Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others Romance

5.0  

Prakash Ranjan Parida

Others Romance

ଅନ୍ତିମ ଦୃଶ୍ୟ

ଅନ୍ତିମ ଦୃଶ୍ୟ

7 mins
14.5K


ଚୁପ୍‌ ଚୁପ୍‌ ସେ ଆସି ଠିଆ ହେଲା ମୋ ପଛରେ । କ’ଣ କେଜାଣି ଗୋଟେ ଧରିଥିଲା ହାତରେ । ନିଃଶବ୍ଦରେ ଠିଆହେଲା ପ୍ରାୟ ଦୁଇ ମିନିଟ । ତା ପରେ….

ସମୟ ସକାଳ ସାତଟା । ସୂର୍ଯ୍ୟଙ୍କୁ ମୁହଁ କରି ବସିଥିଲି ମୁଁ । ପବନର ଗତିଥିଲା ବେଶ୍‌ ଧିମା । ସାମ୍ନାରେ ଥିବା ନଡ଼ିଆ ଗଛର ଛାଇ ପଡୁଥିଲା ମୋ ମୁହଁରେ । ଅଧା ଛାଇ ଅଧା ଆଲୁଅରେ ଚୌକିରେ ବସି ଶୀତ ସକାଳକୁ ଉପଭୋଗ କରୁଥିଲି ମୁଁ । ପ୍ରାଚୀର ଛାଇରୁ ହିଁ ତାକୁ ଠିକ୍‌ ଚିହ୍ନି ପାରିଥିଲି । ହରର୍‌ ଫିଲ୍ମର ଭୂତ ପରି ତା’ ଛାଇ ଲମ୍ବିଥିଲା ମୋ ସାମ୍ନାରେ । ଭିତରେ ଭିତରେ ବେଶ୍‌ ଆମୋଦିତ ହେଉଥିଲି ମୁଁ । ଅଚାନକ୍‌ ତା’ ଛାଇକୁ ଲକ୍ଷ୍ୟ କରି ଜାଣିଲି ରାକ୍ଷସ ପରି ତା ହାତ ଦୁଇଟି ମୋ ଗଳା ଚାପିବାକୁ ଉଦ୍ୟତ ହେଲା ଏବଂ ପରେ ପରେ ପ୍ରାର୍ଥନା ମୁଦ୍ରାରେ ହାତ ଦୁଇଟି ଛାତିରେ ଚାପି ହୋଇଗଲା । ତା’ ପରେ ଝରିଗଲା ପ୍ରାଚୀ ଓଠୁ ଫିକ୍‌ ଫିକ୍‌ ହସର ଯୋଛନା ଆଉ ସେ ବହିଗଲା ପାଣି ପରି ଅଜାଡ଼ି ହୋଇ ପଡ଼ିଲା ମୋ ଉପରେ । ତା ଚମ୍ପା କଢ଼ି ପରି ଅଙ୍ଗୁଳି ଗୁଡ଼ିକ ମୋ ଅଣ୍ଟା ଚାରିପଟେ କୁତ୍‌କୁତ୍‌ କରିବା ଆରମ୍ଭ କଲାତ’ ଚିଡି ଉଠିଲି ମୁଁ -ହେ ଛାଡ଼ କଣ ହେଉଛି ?

ହସ ବନ୍ଦ କରି ପ୍ରାଚୀ କହିଲା ‘‘ସରି... ସରି ସାର୍‌...ସକାଳୁ ସକାଳୁ ଆପଣଙ୍କୁ ଡିଷ୍ଟର୍ବ କଲି, ଏକ୍ସକ୍ୟୁଜ୍‌ ସାର୍‌ କଣ ଏତେ ଭାବୁଥିଲେ ଯେ…?

ତା’ କାନରେ ନାକ ଛୁଆଁଇ ଉତ୍ତର ଦେଲି ‘‘ତମ କଥା’’

-‘‘ମୋ କଥା’’...ଅବିଶ୍ବାସରେ ପ୍ରାଚୀର ଆଖିପତା ଟେକି ହୋଇଗଲା ।

-‘‘ମୁଁ ତ’ ତୁମ ପାଖରେ ଅଛି, ମୋ କଥା ଭାବିବା କଣ ଦରକାର, ଚାହୁଁଛ ତ’ ମତେ ଦେଖିପାର...’’

-‘‘ତମକୁ ଦେଖିଲେ କ’ଣ ପେଟ ପୂରିବ?’’

-‘‘ଆଉ କ’ଣ ଭାବିଲେ ପୂରିବ?’’

-‘‘ଭାବିଲେ ପେଟ ନୁହେଁ ମନ ପୂରିବ, ହଉ ଛାଡ... ମତେ ଛାଡ଼ି ସେପଟେ ବସ; ଆରେ ଏ ଆଲବମ୍‌ କେଉଁଠୁ ପାଇଲ?

-‘‘କେଉଁଠୁ ପାଇଲି ନାଇଁ...ରୁହ ଦେଖିସାରେ, ତା’ପରେ କଥାବାର୍ତ୍ତା । ଆଖି ନଚାଇ ମୁଣ୍ଡ ହଲାଇ ଚେୟାରରେ ବସିଲା, ଆଉ କହିଲା- ‘‘ହଁ ତମେ ଘରେ ନଥିବା ବେଳେ ଯେଉଁ ବିଧବା ସ୍ତ୍ରୀ ଲୋକ ଜଣଙ୍କ ଆସିଥିଲା, ସେ ଆଜି ପୁଣି ଆସିପାରେ, କହୁଥିଲା ତ’ କଣ ଜରୁରୀ କାମ ଅଛି ବୋଲି ।

ସାମାନ୍ୟ ସଙ୍କୋଚରେ ବୁଡ଼ିଗଲି ମୁଁ । କଥା ବୁଲାଇବା ପାଇଁ କହିଲି ‘‘ତମକୁ ପଚାରୁଛି ପରା ଏ ଆଲବମ୍‌ କେଉଁଠୁ ପାଇଲ?

ମଗ୍ନ ଥିଲା ପ୍ରାଚୀ । ‘‘ତମକୁ ଶୁଭୁନି କି? ମୋ ସ୍ବର ଟିକେ ଉଚ୍ଚା ଓ କଠୋର ହେଲା । ମୁହଁ ଉଠାଇ କିଛି ନଜାଣିବା ପରି କହିଲା ‘‘କାଇଁ କଣ ହେଲା?’’ ଅଗତ୍ୟା କ୍ଷଣକ ପାଇଁ ରାଗି ଉଠିଲି ପୁଣି ଥରେ କଅଁଳେଇ ପଚାରିଲି ।

-‘‘ଓହୋ…’’ ଏକାଥରେ ସବୁଯାକ ଦାନ୍ତ ଦିଶିଗଲା ପ୍ରାଚୀର । ‘‘ତମ ନୀଳିମା, ସର୍ମିଷ୍ଠା ଆଉ ଯେତେ ଗୁପ୍ତ ପ୍ରେମିକାଙ୍କ ଚିଠି ଯେଉଁଠୁ ପାଇଥିଲି ସେଇଠୁ… ।’’ ଏଇ ମୁହୂର୍ତ୍ତରେ ପ୍ରାଚୀର ହସ ଏତେ ରହସ୍ୟମୟ ଲାଗିଲା ଯେ ମୁଁ ଆତଙ୍କିତ ହୋଇ ପଡ଼ିଲି, ମତେ ଲାଗିଲା ଯେମିତି ମୋ ପଛରେ ୩୦୨ କି ୩୦୬ ଦଫା ଲାଗିଗଲା ।

ଇୟେ ସେଇ ଏଫୋର ସାଇଜ୍‌ ଆଲବମ, ଯାହା ଉପରେ ଥିଲା କୋଣାର୍କର ନୃତ୍ୟରତା କିଶୋରୀର ଛବି । ମୋ ସ୍ବପ୍ନିଳ ଅତୀତର ମୂକ ସାକ୍ଷୀ । ଆଦ୍ୟ ଯୌବନର କୁନି କୁନି ଅପରାଧର ଦସ୍ତାବିଜ୍‌ । ନୂଆଘରକୁ ଆସିବାବେଳେ ଏଇ ଆଲବମକୁ ଖୋଜୁ ଖୋଜୁ ମୁଁ ଭାଙ୍ଗିଥିଲି ବଡ଼ଭାଇଙ୍କ ଚିନାମାଟିରେ ତିଆରି କୁକୁର, ବାଉଁଶ ପାତ ଧାରରେ ଖଣ୍ଡିଆ ହୋଇଥିଲା ବାଁ ପାଦ । ଜଙ୍କ୍‌ଲଗା ଟିଣବାକ୍ସ, ଅଳନ୍ଧୁଘେରା ଆଲଣା, ଠଣା, ଏପରିକି ତଳେ ବିଛୁଡ଼ି ହୋଇ ପଡ଼ିଥିବା ମୋ ହଜିଲା ଦିନର ଖାତା, ବହି, ଖଡ଼ି, ଭଙ୍ଗା ସ୍ଲେଟ, ଆଇନା ସବୁକିଛିକୁ ପରୀକ୍ଷା କରୁଥଲି ତନ୍ନ ତନ୍ନ କରି, କାଳେ କେଉଁଠି ଛପିଥାଇପାରେ ମୋ ଆଲବମ୍‌, ମୋ ଜୀବନ । ମିଳିଥିଲା ଦୁଇ ପଇସା, ତିନି ପଇସା, ଅଣା, ତମ୍ବା ମୁଦ୍ରା, ଦେବକୁଣ୍ଡରୁ ଆଣିଥିବା ଅଣ୍ଡାକୃତୀ ଶୀଳା, ଛୋଟ ପଲିଥିନରେ ବନ୍ଧା ହୋଇଥିବା ଲାଲ ଲାଲ ରୁଞ୍ଜ ପଳଷ କିନ୍ତୁ ହଜିଗଲା ମୋ ଆଲବମ୍‌ ।

‘‘କିଛି କଥାକୁ ଜାଣିଶୁଣି ଭୁଲିଯିବାକୁ ହୁଏ, ଯଦିଓ ମନରୁ ଲିଭେନା ତା ଚିହ୍ନ; ବେଳେବେଳେ ସେ ଫେରେ, ଆକ୍ତାମାକ୍ତା କରେ ଆଉ ମନକୁ ଫେରେଇ ନିଏ ଅନେକ ପଛକୁ ।’’

ପ୍ରାଚୀ ନିରିକ୍ଷଣ କରୁଥିଲା ଆଲବମ୍‌ର ପୃଷ୍ଠା ପରେ ପୃଷ୍ଠା । ସେଥିରେ ଥିଲା ବିଭିନ୍ନ ସମୟରେ ସିନୁ ମତେ ଉପହାର ସ୍ବରୁପ ଦେଇଥିବା ଅନେକ ଗୁଡ଼ିଏ ହାତଅଙ୍କା ଚିତ୍ର, ସେଥିରେ ଥିଲା ପେନସିଲ୍‌ରେ ଅଙ୍କା ଯାଇଥିବା ମୋ ମୁହଁରେ ଅକାଧିକ ଚିତ୍ର, ଥିଲା ଆମ ଗାଁ ନଦୀ, ସ୍କୁଲ, ପାହାଡ଼ର ଛବି ଏବଂ ପ୍ରତିଟି ଛବି ତଳେ ଛୋଟ ଛୋଟ ଅକ୍ଷରରେ ଲେଖାଥିଲା ‘ସିନୁର ଉପହାର’ କିମ୍ବା ଇଂରାଜୀରେ ‘ଆର୍ଟ ବାଏ ସିନୁ’ । ଅଦ୍ଭୁତ ଭାବରେ ସିନୁର ପ୍ରତିଟି ଚିତ୍ର ସହ ସଂଯୁକ୍ତ ଥିଲା ମୋ ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣାବଳୀର ସ୍ମୃତି । ପ୍ରତିଟି ଚିତ୍ର ମୋ ଭିତରେ ସୃଷ୍ଟି କରୁଥିଲା ଆବେଗିକ ଉଷ୍ଣତା, ଆଖି ଲାଗୁଥିଲା ଓଦା ଓଦା । ସେ ଆଲବମ୍‌ରେ କ୍ୟାମେରାରେ ଉଠାଯାଇଥିବା କୋଣାର୍କ ତଥା ଓଡ଼ିଶାର ଅଳ୍ପ କିଛି ପର୍ଯ୍ୟଟନସ୍ଥଳୀର ଫଟୋଗ୍ରାଫ୍‌ ଥିଲା । ମୋର ମନେପଡୁଥିଲା ଆଲବମ୍‌ର ଶେଷ ପୃଷ୍ଠାରେ ଥିବା ସିନୁଠାରୁ ପାଇଥିବା ଦୁଇଟି ଚିତ୍ର ଓ ତାର ଏକମାତ୍ର ପ୍ରେମ ଚିଠି । ଚଉତା ଚିଠି ଉପରେ ଲେଖାଥିଲା ‘‘ତୁମ ବିନା…’’

ସେଇ ଦୁଇଟି ଚିତ୍ରଥିଲା ତା’ ନିଜର । ଗୋଟିଏରେ ହସୁଥିଲା ମୁର୍କି ମୁର୍କି, ଦିଶୁଥିଲା ଅପ୍ସରୀ ପରି । ଆଉ ଗୋଟିଏରେ ଚିତ୍‌ ହୋଇ ଶୋଇଥିଲା, ଖୋଲା ଆଖିରୁ ଲୁହ ଧାରଟିଏ ଛୁଁ’ଥିଲା କର୍ଣ୍ଣମୂଳକୁ, ଶ୍ବେତବସ୍ତ୍ରଟିଏ ପାଦଠୁ ଗ୍ରୀବା ପର୍ଯ୍ୟନ୍ତ ଆବୃତ୍ତ କରୁଥିଲା, ଖଇ ଓ କଉଡ଼ି କେତୋଟି ପଡ଼ିଥିଲା ଚତୁପାର୍ଶ୍ବରେ, ମଥା ଉପରକୁ ଲେଖାଥିଲା ‘ରାମ ନାମ ସତ୍ୟହେ’ । ସେଇ ଚିତ୍ର ଦେବା ଦିନ ହିଁ ପ୍ରଥମ ଥର ପାଇଁ ସିନୁ ମତେ କହିଥିଲା ‘ଅଂଶୁଭାଇ ତୁମକୁ ମୁଁ ଭଲପାଏ, ବହୁତ ଭଲପାଏ, ତୁମ ବିନା…’’ କୋହ ଉଚ୍ଛ୍ବାସରେ ରୁଦ୍ଧି ହୋଇଯାଇଥିଲା ତା’ କଣ୍ଠସ୍ବର । ମତେ ଜାବୁଡି ଧରି କାନ୍ଦିଥିଲା ଅନେକ ସମୟ । ଯିବାବେଳେ ମୋ ହାତେ ଗୁଞ୍ଜିଦେଇ ଯାଇଥିଲା ଗୋଲାପି ଲଫାପାଟିଏ । ଯାହା ଭିତରେ ଥିଲା ତା’ର କଳାର ନିଦର୍ଶନ ଓ ଚିଠି ଟିଏ । ଯେଉଁ ଚିଠିରୁ ଜାଣିଲି ଦୁଇ ଦିନ ପରେ ଗ୍ରାମ୍ୟବ୍ୟାଙ୍କ୍‌ରୁ ତା ବାପାଙ୍କ ବଦଳି କାରଣରୁ ସେମାନେ ଚାଲିଯିବେ ବାରିପଦାକୁ , ସିନୁ ନାମ ଲେଖାଇବ ଭୁବନେଶ୍ବର ଆର୍ଟି କଲେଜରେ ।

ପ୍ରତି ମାସରେ ଚିଠିଟିଏ ପଠାଇବାକୁ ଭୁଲୁନଥିବା ସିନୁ କିନ୍ତୁ ଦୁଇବର୍ଷ ପରେ ହଜିଗଲା ଯେ ତା’ ଠିକଣା କାହା ପାଖରେ ନଥିଲା । ଖବର କାଗଜରେ ବାହାରିଥିଲା ତା’ ନିଖୋଜ ହେବାର ଖବର । ନୀଳିମାଠୁ ଶୁଣିଥିଲି ତାକୁ କୁଆଡେ ଅପହରଣ କରାଯାଇଛି । ବିଭିନ୍ନ ସମୟରେ ଶୁଣିବାକୁ ମିଳୁଥିଲା ଭିନ୍ନ ଭିନ୍ନ କଥା ।

ପେପରବାଲା ପିଲାଟିର ସାଇକଲ୍‌ ଘଣ୍ଟିର ଆୱାଜରେ ଫେରିପାଇଲି ସମ୍ବିତ୍‌ । ପେପରଟିକୁ ହାତରେ ଧରିଥିଲେ ବି କାହିଁକି କେଜାଣି ପଢ଼ିବାକୁ ଇଚ୍ଛା ହେଉ ନଥିଲା । ଯଦିଓ ସକାଳର ପେପରକୁ ପଢ଼ିବା ପାଇଁ ସବୁଦିନେ ଟାକି ବସୁଥିଲି । ଗୁପ୍ତରେ ପ୍ରାଚୀ ମୁହଁର ଭଙ୍ଗିକୁ ଲକ୍ଷ୍ୟ କଲି । ଶେଷ ପୃଷ୍ଠାରେ ହିଁ ଲଟକିଥିଲା ତା’ ଆଖି । ହେ ଭଗବାନ, ଫଟୋଗ୍ରାଫ୍‌ ପଛରେ ଥିବା ଚିଠି ଉପରେ ନଜର ନପଡୁ ପ୍ରାଚୀର । କାରଣ ସିନୁର ଏଇ ଏକମାତ୍ର ଚିଠି ଯେଉଁଥିରେ ଲେଖାଯାଇଥିଲା ଭଲପାଇବାର କଥା । ପ୍ରାର୍ଥନା ମୁଦ୍ରାରେ ନଥିଲେ ବି ମୋ ଆଖି ବାରମ୍ବାର ବୁଜି ହୋଇଯାଉଥିଲା ।

ଗୋଟାଏ ଲମ୍ବା ଦୀର୍ଘଶ୍ବାସ ପରେ ଅଳସ ଭାଙ୍ଗି ବସିଲା ପ୍ରାଚୀ । ବିନା କିଛି ଉପକ୍ରମଣିକାରେ ଆଲବମ୍‌ଟିକୁ ବଢ଼ାଇ ଦେଲା ମତେ ଆଉ ମାଗି ନେଲା ପେପର, ବଡ଼ ପାଟିରେ ପଢ଼ିଲା ହେଡ ଲାଇନ୍ସ୍‌ । ‘‘ ଜାମ୍ମୁ କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡ଼ିପି ମେଣ୍ଟ, ଶିକ୍ଷକଙ୍କୁ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ, ଆଉ...ଆଉ ରାଜଧାନୀରେ ବର୍ଷା ସହ ଝଡ଼ତୋଫାନ, ପୋଲିସ୍‌ ହେପାଜତରୁ ନାବାଳକ ଦୁଷ୍କର୍ମକାରୀ ଅଭିଯୁକ୍ତ ଫେରାର ।’’

ଦୀର୍ଘ ଅଠର ବର୍ଷର ବ୍ୟବଧାନ ପରେ ଆଲବମ୍‌ଟିକୁ ପାଇଁ ସୁଖରେ କି ଦୁଃଖରେ ଆତ୍ମହରା ହେବାବେଳେ ପ୍ରାଚୀ ମତେ ବଢ଼ାଉଥିଲା ପେପର୍‌ ।

-‘‘ବାଃ ବାଃରେ ପେପରପଢ଼ା, ଗୋଟେ ମିଣ୍ଟିରେ ଶେଷ’’-କପାଳରେ ହାତ ବୁଲାଉ ବୁଲାଉ କହିଲି ।

-‘‘ଆଉ କଣ ତମ ପରି ଅଭଦ୍ର ବିଜ୍ଞାପନ ପର୍ଯ୍ୟନ୍ତ ପଣକିଆ ପରି ଖୋଷନ୍ତି । କଣଟା ପଢ଼ିବି କହିଲ ସେଇ ଚୋରି, ଠକାମୀ, ଦୁଷ୍କର୍ମ ଆଉ କଣଟା ଅଛି ପେପରରେ । ଦୁର୍ଷର୍ମକାରୀଙ୍କୁ ଏତେ ଦୟା କାହିଁକି?’’

ଅଭିଶାପ ବର୍ଷୁଥିଲା । ପ୍ରାଚୀର ଆଖି ଦୁଇଟି ଦେବୀରୁ ଦାନବୀକୁ ରୂପାନ୍ତର ହେଉଥିଲା; ଆଉ ମୁଁ ମିଛରେ ପେପରକୁ ଚାହିଁଥିଲି ସିନା କେଉଁ ଯୁଗରୁ ହୃଦୟ ଭିତରେ ଦେବୀ ରୂପରେ ଥିବା ସିନୁକୁ ଝୁରୁଥିଲି ମନେମନେ ।

-‘‘ହଁ ସାର୍‌ ଗୋଟେ କଥା କହିବି? ମଥା ଟେକି ଚାହିଁଲି ପ୍ରାଚୀ ମୁହଁକୁ । ମୁହଁ ତ’ ପ୍ରାଚୀର କିନ୍ତୁ ଏ ସ୍ବରଟା ପ୍ରାଚୀର ନୁହେଁ, ପ୍ରାଚୀପ୍ରଭା ବେହେରାର । ମନେ ପଡ଼ିଲା ବାହାଘର ପୂର୍ବରୁ ପ୍ରାଚୀର ବାପା ପ୍ରସ୍ତାବ ନେଇ ଆମ ଘରକୁ ଆସିବାବେଳେ ଦେଇଯାଇଥିଲେ ପ୍ରାଚୀର ଫଟୋ ସହିତ ସିଭି । ଆଗ୍ରହରେ ସେଥିରେ ଥିବା ଫୋନ୍‌ ନମ୍ବରରେ ପ୍ରଥମ ଥର କଲ୍‌ କରିବା ବେଳେ ପ୍ରାଚୀର ସ୍ବର ଠିକ୍‌ ଆଜି ପରି ଶୁଭିଥିଲା । ଢେର ପ୍ରଫେସନାଲ ଭଏସ୍‌ ।

-‘‘ହେଲେୋ କିଏ କହୁଥିଲେ?’’

-‘‘ମୁଁ ଅଂଶୁନମାନ ପରିଡ଼ା, ଆନନ୍ଦପୁରରୁ କହୁଥିଲି...କାହା ସହ କଥା ହେଉଛି ଜାଣିପାରିବି କି?’’

-‘‘ମୁଁ ପ୍ରାଚୀ ପ୍ରଭା ବେହେରା କହୁଥିଲି, କଣ କିଛି କାମ ଥିଲା କି?’’

ହସିଲି । ଚେୟାରକୁ ବୁଲାଇଲି ପ୍ରାଚୀର ସାମ୍ନା ସାମ୍ନି ବସିବା ପାଇଁ, ନଡ଼ିଆ ଗଛର ଛାଇ ରହିଲା ଠିକ୍‌ ମୁହଁ ଉପରେ । କହିଲି- ‘‘କୁହ ତୁମର ଗୋଟିଏ କଥା କାହିଁକି ହଜାର କଥା ଶୁଣିବା ପାଇଁ ମୁଁ ପ୍ରସ୍ତୁତ ଅଛି ।’’

-‘‘ତମେ ଯେଉଁ ଶର୍ମିଷ୍ଟା କଥା କହୁଥିଲ ଏ ସବୁ ତାରି ପେଣ୍ଟିଂ ତ?’’

-‘‘ବିନା କିଛି ଗୌରଚନ୍ଦ୍ରିକାରେ ଉତ୍ତର ଦେଲି - ‘‘ହଁ କଣ ବିଶ୍ଵାସ ହେଉନି’’

-‘‘ଶେଷ ପୃଷ୍ଠା ପେଣ୍ଟିଂରେ ଯେଉଁ ଝିଅର ଫଟୋ ରହିଛି ସିଏ ଶର୍ମିଷ୍ଠା?’’

-‘‘ଆରେ ହଁ ସେ ଦୁଇଟି ଯାକ ଚିତ୍ର ତା’ ନିଜର, ଏପଟେ ହସୁଛି, ସେପଟେ ଶବ ହୋଇ ଶୋଇଛି’’- ସିଧା ସିଧା କହିଲି ମୁଁ ।

-‘‘ସିଓର... ମତେ ଲାଗୁଛି ମୁଁ ତାକୁ ଦେଖିଛି’’ ଗମ୍ଭୀର ବନୁଥିଲା ପ୍ରାଚୀ । ତର୍ଜନୀକୁ ଓଠରେ ଚାପି ଚାପି କ୍ଷୀଣସ୍ବରରେ କହୁଥିଲା ‘‘ସେ ସ୍ତ୍ରୀ ଲୋକ ଜଣକ ହାତରେ ଧରିଥିବା ପୋଟ୍ରେଟ...ଆଉ ଆଲବମ୍‌ରେ ଥିବା ଛବି...ଓଃ…’’ ଦୁଇ ହାତରେ ଚାପି ଧରିଲା ମୁଣ୍ଡକୁ ଯେ ଖସିପଡ଼ିଲା କଳା ରଙ୍ଗର କ୍ଲିପଟା ତଳକୁ ।

-‘‘କୋଉ ସ୍ତ୍ରୀଲୋକ , କଣ କହୁଛ…?’’

-‘‘ନାଇଁ ମୁଁ କହୁଥିଲି, ସେ ତମକୁ ତା’ ହୃଦୟରେ ବସାଇଥିଲା, ଭଲପାଉଥିଲା, ତାକୁ ଏମିତି ଧୋକା ଦେଇ ତମେ କିଛି ଠିକ କଲନି ।’’ ପ୍ରାଚୀର କଣ୍ଠସ୍ବରରେ ଉଦାସ ବସା ବାନ୍ଧିଥିଲା, ବରଫ ପରି ତରଳି ଯାଉଥିଲି ମୁଁ ।

-‘‘ନିଖୋଜ...ନିଖୋଜର ମାନେ ବୁଝିଛ କେବେ? ନିଖୋଜ ସମ୍ବାଦର ମଣିଷ ଜଣଙ୍କ କଣ ଏ ଦୁନିଆରେ ନଥାଏ, ନା ତାକୁ ଠିକ୍‌ ଭାବରେ ଖୋଜାଯାଇ ନଥାଏ । କେଉଁଟି ଠିକ୍‌?

ମୋ ସ୍ବରରେ ପରାଜୟର ଭାବ ‘‘ତା’ମାନେ ତମେ କହୁଛ ମୁଁ ଖୋଜିନି’’

-‘‘ଏକ୍‌ଜାକ୍ଟଲି...କାହିଁକି ଖୋଜିବ ଯେ...ସିନୁ ଗଲେ ପ୍ରାଚୀ ଅଛି...ପ୍ରାଚୀ ଗଲେ ଫ୍ରାଚୀ … ।’’

ଆଉ କଣ କିଛି କହିଥାନ୍ତା ପ୍ରାଚୀ, ଗେଟ ପାଖରେ ଗାଡ଼ି ହର୍ଣ୍ଣ ଶୁଣି ଚୁପ୍‌ ହୋଇଗଲା । ନୀଳିମା ଆଉ ସନ୍ଦୀପ୍‌ ଗେଟ୍‌ ଖୋଲି ଆସୁଥିଲେ ଭିତରକୁ । ପ୍ରାଚୀ ଚେୟାରରୁ ଉଠିଲାନି ଏକ ପ୍ରକାର ଡେଇଁ ପଡ଼ିଲା ଖୁସିରେ, ନୀଳିମା ପାଖକୁ ଦୌଡୁଥିଲା, କେରା କେରା ହେଇ ତା’ କେଶ ଉଡୁଥିଲା । ନୀଳିମାର ମୁହଁ ଝାଉଁଳି ଯାଇଥିଲା । ସନ୍ଦୀପ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ମୋ ଆଡ଼କୁ ମାଡ଼ି ଆସୁଥିଲା । ନୀଳିମାର କ’ଣ ହେଇଛି ବୋଲି ପଚାରିବା ବେଳକୁ ପ୍ରାଚୀ ଚିତ୍କାର କରୁଥିଲା-‘‘ଆଜି ରବିବାରଟା ଜମିଲା, ଆଜି ଆଉ ପୂର୍ବଥର ପରି କାମ ଅଛି ବୋଲି କହିବନି ସନ୍ଦୀପ ବାବୁ ।’’ ନୀଳିମା ଆଉ ପ୍ରାଚୀ ମିଶିଗଲେ ବିନା ଗାୟକରେ ଘରେ ବାଦିପାଲା । ନୀଳିମା ଆଉ ସନ୍ଦୀପ ଆସି ମୋ ସାମ୍ନାରେ ବସିଲେ ତ’ ଚା’ ଆଣୁଛି କହି ଉଠିଗଲା ପ୍ରାଚୀ । ଦୁଇ ଜଣ ଯାକ ଥିଲେ ଚୁପ୍‌ଚାପ୍‌, କୃତ୍ରିମ ହସ ଚେନାଏ ଲାଗିଥିଲା ସନ୍ଦୀପ ଓଠରେ । ମନେପକାଇ ଦେବା ପରି ସନ୍ଦୀପ ନୀଳିମାକୁ ଗାଡ଼ିରୁ କଣ ଗୋଟାଏ ଆଣିବାକୁ କହିଲେ ।

କେତୋଟି ଚିରାଚରିତ ବକ୍ତବ୍ୟ ପରେ ସନ୍ଦୀପ କହିଲା-‘‘ଅଂଶୁ ତମେ ଶୀଘ୍ର ବାହର ଆମେ ଯିବା ।’’ କେଉଁଠିକୁ ପଚାରିବା ବେଳକୁ ବିରାଟ ଏକ ପେଣ୍ଟିଂକୁ ଆଣି ଟି-ପୟରେ ଡେର ଦେଇ ରଖିଲା ନୀଳିମା । ‘‘ତୁମ ବିନା...’’ କ୍ୟାପ୍ସନରେ ଅଙ୍କା ଯାଇଥିବା ଏ ପେଣ୍ଟିଂ ତ’ ସିନୁର । ମୁହୂର୍ତ୍ତକରେ ସଂସାରଟା ରହସ୍ୟମୟ ହୋଇଗଲା ମୋ ପାଇଁ । ଆଲବମ୍‌ର ଶେଷ ଚିତ୍ର ଆଉ ଏ ପେଣ୍ଟିଂ… । କିଛି ବୁଝିପାରୁନଥିଲି ମୁଁ । ସାମାନ୍ୟ ଫରକ ଥିଲା ଚିତ୍ର ଦୁଇଟି ମଧ୍ୟରେ, ଆଲବମ୍‌ର ପେଣ୍ଟିଂରେ ସିନୁର ଆଖି ଉନ୍ମୁକ୍ତ ଥିଲା ଆଉ ଏଥିରେ ନିବୁଜ ଥିଲା ଆଖି । ସେଥିରେ ଆଖିରୁ ଝରିଥିଲା ଲୁହ ଏଥିରେ ଝରିଛି ଲହୁ । ଶେଷରେ ଯେଉଁଠି ଲେଖା ଥିଲା ‘ସିନୁର ଉପହାର’, ସେଠି ଲେଖାହୋଇଛି ‘ଅନ୍ତିମ ଉପହାର’ ।

‘‘ଜୀବନରେ ବେଳେବେଲେ ଏମିତି ପରିସ୍ଥିତି ଆସେ ପାଦ ତଳର ମାଟି ଥରୁଛି କି ମାଟି ଉପରର ମଣିଷ ଥରୁଛି ନିଜେ ମଣିଷ ଜାଣି ପାରେନି ।’’

‘‘ଅଂଶୁ ତମେ ଶୀଘ୍ର ଆସ, ସମୟ ବହୁତ କମ୍‌, ସିନୁ ଆମ କ୍ଲିନିକରେ ଅଛି, ସେ ଆଉ ବଂଚିବନି, ତମକୁ ଦେଖିବାକୁ ଚାହୁଁଛି । ତା’ର ଶେଷ ଇଛା ପୂରଣ କର ଅଂଶୁ ।’’ ଅନୁନୟ ମୁଦ୍ରାରେ ନୀଳିମା ବସିପଡ଼ିଥିଲା ଭୂଇଁରେ ।

ଯନ୍ତ୍ରବତ୍‌ ପ୍ୟାଣ୍ଟ୍‌ସାର୍ଟ ପିନ୍ଧି ବାହାରି ଆସିଲି । ନିଜର ନିଶ୍ବାସ ମତେ ଲାଗୁଥିଲା ଆଗ୍ନେୟଗିରିର ଲାର୍ଭା ପରି ଅବିଶ୍ବସ୍ତ-ଅପରିଚିତ, ବିଶ୍ବାସ ମତେ ଭିଡ଼ିନେଉଥିଲା ଆଗକୁ ଆଗକୁ ।

ବାସ୍‌ ...ଆମେ ଅତିକ୍ରମ କରିସାରିଥିଲୁ ଅଗଣା । ବାହାରପଟ ଗେଟ୍‌ର ଖିଡକି ଦେବା ବେଳେ ଦେଖିଲୁ ଟ୍ରେ’ରେ ଚାରିକପ୍‌ ଚା’ ଧରି ପ୍ରାଚୀ ଠିଆ ହୋଇଛି ଅଗଣାରେ । ଚା’ରୁ ଆକାଶ ଆଡ଼କୁ ଉଠି ଯାଉଛି ଗରମ ବାମ୍ଫ, ତା ସାମ୍ନାରେ ହିଁ ସିନୁର ‘ଅନ୍ତିମ ଉପହାର’ ।


Rate this content
Log in