Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦାବି
ଦାବି
★★★★★

© Amiya Bej

Inspirational Drama

3 Minutes   7.1K    13


Content Ranking

{୧}

ସବୁକାମ ପ୍ରାୟ ଭଲରେ ଭଲରେ ସରିଯିବା ଉପରେ । ଦଶକୁ କିଛି , ଏଗାରରେ ଆଉକିଛି ଆସିଥିବା ବନ୍ଧୁବାନ୍ଧବ , କାନ୍ଦଆଣି ହସନେଇ ଫେରିଗଲେଣି । ବାକି ରହିଲେ ଦୁଇଝିଅଙ୍କ ପରିବାର । ଏତେ କୋଳାହଳକୁ ସମ୍ଭାଳିବା ଲୋକଟା ହିଁ ଚାଲିଗଲା । ଡାକ୍ତର ମନାକରିଛନ୍ତି ବେଶି ଚିନ୍ତା ନକରିବାକୁ । ମୁଣ୍ଡରେ ହାଇପ୍ରେସର । ସୁନନ୍ଦା ଆଖିବୁଜିଦେଲା ବେଳେ , ଛାତିକୁ ପଥର କରିଦେଇଥିଲେ ସଦାନନ୍ଦ । ତା' ମୁହଁକୁ ଚାହିଁ ପାରିନଥିଲେ ସେ । ତିରିଶ୍ ବର୍ଷ ଧରି ଯା'ଠୁଁ ମୁହୂର୍ତ୍ତେ ଅଲଗା ହୋଇନଥିଲେ ଏବେ ତା'ବିନା କାଟିବାକୁ ହେବ ବାକିତକ। ବେଳେବେଳେ ଅଭ୍ୟାସ, ଧର୍ମ ପାଲଟିଯାଏ । ଏବେ ଧର୍ମକଷ୍ଟ ଭୋଗିବାର ବେଳ । ଏକାସାଙ୍ଗେ ହେଲେ ଚାଲିଯାଇଥାନ୍ତେ ! କ'ଣ ଯେ କାମ ତାଙ୍କର ଏଠି ? ପିଲାମାନେ ତ ନିଜେ ନିଜର ହୋଇଗଲେଣି । ସତରେ ଏଇ ମରିବାକୁ ଅପେକ୍ଷା କରି ରହିବାଟା ହିଁ ନର୍କଯନ୍ତ୍ରଣା ! ଓଃ ସୁନନ୍ଦା , ସୁଖୀ ତୁ କେବଳ !!

{୨}

ବେଶ୍ ଚିନ୍ତାକରି ବନାହେଇଛି ଏ ଦଶଦିନର ଶୁଦ୍ଧିକ୍ରିୟାକର୍ମ । ପୁରାନ ହେଲେବି ଜଣକୁ ପାଖାପାଖି ଭୂଲି ନିଜକୁ ସମ୍ଭାଳିବାକୁ ଦଶଦିନ ଯଥେଷ୍ଟ ! ବୁଝାପଡିଯାଏ , ଯେ' ଆଦୌ ଫେରିବନି , ତା'ପାଇଁ ଝୁରିହେବା ବ୍ୟର୍ଥ । ଏଇ ଦଶଦିନଯାକ ନିଜକୁ ନିଜେ ସମ୍ଭାଳୁଛନ୍ତି ସଦାନନ୍ଦ । ଢେର୍ ଦିନଯାଏଁ ରୋଗରେ ସନ୍ତୁଳୁଥିବା ସୁନନ୍ଦା ପ୍ରତି ମୋହ ନକମି ବରଂ ବଢୁଥିଲା ମାତ୍ରାଧିକ । ଇୟେ ସେଇ ନାରୀ , ଯେ' ତାଙ୍କର ନାନା କଥା ଅକଥାକୁ ଦେହରେ ମିଳାଇ , ସଜାଡିଥିଲା ତାଙ୍କୁ । ଅକର୍ମଣ୍ୟ ହୋଇ ପଡିରହିଲାରୁ , କି ସେବାକରି ଏ ଋଣ ପରିଶୋଧ କରିବେ , ସେଇ ଚିନ୍ତାରେ ଡୁବିରହୁଥିଲେ ସେ ପ୍ରାୟ ।

କେଜାଣି କେତେ କରିପାରିଲେ ତା'ପାଇଁ ? କେତେଯେ ସନ୍ତୁଷ୍ଟ ହୋଇ ସେ ଆଖି ବୁଜିଲା ? ଏଇତ଼ ! ଝୁରିବେ ନାହିଁ କହି ଯେତେ ଟାଣ କଲେବି ସାମ୍ନାକୁ ଆସିଯାଉଛି ସୁନନ୍ଦା !!!!

{୩}

ଜନ୍ମୁଜନ୍ମୁ ସ୍ୱାବଲମ୍ବୀ ହୁଅନ୍ତି କିଛି ପଶୁପକ୍ଷୀ । ମଣିଷକୁ ଲାଗିଯାଏ ଢେରକାଳ । 

ଗୋଟେ ମଝାମଝି ସମୟରେ । ପିଲାଙ୍କ ପାଇଁ ଆଉ ବାପା-ମା' ନୁହଁ , ବାପା-ମା'ଙ୍କ ପାଇଁ ପିଲାମାନେ 'ଆବଶ୍ୟକତା' ପାଲଟିଯା'ନ୍ତି! ଚାରୋଟି ପିଲା ସୁନନ୍ଦାଙ୍କର। ତାଙ୍କ ପରେ କିଛିବି ଅଡୁଆ ହେବନି , ଏକଥା ବାରବାର କହିଲାବେଳେ , ସଦାନନ୍ଦ ଖାଲି ହସନ୍ତି ଯାହା ।

{୪}

ନିରୋଳାରେ ବାଡିପଟକୁ ମୁହଁକରି ସଦାନନ୍ଦ ବସି ଗୋଡ ହଲାଉଥିଲା ବେଳେ, ଗୋଟି ଗୋଟିକରି ପିଲାଏ ଆସି ତାଙ୍କ ଚାରିପାଖରେ ଠୁଳ ହେବାରେ ଲାଗିଲେ । ପୁଅବୋହୁ , ଝିଅଜୋଇଁ ଆଦି । କଥା ଆରମ୍ଭ କଲା ବଡଝିଅ ।

- ବାପା ! ମା' ଚାଲିଗଲାଣି । କେତେଆଉ ଶୁନ୍ୟଟାରେ ତାକୁ ଖୋଜୁଥିବ ? ଏଇଚିନ୍ତାରେ ନିଜଦେହ ବି ଭାଙ୍ଗିଯିବ ।

- ଚିନ୍ତା ଆଉ କଣ ମୋର ? ତୁମେସବୁ ଯାହା ମାଛେଉଣ୍ଡ ହୋଇଗଲ । ବିଛଣାରେ ପଡିରହି ବି କେତେକଣ ବରାଦ କରୁଥିଲା ତୁମମାନଙ୍କ ପାଇଁ । ସେ ନାହିଁ । ମୁଁ ଏକା ଏସବୁକୁ କେମିତି ପାରିବି ??

- କିଏକହୁଛି ତୁମକୁ ଆମକଥା ବୁଝିବାକୁ ? ଆମେ ସବୁ ପାରୁଛୁ । ନିଜେ ଭଲରେ ରୁହ ଖାଲି ।

- ଆଉକଣ ଭଲ ? ଟିକେ ଆଶ୍ୱସ୍ତ ହୋଇ କହିଲେ ଏତକ !

ଏଥର ପିଲାଏ ବୋଧେ ବୁଝିଗଲେ କିଛି । ଜଣେ ଆରର ମୁହଁ ଚହାଁଚହିଁ ହୋଇ,କିଛି ମଉନ ବିମର୍ଷ କରିନେଲେ ପରସ୍ପର । ବଡବୋହୁ ଆସି ଟେବୁଲ୍ ଉପରେ କନାବନ୍ଧା ପୁଡିଆଟେ ଥୋଇଦେଇ ଗଲାରୁ , ବଡପୁଅ କହିଲା -

- ମା ଦେହରୁ କଢାହୋଇଥିଲା । ଆଉଯାହା ତା' ସିନ୍ଧୁକରେ ଥିଲା , ସବୁଯାକ ଏକାଠି ବନ୍ଧା ହୋଇଛି !

- କଣ ? ତା' ସୁନା ଗହଣା ?

- ହଁ ସବୁ । ଆମେ ଭାବୁଛୁ ଏଥିରେ ସମସ୍ତିଙ୍କର ଦାବି ଅଛି । ମିଲି , ଝିଲି କାଲି ଫେରିଯିବେ ଶାଶୁଘରକୁ । ତେଣୁ ତୁମ ଆଗରେ ଏସବୁ ବଣ୍ଟା ହେଇଯାଉ ସବୁ ।

- ସବୁ ତୁମ ମା'ର । ତୁମେ ସବୁ ମା'ର । ନେଇଯାଅ ଯାହା ଯେମିତି । ମୋର କଣ କହିବାର ଅଛି !!

ବାପାଙ୍କଠୁଁ ଏଇତକ ଶୁଣିବାର ଅପେକ୍ଷା ଯାହାଥିଲା । ବାସ୍ ସମସ୍ତେ ଖସିଗଲେ ପୁଣି ତାଙ୍କୁ ଏକୁଟିଆ ଛାଡ଼ି !

{୫}

ପିନ୍ଧିବାରେ ସୁନନ୍ଦା ନୁହଁ , ପିନ୍ଧେଇବାରେ ସଦାନନ୍ଦ ହିଁ ବେଶି ଆନନ୍ଦ ପା'ନ୍ତି । ସୁନନ୍ଦା ହିଁ ତାଙ୍କପାଇଁ ଏକମାତ୍ର ସୁନ୍ଦରୀ , ଯା'କୁ ସଜାଇ ଖୁବ୍ ଖୁସିହୁଅନ୍ତି ସେ । ଘରେ ବଢିଚାଲେ ଏସବୁ ମୂଲ୍ୟବାନ ଅପର୍ଦାଥ ମାନଙ୍କର ସଂଖ୍ୟା । ପତିଙ୍କ ଖୁସିରେ ଖୁସିହୋଇ ସୁନନ୍ଦା କୁହନ୍ତି -

- ମୋର ସବୁଠାରୁ ଦାମୀ ଗହଣା ତ ତୁମେ । ତୁମେ ପାଖରେ ଥିଲେ ଲୋଡା ପଡେନି ଏସବୁ । ଖାଲି ତୁମେ ଥାଉଥାଉ ଏଇମିତି ସୁନ୍ଦରୀ ହୋଇ ମରିଯା'ନ୍ତି କି ମୁଁ !!! ନିଜ ଇଛା ପୂରାଇ ଚାଲିଗଲା ବି ସୁନନ୍ଦା । ପିଲାମାନେ ତା' ଗହଣାଗାଣ୍ଠିରେ ନିଜନିଜର ଦାବି ରଖି ବାଣ୍ଟିନେଲେଣି । ବାକି ରହିଗଲା ଖାଲି ସୁନନ୍ଦାର ସବୁଠାରୁ ଦାମୀ ଗହଣା ! ତା'ପ୍ରତି ବୋଧେ କା'ର ଦାବି ନାହିଁ ....!!!

ଅମିୟ ବେଜ୍ ,

ଘଟଙ୍ଗା , କେନ୍ଦୁଝର

ସଦାନନ୍ଦ ସୁନନ୍ଦା ଗହଣା ପିଲା

Rate the content


Originality
Flow
Language
Cover design

Comments

Post

Some text some message..