ଲୋକଟି ଦେଖିବାକୁ ସେତେ ସୁନ୍ଦର ନଥିଲା । ଅଧିକ ଗେଡା ନଥିଲା ।ଅଷାଢ ମାସର କଳାହାଣ୍ଡିଆ ବଉଦ ପରି ଥିଲା ତା ଶରୀରର ରଙ୍ଗ । କଥା କହୁଥିଲା ମଶା ଓଡିଆ ଭାଷାରେ, ଭଲ ନ ଶୁଭିଲେ ମଧ୍ୟ ନିଆରା ଶୁଭୁଥିଲା । ବସ୍ତ୍ର କହିଲେ ଖଣ୍ଡେ ପୁରୁଣା ଲୁଙ୍ଗି ଆଉ ମସିଆ ସାର୍ଟ । ଆଉ ଖଣ୍ଡେ ପୁରୁଣା ମସିଆ ସୂତା ଗାମୁଛା ଗୁଡା ହୋଇଥିଲା ମୁଣ୍ଡରେ। ଆଉ ମୁଣ୍ଡ ଉପରେ ଥିଲା ଏକ ଗଣ୍ଠିଲି, ଯେଉଁଥିରେ ଥିଲା କିଛି ଗାମୁଛା । ବାସ୍ ଏତିକି ଥିଲା ବୁଢା ଶରୀରର ଚିତ୍ର ।
କୋଳାହଳ ମିଶା ଗହଳିପୂର୍ଣ ରାସ୍ତାରେ ବାରି ହୋଇ ପଡୁଥିଲା ବୁଢା । ଶୁଭୁଥିଲା "ଗାମଛା ନବୋ ଗାମଛା ......ଗାମଛା ନବୋ ....."ଏକ ନିଆରା ଢଙ୍ଗରେ । ବାରିହୋଇ ପଡୁଥିଲା ବୁଢା ଲୋକଟି ।
ଗରାଖଙ୍କ ଭିଡରେ ବୁଢା ଦେଖେଇ ଚାଲିଥାଏ ଗୋଟିକ ପରେ ଗୋଟିଏ ଗାମୁଛା । ସତେ ଯେମିତି ବୁଢାର ମୁହଁରୁ ବୋହୁଥାଏ ଝାଳର ଝରଣା । ତଥାପି ବୁଢା ଚଳଚଂଚଳ । ଦେଖଉଥାଏ ଗୋଟିକ ପରେ ଗୋଟିଏ । ଆଉ ଚାହିଁଥାଏ କଲବଲ ହୋଇ ଗରାଖଙ୍କ ମୁହଁକୁ ବିକ୍ରି ଅପେକ୍ଷାରେ ।
କିଏ କେତେ ପ୍ରକାରର କଥା କହୁଥାଏ । କିଏ କହୁଥାଏ ମଉସା "ଏ ଗାମୁଛା କେତେ ଟଙ୍କା ??"ସଙ୍ଗେସଙ୍ଗେ ବୁଢା କହୁଥାଏ "ଦୁଇଟାକୁ ଶହେ କୁଡିଏ ଟକା ବାବୁ" । ଆଉ କିଏ କହୁଥାଏ "ଭଲ ପଡିବ ତ, ମଉସା ??" ଉତ୍ତର ମିଳୁଥାଏ ବୁଢାଠୁ "ହଁ ବାବୁ କଲକତା ମେଦିନୀପୁର ମାଲ ଅଛେ , ପିଓର ସୂତା" ।
ରାସ୍ତା ମଝିରେ ଭିନ୍ନ ଢଙ୍ଗରେ ଲୋକେ ପଚାରୁଥାନ୍ତି ବିଭିନ୍ନ ପ୍ରଶ୍ନ । କିଏ କହୁଥାଏ "ରେଟ ଅଧିକ ହେଇ ଯାଉଛି" ।ଆଉ କିଏ କହୁଥାଏ "ଦୋକାନରେ ୟାଠୁ ଭଲ ଜିନିଷ ମିଳିବ" । ଆଉ କିଏ କହୁଥାଏ "ଏ ଲୋକ ଗୁଡାକ ଏମିତି ଆସନ୍ତି ଆଉ ଆମକୁ ଠକି ଦେଇ ଚାଲି ଯାଆନ୍ତି" ।
ଏଭଳି କିଛି ସମୟର ଇଣ୍ଟରଭ୍ୟୁ ପରେ ରାସ୍ତାରେ କୋଳାହଳ ଥିଲା ସତ କିନ୍ତୁ ବୁଢା ପାଖରେ କେହି ନଥିଲେ । ସେ ବସିଥିଲା ନିଶ୍ଚଳ ହୋଇ କେତେ ଖଣ୍ଡ ଗାମୁଛାକୁ ଧରି ଆଉ ତା ପାଖ ପରିବେଶ ଥିଲା ଶୁନଶାନ ।
ମୁଣ୍ଡମୁଣ୍ଡର ଝାଳ ସବୁ ଆଖି କୋଣରୁ ବୋହି ଆସୁଥିବା ତତଲା ଲୁହ ସହ ମିଶି ଅନାୟସରେ ଝରି ପଡୁଥାଏ ଆଉ କାନ୍ଦ ଭିତରେ ମଧ୍ୟ ଉଙ୍କି ମାରୁଥାଏ ଶୁଖିଲା ହସ ଯାହା ଥିଲା ବୁଢା ପାଇଁ ସମ୍ପୂର୍ଣ୍ଣ ମିଛ ।
କାହାକୁ କିଛି ନକହି ବୁଢା ବାନ୍ଧିଲା ତା ଗଣ୍ଠିଲି । ହାତେହାତେ ମୁଣ୍ଡକୁ ଟେକି ଭିଡରେ ଚାଲିଗଲା ପୂର୍ବପରି ।
ଖାଲି ଦୂରରୁ ଶୁଭୁଥିଲା ଏକ ଦୁଖଭରା କଣ୍ଠରେ ସେଇ ପୁରୁଣା ଡାକ "ଗାମଛା ନବୋ ବାବୁ .......ଗାମଛା ନବୋ । ମେଦିନୀପୁରସେ ଆନିଛେ । ପିଓର ସୂତା ଆଛେ ।"
ପ୍ରସନଜିତ ସାହୁ, ମହିଷାମୁଣ୍ଡା, ନାଉଗାଁ ହାଟ ଜଗତସିଂହପୁର