ ।ଅଫିସ ଭିତରେ କାହାକୁ ଦେଖୁଛି ସେ ।ଏ ତ ସମୀର ....।ମୁହଁ ଲୁଚାଇଲା ମିହୁଲ ।ବିକାଶ ଡାକୁଛି ଯିବାକୁ ସେଠିକୁ ।ହୃଦୟ ଟା ଚହଲି ଯାଉଛି ।ପ୍ରାଣ ଟା ହା ହା କାର କରି ଉଠୁଛି ,ମନ ଟା ଯେମିତି ଝାଉଁଳି ପଡୁଛି ।ଦ୍ୱାର ସେପଟେ ଥାଇ ସେ ଯେ ଅସୁସ୍ଥ ଅନୁଭବ କରୁଛି ,ସୂଚନା ଦେଇ ଏକମୁହାଁ ହୋଇ ନିଜରୁମକୁ ପଶିଗଲା ।ଆଖି ଯେ ଢଳ ଢଳ ଜଳରେ ପୂର୍ଣ୍ଣ ହେଲାଣି ସେ କଥା ସେ ବୁଝିପାରୁ ଥିଲା ।ତା ପରେ ଦୁଇଦିନ ପର୍ଯ୍ୟନ୍ତ ଅଫିସ ଯାଇ ପାରି ନ ଥିଲା ସେ ।

-------

ମିକୁର ଡାକରେ ସମ୍ବିତ ଫେରିପାଇଲା ମିହୁଲ ।ଅପା ତମକୁ କିଏ ଜଣେ ଖୋଜୁଛନ୍ତି ।

ଆଶ୍ଚର୍ଯ୍ୟରେ ଆଖି ବଡ ବଡ ହୋଇଗଲା ତା'ର ।ଏ ଅସମୟରେ କିଏ ଖୋଜୁଛି ?କିଏ ହୋଇପାରେ ତା'ଭଳି ଏକ ଅଲୋଡା ପ୍ରାଣୀକୁ ଦରକାର କରୁଛି ।ପ୍ରାୟ ବିକାଶ ହିଁ ସବୁ କିଛି ହ୍ୟାଣ୍ଡେଲ କରେ ।ଝର୍କା ଦେଇ ଆଖି ପହଁରାଇଲା ସେ ।ଆକାଶରେ ମେଘ କଟି ଯାଇଛି ଧୀରେ ଧୀରେ ।ଅନ୍ଧାରର ପରସ୍ତ ଲେସି ହେବାକୁ ବସୁଛି , ଦୂର ଦିଗବଳୟ ତଳେ ନିଃସଙ୍ଗ ନକ୍ଷତ୍ର ଟି ବେଳେ ଲୁଚିଯାଉଛି ପୁଣି ବେଳେ ମୁହଁ ଟେକୁଛି ।

----ମି ..ହୁ..ଲ

ଆଃ କାହାର ଏ ସ୍ୱର ,ସତରେ ମନ ପକ୍ଷୀ ଚିଂ ଚିଂ କରି ଉଠିଲା ।

-----ପ୍ଲିଜ଼ ମିହୁଲ ଥରୁଟିଏ ଖାଲି ଥରୁଟିଏ ମୋ କଥା ଶୁଣ ।

ବେକ ଭାଙ୍ଗି ଚାହିଁଲା ମିହୁଲ ....ତା ସାମ୍ନାରେ ସମୀର ଠିଆ ହୋଇଛି ।ଠିକ୍ ଏକ ପରାସ୍ତ ସୈନିକ ପରି ।

ମନ କହୁଥିଲା ସମୀର ଛାତିରେ ଲୋଟିପଡ଼ନ୍ତା କି ....ହିସାବ ମାଗି ବସନ୍ତା ବିଗତ ଦିନର ଅନ୍ତରଦାହର ।ସମୟର ଇତିହାସରେ ବିତିଯାଇଥିବା ମୂହୁର୍ତ୍ତର ଦୁଃଖର ।କିନ୍ତୁ କିଛି କହିବା ପୂର୍ବରୁ ଗୁଞ୍ଜରି ଉଠିଲା କାନରେ , "ଚରିତ୍ରହୀନା...ସେ ଚରିତ୍ର ହୀନା "। ନା ସେ କିଛି ଶୁଣିଵ ନି ।କିଏ ,କାହା କଥା କହିବାକୁ ଯାଉଛି ସେ କିଛି ଶୁଣିବନି ...।କଣ କହୁଛି ସମୀର ,ସେ ଅନୁତାପରେ ଜଳୁଛି ....ଜଳୁ ନା ...ବେଶ ତ କିଛି ଗୋଟେ ହୋଇଛି ତେବେ । କ୍ଷମା ,ପଶ୍ଚାତାପ ,ଏସବୁର କିଛି ମୂଲ୍ୟନାହିଁ ଏବେ ।

-----କିନ୍ତୁ ମୁଁ ତୁମର ସେ ଚାରିତ୍ରହୀନା ଉକ୍ତି ଟିକୁମନ ଭିତରୁ କାଢି ବାହାରକୁ ଫିଙ୍ଗିପାରୁନି ।ମୁଁ ତୁମର ସେ ମହାନ ଲେଡିର ପାଦ ତଳର ଧୂଳି ସହ ସମାନ ନୁହେଁ ।ପ୍ଲିଜ଼ ତମେ ଏଥର ଯାଇପାର ...ମୁଁ ଯୋଉ ସମୀରକୁ ଜାଣିଥିଲି ସେ ତୁମେ ନୁହଁ ।

ପ୍ଲିଜ଼ ...ପ୍ଲିଜ଼ ଯାଅ ।ଆଖିରେ ହାତ ଚାପି କହିଲା ପରେ ବେଶ କେଇପଦ କଥା କହିଦେଇଥିଲା ସେ --- ତୁମରି ପାଇଁ ଖାସ ତୁମରି ପାଇଁ ମୁଁ ଏ ଦୁନିଆରେ ଆଉ କାହାକୁ ଭଲପାଇ ପାରିଲିନି ।ତୁମେ ...ତୁମେ ହିଁ ମୋତେ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଇଛ ।ମୁଁ ଆଉ ସହିପାରୁନି ...ସହି ପାରୁନି .....।

କଥା କହୁଥିବା ଅବସ୍ଥାରେ କାହାର ବଳିଷ୍ଠ ବାହୁ ବନ୍ଧନରେ ନିଜକୁ ଆବିଷ୍କାର କରୁଥିଲା ମିହୁଲ ।

----ମୁଁ କିନ୍ତୁ ତୁମକୁ ପ୍ରାଣ ଦେଇ ଭଲପାଉଥିବି ମିହୁଲ

ତୁମେ ପାଅ କି ନ ପାଅ ମୋର କୌଣସି ସର୍ତ୍ତ ନାହିଁ ସେଥିରେ ।

ସମ୍ପୂର୍ଣ୍ଣ ନିଃସର୍ତ୍ତ ...। ସେ ଥିଲା ବିକାଶ ।ବିକାଶର କଥାରେ

ମିହୁଲ ତା'ର ଲୁହ ଭିଜା ମୁହଁକୁ ବିକାଶଛାତିରେ ଗୁଞ୍ଜି ଦେଇ ଥର ଥର କଣ୍ଠରେ କହୁ ଥିଲା --"ତୁମେ ମୋତେ ଛାଡି ଚାଲି ଯିବନି ତ ...?

ଝର୍କା ଦେଇ ଦିଶୁଥିଲା ସେଇ ନିଃସଙ୍ଗ ନକ୍ଷତ୍ର ପାଖରେ ଆଉ ଏକ ନକ୍ଷତ୍ର ଆଖି ମିଟିକା ମାରୁଥିଲା ।

--------- -------- -----------

ସିପ୍ରା ନାମତା ,ନମ୍ରତା

8249850168

ବାରିପଦା

ମିହୁଲ ବାପା ବିକାଶ

Rate the content


Originality
Flow
Language
Cover design

Comments

Post

Some text some message..