Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Children

5.0  

Writer Roja Panda

Children

ଟିକିଲି ଓ ଟିକି ଗୁଣ୍ଡୁଚିମୂଷା

ଟିକିଲି ଓ ଟିକି ଗୁଣ୍ଡୁଚିମୂଷା

3 mins
552


ଟିକିଲି ଓ ଟିକି ଗୁଣ୍ଡୁଚିମୂଷା

ଲେଖିକା - ରୋଜା ପଣ୍ଡା

ଟିକିଲି ବନମାଳୀ ମଉସାଙ୍କ ସବା ସାନ ଝିଅ । ଖୁବ ଅଲିଅଳି । ଗାଁ ପାଖ ସରକାରୀ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢେ । ପ୍ରତିଦିନ ସକାଳୁ ନିଜର ନିତ୍ୟକର୍ମ ସାରି ବିଦ୍ୟାଳୟକୁ ଯାଏ । ବିଦ୍ୟାଳୟରେ ପାଠ ପଢେ, ସାଙ୍ଗ ମାନଙ୍କ ସହିତ ମିଶି ବୋହୁଚୋରି ଖେଳ ଖେଳେ । ସାନ ଝିଅ ବୋଲି ଘରେ ବାପା ମାଆ ତାକୁ ବହୁତ ଆଦର ଯତ୍ନ କରନ୍ତି ।

ସନ୍ଧ୍ୟାବେଳେ କିଛି ସମୟ ନିଜ ଜେଜେମାଆଙ୍କ କୋଳରେ ବସି ଗପ ଶୁଣିବା ଟିକିଲିର ନିତିଦିନିଆ ଅଭ୍ୟାସ ।

ଦିନେ ଟିକିଲି ଜେଜେମାଆଙ୍କ ଠାରୁ ଗପ ଶୁଣୁଥାଏ । ଗପ ଶୁଣୁ ଶୁଣୁ କେତେବେଳେ ତାର ଆଖି ଲାଗିଯାଇଛି । ଜେଜେମା ତାର ପିଠିକୁ ଥାପୁଡାଉଛନ୍ତି । ହଠାତ ଟିକିଲି ଖୁବ ଜୋର ରେ ପାଟି କରି ଚମକି ଉଠିଲା । ଜେଜେମା ପଚାରିଲେ - କଣ ହେଲା ମା ? କିଛି ସ୍ବପ୍ନ ଦେଖିଲୁ କି ?

ଟିକିଲି କହିଲା - ହଁ ! ଗୋଟେ ଟିକି ଗୁଣ୍ଡୁଚିମୂଷା ମୋର ସାଙ୍ଗ ହେଇଛି ଆଉ ଆମେ ଦୁହେଁ ଖୁବ ମଜା କରୁଛୁ ।

ଜେଜେମା ହସିଦେଇ କହିଲେ - ଓଃ ଏଇ କଥା ! ଏଇଥିପାଇଁ ଏତେ ଜୋରରେ ପାଟି କଲୁ ।

ଟିକିଲି ଉତ୍ତର ଦେଲା - ନାଁ , ଭୁଆଁ ବିରାଡ଼ି ଟା ମୋ ଟିକି ଗୁଣ୍ଡୁଚିମୂଷା କୁ ଗୋଡ଼ାଇ ଗୋଡ଼ାଇ ମାରି ଦେଉଥିଲା ତ , ସେଥିପାଇଁ ମୁଁ ପାଟି କଲି ।

ଜେଜେମା ଏସବୁ ଶୁଣି କହିଲେ - ଆରେ ମୋ ଧନ ଏସବୁ ତୋର ସ୍ବପ୍ନ । ତୁ ଆଉ ଡରିବା ଆବଶ୍ୟକ ନାହିଁ ।

ଟିକିଲି ଆଖି ମଳି ମଳି ଉଠି ଚାରିଆଡକୁ ବଲ ବଲ କରି ଚାହିଁଲା ଆଉ ଅନୁଭବ କରିପାରିଲା ଯେ ସେ ସ୍ବପ୍ନ ଦେଖୁଥିଲା ।

ରାତି ପାହି ସକାଳ ହେଲା । ଟିକିଲି ପ୍ରତିଦିନ ପରି ନିଜ ନିତ୍ୟକର୍ମ ସାରି ବିଦ୍ୟାଳୟ କୁ ବାହାରିଲା । ବିଦ୍ୟାଳୟକୁ ଯିବା ବାଟରେ ସେ ଏକ ବୁଦା ଦେଖିଲା ଯାହା ପାଖରେ ଏକ ଛୋଟ ଗୁଣ୍ଡୁଚିମୂଷା କ୍ଷତାକ୍ତ ହୋଇ ପଡି ଛଟପଟ ହେଉଥିଲା । ସେ ସଙ୍ଗେ ସଙ୍ଗେ ଦୌଡିଯାଇ ସେଇ କ୍ଷତାକ୍ତ ଗୁଣ୍ଡୁଚିମୂଷାକୁ ଉଠାଇ ନିଜ ଘରକୁ ନେଇ ଆସିଲା । ତାର କ୍ଷତ ସ୍ଥାନରେ ଔଷଧ ଲଗାଇଦେଲା । ତାକୁ କ୍ଷୀର ପିଇବାକୁ ଦେଲା ଏବଂ ତାର ବହୁତ ସେବା ଶୁଶ୍ରୁଷା କଲା । ଏମିତି ଦୁଇ ଚାରି ଦିନ ବିତିଯାଇଥିଲା । ଟିକିଲିର ଯତ୍ନରେ ଟିକି ଗୁଣ୍ଡୁଚିମୂଷା ଟି ଧୀରେ ଧୀରେ ଠିକ ହେବାକୁ ଲାଗିଲା ଏବଂ ଖଣ୍ଡି ଖଣ୍ଡି ଚାଲିବାକୁ ଲାଗିଲା । ଟିକିଲି ତାର ଟିକି ଗୁଣ୍ଡୁଚି ପାଇଁ ଏକ ଯନ୍ତା କିଣି ସେଇ ଯନ୍ତାରେ ଉକ୍ତ ଗୁଣ୍ଡୁଚି କୁ ରଖିଲା । ପ୍ରତିଦିନ ତାକୁ କ୍ଷୀର ଦେଇ ବିଦ୍ୟାଳୟ କୁ ଯାଏ ଟିକିଲି । ଖେଳଛୁଟିରେ ଖାଇବାକୁ ଆସିବା ବେଳେ ମଧ୍ୟ ଆଉଥରେ କିଛି କ୍ଷୀର ଆଉ ଖାଦ୍ୟ ଗୁଣ୍ଡୁଚିର ଯନ୍ତାରେ ରଖିଦେଇଯାଏ । ବିଦ୍ୟାଳୟରୁ ଫେରି ଟିକି ଗୁଣ୍ଡୁଚି ମୂଷା ସହିତ ଖେଳେ । ଏମିତି ରେ କିଛି ଦିନ ବିତିଗଲା ।

ଥରେ ଟିକିଲି ଦେଖିଲା ତାର ଟିକି ଗୁଣ୍ଡୁଚିର ଯନ୍ତା ଆଗରେ ଗୋଟେ ବଡ ଗୁଣ୍ଡୁଚିମୁଷା ବସିଛି ଆଉ ବେଳେବେଳେ ସେଇ ଟିକି ଗୁଣ୍ଡୁଚି ମୂଷା କୁ ଖାଦ୍ୟ ଦେଉଛି ନିଜ ପାଟିରେ ଟୁକୁଟୁକୁ କରି । ଟିକିଲି ଦୌଡ଼ି ଯାଇ ବଡ ଗୁଣ୍ଡୁଚିମୁଷା କୁ ଘଉଡାଇଦେଲା । ଏସବୁ ଟିକିଲିର ଜେଜେମା ଦେଖୁଥିଲେ । ଜେଜେମା ଟିକିଲିକୁ ଡାକି କହିଲେ - ଆରେ ମା ଯଦି ମୁଁ କି ତୋ ବାପା ମାଆ ତୋ ପାଖରେ ନରହିବୁ ତେବେ ତୁ କଣ କରିବୁ ?

ଟିକିଲି କହିଲା - ମୁଁ କାନ୍ଦିବି । ମତେ କିଏ ଖାଇବାକୁ ଦେବ ଯେ , କିଏ ଗପ ଶୁଣେଇବ ଯେ, ଆଉ କିଏ କଣ୍ଢେଇ କିଣିକି ଦେବ ?

ଜେଜେମା କହିଲେ - ତେବେ ସେଇ ଟିକି ଗୁଣ୍ଡୁଚିର ମାଆ ଆସି ଟିକି ଗୁଣ୍ଡୁଚି କୁ ଖାଇବାକୁ ଦେଉଥିଲା ବେଳେ ତୁ କାହିଁକି ତାକୁ ଗୋଡେଇଦେଲୁ । ଆମେ ସମସ୍ତେ ଚାଲିଗଲେ ତୁ ଯେମିତି ଏକା ହେଇଯିବୁ ଠିକ ସେମିତି ଟିକି ଗୁଣ୍ଡୁଚି ଟା ତା ପରିବାରକୁ ଛାଡି ଏବେ ଏକା ଅଛି । ସେ ଅସୁବିଧାରେ ପଡିଥିଲାବେଳେ ତୁ ତାକୁ ସାହାଯ୍ୟ କଲୁ । ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ । ସେ ଏବେ ତା ଘରକୁ ଫେରିଯିବା ଉଚିତ । ତା ପରିବାର ପାଖକୁ ।

ଜେଜେମା ପୁଣି କହିଲେ - ଆରେ ମା ଟିକିଲି ତତେ ଯଦି କିଏ ଗୋଟେ ଘରେ ବନ୍ଦ କରି ରଖିବ ତେବେ ତୁ କଣ ଖୁସି ହେବୁ , ଠିକ ସେମିତି ଟିକି ଗୁଣ୍ଡୁଚି ଟା ଯନ୍ତାରେ ରଖି ଖୁବ ଏକୁଟିଆ ଭାବୁଥିବ ନିଜକୁ । ସେ ମୁକ୍ତ ହେଇ ଏଇ ଡାଳ ରୁ ସେଇ ଡାଳ କୁ ଡେଇଁ ଡେଇଁ ଖେଳିଲେ ଖୁସି ପାଇବ । ତୁ ଯେମିତି ତୋ ସାଙ୍ଗ ମାନଙ୍କ ସହିତ ବୋହୁଚୋରି ଖେଳି ଖୁସି ହେଉଛୁ ସେ ବି ଠିକ ସେମିତି ତା ସାଙ୍ଗ ସାଥି ସହିତ ଡେଇଁ ଡେଇଁ ଖେଳି ଖୁସି ହେବ ।

ଜେଜେମା ମୁହଁରୁ ଏସବୁ ଶୁଣି ଟିକିଲି କିଛି ସମୟ ସ୍ଥିର ହେଇ ସେଇ ଟିକି ଗୁଣ୍ଡୁଚି ମୂଷାକୁ ଚାହିଁ ରହିଲା । ଆଉ ତାପରେ କଣ ଗୁଡ଼ାଏ ଭାବି ଯନ୍ତା ପାଖକୁ ଦୌଡିଯାଇ ଯନ୍ତା ଖୋଲି ଟିକି ଗୁଣ୍ଡୁଚିମୁଷାକୁ ବାହାରେ ଛାଡିଲା । ଗୁଣ୍ଡୁଚିମୂଷା ଟି ବାହାରକୁ ବାହାରି ଖୁବ ଖୁସିରେ ଡେଇଁ ଡେଇଁ ବୁଦା ଭିତରକୁ ପଶିଗଲା । ଏସବୁ ଦେଖି ଜେଜେମା ଆଉ ଟିକିଲିର ଖୁସି କହିଲେ ନସରେ ।

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା, କଟକ


Rate this content
Log in

Similar oriya story from Children