Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswa Bharati Dash

Drama Tragedy

2  

Biswa Bharati Dash

Drama Tragedy

ମୃତ୍ୟୁ ସହ ଜୀବନ

ମୃତ୍ୟୁ ସହ ଜୀବନ

10 mins
7.5K


ଜନ୍ମ ଏକ ଅନିଶ୍ଚିତ ସତ୍ୟ , ମୃତ୍ୟୁ ତାର ଧ୍ରୁବ ସତ୍ୟ । ସେଇ ସତ୍ୟର ସନ୍ଧାନରେ ଥାଏ କେବଳ ଜୀବନ ! ଆଉ ଯେଉଁ ଦିନ ତାହା ହାତ ପାହାନ୍ତାରେ ଆସିଯାଏ , ଅନିଶ୍ଚିତତା ନିଶ୍ଚିତରେ ପରିଣତ ହୋଇଯାଏ । ତାପରେ ସବୁ ହୋଇଯାଏ ଧୂଆଁ !

ଜୀବନର ପ୍ରଥମ ଶବ୍ଦ ହିଁ ପ୍ରେମ ! ପ୍ରେମ ହିଁ ବଞ୍ଚିବାର ପ୍ରଥମ ଆଶା । ପ୍ରେମ ବିନା ଜୀବନ ହିଁ ଅପୂର୍ଣ୍ଣ ! ଏଇ ଅପୂର୍ଣ୍ଣତା ବି ବେଳେ ବେଳେ ଆଣିଦିଏ ପୂର୍ଣ୍ଣତା । ତାକୁ ବୁଝିପାରିଲେ ତ ସମସ୍ତେ ! ଏତେ ବି ସହଜ ହୁଏନି ବୁଝିବାକୁ । ହେଲେ ଅନେକ୍ କିଛି ବୁଝେଇ ଦେଉଥିଲା ସମସ୍ତଙ୍କୁ ସେ ।

ଛ'ଋତୁ ସହ ନିଜକୁ ଖୁସିରେ ଗଡେଇ ଚାଲିଥିବା ପାପାଲି ... ସେଇ ସପ୍ତମ ଋତୁର ସେ ଚିରସ୍ରୋତା ଧାରା , ମଧୁମୟୀ ବାସ୍ନା , ଯିଏ ସମସ୍ତଙ୍କ ମୁହଁରେ ଭରିଛି ଅଫୁରନ୍ତି ହସର ଢେଉ ! ସେ ଏବେ ବି ଖୁସିରେ ରହି ପାରୁଛି । ବାସ୍ ଏଇତ ଜୀବନ !

********

ବାପାମା'ଙ୍କର ଅତି ଅଲିଅଳି ସାନ ଝିଅ ସେ । ସମସ୍ତଙ୍କର ଖୁବ୍ ଗେହ୍ଲୀ । ପାଠ ପଢ଼ା ସାରି ହାଇଦ୍ରାବାଦରେ ଚାକିରି କରି ରହିଥାଏ । ତାପରେ ବମ୍ବେ ବଦଳି ହୋଇ ଗଲା । ସେଠାକାର ଅଫିସରେ ଜଏନ୍ କରୁ କରୁ ତା ଟିମ୍ ରେ ପଞ୍ଜାବୀଟିଏ ଦେଖି ଖୁବ୍ ଖୁସି ହୋଇଗଲା ଅନ୍ତଃତ ତା ସହ ନର୍ଥଇଣ୍ଡିଆନ୍ ଖାଦ୍ୟ ସେୟାର୍ କରି ପାରିବ !

ହେଲେ ଓଲଟା କଥା ! ପାପାଲିକୁ ଦେଖି , ଦୂରେଇ ରହେ କୌଶିକ୍ । କାହିଁକି କେଜାଣି , ପାପାଲିକୁ ଟିକେ ଖରାପ୍ ଲାଗିଲା । ତାପରେ ପରେ ଜାଣିବାକୁ ପାଇଲା ପିଲାଟି ଖୁବ୍ ଚୁପ୍ ଚାପ୍ , ଗର୍ବୀ , କାମରେ କିନ୍ତୁ ଧୁରନ୍ଧର , ଆଉ ସବୁଥିରେ ଠିକ୍ ଯେ , ଝିଅଙ୍କ ସହ ଜମ୍ମାରୁ ବି କଥା ହୁଏନି ।

ପାପାଲି ଯେ ତା ମ୍ୟାନେଜର୍ , ତେଣୁ ବାଧ୍ୟ ହୋଇ କଥା ହେବ ହିଁ ହେବ ! ଧୀରେ ଧୀରେ ଦୁହିଁଙ୍କ ଭିତରେ ବନ୍ଧୁତା ବଢିଲା । ହେଲେ କିଛି ତ ଏକ ଅଜଣା ଦୁଃଖ କୌଶିକ୍ କୁ ଘାରେ , ପାପାଲିକୁ କେମିତି କିଛି ଖାପ୍-ଛଡ଼ା ଲାଗେ ଟିକେ । ଅନେକ୍ ଚେଷ୍ଟା କରେ ଛାଣିବାକୁ ସେତକ କୌଶିକ୍ ଭିତରୁ !

------------

ସେଦିନ ଥାଏ କମ୍ପାନୀର ଫଙ୍କ୍-ସନ୍ । ସବୁ ପ୍ରକାର ବ୍ୟବସ୍ଥା ଖୁବ୍ ସୁନ୍ଦର୍ ଭାବେ ବ୍ୟବସ୍ଥା ହୋଇଥାଏ । ଅନେକ୍ କର୍ମଚାରୀଙ୍କ ସହ ସେଦିନ ଭେଟାଭେଟି ହୁଏ , ଯେଉଁମାନେ ଅଲଗା ଅଲଗା ପ୍ରୋଜେକ୍ଟରେ ଥାନ୍ତି ଓ ଅଲଗା ଟିମ୍ ରେ ଥାଆନ୍ତି ! କୌଶିକ୍ ଓ ପାପାଲି ସହ ନୂଆ ଝିଅଟିଏ ଭେଟହୋଇଗଲା । ସେ ତା କଲେଜ୍ ସାଙ୍ଗ , ରୁବିନା । ଖୁସି ହେଲା ପାପାଲି । ରୁବିନା ସହ ବି ଦୋସ୍ତି ବହୁତ୍ ଖୁସି ଦେଲା ।

ତା' ପରଠାରୁ ଲଞ୍ଚ୍ କରିବାକୁ ତିନିହେଁ ସାଙ୍ଗ ହୋଇ ଆସନ୍ତି । ଥରେଥରେ କୌଶିକ୍ ନଥିବା ସମୟରେ ପାପାଲି ଭାବେ କିଛି ପଚାରିବ କୌଶିକ୍ ବିଷୟରେ , ହେଲେ ଅଟକି ଯାଏ । ଅନେକ୍ ସାହସ ବାନ୍ଧେ ପଚାରିବ କି ନାହିଁ । ପାରେନି । ନିଜ ଅପେକ୍ଷା ରୁବିନା ଟିକେ ଅଧିକ ସ୍ମାର୍ଟ ଲାଗେ ତାକୁ , ତେଣୁ ପଛଘୁଞ୍ଚା ଦିଏ ।

------------

ବୟସର ତାପମାନରେ ହିଁ ପ୍ରେମର ଭାଗମାପ କରେ ଢଳଢଳ ଯୌବନ । ଥରେ ରୁବିନା ଅନୁପସ୍ଥିତିରେ ସିଧା ସିଧା ପାପାଲି ପଚାରିଦେଲା କୌଶିକ୍ କୁ , ରୁବିନା ଖାଲି ତୁମ ସାଙ୍ଗ ନା ଆଉ କିଛି ! କୌଶିକ୍ ସବୁ କଥା ରୁବିନା ବିଷୟରେ ଗପିଦେଲା , ଏକ ନିଶ୍ବାସରେ । ତା ପରେ ଶେଷରେ କହିଲା ଟିକେ ସମ୍ଭାଳି କି ତା ସହ ରହିବ । ଅଣନିଶ୍ବାସୀ ଲାଗିଲା ତାକୁ !

ଭାବିଲା ଏତେ ତଳକୁ ଗୋଟିଏ ଝିଅ କେମିତି ଖସି ପାରେ ସେ ବି ସାମାନ୍ୟ ପୁରୁଷଟିର ସାନ୍ନିଧ୍ୟ ପାଇବାକୁ ? ଓ ... ସେଥିପାଇଁ ଏ କୌଶିକ୍ ଝିଅ ମାନଙ୍କ ଠୁ ଦୂରେଇ ରହେ ସବୁବେଳେ ! କ'ଣ ବା କରି ପାରିବ ସେ ତା'ପାଇଁ ? ଅନେକ୍ ଭାବିଛି , କିଛି ସମାଧାନ୍ ପାଉନି । ଆଉ ଏକ ବଡ଼ ଦୁଃଖ ତା ଜୀବନରେ ଘଟିଛି , ଯାହା ସେ କାହାକୁ କହି ପାରୁନି , କହିଲେ କେହି ତାକୁ ସହଜରେ ନେବେ ନାହିଁ । ସବୁ କଥା ଗପିଲା ପାପାଲି ଆଗରେ ଓ କାହାକୁ ନ ଜଣାଇବାକୁ ଅନୁରୋଧ କଲା ଏକ ଆନ୍ତରିକ ବନ୍ଧୁ ହିସାବରେ । ପାପାଲିର ମୁଣ୍ଡ ଝାଁଏ ଝାଁଏ ହୋଇ ଗଲା । ଭାବିଲା କିଛି ତ କରିପାରିବ କୌଶିକ୍ ପାଇଁ ! ମନରେ ସାହସ ଦରକାର ଓ ଭଗବାନଙ୍କ ଆଶୀର୍ବାଦ ଦରକାର ।

ପାପାଲି ମଧ୍ୟ କିଛି କହିବାକୁ ଚାହିଁଲା । ଯାହା ସେ କାହାକୁ ବି କହି ପାରୁନାହିଁ ଆଜିଯାଏ । କାରଣ କହିଲେ ତା ପାଖରେ କିଛି ଠୋସ୍ ପ୍ରମାଣ ନାହିଁ । ଚାରିବର୍ଷ ତଳେ ତା' ଦେହ ସହ କିଏ ଖେଳିଛି ସେ କିଛି ବି ଜାଣେନି । ବାସ୍ ହୋସ୍ ଆସିବା ପରେ ସେ ଏକ ଏମିତି ଜାଗାରେ ସୁସ୍ଥ ଭାବେ ବସିଥିଲା ଓ ବସି ଉଠିବା ପରେ ହିଁ ସେ ବୁଝିପାରୁଥିଲା କିଛି କିଛି । ଏକ ସ୍ତ୍ରୀ ବିଶେଷଜ୍ଞଙ୍କ ପରାମର୍ଶରୁ ଜାଣିପାରିଥିଲା ସେ କେବେ ମା' ହୋଇପାରିବନି । ଯେହେତୁ ବଞ୍ଚିଥିଲାଯାଏ ଏଇ ଚାକିରି ହିଁ ତାର ସବୁକିଛି ହୋଇ ରହିବ । ତେଣୁ ଆଜିଯାଏ ଭାଙ୍ଗି ପଡ଼ିନି ସେ । ବାସ୍ ବାହାଘର କଥା ଟାଳି ଟାଳି ଚାଲିଛି । ସେମିତି ଏତେବଡ଼ ହୃଦୟବାନ୍ କେହି ନଥିବେ ଯେ କି ଏତେବଡ଼ ସତ୍ୟକୁ ଗ୍ରହଣ କରିପାରିବ ।

କଥାରେ ଅଛି , "ଏ ମନ ଖୋଜୁଥାଏ ଯାହା , କାଳ ପ୍ରାପତେ ହୁଏ ତାହା " । ମାଟ୍ରିମୋନିରୁ ସୌଭାଗ୍ୟ ବଶତଃ କୌଶିକ୍ ର ଭାଇ ସହ ପାପାଲି ର ବିବାହମେଳକ ହୋଇଛି ! ତେଣୁ କୌଶିକ୍ କୁ ଖବର୍ ଦିଆ ହୋଇଛି , ଝିଅଟିକୁ ଦେଖି ତା ବିଷୟରେ ଜଣାଇବାକୁ ! ଏକଥା କୌଶିକ୍ ଯେତେବେଳେ ପାପାଲିକୁ କହିଲା , ପାପାଲି ସିଧା ନିଜ ପ୍ରସ୍ତାବ କୌଶିକ୍ ପାଇଁ ରଖିଲା ଓ ଘରେ ଜଣାଇଲା । କୌଶିକ୍ ପ୍ରତି ଦୁର୍ବଳତା ଥାଇ , ଜାଣି ଜାଣି କେମିତି ତା'ର ବଡ଼ ଭାଇଙ୍କର ଜୀବନକୁ ନଷ୍ଟ କରିବ! ବରଂ କିଛି ଦିନ କୌଶିକ୍ ମୁହଁରେ ହସ ଫୁଟାଇ ବଞ୍ଚେଇ ରଖିପାରିବ ।

ବେନିଜନେ ସମ ଦୁଃଖୀ । ନିଜ ମନ କଥା କୌଶିକ୍ କୁ କହିଲା । କୌଶିକ୍ କିନ୍ତୁ ତାକୁ ବିଧବା କରେଇ ପାରିବନି କହିବାରୁ , ସେ ଏମିତି ଯୁକ୍ତି ବାଢ଼ିଲା , ବାଧ୍ୟହୋଇ କୌଶିକ୍ ବାହା ହେବାର ସମ୍ମତି ଦେଲା । ଏଥର ପାପାଲି , ତା ବାପାଙ୍କୁ ସେକଥା ଜଣାଇବାରୁ , ବାହାଘର ଠିକ୍ ହୋଇଗଲା କୌଶିକ୍ ସହ । ତା'ପରେ ଯାହା ସବୁ ଘଟଣା ସ୍ବାଭାବିକ ଏକ ଝିଅ ପାଇଁ , ଶାଶୁଘରେ ବୋହୁଟିର । ପାପାଲିର ବି ସେଇ ସମାନ୍ ଘଟଣା ! କିଛି ତ ଆଉ ବେଶୀ ବଦଳିଯାଏନି କାହାପାଇଁ ?

------------

କୌଣସି ମା କେବେ ତା ସନ୍ତାନର କଷ୍ଟ ଦେଖି ପାରେନାହିଁ । ସେ ଭୁଲ୍ , ସନ୍ତାନଟି ଜାଣତରେ କରୁ ବା ଅଜାଣତରେ ! ବେଳେ ବେଳେ ବଡ଼ମାନେ ବି ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହୁଅନ୍ତି ! ଖୁବ୍ ଗର୍ବ କରନ୍ତି ପାପାଲିର ପାପା , ନିଜ ଝିଅକୁ ନେଇ । ଝିଅ ଯେ ତାଙ୍କର ଏତେ ବୁଝିପାରେ ସବୁ !

ସତରେ ଖୋଲାମନରେ ଜୀବନଟିଏ ଜୀଇଁବା ବି ଏକ କଳା । ତା'ବି କୋଉ ଆସେ ସମସ୍ତଙ୍କୁ ? ବାସ୍ ଟାଣି ଓଟାରି ଚାଲିବା କଥା ଯାହା ! ପାପାଲି ଘରକୁ ଆସିଲେ ମା'ଙ୍କର ସବୁ ମାନସିକ ପୂଜା ଆରମ୍ଭ ହୋଇଯାଏ ଗୋଟି ଗୋଟି ! ପାପାଲି ମନଦୁଃଖ କରେନି କି ହସି ବି ଦିଏନି ,ତା ମାମା ର ଏସବୁ ଦେଖି ! ଦୟା ଲାଗେ ତାକୁ , ମାମା କାହିଁକି ସହଜରେ ନେଇପାରେନି ଏ ଜୀବନକୁ !

ବାହାଘର ମାନେ କ'ଣ ଖାଲି ଦେହଭୋଗ , ଗର୍ଭୋଦୟ ଓ ସନ୍ତାନ ଜନ୍ମ କରିବା ? ଓଃ ସତରେ , ସେଇ କିଛି ପାଇଁ ବୋଧେ ଏ ବିପରୀତ ଧର୍ମୀ ଶରୀରକୁ ବନ୍ଧନରେ ବନ୍ଧାଯାଏ ! ଆଉ କିଛି ପାଇଁ ନୁହଁ ! କାହିଁକି ଜଣେ ଜଣଙ୍କର ସାହା ଭରସା ହୋଇ ବଞ୍ଚି ପାରିବେନି ?

ସତରେ , ଜୀବନର ମାନେ କ'ଣ ଏଇ ଗଣିତରେ ଥିବା କେତେକ ସାଧାରଣ ଧରାବନ୍ଧା ସଂକେତ ଯୁକ୍ତ , ବିଯୁକ୍ତ , ଭାଗ ଭାଗଫଳ , ସମାନ , ବର୍ଗ ବନ୍ଧନୀ , କୁଟିଳ ବନ୍ଧନୀ ? ନାଃ ....... ତା' ଭିତରେ ଦୁଇଟି ଛୋଟିଆ ଓ ସୁନ୍ଦର ସଂକେତ ଅଛି , ସେତିକି ଭିତରେ ହିଁ ପ୍ରକୃତ ଜୀବନ ..... " ବିନ୍ଦୁ " ରୁ ଆରମ୍ଭ " ଇନ୍-ଫିନିଟି " ରେ ହିଁ ଶେଷ ! ଏଇ ସାମାନ୍ୟ କଥାଟିଏ ବୁଝିବାକୁ ବି ସାରା ଜୀବନ୍ ଛୋଟ ପଡ଼ିଯାଏ ଥରେ ଥରେ । ହେଲେ ପାପାଲି ଠିକ୍ ବୁଝିଛି , ଦୁଃଖମୟ ଜୀବନକୁ କେମିତି ସୁଖରେ ପରିଣତ କରିହୁଏ । ଯେମିତି ସେ ନିଜେ କୌଶିକ୍ ସହ ବାନ୍ଧି ହୋଇଛି ନିଜ ଇଚ୍ଛାରେ !

-------------

ନାରୀଟିଏ ସନ୍ତାନ ବିନା ଅପୂର୍ଣ୍ଣ ! ହେଲେ ସେଇ କଷ୍ଟ ସେ ଜାଣି ଜାଣି ପିଇଛି ! ତେବେ କଷ୍ଟଟା କ'ଣ ଏକା ପାପାଲିକୁ ହେଉଛି ? କୌଶିକ୍ କୁ ବି ତ ସେଇ କଷ୍ଟ ହେଉଥିବ ! ହେଲେ ତାଙ୍କ ଘର ଲୋକେ କେମିତି ବା ଜାଣିବେ ଏ ସତ ? କ'ଣ ବିତିଛି କୌଶିକ୍ ଉପରେ । ସିଏ ତ ଆଜି ଯାଏ ମୁହଁ ଖୋଲି କିଛି କହିନାହାନ୍ତି । ଖାଲି ଜନ୍ମ କରିଦେଲେ କ'ଣ ବାପମା' ହୋଇ ଯାଆନ୍ତି ନା ନା ... ପିଲାର ଅସୁବିଧା ଯଦି ତା ମୁହଁରୁ ଜାଣି ନହୁଏ ! ତେବେ ସେ କେମିତି ବାପାମା' ପୁଣି !

ପିଲାଟିଏ ଆଡପ୍ଟ୍ କରିବାରେ କି ଅସୁବିଧା ଅଛି ଯେ ! ହେଲେ ମା'ତାର ଚାହେଁ , ତା'ରି ରକ୍ତ ମାଂସର ପିଲାଟିଏ । ତେବେ ସିଏ ତ ସେ ବିଷୟରେ କେବେବି ଭାବିନାହିଁ ଏସବୁ !

**********

ପାପାଲି ତ କୌଶିକ୍ ବିଷୟରେ କାହାକୁ କିଛି କହିନି ! ଦୁହେଁ ପିଲାଟିଏ ଜନ୍ମ କରିବେନି । ଡାକ୍ତର ବି ସିଧା ସିଧା ମନା କରିଛନ୍ତି । ତା ଆଗରୁ ସେମାନେ ନିଜେ ସେକଥା ସ୍ଥିର କରିଛନ୍ତି । ଶାଶୁଘର ସବୁ ଝିଅଙ୍କ ପାଇଁ ସମାନ୍ । ଭଲ ହେଲେ ସବୁ ଠିକ୍ , ପାନରୁ ଚୂନ ଖସିଲେ , କଥା ସରିଲା । ପାପାଲି ବା ସେଥିରୁ କେମିତି ବାଦ୍ ଯାଆନ୍ତା ! ସେ ବି ତ ବୋହୁଟିଏ !

ପିଲାଟିଏ ଦେଉନି କାହିଁକି ? ସାଙ୍ଗରେ ବାହା ହୋଇ ଥିବା ଯାଆର ପିଲା ପାଞ୍ଚ ପୁରି ଛଅ ଚାଲିଲାଣି । ଆଉ କେବେ କୌଶିକ୍ କୋଳରେ ପିଲାଟିଏ ଦେବ ପାପାଲି ? ଶାଶୁ ଓ ଯାଆ ମାନେ ପଚାରି ସାରିଲେଣି । ହସି ଦିଏ , କହେ , " ଏଇ ତୁମ ମାନଙ୍କ ପିଲାଏ କ'ଣ ଆମ ପିଲା ନୁହନ୍ତି ? ତେବେ ଆଉ ଜନ୍ମ କରିବା କ'ଣ ନିହାତି ଦରକାର ? " ତେବେ କଥାଟା ଟିକେ ଅଡ଼ୁଆ ଲାଗେ ସମସ୍ତଙ୍କୁ । କିନ୍ତୁ କୌଶିକ୍ ର ମା' କିଛି ଅଲଗା ଭାବନ୍ତି । ସେ ଜିଦି କଲେ ଦୁହିଁଙ୍କ ସହ ସ୍ତ୍ରୀ-ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବେ । ଟିକେ ଅରାଜି ହେଲେ ମଧ୍ୟ , ସାଙ୍ଗରେ ନେଇ ଗଲେ ମା'କୁ କୌଶିକ୍ ।

ଫେରିବା ସମୟରେ , ଯାହା ସବୁ ପାପାଲି କୌଶିକ୍ ବିଷୟରେ କହିଲା , କୌଣସି ମା' ଏକଥା ଧୈର୍ଯ୍ୟର ସହ ଶୁଣି ପାରିବନି ।

ସେତିକି ବେଳେ କୌଶିକ୍ ଏତିକି କହିଲେ " ମାମା , ମୋର ବଞ୍ଚିବାର ଏକମାତ୍ର ଆଶା ଓ ଭରସା ଏ ପାପାଲି , ଯିଏ ତୁମ ପୁଅକୁ ବଞ୍ଚିବାର ଆଶାଟିଏ ଦେଇଛି , ତୁମେ ତା ପାଇଁ କିଛି ତ୍ୟାଗ କରି ପାରିବନି ?" ମାମା ଆଉ କିଛି କହିବା ଆଗରୁ ପାପାଲିକୁ କୁଣ୍ଢେଇ ଭୋଭୋ କାନ୍ଦି ପକାଇ କହିଲେ ," ସେ ତ ଆଜି ମୋ ଠାରୁ ମାନ୍ୟରେ ବଡ଼ ହୋଇଗଲା , ସ୍ନେହ ୟାକୁ ହିଁ କହନ୍ତି , ଭଲ ପାଇବା ୟା ଠୁ ଶିଖିବା ଦରକାର୍ ଅଛି ସମସ୍ତଙ୍କର , ଏମିତି ତ୍ୟାଗ କରିବା ପାଇଁ କଲିଜା ଶକ୍ତ ଥିବା ଦରକାର ! ଓଃ , ମୋ ମୁଣ୍ଡ କିଛି ବି କାମ କରୁନିରେ ବାବା " । ସାଷ୍ଟାଙ୍ଗ କରାଇ ତାଙ୍କୁ ନେଇ ଘରେ ପହଞ୍ଚିଲେ ଦୁହେଁ ।

ଡାକ୍ତରଙ୍କ ସହ କଥା ହୋଇ ଫେରିବା ପରେ , ତାଙ୍କର ବ୍ୟବହାର ପାପାଲି ପ୍ରତି ଏକଦମ ବଦଳି ଯାଇଥାଏ । ଯାଆମାନେ ବି ଟିକେ ଆଶ୍ଚର୍ଯ୍ୟ ହେଉଥାନ୍ତି ! ହଠାତ୍ କ'ଣ ପାଇଁ ଏ ସମ୍ବେଦନଶୀଳତା ପାପାଲି ପ୍ରତି ମାମାଙ୍କର , କିଛି ବୁଝା ପଡୁ ନଥାଏ ଓ ସହଜରେ ହଜମ୍ ବି ହେଉନଥାଏ ।

କୌଶିକ୍ ଙ୍କର ଏଥର ଭାରତ ବାହାରେ କଂପାନୀ ଚାକିରୀ ହୋଇଗଲା । ଜାଣି ଜାଣି ପାପାଲି ହିଁ ଗୋଟିଏ କାମରେ ତାଙ୍କୁ ପକେଇ ଦୁଇ ଜଣଙ୍କର ବାହାରକୁ ଯିବା ବ୍ୟବସ୍ଥା କରିନେଲେ । କଂପାନୀ କଥା , ସମସ୍ତଙ୍କୁ କ'ଣ ସୁବିଧା ମିଳେ ଯେ , ବିଦେଶ ଚାଲିଯିବେ ?ପାପାଲି ତ ମ୍ୟାନେଜର , ତା ସାଙ୍ଗକୁ କାର୍ଯ୍ୟ କ୍ଷମତା ଉପରେ ଯାଞ୍ଚ କରି ବିଦେଶକୁ ପଠା ହୁଏ ଇଞ୍ଜିନିୟର ମାନଙ୍କୁ ! ତେଣୁ ସେ ଦାୟିତ୍ୱ ମ୍ୟାନେଜରର , ସେ ଚାହିଁଲେ ଯାହାକୁ ବି ମନୋନୀତ କରିପାରିବ । ଏ ସୁଯୋଗ ଜାଣିଶୁଣି ହାତଛଡା କରିଲାନି , ଦଶ ଜଣଙ୍କ ଜାଗାରେ ନିଜକୁ ଓ କୌଶିକ୍ କୁ ମଧ୍ୟ ଅନ୍ତର୍ଭୁକ୍ତ କରିନେଲା ।

ବାସ୍ ତା' ପରର ସୂର୍ଯ୍ୟୋଦୟ ଭାରତ ବାହାରେ ! ସମସ୍ତଙ୍କ ଆଖିର ପରିସୀମା ବାହାରେ , ଏତିକି ତ ଅପେକ୍ଷାରେ ଥିଲା !

**********

ଏଥର ସକାଳ କାଲିଫର୍ଣ୍ଣିଆରେ । ଏକ ନୂଆ ଆଶା , ନୂଆ କିରଣ , ନୂଆ ଉମଙ୍ଗ ସହ ଦୁହେଁ ଆସିଛନ୍ତି ଏକାଠି । ହଁ , ଏଇ କାଲିଫର୍ଣ୍ଣିଆ ହିଁ ତାଙ୍କର ବାକି ସ୍ବପ୍ନ ସାକାର କରିବ । ଏକ ବର୍ଷର ଚୁକ୍ତି ଭିତରେ ଅନେକ୍ କିଛି ସଜାଡି ନେଲେ ଦୁହେଁ । ସବୁ କିଛି ବ୍ୟବସ୍ଥା ଏ ଭିତରେ କରିନେଲେ , ଠିକ୍ ସମୟରେ ସବୁ କିଛି ସ୍ଥିର ହୋଇ ଯିବ। ବାସ୍ ଯିବାକୁ ଆଉ ଦୁଇମାସ ।

ଏଥର ପିଲାଟିକୁ ପାଖକୁ ନେଇ ଆସିଲେ । ଦୁହେଁ ଖୁବ୍ ଖୁସି ଥାଆନ୍ତି , ମୋବାଇଲ୍ ରେ ନାତୁଣୀକୁ ଦେଖି ସାରିଲେଣି ଦୁଇ ପଟର ବାପା ମା' । ତାଙ୍କ ଯାଆ ମାନଙ୍କର ସମସ୍ତଙ୍କର ପୁଅ , ହେଲେ ପାପାଲିର ଝିଅଟେ । ତେଣୁ ଶାଶୁ ଶ୍ବଶୁର ତ ବେଶୀ ଖୁସି ହେବା ସ୍ବାଭାବିକ !

*********

ଝିଅ ଏବେ ପ୍ରଥମରେ ପଢ଼ିଲାଣି। ଗ୍ରୀଷ୍ମବକାଶରେ ଯିବେ ଘରକୁ ମା'ଝିଅ । ଏଥର ପାପାଲି ବାପଘରେ କିଛି ଦିନ ରହିବାର ଇଚ୍ଛା ରଖିଲା । କିନ୍ତୁ ଜାଣି ପାରିଲାନି , ଏ ରହିବା ତା ପାଇଁ ଏକ ଅସୁବିଧାର କାରଣ ହୋଇଯିବ ବୋଲି ! ଯେଉଁ କଥା ସମସ୍ତଙ୍କ ଅଗୋଚରରେ ରଖିଥିଲା ତା' ଆଜି ଲୋକଲୋଚନକୁ ଆସିଯିବ !

ହଠାତ ଝିଅଟା ଦେହ ଖରାପ୍ ହେବାରୁ ଡାକ୍ତରଖାନାରେ ଆଡମିଶନ୍ କରିବାକୁ ପଡ଼ିଲା । କୌଶିକ୍ ଙ୍କୁ ଖବର୍ ଦେଲା ପାପାଲି । ଡାକ୍ତର କହିଲେ ଆପେଣ୍ଡିସାଇଟ୍ ବଢ଼ିଛି । ତେଣୁ ଅପରେସନ୍ ଜରୁରୀ । ଡାକ୍ତର ରକ୍ତଭଣ୍ଡାରରୁ ରକ୍ତ ମଗାଇଲେ । ସେମାନେ ତା ଆଗ ଦିନ ଅନେକ ରକ୍ତ ଖର୍ଚ୍ଚ ହୋଇଥିବାର ଜଣାଇଲେ । ତେବେ ବାପ-ମା'ଙ୍କ ରକ୍ତ ପରୀକ୍ଷା କରିବାକୁ କହିଲେ । ଦୁହେଁ ଅରାଜି ହେଲେ । ତେବେ ପାପାଲିର ବାପା କୌଶିକ୍ ସହ କଥା ହେବା ସମୟରେ , କିଛି ଏକ ଆଭାସ୍ ପାଉଥାନ୍ତି , ଏ ଝିଅଟି ବୋଧେ ତାଙ୍କ ଦୁହିଁଙ୍କର ଜନ୍ମିତା ନୁହଁ !

ତାଙ୍କ ମନରେ କିଛି ପ୍ରଶ୍ନ ବସା ବାନ୍ଧି ରହିଲା । ସମୟ ଦେଖି ପଚାରିବାର ନିଷ୍ପତ୍ତି ନେଲେ ।

ପାପାଲି କୌଶିକ୍ ଙ୍କୁ ହାଇଦ୍ରାବାଦ ଯିବାକୁ କହିଲା । ହେଲେ ସେ ଝିଅକୁ ଛାଡ଼ି ଯିବାକୁ ନାରାଜ୍ , ତେଣେ ଝିଅବି ତା ପାପାକୁ ! ଏଥର ପାପାଲି ବାଧ୍ୟ ହୋଇ କହିଲା ଘରେ ସବୁକିଛି । ତା ବାପା ମା' ଖୁବ୍ ଅଶାନ୍ତି ହେଲେ । ଭାବି ପାରୁ ନଥିଲେ ଜାଣି ଜାଣି ଝିଅଟା ନିଜ ଜୀବନକୁ କାହିଁକି ଏମିତି କରିଦେଲା ? ପାପାଲି ବୁଝେଇଲା , " ହଁ , ହସ୍ପିଟାଲରେ ରକ୍ତ ପରୀକ୍ଷା ସମୟରେ ଆସିଛି ତାଙ୍କୁ । ମା' ଭଗବାନ୍ ସମସ୍ତଙ୍କ ଭାଗ୍ୟରେ ସଧବା ରହିବା ଲେଖା ନଥାଏ ,କେତେକଙ୍କ ଭାଗ୍ୟରେ ସନ୍ତାନ ବି ଲେଖି ନଥାନ୍ତି , ସନ୍ତାନ ଥାଇ ବି ବାପ ମା ବେଘର ହୋଇ ରହୁଛନ୍ତି , ପିଲାଏ କେତେ ଜାଗାରେ ବାପମା'ଙ୍କୁ ଅବହେଳା ବି କରୁଛନ୍ତି । ପିଲାଟିଏ କୋଳେଇ ନେଲେ ସେ ଦୁଃଖ ତ ରହିବନି । ତେଣୁ ଝିଅଟେ ପାଳିବାକୁ ଇଚ୍ଛା କରିଲୁ ଆମେ । କାଲି ବାହା ହେବାର କିଛି ବର୍ଷ ପରେ ପରେ ଯଦି ଏମିତି କିଛି ଅଘଟଣ ଘଟିଥା'ନ୍ତା , ଯେମିତି ସେ ଏଚ୍-ଆଇ-ଭି ପଜିଟିଭ୍ , ୟାଙ୍କ ସହ କି ମୋ ସହ , ତୁ କହ କ'ଣ କରିଥା'ନ୍ତୁ ସେତେବେଳେ ? ମରିବା ତ ଆମେ ସମସ୍ତେ ଦିନେ ନା ଦିନେ , ହେଲେ ଭଲରେ ବଞ୍ଚିବାନି କାହିଁକି ଓ ସମସ୍ତଙ୍କୁ ଭଲରେ ବଞ୍ଚିବାକୁ ନଦେବା କାହିଁକି କହ !

ହଉ ତୁ ମନ ଦୁଃଖ କରନା , ଏ ଦୁନିଆରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି , କିନ୍ତୁ ଶୈଳୀ ଅଲଗା ଓ ତୋ ଝିଅ , ସବୁ ଶୈଳୀରୁ ଅଲଗା । ଆଜି ଯଦି କୌଶିକ୍ ତୋ ପୁଅ ହୋଇଥାନ୍ତେ , ତୁ ଏମିତି ଭାବିଥାନ୍ତୁ ? ଯିଏ ମୃତ୍ୟୁକୁ ଚାହିଁ ବସିଛନ୍ତି ପ୍ରତି ମୁହୂର୍ତ୍ତରେ ! ହେଲେ ଏବେ ସେ ଚିକିତ୍ସାଧୀନ। ଏତେ ଭଗବାନଙ୍କୁ ଡାକୁଛୁ , ସେଥିପାଇଁ ଆଜିଯାଏ ମୋ ଶଂଖା ସିନ୍ଦୁର ବଜ୍ର ଅଛି ବୋଧେ ।"

ତଥାପି କହି ପାରୁ ନଥାଏ ପ୍ରମାଣ ବିହୀନ ସତ୍ୟଟିଏ , ତା ଜନ୍ମକଲା ବାପାମା' ପାଖରେ ବି ! ସମାଜରେ ଚାକ୍ଷୁସ ହୋଇ ଯିବ ସେମାନଙ୍କ ଜୀବନ । ତେଣୁ ଚୁପ୍ ଚାପ୍ ଢୋକି ନେଇଛି କଳାପାଣିର କଳଙ୍କ ସବୁ । ଜୀଇଁବାକୁ ଦେଇଛି ଏକ ସୁଖର ଜୀବନ ତା ପରିବାରକୁ ।

ଆଉ କିଛି କହି ପାରୁନଥାନ୍ତି ପାପାଲିର ମା' । ଖାଲି ଲୁହରେ ଗାଧୋଇବା ସାର । କ'ଣ କହି ନିଜ ମନକୁ ବି ସାନ୍ତ୍ବନା ଦେବେ ! ପାପାଲି ଯେ ଏତେବଡ଼ ହୋଇଗଲାଣି ! ... ବାବା ତା'ର ଆସି କୁଣ୍ଢେଇ ପକାଇଲେ , ଆଖିରୁ ଝରିଯାଉଥାଏ ଅମାନିଆ ଲୁହର ଧାରା .... ବାକ୍ ଶୂନ୍ୟ ହୋଇ ରହି ଯାଇଥା'ନ୍ତି କେବଳ । ଭାବୁଥିଲେ , ମୃତ୍ୟୁ ସହ ଜୀବନର ପ୍ରେମ ଯେ କେତେ କଷ୍ଟକର , କେବଳ ସେ ହିଁ ଅନୁଭବ କରୁଥିବ ଏକା !

© ବିଶ୍ବ ଭାରତୀ (ଗୋସ୍ବାମୀ) ଦାଶ ।

# ୦୯୧୧୦୨୭୯୮୭୨ #


Rate this content
Log in

Similar oriya story from Drama