★ଶୋଷ★
★ଶୋଷ★
ସହର ଉପକଣ୍ଠ ଦେବୀମା ମନ୍ଦିର ବେଢାରେ ପୂଜା ନୁହଁ , ପ୍ରେମ ସାରି ଫେରୁଫେରୁ ମଧ୍ୟାହ୍ନ । ଗରମରେ ଦେହ ପୋଡିଯାଉଥିଲା । ବାଇକ୍ ପଛରୁ ଲିତୁ କହିଲା -
- ରଖ , ରଖ ଟିକେ ।
- କାଇଁ ?
- ଭାରି ଶୋଷ !
- ଆଛାହେଉ ।
ଦୋକାନଟିଏ କଡକୁ ଗାଡିରଖି ଥଣ୍ଡା ପାଣି ବୋତଲ ଟାଏ କିଣିଲି । ଢକଢକ କରି ଲିତୁ ପିଇଯାଉଥିଲା ଏକା ନିଶ୍ୱାସ ରେ ।
- ଏତେ ଶୋଷ ?
- ତୁମେ ଥିଲେ ବଢିଯାଏ ପରା !
- ଆଛାହେଉ ।
ପିଲାଟାଏ ଧକଉଥିଲା ଦୋକାନକଡ ଛାଇରେ । ଲିତୁ ମୁହଁ ରୁ ପାଣିଧାରଟିଏ ବୋହି , ତଣ୍ଟି ଉପରଦେଇ ତା କୁର୍ତ୍ତିର 'ଭି' ଦେଇ ପଶିଯାଉଥିଲା ଭିତରକୁ । ଏଇ ମନୋରମ ଦୃଶ୍ୟଟିକୁ ଅପଲକ ଆଖିନେଇ ଚାହିଁରହିଥିଲା ସେ ମଈଳା ପିଲାଟି । ଜାଣିପାରି ଲିତୁ ମୁହଁ ବୁଲାଇ କହିଲା -
- ଛିଈଈଈ!
ମୁଁ ଦୋକାନୀକୁ ପଇସା ଦେଇ ଗାଡି ଷ୍ଟାର୍ଟ କଲି । ବୋତଲର ଶେଷ ଠୋପାକୁ ଜିଭରେ ଢାଳି , ଲିତୁ ତା' ବଳ ପ୍ରମାଣେ ଫୋପାଡିଦେଲା ରାସ୍ତାକଡକୁ । ଏଇବାଗରେ ବୋଧେ ପିଲାଟା ଉପରେ ସେ ରାଗ ଓଗାଳିଲା ।
ଏଥର କିନ୍ତୁ ପିଲାଟା ବୋତଲମୁହାଁ ହୋଇ କ୍ଷିପ୍ରଗତିରେ ଧାଇଁଲା ରାସ୍ତାଧାରକୁ । ଖାଲି ବୋତଲଟାକୁ ଗୋଟାଇ ଏକ ଜରିବ୍ୟାଗ୍ ରେ ପୁରାଇନେଲା ।
ମୋ' ମୁହଁ ରୁ ଛାଏଁ ବାହାରିଗଲା -
- ଓଃ! କି ଶୋଷ !!!!!!!!
@ ଅମିୟ ବେଜ୍