ମନୁଆର କୀର୍ତ୍ତି - ମାନସିକତା
ମନୁଆର କୀର୍ତ୍ତି - ମାନସିକତା
ଉଫଃ ଅସହ୍ୟ । ମୁଣ୍ଡ ଉପରେ ବୈଶାଖ ମାସିଆ ସୂର୍ଯ୍ୟଦେବତା ଦାଉ ଦାଉ ଜଳୁଛି । ରାସ୍ତା ପିଚୁ ତରଳି ଚପଲରେ ଲାଗି ଚଟଚଟ କରୁଛି ।ସକାଳ ୧୦ଟାରେ ବାହାରିଥିଲା କଟକ ବାଦାମବାଡ଼ିରୁ, ଭଦ୍ରକ ବସ ଧରି । ବେଶି ଚାଲାକି କରି ଧାମନଗର ଛକରେ ଓହ୍ଲେଇ ନାମ ନଉଚି ଏବେ । ଭଦ୍ରକ ଆଡୁ ଗାଁ ପାଇଁ ଗୋଟେ ବି ବସ୍ ନାହିଁ । ଅବଶ୍ୟ ଦୁଇଟା ଟ୍ରେକର ଗଲାଣି କିନ୍ତୁ ପଛରେ ଆଳୁ ପିଆଜ ବସ୍ତା ପରି ଲୋକ ଝୁଲୁଛନ୍ତି । ଏଇ ଉଦୁଉଦିଆ ଖରାଟାରେ ଝୁଲି ଝୁଲି ଗଲେ ଅଂଶୁଘାତରେ ପ୍ରାଣ ଯିବା ସୁନିଶ୍ଚିତ । ଗାଁ ମୁଣ୍ଡରେ ସେ ନୁହେଁ ତା ଲାଶ ପହଂଚିବ । ରାସ୍ତା କଡ଼ ନଳକୂଅରେ ମୁହଁ ହାତ ଧୋଇ, ମୁହଁରେ ରୁମାଲ ବାନ୍ଧି ଆଖିରେ କଳା ଚଷମା ଦେଇ ପୁରା ଆତଙ୍କବାଦୀ ପରି ଦିଶୁଚି ମନୁଆ । ପାଖ ପାନ ଦୋକାନରେ ପାନ ଅର୍ଡର ଦେଇ ଟିକେ ପରେ ମା'ତାରିଣୀ ବସ ଆସିବ ବୋଲି ଖବର ସଂଗ୍ରହ କଲା ପରେ ଟିକେ ଶାନ୍ତି ପାଇଲା ମନୁଆ ।
କିନ୍ତୁ ବସରେ ସୋରିଷ ପକେଇବାକୁ ଜାଗା ନାହିଁ । ଗେଟ ପାଖରେ ୧୦ ମିନିଟ କାଳ ଛିଡା ହୋଇ ପରେ ଟିକେ ଭିତରକୁ ଯିବାର ସୁଯୋଗ ମିଳିଲା । ଭିତରେ ଦଳେ କଲେଜ ପଢ଼ୁଆ ଝିଅ ଭିଡ କରି ଅଛନ୍ତି । ବାରିକପୁର କଲେଜରେ ପଢ଼ନ୍ତି କି କଣ! ଡେଲି ଯିବା ଆସିବା କଲା ପରି ଲାଗୁଛନ୍ତି । ଏତେ ଗରମରେ ବି ଏ ଝିଅ ଗୁଡା ହେଁ ହେଁ କରି ଉତ୍ପାତ କରୁଛନ୍ତି । କିଏ ଜଣେ ଦାର୍ଶନିକ କହିଥିଲେ, ଝିଅ ମାନଙ୍କର ସମବେତ ହାସ୍ୟରୋଳର କିଛି ନିର୍ଦ୍ଧିଷ୍ଟ କାରଣ ନଥାଏ । ଯେ କୌଣସି ବିଷୟରେ ଯେ କୌଣସି ପରିସ୍ଥିତିରେ ସେମାନେ ଘୋଡା ପରି ହେଁ ହେଁ କରି ପାରନ୍ତି । ସେଇଟା କୁଆଡେ ଝିଅ ମାନଙ୍କ ସ୍ପେସିଆଲିଟି । କିନ୍ତୁ ମନୁଆ ଲକ୍ଷ୍ୟ କଲା ସମସ୍ତେ ହସୁନାହାନ୍ତି । ସବା ପଛରେ ଛିଡା ଝିଅଟା ପ୍ରାୟ କାନ୍ଦିବା କାନ୍ଦିବା ଉପରେ । କାରଣଟା ଅବଶ୍ୟ ମନୁଆ ଜାଣିପାରିଲା ଟିକେ ପରେ । ସେ ଝିଅର ଠିକ ପଛକୁ ବୟସ ୪୮-୫୦ର ପ୍ରୌଢ। ପୋଷାକ ପରିଧାନରେ ଭଦ୍ରତାର ଛାପ କିନ୍ତୁ ଭିଡର ଭରପୁର ଫାଇଦା ନେଇ ତାଙ୍କ ନିପୁଣ ହାତ ଘୁରି ବୁଲୁଚି ଝିଅଟିର ସର୍ବାଙ୍ଗରେ। ଆଉ ମଝିରେ ମଝିରେ ଖୁବ ଚାଲାକିର ସହ କହୁଛନ୍ତି,
- ଓହୋ, ଧକ୍କା ମାରନାରେ। ସାମ୍ନାରେ ଝିଅ ପିଲା ଅଛନ୍ତି । ମା ତୋର କିଛି ଅସୁବିଧା ହେଉନି ତ !
ଝିଅଟି କିଛି ନକହି କେବଳ ବିକଳ ହୋଇ ଚାହିଁଲା ଥରେ. କିନ୍ତୁ କିଛି କରିବାର ଉପାୟ ନାହିଁ ସାମ୍ନାର ଭିଡ ଠେଲି ବେଶି ପଛକୁ ଯିବା ସମ୍ଭବ ନୁହେଁ ।
ଲୋକଟାକୁ ଚିହ୍ନା ଚିହ୍ନା ଲାଗୁଚି ମନୁଆର। କେଉଁଠି ଦେଖିଛି। ମନେ ପଡିଲା। ୟେ ରାଧୁ ସାହୁ । ତା ମାମୁଁ ଘର ପାଖରେ ୟା ଘର । ଈଶ୍ୱରପୁର ଛକରେ ଲୁଗା ଦୋକାନ ଅଛି । ଲୋକଟାର କଲେଜ ପଢ଼ୁଆ ଝିଅଟେ ଅଛି । ବୋଧେ ଭଦ୍ରକ କଲେଜରେ ପଢେ ।
ପଳିକିରିରେ ଦୁଇଜଣ ଲୋକ ଓହ୍ଲେଇ ଗଲେ ସେଇ ସୁଯୋଗରେ ସାମାନ୍ୟ କସରତ କରି ଠିକ ବୁଢାର ପଛରେ ଯାଇ ଛିଡା ହେଲା ମନୁଆ । ତାପରେ ବୁଢାର କାନ ପାଖକୁ ମୁହଁ ନେଇ ଆସ୍ତେ ଆସ୍ତେ କହିଲା ।
- ମଉସା ଏ ବୟସରେ ଏଡ଼େ କାଇଦାରେ କାମ କାଢୁଛ, ସାଲୁଟ ତୁମକୁ। ଗୁରୁଦେବ ଲୋକ ତୁମେ ।
- ମାନେ ?
- ନା ମାନେ.. ଏକା ଏକା ସବୁ ଖାଇବ, ଏଇଟା କଣ ଠିକ ?? ଆମକୁ ବି ଟିକେ ସୁଯୋଗ ଦିଅ ।
ନିଜ କୀର୍ତ୍ତିର ପ୍ରଶଂସା ଶୁଣି ଚାପା ଉତ୍ଫୁଲ୍ଲିତ ହସ ଉକୁଟି ଉଠିଲା ବୁଢା ମୁହଁରେ.. ବିଜୟୀ ହସ..
- ବୁଝିଲ ଗୁରୁ, କାଲି ବସରେ ଗୋଟେ ଖାସା ଝିଅ ଉଠିଥିଲା. ଉଃ କଣ କହିବି ଗୁରୁ.. କି ଫିଗର.. ପୁରା ଜଳୁଥିଲା। ବାବୁଲା ଭାଇ ତା ସହ ଯାହା କଲାନା, ଶେଷକୁ କାନ୍ଦି ପକେଇଲା ବୁଝିଲ । ନାରଣପୁରର ବାବୁଲା ରାଉତକୁ ଜାଣିଥିବ, ଏବେ ଜେଲରୁ ବାହାରିଛି ଛ ମାସ ହେଲା ମର୍ଡର କେସରୁ । ସାରା ବସର ଲୋକ ଦେଖୁଥିଲେ କାହାରି ମୁହଁରେ କଥା ନାହିଁ.. ହେ ହେ... ଆମକୁ ବି ଭାଗ ଦେଇଚି, ଏକା ଖାଇନି ମ..
- ଆଛା କୋଉଠିକା ଝିଅ ?
- ବାବୁଲା ଭାଇ ଡାଟା ନେଇଛି, ଝିଅଟା ଭଦ୍ରକ କଲେଜରେ ପଢେ । ଇଶ୍ୱରପୁର ଛକରେ ଯୋଉ ବଡ଼ ଲୁଗା ଦୋକାନ ଅଛି ତାରି ଝିଅ.. ବାବୁଲା ଭାଇ କହୁଥିଲା ତା ହଷ୍ଟେଲରୁ ଦିନେ ଉଠେଇ ଆଣି.. ଉଁମ୍ ଉଁମ୍.. କଣ ବୁଝିଲ ତ..! ବାବୁଲା ଭାଇ କହିଛି ତା ମନ ଭରିଗଲେ ଆମକୁ ବି ଅଇଁଠା ଚାଖିବାକୁ ଦବ ।
ଏତେବେଳ ଯାଏ ନିଜ କୃତକର୍ମର ଉତ୍ତେଜନା ବସତଃ ଅଥବା ନିଜ ପ୍ରଶଂସାଗାନ ଶୁଣି ବେଶ୍ ପ୍ରଫୁଲ୍ଲିତ ବଦନରେ କଥା ହେଉଥିବା ରାଧୁ ମଉସାର ମୁହଁ ହଠାତ୍ ଫିକା ପଡିଗଲା..
ଶେଷ କଥା ଶୁଣିବାକୁ ଆଉ ଅପେକ୍ଷା ନକରି, ମୋ ଷ୍ଟପେଜ ଆସୁଛି କହି ସମସ୍ତଙ୍କୁ ଆଡେଇ ଏକା ମୁହାଁ ହୋଇ ଗେଟ ଆଡକୁ ଚାଲିଗଲେ ।
ଏଥର ବସ ଭିତରକୁ ପଶି, ମନୁଆ ମୁହଁରୁ ରୁମାଲ, ଚଷମା କାଢି ପକେଟରେ ରଖିଲା, ସେସବୁର ଆଉ ଦରକାର ନଥିଲା..
© ରାକେଶ ମିଶ୍ର