Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Seetaram Dash

3  

Seetaram Dash

ବିଶ୍ୱାସ

ବିଶ୍ୱାସ

8 mins
619


ସନ୍ଧ୍ୟା ଘୋଟି ଆସିଲାଣି। ମିତାର ହାତକୁ ଧରି ପାଖରେ ବସିଛନ୍ତି ମାନସ। ମିତା ଆଖିରୁ ଲୁହର ବନ୍ୟା ଛୁଟି ଚାଲିଛି। ମିତା ଆରମ୍ଭ କଲା, " ତୁମେ ମୋତେ ଛାଡି ଚାଲିଯାଅ ମାନସ।ତୁମ ପାଖରେ ମୁଁ ଜଣେ ଅପରାଧୀ। ମୁଁ ଜଣେ କଳଙ୍କିନି, ମୁଁ ଜଣେ ଚାରିତ୍ରହୀନା। ତୁମ ପରି ଆଦର୍ଶ ସ୍ୱାମୀଙ୍କ ବିଶ୍ୱାସରେ ମୁଁ ବିଷ ଦେଇଛି।ମତେ ଛାଡ଼ି ଚାଲିଯାଅ। ମୁଁ ବଞ୍ଚିବାକୁ ଚାହେଁ ନାହିଁ। ମୁଁ ତ ତୁମ ପାଇଁ ଆଜି ବୋଝ, ଯାହାକୁ ବୋହିବା ପାଇଁ ତୁମେ ଆଜି ତାଳିତଳାନ୍ତ। କାହିଁକି ମୋ ଉପରେ ତୁମର ଦୟା ? କାହିଁକି ମୋ ଉପରେ ଦୟା କରି ମୋ ପାପକୁ ଆହୁରି ବଢ଼େଇ ଚାଲିଛ? ତୁମର ପୁରା ହକ ଅଛି ମୋତେ ମୋ ଅବସ୍ଥାରେ ଛାଡି ଚାଲିଯିବା ପାଇଁ। ଯେତେବେଳେ ମୋ ଯୌବନକୁ ତିଳ ତିଳ କରି ଲୁଟି ଥିବା ମୋ ଭିଣୋଇ ଆଜି ମୋ ଚିକିତ୍ସା ପାଇଁ ମାଗିଥିବା କେତୋଟି ପଇସା ପାଇଁ ମନା କରିଦେଇ ପାରେ, ସେଠି ତୁମେ କାହିଁକି ମୋ ପାଖରେରହି, ମୋ ସେବା କରି ମୋ ଋଣ ଆହୁରି ବଢ଼େଇ ଚାଲିଛ? ଯାଅ, ଦୟାକରି ମୋ ଅବସ୍ଥା ରେ ମୋତେ ଛାଡ଼ି ଚାଲିଯାଅ"।

ମାନସ ବାବୁ କୋଳେଇ ନେଲେ ମିତାକୁ। ମସ୍ତିଷ୍କ ଓ ହୃଦୟ ଭିତରର ଦ୍ବନ୍ଦ ଭିତରେ ଜିତିଯାଏ ହୃଦୟ । ମିତାର ମୁଣ୍ଡକୁ ଆଉଁଶି ଦେଇ ମାନସ ବାବୁ କହିଲେ," ପାଗେଳି। ତୁମେ ତୁମ ଭୁଲ ବୁଝିପାରିଛ ବଡ କଥା। ସେତେବେଳେ ତୁମେ ମୋର ସ୍ତ୍ରୀ ଥିଲ, ଆଜିବି ମୋର ସ୍ତ୍ରୀ ହୋଇ ଅଛ।ତମେ ପରା ମୋ ଘରର ଲକ୍ଷ୍ମୀ, ତମକୁ କେମିତି ଛାଡ଼ିଦେଇ ଯିବି।ଯେପରି ଖଣ୍ଡେ ବାଦଲ ସୂର୍ଯ୍ୟକୁ କିଛି ସମୟ ପାଇଁ ଘୋଡାଇ ଦିଏ, ସେହିପରି କେହି ଜଣେ ଆମ ଭଲ ପାଇବାକୁ କିଛି ସମୟ ପାଇଁ ଘୋଡାଇରଖିଥିଲା। ମୁଁ ତୁମ ଦୃଦୟକୁ ଭଲ ପାଏ ତୁମ ଅନ୍ତରକୁ ଭଲ ପାଏ। ପ୍ରାୟଶ୍ଚିତ, ସବୁ ପାପକୁ ଧୋଇ ଦେଇ ପାରେ। ମୁଁ ଜାଣେ, ଯେଉଁ ଦିନ ଗୁଡିକ ବିତି ଯାଇଛି, ସେ ଆଉ ଫେରିବନି, କିନ୍ତୁ ମୋ ବିଶ୍ୱାସର ଆଜି ଜିତାପଟ ହୋଇଛି। ହୋଇପାରେ ଯେ, ସେଦିନର ମୋ ହତାଶ ପଣ, ମୋ ରାଗ, ମୋ ଦୁଃଖକୁ ମୁଁ ଚିରଦିନ ପାଇଁ ଭୁଲି ନ ପାରେ, କିନ୍ତୁ ମୋ ଭଲ ପାଇବାର ଜିତାପଟ ରେ ସେସବୁ ପାଣି ଫୋଟକା ପରି ମିଳେଇ ଗଲେଣି। ତେଣୁ , ଦୁଃଖ ନକରି ମୋ ଉପରେ ବିଶ୍ୱାସରଖ, ଖୁବ ଶୀଘ୍ର ଭଲ ହୋଇ ତୁମେ ଘରକୁ ଫେରିବ।

ମାନସ ଛାତିରେ ମୁଣ୍ଡରଖି ମିତା ମନେପକାଉ ଥିଲା ପୁରୁଣା ଦିନ ଗୁଡିକୁ। କେତେ ଯେ ସେ ହଇରାଣ ନ କରିଛି ସେ ମାନସକୁ, କିନ୍ତୁ ମାନସ ଆଜି ପଦେ କଥାରେ କେତେ ନିଜର ଲାଗୁଛନ୍ତି। କାହିଁକି ସେ ଆଜି ଯାଏଁ ଚିନ୍ହି ପାରି ନଥିଲା ମାନସକୁ? କାହିଁକି ମିଛ ମାୟା ସଂସାର ଭିତରେ ଏତେ ଭଲ ସ୍ୱାମୀ ଥାଉ ଥାଉ ସେ ହଜେଇ ଦେଲା ତା ଚାଲିବା ରାସ୍ତାକୁ? କାହିଁକି ଗୋଡ ଖସେଇ ଦେଲା ସେ? ସତରେ କେତେ ବଡ଼ ଭୁଲ କରିଛି ସେ, ପ୍ରାୟଶ୍ଚିତ ରେ ଆଖିରୁ ଅନୁତାପର ଅଶ୍ରୁ ବନ୍ଦ ହେବାର ନାଁ ନେଉ ନଥାନ୍ତି। ଲୁହ ବୋହି ମାନସ ଙ୍କ ଶାର୍ଟ ବି ଭିଜି ସାରିଥାଏ। ଆଖି ବନ୍ଦ କରି ସେ ଫେରି ଯାଉଥାଏ ପ୍ରାୟ ୫ ବର୍ଷ ତଳକୁ.....

ମନୋଜ ଥିଲା ମିତାର ସମ୍ପର୍କୀୟ ଭିଣୋଇ। ବଡବାପା ଙ୍କ ବଡ ଜୋଇଁ। ମନୋଜ ଆଉ ବଡ ନାନୀର ବାହାଘର ଦିନ ସର୍ବତ ଗ୍ଲାସ ଧରୁ ଧରୁ ମନୋଜ ନିଜ ଦୁଷ୍ଟ ଚାହାଣି ସହ ଧରି ନେଇଥିଲେ ମିତାର ହାତକୁ। ସେଦିନୁ ଭିଣୋଇଙ୍କୁ ଦେଖିଲେ ମିତାର ତନ ମନ ରେ ନିଆଁ ଲାଗିଯାଏଁ ଯେମିତି। ଶ୍ବଶୁର ଘରକୁ ଆସିଲେ, ସେ ସମସ୍ତଙ୍କ ଅଲକ୍ଷ୍ୟ ରେ ମିତା ଦେହରେ ହାତ ବୁଲେଇ ଆଣନ୍ତି। ସେଦିନୁ ମିତା ବି କାହିଁକି କେଜାଣି ବନ୍ଧା ପଡି ଯାଇଥିଲା ମନୋଜ ପାଖରେ। ଏପରିକି ବାହାଘର ପରେ ବି ଏ ଅଭ୍ୟାସ ଟା ଛାଡି ପାରିନଥିଲା ସେ।

ସେଥର ମନୋଜ ଭାଇ ସହ ଦେଖାହୁଏ ବାହାଘରର ଚାରିମାସ ପରେ । ।

ବିବାହର ପରେ ପରେ,ମିତାକୁ ଦେଖି ମନୋଜ ନିଜକୁ ବିଶ୍ୱାସ କରିପାରୁ ନଥାନ୍ତି। ଆଖି ଆଖିରେ ଇସାରା କରି ଜଣେଇ ଦେଉଥାନ୍ତି। ବିବାହର ମାତ୍ର ଚାରି ମାସ ଭିତରେ ଏତେ ପରିବର୍ତ୍ତନ। ଗ୍ରୀଷ୍ମର ପ୍ରବାହରେ ଜଳି ଯାଇଥିବା ବୃକ୍ଷ ପହିଲି ଆଷାଢ଼ର ବାରିଧାରାରେ ଯେପରି ନବ ପଲ୍ଲବୀତ ହୋଇଉଠେ, ଠିକ ସେହିଭଳି ବିବାହ ପରେ ମିତାର ତନୁମନରେ ଅପୁର୍ବ ସୌନ୍ଦର୍ଯ୍ୟର ଲାବଣ୍ୟ ଢେଉ ଖେଳୁଥିଲା। ଆଜି ମିତା ଲାଗୁଥିଲା ସତେ ଯେମିତି ସ୍ୱର୍ଗର ଅପ୍ସରୀ। ହେଲେ ମନୋଜ ଭାଇ ମନର ଭାବନାକୁ ପ୍ରକାଶ କରି ପାରୁନଥିଲେ କାହା ପାଖରେ। ପ୍ରଥମ ଦିନ ବିତିଗଲା ସାମାନ୍ୟ କଥାବାର୍ତ୍ତା ଆଉ ହସ ଖୁସି ଭିତରେ। ପର ଦିନ ସକାଳ ମନୋଜ ଭାଇ ବସିଥିଲେ ଏକୁଟିଆ ଚେୟାର ଉପରେ। ନାନୀ ପାଖ ଘରେ ଟିଭି ଦେଖିବାରେ ବ୍ୟସ୍ତ, ବଡ ମା ବି କିଚେନ ରେ ଚା ଜଳଖିଆ ପ୍ରସ୍ତୁତ କରୁଥାନ୍ତି, ମିତା ସିଧା ଆସି ମନୋଜର କୋଳରେ ବସିଲା ଖୁବ ସହଜ ଭାବରେ। କିଂକର୍ତବ୍ୟବିମୁଢ ହୋଇ ଉଠି ପଡିଲେ ମନୋଜ। ଏସବୁ ତାଙ୍କର ପସନ୍ଦ ନ ଥିଲା ତାହା ନୁହେଁ, କାଳେ କିଏ ଦେଖିନେବେ ସେଇ ଡର। ଆଖି ବି କଥା କହେ। ଲୁଚି ଲୁଚେଇ କହିଯାଏ ମନର ଭାବ। ଏ ଦୁଇ ଜଣଙ୍କ ଆଖିବି ହେଉଥିଲେ ଅନେକ କଥା। ଖାଲି ସୁଯୋଗକୁ ଅପେକ୍ଷା କରିରହିଥିଲେ ଦୁଇଜଣ।

ମନ ଖୋଜୁଥିଲା କାକର ପାଣି। ବଇଦ କହିଲା ଖା ତୋରାଣି। ଏମାନଙ୍କୁ ବି ବେଳେବେଳେ ସୁଯୋଗ ମିଳିଯାଉଥିଲା, ଘରର ଚାରିକାନ୍ଥ ଭିତରେ ଏମାନେ ଅତିକ୍ରମ କରୁଥିଲେ ସମ୍ପର୍କର ଲକ୍ଷ୍ମଣ ଲେଖାକୁ। ଜଣେ ଶାନ୍ତ ସରଳ ସ୍ୱାମୀକୁ ଠକି ଚାଲିଥିବା ସମୟରେ ଆଉ ଜଣେ ପତିବ୍ରତା ସ୍ତ୍ରୀର ବିଶ୍ୱାସରେ ବିଷ ଦେଇ ଚାଲିଥାଏ। ଦୁଇଜଣ ଏକରଙ୍ଗୀନ ଦୁନିଆରେ ନିଜକୁ ହଜାଇ ଦେଉଥିଲେ। ଅନେକ ସମୟରେ ଏମାନଙ୍କ ଫୋନରହୁଥିଲା ବ୍ୟସ୍ତ। ରାତି ଆଉରତିର କାହାଣୀରେ ସରୁଥିଲା ଏମାନଙ୍କର କଥା।ହିସାବରେ ଶାଳୀ, ଦୁଇ ଜଣଙ୍କ ବୟସ ମଧ୍ୟରେ ଦଶ ବର୍ଷର ଫରକ। ତଥାପି....

ମାନସ ଥିଲା ଖୁବ ସୁନ୍ଦର ଆଉ ସରଳ।ବଡ ନାନୀ ଥିଲା ସୁନ୍ଦର ସୁଶୀଳା ଆଉ ପତିବ୍ରତା। କିନ୍ତୁ ମନ ବଡ଼ ଚଞ୍ଚଳ। ମଣିଷ ପାଖରେ ଯାହା ଥାଏ, ସେଥିରେ ସେ ସନ୍ତୁଷ୍ଟ ହୋଇ ପାରେ ନାହିଁ କିନ୍ତୁ ମଣିଷ ଯାହା ପାଏ ନାହିଁ ତାକୁ ସର୍ବସ୍ବ ମନେକରି ବସେ। ଲମ୍ପଟ ମଣିଷକୁ ଘରର କ୍ଷୀରି ପୁରୀ ଅପେକ୍ଷା ପର ଘରର ବାସି ରୁଟି ଭଲ ଲାଗେ। ମନୋଜର ମିଠା ମିଠା କଥାରେ ମିତା ଭାସି ଯାଉଥିଲା ଦୂରକୁ, ଅନେକ ଦୂରକୁ। ମନୋଜ ବି ଅନେକ ଟଙ୍କା ଖର୍ଚ୍ଚ କରୁଥିଲା ମିତା ପଛରେ।ଏମାନେ ଲୁଚି ଛପି ମିଳାମିଶା କରୁଥିଲେ। ଫିଲ୍ମ ହଲ ଠୁ ଆରମ୍ଭ କରି ସପିଙ୍ଗ ମଲ ପର୍ଯ୍ୟନ୍ତ ଅବାଧ ମିଳାମିଶା କରୁଥିଲେ। ଧୀରେ ଧୀରେ କଥାଟା ଦାଣ୍ଡରେ ପଡି ହାଟରେ ଗଡ଼ିବାକୁ ଲାଗିଲା।

ମିତାକୁ ମାନସ ଅନେକ ବୁଝାଇଲା ପରେ ବି କିଛି ଫରକ ପଡୁ ନଥିଲା, ଓଲଟା ନିର୍ଯ୍ୟାତନା କେଶ ରେ ଫସେଇ ଦେଵ ବୋଲି ନାଲି ଆଖି ଦେଖାଉଥିଲା ସେ। ଲୁଚି ଛପି କେମିତି ନା କେମିତି ସେମାନେ ମିଳାମିଶା କଥା ବାର୍ତ୍ତା କରିନିଅନ୍ତି। ଅତିରୁ ଇତି ହେଲା ପରେ ମାନସ ଛାଡପତ୍ର ଦେବା ପାଇଁ ସ୍ଥିର କରେ। କିନ୍ତୁ ଶାଶୁ, ପୁଅଙ୍କୁ ବୁଝାନ୍ତି,"ସ୍ତ୍ରୀ ହେଉଛି ଘରର ଲକ୍ଷ୍ମୀ। ଧୈର୍ଯ୍ୟ ଧରି ସଂସାର ରୂପକ ସାଗରକୁ ପରି ହେବାକୁ ପଡ଼ିବ।ମିତା ଦିନେ ନା ଦିନେ ତା ଭୁଲ ବୁଝିବ"। ମାନସର ଅତୁଟ ବିଶ୍ୱାସ ଥିଲା ବୋଉ ଉପରେ।ଲୋକ ହସା ହେବା ଅପେକ୍ଷା ବୋଉ କଥାକୁ ମାନି ନେବା ଭଲ, ତେଣୁ ଚୁପରହେ ମାନସ। ଭିତରେ ଭିତରେ ନିଜର ପୁରୁଷତ୍ବକୁ ଧିକ୍କାର କଲେ ବି ଆଖି ବନ୍ଦ କରି ସହିଯାଏ ସେ।

ମନୋଜ ଆଉ ମିତା ପ୍ରେମର ସାତରଙ୍ଗରେ କିଛି ଦିନରଙ୍ଗୀନ ହେଲା ପରେ ଧୀରେ ଧୀରେ ମୁହଁ ବୁଲେଇ ନେଇଥିଲା ମନୋଜ।କାରଣ ଦୁଇ ଜଣଙ୍କ ଭଲ ପାଇବାରେ ନା ଥିଲା ପବିତ୍ରତା, ନା ଥିଲା ବିଶ୍ୱାସ। ଥିଲା ତ କେବଳ କାମନା ବାସନା। ଦୈହିକ ସଂପର୍କ ଉପରେ ଥିବା ଭଲପାଇବାର ସେତୁଟି ଅଧିକ ଦିନ ତିଷ୍ଠିରହିପାରେ ନାହିଁ। ଏବେ ଦୁଇଟି ବିପଥଗାମୀ ମଣିଷ ପୁଣି ମୁଖ୍ୟ ସ୍ରୋତରେ ସାମିଲ ହୋଇ ଯାଇଥିଲେ। ପୁଣି ଫେରି ଆସିଥିଲେ ନିଜ ନିଜ ସଂସାର ଭିତରକୁ, କିନ୍ତୁ ମଝିରେ ମଝିରେ ଫେରି ଯାଉଥିଲେ ସେଇ ଆଦିମ ପଶୁତୁଲ୍ୟ ଇଛାକୁ ଫଳପ୍ରସୂ କରିବାକୁ।

ହଠାତ କୌଣସି ଏକ ରୋଗ ରେ ପୀଡିତ ହେଲା ମିତା। ଭିତରେ ଭିତରେ ନିଜେ ଜାଣିପାରି ଭିଣୋଇ ଭାଇ ଙ୍କ ସାହାର୍ଯ୍ୟ ଲୋଡିଲା ସେ। କିନ୍ତୁ ଫଳ ଉପରୁ ଚୋପା ଛଡେଇ ଫିଙ୍ଗିଦେଲା ପରି ମନୋଜ ଫିଙ୍ଗି ଦେଇଥିଲା ମିତାକୁ। ଫୋନ ବି ଉଠାଉ ନଥିଲା ସେ।

ଆସ୍ତେ ଆସ୍ତେ ମିତାର ଅପ୍ସରୀ ପରି ଚେହେରା, ନର କଙ୍କାଳ ପରି ହେବାକୁ ବସିଲା। ମାନସ ଜୋର କରି ତାକୁ ନେଇ ଆସିଥିଲା ଡାକ୍ତର ଖାନା। ବହୁତ ଜଣ ଡାକ୍ତରଙ୍କୁ ଦେଖେଇ ଭିନ୍ନ ଭିନ୍ନ ଔଷଧ ଖାଇଲା ପରେ ବି ମିତାର ଦେହ ଭଲ ହେବାର ନାଁ ନେଉ ନଥାଏ। ଅନେକ ବଡ଼ ବଡ଼ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ କିଛି ସୁଫଳ ମିଳିଲାନି। ମାନସ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି। ରୋଗଟା କଳାମେଘ ପରି କାଳ ହୋଇ ଘୋଟି ଆସିଲା ପରିବାର ଉପରେ। ଏବେ ଦୁଇପଟ ରୁଟି ପାଇଁ ମଧ୍ୟ ପଇସା ଅଭାବ। କିଛି ଉପାୟ ନ ପାଇ ସମସ୍ତଙ୍କ ଅଜାଣତରେ ବଡ଼ ଭିଣୋଇ ମନୋଜ ପାଖକୁ ଫୋନ କରି କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲା ମିତା, କିନ୍ତୁ ସ୍ୱାର୍ଥପର ମନୋଜ ମନା କରିଦେଲା। ମିତାର ଶେଷ ବିଶ୍ଵାସଟି ପାଣି ଫୋଟକା ପରି ଫାଟି ଯାଇଥିଲା ସେଦିନ। ସେଦିନ ସେ ବୁଝି ପାରିଥିଲା ନିଜ ଲୋକ ଓ ପର ଲୋକ ମଧ୍ୟରେ ପାର୍ଥକ୍ୟ। ଫୁଲରୁ ମହୁ ସରିଗଲା ପରେ ଭ୍ରମର କେବେବି ଫୁଲର ପାଖ ମାଡ଼େନି। ମନୋଜ ଏହା ପ୍ରମାଣିତ କରି ସାରିଥିଲା। ମନୋଜ ପାଖରେ ଯେ ଟଙ୍କା ନ ଥିଲା ତାହା ନୁହେଁ ଟଙ୍କା ଦେଲେ ମିଳିବ କି ନ ମିଳିବ ବିଶ୍ୱାସ କରି ପାରୁ ନ ଥିଲା ମନୋଜ । କାରଣ ମିତା ଆଉ ଭଲ ହେବ ବୋଲି ତାର ବିଶ୍ୱାସ ନ ଥିଲା। ମିତା ମରିଗଲା ପରେ ଟଙ୍କାଟା ଆଣିବାଟା ଠିକ ହେବନି ବୋଲି ଭାବୁଥିଲା ସେ।

ସବୁ ଆଶା ମଉଳି ଗଲା ପରେ ନିଜର ସବୁ ଜମିବାଡ଼ି ବନ୍ଧା ପକାଇ ମାନସ ମିତାକୁ ନେଇ ଆସିଥିଲେ ଦିଲ୍ଲୀ, ଅଧିକ ଚିକିତ୍ସା ପାଇଁ। ମିତାର ଆତ୍ମବିଶ୍ୱାସ ବଢାଇବା ପାଇଁ ମାନସ ବାରମ୍ବାର କହୁଥିଲେ,"ମୋ ଉପରେ ବିଶ୍ୱାସରଖ, ଧୈର୍ଯ୍ୟ ଧର, ତୁମର କିଛି ହେବନି। ମୁଁ ପରା ଅଛି। ତୁମେ ନିଶ୍ଚିତ ଭଲ ହୋଇ ଫେରିବ। ଭଗବାନ ଆମ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି।"

ଆଜି ସକାଳୁ ମିତାର ପ୍ରାୟଶ୍ଚିତର ବନ୍ଧ ଭାଙ୍ଗି ଯାଇଥିଲା। ନିଜକୁ ଧିକ୍କାର କରୁଥିଲା ସେ। ଡାକ୍ତରଖାନାର ବେଡ଼ ଉପରେ ମିତାର କ୍ଷିଣକାୟ ଶରୀର ନିସ୍ତେଜ ହୋଇ ପଡିଥାଏ। ଅନେକ ଦିନ ହେବ ଖାଇବା ପିଇବା ବନ୍ଦ ପ୍ରାୟ କହିଲେ ଚଳେ। ତରଳ ଖାଦ୍ୟ ରେ ଜୀବନ ବଞ୍ଚିଛି। ବେଳେ ବେଳେ ବାନ୍ତି ହେଉଛି। ପାଖରେ ସ୍ୱାମୀ ମାନସ ମନ ଦୁଃଖରେ ବସି ପିଠିକି ଆଉଁଶି ଦିଅନ୍ତି। ପାଖରେ କେବଳ ସ୍ୱାମୀ, ଘର ଲୋକ ସବୁ ଗାଁ ରେ। ଅତି ଦୟନୀୟ ପରିସ୍ଥିତି। ଏକୁଟିଆ ମାନସ ସବୁ କରୁଛନ୍ତି। ମିତାର ଓଦା ଗାଧୁଆ ଲୁଗା ଶୁଖାଇବା ଠୁ ଆରମ୍ଭ କରି ଝାଡା ବାନ୍ତି ସଫା କରିବା ପର୍ଯ୍ୟନ୍ତ ସବୁ କାମ ସୁଚାରୁରୂପେ ସମ୍ପାଦନ କରୁଛନ୍ତି। କେବେ ବି ବିରକ୍ତ ହୁଅନ୍ତି ନାହିଁ କି ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତି ନାହିଁ। ନର୍ସ କିଛିମେଡ଼ିସିନ ଅତି ଶୀଘ୍ର ଆଣିବାକୁ କହି ପ୍ରେସକ୍ରିପ୍ସନ ଖଣ୍ଡେ ବଢ଼ାଇ ଦେଲେ ମାନସ ହାତକୁ। ମାନସ ମିତାକୁ "ବ୍ୟସ୍ତ ହେବନି,ମୁଁ ପାଞ୍ଚ ଦଶ ମିନିଟ ରେ ଆସୁଛି" କହି ଚାଲିଗଲେ। ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଫେରି ନଥିଲେ ମାନସ। ନର୍ସର ଡାକରେ ମିତା ଆଖି ଖୋଲିଲା। ନର୍ସ ମେଡିସିନି ମାଗି ଫେରିଗଲେ, ଡାକ୍ତର ମାନେ ବ୍ୟସ୍ତ ହୋଇଗଲେଣି। ଦଶ ମିନିଟରେ ଆସିବାକୁ କହି ଫେରି ନାହାଁନ୍ତି ମାନସ, ଅଧଘଣ୍ଟା ହୋଇ ଗଲାଣି। ପାଖ ଦୋକାନରେ ଔଷଧ ମିଳୁ ନ ଥିବାରୁ ମାନସ କିଛି ଦୂରକୁ ଚାଲିଯାଇ ଥିଲେ। ମାନସଙ୍କ ମନରେ ଅନେକ ଶଙ୍କା।ଡାକ୍ତରଙ୍କୁ ଔଷଧ ଦେଖାଇ ଏକ ପ୍ରକାର ଦୌଡ଼ି ଦୌଡ଼ି ଆସିଲେ ମିତା ପାଖକୁ । ମିତା ବେଡ଼ରେ ଅବ୍ୟବସ୍ତିତ ହୋଇ ପଡିଛନ୍ତି। ଦେହ ସାରା ବାନ୍ତି। ନିଜକୁ ଆଉ ସମ୍ଭାଳି ପାରିଲେନି ମାନସ। ମିତାକୁ ଉଠାଇ ନିଜ ଗାମୁଛା ରେ ମୁହଁ ହାତରେ ପଡିଥିବା ବାନ୍ତି ପୋଛିଲା ବେଳକୁ ପିଲାଙ୍କ ଭଳି କାନ୍ଦି ପକାଇଲେ ମାନସ। ଡାକ୍ତର, ନର୍ସ ସମସ୍ତେ ଦେଖୁଥାନ୍ତି ମାନସଙ୍କୁ। ସମସ୍ତଙ୍କ ମୁହଁରେ ମାନସଙ୍କ ପାଇଁ ପ୍ରଶଂସାର ଚିହ୍ନ।

ଅନୁତାପର ଅଗ୍ନିରେ ଜଳି ଯାଇଥିଲା ମିତା। ନିଜକୁ ନିଜେ ଧିକ୍କାର କରିବା ଆରମ୍ଭ କରି ଦେଇଥିଲା। ଅନୁତାପରେ ଜଳି ତାକୁ ତା ବାଟରେ ଛାଡି ଚାଲି ଯିବାକୁ ମାନସଙ୍କୁ ଅନୁରୋଧ କରିଥିଲା ସେ।

ମାନସଙ୍କ ଛାତି ଉପରେ ମୁଣ୍ଡରଖିବାକୁ ବହୁତ ଭାରି ଲାଗୁଥିଲା ତାକୁ। ଦିନେ ଦେବତୁଲ୍ୟ ସ୍ୱାମୀଙ୍କ ବିଶ୍ୱାସରେ ବିଷ ଦେଇ କାଚକୁ କାଂଚନ ଭାବୁଥିଲା ସେ। ଆଜି ମାନସ ସିନା ତାକୁ କ୍ଷମା କରିଦେଲେ ହେଲେ ଭଗବାନ କେବେ ବି କ୍ଷମା କରିବେନି, ଆଉ କ୍ଷମା କରିବା ଉଚିତ ବି ନୁହେଁ। ସମ୍ପର୍କ, ବିଶ୍ୱାସର ମହାନତା ଆଜି ବୁଝି ପାରୁଥିଲା ସେ, ହେଲେ ପଛକୁ ଫେରି ପୁଣି ସେ ସମ୍ପର୍କ ଟି ସଜାଡ଼ିଦେବା ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଥିଲା ତା ପାଇଁ। ନିଜ ଲୁହ ରେ ଏଭଳି ଦେବତା ଙ୍କ ପାଦ ଧୋଇ ଦେବାକୁ ମନ କହୁଥିଲା ତାଙ୍କର....

ପ୍ରାୟ ତିନିମାସ ପରେ.....

ଗାଡିଟିଏ ମାନସର ଗାଁ ଭିତରକୁ ପଶି ମାନସର ଘର ଆଗରେ ଅଟକିଲା। ଘରର ସବୁ ଲୋକମାନେ ଉତ୍କଣ୍ଠିତ ହୋଇ ଚାଲି ଆସିଲେ ବାହାରକୁ। ପ୍ରଥମେ ଗାଡିରୁ ଡୋର ଖୋଲି ବାହାରକୁ ଆସିଲେ ମାନସ। ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଥାନ୍ତି। ତାପରେ ମାନସର ହାତକୁ ଧରି ଧିରେ ଧିରେ ବାହାରକୁ ଆସିଲେ ମିତା। ପାଖକୁ ଦୌଡି ଆସିଲେ ବୋଉ। ଏକ ପ୍ରକାରେକୁଣ୍ଡେଇ ପକାଇଲେ ଆଉ କହିଲେ "ମୋର ମା ବୁଢ଼ୀ ଭୁଆଶୁଣୀ(ଗ୍ରାମ ଦେବତୀ) ଉପରେ ଅଖଣ୍ଡ ବିଶ୍ୱାସ ଥିଲା, ମୋ ବୋହୁ ଭଲ ହୋଇ ନିଶ୍ଚୟ ଫେରିବ"।

ମିତା ନିଜ ମନର ଠାକୁରାଣୀ (ଶାଶୁ) ଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରୁଥିଲେ.......


Rate this content
Log in