ଟୁଗେଦରନେସ୍
ଟୁଗେଦରନେସ୍
( ସମ୍ପୂର୍ଣ୍ଣ କାହାଣୀ )
{୧}
ସରୁ ଉଷୁନା ଭାତ , ବହଳିଆ ହରଡ଼ ଡାଲି , ପନିର କୋର୍ମା , ଚିଲ୍ଲି କୋବି , ଟମାଟୋ ଖଟା , ମସଲା ପାମ୍ପଡ ସାଙ୍ଗକୁ , ଆମିଷାଶୀ ମାନଙ୍କୁ ଖାଣ୍ଟି ଦେଶୀ ଖାସୀ ମାଂସ ଝୋଳ ।
ସକାଳ ନ' ରୁ ଆରମ୍ଭ । ପହଞ୍ଚିବା କ୍ଷଣି ପରଶା ହେବ , ବ୍ରେଡ୍ ଚପ୍ , ସିଝା ଅଣ୍ଡା , କାବୁଲି କଦଳୀ , ଫ୍ରୁଟ୍ ସାଲାଡ୍ ।
ସାରାଦିନ ବୁଲୁଥିବ ରନିଂ ଆଇଟମ୍ , ଚା' ଆଉ କଫି । ଯା'କୁ ଯା' ପସନ୍ଦ ।
ନୋ ସ୍ମୋକିଂ ନୋ ୱାଇନ୍ ।
ଲେଡିଜ୍ ଏବଂ ପିଲାଙ୍କୁ ସ୍ପେଶାଲ୍ କେୟାର୍ ଆଉ ସିକ୍ୟୋରିଟି। ଫନ୍ ମସ୍ତି ପାଇଁ , ସାଉଣ୍ଡ୍ , ବ୍ୟାଡମିଣ୍ଟନ୍ , ମ୍ୟୁଜିକ୍ ଚେୟାର୍ , ଅନ୍ତାକ୍ଷରୀ ଆଦି ।
ଟିମ୍ ଲିଡର୍ ସତ୍ୟପ୍ରିୟ ମଲ୍ଲିକ ଆଉ ଝିଅଙ୍କର ସୁମୋନା ଆଚାର୍ଯ୍ୟ । ଏକାଉଣ୍ଟ୍ ସମ୍ଭାଳିବ ବିନୟ ବେହେରା । କୋଡ଼ିନେଟର୍ ଶୁଭ୍ରାଂଶୁ ବିଶ୍ୱାଳ । ଫାଇନାଲ୍ ଅଥୋରାଇଜେସନ୍ ରମେଶ ଭାଇ ର ।
ଭାଇ' ଏଥିପାଇଁ ଯେ' , ରମେଶ ବଡ ସମସ୍ତଙ୍କଠାରୁ । ଲଗାତାର ଅଷ୍ଟମରୁ ଦଶମ ଯାଏଁ ସେ ହିଁ ଥିଲା ତିନିପାଳି ମନିଟର ।
{୨}
ଆୟୋଜନ ପରିକଳ୍ପନା କରିବା ଆଉ ତା'କୁ ରୂପ ଦେବା ଭିନ୍ନ କଥା । ଏକମନ , ଏକନିଷ୍ଠ ହେବା ସମସ୍ତଙ୍କ ପକ୍ଷେ ସମାନ ନୁହେଁ । ଆୟୋଜକ ସେଥିପାଇଁ ସବୁବେଳେ ନିନ୍ଦା ପାଏ ।
ମାଟ୍ରିକ୍ ବେଳ କିନ୍ତୁ ଏସବୁରୁ ବାଦ୍ । ଏଇ ସରିଆସୁଥିବା ପିଲାଦିନର ବେଳକୁ ସମସ୍ତେ ଝୁରି ହୁଅନ୍ତି । ଠିକ୍ ସାଁବାଳୁଆରୁ ପ୍ରଜାପତି ହେବାର ସମୟ । ସରଳ ନିଷ୍କପଟ । ଅଳିଆ ଅଳନ୍ଧୁକୁ ବୁଝିନଥିବାର ଦେହମନ ।
ମନେରୁହେ ଏଇ ଛାଡିଆସିଥିବାର ସୁଖଦ ସ୍ମୃତିସବୁ ଚିରକାଳ । କାଳକ୍ରମେ କିଛି ବିଦେଶୀ ହୋଇଯାଇଥିବା ବିସ୍ମୟ ମାନେ ମଧ୍ୟ ବେଳଅବେଳରେ ଲୋଡୁଥାନ୍ତି ଏଇ ଦୁର୍ମୁଲ୍ୟ ବେଳାମାନଙ୍କୁ ।
ପରେଶ୍ ରାଉତ ଗ୍ରୁପ ଆଡମିନି ହୋଇ ଆରମ୍ଭ କରିଥିଲା ' ବୟାନବେ , ଏ ରୟାଲ୍ ବ୍ୟାଚ୍ '
ତା'ପରେପରେ ଟୁକଟାକ୍ ଆଡ୍ ହୋଇଗଲେ ସବୁ ଆପଣାଛାଏଁ । ସେଇଠୁଁ ବିଜ୍ଞାନ କ୍ଲାସ୍ ପରି ବାଧ୍ୟତାମୂଳକ ଉପସ୍ଥାନ ପକାପକି ହେଲେ ସମସ୍ତେ ପ୍ରତିଦିନ ।
ହ୍ୱାର୍ଟସ୍ଆପ୍ ଗ୍ରୁପରୁ ଜଣାପଡିଲା ଏଇ ପଚିଶ୍ ବର୍ଷ ଭିତରେ କେ' ଚନ୍ଦା ହୋଇପଡ଼ିଲାଣି ସମ୍ପୂର୍ଣ୍ଣ ! କେ' କ୍ରମାଗତ ତିନୋଟି ଝିଅଜନ୍ମ କଲାପରେ , ଚତୁର୍ଥ ଥରପାଇଁ ପୁଅ ଚେଷ୍ଟାରେ ବ୍ୟସ୍ତ ।
କିଛି ଆତ୍ମପ୍ରଚାର ର , କିଛି ହତୋତ୍ସାହର ଖବର ।
ପ୍ରତ୍ୟହ ସକାଳୁ ଧାଡିବାନ୍ଧି ଉଚ୍ଚସ୍ୱରରେ ଗୋଟିଏ ଘୋଷା ପ୍ରାର୍ଥନା କୁ ଗାଉଥିବା ତିରିଶ୍ ଜଣଯାକ , କାଳକ୍ୟାରମ୍ ର ଷ୍ଟ୍ରାଇକର୍ ମାଡରେ , ପୃଥିବୀ ସାରା ବିଛୁଡି ହୋଇ ପଡିବେ ବୋଲି , ଅବଶ୍ୟ ଏବେଏବେ ସ୍ପଷ୍ଟ ହେଉଥିଲା । କ୍ରମଶଃ ବଢିଲା ଝୁରାପଣ । ପରସ୍ପରକୁ ଯୁଗଟିଏ ପରେ ଭେଟିବାର ଲାଳସା ବଢିବଢି , ଗୋଟେ ଗେଟଟୁଗେଦର୍ ର ପରିକଳ୍ପନା ହେଲା ।
- ୟେସ୍
- ୟେସ୍
- ୟେସ୍
ସର୍ବସମ୍ମତିକ୍ରମେ ଚୁଡାନ୍ତହେଲା ଏଇ ଡିସେମ୍ବର ତିରିଶ୍ କୁ । ସ୍ଥାନ ଖଣ୍ଡାଧାର । ଯେଉଁଠୁ� ସରିଥିଲା ଦଶମଶ୍ରେଣୀର ଶେଷ ପିକନିକ୍ । ଅଲଗା ହେବାକୁ ପଡିଥିଲା ବାଧ୍ୟବାଧକତା ରେ ସମସ୍ତଙ୍କୁ ।
{୩}
ଆକାଶରୁ ଛିଡ଼ିପଡି , ମର୍ତ୍ତ୍ୟରେ ଇନ୍ଦ୍ରଧନୁର ସାତରଙ୍ଗ ସହ , ରୁଣୁଝୁଣୁ ହୋଇ ବିଛୁଡି ପଡୁଥିବା ସରୁଧାରର , ଅପୂର୍ବ ଜଳଭଣ୍ଡାର । ଏକ ପ୍ରାକୃତିକ ବିସ୍ମୟ , ଖଣ୍ଡାଧାର ।
ଦଶଟା ସୁଦ୍ଧା ନିଜେ ନିଜର ସୁବିଧା କରି ପହଁଞ୍ଚୁଥିଲେ ସମସ୍ତେ । ସାଙ୍ଗରେ ପରିବାର । କିଏ ଜଣେ ପହଞ୍ଚିଲେ , ଖୁସିର କୋହରେ , ଓଦା ହେଉଥିଲା ଖଣ୍ଡାଧାର । ପଚିଶ୍ ବର୍ଷର ଇତିହାସ ନେଇ ସମସ୍ତେ ଗୋଟେଗୋଟେ ଉପନ୍ୟାସ ।
ସମସ୍ତେ କେମିତି ଗୋଟେ ପାଲଟିଯାଉଥିଲେ , ନାକ ତଳର ପହିଲି ନିଶଉଠା ରୋମାଞ୍ଚକୁ ଆଉ ଆଣ୍ଠୁ ଉପରକୁ ଉଠିଯାଉଥିବା ସେ ଆକାଶିଆ ଫ୍ରକ୍
ର ଲାଜ ଭିତରକୁ । ରୁପାଲୀ ପଚାରୁଥିଲା -
- ମୋତେ ଚିହ୍ନି ନେଲ ?
- ନାଃ! ନାକରୁ ସିଘାଂଣି ବୋହୁଥିବା ସେଇ ରୁପା କଣ ତୁ ???
- ଯାଃ! ମିଛେଇ !
ସମସ୍ତଙ୍କୁ ଚା' ବାଣ୍ଟୁବାଣ୍ଟୁ , ନୀଲେଶ୍ ଲୁହ ବୁନ୍ଦାବୁନ୍ଦା ଫେଣ୍ଟି ଦେଉଥିଲା ସେଥିରେ ! ପ୍ରେମଲତା କହିଲା -
- କନ୍ଦାନା କହିଦେଉଛି । ମୋ' ମେକଅପ୍ ଛାଡିଯିବ ।
{୪}
ରଫ୍ ଖାତାରୁ କାଗଜ ଚିରି , ଏରୋପ୍ଲେନ୍ ବନାଇବାର ଆକର୍ଷଣ ରୁ କେ' ଅବା କେବେ ବର୍ତ୍ତିଛି ? ସମସ୍ତେ ଏବେ ବର୍ତ୍ତମାନର ଅହଂକୁ ଛାଡ଼ି , ପିଲାବେଳର ସେଇ ନିରୁତା ପ୍ରେମ ଅଣ୍ଡାଳିବାରେ ବ୍ୟସ୍ତ ହେଉଥିଲେ ଖାଲି । ସୁଶାନ୍ତ କହିଲା -
- ମିଛୁଟାରେ ଡାକ୍ତର ହେଇଗଲି । ରମେଶ ଭାଇର ଖାତାରୁ ଟିପିଟିପି ମ୍ୟାଟ୍ରିକ୍ ଡେଇଁବାଟା ହେଲା ମୋର ପ୍ରକୃତ ସତ୍ୟ !
ପ୍ରତିଭା ପଚାରୁଥିଲା -
- ଏବେତ କହିଦିଅ ମୋତେ , ମୋ' ଜ୍ୟାମିତି ବାକ୍ସ ରେ କିଏ ବେଙ୍ଗ ଛୁଆ ପୁରାଇଥିଲା ? ଆଜିଯାଏଁ ମୁଁ ଜଣକୁ ସନ୍ଦେହ କରୁଛି ।
- କିଏ ?
- ସେ ଆସିନି । ହରିଶ୍ !
- ନା ସେ ଆଉ ଆସିବନି ବି ।
- ହ୍ୱାର୍ଟ ?
- ଥିଲେ ତ ଆସିବ ?
ସମସ୍ତେ ସ୍ତବ୍ଧ ହୋଇଗଲେ , ମହେଶ୍ ର ଉତ୍ତରରେ ! ଗୋଟେ ବିଶାଳ ଦ୍ରୁମରୁ ଡାଳଟିଏ ଭାଙ୍ଗିଯାଇଥିଲା ଯେପରି !!
{୫}
ପ୍ରିତିଶ୍ ର ବିସ୍ତୃତ ବ୍ୟବସାୟ ,ଅଖିଳର ପିଏଚ୍ଡି , ପ୍ରୀୟାଂଶୁର ଏଯାବତ୍ ଷ୍ଟ୍ରଗଲିଂ , ଶ୍ରୀୟା ଶୃତି ସ୍ୱାତୀ ଙ୍କର ସୁଖ ପରିବାର , ସ୍ୱପ୍ନାର ଓଏସ୍ ଏକ୍ସିପ୍ରିୟେନ୍ସ୍ !
ପିଲାମାନଙ୍କର ଦୁଷ୍ଟାମି , ସ୍ୱାମୀ ମାନଙ୍କର ଅବହେଳା , ସ୍ତ୍ରୀ ମାନଙ୍କର ଅସନ୍ତୁଷ୍ଟି , ଆଦି ଗୋଟେଗୋଟେ ଅସରନ୍ତି ଗପ ।
ଅମରେଶ କହୁଥିଲା , ତା' ନିଜ ଭୁଲ୍ ଯୋଗୁଁ ଆକ୍ସିଡେଣ୍ଟ୍ ଟା ହେଇଥିଲା । ସେ ନିଜେ ଡ୍ରାଇଭ୍ କରୁଥିଲା । ସ୍ତ୍ରୀ ଚାଲିଗଲା ପରେ ପୁଅଟାକୁ ବି ତା' ଅଜାଘର ଆସି ଅଯୋଗ୍ୟ ବାପ କହି ନେଇଗଲେ । ଏବେ ସେ ନିଃସ୍ୱ !
- ଆଉଥରେ ସଂସାର କରୁନୁ ?
- କଣ ଗ୍ୟାରେଣ୍ଟି ଅଛି ସେଇଟା ବି ସୁଖ ଦେବ ? ଏଇ ଏକାକିତ୍ୱ ରେ ବରଂ ଅଧିକା ଭଲ ।
ସୁଖଦୁଃଖ ବଣ୍ଟାବଣ୍ଟି ଏଇମିତି ଚାଲୁଥିଲା । ଗୋଟେ ଯୁଗର ଶୋଷ । ସରିବାର ନାଁ ନେଉନଥିଲା ।
{୬}
କ୍ୟାଟରିଂ ର ମୁଖିଆ ଆସି ଖବର ଦେଲା -
- ସାର୍ ସବୁ ରେଡି ।
ଆଗ ପିଲାମାନେ ଆଉ ଲେଡିଜ୍ ବସନ୍ତୁ ବୋଲି ମନିଟର ଆଦେଶ ଦେଲେ ।
ଏଥର ଖୋଜାପଡିଲା 'ଲୁସି'
କୁଆଡେ ଗଲା ? ଏକା ଡ୍ରାଇଭ୍ କରି ତ ଆସିଥିଲା । ଚାଲିଯାଇଥିବ ନକହି !!!
ଲୁସିର ସବୁବେଳେ ଅଲଗା ଗୋଠ ! ଛାତିରେ ବହି ଜାକି ନୁହଁ , ସେ ହିଁ ମାତ୍ର ଝିଅ ଥିଲା , ଯେ ସାଇକେଲ୍ ଚଢି ଆସୁଥିଲା ସ୍କୁଲ୍ । ଝାଡୁଖୁଣ୍ଟି ପରି ବାଳ । ଠିକ୍ ପୁଅପିଲାଙ୍କ ପରି ହାବଭାବ । ତାକୁ ଲୋଡାପଡେନି କାହାର ସହଭାଗିତା । ଏଥିପାଇଁ ସମସ୍ତଙ୍କ ଇର୍ଷା ବି ।
ତାକୁ ନେଇ ତା' ଡେସ୍କ୍ ରେ ଯେବେ କିଏକଣ ଲେଖେ , ପରବାୟ ନଥାଏ ତାର । ରିଆକ୍ଟ୍ ନକରି କୁହେ -
- ଏଇ ଝିଅପିଲାଙ୍କ ଡେସ୍କ୍ ମାନଙ୍କ ଭାଗ୍ୟ ଏଇମିତି । ହତାଶିଆ ମାନଙ୍କ ସ୍ୱାକ୍ଷର ବୋହିବୋହି ପିଠି ଯାଦୁ କରି ରୁହନ୍ତି । ଝିଅମାନେ ଗୁରୁତ୍ବ ନଦେଲେ ଭଲ । ଦେଲେ ମଲ ।
ପଚିଶ୍ ବର୍ଷ ପରେ ସେଇ ଲୁସିକୁ ସିଙ୍ଗଲ୍ ଦେଖି ସମସ୍ତେ ଗୁଣୁଗୁଣୁ ହେଲେ । ସେ ନିଜଆଡୁ ପକ୍ଷ ରଖିଲା -
- ସଂସାର ଗଢିବା ଏକ ସାମାଜିକ ଧର୍ମ । ତେବେ ମଣିଷ ସବୁଯାକ ନିୟମକୁ ବାଧ୍ୟ ହୋଇ ନମାନି ବି ସାମାଜିକ ହୋଇପାରେ । ସୃଷ୍ଟିକୁ ସନ୍ତୁଳିତ କରିବାକୁ ବିବାହ ଜରୁରୀ ବୋଧେ ! କିନ୍ତୁ ଏବର ସୃଷ୍ଟି କିଛି କମ୍ ଅସନ୍ତୁଳ କି ?
ବାକି ରହିଲା ଦେହସୁଖ ପାଇଁ ସାମାଜିକ ସିକୃତୀ !
ସତତ ଏୟା ଯେ ପ୍ରତ୍ୟେକ ମଣିଷ ସମାଜର ମୁଖାଟିଏ ପିନ୍ଧି ବୁଲୁଛି କେବଳ ।
ଯଦି ନାହିଁ , ତେବେ ସ୍ୱାମୀ ଥିବା ସ୍ତ୍ରୀ , ଆଉ ସ୍ତ୍ରୀ ଥିବା ସ୍ୱାମୀ ପାଖରେ , ଅପୂର୍ଣ୍ଣତାର ଜ୍ୱାଳା ଏତେ ପ୍ରଖର କାହିଁକି ??
ପାଇଗଲେ , ପ୍ରାପ୍ତିର ଅନ୍ତ ଘଟେନା । ବରଂ , ଆଉଏକ ଅପ୍ରାପ୍ତିର କେନା କଅଁଳେ !!
ମୁଁ ଅସୁଖୀ ନୁହେଁ । ମୋ' ଏକାନ୍ତତା ମୋତେ ଢେର ଖୁସି ଦିଏ । ମୋ ଜବ୍ , ଆଉ ଫଟୋଗ୍ରାଫି ସଉକ୍ ରୁ ସମୟ ବଳିଲେତ ଯାଇ ପୁରୁଷ ର ଆବଶ୍ୟକତା ଚିନ୍ତା କରିବି ???
ସେଇ ଲୁସି ଗାୟବ୍ ଥିଲା । ଏ ସାଂସାରିକ ଭିଡ଼ ଦେଖି ଅସହିଷ୍ଠୁ ହୋଇପଡ଼ିଲାକି ?
{୭}
ସମସ୍ତଙ୍କ ବ୍ୟସ୍ତତାରେ ଗାର ଟାଣି ଲୁସି ଆସୁଥିଲା ଜଳଭଣ୍ଡାର ପଟୁ । ଅମରେଶ କାନ୍ଧରେ ଭରାଦେଇ । ଅମରେଶ ବୋଧେ ତା' ନିଃସଙ୍ଗପଣିଆ ଯୋଗୁଁ ସେପଟକୁ ଚାଲିଯାଇଥିଲା ଏକାଏକା !
- ନେଚର୍ ଫଟୋଗ୍ରାଫି ଲୋଭରେ , ଗୋଡଭାଙ୍ଗି ଦେଇଛନ୍ତି ମ୍ୟାଡମ ।
- କେମିତି କେମିତି ???
- ଇଂନ୍ଦ୍ରଧନୁ କୁ କ୍ୟାମେରା ରେ କୈଦ୍ କରିବାକୁ ଯାଇ , ପାଦ ଖସିଗଲା ଖସଡ଼ା ବାଟରେ ।
- ଇନ୍ଦ୍ରଧନୁ???
- ହଁଅଁଅଁ ସେ ଅସିଦ୍ଧ ଅପହଂଚ ଭ୍ରମ !!
- କଣ କେତେ ହୋଇଛି ?
- ତୁରନ୍ତ ଡାକ୍ତରଖାନା ଟେ ଦର୍କାର ।
ସମସ୍ତେ ସବୁକିଛି ଛାଡି ଆଗଭର ହୋଇଗଲେ ଲୁସି ପାଇଁ ।
ମନିଟର ରମେଶ ଭାଇର ନିଷ୍ପତ୍ତି କିନ୍ତୁ ଭିନ୍ନ ଥିଲା ।
- କେହିଯିବା ଦର୍କାର ନାହିଁ । ସମସ୍ତେ ପାର୍ଟି ଏନ୍ଜୟ କର । ଅମରେଶ ହିଁ ନେଇକି ଯାଉ ଲୁସିକୁ ।
ଟୁଗେଦରନେସ୍ ର ଜରୁରି କେତେ ଜଣାପଡ଼ୁ ସଂସାରକୁ !
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର