Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜହ୍ନମାମୁଁ -116
ଜହ୍ନମାମୁଁ -116
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.0K    11


Content Ranking

କିଏ ମହାନ୍?

କୁନ୍ତଳ ରାଜ୍ୟର ରାଜା ଜଗଦେବଙ୍କ ଦରବାରରେ ଜଣେ ବିଶିଷ୍ଟ କବି ଥିଲେ । ତାଙ୍କ ନାମ ଲଳିତ ମିଶ୍ର । ରାଜା ତାଙ୍କୁ ବହୁତ ସମ୍ମାନ କରୁଥିଲେ । କଥାରେ କଥାରେ ତାଙ୍କ କବିତାରୁ ଉଦ୍ଧୃତି ଦେଉଥିଲେ ।

ଲଳିତ ମିଶ୍ର ଯେ ବାସ୍ତବିକ ଜଣେ ପ୍ରତିଭାଧର କବିଥିଲେ, ଏଥିରେ କାହାରିବି ସନ୍ଦେହ ନଥିଲା । ରାଜ୍ୟର ଅନ୍ୟ ଗୁଣୀ କବିମାନେ ତାଙ୍କୁ ସେମାନଙ୍କ ଆଦର୍ଶ ରୂପେ ଦେଖୁଥିଲେ ।

ଥରେ ରାଜା ଘୋଷଣା କଲେ କି ତେଣିକି ସେ ପ୍ରତିବର୍ଷ ତାଙ୍କ ରାଜ୍ୟର ଜଣେ ଜଣେ କବିକୁ ସମ୍ମାନିତ କରିବେ । ପ୍ରଥମ ସମ୍ମାନ କାହାକୁ ମିଳିବ, ସେ ବିଷୟରେ କାହାରି ମନରେ ସ୍ନେହ ନ ଥିଲା । ସମସ୍ତେ ଧରିନେଇଥିଲେ ଯେ ତାହା କବି ଲଳିତ ମିଶ୍ରଙ୍କୁ ମିଳିବ ।

ଦିନେ ରାତିରେ କବି ଲଳିତ ମିଶ୍ରଙ୍କ ଘରେ ଆଉ ଚାରିଜଣ କବି ଖିଆପିଆ କରୁଥିଲେ । ଜଣେ କବି ଖୁବ୍ ଆଗ୍ରହରେ ଅନ୍ୟମାନଙ୍କୁ କହିଲେ, “ଶୁଣିଲେଣି? ଏ ବର୍ଷର ରାଜସମ୍ମାନ କୁଆଡେ ସୁମନ୍ତପୁର ଗ୍ରାମର କବି ଶ୍ରୀପତି ପାଉଛନ୍ତି!”

ଜଣେ ମନ୍ତବ୍ୟ ଦେଲେ “ସୁମନ୍ତପୁରର ଶ୍ରୀପତି? ହଁ, ମୁଁ ତାଙ୍କର କିଛି କିଛି କବିତା ପଢିଛି । ଭଲ କବି ସେ । କିନ୍ତୁ ସେ ହଠାତ୍ ରାଜ-ସମ୍ମାନ କିପରି ପାଇବେ? ତାଙ୍କୁ କିଏ ବା ଜାଣେ? ନା, ନା, ଏହା ଭୁଲ୍ ଖବର ।”

ଅନ୍ୟ ଜଣେ କହିଲେ, “ଅସମ୍ଭବ! ଲଳିତ ମିଶ୍ର ଥାଉ ଥାଉ ଆଉ କେହି ସେ ସମ୍ମାନ ପାଇ ପାରେନା କି ପାଇବାର କଥା ବି ନୁହେଁ ।”

ପ୍ରଥମ ଜଣକ କହିଲେ, “ମୁଁ ବି ତ ସେଇଆ କହୁଥିଲି । କିନ୍ତୁ ରାଜାଙ୍କର ଯେଉଁ ଦୂତ କବି ଶ୍ରୀପତି ପାଖକୁ ବାର୍ତ୍ତା ନେଇ ଯାଇଥିଲା, ତାହାରି ସ୍ତ୍ରୀ ମୋ ସ୍ତ୍ରୀକୁ ଏକଥା କହିଛନ୍ତି । ସେ ଭୁଲ୍ କହିବାର କୌଣସି କାରଣହିଁ ନାହିଁ ।”

କବି ଲଳିତ ମିଶ୍ର ଗମ୍ଭୀର ହୋଇଗଲେ । ପରଦିନ ସେ ରାଜାଙ୍କୁ ଏକୁଟିଆ ପାଇ ପଚାରିଲେ, “ମହାରାଜ! ମୁଁ ଗୋଟିଏ ବିସ୍ମୟକର କଥା ଶୁଣିଲି । ଆପଣ କୁଆଡେ ଶ୍ରୀପତି ନାମକ ଜଣେ କବିକୁ ସମ୍ମାନିତ କରିବାକୁ ଯାଉଛନ୍ତି, ମୋତେ ନୁହେଁ!”

ରାଜା ହସିଦେଇ କହିଲେ, “ତୁମକୁ ସମ୍ମାନ କରିବାରେ ନୂତନତା ଆଉ କ’ଣ? ତମେ ତ ରାଜକବି । ତୁମେ ମୋର ସବୁଠାରୁ ପ୍ରିୟ କବି ବୋଲି ସମସ୍ତେ ଜାଣନ୍ତି । ତମକୁ ଅଧିକ ସମ୍ମାନ କ’ଣ କରାଯାଇପାରେ?”

ରାଜାଙ୍କର ଏଭଳି ସ୍ପଷ୍ଟ କଥା ଶୁଣି ଲଳିତ ମିଶ୍ର କ’ଣ କହିବେ କିଛି ଠଉରାଇ ପାରିଲେ ନାହିଁ । ତେବେ ରାଜାଙ୍କ କୈଫିୟତ୍ ଯେ ତାଙ୍କୁ ସନ୍ତୁଷ୍ଟ କରିପାରି ନାହିଁ, ଏକଥା ତାଙ୍କ ମୁହଁ ଦେଖି ରାଜା ଠିକ୍ ବୁଝି ପାରୁଥିଲେ ।

ରାଜା ଆହୁରି କିଛି କହିବାକୁ ଉଦ୍ୟତ ହେଉଥିଲେ ସେତିକିବେଳେ ଜଣେ ଦ୍ୱାରରକ୍ଷୀ ଆସି କହିଲା, “ମହାରାଜ! ସୁମନ୍ତପୁର ଗ୍ରାମର ଶ୍ରୀପତି ନାମକ ଜଣେ ବ୍ୟକ୍ତି ଆପଣଙ୍କୁ ଜରୁରୀ ଭେଟିବାକୁ ଇଚ୍ଛା କରୁଛନ୍ତି । ସେ ଜଣେ କବି ବୋଲି ନିଜର ପରିଚୟ ଦେଉଛନ୍ତି ।”

ଲଳିତ ମିଶ୍ର ଉତ୍ତେଜିତ ଭାବରେ କହିଲେ, “ଦେଖିଲ ତ? ଲୋକଟା ଖବର ପାଇବା ମାତ୍ରେ ପୁରସ୍କାର ନେବାକୁ ଉଚ୍ଛନ୍ନ ହୋଇ ଦୌଡି ଆସିଛି ।”

ଶ୍ରୀପତିଙ୍କୁ ତାଙ୍କ ପାଖକୁ ନେଇ ଆସିବାକୁ ରାଜା ସେ ଦ୍ୱାରରକ୍ଷୀକୁ କହିଲେ । କିନ୍ତୁ ଶ୍ରୀପତିଙ୍କ ଏ ଉଚ୍ଛନ୍ନତା ଯୋଗୁଁ ତାଙ୍କ ମନ ବି ଖରାପ ହୋଇଗଲା । ସେ କହିଲେ, “ବୁଝିଲ କବି ଲଳିତ! ଶ୍ରୀପତିର କବିତା ମୁଁ ବହୁତ ପଢିଛି । ସେ ବାସ୍ତବିକ ଜଣେ ମହାନ୍ କବି । ତେବେ ପୁରସ୍କାର ପ୍ରତି ତାଙ୍କ ଲୋଭ ମାତ୍ରାଧିକ ବୋଲି ବୁଝୁଛି । ହେଉ, ତାଙ୍କୁ ପଦେ ଶୁଣାଇ ଦେବା ।”

ଶ୍ରୀପତି ଆସି ରାଜାଙ୍କୁ ଅଭିବାଦନ ଜଣାଇବା ମାତ୍ରେ ରାଜା ରୁକ୍ଷ ଗଳାରେ କହିଲେ, “ଶ୍ରୀପତି! ପୁରସ୍କାର ସମ୍ବାଦ ତମକୁ ବ୍ୟକ୍ତିଗତ ଭାବରେ ଦିଆ ଯାଇଛି ମାତ୍ର । ସର୍ବସାଧାରଣରେ ଘୋଷଣା ହୋଇନାହିଁ । ସେ ଘୋଷଣା ଦେବାକୁ ବିଳମ୍ବ ଅଛି । ଘୋଷଣାର ମାସକ ପରେ ଯାଇ ପୁରସ୍କାର ଦିଆ ହେବ । ତମେ…”

ଶ୍ରୀପତି ନମ୍ର ଭାବରେ କହିଲେ, “ମହାରାଜ! ମୁଁ ସେଥିପାଇଁ ଦୌଡି ଆସିଛି । ଆପଣ ଘୋଷଣା କରିବା ପୂର୍ବରୁ ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, ଯେଉଁ ରାଜ୍ୟରେ ଲଳିତ ଭଳି ମହାକବି ଅଛନ୍ତି, ସେ ରାଜ୍ୟରେ ମୋ ଭଳି କବିକୁ ସମ୍ମାନ ଦେବାର ସିଦ୍ଧାନ୍ତ କାହିଁକି କରାଗଲା? ଆପଣ ଦୟାକରି ଆପଣଙ୍କ ସିଦ୍ଧାନ୍ତର ପୁନର୍ବିଚାର କରନ୍ତୁ । ମୋର ନମ୍ର ଅନୁରୋଧ, ତାଙ୍କୁ ସମ୍ମାନ ଦିଅନ୍ତୁ । ଲଳିତଙ୍କ ପ୍ରତିଭା ତୁଳନାରେ ମୋର କାବ୍ୟକୃତି ଅତି ତୁଚ୍ଛ ।”

ଲଳିତ ଉଠି ପଡିଲେ ଓ ଶ୍ରୀପତିଙ୍କୁ କୁଣ୍ଢାଇ ପକାଇ କହିଲେ, “କବି ଶ୍ରୀପତି! ରାଜା କବିତାର ମାନ ନିର୍ଣ୍ଣୟ କରିବାରେ ସୁଦକ୍ଷ । ସେ ଯେତେବେଳେ ତୁମ କବିତାରେ ମୁଗ୍ଧ ହୋଇଛନ୍ତି, ସେତେବେଳେ ତୁମେ ଯେ ପୁରସ୍କାର ପାଇବାର ଯୋଗ୍ୟ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ତୁମେ ଯେଉଁ ଲଳିତ କଥା କହୁଛ, ସେ ଲୋକ ହେଉଛି ମୁଁ । ତୁମେ ମଣିଷ ହିସାବରେ କେଡେ ମହତ୍, ତାର ପରିଚୟ ମୁଁ ଆଜି ପାଇଲି । ଉଭୟ ଦୃଷ୍ଟିରୁ ତୁମେ ରାଜ ସମ୍ମାନର ଯୋଗ୍ୟ ।”

ଯଥା ସମୟରେ ପୁରସ୍କାର-ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଲା । ରାଜକବି ଲଳିତ ହିଁ ଶ୍ରୀପତିଙ୍କୁ ପୁରସ୍କାର ପ୍ରଦାନ କଲେ ।

ଜଗଦେବ ସ୍ତ୍ରୀ ଲଳିତ ମିଶ୍ର

Rate the content


Originality
Flow
Language
Cover design

Comments

Post

Some text some message..