Arabinda Rath

Inspirational


3  

Arabinda Rath

Inspirational


ପ୍ରେରଣା

ପ୍ରେରଣା

3 mins 14.2K 3 mins 14.2K

ସଭା ସ୍ଥଳରେ ପହଞ୍ଚିବାରେ ମୋର ଟିକେ ବିଳମ୍ବ ହୋଇଗଲା। ତେଣୁ ପଛ ସିଟ୍ ରେ ବସିବାକୁ ପଡିଲା। ସଭା ନୁହଁ ତ, ଲେଖକ ସମ୍ମିଳନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶିଷ୍ଟ ଲେଖକ ଦାମୋଦର ମିଶ୍ରଙ୍କୁ ସହରର ଲେଖକ ଓ କବି ମାନଙ୍କ ତରଫରୁ ସମ୍ମାନିତ କରିବାର ଥିଲା। ମୁଁ ନୂଆ କରି ଲେଖାଲେଖି କରୁଥାଏ, ତେଣୁ କିଛି ଶିଖିବାର ଆଶା ନ ନେଇ ସେ ଯାଗାରେ ବେଶଭୂଷା ହୋଇ ପହଞ୍ଚିଲି। ଖଦଡ ପଞ୍ଜାବୀ ଓ ଧୋବ ଫରଫର ଧୋତି, ତା ସାଙ୍ଗକୁ ହାତରେ ଗୋଟିଏ ଡାଏରୀ ଓ କଲମ। କାନ୍ଧରେ ଝୁଲି ଥାଏ ଏକ ବ୍ୟାଗ୍, ଦେଖିବା ଲୋକ ନିହାତି ବୁଝିଯିବ ଯେ ମୁଁ ଜଣେ ଆଗ ଧାଡିର ଲେଖକ। ସେ ଯାଗାରେ କେତେ ବେଶଭୂଷାରେ ସଜ୍ଜିତ ହୋଇ କବି, ଲେଖକ ମାନେ ବସିଥାଆନ୍ତି; କିନ୍ତୁ ସଭିଏଁ ନୀରବ। କାଳେ ସେମାନଙ୍କର କଥାରେ କିଛି ଅନାବିଷୃତ ରଚନାର ଆଭାସ ମିଳିଯିବ, ସେହି ଆଶଙ୍କାରେ । ମୋ ପରି ଜଣେ ବେସରକାରୀ କର୍ମଚାରୀ ସେ ଲେଖକିଆ ଫନ୍ଦି ଫିକର ଜାଣି ନ ପାରି ପାଖରେ ବସିଥିବା ଲେଖକଙ୍କ ସହ ଦୁଇ ପଦ କଥା ହେବାକୁ ମନ ବଳାଇଲା ବେଳକୁ, ସେ ତାଙ୍କ ଓଠ ଉପରେ ବିଶି ଆଙ୍ଗୁଠି ଚାପି ନୀରବ ରହିବାକୁ ସଚେତନ କରିଦେଲେ। କିଛି ସମୟ ପ୍ରତୀକ୍ଷା ପରେ ଦାମୋଦର ବାବୁ ଆସିଲେ। ନିହାତି ସାଧାରଣ ବେଶଭୂଷା। ଧଳା ସାର୍ଟ, ଢିଲା ପ୍ୟାଣ୍ଟ ସାଙ୍ଗକୁ ପୁରୁଣା କୋଟ ପିନ୍ଧିଛନ୍ତି। ଭୀଷଣ ଗରମ ଦିନରେ ମଧ୍ୟ ଖଣ୍ଡିଏ ପୁରୁଣା ଶାଲ୍ ଦେହରେ ଗୁଡାଇ ମଞ୍ଚକୁ ଚଢିଲେ। ତାଙ୍କ ରୂପଭେକ ଦେଖି ମୋତେ ଟିକେ ଅଖାଡୁଆ ଲାଗିଲା।। ମନରେ ଭାବିଲି, ଯାହାହେଉ ତାଙ୍କ ଅପେକ୍ଷା ମୁଁ ବେଶ୍ ଭଲରେ ଅଛି। ଅନ୍ତତଃ ଭଲରେ ଦୁଇ ଖଣ୍ଡ ପିନ୍ଧି ପାରିଲା ପରି ରୋଜଗାର କରିବାକୁ ମୁଁ ସକ୍ଷମ। କହିବା ବାହୁଲ୍ୟ, ମୋର ଦାମୋଦର ବାବୁଙ୍କ ଅତୀତ, ବର୍ତ୍ତମାନ ବା ଭବିଷ୍ୟତ ବିଷୟରେ ତିଳେ ମାତ୍ର ଜ୍ଞାନ ନ ଥିଲା। କେବଳ ଜାଣିଥିଲି ଯେ ସେ ନିଜ ଲେଖା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କାର ପାଇଥିଲେ। ସେତିକି ସୂଚନା ମୋ ପାଇଁ ଯଥେଷ୍ଟ ଥିଲା, ତାଙ୍କୁ ମୋର ଆଦର୍ଶ ଭାବରେ ଗ୍ରହଣ କରିବା ପାଇଁ। ଭାଷଣ ସରିଲା, ଦାମୋଦର ବାବୁଙ୍କ କହିବା ଶୈଳୀ ମୋତେ ବିଶେଷ ପ୍ରଭାବିତ କରି ପାରିଲା ନାହିଁ। ପୁଣି ଭାବିଲି, ନାଁ ଏ ଲୋକ ମୋର ଆଦର୍ଶ ହୋଇ ପାରିବ ନାହିଁ। କିଛି ନ ହେଲେ ମୁଁ ତାଙ୍କ ଅପେକ୍ଷା ଢେର୍ ଉତ୍ତମ ଢଙ୍ଗରେ ଭାଷଣ ଦେଇ ପାରିବି। ତାଙ୍କ ପ୍ରତି ମନରେ ଥିବା ସମ୍ମାନ ଓ ଜିଜ୍ଞାସା ସେତେବେଳକୁ ହ୍ରାସ ପାଇବା ପରି ଲାଗୁଥିଲା।

ଦର୍ଶକ ମାନେ ଦାମୋଦର ବାବୁଙ୍କ ଅଟୋ ଗ୍ରାଫ୍ ନେବାକୁ ଭିଡ ଲଗାଇଲା ବେଳକୁ ମୁଁ ମୋ ଚେୟାରରେ ଚୁପଚାପ ବସିଥିଲି। ମୋତେ ଲାଗୁଥିଲା ଏଠି ପ୍ରହସନ ଚାଲିଛି। ରାଷ୍ଟ୍ରପତି ପୁରଷ୍କାର ପାଇଥିବା ଲୋକର ଯେପରି ବ୍ୟକ୍ତିତ୍ଵ ହେବା କଥା, ତାହାର କାଣିଚାଏ ଏ ଲୋକ ପାଖରେ ନାହିଁ। ମନରେ ରାଗ ଆସିଲା,ଏମିତି ଲୋକଙ୍କୁ ବି ପୁରଷ୍କାର ମିଳିପାରୁଛି?

ଦାମୋଦର ବାବୁଙ୍କୁ ବିଦାୟ ଦେବା ପାଇଁ ଯିବା ବେଳକୁ ମୁଁ ମଧ୍ୟ ଲୋକଙ୍କ ପଛରେ ଚାଲିଲି। ଭାବିଲି ବୋଧେ ଲେଖକ ମହାଶୟ ଅଟୋ ରିକ୍ସା ବା ରିକ୍ସାରେ ଚଢି ଘରକୁ ବାହୁଡିବେ। କିନ୍ତୁ ଏ କଣ? ଗୋଟିଏ ଅତି ଦାମିକା ଗାଡିର ଚାଳକ ତାଙ୍କୁ ସଲାମ ଠୁଙ୍କି ଦରଜା ଖୋଲି ସ୍ବାଗତ କଲା। ପୁଣି ମନରେ ଆସିଲା, ଦାମୋଦର ବାବୁ ଏତେ ବଡ ଲୋକ ଯେତେବେଳେ ତାଙ୍କୁ ଆଦର୍ଶ ଭାବରେ ଗ୍ରହଣ କଲେ କିଛି ଆପତ୍ତି ନାହିଁ। ଲୋକଙ୍କ ଭିଡ ଆଡେଇ ତାଙ୍କ ପାଖକୁ ଯାଇ ବିନମ୍ରତାର ସହ ଅଟୋ ଗ୍ରାଫ୍ ପାଇଁ ଅନୁରୋଧ କଲି। ସେତିକି ବେଳେ ତାଙ୍କୁ ପଚାରିଲି-- ଖରାପ ଭାବିବେନି ଆଜ୍ଞା, ଆପଣ ଏତେ ବଡ ଲୋକ, ଏପରି ବେଶଭୁଷା ହୋଇ ସଭାକୁ କାହିଁକି ଆସିଲେ ଜାଣି ପାରିବି କି?

ସେ ମନ ଖୋଲା ବସ ହସି କହିଲେ-- କାଇଁ ମୋ ବେଶଭୁଷା ଆପଣଙ୍କୁ ଭଲ ଲାଗିଲାନି କି? ଓଃ ବୁଝିଲି,, ଆପଣ ମୋ କୋଟ୍ ଓ ଶାଲ କଥା ପଚାରୁଛନ୍ତି ନିଶ୍ଚୟ। ମୋ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଲା ଏଇ ଦୁଇଟି ଜିନିଷ। ମୋ ବାପା ଲେଖାଲେଖି ପାଇଁ ମୋତେ ସଦାବେଳେ ପ୍ରେରଣା ଦେଉଥିଲେ। ସେ ଚାଲିଯିବା ପରେ, ଆଜିକି ତିରିଶ ବର୍ଷ ହେଲାଣି ତାଙ୍କର କୋଟ ଓ ଶାଲ ମୋତେ ସେହି ପ୍ରେରଣା ଯୋଗାଇ ଆସୁଛନ୍ତି। ଏହି ଦୁଇଟି ଜିନିଷ ପାଖରେ ଥିଲେ ମୋତେ ଲାଗେ, ବାପା ମୋ ପାଖରେ ଅଛନ୍ତି ଓ ଆଗକୁ ବଢିବାର ପ୍ରେରଣା ଯୋଗାଉଛନ୍ତି।

ଦାମୋଦର ବାବୁଙ୍କ ଦାମିକା ଗାଡିଟି ଧୂଆଁ ଉଡାଇ ସେ ଜାଗାରୁ ଚାଲି ଯାଇଥିଲା। ମୋ ମନ ଭିତରେ ପ୍ରବଳ କୋହ ଉଠି ଆସୁଥିଲା ଓ ମୋର ସ୍ଵର୍ଗତ ବାପା ଲେଖାଲେଖି ପାଇଁ ମୋତେ ଦେଇଥିବା ସେହି ଝରା କଲମଟିକୁ ମୁଁ ମନେମନେ ପାଗଳଙ୍କ ପରି ଖୋଜି ଚାଲିଥିଲି।

ଲେଖକ- ଅରବିନ୍ଦ ରଥ


Rate this content
Originality
Flow
Language
Cover Design