Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ରୋଗ
ରୋଗ
★★★★★

© Soumya Shubhadarshinee

Others

4 Minutes   3.8K    16


Content Ranking

"ସୋନା, ପ୍ଲିଜ କେବଳ ଆଜି ଆଉ ଏ ପୁରା ମାସରେ କହିବିନି। ଏ ଘାସ ପୁସ ଖାଇ ଖାଇ ମୁଁ ଛେଳି ହେଇଗଲିଣି ପୁରା ".........

********

"କୋଲେଷ୍ଟେରୋଲ ଏତେ ବେଶି ହେଇଗଲା କେମିତି ?"

ଡାକ୍ତର ଙ୍କ ଏଇ ପ୍ରଶ୍ନର କିଛି ଉତ୍ତର ନାହିଁ ବିଭୁ ପାଖରେ ।କଣ କହିବ ସେ ହାଇଦ୍ରାବାଦ ରେ ଚାକିରୀ ପରେ ଏକା ଏକା ଆଉ କ'ଣ ଖାଇବ । କେବଳ ବିରିୟାନି ତା' ପୁଣି ଚିକେନ୍ ନହେଲେ ମଟନ୍ ସେଇଟା ତା'ର ପସନ୍ଦ। ଆଉ କଣ ସେ ସମ୍ବର, ରସମ, ଚାରୁ ପାଣି ଖାଇପାରିବ ? ସେଗୁଡା କଣ ମଣିଷ ଖାଆନ୍ତି ? .....

ହେଲେ ସବୁ ଭୁଲ ଆଭାର, ସେ ପୁରା ନିର୍ଦୋଷ। କି ପି.ଏଚ୍.ଡ଼ି କରୁଛି ଯେ ଆଭା ଆସି ତା' ସହ ରହୁନାହିଁ ! ତାକୁ ତ କିଛି ରୋଷେଇ ଅସୁନି ଆଉ କଣ କରିବ ସେ ? ମଣିଷ ବାହା ହେଇ ବି ବ୍ୟାଚେଲର ପରି ହୋଟେଲ ଚକ୍କର ଖାଉଛି। ଆଭା କୁ ପଦେ କରିବାର ଜୁ ନାହିଁ ତା'ର । ଶିକ୍ଷା ନାରୀର ସ୍ୱାଧିକାର । ସେଥିରେ କେହି ବାଧା ଦେଲେ ସେଥିପାଇଁ ସ୍ଵତନ୍ତ୍ର ଆଇନ କାନୁନ ଅଛି । ବାଃ ବଢ଼ିଆ , କି ନାରୀ ସଶକ୍ତିକରଣ ହେଉଛି ଯେ ତା ଭଳି ନୀରିହ ମଣିଷ ଗୁଡା ଏମିତି ଅତ୍ୟାଚାରିତ ହେଉଛନ୍ତି। ସ୍ତ୍ରୀ ମାନେ ଆଉ କଣ ଇନ୍ଦ୍ର ଚନ୍ଦ୍ର ମାନୁଛନ୍ତି । ନା, ସେମାନେ ସବୁ ଆଜି କାଲି କଥା କଥା ରେ ମହିଳା କମିଶନ ଦେଖେଇ ଦେଉଛନ୍ତି। ତେଣୁ ସବୁ ନିଜ ମର୍ଜିର ମାଲିକାଣୀ ହେଇ

ମନମାନି କରୁଛନ୍ତି। ବିଚରା ବିଭୁ ଆଉ କଣ କରିବ , ଭାଗ୍ୟ କୁ ଆଦରି ପଡି ରହିଛି।

**********

" ନନ୍ଭେଜ ବିଲକୁଲ୍ ଖାଇବେନି ଆଉ ଯଦି ବହୁତ ଇଚ୍ଛା ତେବେ କେବଳ ମାଛ" ଡାକ୍ତର ଜଣେଇ ଦେଲେ । ଆଉ ପୁରା ଡାଏଟ୍ ଚାର୍ଟ ସହ ଧରେଇ ଦେଲେ ମାଳେ ଔଷଧ।

ବିଭୁ ବିଚରା ସେ ଖାଦ୍ୟ ଲିଷ୍ଟ ଦେଖି ଭକୁଆ । ସବୁ ସ୍ୱାଦିଷ୍ଟ ଖାଦ୍ୟ ତକ ବଡ଼ ନିଷ୍ଠୁର ଭାବେ ଅନୁପସ୍ଥିତ ଥିଲେ ସେ ଲିଷ୍ଟ ରେ। ହେ ପ୍ରଭୁ ଏସବୁ ବିଚିତ୍ର ଖାଦ୍ୟ ମଣିଷ କେମିତି ଖାଇବ ? ସେଇ ଚିନ୍ତାରେ ମୁଣ୍ଡ ତାର ଗୋଳମାଳ ହେଇଗଲା ।ଅମୃତଭଣ୍ଡା, ବାଇଗଣ, କଦଳୀ ସଂତୁଳା, ଡାଲମା କଉଠୁ ରାନ୍ଧିବ ସେ ହାଇଦ୍ରାବାଦ ରେ। ସୋୟାବୀନ ଭାରି ଭଲ ଏବେ ହେଲେ ସେଗୁଡା ଖାଇଲେ ବାନ୍ତି ଲାଗେ ତାକୁ । ଆଉ ଫଳ , ଛାଡ଼ ଫଳ ଖାଇଲେ ରୋଗୀ ରୋଗୀ ଲାଗିବ ଆହୁରି । ମଣିଷ ବିଲକୁଲ ଠିକ ହେଇପାରିବନି। ରାଜମା, ବିନ, ବୁଟ , ମଟର ଏସବୁ ପୁଣି କେମିତି ରାନ୍ଧିବ । ଚୋବେଇବ କି ଘୋଡା ଭଳିଆ । ତାକୁ ଟିକେ ଟିକେ କାନ୍ଦ ଲାଗୁଥିଲା ।

ଇଛା ହେଉଥିଲା ଡାକ୍ତର କୁ କହିବ , " ସାର୍ ମୋ ସ୍ତ୍ରୀ କୁ ଟିକେ ତାଗିଦ କରି କୁହନ୍ତୁ , ସେ ପାଠ ପଢା ଛାଡି ମୋ ସହ ରହିବ ଆଉ ଏସବୁ ଡାଏଟ୍ ର ସୁବନ୍ଦୋବସ୍ତ କରିବ। ନହେଲେ ସେ ପକ୍କା ହାର୍ଟ ଅଟାକ୍ ରେ ଅଫ ହେଇଯିବ ।"

ହେଲେ ଏଇ କଥାଗୁଡା ତଣ୍ଟି ପାଖେ ଆସି ରହିଗଲା ଆଉ ସେ ଆଜ୍ଞାବହ ରୋଗୀ ପରି ମୁଣ୍ଡ ଟୁଙ୍ଗାରି ଚାଲି ଆସିଲା।

*******

ସେଇ ଦିନୁ ଆଭା ରୋଜ ପୁଲିସ ଗିରି କରୁଛି ତା' ଖାଇବା ଉପରେ। ହଜାରେ ଖଣ୍ଡେ ୟୁ ଟ୍ୟୁବ୍ ଭିଡିଓ ପଠେଇ ରୋଷେଇ ଶିଖଉଛି। ଗୋଟେ ପ୍ରେସର କୁକର କିଣି ବିଚରା ବିଭୁ କିଚେନ୍ କିଚେନ୍ ଖେଳୁଛି।

ହେଲେ ସବୁ କାମ ଯଦି ତାକୁ ଅସୁଥାନ୍ତା ସେ ଭଗବାନ ହେଇଯାଆନ୍ତା ନା । କିନ୍ତୁ ସେ ବିଭୁ , ଆଉ ଏବେ 'ବିଚରା ବିଭୁ' , କାରଣ ରୋଷେଇ କରି, ଅଫିସ ଯାଇ ସେଠି ଗଧ ଭଳି କାମ କରି, ପୁଣି ରାତିରେ ରୋଷେଇ କରି ଆଉ ବେଶି ଦିନ ଆୟୁଷ ନାହିଁ ତା'ର । ଏତକ ବୁଝିବାକୁ ଆଉ ବାକି ନାହିଁ ଯେ ଖୁବ୍ ଶୀଘ୍ର ସେ ଅନାହାର ରେ ପୀଡିତ ହେବାକୁ ଯାଉଛି।

ଅଫିସ ରୁ ବଡ଼ କଷ୍ଟ ରେ ଛୁଟି ନେଇ ବିଚରା ଦୌଡ଼ି ଆସିଥିଲା ଘରକୁ ଗଣ୍ଡେ ଖାଇବାକୁ । ଭାବିଥିଲା ସ୍ତ୍ରୀ ଟିକେ ସଜେଇ ମଜେଇ ରାନ୍ଧିଦେବ । ହେଲେ ନାହିଁ ସ୍ତ୍ରୀ ଟା ଡାକ୍ତରର ସ୍ପେସିଆଲ୍ ଏଜେଣ୍ଟ ,ଆସିଲା ଦିନୁ ପାଣି ସଂତୁଳା ଦେଉଛି ପୁଣି ସକାଳେ ସଂଜେ ଦି ବେଳା।

ମାଛ କି ଚିକେନ୍ ବି ବନ୍ଦ କରିଦେଇଛି ପୂରା ପୂରି। କହୁଛି ଛୁଟି ପନ୍ଦର ଦିନ ଭିତରେ କୁଆଡେ ପୁରା ଚର୍ବି ତକ ତରଳେଇ ଦେଵ ଆଉ ବିଭୁ ଏକଦମ ସାହରୁଖ୍ ଖାଁ ଭଳିଆ ସିକ୍ସ ପ୍ୟାକ କରି ଫେରିବ। କିନ୍ତୁ ରାଣ ଅଛି କେତେ ପ୍ୟାକ ହବ ଜଣା ନାହିଁ ସିନା କିନ୍ତୁ ମନରେ ସେ ସାହରୁଖ୍ ପରି ଦର୍ଦେ ଡିସ୍କୋ ଗାଉଛି ରୋଜ , କି ଯନ୍ତ୍ରଣା ଆଃ!.......

ବିଭୁ ର ଇଚ୍ଛା ହେଉଛି ପୁଣି ପଳେଇବ ହାଇଦ୍ରାବାଦ। ମଲେ ପଛେ ମରିବ କିନ୍ତୁ ଖାଇ ପିଇ ମରିବ ଏମିତି ଭୋକିଲା ନୁହେଁ। ଯା, ଏମିତି ବଂଚି କି ବି କି ଲାଭ ? ପେଟ ପାଇଁ ସବୁ ନାଟ ସଂସାର ରେ। ସିଥିପାଇଁ ତ ଏତେ ରୋଜଗାର କରୁଛି ମଣିଷ। କିନ୍ତୁ ଖାଇଲା ବେଳକୁ ସ୍ଥିତି ଭିକାରୀ ଠୁ ବି ହୀନ।.......

**********

ପୃଥୁଳାକାୟ ମହିଳାଟେ ଖାଉଥିଲା କେ.ଏଫ. ସିରେ ଚିକେନ୍ ଲଲିପପ୍। ତା'ର ବିସ୍ତୃତ ଶରୀରରେ ଚିକେନ୍ ର ମୋହ ଦିଶୁଥିଲା ସବୁଠି । ଖୋଲୁ ଥିବା ମୁହଁ ରେ ଚିକେନ୍ ଟୁକଡା ଦିଶୁଥଲା ଭାରି ବିକଳ। ସେ ଦୃଶ୍ୟ ଥିଲା ଅତି ଚମତ୍କାର। ଏକ ଲୟରେ ଅନେଇ ବିଭୁ ସେ ଦୃଶ୍ୟ ରୁ ଚିକେନ୍ ର ସ୍ୱାଦ ଅସ୍ଵାଦନ କରୁଥିଲା ମନେ ମନେ। ଭାରି ଭଲ ଲାଗୁଥିଲା ତାକୁ ,

"ଆଘ୍ରାଣେ ଅର୍ଦ୍ଧ ଭୋଜନମ୍" ଆପ୍ତ ବାକ୍ଯ ଟା ଟିକେ ବଦଳେଇ " ଦର୍ଶନେ ଅର୍ଦ୍ଧ ଭୋଜନମ୍" ଲେଖିବାକୁ ଇଚ୍ଛା ହେଉଥିଲା । ମହିଳା ଜଣକ ଯେମିତି ଉସୁକୋଉ ଥିଲେ ତାକୁ , " ଆସ ତୁମେ ବି ମୋ ସହ ସାମିଲ ହୁଅ , ଚିକେନ୍ ସମାରୋହ ରେ । ଏକା ଏକା କଣ ଜମୁଛି !".....

ହେଲେ ସାଥିରେ ଥିଲା ଆଭା ବିଭୁର ଜିଭରେ ତାଲା ପକେଇବାକୁ। ବିଚରା କରୁଥିଲା ଅଳୀ , ଟିକେ ଚିକେନ୍ ଲଲିପପ୍ କେବଳ ଆଜି ପାଇଁ।

ଫଁ କି ଉଠିଲା ଆଭା ,

" କଣ ଏମିତି ଡାହାଳାଙ୍କ ପରି ହେଉଛ? କେତେ ଆଉ ଖାଇବ , ସେ ଅଖାଦ୍ୟ ସବୁ ଖାଇ ଆସୁସ୍ଥ ହେଇଗଲାଣି।"

" ହେ ଏମିତି ହଠାତ୍ କେହି କ'ଣ କଣ୍ଟ୍ରୋଲ କରିପାରିବ । ଟିକେ ସମୟ ଦିଅ , ପ୍ଲିଜ!"

ଅଭା ବିଡ଼ି ବିଡ଼ି ହେଇ ବକିଲା ।ଡାକ୍ତରଙ୍କୁ ଫୋଲୋ ନକଲେ ଅସୁବିଧାର ଲିଷ୍ଟ ଦେଲା। କୋଲେଷ୍ଟେରୋଲ୍ ବଢି ହୃଦ୍ଘାତ ,ରକ୍ତଚାପ, ମଧୁମେହ ପରି ସମସ୍ୟା ବଢିବାର ଭୟ ଦେଖେଇଲା। ସିଧା ଠିଆ ଠିଆ ଯମରାଜ ଙ୍କ ଦର୍ଶନ କରେଇ ଦେଲା।

ବିଭୁ କିନ୍ତୁ ସେମିତି ଦେଖୁଥିଲା ପୃଥୁଳାକାୟ ମହିଳା କୁ ଆଉ ଭାବୁଥିଲା , ମହିଳା ଟିର ଓଜନ ଦେଢ଼ ଶହ କିଲୋ ରୁ କମ ହେବନି। ଏଇ ବିଶାଳ ବପୁ ରେ କୋଲେଷ୍ଟେରୋଲ୍ କେତେ ? ନିଶ୍ଚିତ ସେ ମହିଳା ଡାକ୍ତର କୁ ମାନୁ ନଥିବ । ସଶକ୍ତିକରଣ ତାର ବି ହେଇଯାଇଛି ନା। ଡାକ୍ତର କୁ ମହିଳା କମିଶନର ଡର ଦେଖେଇ ପଳେଇ ଆସିଥିବ। ଆଉ ବି ଭାବୁଥିଲା ପକ୍କା ବାହା ହେଇନି ସେ ନହେଲେ କି ଏମିତି ସ୍ଵାଧିନ ହେଇ ଖାଉଥାନ୍ତା ! ନହେଲେ ପକ୍କା ଜୀଵନ ର ମୋହ ନାହିଁ ଆଉ ସେଥିପାଇଁ ଶେଷ ଇଚ୍ଛା ପୂରଣ କରିବାକୁ ଖାଉଛି

ବସି ।......

ମନେ ମନେ ସେଇ ମହିଳା କୁ ବହେ ଅଭିସମ୍ପାଦ ଢାଳି ଫେରିଲା ବିଚରା । କାହିଁକି ଦିଶିଲା ସେ ଦୃଶ୍ୟ ବୋଲି ବି ହଜାରେ ଗାଳି ଦେଲା ସେ ଦୋକାନୀ କୁ । ଏମିତି କାଚ କବାଟ ନଲଗେଇ ଥିଲେ କଣ ଦିଶିଥାନ୍ତା ତାକୁ ।

କିନ୍ତୁ ଚିକେନ୍ ଲଲିପପ୍ ର ଛବି ଟା ଏକଦମ ଆଙ୍କି ହେଇ ଯାଇଥିଲା ମନର କାନ୍ଭାସ ରେ।........

*ସୌମ୍ୟା*

କୋଲେଷ୍ଟେରୋଲ ରୋଗ ଛେଳି

Rate the content


Originality
Flow
Language
Cover design

Comments

Post

Some text some message..