Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Drama Others

2  

Arabinda Rath

Drama Others

ଯୋଗାଡିଆ ପ୍ରେମ

ଯୋଗାଡିଆ ପ୍ରେମ

14 mins
7.8K


ଲେଖକ-ଅରବିନ୍ଦ ରଥ

କାଗଜ ଉପରେ ମୁଣ୍ଡଟିକୁ ମାଡି ପକେଇ, କଣ ସବୁ ରସ ରସ ଲେଖିବାରେ ମଦନା ବ୍ଯସ୍ତ ଥିଲା ବେଳେ, ମାଧବ ଦୋକାନ ଭିତରକୁ ଧସେଇ ପଶିଗଲା। ମଦନା କାଗଜଟା ଲୁଚେଇବା ଆଗରୁ ସେ ଚିଲ ପରି ଝାମ୍ପି ନେଇ ଏକା ନିଶ୍ବାସରେ ଲେଖାଥିବା ଚିଜ ସବୁ ପଢିଗଲା। ସେ ଲେଖାର କିଞ୍ଚିତ୍ ସୂଚନା ଏଠାରେ ନ ଦେଲେ ମହାଭାରତ ଅଶୁଦ୍ଧ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ସେ ଲେଖାର ଅବିକଳ ନକଲ ପ୍ରଦାନ କରାଗଲା---

ମୋ ନୟନ ପିତୁଳା ସୋନାଲିକା,

ନିବେଦନର ଅଭିପ୍ରାୟ ଏହିକି ଯେ, ଅଧୀନ ତୁମ ପ୍ରେମରେ ଭୟଙ୍କର ରୂପରେ ପଡିଯାଇଛି। ତୁମ ଚେହେରା ସିନା ମୁହାଁମୁହିଁ ଦେଖିନି, କିନ୍ତୁ ଫଟୋ ଦେଖି ମନରେ କେରାଣ୍ଢି ମାଛ ପରି ହସଖୁସି ସବୁ ଡିଆଁଚିରା ମାରୁଛନ୍ତି। ସୋନାଲିକା; କି ବେଳାରେ ଦଇବ ତୁମକୁ ଗଢିଛି ! ଆଖି ନୁହଁ ତ ସେଗୁଡା କଳା ସଂବାଳୁଆ ତଳେ ସଜନା ମଞ୍ଜି ସଜେଇଲା ପରି ଦିଶୁଛି। ଗାଲ ଦୁଇଟି ମାଙ୍କଡ ପିଚା ପରି ନାଲିଆ ଏବଂ ଓଠ ପାକଳ ଲିଚୁ କୋଳି ପରି ହେଇଛି। ନାକଟି ଦେଖିଲେ ପାତୁ ଜଳଖିଆ ଦୋକାନର ପକୁଡି ପରି ଦୁରୁଶ ହେଉଛି। ତୁମ କାନ ଦୁଇଟିକୁ ଦେଖିଲେ ମାଆର ଠାକୁର ଘରେ ସଜା ଯାଇଥିବା ଲକ୍ଷ୍ମୀ ଠାକୁରାଣୀ କୁଲା ପରି ଦିଶୁଛି। ମୁଣ୍ଡର ସାମ୍ପୂ କରା ଚୁଟି ସବୁ ମୋତେ ଲେଉଟାଣିଆ ଶାଗ ପରି ଲାଗୁଛି। ବେକ ନୁହଁ ତ ସେ ଲମ୍ବୁଡିଆ ଲାଉ ପରି........

--- ଆରେ ହେ ବଜ୍ଜାତିଆ ମାଧବ, ମୋ ଚିଠି ଦବୁ ନା ଦେଖିବୁ ଏଇଲେ। ଦେବି ଏକ ବ୍ରହ୍ମ ଚାପୁଡା ଯେ ବାପକୁ ଅଙ୍କଲ୍ ଡାକି ଭୂଇଁ ଶୁଙ୍ଘିବୁ।

--- ଓଃ, ଦୋକାନରେ ପରିବା ବିକ୍ରୀ ଚାଲିଛି ନା ପ୍ରେମ ଚାଲିଛି ମଦନା ଭାଇ। ତୁ ନଭ୍ ଲେଟର୍ ଲେଖୁଛୁ ନା ନଳକୂଅ ଖୋଳାଇବା ପାଇଁ ବି ଡି ଓ ପାଖକୁ ଦରଖାସ୍ତ ଲେଖୁଛୁ? ତୋ ମୁହଁକୁ ଲାଜ ନାହିଁ ଯାହା।

କିଛି ନ କହି ମଦନା ମୁହଁ ମାଡି ବସି ରହିଲା।

ସକାଳୁ ପାଣିପାଗଟା ଟିକେ ଅଖାଡୁଆ ହୋଇଯିବାରୁ ମଦନାର ମନଟା ଆମ୍ବିଳିଆ ହୋଇଯାଇଥିଲା। ବଜାରରେ ମଦନାର ପରିବା ଦୋକାନ ବେଶ୍ ଜଣାଶୁଣା। ପରିବାପତ୍ର, ଫଳମୂଳ, ତେଜରାତୀ ଜିନିଷ ଓ ମୋବାଇଲ ଭାଉଚର ବିକ୍ରୀ କରି ସେ ଖୁବ୍ କମ ଦିନ ଭିତରେ ବଡ ବ୍ଯବସାୟୀ ପାଲଟିି ଯାଇଥିଲା। ବଡ କଷ୍ଟରେ କୌଣସି ମତେ ଅଷ୍ଟମ ପାଶ୍ କରି, ଇଂରାଜୀର ଛବିଶି ଅକ୍ଷର ଓ ତୃତୀୟ ଶ୍ରେଣୀ ପିଲା କରି ପାରୁଥିବା ଗଣିତରେ ଅଗାଧ ପାଣ୍ଡିତ୍ଯ ଲାଭ କରିବା ସହ ଦୋକାନରେ ବସିବସି ହିସାବ ପତ୍ର ଓ ଅନ୍ଯ ବେପାରିଆ ପେଞ୍ଚୁଆ ବୁଦ୍ଧି ହାସଲ କରି ପାରିଥିଲା । ମଦନାର ବାପା ଅଥାନି ଗାଁଆର କର୍ମକୋଢିଆଙ୍କ ଭିତରେ ସଦାବେଳେ ପ୍ରଥମ ସ୍ଥାନରେ ରହୁଥିଲା। ସାରା ଜୀବନ କେବଳ ତାସ୍ ଖେଳ, ଗୁଲିଗପ ଓ ଅଫିମଖିଆରେ ସମୟ କାଟି ଏବେ ରୋଗୀଣା ହୋଇ ବିଛଣା ଧରି ପଡିଛି। ମଦନା ମାଆ, ଅଥାନିର ସେବା କରିକରି ବଡ ଦହଗଞ୍ଜ ଅବସ୍ଥାରେ ଦିନ କାଟୁଛି। ଘରକୁ ବୋହୂଟିଏ ଆଣିବାର ଆବଶ୍ଯକତା ଦିନକୁ ଦିନ ବଢି ଚାଲିଛି। ମାତ୍ର, ମଦନା ରୂପର ପରାକାଷ୍ଠା ଏତେ ଅଧିକା ଥିଲା ଯେ ଆଖପାଖ ଗାଁଆର ଝିଅ ମାନେ ତା ସହ ବାହାଘର ହେବା କଥା ଶୁଣିଲେ, ଦଉଡି ନ ହେଲେ ମୂଷାମରା ବିଷ ଧରି ବାପାମାଆଙ୍କୁ ଡରାନ୍ତି। ପିଲାଟା ଦେଖିବାକୁ ସେମିତି ବିଶେଷ ମନ୍ଦ ନ ହେଲେ ବି କିଛି ଆଳୁଦୋଷ ସମ୍ପର୍ଣ୍ଣ ଥିଲା। ତା ମୁହଁ ତୁଳନରେ ଆଖି ଯୋଡିକ ଅପେକ୍ଷାକୃତ ବଡ ଓ ନାକଟି ଚେପେଟା ଥିଲା। ଦାନ୍ତ ଦୁଇଧାଡି ପାଟି ଭିତରେ ରହିବା ପରିବର୍ତ୍ତେ କଇଁଛ ବେକ କାଢିବା ପରି ବାହାରକୁ ନେଫେଡି ହୋଇ ରହୁଥିଲେ। ଦେଖିବା ଲୋକ ଜାଣି ପାରିବନି ମଦନା ହସୁଛି, କାନ୍ଦୁଛି ନା ଖତେଇ ହେଉଛି। ସେସବୁ ଠିକ୍ ଥିଲା ଯେ, ପ୍ରତି ପାଞ୍ଚ ମିନିଟ୍ ରେ ସେ ପଚିଶି ଥର ଜିଭ ଲହଲହ କରି ନିଜ ଓଠକୁ ଚାଟି ଆଖି ମିଟିମିଟି କରୁଥିଲା। ପ୍ରଥମେ ତାକୁ ଯିଏ ଦେଖିବ, ଭାବିବ ଲହଲହ ଜିଭ କରି ତାକୁ ଗିଳିବ କି ଆଉ ! ହାତ ଗୋଡ ସବୁ କାଉଁରିଆ କାଠି ପରି ସରୁଥିଲା, ଅଥଚ ପେଟଟି ଲାଉତୁମ୍ବା ପରି ବାହାରକୁ ଭୁଷୁଡି ପଡିଥିଲା। ତାକୁ ଜଳାନ୍ତକ ରୋଗ ହୋଇଥିଲା କି କଣ କେଜାଣି, ବର୍ଷ ତମାମ ଦେହରେ ପାଣି ଟୋପେ ଢାଳୁ ନ ଥିଲା। ଖରା ଦିନେ ଝାଳ ବାହାରି ଦେହର ମଳି ସବୁ ରାସ୍ତାରୁ ପିଚୁ ବାହାରିଲା ପରି ବାହାରି ଦେହ ସାରା ଠାଏ ଠାଏ ଲାଗିଥାଏ। ସେସବୁକୁ ସେ ସଯତ୍ନେ ଗାମୁଛାରେ ପୋଛେ ଓ ସେଇ ଗାମୁଛାରେ ପରିବା ପତ୍ରରେ ମାଛି ବସିଲେ ଘଉଡାଏ। କେବେକେବେ ସେଓର ରଙ୍ଗ କେତେ ନାଲିଆ, ଗ୍ରାହକଙ୍କୁ ଦେଖେଇବା ପାଇଁ ସେଇ ଗାମୁଛାରେ ଘଷିମାଜି ପକେଇଲା ବେଳକୁ ନାଲିଆ ସେଉର ରଙ୍ଗ କାଳିଆ ହୋଇଯିବାର ନଜିର କିଛି କମ୍ ନାହିଁ।

ତା ଦୋକାନରେ ମୋବାଇଲ୍ ରିଚାର୍ଜ କରିବାକୁ କେତେ ଜାତିର ପ୍ରାଣୀ ମାନେ ଆସନ୍ତି। ଝିଅଙ୍କ ତୁଳନାରେ ବେଶି ପୁଅ ଆସନ୍ତି । କାରଟା ଜାଣିବାକୁ ଥରେ ସେ ଗୋଟେ ପିଲାକୁ ପଚାରିବାରୁ ଜାଣିଲା ଯେ, ପୁଅ ମାନେ ସବୁ ଝିଅ ମାନଙ୍କ ମୋବାଇଲରେ ରିଚାର୍ଜ କରି ଦିଅନ୍ତି, ତେଣୁ ସେମାନଙ୍କର ଦୋକାନ ଆସିବାର ଆବଶ୍ଯକତା ନ ଥାଏ। ତା ଦୋକାନକୁ ମକୁନ୍ଦା ନାମକ ପିଲା ନିତିଦିନ ଆସେ। କଲେଜ୍ ପଢୁଆ ପିଲା ସେ ; ତା ରଙ୍ଗଢଙ୍ଗ ଦେଖିଲେ ଯାତ୍ରାପାର୍ଟିର ନାୟକ ପରି ଲାଗେ। ମଝିସୁନ୍ଥା କରି ସାମ୍ପୋକରା ଚୁଟିକୁ ଦୁଇ ଫାଳକରି କୁଣ୍ଡେଇ, ଆଖିରେ କଳା ଚଷମା ଲଗେଇ, ଦୁଇ କାନରେ କାନଗେଞ୍ଜା ଯନ୍ତ୍ର ଗେଞ୍ଜି, ବେକକୁ ବଗ ପରି ହଲେଇ ସେ ଯେତେ ବେଳେ ଆସେ ମଦନା ମନଟା ରାମ୍ପିବିଦାରି ହୋଇଯାଏ। ପିଲାଟାର ପାଠ ଘର ଶୂନ ବୋଲି ଯିଏ ବି ଦେଖିବ ଜାଣି ପାରିବ, କିନ୍ତୁ ତା ସାଙ୍ଗରେ ସବୁ ଦିନ ନୂଆ ଝିଅ ମାନେ ଆସନ୍ତି। ମଦନା ଭାବେ, ପିଲାଟା ଦେହରେ କୃଷ୍ଣଙ୍କର ଆଲକାତରିଆ ରଙ୍ଗରୁ ଟିକେ ଛିଞ୍ଚି ହୋଇ ପଡିଛି ନିହାତି। ନୋହିଲେ ଏ ମେଞ୍ଚଡ ଟୋକା ଏତେ ଝିଅଙ୍କୁ ଧରି ଥେଇଥେଇ ନାଚୁଛି କିପରି। ମନଟା ତା’ର ଉଦାସିଆ ହୋଇଯାଏ। ବୋପାଟା ଟିକେ ଭଦ୍ର ଲୋକ ହୋଇଥିଲେ ଆଜି ସେ ହାତରେ ନିକିତି ଧରି ଦୋକାନରେ ବସି ନ ଥାନ୍ତା। କଲେଜ୍ ରେ ଠାଣୀ ମାରି, ଝିଅ ପିଲାଙ୍କୁ ସାଇକେଲ ପଛରେ ବସେଇ ତ୍ରିଭୂବନ କମ୍ପେଇ ସାରନ୍ତାଣି। ଏ ମେଞ୍ଚଡ ପିଲା ତା ଦୋକାନରୁ ଆଇସକ୍ରିମ୍ କିଣି ଝିଅଙ୍କୁ ଦେଉଛି, କିନ୍ତୁ ସେ ପୁଞ୍ଜାପୁଞ୍ଜା ଝିଅଙ୍କୁ ଆଣି ଫ୍ରିଜ୍ ଭିତରେ ପୁରେଇ କୁହନ୍ତା-- କେତେ ଖାଇବ ଖାଅ, ଆଇସକ୍ରିମ୍ ଖାଇ ଫ୍ରିଜ୍ ଖାଇଗଲେ ବି ମୋର ଫିକର୍ ନାହିଁ। ଆରେ, ମୋ ନିଜ ଦୋକାନ ପରା।

ମଦନା ଦୋକାନକୁ ମାଇପି ପିଲା ମାନେ ଆସିଲେ ଆଖି ତଳକୁ କରି ଛିଡା ହୁଅନ୍ତି। ତା ମୁହଁ ଚାହିଁଲେ କଅଣ କିଣିବାକୁ ଆସିଛନ୍ତି କାଳେ ଭୁଲିଯିବେ ସେଇ ଡରରେ। ତା ବ୍ଯତୀତ ମଦନା ଯେପରି ତା ଜିଭ ଲହଲହ କରି ଲୋକଙ୍କ ସହ କଥାବାର୍ତ୍ତା କରେ, ଟିକେ ଅସାବଧାନ ହେଲେ ମୁହଁରେ ଛେପର ସମୁଦ୍ର ବୋହିଯିବାର ଯଥେଷ୍ଟ ଆଶଙ୍କା ଥାଏ। କିଛି ଲୋକ ତା କଥା ଭଲରେ ବୁଝି ପାରନ୍ତିନି। ଜିଭଟା ସିନା ଦାନ୍ତରେ ଠିକ୍ ରେ ଠେସେଇହେଲେ ବଚନ ସୁନ୍ଦର ହେବ, ଯଦି ଜିଭ ଓ ଦାନ୍ତର ଦୂରତା ଅଲଙ୍ଘନୀୟ ଥିବ ଶବ୍ଦ ମାନଙ୍କର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ? ଏମିତି କିଛି ଅନିବାର୍ଯ୍ଯ କାରଣ ରୁ ମଦନାର ଶବ୍ଦ ଅଭିଧାନ ରେ ଅର୍ଦ୍ଧାଧିକ ଶବ୍ଦର ଉଚ୍ଚାରଣ କିମ୍ଭୁତକିମ୍ଭାକାର ଥିଲା। ବୁଝି ପାରୁଥିବା ଲୋକ ବୁଝିବ ନୋହିଲେ ଚପଲରେ ସେକିବା ସାର ହେବ।

ପିଲା ଦିନୁ ଶୁଣି ଆସିଛି ସବୁ ସଫଳ ପୁରୁଷଙ୍କ ସଫଳତା ପଛରେ ଜଣେ ନାରୀର ହାତ ଥାଏ। କିନ୍ତୁ ତା ସଫଳତା ପଛରେ ବେପାରିଆ ବେଇମାନି ବୁଦ୍ଧି, ପାଞ୍ଚକୁ ପଚିଶି କରିବାର କଳା, ଶୁଖା ପରିବା ରେ ପାଣି, ହରମୋନ ଦେଇ ତଟକା କରିବାର ତୁଟୁକା ଓ ଅଗଣିତ ପେଞ୍ଚଦିଆ ବୁଦ୍ଧିର ହାତ ଅଛି ସିନା, କୌଣସି ନାରୀର ନାହିଁ। ସେ ସଫଳ ହୋଇ ପାରିଛି, ଏବେ ଖାଲି ଦରକାର ଗୋଟେ ନାରୀର ହାତ। ମାଆ ବି ସକାଳ ପହରୁ ରାତି ଯାଏ “ବାହା ହେଇ ବୋହୁଆଣେ” ନାଦରେ ଗଗନପବନ ପ୍ରକମ୍ପିତ କରୁଛି। କିନ୍ତୁ ଝିଅଟେ ମିଳିଲେ ତ ବାହା ହେବ। ଜୀବନର ଚଉତିରିଶିଟି ହୋଲିରେ ରଙ୍ଗ ସିନା ଖେଳିଛି, ତା ଜୀବନଟା ଧଳା କାଗଜ ପରି ରଙ୍ଗହୀନ।

ଦିନେ ଦୋକାନରେ ମୁହଁ କୁନ୍ଦୁରେଇ ବସିଥିଲା ମଦନା। ମକୁନ୍ଦା ଏପରି ଧାନ ଉଁସୁଆଁ ହାଣ୍ଡି ପରି ମୁହଁର କାରଣ ଜାଣିବାକୁ ଚାହିଁବାରୁ, ସେ କୋହ ଚାପି ନ ପାରି ମନର ସବୁ ବେଦନାକୁ ଗଳଗଳ କରି ଉଦ୍ଗାର କରିପକାଇଲା। ରୁମାଲ କାଢି ମୁହଁରୁ ତିନି ସେର ସରିକି ଛେପ ପୋଛି, ରମାଲକୁ ଚିପୁଡି ପକେଟରେ ପୁରେଇଲା ମକୁନ୍ଦା। ପାଟିରେ ଗୁଟୁଖାଟେ ପକେଇ ଗଳା ଝାଡି କହିଲା

-- ଓଃ, “ଏଇ କଥାକୁ ନାଆ ପେଲିଦେଲି କଲିକତା କୁ”। ମଦନା ଭାଇ, ତୁମେ ଏ ମକୁନ୍ଦାକୁ ଜାଣିନ। ମୋ ରୂପଟା ସିନା ମେଞ୍ଚଡ, କିନ୍ତୁ ମୁଁ ଭୟଙ୍କର ଖେଚଡ। ତୁମେ ମୋ ମାାଆ ପେଟର ଭାଇ ନ ହେଲେ କଣ ହେଲା, ମୁଁ ତୁମକୁ ଭାଇ ବୋଲି ମାନି ଆସିଛି। ତୁମ ପାଇଁ ଝିଅ ମିଳିବେନି?? ଦେଖିବା କେମିତି ମିଳିବେନି। ଏମିତି ପିଞ୍ଛାଳିଆ ବୁଦ୍ଧି କରିବି ଯେ ଝିଅ କଣ, ଝିଅର ମାଆ ବି ତୁମ ପାଖରେ କଲେଇ ପୋକ ପରି ଉଡି ବୁଲିବେ। ଆରେ, ମୋ ପଛରେ ପରା କୋଡିଏ ପଚିଶି ଝିଅ ଦିନ ତମାମ ବୁଲୁଛନ୍ତି। କିନ୍ତୁ “ମୋ ପାଖେ ସମୟ ନାହିଁ” କହି ସେମାନଙ୍କୁ ବିଦା କରି ଦେଉଛି। ସେମାନେ କହୁଛନ୍ତି, ମୁଁ କୁଆଡେ ସଲମାନ୍ ଖାନ୍ ର ପୂର୍ବରୂପ ପରି ଦିଶୁଛି ; ମାନେ, ଯେତେବେଳେ ସେ ନୂଆନୂଆ ବହି କରୁଥିଲା। ଆଉ କିଛି ବର୍ଷ ଭିତରେ ମୋ ହାତଗୋଡର ମାଂଶପେଶୀ ସବୁ ଗୋବା ଗୋବା ହୋଇ ବାହାରିଯିବ, ଆଉ ମୁଁ ବି ସାର୍ଟ ବୋତାମ ଖୋଲି ଥେଇଥେଇ ନାଚିବି। ଆମ ମେସ୍ ର ପିଲା ମାନେ ମୋତେ ମକୁନ୍ଦା ନ ଡାକି ଗୋବିନ୍ଦା ଡାକନ୍ତି। ମୋ ନାଚ ଦେଖିଲେ ରମ୍ଭା, ଉର୍ବଶୀ ବି ବିଲୁଆ ଗାତରେ ପଶି ଯିବେ।

ମକୁନ୍ଦାର ଗାଲୁ ପବନ ଏତେ ଯୋରରେ ବୋହିଲା ଯେ ମଦନା ପାଟି ମେଲା ହୋଇ ରହିଗଲା। ସେ ଜିଭ କାଢିବା ଭୁଲି, ଆଖି ତରାଟି ସବୁ କଥା ଢକଢକ କରି ପିଇଚାଲିଥିଲା। ତେଣେ ପାଟିରୁ ଲାଳ ବୋହି ଗାମୁଛା ତିନ୍ତିବା ଅବସ୍ଥା। ବେଦନିଆ ସ୍ବରରେ ସେ କହିଲା,

– – ହଁ ରେ ମକୁନ୍ଦା, ତୋତେ ଭଗବାନ ସାନ ସଲମନ ଖାନ୍, ଗୋବିନ୍ଦା କରି ଗଢିଛନ୍ତି, ତୋ ଭାଗ୍ଯ। କିନ୍ତୁ ମୋ ବେଳକୁ ବିରାଡି ଛିଙ୍କିଲା ନା ଠାକୁରଙ୍କ ଛାତିରେ ଝିଟିପିଟି ପଡିଲା କେଜାଣି, ମୋତେ ଏମିତି ଧିକଜୀବନିଆ କରି ପୃଥିବୀକୁ ଫିଙ୍ଗିଦେଲେ। ଗାମୁଛାରେ ପାଟିର ଲାଳ, ମୁଣ୍ଡର ଝାଳ ଓ ଆଖିର ଝୋଳ ପୋଛି କହିଲା ମଦନା।

--- ମାର ଗୁଲି ସେ ଭଗବାନଙ୍କୁ। ମୁଁ ତୁମକୁ ଉଦ୍ଧାର କରିବି। ମୁଁ କୃଷ୍ଣ ହେଲେ ତୁମେ ହେଲ ଅର୍ଜୁନ। ତୁମର ସେ ମରହଟ୍ଟିଆ ମୋବାଇଲଟା ହେଲା ଗାଣ୍ଡିବ ଧନୁ। ସେଇ ଧନୁରୁ ମୁଁ ଯେମିତି ଶିଖେଇବି ସେମିତି ତୀର ନାଛି ଦେଇଯିବ। ଝିଅ ଗୁଡା ଆଉଟୁ ପାଉଟୁ ହୋଇ ତୁମ ପାଖକୁ ଦଉଡିବେ। କିନ୍ତୁ ମଦନା ଭାଇ ସେତେବେଳକୁ ମୋତେ ଚିହ୍ନିବ ତ?

– – ତୁ ଯେମିତି କହୁଛୁ, ଯଦି ସେତିକି କରି ଦେବୁ, ତୋ ପାଦ ଧୋଇ ସେ ପାଣିକୁ ପାଞ୍ଚ ଲିଟିରିଆ ବୋତଲରେ ରଖି ସାରା ଜୀବନ ଅମୃତ ପାଇଲା ପରି ପାଉଥିବି। ଭକ୍ତିରେ ଗଦଗଦ ହୋଇ କହିଲା ମଦନା।

ଏ ଘଟଣା ଘଟିବାର ଦୁଇ ଦିନ ପରେ ଗୋଟିଏ ଗୋଲାପୀ ରଙ୍ଗର ଲଫାପାରେ ଜଉମୁଦ ମରାଯାଇ ଏକ ଚିଠି ଆସି ମଦନା ପାଖରେ ପହଞ୍ଚିଲା। ଚିଠି ଖୋଲିଲା ବେଳକୁ ଦୋକାନ ଭିତରଟା ମହମହ ଭାସିଗଲା। ସେ ଅକ୍ଷର ନୁହଁ ତ ବାଇଗଣ ମଞ୍ଜି। ସେ ସାତ ଜନ୍ମ ତପସ୍ଯା କଲେ ବି ସେମିତି ଚିଠି ଲେଖିପାରିବନି। ସେଥିରେ ଲେଖାଥିଲା--

ପ୍ରିୟ ମଦନା ,

ଆମ କଲେଜ ହିରୋ ମକୁନ୍ଦା ଓରଫ ସାନ ସଲମନ ଖାନ ଠାରୁ ତୁମ ବିଷୟରେ ଶୁଣି କାନ୍ଦିକାନ୍ଦି ତିନିି ଥର ଚେତା ବୁଡିଲି। ଟିକେ ଭଲ ପାଇବା ପାଇବାକୁ ତୁମର ରଙ୍କରାଡିଆ ଅବସ୍ଥା ଦେଖିଲେ ବରଫ ବିି ତରଳି ଯିବ। ତୁମ ରୂପ ଯାହା ବି ହୋଇଥାଉ ମୋର ପରବାୟ ନାହିଁ, ତୁମ ହୃଦୟଟା କଟକ ଦାମ ମହାରାଜ କଚୋଡିି ଚାଟ୍ ପରି କୁଡୁକୁଡିଆ ଓ ଖଟାମିଠା ମିଶା। ସେ ହୃଦୟରେ ମୋ ପ୍ରେମର ଚାମୁଚ ଖେଞ୍ଚି ଖାଇବାରେ ମୋର ତିଳେ ମାତ୍ର ଆପତ୍ତି ନାହିଁ। ଆଜିକାଲି ପ୍ରେମ ଚାଲୁ ଗୋପାଳ ପରି ଫିକା ଓ ବାସ୍ନାବିହୀନ। କିନ୍ତୁ ମୁଁ ତୁମକୁ କଥା ଦେଉଛି ମୋ ପ୍ରେମର ବାସ୍ନା ବାବା ଶହେ ଷାଠିଏ ଜର୍ଦ୍ଦା ପରି ତାଜା ଓ କଡାମାର୍କା। ଏ ପ୍ରେମର ଡବା ଖୋଲିଲେ ନାକପୁଡା ଭିତର କୁଣ୍ଡେଇ ହୋଇଯିବ, ଆଖି ଡୋଳା ନାଲିଆ ପଡିଯିବ। କିନ୍ତୁ,ମୋର କିଛି ସର୍ତ୍ତ ଅଛି, ଯାହା ତୁମକୁ ମାନିବାକୁ ପଡିବ। ମୋ ସହ କେବଳ ଚିଠିପତ୍ର ନୋହିଲେ ମୋବାଇଲ୍ ମେସେଜ୍ ରେ କଥାବାର୍ତ୍ତା ହେବ। ମୋବାଇଲ ନମ୍ବର ଟା ଚିଠିରେ ଦେଇଛି, କିନ୍ତୁ ଫୋନରେ କଥା ହେବା ପାଇଁ ବାଧ୍ଯ କରିବନି। ମୋତେ ଉପହାର ବହୁତ ଭଲଲାଗେ, ତେଣୁ ଦେବାରେ କଞ୍ଜୁସି କରିବନି। ମୁଁ ନିଶ୍ବାସ ନେବାକୁ ଭୁଲି ଯିବି ହେଲେ ଆଇସକ୍ରିମ୍ ଖାଇବାକୁ କେବେ ବି ଭୁଲି ପାରିବିନି। ସମୟ ସୁବିଧା ଦେଖି ମକୁନ୍ଦା ହାତରେ ସେ ଜିନିଷଟି ମୋ ପାଖକୁ ନିହାତି ପଠାଉଥିବ। ହଁ, ଆଉ ଗୋଟିଏ ଛୋଟ କଥା। ଯଦି କେତେବେଳେ କେମିତି ପଇସାପତ୍ର ଦରକାର ପଡିଲା ମୋତେ ସାହାଯ୍ଯ କରିବ। ମୁଁ ତୁମର ହେବା ପରେ, ମୋର ସବୁ ଜିନିଷ ତୁମର ଓ ତୁମର ସବୁ ଜିନିଷ ମୋର। କିଛି ଦିନ ଏମିତି ପ୍ରେମଲୀଳା ଚାଲିଲା ପରେ, ଯଦି ମୋତେ ଲାଗିବ ଯେ ତୁମେ ମୋ ପାଇଁ ଯୋଗ୍ଯ ବରପାତ୍ର, ମୁଁ ନିଜେ ତୁମ ଘରେ ଶଶରୀରେ ପହଞ୍ଚିବି। ମୋ ଫଟୋଟି ଚିଠି ଭିତରେ ଦେଇଛି। ତୁମେ ଭାବିବ ସେଇ ଫଟୋ ଭିତରେ ମୁଁ ଅଛି। ମୋ ଫଟୋ ସହ ମନଇଛା ଗପିପାରିବ, ସେଥିପାଇଁ କିଛି କଟକଣା ନାହିଁ। ମୋ ଚିଠିଟି ପାଇଲା ପରେ ନିହାତି ମୋତେ ଚିଠି ଦେଇ, ତୁମ ମନ କଥା ଜଣାଇବ। ମୁଁ ରହିଲି.... ତୁମର କେବଳ ତୁମର ସୋନାଲିକା।

ଚିଠିଟି ଗୋଟେ ନିଶ୍ବାସରେ ପଢି ସାରି ମଦନା ମୁଣ୍ଡରୁ ଝାଳ ପୋଛିଲା। ତା ଭାଗ୍ଯ ଏମିତି ଭାବରେ ବଦଳିଯିବ ବୋଲି ସ୍ବପ୍ନରେ ସେ ଭାବି ନ ଥିଲା। ଚିଠିଟିକୁ କେଉଁଠି ରଖିବ ସେ କଥା ଭାବିଲା ବେଳକୁ ତା ମୁଣ୍ଡ ଗୋଳମାଳ ହୋଇଗଲା। ଚାରିଆଡେ ତ କୁଢକୁଢ ଅସନା ଜିନିଷ ଗଦେଇ ହୋଇ ପଡିଛି। ତା ସ୍ବପ୍ନର ନାୟିକା ରହିବ କେଉଁଠି ? ଦୋକାନ ଭିତରେ ଆଖି ବୁଲେଇ ଦେଖିଲା , ପରିବା ବସ୍ତା, ପଚା ପରିବା, ତେଜରାତି ଜିନିଷ ଓ ଅନେକ ଅଦରକାରୀ ଜିନିଷରେ ଦୋକାନଟା ଏକରକମ ଅଳିଆଗଦା ପରି ଦିଶୁଛି। ନାଁ ...ଏ ଯାଗାରେ ରଖିହେବନି। ପୁଣି ଘର ଭିତରକୁ ଦଉଡିଲା। ଚାରି ଆଡ ଖୋଜିଖୋଜି ଶେଷରେ ଟଙ୍କା ରଖା ଆଲମାରି ଲକର ଭିତରେ ଯତ୍ନରେ ରଖିଦେଲା ସେ ଚିଠି ଓ ଫଟୋକୁ। ଦୋକାନରେ ବସି ମନେ ମନେ ହସୁଥାଏ...

ତା ହେଲେ ତାକୁ ଏଥର ପ୍ରେମ ହୋଇଗଲା। ତା ନାୟୀକାର ନାମ ସୋନାଲିକା। ହଁ, ସତରେ ସୁନା ପରି ଝିଅଟା ହୋଇଛି। ଫଟୋରେ ଏମିତି ଦିଶୁଛି ତ ସତସତିକା କେଡେ ସୁନ୍ଦର ହୋଇଥିବ। କାଗଜରେ ତା ନାମ ଓ ଝିଅ ଟିର ନାମ ଲେଖି ମଝିରେ ଯୁକ୍ତ ଚିହ୍ନ ଦେଇ, ଅନେକ ସମୟ ଯାଏ ଚାହିଁ ରହିଲା। ତାକୁ ଲାଗିଲା ଦୁନିଆଁର ରଙ୍ଗ ଅଚାନକ ବଦଳି ଯାଇଛି। ପବନରେ କେମିତି ଗୋଟେ ଅଜଣା ବାସ୍ନା ଖେଳିବୁଲି ତା ମନକୁ ମତୁଆଲା କରିଦେଉଛି। ଏତେ ଦିନ ଧରି କୋଇଲି ଡାକ ଓ କାଉ ରାବର ପାର୍ଥକ୍ଯ ଜାଣି ପାରୁ ନ ଥିବା ମଦନାକୁ କୋଇଲିର କୁହୁତାନ ଆଜି କେତେ ମଧୂର ଲାଗୁଛି। ବାଦଲରେ, ଗଛର ପତ୍ର ଉହାଡରେ, ଦୂର ପାହାଡରେ, ଲୋକଙ୍କ ଭିଡ ଭିତରେ ; କାହିଁକି ତାକୁ ଆଜି କେବଳ ସୋନାଲିକାର ଚେହେରା ଦିଶୁଛି। ପାଖ ଦୋକାନ ରେ ଚବିଶି ଘଣ୍ଟା ବାଜୁଥିବା ଗୀତର ପ୍ରତ୍ଯକଟି ଶବ୍ଦ ତାକୁ ଆଜି ଏତେ ଅର୍ଥପୂର୍ଣ୍ଣ କାହିଁକି ଲାଗୁଛି। ସେ ଦୋକାନିଟା ଜାଣି ଗଲାକି ଆଉ, ତାର ଓ ସୋନାଲିକାର ପ୍ରେମ ବିଷୟରେ। ନୋହିଲେ ଏମିତି ପ୍ରେମାଳିଆ ଗୀତ ଗୁଡାକ କାହିଁକି ବଜାଉଛି? ଆଜି ଗ୍ରାହକ ମାନେ ଦର ମୂଲଚାଲ କଲା ବେଳେ ସେ ବିରକ୍ତ ହେଉନି, ବରଂ ଗ୍ରାହକଙ୍କୁ ସୁହାଇବା ଦରରେ ଜିନିଷ ବିକ୍ରି କରୁଛି। କାହିଁକି ତା ମନରେ ଆଜି ଏତେ ଦୟା ଉବୁରି ପଡୁଛି, ଯେଉଁ ଭିକାରୀ ବୁଢାକୁ କେବେ ଅଧୁଲିଟିଏ ଦେଇନି ତାକୁ ପାଖକୁ ଡାକି ପାଞ୍ଚଟଙ୍କା ଓ ବିସ୍କୁଟ୍ ପ୍ଯାକେଟ୍ ଟିଏ ଦେବା ପାଇଁ ମନ ବଳଉଛି। ଓଃ, ସେ ପ୍ରେମ ରେ ପଡି ଯାଇଛି ପରା।

ସେ କିଛି ଲେଖିବ ସୋନାଲିକାକୁ, ନହେଲେ ମେସେଜ୍ ଟେ ପଠେଇବ ମୋବାଇଲରେ। ତା ମୋବାଇଲ ନମ୍ବର ତ ଚିଠିରେ ରହିଗଲା। ସାହାସ ହେଲାନି କିଛି ମେସେଜ୍ ଲେଖିବାକୁ। ତା ପାଠଶାଠର ଜ୍ଞାନ ଯାହା, କିଛି ଭୂଲ ଭଟକା ଲେଖିଦେଲେ କଥାଟା ବିଗିଡି ଯାଇପାରେ। ହଁ, ସେ ଚିଠି ଲେଖିପାରିବ। ପିଲା ଦିନେ ଅନେକ ଚିଠି ଲେଖିଛି ପରୀକ୍ଷା ଖାତାରେ। ଯାହା ଭାବୁଛି ଲେଖିଦେବ, ସେଥିରେ କଣ ଅଛି? ମନଧ୍ଯାନ ଦେଇ ଚିଠିଟା ଲେଖିଲା ବେଳକୁ ମାଧବ ଆସି ସବୁ ମାରା କରିଦେଲା। ରାଗରେ ସେ ଦରଲେଖା ଚିଠିଟାକୁ ଚିରି ଦେଇ ମନମାରି ବସିଲା। ଏମନ୍ତ ଅବସ୍ଥା ଦେଖି ଦୋକାନରୁ ମାଧବ ଚମ୍ପଟ ମାରିଲା। ସେତିକି ବେଳକୁ ମକୁନ୍ଦା ଦାନ୍ତ ଦୁଇଧାଡି ନେଫେଡି ଦୋକାନ ରେ ପଶି ମଦନା କୁ କହିଲା--

--- କଣ ମଦନା ଭାଇ ସବୁ ଠିକ୍ ଚାଲିଛି ତ? ସୋନାଲିକା ତୁମକୁ ଚିଠି ଦେଇଥିଲା, ପାଇଛ କି ନାହିଁ? ତୁମେ କିଛି କହିଲେ ମୁଁ ତାକୁ ଖବର ଦେବି ସେଥିପାଇଁ ଆସିଲି। ମୋର ତେଣେ ବହୁତ କାମ ପଡିଛି।

ସୋନାଲିକା ର ନାମ ଶୁଣିଲା ବେଳକୁ ମଦନା ଛାତି ଭିତରେ କଣ ଗୋଟେ ଖସି ପଡିଲା ପରି ଲାଗିଲା। ଲୋମମୂଳ ସବୁ ଟାଙ୍କୁରୀ ଉଠିଲା, ନ ଚାହିଁଲେ ବି କଣ୍ଠସ୍ବର ଟା ଥରି ଉଠିଲା। ସେ ଧିର ସ୍ବରରେ କହିଲା-- ଚିଠି ପାଇଲି ଓ ସବୁ ବୁଝିଲି। ସେଇ ଚିଠିର ଉତ୍ତର ଲେଖିଲା ବେଳକୁ ଏ ନିଉଛୁଣିଆ ମାଧବ ଟା ସବୁ ବେଙ୍ଗାଳିଆ କରିଦେଲା। ମୋତେ ଲାଗୁଛି ମୁଁ ଚିଠି ଲେଖି ପାରିବିନି। ମୋର ଜ୍ଞାନ ଯାହା, ଯଦି ଟିକେ ଓଲଟ ପାଲଟ ହୋଇଯିବ, ମୋ ଘର ତିଆରି ହେବା ଆଗରୁ ଭୁଷୁଡି ଯିବ।

– – ଠିକ୍ କହିଲ ଭାଇ। ମୋତେ ତୁମ ମନକଥା ସବୁ କୁହ, ମୁଁ ସବୁ କଥା ନେଇ ସୋନାଲିକା ପାଖରେ ଉଗାଳି ଦେବି। ଚିଠି ଲେଖିବା ଯାହା, ମୋ ମାଧ୍ଯମରେ ବାର୍ତ୍ତା ପଠେଇବା ସେୟା। ପୂରାଣ କାଳରେ ତ ସେମିତି ପ୍ରେମ ଚାଲିଥିଲା, ତେଣୁ ଚିନ୍ତା କାହିଁକି?

ମକୁନ୍ଦା ର କାନ ପାଖରେ ଅଧଘଣ୍ଟା ସରିକି ମଦନା କଣ ସବୁ ଚଭର ଚଭର ହୋଇ ଗପି ଦେଇଗଲା। ତା ହାତରେ ଆଇସକ୍ରିମ୍ ପୁଞ୍ଜାଏ ଦେଇ କହିଲା-- ମୋ ମନର କଥା ଯାହା କହିଲି ସବୁ କହିଦେବୁ ରେ ଭାଇ, କିଛି ଭୁଲିବୁନି। ମକୁନ୍ଦା ଆଇସକ୍ରିମ୍ ନେବାକୁ ରାଜି ହେଲାନି, କହିଲା-- ମୋତେ ଏ ଆଇସକ୍ରିମ ଲାଞ୍ଚ ଦିଅନି, ମୁଁ ପରା ତୁମର ଭାଇ। ପରିବା ଉପରେ ପାଣି ଛିଞ୍ଚି ମଦନା କହିଲା-- ଆରେ ପୁଅ ତୋତେ ଦେଇନି ମ ! ମୋ ସୋନାଲିକା ପାଇଁ ଦେଇଛି।

ପ୍ରାୟ ସବୁଦିନ ଏମିତି ବେପାର ଚାଲିଲା। ଗୋଲାପୀ ଲଫାପା ରେ ଚିଠି ପହଞ୍ଚିଲା ଓ ମକୁନ୍ଦା କାନ ରେ ଚିଠିର ଉତ୍ତର ମଦନା ଫୁଙ୍କିବାରେ ଲାଗିଲା। ପ୍ରେମ ରଙ୍ଗରେ ରଙ୍ଗେଇ ହେଲା ପରେ ମଦନା ଚରିତ୍ରରେ ବହୁତ ପରିବର୍ତ୍ତନ ଆସି ଯାଇଥିଲା। ବର୍ଷ ତମାମ ଅଗାଧୁ ଷଣ୍ଢ ରୂପରେ ବୁଲୁଥିବା ମଦନାର ଗାଧୁଆ ଘର ନଳାରେ ଦିନକୁ ଦୁଇ ଓଳି ସାବୁନ, ସାମ୍ପୋ ଫେଣ ଓ ପାଣିର ସୂଅ ବୋହିବାକୁ ଲାଗିଲା। ପ୍ରତିଦିନ ସଫା ଜାମା ପ୍ଯାଣ୍ଟରେ ଅତର ଛିଞ୍ଚି ସେ ଦୋକାନରେ ବସିଲା। ଦେଖିବା ଲୋକ ତାଟକା ହୋଇଗଲେ। କିଏ କିଏ କହିଲେ ମଦନା ଦେହରେ ପିଶାଚ ପଶିଛି। ନୋହିଲେ ଦିନ କେତେଟାରେ ଲୋକଟାର ରୂପ ଭେକ ବଦଳିଗଲା କିପରି? ତା ଦୋକାନ ର ଅନେକ ଗ୍ରାହକ ଥିଲେ, ସେମାନଙ୍କ ଭିତରେ ଜଣେ ଦାନ୍ତ ଡାକ୍ତର ଥିଲେ। ସେ ମଦନା କୁ ବାଧ୍ଯ କରି ତାଙ୍କ କ୍ଲିନିକ କୁ ନେଇଗଲେ ଓ ଦୁଇଧାଡି ଦାନ୍ତ କୁ ଟଣା ଓଟରା କରି ତାର ଭିଡି ପାଟି ଭିତରକୁ ଠେସିଦେଲେ। ଜନମ ବେଳରୁ ବାତେରାଙ୍କ ପରି ବାହାରେ ପବନ ଖାଉଥିବା ଦୁଇଧାଡି ଦାନ୍ତ ପାଟି ଭିତରେ ଜାକିଜୁକି ହୋଇ ବସିଲେ। ସେମାନେ ପାଟିରେ ପଶିଗଲା ପରେ ମଦନାର ରୂପରେ ଯଥେଷ୍ଟ ପରିବର୍ତ୍ତନ ଆସିଯାଇଥିଲା। ରାମଦେବ ବାବାଙ୍କ ର ପେଟ ଖଙ୍କାଳିଆ ବ୍ଯାୟାମ ଓ ଫୁଁ ଫାଁ ନିଶ୍ବାସ ଟଣାଛଡା ଯୋଗ ବିଯୋଗ ର ପ୍ରହାରରେ ତା’ର ଗର୍ଭୀଣି ବେଙ୍ଗ ପରି ପେଟ ଛାତି ସହ ସମାନ ରେଖାରେ ରହିଲା। ଏବେ ମଦନା ଗୋଟେ ସୁଦୃଶ୍ଯ ଯୁବକରେ ପରିବର୍ତ୍ତିତ ହୋଇଯାଇଥିଲା। ଆଲମାରୀ ଭିତରେ ଥିବା ତା ପ୍ରେୟସୀର ଫଟୋ କୁ ଦିନରେ ହଜାର ଥର ଦେଖି ବୋକ ଦେବାରୁ ଫଟୋ ଉପରେ ଥିବା ଜରିଲଗା ଆବରଣଟି ଟିକେ କୁଚାମୁଚା ହୋଇଯିବାରୁ ତା ମନଟି ଭାଙ୍ଗି ପଡିଲା। ସେ ମକୁନ୍ଦା କୁ କେତେ କାକୁତି ମିନତି ହୋଇ ଆଉ ଗୋଟେ ଫଟୋ ଦେବାପାଇଁ, ସୋନାଲିକା କୁ ଖବର ଦେବାକୁ କହିଲା। ତେଣେ ମକୁନ୍ଦାର ପ୍ରକୃ ତି ରେ ଢେର ପରିବର୍ତ୍ତନ ଆସିଯାଇଥିଲା । ସେ ଦିନର ଅର୍ଦ୍ଧାଧିକ ସମୟ ଦୋକାନ ରେ କଟାଇବାକୁ ଲାଗିଲା। ସୋନାଲିକା ଏଇଆ କହିଛି, ସେଇଆ କହିଛି, ଏ ଜିନିଷ ମାଗିଛି, ଏତେ ଟଙ୍କା ମାଗିଛି କହି ଦୁଇ ହାତରେ ମଦନାର ପକେଟ ଖାଲି କରିବାକୁ ଲାଗିଲା। ବିଚରା ନିରୀହ ମଦନା, ମକୁନ୍ଦାର ଫନ୍ଦି ଫିକର ଜାଣି ନପାରି ସବୁ ଫରମାଇସ ପୂରଣ କରିବାକୁ ଲାଗିଲା। ପ୍ରେମ କରିଛି ମାନେ ଖର୍ଚ୍ଚାନ୍ତ ହେବାକୁ ପଡିବ, ସେଥିପାଇଁ ଚିନ୍ତା କଲେ କି ଲାଭ? ଦିନେ ସକାଳୁ ମକୁନ୍ଦା ଧଇଁସଇଁ ହୋଇ ଆସି କହିଲା ଯେ ସୋନାଲିକା ର ଦେହ ଭୀଷଣ ଖରାପ, ମେଡିକାଲରେ ପଡିଛି। ଟଙ୍କା କୋଡିଏ ହଜାର ଦରକାର,ସେତିକି ନ ହେଲେ ବିଚାରୀ ପିଣ୍ଡରୁ ପ୍ରାଣ ପକ୍ଷୀ ଉଡିଯିବ। ଏ ଖବର ଶୁଣି ମଦନା ହାଲୁକ ଶୁଖିଗଲା। ଘର ଭିତରକୁ ଦଉଡିଯାଇ ଫଟୋଟିକୁ ଗେଲ କରି, ପୂଜାଘରେ ଠାକୁରାଣୀଙ୍କ ଆଗରେ ରଖି କେତେ କନ୍ଦାଛିଟିକା କଲା। ଟଙ୍କା କୋଡିଏ ହଜାର ମକୁନ୍ଦା କୁ ଧରେଇ କହିଲା-- ସୋନାଲିକା କୁ ଟିକେ ଦେଖିବାକୁ ବହୁତ ମନ ହଉଛି। କିଛି ନ ହେଲେ ଦୂରରୁ ଟିକେ ଦେଖନ୍ତି।

– ନାଁ ଭାଇ ସେ କଥା କୁହନି। ସେ ଜାଣିଲେ ସବୁ ଫସର ଫାଟିଯିବ, ଟଙ୍କା ଗଣି ପକେଟରେ ପୁରେଇ ମକୁନ୍ଦା କହିଲା।

ଦିନସାରା ଚାହିଁ ରହିଲା ମଦନା, କାଳେ କିଛି ଖବର ଆସିବ, କିନ୍ତୁ ନିରାଶ ହେଲା। ମନ ଭିତରଟା ରାମ୍ପୁଡି ହୋଇଗଲା ପରି ଲାଗୁଛି। ସେ ଦିନଟା ଚାହିଁ ଚାହିଁ ଗଲା। ତା ପର ଦିନ କୁ ଆଉ ସମ୍ଭାଳି ନ ପାରି, ଦୋକାନ ବନ୍ଦ କରି ସହର ଆଡକୁ ମୁହାଁଇଲା। ଡାକ୍ତରଖାନା ଓ ସବୁ ନର୍ସିଂହୋମ୍ ରେ ଖୋଜି ବୁଲିଲା ସୋନାଲିକା କୁ। କିନ୍ତୁ କେଉଁଠାରେ ତାକୁ ପାଇଲା ନାହିଁ। କ’ଣ କରିବ ଭାବି ପାରୁ ନ ଥାଏ। ଶେଷକୁ ଭାବିଲା ମକୁନ୍ଦା ରହୁଥିବା ମେସ୍ କୁ ଗଲେ କିଛି ଖବର ମିଳି ଯାଇପାରେ। ସେନାଲିକାର ବାରଣ କୁ ନ ମାନି, ବାରମ୍ବାର ଫୋନ କରିବାକୁ ଲାଗିଲା, କିନ୍ତୁ କେହି ଉଠେଇଲେନି। ମନରେ ତାର ପାପ ଛୁଇଁଲା । ବହୁତ ଲୋକଙ୍କୁ ପଚରା ଉଚୁରା କରି ସେ ମକୁନ୍ଦା ମେସ୍ ପାଖରେ ପହଞ୍ଚିଲା। ଦୁଆର ପାଖରେ ଛିଡା ହୋଇ ଆଉଥରେ ସୋନାଲିକା ଦେଇଥିବା ନମ୍ବରରେ ଫୋନ୍ ଲଗେଇଲା। ଏଥର କିଏ ଜଣେ ଉଠେଇ କହିଲା-- କାହାକୁ ଖୋଜୁଛନ୍ତି?

--- ସୋନାଲିକା......

ସେପଟୁ କେତେ ଜଣ ପିଲାଙ୍କର ହୋଃ ହୋଃ ହସ ଶୁଭି ଫୋନଟି କଟିଗଲା।

ସେ ଘର ଭିତରେ ପିଲାମାନଙ୍କର କଥା ଶୁଣି ପାରିଲା। ମକୁନ୍ଦା କାହାକୁ ରାଗରେ କହୁଥିବାର ଶୁଭିଲା

--- ଆରେ ମୁର୍ଖ କାହିଁକି ମୋ ଫୋନ୍ ଟା ଉଠେଇଲୁ, ତୋ ମୁଣ୍ଡରେ ଗୋବର ପଶିଛି ନା କ’ଣ। ଯଦି ସେ ମଦନା ଜାଣିବ ଯେ ଏସବୁ ଖେଳର ନାୟକ ମୁଁ ବୋଲି, ସେ ମୋତେ ଛାଡିବ ତ?

– ଭାଇ କଣ କହୁଛ କିଛି ବୁଝା ପଡୁନି। କିଏ ମଦନା ? କଣ ଜାଣିବ?

– – ଆଜି ଯାଏ ତୁମେ ମୋ ପଇସା ରେ ଯେତିକି ଅୟସ କରିଛ ସେ ପଇସା ମୋର ନୁହଁ, ସେସବୁ ମଦନା ର। ସେଇ ମଦନା ଯାହାକୁ ମୁଁ ମିଛିମିଛିକା ପ୍ରେମ ଜାଲରେ ଫସେଇ ଟଙ୍କା ଟାଣି ଚାଲିଛି। ମୁଁ ଭାବିଥିଲି ଆଜି ଗାଁଆ କୁ ଚାଲିଯିବି, ତା ପରେ ଖେଳ ଖତମ୍। କିନ୍ତୁ ତୁ ସବୁ ବେକାର କରିଦେଲୁ। ସେ ହେଲା ବେପାରୀ ପିଲା, ନିହାତି ଅସଲ କଥାଟା ଜାଣିଯିବ। ତୁମ ମାନଙ୍କୁ ପ୍ରଥମରୁ ସବୁ କହୁଛି ଶୁଣ। ପିଲା ମାନଙ୍କ ଆଗରେ ମକୁନ୍ଦା ନିଜର ଚାଲାକିପଣିଆ ଓ ମଦନାର ବୋକାମୀ କଥା ବଖାଣିବାରେ ଲାଗିଲା।

ମେସ୍ ର ସବୁ ପିଲା ହସିହସି ବେଦମ୍ ହୋଇ ସାରିଥିଲେ। କିଏ ଜଣେ ପଚାରିଲା-- ସବୁ ଜାଣିଲି ଯେ, କିନ୍ତୁ ସୋନାଲିକା କିଏ?

– ଆରେ ସୋନାଲିକା ଆମ କଲେଜ୍ ରେ ପଢୁଥିଲା,, ଭୁଲି ଗଲୁ ନା କଣ? ସେ ମଦନା ଘର ପାଖାପାଖି ରୁହେ। ତାକୁ ଥରେ ମୁଁ ପ୍ରେମ କରିବାକୁ କହିଲି ଯେ, ମୋ ଗାଲରେ ସାତ ନମ୍ବର ଚପଲର ଦାଗ ବସେଇଦେଲା। ମୁଁ ଶପଥ କରିଥିଲି, ନିହାତି ପ୍ରତିଶୋଧ ନେବି। ସେଇ ସୋନାଲିକାର ଫଟୋ ମଦନା କୁ ଧରେଇ, ମିଛିମିଛିକା ଚିଠି ଲେଖି ତାପାଖରୁ ଜିନିଷପତ୍ର ଓ ଟଙ୍କା ଝଡେଇ ମୁଁ ପ୍ରତିଶୋଧ ନେଇଚାଲିଛି।

– କିନ୍ତୁ ସୋନାଲିକା ଯଦି ଜାଣିଯିବ?

– ଆରେ ଜାଣିବ କଣ? ମୁଁ ନିଜେ ତାକୁ ସବୁକଥା କହିଛି, କଣ କରିବା କଥା କରୁ। ମୁଁ ବି ଦେଖିବି ତାର କେତେ ଦମ୍ ଅଛି।

ମେସ୍ ର ପିଲାଗୁଡା କିଳିକିଳା ରଡି କରି ହସିହସି ଗଡି ଯାଉଥାନ୍ତି। ଭିତରୁ ମଦ ମାଂସ ଓ ସିଗାରେଟର ଭୁରୁକୁଟିଆ ଗନ୍ଧ ବାହାର ଯାଏ ଭାସି ଆସୁଥାଏ। ମଦନା ସବୁ ଶୁଣୁଥାଏ ନୀରବରେ। ତା ଆଖିରୁ ଅମାନିଆ ଲୁହ ବୋହି ଚାଲିଥାନ୍ତି ଅନବରତ। ସେ ମେସ୍ ଭିତରକୁ ଧସେଇ ପଶିଲା, ତାକୁ ଦେଖି ପିଲା ମାନେ ଯେ ଯୁଆଡେ ଡେଇଁ ପଳାଇଲେ। ମକୁନ୍ଦାର ବେକରେ ଗାମୁଛା ପକେଇ ଚାପୁଡା ପରେ ଚାପୁଡା ମାରି ଚାଲିଲା ସେ। ତା ମୁହଁରେ ଲେଣ୍ଡାଏ ଛେପ ଥୁକି କହିଲା--- ଛିଃ ଧିକ୍ ତୋ ଜୀବନ, ବିଶ୍ବାସଘାତକ କୋଉଠିକାର। ତୁ ନାଗସାପ ଠାରୁ ବି ଭୟଙ୍କର ଓ ବିଷଧର। ତୋତେ ଉପରବାଲା ନିହାତି ଦଣ୍ଡଦେବେ। ମୁହଁ ତଳକୁ ପୋତି ଚୁପଚାପ୍ ଛିଡା ହୋଇଥାଏ ମକୁନ୍ଦା।

ଘର ଆଗରେ ଅଟୋରିକ୍ସା ଦେଖି ମଦନା ଟିକେ ଆଶ୍ଚର୍ଯ୍ଯ ହେଲା। ତା ଘରକୁ କେହି ଆସିବାର ନ ଥିଲା। ସେମିତି କେହି କୁଣିଆ ନାହାଁନ୍ତି, ଯିଏ ବୁଲିବାକୁ ଆସିବ। ତେବେ କଣ ତା ବାପା.......

ହସହସ ମୁହଁରେ ମାଆ ତାକୁ ଘରକୁ ପାଛୋଟି ନେଇ କହିଲେ-- ହଇରେ ପୁଅ, ଭିତରେ ତୁ ଏତେ କାରସାଦି କଲୁ ମୁଁ ମାଆ ହୋଇ ମଧ୍ଯ ଜାଣି ପାରିଲିନି। ସେଠିକୁ ଚାଲ୍। ତୋତେ ବାହା ହେବ ବୋଲି ଝିଅଟିଏ ଆସି ଘରେ ବସିଛି।

– ସେମିତି ବାଜେ କଥା ମୋତେ କହନି ମାଆ, ମୋ ମନ ଭଲ ନାହିଁ। ମୋତେ ଟିକେ ଏକୁଟିଆ ଛାଡି ଦେ।

– – ଏକୁଟିଆ କେମିତି ଛାଡିଦେବୁ ମଦନା ବାବୁ। ତୁମକୁ ଛାଡିବୁନି ବୋଲି ତ ତୁମ ଘରକୁ ଆସିଛୁ। ଜଣେ ପ୍ରୌଢ ମହିଳା ଏ କଥା କହି ହସିବାକୁ ଲାଗିଲେ।

ମୁଣ୍ଡରେ ଓଢଣା ପକେଇ ଝିଅଟିଏ ଆସି ମଦନା ଆଗରେ ଛିଡା ହୋଇଗଲା। ସେ କିଛି କହିବା ଆଗରୁ ଓଢଣୀ ଭିତରୁ ମୁହଁଟି ବାଦଲ ଉହାଡରୁ ଚନ୍ଦ୍ର ବାହାରିବା ପରି ଉଙ୍କି ମାରିଲା। ମଦନା ପାଟିରୁ ଅସ୍ପଷ୍ଟ ସ୍ବରରେ ବାହାରି ପଡିଲା

---- ଆରେ ସୋନାଲିକା ତୁମେ???????

---- ସମାପ୍ତ---





Rate this content
Log in

Similar oriya story from Drama