ମିସଡ୍ କଲ୍
ମିସଡ୍ କଲ୍
ସଂଧ୍ୟ୍ୟା ସାତଟା ହେଲାଣି । ଆଜି କଣ କି? ବସ୍ ଏତେ ଭିଡ ? ଆରେ ହଁ ତ ଷ୍ଟ୍ରଇକ୍ ଥିଲା ପରା ।ଲୋକ ଉପରେ ଲୋକ ଚଢାଚଢି ।ପାଞ୍ଚଟା ବସ୍ ଛାଡି ସାରିଲାଣି ।ନା ଆଉ ଅପେକ୍ଷା କରି ହେବନି....ଏମିତି ବି ଏବେ ଯଦି ବସ୍ ଧରିବ ତେବେ ବାଲେଶ୍ୱର ରେ ପହଞ୍ଚୁ ପହଞ୍ଚୁ ରାତି ଏଗାର ।ନିଜକୁ ସଜାଡି ନେଲା ଆଗାମୀ ବସ୍ ଲାଗି ।
"ସୋନାକ୍ସ"ବସ୍ ରହିଲା ତା ଆଗରେ । ଓଃ..ଯାହା ହେଉ କହି "ମାମାଲି" ଭେନିଟି ବ୍ୟାଗ୍ ଟିକୁ କାଖରେ ଜାକି ଏକ ରକମ ଦଉଡି ଯାଇ ଗୋଟେ ଡିଆଁ ରେ ବସ୍ ଭିତରେ ।
ଇ...ବସ୍ ରେ ଏ କଣ?ସବୁ ସିଟ୍ ଫିଲ୍ ଅପ୍?ଚିତ୍କାର କରି ଡାକିଲା କଣ୍ଡକ୍ଟର କୁ...
ହଇହୋ ଭାଈ ଯଦି ସିଟ୍ ନାହିଁ ଭିତରକୁ ପୁରଉ ଥିଲେ କିଆଁ ସିଟ୍ ଅଛି ବୋଲି ?
-ମାମ୍ ହେଉ ଦେଖନ୍ତୁ... ଲାଷ୍ଟ କଣ ସିଟ୍ ଟା ଖାଲି ଅଛି ପା?
-ଲାଷ୍ଟ ସିଟ୍? ଏତେ ବାଟ ଧକଡ କଚଡ ରେ ଯିବି ଏଇ ଲାଷ୍ଟ ସିଟ୍ ରେ?ଛେଃ...
ଲେଡିଜ୍ ସିଟ ଟା ଖାଲି କର ।ନ ହେଲେ ମୋତେ ଓହ୍ଲାଇ ଦିଅ ।
-ମାମ୍ ଏଡଜଷ୍ଟ କରି ନିଅନ୍ତୁ ।ଆଜି ବସ୍ ପାଇବା ବି ମୁସ୍କିଲ୍ ।
- କାଇଁ ଲେଡିଜ୍ ସିଟ୍ ଟା ଖାଲି କରୁନା?
-ଆଁ କଣ ହେଲା?ଆମେ ବରମୁଣ୍ଡାରୁ ବସିକି ଆସିଛୁ ।ଏବେ ଉଠି ଯିବୁ?କିହୋ ଲେଡିଜ୍ ଜେଣ୍ଟସ୍ ପରା ବରାବର ବୋଲି ହାଲ୍ଲା କରୁଛ ଆଉ ବସ୍ ଭିତରେ ଲେଡିଜ୍ ସିଟ୍ ଖୋଜୁଛ...ଅଠର ବର୍ଷର ପିଲାଟେ ଛିଗୁଲେଇ କହିଲା ।
-ଛି ଏଗୁଡାଙ୍କୁ ପାରି ହେବନି କହି ମାମାଲି ସେ ଭିଡ ଭିତରେ ନିଜକୁ ସନ୍ତର୍ପଣ ରେ କଡେଇ ଲାଷ୍ଟ ସିଟ୍ କୁ ଚାଲିଗଲା ।
ଯେନ ତେନ ପ୍ରକାରେ ଲାଷ୍ଟ ସିଟ୍ ରେ ବସି ଆଗେ ଝାଳୁଆ ଚୁଟିରୁ ରବର ଟା କାଢି ଦେଇ ଟିକେ ଆରାମ କଲା ।ପାଖର ଲୋକଟା ମୁହଁରେ ଗୋଟେ ଟୋପି ଢାଙ୍କି ବସିଛି ପୁରା ବେପରୁଆ ଢଙ୍ଗରେ ।
ଘରକୁ ଫୋନ୍ କରି ଜଣାଇଦେଲା ପହଞ୍ଚୁ ପହଞ୍ଚୁ ରାତି ଏଗାର ହୋଇ ଯିବ ।
କେଁ କରି ଗୋଟିଏ ହମ୍ପସ୍ କୁ ଅତିକ୍ରମ କଲା ବସ୍ ଟି ।ଲାଷ୍ଟ ସିଟ୍ ରେ ବସିଥିବା ଲୋକ ଗୁଡା ଦୋହଲି ଗଲେ ।ଅଜାଣତରେ ମାମାଲି ବି ଦୁଇ ଚାରି ଖେଞ୍ଚା ଦେଇଛି ପାଖ ଲୋକଟିକୁ ହମ୍ପସ୍ ର ଜର୍କ ରେ ।ହେଲେ ଲୋକଟା ଆଉ ତା ମଝିରେ ତା ଭେନିଟି ବେଗ୍ ଟି ଥୋଇଛି ଯେମିତି ତା ଦେହ ସହ ମାମାଲିର ଦେହ ନ ବାଜେ ।
ବସ୍ ରେ ଲୋକ ଗୁଡାଙ୍କ ପାଖରୁ କହୁଣିଆ ଖାଇବା ପାଖରୁ ଏ ବୁଦ୍ଧି ବାହାର କରିଛି ମାମାଲି ।
ଲୋକଟି ହାଇ ମାରି ମୁହଁରୁ ଟୋପି ଟା କାଢିଲା ।
ଏ ମା ...ଏ କଣ ଦେଖୁଛି?ଇଏ ତ ସେ ଲମ୍ବା ଚୁଟିଆ ଝାମ୍ପୁରୁ ବାଳିଆ ବାଜେ ଲୋକଟା ..ଯାହାର ନାମ ବିଶ୍ୱଜିତ ।
ମାମାଲି କୁ ଲାଗିଲା ସେ ଆଉ ବସ୍ ସିଟ୍ ରେ ବସିନି ..ଜଳନ୍ତା ହିଟର ଉପରେ ବସିଛି ଯେମିତି ।
ହେ ପ୍ରଭୂ ନିଳାଦ୍ରି ବିହାରି..ପଦ୍ମ ଲୋଚନ ...ମା କଟକ ଚଣ୍ଡି...କଞ୍ଚାଖାଇ ଠାକୁରାଣୀ ମୋତେ ରକ୍ଷାକର ଲୋ ମା ।କା ହାବୁଡରେ ପଡିଛି ?ଗୁଣୁ ଗୁଣୁ ହେଉଥିଲା ମାମାଲି ।
ବିଶ୍ୱଜିତ୍....ଯିଏ ତା ଅଫିସ୍ ର କଲିଗ୍ ।ତା ସହ ମାମାଲି ର ଆଦୌ ପଡେନି ।ଲମ୍ବା ଚଉଡା ଟୋକାଟା ସିନା ହେଲେ ତାର ଲମ୍ବା ଚୁଟି କୁ ଝାମ୍ପୁରୁ ଝାମ୍ପୁରୁ କରିଆସିଥିବ ଅଫିସ୍ କୁ ।ତା ଝାମ୍ପୁରା ବାଳକୁ ମାମାଲି ର ରାଗ ।ଶଳା ..ପାଞ୍ଚ ବର୍ଷ ହେଲା କେଶକିଙ୍ଗ୍ ତେଲ ଲଗେଇ ବି ଛୁଁଇଁ ନାଡି ଭଳି ହେଇ ଯାଇଛି ମାମାଲି ର ଚୁଟି ହେଲେ ଏ ଟୋକାର କି ଗହଳିଆ ବାଳ?ମାମାଲି ହାତ ଖୁଜୁବୁଜୁ ହୁଏ..ନଖ କୁଣ୍ଢେଇ ହୁଏ ...ଇଛା ହୁଏ କଇଁଚି ନେଇ ତା ଗୋଛାଏ ଚୁଟିକୁ କାଟି ପକାଇବାକୁ ।ହଁ,ବେଳେ ବେଳେ ହ୍ୟାଣ୍ଡ ସମ୍ ବି ଲାଗେ ଯେବେ ଚୁଟିରେ ହେୟାର ଜେଲ୍ ଲଗେଇ କି ଆସେ ।
କଥାଟା କେବଳ ଚୁଟି ପାଖରେ ନୁହେଁ..କଥାଟା ତା ଆଟିଚୁଡ୍ ରେ ।କଣ ଭାବେ ନିଜକୁ କେଜାଣେ ।ହୋ ହୋ ହୋଇ ହସୁଥିବ..ବେଧଡକ ସିଗାରେଟ୍ ପିଉଥିବ...ମାମାଲିକୁ ଦେଖିଲେ ରୁଡ୍ ବିହେଭ୍ କରେ ।ମାମାଲି ଦିନ ରାତି ଯେତେ କଷ୍ଟ କରି ପ୍ରୋଜେକ୍ଟ ତିଆରି କଲେ ବି ଅଫିସ୍ ବସ୍ ସବୁବେଳେ ସେ ଝାମ୍ପୁରାର ପ୍ରୋଜେକ୍ଟ କୁ ହିଁ ଏପ୍ରିସିଏଟ୍ କରନ୍ତି ।ଫଲୋ ହିମ୍ ବୋଲି କୁହନ୍ତି ।ମାମାଲି ଦାନ୍ତ କଟମଟ କରି ମୁହଁରେ ହସ ଖେଳାଏ ।
ସିମଲା ବୁଲିବାକୁ ଯାଇଥିଲା ଯେ ସମସ୍ତଙ୍କ ଲାଗି ଗିଫ୍ଟ ଆଣିଥିଲା କେବଳ ମାମାଲିକୁ ଛାଡି ।ଏମିତି କି ସେ କାଳୀ କୋତରି ହେମା ଲାଗି ବି ଭାଓଲେଟ୍ ରଂଗର ଭେନିଟି ଆଣିଥିଲା ।ମାମାଲି କାହା ହାତକୁ ଅନାଏନି ହେଲେ ସମସ୍ତଙ୍କ ଲାଗି ସବୁ ଆଣି ତାକୁ ଏମିତି ଈଗ୍ନୋର୍ କରିବା ମାମାଲି କୁ ଅସହ୍ୟ ହେଉଥିଲା ।
ସେବେ ଠୁ ମାମାଲି ସେ ବିଶ୍ୱଜିତକୁ ଏଭୋଏଡ୍ କରେ ।
ହେଲେ ଆଜି ...ସେ ଝାମ୍ପୁରା ପାଖରେ ବସିଛି ।ଏବେ ପାଞ୍ଚ ଘଣ୍ଟାର ବାଟ କାଟିବ କେମିତି ?
ଝାମ୍ପୁରା କଣ ଗୋଟେ ବହି ଖୋଲିକି ପଢୁଛି ।ଷଣ୍ଢା ଟେକି ମାମାଲି ଦେଖିଲା ..କଣ ଗୋଟେ କବିତା ବହି ।ଛେଃ..ଯେ ଝିଅଙ୍କୁ ସମ୍ମାନ ଦେଇ ଜାଣେନି ସେ କବିତା କଣ ବୁଝୁଥିବ ମ?ସବୁ ଗୋଟେ ଫାର୍ସ ..
ମାମାଲିର ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇ ଯାଇଥିଲା ।ପାଖରେ ଯଦି ବାଘଟେ ବସିଥିବ ତେବେ ମଣିଷର ମୁଣ୍ଡ ବିନ୍ଧିବ ହିଁ ବିନ୍ଧିବ ।
ପର୍ସ ରୁ ଭାସୋଗ୍ରେନ୍ ଟାବ୍ ଲେଟ୍ ଖାଇ ଟିକେ ଆଶ୍ୱସ୍ତ ହେଲା ।ବାହାର ସୁଲୁସୁଲିଆ ପବନ ମାମାଲି କୁ ଟିକେ ଭଲ ଲାଗିଲା ।ଆଖି ବୁଜି ହେଇ ଆସିଲା ....
*****-------******--------*******---------
କେତେ ସମୟ ଶୋଇଛି ମାମାଲି କୁ ଜଣା ନାହିଁ ।କାହାର ଡାକ ତା କାନରେ ବାଜୁଥିଲା...
ମାମାଲି...ଇ....ମାମାଲି....ଟିକେ ଉଠିବ କି? ମାମାଲି...
ଆଖି ମଳି ମଳି ମାମାଲି ଉଠିଲା । କିଏ ଡାକୁଛି...କାହିଁକି....ଏତେ ସୁନ୍ଦର ନିଦ ଟା ଭାଙ୍ଗି ଗଲା । ଅନାଇଲା ବେଳକୁ ତାକୁ ବିଶ୍ୱଜିତ୍ ହିଁ ଡାକୁଥିଲା ଧୀର କଣ୍ଠରେ ।
ଇସ୍ ,ଏହା ଭିତରେ ମାମାଲି ବିଶ୍ୱଜିତ୍ ପାଖକୁ ଆଉଜେଇ ଶୋଇଯାଇଥିଲା?ଏହେ...ଧଡ୍ କରି ଠିକ୍ ହୋଇଗଲା ମାମାଲି ।
ହେଲେ ଏ କଣ ..ବିଶ୍ୱଜିତ୍ ତା ଆଡକୁ ଚାହିଁଛି ...ମାମାଲି ମୁହଁ ବୁଲେଇ ନେଲା ...କେଜାଣେଏବେ କଣ ପୁଣି ବିହେଭ୍ କରିବ ସେ ଝାମ୍ପୁରା ଟା?
-ଶୁଣ..ତୁମ ଓଢଣୀଟା ତଳେ ପଡି ଯାଇଛି ..ବିଶ୍ୱଜିତ ଧୀରେ କହିଲା ।
-ଆଁ ..ଓଢଣୀ?
-ରୁହ ..ଆଗେ ସେ ଜନ୍ଦା ଟା କାଢିନିଅ...ତୁମ ବେକ ପାଖରେ...ଏ..
ମାମାଲି ଦେଖିଲା ଜନ୍ଦାଟିଏ କୁଆଡୁ ତା ବେକ ପାଖରୁ ଧିରେ ଧିରେ ଛାତି ଆଡକୁ ଖସିବାର ଉପକ୍ରମ କରୁଛି ..ମାମାଲି ଇସ୍ କହି ଜନ୍ଦାଟିକୁ ହଟାଇଲା ବେଳକୁ ଦେଖିଲା କିଛି ଛତରା ପିଲା ତା ବିନା ଓଢଣୀର ବେକଟାକୁ ଦେଖୁଛନ୍ତି ଛିପ ଢୋକୁ ଢୋକୁ ।
ମାମାଲି ଓଢଣୀଟା ତଳୁ ଉଠାଇବାକୁ ନଇଁ ପଡିବାକୁ ଉଦ୍ୟତ ହେଲା ବେଳକୁ ...ବିଶ୍ୱଜିତ ରୁକ୍ଷ ଭାବରେ ଚିଲ୍ଲେଇଲା..ରୁହ..ମୁଁ ଉଠେଇ ଦେଉଛି...ତୁମର ନଇଁବା ଦରକାର ନାହିଁ..
ନିଜ ଜାମାପଟା ତ ନିଜେ ଧ୍ୟାନ ନେଇ ପାରୁନ ସେଥିରେ ପୁଣି ରାତି ଜର୍ନି କରାହେଉଛି...ଶୁଣେଇଲା ଭଳି କହିଲା ବିଶ୍ୱଜିତ ।
ଓଢଣୀଟା ବେକରେ ପକଉ ପକଉ ମାମାଲି ନିଜକୁ ସଂକୁଚିତ କରି ସାରିଥିଲା ।
ଆଗରେ କେହି ଜଣେ ପାଟି କରି କହୁଥିଲା..କଣ୍ଡକ୍ଟର ବାବୁ ଲାଇଟ୍ ଟା ଲିଭେଇ ଦିଅ ।ଅନ୍ତତଃ ଟିକେ ଆରାମ ରେ ଶୋଇ ହେବ ଷ୍ଟପେଜ୍ ଯାଏଁ ।ଆଜି ଷ୍ଟ୍ରାଇକ୍ ଯୋଗୁଁ ଭାରୀ ଥକ୍କା ।
ବସ୍ ରେ ଲାଇଟ୍ ଲିଭି ସାରିଥିଲା ।ଅନ୍ଧାର ଭିତରେ ମାମାଲି ଗୋଟେ ନୂଆ ଆଲୋକ ଦେଖୁ ଥିଲା ବୋଧେ ।ଗୋଟେ ଉଷୁମ ବାତାବରଣ ସୃଷ୍ଟି ହୋଇ ସାରିଥିଲା ।
ଏବେ ସେ ଝାମ୍ପୁରା ଟା ଆଉ ବାଘ ଭଳି ଲାଗୁ ନ ଥିଲା...
ମାମାଲିର କାନ୍ଧ ବିଶ୍ୱଜିତ ର କାନ୍ଧକୁ ସ୍ପର୍ଶ କରୁ ଥିଲା..ଅନେକ ଦିନର ଗୋଟେ ବଡ ବୋଝ ମାମାଲି ମୁଣ୍ଡରୁ ଚାଲି ଯାଇ ଥିଲା ।ମାମାଲି କୁ ହାଲକା ଲାଗୁଥିଲା ଖୁବ୍...
ଶେରଗଡ...ଶେରଗଡ...କଣ୍ଡକ୍ଟର ଡାକ ଛାଡିଲା ..
ଏଇଠି ବିଶ୍ୱଜିତ ର ଘର ।ବିଶ୍ୱଜିତ କିଛି ନ କହି ହଠାତ୍ ଉଠିଗଲା ଚାଲିଯିବାକୁ ।
ଆଉ ଅଧଘଣ୍ଟାଏ ଲାଗିବ ବାଲେଶ୍ୱର ପହଞ୍ଚିବାକୁ ।ଆଗରୁ ଲକ୍ଷ୍ୟ ରଖଥିବା ଛତରା ମଦୁଆ ଟୋକାଟା ଧଡ୍ କରି ଆକ୍ତିୟାର କରି ନେଲା ବିଶ୍ୱଜିତ୍ ର ସିଟ୍ ଟିକୁ ।
ମାମାଲି ଭିତରେ ଗୋଟେ ଅହେତୁକ ଭୟ.....
ସେତେବେଳକୁ ମାମାଲି ନିଜ ମୋବାଇଲ୍ ରୁ ବିଶ୍ୱଜିତ୍ ର ନମ୍ବର କୁ ତିନିଥର ମିସ୍ କଲ୍ କରିସାରିଥିଲା....