Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Kumar Acharya

Inspirational

1.0  

Narendra Kumar Acharya

Inspirational

ବିଷ

ବିଷ

11 mins
13.6K


ଅଫିସ୍ ଗଲା ବେଳକୁ ମାନ୍ଦା ମାନ୍ଦା ଲାଗୁଥିଲା। ରାତିରେ ଭଲ ନିଦ ହେଇନି। ସକାଳୁ ବିଛଣାରୁ ଉଠିବାକୁ ମୋଟେ ଇଚ୍ଛା ହେଉ ନଥିଲା । ଆଖି ମାଡିମାଡି ପଡ଼ୁଥିଲା । ଆଜି ଦିନଟା ଛୁଟି ନେଇ ଭଲ କରି ଶୋଇବ ବୋଲି ଭାବିଥିଲା ସମନ୍ତ । କିନ୍ତୁ ଗୋଟାଏ ଦିନ ଛୁଟି ନେଇ ଲାଭ କ’ଣ ? ସମସ୍ୟାଟା ତ ଲାଗି ରହିବ। ପୁଣି ଆଜି ଅଫିସରେ ଇମ୍ପୋଟାଣ୍ଟ ଫାଇଲ୍ କାମ ଅଛି । ତେଣୁ ଛୁଟି ନେବା ପ୍ରସ୍ତାବକୁ ସ୍ଥଗିତ ରଖି ଅଫିସ୍ ଯିବାକୁ ପ୍ରସ୍ତୁତ ହେଲା ସେ । ଯେଉଁ ସମସ୍ୟାଟି କିଛିଦିନ ହେଲା ତା'କୁ ରାତିରେ ନିଶ୍ଚିନ୍ତ ନିଦରେ ଶୋଇବାକୁ ଦେଉନି ତା’ର ମୂଳରେ ଅଛି ଗୋଟାଏ ମୂଷା । ଏଇ କ୍ଷୁଦ୍ର ଜୀବଟି କିଛି ଦିନ ହେବ ବଡ଼ ଉତ୍ପାତ କରୁଛି । ରାତିରେ ଲାଇଟ୍ ଲିଭେଇ ଶୋଇବା ପରେ ପରେ ହିଁ ଆରମ୍ଭ ହୋଇଯାଏ ତା’ର କାର୍ଯ୍ୟକ୍ରମ । ଅଫିସ୍ ବେଳ ହୋଇ ଯାଉଥିବାରୁ ଏ ବିଷୟରେ ଆଉ ଅଧିକ ନ ଭାବି ସୁମନ୍ତ ପ୍ରସ୍ତୁତ ହୋଇ ଘରୁ ବାହାରି ପଡ଼ିଲା ।

ଅଫିସ୍ ଆୱାର୍ ପୂର୍ବରୁ ପହଞ୍ଚିବା ସୁମନ୍ତର ଅଭ୍ୟାସ । ତା’ପରେ ଅନ୍ୟମାନେ ଜଣକ ପରେ ଜଣେ ପହଞ୍ଚନ୍ତି । ସବୁଦିନେ ତା ଟେବୁଲ୍ ପୂର୍ବଦିନର ଅବଶିଷ୍ଟାଂଶ ଭଳି ଅସଜଡ଼ା ଥାଏ । ପିଅନ ବଇଁଶୀ ପହଞ୍ଚିନଥାଏ । ନିଜେ ନିଜ ଟେବୁଲ୍ ଝଡ଼ାଝଡ଼ି କରି କାଗଜପତ୍ର ସଜାଡ଼ିଲା ବେଳକୁ ବଇଁଶୀ ଗୁଣୁଗୁଣୁ ଗୀତ ଗାଇ ପହଞ୍ଚି ଯାଏ । ତରବର ହୋଇ ସେ ସେଲ୍ଫର ନାଲିକନାରେ ବନ୍ଧା ଫାଇଲଗୁଡ଼ିକୁ କପଡ଼ା ଛାଟି ସଫା କରିବାକୁ ଲାଗେ । ତା'କୁ ଖୁସି କରିବାର ଏଇ ଅଭିନୟ ସତରେ ଚମତ୍କୃତ କରେ ସୁମନ୍ତକୁ ।

: ଆଉ ବେଶୀ ଝାଡ଼େନା । ବହୁତ ଧୂଳି ଉଡ଼ୁଚି।

ସାମାନ୍ୟ ଅପ୍ରତିଭ ହୋଇ ବଇଁଶୀ କହେ : ଚା ଆଣିବି ?

: ନା, ଥାଉ ପରେ ଆଣିବୁ ।

କିଛି ଟଙ୍କା ବଢ଼େଇ ଦେଇ କହେ : ଯା କିଛି ପାନ ଆଣିବୁ । ଟଙ୍କା ଧରି ବଇଁଶୀ ପୁଣି ଗୁଣୁଗୁଣୁ ଗୀତ ଗାଇ ଗାଇ ବାହାରି ଯାଏ ପାନ ଆଣିବାକୁ ।

ଏଇ ବଇଁଶୀ ହିଁ ଅଫିସ୍ ଯାକରେ ଏକମାତ୍ର ଲୋକ ଯାହା ସହିତ ସେ କିଛି ଆତ୍ମୀୟତା ଅନୁଭବ କରେ । କେତେମାସ ତଳେ ସେ ଏଠିକୁ ବଦଳି ହୋଇ ଆସିଛି । ଅନ୍ୟମାନେ ସୁମନ୍ତକୁ ଏକବାଗିଆ, ଜିଦିଆ ବୋଲି ଭାବନ୍ତି । ସମସ୍ତେ ଉପୁରି ଆୟରେ ହାତ ଚିକ୍କଣ କଲାବେଳେ ସେ ଏସବୁ ପ୍ରତି ନିଃସ୍ପୃହ । ଲାଞ୍ଚ ମାଗିବନି କି ଯାଚିକରି ଦେଲେ ନେବନି । ଏମିତି ଲୋକ ଅଡ଼ୁଆ । କେତେକ ସମୟରେ ଅପ୍ରୀତିକର ପରିସ୍ଥିତି ବି ଉପୁଜେ ତା ସକାଶେ। ତେଣୁ ଅନ୍ୟମାନେ ସୁମନ୍ତକୁ ଯଥାସମ୍ଭବ ଏଡ଼ାଇ ଯା’ନ୍ତି । ଏପରିକି ତା’ର “ଶୁଖିଲା” ସାଧୁତା ଯୋଗୁଁ ବଡ଼ବାବୁ ସମେତ କିଛି ସହକର୍ମୀ ତା ଉପରେ ଭୀଷଣ ଭାବରେ କ୍ଷୁବ୍ଧ। ଏଇ କିଛି ଦିନ ହେଲା ପରିସ୍ଥିତି ବଦଳିଗଲା ପରି ଲାଗୁଛି । ଅନ୍ୟମାନେ ନିଜ ଆଡ଼ୁ ତା ସହିତ କଥା ହେଉଛନ୍ତି । ସବୁଦିନେ ତା କାମରେ ଭୁଲ୍ ବାହାର କରି ମୁହଁ ଛିଞ୍ଚାଡ଼ି କହୁଥିବା ବଡ଼ବାବୁ ବି ବେଶ୍ କଅଁଳେଇ କଥା

ହେଉଛନ୍ତି ।ଏହି ଅଭାବିତ ପରିବର୍ତ୍ତନର ବିସ୍ମୟ କଟିଗଲା କିଛିଦିନ ପରେ । ଦିନେ ବଡ଼ବାବୁ ନିଜ ସିଟ୍ ଛାଡ଼ି ତା ଟେବୁଲ୍ ସାମନାରେ ଥିବା ଚେୟାରରେ ଆସି ବସି ପଡ଼ିଲେ l ତାଙ୍କୁ ଚାହିଁ ସୁମନ୍ତ ସୌଜନ୍ୟମୂଳକ ସ୍ମିତହାସ୍ୟଟିଏ ପ୍ରଦର୍ଶିତ କଲା। । ବଡ଼ବାବୁ ବି ହସରେ କାର୍ପଣ୍ୟ କଲେନାହିଁ ।

: କାମ ଚାଲିଚି ?

: ଆଜ୍ଞା ହଁ ।

: ଗୋଟିଏ ଜରୁରୀ କାମ ଅଛି ଆପଣଙ୍କ ପାଖରେ ।

: କୁହନ୍ତୁ ।

: ଆପଣଙ୍କ ପାଖରେ ଗୋଟେ ଫାଇଲ୍ ଅଛି । ଗୋଟେ ରିଭର ବ୍ରିଜ୍ ଫାଇଲ୍ । ସେଇଟାକୁ ମୁଭ୍ ନକରି କିଛିଦିନ ସେମିତି ରଖି ଦିଅନ୍ତୁ ।

ଅନ୍ୟ ଦିନ ପରି ସୁମନ୍ତ “କାହିଁକି?” ପରି ତୀକ୍ଷ୍ଣ ପ୍ରଶ୍ନଟିଏ ଫିଙ୍ଗିଥା’ନ୍ତା । କିନ୍ତୁ ସେଦିନ ଅତି ଆଶ୍ଚର୍ଯ୍ୟଜନକ ଭାବେ ସେ ଚୁପ୍ ରହିଲା । ଫାଇଲଟାକୁ ଭଲ ଭାବେ ଥରେ ଦେଖି ନେଲେ ଅସଲ କଥାଟା ଜଣା ପଡ଼ିଯିବ । ଏଇଆ ଭାବି ସେ “ହଉ” କହି ପ୍ରସଙ୍ଗଟିକୁ ହଠାତ୍ ଶେଷ କରିଦେଲା । ବଡ଼ବାବୁ ଆଶ୍ୱସ୍ତ ହୋଇ ଉଠି ଚାଲିଗଲେ । ସେ ନିଜେ ବି ସୁମନ୍ତର ଆଜ୍ଞାବହତାରେ ଆଶ୍ଚର୍ଯ୍ୟ ହୋଇ ଥିବେ । ତା’ର ନିରବତାକୁ ସେ ହୁଏତ ମୌନ ସ୍ୱୀକୃତି ବୋଲି ଭାବି ଥିବେ । ଭାବନ୍ତୁ । ତାଙ୍କର ଏହିପରି ଭାବିବା ବୋଧହୁଏ କିଛିଦିନ ଲାଗି ତା ପାଇଁ ଶାନ୍ତିଦାୟକ ହୋଇପାରେ । ଚାକିରୀଜୀବନରେ ସେ ବହୁ ଉଠାଣି-ଗଡ଼ାଣି ପାରି ହେଲାଣି । ଏ ଅଫିସରୁ ସେ ଅଫିସ୍, ଏ ଟେବୁଲରୁ ସେ ଟେବୁଲ୍ ବଦଳି ହୋଇହୋଇ ସେ କ୍ଳାନ୍ତ । ତେଣୁ ଅଫିସରେ ଚାଲିଥିବା କାରବାରର ପ୍ରତିବାଦ ନକରି ଚୁପ୍ ଚାପ୍ ସହିଯିବାର ଅଭ୍ୟାସ ହୋଇ ଗଲାଣି ତା’ର ।

ସାଙ୍ଗେସାଙ୍ଗେ ସେହି ଫାଇଲ୍ କାଢ଼ି ଦେଖିବାକୁ ତା'ର ପ୍ରବଳ ଇଚ୍ଛା ହେଲା । କିନ୍ତୁ ଅନ୍ୟମାନଙ୍କର ଦୃଷ୍ଟି ଏଡ଼ାଇବା ପାଇଁ ସେ ନିଜକୁ ସଂଯତ କରିନେଲା । ଲଞ୍ଚ୍ ଟାଇମ୍ ହେଲେ ସମସ୍ତେ ବାହାରକୁ ଚାଲି ଯିବେ। ସେତିକିବେଳେ ସେ ସେଇ ଫାଇଲ୍ ପଢ଼ି ନେବ । କିଛି ହୋଇ ନଥିଲା ପରି ଭାବ ଦେଖାଇ ସେ ତା’ର ରୁଟିନ୍ କାମ କରି ଚାଲିଲା । କିଛି ସମୟ ତା ଉପରେ ସନ୍ତର୍ପିତ ଦୃଷ୍ଟି ପକାଇ ସହକର୍ମୀମାନେ ନିଜନିଜ କାମ, ପରସ୍ପର ହସଖୁସି ଓ ନିଜର ପଡ଼ି ରହିଥିବା କାମ କରାଇ ନେବାକୁ ଆସିଥିବା ଲୋକମାନଙ୍କ ସହ ମୂଲଚାଲରେ ଲାଗି ପଡ଼ିଲେ। ଲଞ୍ଚ୍ ଟାଇମ୍ ହେବାରୁ ସମସ୍ତେ ବାହାରକୁ ଚାଲିଗଲେ । ସେତିକି ବେଳେ ସୁମନ୍ତ ଫାଇଲ୍ କାଢ଼ି ଦେଖିଲା । ଆଜି ହିଁ ତା ପାଖକୁ ଆସିଛି ଫାଇଲଟା । ଗୋଟାଏ ପୋଲର ବିଲ୍ । ବେଶ୍ ମୋଟା ଅଙ୍କର ବିଲ୍ । କିନ୍ତୁ କାମର ମେଜରମେଣ୍ଟ୍ ନେଇଥିବା ଇଞ୍ଜିନିୟରଙ୍କ ରିପୋର୍ଟ କିଛି ପ୍ରତିକୂଳ ଥିଲା ।

ନିର୍ଦ୍ଧାରିତ ମାନ ଅନୁସାରେ କାର୍ଯ୍ୟ ହୋଇ ନଥିବାରୁ ମୋଟ ବ୍ୟୟବରାଦର ଏକ ତୃତୀୟାଂଶ କାଟି ବିଲ୍ ଚୁକ୍ତା କରିବାକୁ ସେ ସୁପାରିଶ କରିଛନ୍ତି । ଓହୋ ! ଏଇଠି ଅଛି ଜଖମ୍ ତାହେଲେ ! ସେଇଥିପାଇଁ ବୋଧେ ଫାଇଲଟାକୁ ମୁଭ୍ ନକରି କିଛିଦିନ ଚାପି ରଖିଦେବାକୁ ବଡ଼ବାବୁ କହୁଥିଲେ ! ଆଚ୍ଛା ହଉ, ଦେଖାଯାଉ କ’ଣ ହଉଚି । ପଢ଼ି ସାରି ସେ ଫାଇଲଟିକୁ ଯଥାବତ୍ ରଖିଦେଲା ।ସେଦିନ ରାତିରେ ସେଇ ଫାଇଲଟା ତା ଛାତିସାରା ଘୂରି

ବୁଲିଲା । ଯେଉଁ ଇଞ୍ଜିନିୟର୍ ସେଇ ବିଲ୍ ଉପରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ, ତାଙ୍କ ଅଫିସ୍ ଓ ବାସଗୃହରେ ଭିଜିଲାନ୍ସ ଚଢାଉ ହୋଇଛି ବୋଲି ଟିଭିରେ ବ୍ରେକିଂ ନ୍ୟୁଜ୍ ଭାବରେ ପ୍ରସାରିତ ହେଉଛି । ତାଙ୍କୁ ଭିଜିଲାନ୍ସ ଆରେଷ୍ଟ କରିନାହିଁ l ଚଢାଉ ଚାଲୁ ରହିଛି ବୋଲି କୁହାଯାଇଛି । ଏତେ ବଡ଼ କଣ୍ଟ୍ରାକ୍ଟରର ବିଲ୍ ଉପରେ ପ୍ରତିକୂଳ ମନ୍ତବ୍ୟ ଓ ଭିଜିଲାନ୍ସ ଚଢାଉ ଭିତରେ କ’ଣ ସମ୍ପର୍କ ଥାଇପାରେ ? ସତରେ ଅଛି କି ନା କେଜାଣି ! ଏମିତି ଭାବୁଭାବୁ ରାତି ଅଧିକ ହେଲା ସିନା, ନିଦ ଆସିଲାନି । ତଥାପି ଲାଇଟ୍ ଲିଭେଇ ଶୋଇବାକୁ ଚେଷ୍ଟା କଲା ସେ । ସବୁ ଅନ୍ଧାର ହୋଇଯିବା ପରେ କୁଟୁରୁ କୁଟୁରୁ, ଧୁଡ୍ ଧାଡ୍, ଖୁଡ୍ ଖାଡ୍ ଶବ୍ଦ ଆରମ୍ଭ ହୋଇଗଲା । ମୂଷା ତା କାମରେ ଲାଗି ଯାଇଛି । ବାରମ୍ବାର ଶେଯରୁ ଉଠି ଲାଇଟ୍ ଜଳେଇ ସୁମନ୍ତ ଚାରି ଆଡ଼କୁ ଚାହିଁ ଦେଖେ । ବଦମାସ୍ ମୂଷାଟା ଭାରି ଚାଲାକ୍ । କେଉଁଠି ଚୁପ୍ କରି ଲୁଚି ଯାଏ ଜଣା ପଡ଼େନି । ଶେଷରେ ନିରୁପାୟ ହୋଇ ରାତିସାରା ଆଲୁଅ ଜଳେଇ ରଖିବାକୁ ହେଲା । ମୂଷା ଉତ୍ପାତରୁ ତ୍ରାହି ମିଳିଲେ ବି ଅନିଦ୍ରା ରହିଲା ସୁମନ୍ତ ।

ପରଦିନ ଅଫିସ୍ ଗଲାପରେ ବଡ଼ବାବୁ ପୁଣି ତା ଟେବୁଲ୍ ପାଖକୁ ଆସିଲେ । ମୁହଁରେ ଉତ୍ଫୁଲ୍ଲତା ସ୍ପଷ୍ଟ ।

: କାଲି ରାତିରେ ଟିଭି ନ୍ୟୁଜ୍ ଦେଖିଲେ ?

: ହଁ

: ଦେଖିଲେ ନା, ଯୋଉ ବାବୁ ସେ ଫାଇଲରେ ଆଡଭର୍ସ ରିମାର୍କ ଦେଇଥିଲେ ତାଙ୍କରି ଘରେ ଭିଜିଲାନ୍ସ ଚଢାଉ !

: ଆଜ୍ଞା

: ଆରେ ବାବୁ,ପାଣିରେ ଘର କରି କୁମ୍ଭୀର ସାଙ୍ଗେ ବାଦ କଲେ ଚଳିବ ? ଏବେ ସମ୍ମାନ ଗଲା କାହାର ? ଏଯାଏ ଆରେଷ୍ଟ ହେଇ ନାହାନ୍ତି, ସେଇଟା ବଡ଼ କଥା । ଆରେଷ୍ଟ କରିବାପାଇଁ ଭିଜିଲାନ୍ସବାଲାଙ୍କୁ କେତେ ସମୟ ଲାଗିବ !

: ହଁ ସେମିତି ଜଣା ପଡ଼ୁଚି ତ !

ସୁମନ୍ତର ନିର୍ଲିପ୍ତତାରେ ସାମାନ୍ୟ କ୍ଷୁବ୍ଧ ହୋଇ ବଡ଼ବାବୁ ଖେଙ୍କି ହୋଇ କହିଲେ – ଜଣା ପଡ଼ୁଛି କ’ଣ ? ଏଇଟା ହିଁ ନିରାଟ ସତ କଥା । ସୁମନ୍ତ ଚୁପ୍ ହୋଇ ଗଲା । ଟିକିଏ ପରେ ବଡ଼ବାବୁ ନରମି ଯାଇ କହିଲେ – କଥା କ’ଣ କି, ଯାହାଙ୍କ ଦେହରେ ବାବୁ ଜଣକ ହାତ ମାରିଛନ୍ତି ତାଙ୍କର ପହଞ୍ଚ ବହୁତ ଉପରେ । ତାଙ୍କୁ ହଇରାଣ କଲେ ସେ ଛାଡ଼ିବେ କି ?

ବଡ଼ବାବୁ ତାଙ୍କ ଜାଗାକୁ ଫେରି ଯାଇ କାଗଜପତ୍ରରେ ଦୃଷ୍ଟି ନିବଦ୍ଧ କଲେ । କିନ୍ତୁ ସୁମନ୍ତର ମନେ ହେଲା, ସେ ଯେମିତି ତା’କୁ ଚେତାବନୀ ଦେବାକୁ ଆସିଥିଲେ । ସୁମନ୍ତ ସତକୁସତ ନିରୁତ୍ସାହିତ ଅନୁଭବ କଲା । ତଥାପି ନିଜ ମନର ଅସ୍ଥିରତାକୁ ଚାପି ରଖି କାମରେ ଲାଗିଗଲା ସେ । ଅଫିସରୁ ଫେରିଲା ବେଳକୁ ସେ ଖୁବ୍ କ୍ଳାନ୍ତ । ଦେହ ଓ ମନ ଉଭୟ ଅବସନ୍ନ । ଦେହର କ୍ଳାନ୍ତି ବିଭିନ୍ନ ଭାବରେ ଦୂର କରାଯାଇ ପାରେ, କିନ୍ତୁ ମନର ଅବସାଦ ଦୂର ହେଉନି । ଏବେକା ସମୟରେ ସଚ୍ଚୋଟ ଭାବେ ସରଳ ଜୀବନଟିଏ ବଞ୍ଚିବା ଏତେ କଷ୍ଟକର ହୋଇଗଲା କେମିତି ? ଦୁର୍ନୀତିରେ ବୁଡ଼ି ରହିଥିବା ଲୋକମାନଙ୍କ ମନରେ କିଛି ଦକା ନାହିଁ ତ ! ସେମାନେ ଖୁବ୍ ସହଜରେ ଅନ୍ୟମାନଙ୍କର କେତେବେଳେ ବିବେକକୁ ମୋଡ଼ି, କେତେବେଳେ କାନକୁ ମୋଡ଼ି ନିଜ କାମ ଆଦାୟ କରି ନେଉଛନ୍ତି । ତଥାପି ତା ପରି କିଛି ଲୋକ ତିଷ୍ଠି ରହିଛନ୍ତି – ଏକଥା ଭାବି ତା ମନ କିଛିଟା ହାଲୁକା ହୋଇଗଲା । ସେଇ ଆଶ୍ଵସ୍ତିର ଶୀତଳତା ଭିତରେ ରାତିରେ ତା ଆଖିରେ ନିଦ ଆସିଗଲା ।

ପୁଣି ପୂର୍ବବତ୍ ମୂଷାର ବିରକ୍ତିକର ନୈଶ ଅଭିଯାନ ଆରମ୍ଭ ହୋଇଗଲା । ନିଦ ପତଳା ହୋଇ ଆସିବା ପରେ

ବହିଥାକରେ ମୂଷାର କୁଟ୍ କୁଟ୍ ଶବ୍ଦ ଶୁଣାଗଲା । ଉଠି ଲାଇଟ୍ ଜଳେଇ ଦେଖିଲା ବେଳକୁ ମୂଷା କେତେଟା ବହି କାଟି ଦେଇଛି । ସୁମନ୍ତର ସେଇ ଅଦୃଶ୍ୟ ଶତ୍ରୁ ଉପରେ କ୍ରୋଧ ଆସିଲା । କିନ୍ତୁ କ’ଣ ଆଉ କରାଯାଇ ପାରେ ? ନିଜକୁ ନିଜେ ସାନ୍ତ୍ୱନା ଦେଇ ସେ ପୁଣି ଶେଯ ଉପରେ ଢଳି ପଡ଼ିଲା । ପୂର୍ବ ରାତି ଅନିଦ୍ରାର ପ୍ରଭାବରେ ଖୁବ୍ ଶୀଘ୍ର ନିଦ ଲାଗିଗଲା । ହଠାତ୍ ଏକ ବଡ଼ ଧରଣର ଶବ୍ଦରେ ତା ନିଦ ଭାଙ୍ଗିଗଲା । ଯେଉଁଠୁ ଶବ୍ଦ ଆସିଲା ସେଇ ଜାଗାକୁ ଟର୍ଚ୍ଚ ଆଲୁଅ ପକେଇ ଦେଖିଲା ବେଳକୁ ଥାକ ଉପରୁ କେତେଟା ଡବା ଖସି ପଡ଼ିଛି । କେତେଟା କାଚ ବୋତଲ ତଳେ ପଡ଼ି ଭାଙ୍ଗି ଯାଇଛି । ଦୁଇଟା ମୂଷା ଲସରପସର ହୋଇ ସେଠୁ ବାହାରି ଗଲେ । ପ୍ରଚଣ୍ଡ କ୍ରୋଧରେ ସୁମନ୍ତ ହାତ ପାଆନ୍ତାରେ ଥିବା ଛାଞ୍ଚୁଣିଟାକୁ ମୂଷା ଉପରକୁ ଫୋପାଡ଼ିଲା । ଛାଞ୍ଚୁଣି ଲକ୍ଷ୍ୟଭ୍ରଷ୍ଟ ହେଲା । ମୂଷା ଦିଇଟା ଚେଁ ଚେଁ ଶବ୍ଦ କରି ଏକ ନିର୍ଦ୍ଦିଷ୍ଟ ଗଳାବାଟ ଦେଇ ଚାଲିଗଲେ । ଅବଶିଷ୍ଟ ରାତି ଅନିଦ୍ରାରେ ବିତିଲା । ପରବର୍ତ୍ତୀ ଦିନ ଅଫିସରେ ତା ପାଇଁ ଏକ ଘୋର ବିସ୍ମୟ ଅପେକ୍ଷା କରୁଥିଲା । ସବୁଦିନେ ହଲି ଦୋହଲି ଆସୁଥିବା ବାବୁମାନେ ଠିକ୍ ସମୟରେ ପହଞ୍ଚି ସାରିଥିଲେ । ତା ଟେବୁଲ୍ ଝଡ଼ାଝଡ଼ି ହୋଇ ଫାଇଲସବୁ ସଜଡ଼ା ହୋଇ ରହିଥିଲା । ଟେବୁଲ୍ ମଝିରେ ଜରିଭର୍ତ୍ତି ପାନ ଥୁଆ ହୋଇଥିଲା । ସବା ଉପରେ ପୂର୍ବକଥିତ ଫାଇଲ୍ ରଖା ଯାଇଥିଲା । ଆଶ୍ଚର୍ଯ୍ୟ ହୋଇ ମୁହଁ ଉଠେଇ ଚାହିଁଲା ବେଳକୁ ବଇଁଶୀ ଗୋଟେ ଆଡ଼ଚାହାଣି ଦେଇ ସେଠୁ ଚାଲିଗଲା । ଅନ୍ୟ ଦିନରେ ଗପସପରେ ମାତୁଥିବା ସହକର୍ମୀମାନେ ଗମ୍ଭୀର ଦିଶୁଥିଲେ । ବଡ଼ବାବୁ ତାଙ୍କ ଟେବୁଲ୍ ଆଗରେ ବସିଥିବା ଜଣେ ଅପରିଚିତ ବ୍ୟକ୍ତି ସହ କଥା ହେଉଥିଲେ ଓ ମଝିରେ ମଝିରେ ଉଭୟ ତା ଆଡ଼କୁ ଚାହୁଁଥିଲେ । କିଛି ସମୟ ପରେ ବଡ଼ବାବୁ ଉଠି ଆସି ତା ଟେବୁଲ୍ ଆଗରେ ବସି ପଡ଼ିଲେ । ସେ ଉତ୍ସୁକତାର ସହିତ

ତାଙ୍କୁ ଚାହିଁ ରହିଲା । ଖଣ୍ଡି କାଶ ମାରି ସେ କହିଲେ –

: ଯା’ହଉ ସବୁ ସମାଧାନ ହେଇଗଲା ।

: କେଉଁ ସମସ୍ୟାର ?

: ମୁଁ ଯୋଉ ଫାଇଲ୍ କଥା କହୁ ନଥିଲି !

: ଓହୋ, କ’ଣ ସମାଧାନ ହେଲା ?

: ଇଞ୍ଜିନିୟରବାବୁଙ୍କ ସମ୍ମାନ ବଞ୍ଚିଗଲା । କଣ୍ଟ୍ରାକ୍ଟରଙ୍କ କାମ ବି ଠିକ୍ ହେଇଗଲା ।

ସୁମନ୍ତ ବୋକାଙ୍କ ପରି ହାଁ କରି ଚାହିଁ ରହିଲା । ସେ କିଛି ବୁଝି ପାରୁ ନଥିଲା ।

: ଆରେ ଏମିତି କ’ଣ ଚାହିଁ ରହିଲେ ? କଥାଟା ହେଲା ଇଞ୍ଜିନିୟରଙ୍କ ବିରୋଧରେ ଆଉ ମକଦ୍ଦମା ହେବନାହିଁ କି ତାଙ୍କୁ ଆରେଷ୍ଟ କରାଯିବ ନାହିଁ । ଇଞ୍ଜିନିୟର ଆଉ ଗୋଟେ ରିପୋର୍ଟ ଲେଖିଦେବେ ଅନୁକୂଳ ମନ୍ତବ୍ୟ ଦେଇ । ତାଙ୍କ ଟେବୁଲ୍ ଆଗରେ ବସିଥିବା ଲୋକକୁ ବଡ଼ବାବୁ ଡାକିଲେ । ଚିହ୍ନା କରିଦେଇ କହିଲେ – ଇୟେ ସେଇ କଣ୍ଟ୍ରାକ୍ଟରଙ୍କ ଲୋକ । ସେ ଯେମିତି କହୁଚନ୍ତି ସେମିତି କରି ଦିଅନ୍ତୁ । କିଛି ଅସୁବିଧା ହେବନି । ଉପର ଲେଭଲରେ ସବୁ କାମ ସରିଚି । ତାଛଡ଼ା ଆପଣଙ୍କ କଥା ବି ସେ ବୁଝିବେ । ଏତିକି କହି ସେ ବାହାରକୁ ଚାଲିଗଲେ । ବଡ଼ବାବୁଙ୍କ କଥାରେ ସୁମନ୍ତ ବିରକ୍ତି ଅନୁଭବ କଲା । ନିଜର ମନୋଭାବକୁ ନିଜ ଭିତରେ ରଖି ସେଇ ଲୋକଟା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁଲା । ଲୋକଟାର ମିଞ୍ଜିମିଞ୍ଜି ଆଖିରୁ ତା’ର ଧୂର୍ତ୍ତତା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଦାନ୍ତନିକୁଟା ହସଟିଏ ହସି ସେ ସୁମନ୍ତକୁ ନମସ୍କାର କଲା ।

: ବସନ୍ତୁ । କ’ଣ କହିବାର ଅଛି କହନ୍ତୁ ।

: ଆଜ୍ଞା ଆପଣ ଟିକିଏ ସାହାଯ୍ୟ କଲେ କାମଟା ହେଇଯିବ l ସାର୍ ଆପଣ ଏଠିକି ନୂଆ ଆସିଚନ୍ତି । ଆମ ସହିତ ଚିହ୍ନା-ପରିଚୟ ହେଇନି,କିନ୍ତୁ ଏଠି ଆଉ ସମସ୍ତେ ଆମକୁ ଜାଣନ୍ତି ।

: ହଉ ଏବେ ତ ଚିହ୍ନା-ପରିଚୟ ହେଲା । ଏଥର କହନ୍ତୁ କାମଟା କ’ଣ ।

: ଇଞ୍ଜିନିୟର ଆଉ ଗୋଟେ ରିପୋର୍ଟ ଦେଇଚନ୍ତି । ସେଇ ଫାଇଲ୍ ଯେଉଁ ଯେଉଁ ବାଟ ଦେଇ ଆପଣଙ୍କ ପାଖରେ ପହଞ୍ଚିବା କଥା ସେସବୁ ସାରି କାଲି ଆପଣଙ୍କ ପାଖରେ ପହଞ୍ଚାଇବି । ଆପଣ ସେ ନୂଆ ଫାଇଲ୍ ରଖି ପୁରୁଣା ଫାଇଲଟାକୁ ମୋତେ ଦେଇ ଦେବେ । ଆଉ ସେଇ ନୂଆ ଫାଇଲକୁ ଶୀଘ୍ର ପୁଟ୍ ଅପ୍ କରିଦେବେ । ଆପଣଙ୍କ ପାଉଣା ଯଥା ସମୟରେ ମିଳିଯିବ । ଏବେ ଏଇଟା ଆପଣଙ୍କ ଆଡଭାନ୍ସ । ଲୋକଟା ଗୋଟାଏ ବନ୍ଦ ଲଫାପା ବଢ଼ାଇ ଦେଲା । ସୁମନ୍ତ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚାହିଁ ରହିଲା ।

: ରଖନ୍ତୁ ନା,କେହି କିଛି ଭାବିବେନି । ଏଠି ସମସ୍ତେ ଆମ ଲୋକ ।

: ନା ଏବେ ରଖନ୍ତୁ । କାଲି କଥାବାର୍ତ୍ତା ହେବା । ଆଗ ଫାଇଲ୍ ନେଇ ଆସନ୍ତୁ । କାଲି ଦେଖିବା ।

ଲୋକଟା ଟିକେ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁଲା । ନମସ୍କାର କରି ବାହାରି ଗଲା । ସହକର୍ମୀମାନଙ୍କ ମୁହଁ ଅଧିକ ଗମ୍ଭୀର ଦିଶିଲା । କିଛି ସମୟପରେ ବଡ଼ବାବୁ ଫେରିଆସିଲେ ।ସୁମନ୍ତ ପାଖକୁ ଆସି କହିଲେ – ଟଙ୍କାଟା ରଖି ନେଲେନି ? ହଉ, ଯଦି ହାତାହାତି ନବାକୁ ଖରାପ ଲାଗୁଛି ତେବେ ମୁଁ ନିଜେ ନେଇ ଆପଣଙ୍କ ଘରେ ଦେଇ ଆସିବି। କିନ୍ତୁ କାମଟା କାଲି ଯେପରି ହୋଇଯାଏ । କେତେ ବଡ଼ ବଡ଼ ଲୋକ ଏଥିରେ ଅଛନ୍ତି । ସେମାନଙ୍କ ଇଚ୍ଛା ବିରୋଧରେ ଯାଇ ଆମେ ମିଛଟାରେ କାହିଁକି ହଇରାଣ ହବା ! ସୁମନ୍ତ ଚୁପ୍ ରହିଲା । ପୁଣି ଥରେ ତା’ର ନିରବତାକୁ ମୌନ ସମ୍ମତି ଭାବେ ଧରିନେଇ ବଡ଼ବାବୁ ନିଜ ଜାଗାକୁ ଫେରି ଗଲେ । ଆଜି ସତକୁସତ ନିଜକୁ ଅସହାୟ ମନେ ହେଲା ତା’ର । ବିଷଣ୍ଣ ହୃଦୟରେ ସେ ଘରକୁ ଫେରି ଆସିଲା ।

ଆଜିର ଘଟଣା ତା’କୁ ଗଭୀର ଚିନ୍ତାରେ ପକାଇ ଦେଇଛି । ସମସ୍ତେ କ’ଣ ଟଙ୍କାର କିଣା ଚାକର ହୋଇଗଲେ ? ଯୁଗ ଯୁଗ ଧରି ଯେଉଁ ମୂଲ୍ୟବୋଧ ମଣିଷକୁ ମହାନ୍ କରି ଆସିଛି ସେସବୁ କ’ଣ ମିଛ ହୋଇଗଲା ? ବଡ଼ବାବୁ କହିବେ – ହଁ ଆପଣଙ୍କର ଚିନ୍ତା ଦକ କ’ଣ ? ଆପଣ ତ ଓଥଡ଼ା ଲୋକ । ସଂସାରୀ ମଣିଷର ଅସୁବିଧା ବୁଝି ପାରିବେନି ଆପଣ । ନୀତି-ଆଦର୍ଶର କଥା କହିବା ଆପଣଙ୍କ ପକ୍ଷରେ ସହଜ । ହେଲେ ଆମେ ପିଲାଛୁଆ ଧରି ଅଛୁ । କିଛି ଗୋଟାଏ ଅସୁବିଧା ହୋଇଗଲେ ଆମେ କରିବୁ କ’ଣ ? ତଥାପି ଆଜି କାହିଁକି କେଜାଣି ତା ମନ ଦ୍ୱିଧାଗ୍ରସ୍ତ ହୋଇ ପଡ଼ୁଛି ! କାଲି ଯେଉଁ ପରିସ୍ଥିତି ଉପସ୍ଥିତ ହେବ ତା’କୁ ସେ ସାମ୍ନା କରିବ କେମିତି ? ଏତେ ଦିନ ଧରି ଯେଉଁ ମୂଲ୍ୟବୋଧଗୁଡ଼ିକୁ ସେ ନିଷ୍ଠାର ସହିତ ପାଳନ କରି ଆସିଛି ତାକୁ କ’ଣ ଜଳାଞ୍ଜଳି ଦେବାକୁ ହେବ ? ଯେଉଁମାନଙ୍କ ସହ ସେ କାମ କରେ ସେମାନଙ୍କ ବିପରୀତ ଦିଗରେ ଗଲେ ସେମାନେ ନିଶ୍ଚେଁ ତା’ଠାରୁ ବେଶି ବେଶି ଦୂରେଇ ଯିବେ । ସେମାନଙ୍କ ଉପେକ୍ଷା ସେ ସହି ପାରିବ ତ !

ଏହି ସବୁ ଭାବନା ତା’ର ବିଚାରକୁ ନିଷ୍କ୍ରିୟ ଓ ହୃଦୟକୁ ଆଲୋଡ଼ିତ କରିବାରେ ଲାଗିଛି । ଅସ୍ଥିରତାକୁ ଏଡ଼ାଇବା ପାଇଁ ସୁମନ୍ତ ସନ୍ଧ୍ୟା ଠାରୁ ଢେର୍ ରାତି ଯାଏ ସହରରେ ଘୂରି ବୁଲିଲା । ଶ୍ରାନ୍ତ କ୍ଳାନ୍ତ ଅବସ୍ଥାରେ ଘରକୁ ଫେରି ଗଭୀର ନିଦ୍ରାରେ ଶୋଇ ପଡ଼ିବ ବୋଲି ଭାବିଲା ବେଳକୁ ମୂଷା-ଉତ୍ପାତ କଥା ମନେ ପଡ଼ିଗଲା । ନା ଆଜି କିଛି ଗୋଟେ ସମାଧାନ କରିବାକୁ ହେବ । ଆସିଲା ବେଳେ ମୂଷାମରା ବିଷ କିଣି ଆଣିଲା ସେ । କିଛି ଖାଦ୍ୟପଦାର୍ଥରେ ତାକୁ ମିଶେଇ ମୂଷା ଯିବା-ଆସିବା ବାଟରେ ରଖି ଦେଇ ଶୋଇ ପଡ଼ିଲା । ଅନ୍ଧାର ହେବାର କିଛି ସମୟ ପରେ ମୂଷା ଆସିବାର ଶବ୍ଦ ହେଲା । ଟର୍ଚ୍ଚ ଜଳେଇ ଦେଖିଲା ମୂଷା ସେ ଖାଦ୍ୟ ଖାଇ ଦେଇଛି । ଏଥର ସେ ନିଶ୍ଚିନ୍ତ ନିଦରେ ଶୋଇ ପଡ଼ିଲା ।

ସକାଳେ ଉଠି ସୁମନ୍ତ ଦେଖିଲା ଘର ଭିତରେ ଦୁଇଟା ମୂଷା ମରି ପଡ଼ିଛନ୍ତି । ମୁହଁରୁ ଫେଣ ବାହାରି ପଡ଼ିଛି । ଜୀବ ଦି’ଟାଙ୍କ ଅକାଳ ମୃତ୍ୟୁ ପାଇଁ ତା' ମନରେ ଟିକେ ଦୁଃଖହେଲା । କିନ୍ତୁ ଆଉ କ’ଣ କରାଯାଇ ପାରିଥାଆନ୍ତା ! ଉତ୍ପାତ ଅସହ୍ୟ ହେଲା ବୋଲି ସିନା ! ମଲା ମୂଷା ଦି’ଟାକୁ ନେଇ ବାହାରେ ଫିଙ୍ଗି ଦେଇ ଆସିଲା ସେ । ଏବେ ଅଫିସ୍ ଯିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ । କାଲିର ଅସ୍ଥିରତା ବହୁ ପରିମାଣରେ ଦୂର ହୋଇ ଯାଇଛି । ଯାହା ହେଉଛି ହେଉ । ଦେଖାଯିବ ସେତେବେଳେ । ମନରେ ଦମ୍ଭ ଧରି ଅଫିସ୍ ବାହାରିଲା । ଅଫିସରେ ଆଜି ବି ସମସ୍ତେ ଠିକ୍ ସମୟରେ ପହଞ୍ଚି ସାରିଥିଲେ । କାଲି ପରି ତା ଟେବୁଲ୍ ସଫା ଓ ସଜଡ଼ା ସରିଛି । ଅଫିସ୍ କାର୍ଯ୍ୟ ଆରମ୍ଭ ହେଉହେଉ ସେଇ ଲୋକଟା ହାଜର ତା ଟେବୁଲ୍ ଆଗରେ । ନମସ୍କାର କରି ସାମ୍ନା ଚେୟାରରେ ବସି ପଡ଼ିଲା ।

: ଏଇ ନିଅନ୍ତୁ ଆଜ୍ଞା ।

: ସେ କ’ଣ ?

: କାଲି କହି ନଥିଲି ? ସେଇ ରିଭର୍ ବ୍ରିଜ୍ ବିଲ୍ ।

ଇଞ୍ଜିନିୟରଙ୍କ ରିପୋର୍ଟ ।

: ଓହୋ ! ହଉ ଦିଅନ୍ତୁ ।

ଲୋକଟା ଫାଇଲ୍ ସହିତ ବନ୍ଦ ଲଫାପାଟିକୁ ତା ହାତକୁ ବଢ଼ାଇ ଦେଲା । ସୁମନ୍ତ କିଛି ସମୟ ଫାଇଲ୍ ଓ ଟଙ୍କାକୁ ଚାହିଁ

ରହିଲା ।

: ନିଅନ୍ତୁ ନା ! ଆମ ନିଜ ଭିତରେ ସଂକୋଚ କ’ଣ?

ହଠାତ୍ ଲୋକଟାର କଣ୍ଠସ୍ୱର ମୂଷାର ଚେଁ ଚେଁ ପରି ଶୁଣାଗଲା । ଚମକି ପଡ଼ିଲା ସୁମନ୍ତ । ତା ଆଖି ଆଗରେ ଭାସି ଉଠିଲା ମଲା ମୂଷା ଦି’ଟାର ଦୃଶ୍ୟ । ଏତେ ଦିନ ଉତ୍ପାତ କରି ଚାଲିଥିବା ମୂଷାର ବିକଳ ପରିଣତି ତା ଛାତିକୁ ଥରାଇ ଦେଲା । ସେ ଲୋକଟା ହାତରୁ ଫାଇଲ୍ ନେଲା, ଅଥଚ ଟଙ୍କା ପୁଡ଼ିଆ ଆଡ଼େ ଟିକିଏ ବି ନଜର ଦେଲାନି । ଫାଇଲଟିକୁ ନିରାପଦ ସ୍ଥାନରେ ରଖି କହିଲା – ଆପଣଙ୍କ ଟଙ୍କା ଫେରେଇ ନିଅନ୍ତୁ, ମୁଁ ଉଭୟ ନୂଆ ଓ ପୁରୁଣା ଫାଇଲ୍ ରଖିଲି । ସେହି ଅନୁସାରେ ନୋଟ୍ ଲେଖି ଦିଇଟାଯାକ ଫାଇଲ୍ ବଡ଼ବାବୁଙ୍କ ପାଖକୁ ପଠାଇ ଦେବି । ସେ ଯାହା କରିବେ ।


Rate this content
Log in

Similar oriya story from Inspirational