ବ୍ରାହ୍ମଣ
ବ୍ରାହ୍ମଣ
ଆମେ ସାମ ବେଦୀ ବ୍ରାହ୍ମଣ l ହଳୁଆ ବ୍ରାହ୍ମଣ ଆସି ଆମ ଭୋଜିରେ ରାନ୍ଧିବ? ମୋ ଜ୍ଞାତି କୁଟୁମ୍ବ ତାକୁ ଖାଇବେ? ଭଉଣୀର ଶ୍ୱଶୁର ରାଗରେ ପଞ୍ଚମ ହୋଇ ମୋତେ କହୁଥିଲେ l ମୋତେ କହିଥିଲେ ରାନ୍ଧୁଣୀଆଟେ ଯୋଗାଡ କରିଦେବା ପାଇଁ l ମୁଁ ଦାନୁଆଁ, ହଳୁଆ, ସାରୁଆ ଭିତରେ ପ୍ରଭେଦ ଦେଖେ ନାହିଁ l ମୋତେ ଲାଗେ କାନ୍ଧରେ ପଇତା ପଡିଛି ତ ବ୍ରାହ୍ମଣ l ଆଉ ତାକୁ ନେଇ ଭଉଣୀର ଶ୍ୱଶୁର ଏମିତି ଗୋଟିଏ ତୁମୁଳ କାଣ୍ଡ କରିବେ, ତାହା ମୋର କଳ୍ପନାର ବାହାରେ ଥିଲା l ଶେଷ ମୁହୂର୍ତ୍ତରେ କରିବି କଣ? ଶେଷକୁ ମୁଁ ଓ ମୋର ଦାଦା ପୁଅ ଭାଇମାନେ ମିଶି ପୁରା ଭୋଜିଟିକୁ ଉଠେଇଥିଲୁ l
ଏହି ଘଟଣାର କିଛି ମାସ ପରେ ଭଉଣୀର ନଣନ୍ଦ ହଳୁଆ ବ୍ରାହ୍ମଣ ପୁଅଟିଏକୁ ବାହା ହେବ ବୋଲ ଜିଦ୍ ଧରି ବସିଲା l ତା ଜିଦ୍ ଆଗରେ ହାର୍ ମାନିଗଲେ ତା ଶ୍ୱଶୁର l ମୁଁ ମୋର ପୁରୁଣା ରାଗ ସୁଝେଇବା ପାଇଁ ତତ୍ପର ହୋଇଗଲି l ନନା ମୋ କାନ୍ଧରେ ହାତ ରଖିଲେ l କହିଲେ, “ଯିଏ ମରିଯାଇଛି, ତାକୁ ମାରି ଲାଭ କଣ?” ମୁଁ ଭଉଣୀର ଶ୍ୱଶୁରଙ୍କ ମୁହଁକୁ ଚାହିଁଲି l ତାଙ୍କ ମୁହଁ ଶେତା ପଡିଯାଇଥିଲା l ମୁଁ ଚୁପ୍ ହୋଇଗଲି l