Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସାଥି
ସାଥି
★★★★★

© Subal Mohapatra

Others

7 Minutes   7.7K    19


Content Ranking


ସୁବଳ ମହାପାତ୍ର


ପ୍ରେମ କଣ ? ଖାଲି କ'ଣ ମା ଛୁଆ କୁ ଭଲ ପାଇବା ପ୍ରେମ, ପୁଅ ଝିଅ କୁ ଭଲ ପାଇବା ପ୍ରେମ, ସ୍ୱାମୀ ସ୍ତ୍ରୀ କୁ ଭଲ ପାଇବା ପ୍ରେମ, ଛୁଆ ନିଜ ବାପା ମା ଙ୍କୁ ଭଲ ପାଇବା ପ୍ରେମ, ସାଙ୍ଗ ସାଥୀଙ୍କୁ ଭଲ ପାଇବା ପ୍ରେମ ... ଏମିତି ଆହୁରି କେତେ କଣ... କିନ୍ତୁ ଆମେ ଜାଣୁ କି "ଆବଶ୍ୟକତା" କଣ ? କିଛି ପ୍ରେମ ବି ଥାଏ ନିଜ ଆବଶ୍ୟକତା ପାଇଁ, ନିଜେ ବଞ୍ଚିବା ପାଇଁ, ଏକାକୀତ୍ୱକୁ ଦୁରେଇ ଦେବା ପାଇଁ I ସେଥିପାଇଁ ସାଥି ଟିଏ ଦରକାର, ନିଜ ମନ କଥା ଆଉ କାହା ଆଗରେ ଖୋଲି କହିବା ପାଇଁ ସାଥି ଟିଏ ଦରକାର, ବୁଢା ବୟସ ରେ କିଛି କାମ କରିବା ପାଇଁ ସାଥି ଟିଏ ଦରକାର I ହୋଇପାରେ ସେ କେଉଁ ଜୀବ ଜନ୍ତୁ, ହୋଇପାରେ ଗଛଲତା, କି ହୋଇପାରେ ସମାନ ହୃଦୟ ଆଉ ସ୍ନେହ ଥିବା ଗୋଟେ ମଣିଷ I କିଛି ଫରକ ପଡ଼େନି ସେ ସ୍ତ୍ରୀ କି ପୁରୁଷ I

ଛି... ଛି.... କି ହୀନ ଚିନ୍ତାଧାରା ଏ ଲୋକଙ୍କର.. ଅଣାଅଶୀ ବୟସର ଗୋଟେ ବୁଢା କଣ କେବେ ଦୈହିକ ସମ୍ପର୍କ ପାଇଁ ଭଲ ପାଇ ପାରେ ଗୋଟେ ପଞ୍ଚସ୍ତରୀ ବୟସ୍କ ବୁଢ଼ୀ କୁ? ଛି.. ଛି... କି ଖରାପ କଥା କହନ୍ତି ଏ ଲୋକମାନେ? ନିଜେ ଭେଣ୍ଡିଆ ଅଛନ୍ତି ତ ସେଥିପାଇଁ ବୋଧେ ବୁଝି ପାରନ୍ତିନି ଜଣେ ମଣିଷ ର ଅସହାୟତା କୁ I ଜାଣି ପାରନ୍ତି ନି ଗୋଟେ ମନ ର ବେଦନା I ନିଃସହାୟ, ବେସାହାରା ଲୋକ ଙ୍କ ମନ କଣ ବୁଝି ପାରିବେ ଏ ଭେଣ୍ଡିଆ ଟୋକା ଆଉ ପଇସାଥିବା ମଣିଷ ଗୁଡା ? ବୋଧହୁଏ ନା... କିନ୍ତୁ କେତେ କାଳ ? ଆଉ କେତେକାଳ ଏମାନଙ୍କୁ କୈଫିୟତ ଦେଇ ଆସୁଥିବୁ ଆମେ ମାନେ ? ଆଉ ନୁହଁ .... ଯେତିକି ହେଲା ସେତିକି ... ବହୁତ ହେଲା ... ଆଉ ନୁହଁ ...

ମକରା ବୁଢା ଏମିତି କେତେ କଣ ଭାବି ଚାଲିଥାଏ I ରାତି ଘଡ଼ିକ ରୁ ଘର ଭିତରେ ବୁଢ଼ୀଟା ମରି କି ପଡିଛି I ଆଖପାଖ କେତେ ଲୋକଙ୍କୁ ନେହୁରା ହୋଇ ସାରିଲାଣି ସେ ମାତ୍ର ଚାରୋଟି କାନ୍ଧ ପାଇଁ I କିନ୍ତୁ କେହି ଶୁଣୁ ନାହାନ୍ତି I ତା କନ୍ଦାକଟା ଦେଖି କିଛି ଲୋକ ଆସିଥିଲେ କିନ୍ତୁ କେହିଜଣେ କହିଦେଲା ବୁଢା ବୟସ ରେ ୟେ ବାହା ହୋଇଥିଲା ଏ ବୁଢ଼ୀ କୁ ବର୍ଷେ ତଳେ I ଲୋକ ଛି.. ଛାକର.. କରି ଯେଝା ବାଟେ ଯେଝେ ଚାଲିଗଲେ I

କେହି ଜଣେ ବୁଝିଲେନି ଘଟଣା କଣ I ମଲା ପରେ କଣ ଚାରିଟା କାନ୍ଧ ୟାକୁ ମିଳିବନି ? ନ ମିଳୁ... ସେ ଏକା ଶବ ସଂସ୍କାର କରିବ I ସେ ନିଆଁ ଦବ ଏ ବୁଢ଼ୀ ମୁହଁ ରେ I ନମିଳୁ ଚାରିଟା କାନ୍ଧ I ଏକା ଏକା ନେବ ଶ୍ମଶାନ କୁ I କିଛି ପଇସା ଅଛି ତା ପାଖରେ, ସେତିକି ରେ ଅତ୍ୟନ୍ତ କିଛି କାଠ, ମାଟି ହାଣ୍ଡି ଖଣ୍ଡେ ଆଉ ଚାଉଳ ଦି ଟା ମିଳିଯିବ I ବୁଢ଼ୀ କାନେ କାନେ କହି ଯାଇଥିଲା, "ମୋ ମୁହଁ ରେ ତୁ ନିଆଁ ଦେବୁ ପଛେ ସେ ସବାଖିଆ ଭେଣ୍ଡିଆ ଦିଟାକୁ ମୋ ମଲା ମୁହଁ ବି ଦେଖିବାକୁ ଦବୁନି I ସେମାନେ ମୋ ପୁଅ ନୁହନ୍ତି I କୁଳାଙ୍ଗାର ଦି ଟା ଯାକ I ବୁଢା (ବୁଢ଼ୀ ର ସ୍ବାମୀ )ମଲା ପରେ ମାଈପ କଥା ରେ ପଡି ଦି ଜଣ ଯାକ ମୋତେ ପିଟି ଘରୁ ବାହାର କରିଦେଲେ I ସମ୍ପତି ବାଡ଼ି ତ ଯାହା ଖାଇଲେ ଖାଇଲେ, ମୋ ସୁନା ରୁପା ତକ ବି ମୋଠୁ ଛଡେଇ ତାଙ୍କ ମାଈପ ମାନଙ୍କୁ ଦେଲେ I ଯଦି ନିଆଁ ନ ଦେଇ ପାରିବୁ ତେବେ ଦେଇ ଦବୁ କଉ ଡାକ୍ତରଖାନା ରେ I ସେମାନେ ମୋ ଦେହ କୁ ଚିରି ଫାଡ଼ି ହେଲେ କିଛି ଶିଖିବେ I ଜିଇଁ ଥାଉ ଥାଉ ତ ଏ ବାଡିପୋଡା ଦି ଜଣ ମୋତେ ଯେଉଁ କଷ୍ଟ ଦେଲେ I ତା' ଠୁ ବରଂ କମ କଷ୍ଟ ହେବ ସେଠି I "

ଆଃ... କେତେ ଆଉ ସହିଥାନ୍ତା ବୁଢ଼ୀ ଟା ? ମରିଗଲାନି ଯେ ତରିଗଲା I ମୋର ଆଉ ଦିନ କାଳ କେତେ କେଜାଣି ? ମୋ ପୁଏ (ପୁଅମାନେ) ଶଳେ କେଉଁ କମ କି? ମୋ ବାପା ମଲା ବେଳକୁ ମାଣେ ଜମି ଛାଡିକି କି ଯାଇଥିଲା I ବାହାହେଇ ପାଞ୍ଚଟା ପୁଅ ଜନ୍ମ କରି, ମାଣେ ଜମିକୁ ବଢ଼େଇ ବଢ଼େଇ ପାଞ୍ଚ ଏକର କଲି I ବୁଢ଼ୀ (ବୁଢା ର ସ୍ତ୍ରୀ ) ମଲା ପରେ ଶଳେ ଭାଗ ହେଲେ I ଜମି ବାଡ଼ି ସହ ଶଳେ ମୋତେ ବି ଭାଗ କରିଦେଲେ I ମାସେ ୟା ଘରେ ତ ଆଉ ମାସେ ତା ଘରେ, ଶେଷରେ ଶଳେ ମୋ ସମ୍ପତି ଖାଇ ମୋତେ ବାହାର କରିଦେଲେ ଘରୁ I ଖାଅ ଶଳେ... ଭାବିଛ ଏ ସମ୍ପତି ତମକୁ ହଜମ ହବ ? ମୋ ସହ ଯାହା କଲ, ତମ ପିଲାଛୁଆ ବି ସେଇୟା କରିବେ ତମ ସହ I ତମେ ଶଳେ ପୂର୍ବ ପୁରୁଷଙ୍କୁ କଣ ପାଣି ଦବ, ଜିଇଁ ଥାଉ ଥାଉ ତ ଜନ୍ମ କଲା ବାପା ମାଙ୍କୁ ପିଟି ମାରି ଘରୁ ବାହାର କରୁଛ... ଛି... ଛି... ଏହାକୁ କୁହନ୍ତି ସଂସ୍କାର ? ତମ ସେ ସଂସ୍କାର ମୁହଁ ରେ ନିଆଁ ପଡୁ I ସେଥିପାଇଁ ପରା କୁହନ୍ତି, "ପୁଅ ଯଦି ଭଲ ହେଲା ସମ୍ପତ୍ତି ରଖିବି କାହାପାଇଁ? ପୁଅ ଯଦି ଖରାପ ହେଲା ସମ୍ପତ୍ତି ରଖିବି କାହାପାଇଁ?

ପାଟିରୁ ଅଭିସମ୍ପାତ ସହ ଆଖିରୁ ଲୁହ ବାହାରି ଆସୁଥାଏ ତାର... ତା ସହ ମନେ ପଡି ଯାଉଥାଏ ଘର ଭିତରେ ମରି ପଡିଥିବା ବୁଢ଼ୀ କଥା....

ବୁଢା ସହ ବୁଢ଼ୀ ର ଦେଖା ହୋଇଥିଲା ପ୍ରାୟ ବର୍ଷେ ତଳେ I ପୁଅ ମାନେ ବୁଢା କୁ ଘରୁ ବାହାର କରିଦେବାପରେ ଏକୁଟିଆ ବୁଢା ପଳେଇ ଆସିଥିଲା ଏ ସହର କୁ ଭିକ ମାଗି ଚଳିଯିବା ଆଳ ରେ I ଏ ଭିତରେ ପ୍ରାୟ ମାସେ ହୋଇ ଯାଇଥିଲା I ଠିକ ରେ ତା'କୁ ଖାଇବାକୁ ଗଣ୍ଡେ ମିଳୁ ନଥିଲା I ତାଟିଆ ଟିଏ, ଆଉ ପାଣି ପିଇବାକୁ ବୋତଲ ଟିଏ ବ୍ୟତୀତ ଆଉ କିଛି ନଥିଲା ତା ପାଖରେ I ପଇସା ମିଳିଲେ କିଛି କିଣି ଖାଉଥିଲା ନ ହେଲେ ଚୁଡା ଖାଇ ରହୁଥିଲା ସେ I ଭାତ ଗଣ୍ଡେ ପାଇଁ ଡହଳ ବିକଳ ହେବା ପରେ ବି ଭାତ ଗଣ୍ଡେ ଠିକରେ ମିଳୁ ନଥିଲା ତା'କୁ I

ଠିକ ସେମିତି ପୁଅ ମାନେ ବୋହୁ ମାନଙ୍କ କଥା ରେ ପଡି ମାଡମାରି ଘରୁ ବାହାର କରିଦେବା ପରେ ବୁଢ଼ୀ ଚାଲି ଆସିଥିଲା ଏ ସହର କୁ I ନାଳ କଡରେ ଗୋଟେ ଗଛ ଆଢୁଆଳ ରେ ବୁଢ଼ୀ ତିଆରି କରିଥିଲା ତା ବସା ଖଣ୍ଡେ I କିଛି ଛିଣ୍ଡା ପଲିଥିନ, କିଛି ଚିରା ପୋଷ୍ଟର, ଖଣ୍ଡେ ଚେପା ଟୋଲା ଡେ଼କଚି ଆଉ କଣା ଚେପା ରସ ତାଟିଆ ଦୁଇଟି ଥିଲା ତା'ର ସମ୍ପତି I କାଠ ଦୁଇଖଣ୍ଡ ପୋତି, ତା ଉପରେ ପଲିଥିନ ଖଣ୍ଡେ ଟାଙ୍ଗି ସେ ତିଆରି କରିଥିଲା ତା ବାସଗୃହ I ଦିନରେ ଭିକ ମାଗେ, ରାତିରେ ଇଟା ତିନୋଟି ଉପରେ ଡେ଼କଚି ବସେଇ କାଠ ଜାଳି ଭାତ ରାନ୍ଧେ I ସେଇ ଟେଣ୍ଟ ତଳେ ଭାତ ହାଣ୍ଡି କୁ କୋଳ ରେ ପଶେଇ ସେ ଶୋଇପଡେ କାଳେ ହାଣ୍ଡିରୁ ଭାତ ତକ କୁକୁର ଖାଇଯିବା ଭୟରେ I

ସେଦିନ ଭିକ ମାଗି ମାଗି ଦି ଜଣ ଯାକ ପହଞ୍ଚିଥିଲେ ଜଣେ ବାବୁଙ୍କ ଘରେ I ବାବୁଙ୍କ ଚାରି ପାଞ୍ଚ ବର୍ଷ ର ଛୋଟ ଝିଅ ଟି ହାତରେ ଦଶ ଟଙ୍କିଆ ଟିଏ ଧରି, ଦେବାକୁ ଆସିଲା ବେଳକୁ ଦି ଜଣଙ୍କୁ ଦେଖି ଠିଆ ହୋଇ ରହିଲା I କାହାକୁ ଦେବ ବୋଲି ଭାବି ହେଲା ବେଳକୁ ପଛରୁ ମା କହିଲେ "ଦେଇ ଦେ" I ସେ ବୁଢା ଥାଳ ରେ ପକେଇ ଦେଇ ପଳେଇଲା ପରେ ବୁଢ଼ୀ ଚିହିଁକି ଉଠିଥିଲା I ସ୍ଵଜାତି ପରହିଂସ୍ରକଃ ପରି ଏକରକମ ଝାମ୍ପି ନେଇଥିଲା ଦଶଟଙ୍କିଆ ଟି ବୁଢା ଥାଳରୁ I ମୋ ଟଙ୍କା କହି ବୁଢା ଧରୁ ଧରୁ ବୁଢ଼ୀ ସମ୍ପିବା ଆରମ୍ଭ କରି ଦେଇ ଥିଲା I ବାବୁଆଣୀ ଆସି ଆଉ ଗୋଟିଏ ଦଶ ଟଙ୍କା ଦେଇଥିଲେ ବୁଢା କୁ I ତା ପରଠୁ ବୁଢ଼ୀ ଶୀଘ୍ର ଶୀଘ୍ର ପାଦ ପକେଇ ଦୌଡ଼ିଥିଲା ଆଗକୁ ଆଗକୁ ଜଲଦି ଜଲଦି ବୁଢା ପୂର୍ବରୁ ଅନ୍ୟ ଘର ଗୁଡିକ ରେ ପଶି ଭିକ ନେବା ପାଇଁ I

ସନ୍ଧ୍ୟା ହୋଇ ଆସୁଥାଏ, ଦିହେଁ ଯାକ ଭିକ ମାଗି ସାରି ଫେରୁଥାନ୍ତି I ବୁଢ଼ୀ ଫେରୁଥାଏ ନିଜ ଘରକୁ, କିନ୍ତୁ ବୁଢା ? ସେ ଯିବ କୁଆଡେ? ନା ଅଛି ଘର ଦ୍ୱାର ନା କିଏ ଚିହ୍ନI ଜଣା I କୌଣସି ଏକ ଦୋକାନ ବାରଣ୍ଡା ରେ ଶୋଇବ ବୋଲି ଚିନ୍ତା କରି କରି ଆସୁଥାଏ I ଛକ ପାଖରେ ପହଞ୍ଚି ଦେଖେ ତ ଦୋକାନ ସବୁ ଖୋଲା ଅଛି, ବନ୍ଦ ହେବ ପ୍ରାୟ ୯ ଟା ପରେ I ଚାଉଳ ତ ଅଛି ତା ପାଖରେ କିନ୍ତୁ କଣ କରିବ? ରୋଷେଇ କେମିତି କରିବ? କେମିତି ଗୋଟେ ଖୋଜିବା ଖୋଜିବା ପରି ଚାଲୁ ଚାଲୁ ଦେଖି ପାରିଲା ବୁଢ଼ୀ କୁ I ଭାତ ରାନ୍ଧୁଥାଏ ସେ I ପାଖକୁ ଯାଇ କଣ କହିବ କହିବ ହୋଇ ରହିଗଲା I ରନ୍ଧା ଭାତ ର ବାସ୍ନା ରେ ତା ପାଟିରୁ ଲାଳ ବୋହି ପଡୁଥିଲା I ପାଖରେ ଚାଉଳ ଥିଲେ ବି ରନ୍ଧା ଭାତ ର ବାସ୍ନା ତା ନାକ ରେ କେବେଠୁ ବାଜି ନଥିଲା I ବୁଢ଼ୀ ପାଖରୁ କିଛି ଦୂରରେ ଯାଇ ବସିଲା ସେ I ବୁଢ଼ୀ ୟାକୁ ଦେଖି ପୁଣି ଚିହିଁକି ଉଠିଲା I କିଛି ସମୟ ପରେ, ବୁଢ଼ୀ ସମ୍ପି କାଟି ଟିକେ ଚୁପ ହେଲା ପରେ ବୁଢା କହିଲା...

-- ମୋ ଚାଉଳ ସବୁ ତକ ନେ ପଛେ... ମୋ ପାଇଁ ଗଣ୍ଡେ ଭାତ ରାନ୍ଧି ଥା I

-- କିଆଁ, ତୋ ପାଖେ ଡେ଼କଚି ନାହିଁ କି ? ତୁ ରାନ୍ଧୁନୁ..

-- ନାହିଁ ବୋଲି ତ ତତେ କହୁଛି I

-- ମୁଁ ରାନ୍ଧି ପାରିବିନି, ମୋ ତକ ତ ମୋତେ ନିଅଣ୍ଟ, ଆଉ ୟାକୁ...

-- ମୋ ତକ ନେ, କହିଲି ପରା... ଆଜି ରାତିକ ଗଣ୍ଡେ ଦେଇଥା... କାଲି ପୁଣି ଆଣିଲେ ପୁଣି ଦେବି...

ବୁଢ଼ୀ କଣ ଭାବିଲା କେଜାଣି, ଆଗ ସବୁ ତକ ଚାଉଳ ବୁଢା ଠୁ ନେଇ ସାରିଲା ପରେ ରାତିରେ ବୁଢା କୁ ଗଣ୍ଡେ ଭାତ ଦେବାକୁ ରାଜି ହେଲା I ତା ପରେ ଆରମ୍ଭ ହୋଇଥିଲା ଏମାନଙ୍କର କଥାବାର୍ତା I ଦି ଜଣ ଭୋକିଲା ଙ୍କ କଥାବାର୍ତା କଣ ଅବା ହେଇପାରେ ??

ଖାଇ ସାରିଲା ପରେ ବୁଢ଼ୀ ପଚାରିଲା..

-- ରାତିରେ ଶୋଇବୁ କେଉଁଠି?

-- ଦୋକାନ ବାରଣ୍ଡା ରେ I

-- ସେଠି କିନ୍ତୁ ପୁଲିସି ଆଉ କେତେଟା ମଦୁଆ ଗହଳି କରନ୍ତି ରାତି ଅଧା ଯାଏ I

-- ତାହେଲେ ?

-- ଏ ଗଛ ମୂଳେ ଶୋଇପଡ I

-- ହଉ

ଆସ୍ତେ ଆସ୍ତେ ଦି ଜଣଙ୍କର ଦି ଜଣଙ୍କ ପ୍ରତି କେମିତି ଗୋଟେ ମାୟା ଆସିଯାଇଥିଲା I ସାଙ୍ଗ ହୋଇ ଯାଇଥିଲେ ଦି ଜଣ I ବୁଢୀକୁ ବୁଢା ଆଉ ବୁଢା କୁ ବୁଢ଼ୀ I ସାଥି ମିଳିଯାଇଥିଲା ଦି ଜଣଙ୍କୁ I ନିଜ ଦେହ ପା ଦେଖିବା ପାଇଁ, ମନ ର କଥା ବୁଝିବା ପାଇଁ, ମନ ଭିତରେ ଥିବା କୋହ କୁ ସବୁକୁ ବୁଝିବା ପାଇଁ, ଲେଞ୍ଜେରା ଲଗା ଲୁହଭିଜା ଆଖିରୁ ଲୁହ ପୋଛିବା ପାଇଁ, ସ୍ମୃତି ସବୁ କୁ କୋଳେଇ ନେବା ପାଇଁ I ଆଉ କଣ ଦରକାର ???

ନିଜ ଜନ୍ମ କଲା ଛୁଆ ତ ପଚାରିଲେନି, ଆଉ କିଏ ପଚାରିଥାନ୍ତା.... ଏମାନଙ୍କ ଜାତି କଣ?... ଗୋତ୍ର କଣ ?... ଥିଲା ବାଲା କି ନଥିଲା ବାଲା?...ଶିକ୍ଷିତ କି ମୂର୍ଖ? କଣ ବି ଜାଣିବା ଦରକାର ଥିଲା ଏ ସବୁ ? ଏବେ ତ ସେମାନେ ଗୋଟିଏ ଜାତି .. ଭିକାରି...

ସେତକ ବି ସହିଲେନି ଏ ରଇଜଳା ଦଳ... କହିଲେ କଣ ନା ସେ ମୋ ମାଈପ... ହଁ, ହେଲା ସେ ମୋ ମାଈପ... ତମର କଣ ଗଲା ସେଇଠୁ? ଅଣାଅଶୀ ବର୍ଷ ବୟସ ରେ କଣ ଭାବି ମୁଁ ମାଈପ ଖୋଜିବି? ଦରକାର ଥିଲା ତ... ସାଥି ଟିଏ ..... ରାଗରେ କମ୍ପମାନ ହୋଇ ବୁଢା ନିଜେ ନିଜେ ପାଟି କରି କରି ଉଠି ବସିଲା I

ପାଖରେ ଥିବା ଭଙ୍ଗା ବାଉଁଶ ବାଡ଼ି ଟିକୁ ହାତ ରେ ଧରି ସେ ଏବେ ଆଗେଇ ଯାଉଥିଲା କମ୍ପୋଷ୍ଟ ଉଠା ଗାଡି କୁ ଘୋଷାରି ଆଣିବା ଲାଗି, ଯେଉଁଥିରେ ସେ ନେବ ବୁଢ଼ୀ କୁ ମସାଣି ଯାଏଁ... ହଁ ହଁ ସେଇ ବୁଢ଼ୀ , ଏମାନଙ୍କ ଆଗରେ ଯିଏ ତା' ମାଈପ.....

--- ସମାପ୍ତ---

ପଢନ୍ତୁ, ମଜା ନିଅନ୍ତୁ, ମତାମତ ଦିଅନ୍ତୁ....ଜୟ ଜଗନ୍ନାଥ

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


©

ସାଥି ଜୀବ ହୃଦୟ

Rate the content


Originality
Flow
Language
Cover design

Comments

Post

Some text some message..