Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦରଦୀ ବନ୍ଧୁ
ଦରଦୀ ବନ୍ଧୁ
★★★★★

© Sudhir Mohapatra

Others

6 Minutes   7.4K    21


Content Ranking

ହଠାତ ସମସ୍ତେ ଏକବାର ଚୁପ ରହିଗଲେ । କେହି କାହା ସହ ପଦେ ବି କଥା ହେବାର ଦେଖାଗଲାନି । ଅନ୍ୟମାନେ ମଧ୍ୟ ଜଣେ ଆଉଜଣକ ମୁହଁକୁ ଦେଖିଲେ ସିନା, କାହାକୁ କିଛି କହି ପାରିଲେନି । ଏପରି ଅବସ୍ଥା ଦେଖି ସ୍ଵପ୍ନା ଭାବୁଥିଲା ସତେ ଯେମିତି ତା ମନର ସମସ୍ତ ସ୍ଵପ୍ନ ଏବେ ଏଇ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୁରମାର୍ ହେଇଯିବ ।

ସମସ୍ତଙ୍କ ମୁହଁକୁ ବୁଲିବୁଲି ବଡ ସନ୍ତର୍ପଣର ସହ ଦେଖୁଥିଲା ସ୍ଵପ୍ନା । ମାପୁଥିଲା ତା ମନର ମାନଦଣ୍ଡରେ ଏକତ୍ରିତ ହୋଇଥିବା ଅତିଥିମାନଙ୍କ ସମ୍ଭ୍ରାନ୍ତ ପଣିଆକୁ । ମଝିରେ ମଝିରେ ତୁଳନା କରୁଥିଲା ସେମାନଙ୍କ ସହ ନିଜକୁ । ବିଭିନ୍ନ ରକମର ଦାମୀ ପୋଷାକ ସାଥୀକୁ ବହୁ ମୁଲ୍ୟବାନ ଗହଣା । କେହି କେହି ଖୁବ ସୁନ୍ଦର ଦିଶୁଥିଲେ ପ୍ରସାଧନ ସାମଗ୍ରୀର ଉଚିତ ବ୍ୟବହାରରେ । କାହାକୁ ଦେଖିବା ପରେ ପରେ ସ୍ଵପ୍ନା କିନ୍ତୁ ରୋକିପାରୁନଥିଲା ନିଜକୁ । ଠୋ ଠୋ ହସିବାକୁ ଇଚ୍ଛା ହଉଥିଲା । ମାତ୍ର ଭାବୁଥିଲା ବୋଉ କହିଥିବା କଥା । ମା ରେ ଝିଅପିଲା, ନିଜକୁ ଖୁବ ଜଗିରଖି ଚାଲିବା ଦରକାର । ଲଜ୍ଜା ଆଉ ମାନସମ୍ମାନ ପ୍ରତି ଖୁବ ଯତ୍ନବତୀ ହେବା ନିହାତି ଦରକାର ।

ବୋଉର କଥାକୁ ଯେତେ ମନେପକାଇ ହସ ରୋକିବାକୁ ଚେଷ୍ଟା କରୁଥିଲା ସ୍ଵପ୍ନା , ତଥାପି ପାରିନଥିଲା । ଫେଁ କିନା ହସିଦେଇ ମୁହଁ ତଳକୁ କରି ନୀରବରେ ରହିଗଲା । ସୁରଞ୍ଜନ କିନ୍ତୁ ଭଲଭାବରେ ସ୍ଵପ୍ନାକୁ ଲକ୍ଷ୍ୟକରୁଥିଲା । ସ୍ଵପ୍ନା ହସିବାର ଦେଖି , ସୁରଞ୍ଜନ ପଚାରିଲା , କଣ ହେଲା ସ୍ଵପ୍ନ। ? ତମେ ଏମିତି ହସିଲ ଯେ ! ସ୍ଵପ୍ନା ସୁରଞ୍ଜନକୁ ଆଉ କିଛି ବି କହିପାରିଲାନି । ତା’ର ହସିବା କାରଣ ଯାହା ହେଉ ପଛକେ , ସୁରଞ୍ଜନ କିନ୍ତୁ ନିଜକୁ ଆଉ ରୋକିପାରିଲାନି । କିଛି ନବୁଝି ମୂର୍ଖଲୋକ ହସିଲା ପରି ହସୁଥିଲା ସୁରଞ୍ଜନ । ସୁରଞ୍ଜନର ହାତକୁ ଚିମୁଟି ଦେଇ ସ୍ଵପ୍ନା କହିଲା , ଏ ତମେ ଏମିତି କଣ ହଉଚ ଯେ ? ସ୍ଵପ୍ନାର ଚିମୁଟାରେ ଶିହରି ଉଠି ନଥିଲା ସୁରଞ୍ଜନ , କି ଯନ୍ତ୍ରଣା ପାଇନଥିଲା ଟିକିଏବି ।

ସ୍ଵପ୍ନା ଯେ ସୁରଞ୍ଜନକୁ ଭଲ ପାଉନଥିଲା ତା ନୁହେଁ । ମାତ୍ର ସୁରଞ୍ଜନର ଆଖିରେ ସ୍ଵପ୍ନା ଦେଖିଥିଲା ଅସୁମାରି ସ୍ଵପ୍ନର ଫୁଆରା । ବାପାଙ୍କ ଆଦର୍ଶ କିନ୍ତୁ ନିଆରା । ଏକଥା ଖୁବ ଯତ୍ନର ସହ ନିଜ ପାଖରେ ଧରି ରଖିଥିଲା ସ୍ଵପ୍ନା । ସେ ଜାଣିଥିଲା ସାଗରକୁ ଆକାଶ କେବେବି ଛୁଇଁ ପାରେନା । ମାତ୍ର ସମସ୍ତଙ୍କୁ ଏମିତି ଦେଖାଯାଏ , ସତେ ଯେପରି ସାଗର ଓ ଆକାଶ ଦୁହେଁ ନିବିଡ ବନ୍ଧନରେ ଆକର୍ଷୀ ଧରିଛନ୍ତି ଦୁହିଙ୍କୁ । ଯୌବନର ମାନେ ବୁଝିଥିଲା ସ୍ଵପ୍ନା ‘ଯଉବନ’ ବୋଲି । ଯୋଉଠି ଥରେ ନିଆଁ ଲାଗିଗଲେ ଆଉ କେବେ ବି ଲିଭିବା କଷ୍ଟକର । ସେ ନିଆଁ ଲିଭାଇବାକୁ ହେଲେ ଶେଷରେ ତାକୁହିଁ ତା’ ଭିତରକୁ ଡେଇଁପଡିବାକୁ ହେବ, ଏକଥା ସେ ନିଶ୍ଚୟ କରି ନେଇଥିଲା ।

ସୁରଞ୍ଜନ ସେଇମିତି ଗୋଟିଏ କାଠର କଣ୍ଢେଇ ପରି ଅଦୂରରେ ଠିଆ ହୋଇଥିଲା । ବେଳେବେଳେ ହାତ ଉପରକୁ ଉଠାଉଥିଲା କିମ୍ବା କୌଣସି ସୂଚନା ଦେବା ଭଳି ଅଭିନୟ କରୁଥିଲା; ତା ବୋଉ ତାକୁ ଟିକେ ଦେଖୁ ବୋଲି । ବୋଉ କିନ୍ତୁ ନଦେଖିବା ପରି ମୁହଁ ବୁଲାଇ ଦେଉଥିଲେ ଅନ୍ୟପାଖକୁ । ଏକଥା ଭଲଭାବରେ ଲକ୍ଷ କରୁଥିଲା ସୁରଞ୍ଜନ । ତା’ର ଧୈର୍ଯ୍ୟର ସୀମା ଟପିଯାଉଥିବା ବେଳେ ମନେମନେ ନିଷ୍ପତି ନେଉଥିଲା ଏଠାରୁ ଫେରିଯିବାକୁ । ଭାବୁଥିଲା ଭଲପାଇବା କଣ ଏକ ଅକ୍ଷମଣୀୟ ଅପରାଧ ?

ସ୍ଵପ୍ନା ହତବାକ ହେଇଯାଇଥିଲା ଆଖିଆଗରେ ଆୟୋଜିତ କାର୍ଯକ୍ରମ ଦେଖି । ତୁଳନା କଲା ନିଜକୁ । ଭାବିଲା ଭଙ୍ଗାକୁଡିଆରେ ବିତୁଥିବା ଜୀବନ ମୋର । ଅତଳ ପ୍ରାସାଦ , ଆଉ ତା ସାଥିରେ ଏମିତି ଗୋଟିଏ ସାଧାରଣ ବନ୍ଧୁମିଳନ ନିମନ୍ତେ ଯେଉଁଠି ଏତେବଡ ଆୟୋଜନ କରାଯାଏ ସେଇଠି ମୋ ପରିବାରର ସଦସ୍ୟମାନେ ତ କାହିଁ କେଉଁଠି ହଜିଯିବେ । ଏମାନେ ସମ୍ଭ୍ରାନ୍ତ , ଆଭିଜାତ୍ୟ ସମ୍ପର୍ଣ୍ଣ । ପଇସାର ମୂଲ୍ୟ ଏମାନଙ୍କ ପାଖରେ ନଗଣ୍ୟ । ମୁଁ ବୋଧେ ଭୁଲ ସ୍ଥାନରେ ପହଞ୍ଚି ଯାଇଛି । ମୋତେ ଏବେ ଫେରିଯିବାକୁ ହବ । ଅତି ସାଧାରଣ ଜୀବନ ଜୀଇବା ଆମ ଭାଗ୍ୟରେ ଲେଖା ହୋଇଛି । ତୁମ ବାପାଙ୍କ ପ୍ରାଚୁର୍ଜ୍ୟ ଓ ମୋ ବାପାଙ୍କ ଦୈନିକ ମଜୁରି ଭିତରେ କାହିଁ କେତେ ବ୍ୟବଧାନ । ତୁମେ ମୋତେ କେମିତି ପସନ୍ଦ କଲ ଜାଣେନି । ତଥାପି ଏତିକି କହିବି ଆମର ଭଲପାଇବା ଦୁଇଟି ସମାନ୍ତରାଳ ରେଖା । ମନେମନେ କହିହେଉଥିଲା ସ୍ଵପ୍ନା ।

ସୁରଞ୍ଜନ ସ୍ଵପ୍ନାର ମୁଖମଣ୍ଡଳରୁ ତାର ଦରଦକୁ , ଅନୁଭବ କରିପାରୁଥିଲା । ସ୍ଵପ୍ନା କିନ୍ତୁ ବେଳକୁବେଳ ଭାଙ୍ଗିପଡୁଥିଲା ଆସନ୍ନ ଅନିଶ୍ଚିତତାକୁ ଅତିନିକଟରେ ଦେଖି । ଭାବିଲା ମୋ ପାଇଁ ସୁରଞ୍ଜନ ଏମିତି ଏକ ସମ୍ପର୍କ ପାଇଁ ନିଜର ଲୋକମାନଙ୍କଠାରୁ ଦୂରେଇଯିବେ କାହିଁକି ? ବରଂ ମୁ ସୁରଞ୍ଜନଙ୍କଠାରୁ ଦୂରେଇଯିବା ଦରକାର । ନିଷ୍ପତ୍ତି ନେଇ ପଛକୁ ପାଦ କାଢିଲା ସ୍ଵପ୍ନା । ସୁରଞ୍ଜନ ପଚ୍ଛରୁ ସ୍ଵପ୍ନାକୁ ଭିଡିଆଣୀ କହିଲା ତୁମେ ଏ କଣ କରୁଛ ସ୍ଵପ୍ନା ? ତୁମେ ପରା ମୋତେ କଥାଦେଇଛ , ମୋର ଭଲ ବନ୍ଧୁଟିଏ ହୋଇ ରହିବାକୁ । ଏତେଶୀଘ୍ର ହାର ମାନିଗଲେ ଏ ଦୁନିଆ ତୁମକୁ କେବେବି ଛାଡିବନି । ତେଣୁ ସତରେ ତୁମେ ଯଦି ମୋର ପ୍ରକୃତ ବନ୍ଧୁ ବୋଲି କେବେ ଭ।ବିଥାଅ , ତେବେ ଆସ ମିଳିମିଶି ପରିସ୍ଥିତିକୁ ସାମ୍ନା କରିବା ।

ସୁରଞ୍ଜନ କଥାରେ ସ୍ଵପ୍ନା ମନରେ ଶତସିଂହର ବଳ ଆସିଗଲା । କହିଲା , ତମେ ମତେ କଥା ଦିଅ ସୁରଞ୍ଜନ – ଆମେ ଦୁହେଁ ବନ୍ଧୁ ଥିଲେ । ଏବେ ମଧ୍ୟ ଆମର ପରିଚୟ ଦୁହେଁ ବନ୍ଧୁ । ମାତ୍ର ଆମେ ଦୁହେଁ ଯୁବକ,ଯୁବତୀ । ଯେଉଁ ବୟସ ବାରୁଦ ଓ ନିଆଁଠୁ ବି ଆହୁରି ଭୟଙ୍କର । ତେବେ ଆମେ ଦୁହେଁ କାହାକୁ ପରିଚୟ ଦେବା , ଦୁହେଁ କେବଳ ବନ୍ଧୁ ; ଏହା ବ୍ୟତୀତ ଆଉ କିଛି ନୁହଁ , ପଚାରିଲା ସୁରଞ୍ଜନ । ଆଉ ମଧ୍ୟ ସ୍ଵପ୍ନାର କଥାଶୁଣି ଖୁବ ହସିଥିଲା ସେ । କହିଲା , ଏତେ ଭଦ୍ରଲୋକି ହେବା ଠିକ କଥା ନୁହଁ । କାହିଁକି ଜାଣ , ଏକଥାକୁ ମୁଁ ଆଉ ତୁମେସିନା ବିଶ୍ଵାସ କରିନେବା । କିନ୍ତୁ , ଅନ୍ୟମାନେ କହିବେ ତୁମେ ମୋ ସମ୍ପତ୍ତି ଲୋଭରେ, ବିବାହ କରିବା ଆଶାରେ ମୋତେ ତୁମ ପ୍ରେମ ଜାଲରେ ଫସେଇଦେଇଛ । ମୁଁ ଠିକ କହୁଛି ତ ସ୍ଵପ୍ନା ? ସ୍ଵପ୍ନା କିଛି ସମୟ ପାଇଁ ନୀରବ ରହିଲା । ପାଟିରୁ ତାର କଥା ବାହାରିଲାନି । ନୀରବତା ଭାଙ୍ଗି କହିଲା , ଦୁନିଆ କଥାରୁ କଣ ମିଳିବ ମୋତେ ? ଖାଲି ତମେ ଥରେ କହିଦିଅ , ମୁଁ ତମର କିଏ ?

ସୁରଞ୍ଜନ ଉତ୍ତର ଦେଲା , ତୁମେ ମୋର friend,guide ଆଉ philosopher । ତୁମେ ମୋ ଆଦର୍ଶ । ଏଇ ଯେଉଁ ପ୍ର।ଚୁର୍ଜ୍ୟ ଦେଖୁଛ , ଏସବୁ ଖାଲି ଦେଖାଣିଆ । ପୁଅକୁ ଯୋଗ୍ୟ କରିବାକୁ ବାପାମା ଖାଲି ପଇସା ସରେଇ ହଷ୍ଟେଲରେ ଛାଡିଦେଲେ ହୋଇଯାଏନି । ଜାଣିଛ ସ୍ଵପ୍ନା ମୋ ମା, ମରିଯିବା ପରେ ଦୁନିଆ ଯାହାକୁ ସାବତ ମା ବୋଲି ଆଖ୍ୟା ଦେଇଛି , ତାଙ୍କୁ କେବେ ବି , ମୁଁ ମା ବ୍ୟତିତ ଆଉକିଛି ଭାବିନି । କିନ୍ତୁ ସେ ନିଜେ ସାବତ ମା ହେଇଯାଇଛନ୍ତି । ବାପା ବୋଧେ ମୋ ପ୍ରତି ଥିବା ତାଙ୍କର ନୈତିକ ଦାୟିତ୍ଵ ଭୁଲିଯାଇଛନ୍ତି । ନହେଲେ କି ,ମୋତେ ଦେଖି ସୁଦ୍ଧା ନ ଦେଖିବାର ଅଭିନୟ କରିଥାନ୍ତେ ।

ଫେରିଯାଉଥିଲା ସୁରଞ୍ଜନ । ତା ପଛରେ ଚ।ଲୁଥିଲା ସ୍ଵପ୍ନା । ପଚ୍ଛରୁ କାହାର ପାଟିଶୁଣି ଅଟକି ଯାଇଥିଲା ସେ । କାନ୍ଧରେ ତାର ହାତ ଥାପି କୋଳେଇନେଲେ ଛାତି ଉପରକୁ । ମୁଣ୍ଡରେ ହାତ ବୁଲାଇ କହିଲେ , ବାବାରେ ! ତୁ ଏମିତି ଚାଲିଯାଉଛୁ ଯେ ? ଆଖିରୁ ଲୁହ ପୋଛି ସୁରଞ୍ଜନ କହିଲା , ଜେଜେ ମା ! ମୋ ଆସିବାରେ ଏଠି କାହାର ଆବଶ୍ୟକତା ନାହିଁ । ତେଣୁ କାହା ମନରେ ଦୁଃଖ ଦେବା ପରିବର୍ତ୍ତେ ମୁଁ ହଷ୍ଟେଲକୁ ଫେରିଯାଉଥିଲି । ପାଖରେ ସ୍ଵପ୍ନାକୁ ଦେଖି ଜେଜେମା କହିଲେ ଆରେ ସୁର ! ଏ ଝିଅଟି କିଏ କିରେ ବାପା ? ଉତ୍ତରରେ ସୁରଞ୍ଜନ କହିଲା , ଜେଜେମା ଇଏ ମୋ ବନ୍ଧୁ , ମାନେ ସାଙ୍ଗ ।

ତୋ ସାଙ୍ଗ , ପୁଣି ଏ ବଢିଲା ଝିଅଟା ! କହିଲେ ଜେଜେମା । ହଁ , ଜେଜେମା ! ଝିଅମାନେ କଣ ପୁଅଙ୍କ ସାଙ୍ଗ ହେଇପାରିବେନି ? ଜେଜେମା ଉତ୍ତର ଦେଲେ ହଁ , ହେଇପାରିବେ ; ହେଲେ ବିବାହ ପରେ । ବିବାହ କଥା ଶୁଣି ଖୁବ ହସିଥିଲା ସୁରଞ୍ଜନ । ତାର ହସରେ ଚମକି ପଡିଥିଲା ସ୍ଵପ୍ନା । ସୁରଞ୍ଜନର ହସରେ କିଛି ଅନ୍ୟକଥା ଚିନ୍ତା କରୁଥିଲା ସ୍ଵପ୍ନା । ବଡଲୋକର ପିଲାମାନଙ୍କୁ ବୋଧେ ଏଇମିତି ବିଶ୍ଵାସ କରି ବନ୍ଧୁ ହୋଇଥାନ୍ତି ମୋରି ଭଳି ଗରିବ ଝିଅମାନେ । ଆଉ ଶେଷରେ ପରିଣତି ବୋଧେ ଏମିତି ହୁଏ । ଏମିତି କିଛି ଚିନ୍ତା କରୁଥିଲା ସେ ।

ସ୍ଵପ୍ନାର ଅନ୍ୟମନସ୍କ ଭାବ ଦେଖି ସୁରଞ୍ଜନ କହିଲା , ଏ ସ୍ଵପ୍ନା ! କୋଉ ରାଜ୍ୟରେ ଘୂରିବୁଲୁଚ ଶୁଣେ । ମନ ସ୍ତିରକରି ସ୍ଵପ୍ନା କହିଲା , ନା ସେମିତି କିଛି ନୁହେଁ । ଜେଜେମାଙ୍କ ସହ ତୁମର କଥାବାର୍ତ୍ତା ନେଇ ମୁଁ ଭାବବିହ୍ଵଳ ହେଇଯାଇଥିଲି ।

କାନ୍ଥରେ ଝୁଲୁଥିବା ଜେଜେବାପାଙ୍କ ଫଟୋକୁ ଦେଖାଇ ଜେଜେମା କହିଲେ , ଦେଖ ସୁର ! ଇଏ ମୋର ସୁଖ,ଦୁଃଖ ଇହକାଳ ଓ ପରକାଳର ବନ୍ଧୁ । ମା ସ୍ଵପ୍ନା ତୁ ବି ଜାଣିରଖ ,ଥରେ ଗୋଟେ ଯୁବକ ପୁଅର ମନ ଯଦି ଯୁବତୀ ଝିଅର ମନ ସହ ମିଶିଗଲା ତେବେ ସେ ଦୁହେଁ ଜନ୍ମ ଜନ୍ମାନ୍ତରପାଇଁ ବନ୍ଧୁ ହୋଇଗଲେ , ଠିକ ମୋର ସେ ଦରଦୀ ବନ୍ଧୁଟି ପରି । ଏ କଥା ପଦକ କହୁକହୁ ଜେଜେମାଙ୍କ କୋରଡ ଆଖିରୁ ଲୋଳିତ ଚର୍ମ ଉପରକୁ ଗଡିଆସିଥିଲା ସଞ୍ଚିତ କେଇଟୋପା ଶେଷ ଲୁହଧାର ଖାସ ସେଇ ପ୍ରାଣର ବନ୍ଧୁଟି ପାଇଁ । ସ୍ଵର୍ଗବାସୀ ସ୍ବାମୀଙ୍କ ଫଟୋକୁ ଏକ ଲୟରେ ଚାହିଁ ଜେଜେମା ହଜି ଯାଇଥିଲେ ତାଙ୍କର ସେହି ହଜିଲା ଦିନର ଅଭୂଲା ମୁହୂର୍ତ୍ତମାନଙ୍କ ମଧ୍ୟରେ । ଭୁଲି ନଥିଲେ କିନ୍ତୁ ଛନ୍ଦିଦେବାକୁ ସୁର ହାତରେ ସ୍ଵପ୍ନାର ହାତ । କହୁଥିଲେ ବାବାରେ ! ଏ ହାତ କେବେବି ଛାଡ଼ିବୁନି । କାହିଁକି ଜାଣିଛୁ , ମୋ ମନ କହୁଛି ମୋର ସେ ଦରଦୀ ବନ୍ଧୁଠାରୁ ସ୍ଵପ୍ନା ତୋ’ପାଇଁ ଖୁବ ଆପଣାର ବନ୍ଧୁଟିଏ । ନିମନ୍ତ୍ରିତ ବନ୍ଧୁମାନଙ୍କ ଭିଡ ଭିତରେ ସମସ୍ତେ ମଶଗୁଲ ଥିଲା ବେଳେ ଜେଜେମା କିନ୍ତୁ ଚାଲିଯିବାକୁ ଦେଖାଇଦେଉଥିଲେ ଦୂରର ସେଇ ନିଶୂନ ରାସ୍ତା, ଯାହା ଛୁଉଁଥିଲା ଦୂର ଦିଗ୍ବଳୟକୁ । ଅନ୍ଧାର ଘନେଇ ଆସୁଥିଲା । ଅନ୍ଧାର ଭିତରେ ସବୁକିଛି ଲୁଚିଯାଉଥିଲା ବେଳେ ସ୍ଵପ୍ନା ଆଉ ସୁରଞ୍ଜନର ବନ୍ଧୁତ୍ଵ ବନ୍ଧନ ଖୁବ ସ୍ପଷ୍ଟ ଦିଶୁଥିଲା; ପାହାଡ ଫାଙ୍କରୁ ଉଙ୍କିମାରି ମୁଣ୍ଡ ଟେକୁଥିବା ନୂତନ ସୂର୍ଯ୍ୟ ପରି ।


ସୁରଞ୍ଜନ ସ୍ଵପ୍ନା ବନ୍ଧୁତ୍ଵ

Rate the content


Originality
Flow
Language
Cover design

Comments

Post

Some text some message..