Dillip Kumar Parida

Classics


4  

Dillip Kumar Parida

Classics


ଶେଷ ଶୃଙ୍ଗାର

ଶେଷ ଶୃଙ୍ଗାର

3 mins 13.5K 3 mins 13.5K

 

 

ବୟସର ଅପରାହ୍ନରେ ଛାଇ ପରି ସମ୍ପର୍କ ଗୁଡିକ ସିନା ଲମ୍ବା ହୋଇ ଯାଇଥାଏ,ହେଲେ ତା ମଧ୍ୟରୁ ଅନେକ ଝପ୍ସାବି ହୋଇ ଯାଇଥାଏ Iଯେମିତି ଛାଇଟି ଅପରାହ୍ନରେ ଝାପ୍ସା ହୋଇ ଧିରେ ଧିରେ ମିଳେଇ ଯାଇଥାଏ ଅନ୍ଧାର ସହ I ସେମିତି ଅନେକ ସମ୍ପର୍କବି ମିଶିଯାଇ ଥାଆନ୍ତି ମିଛ ଅହମିକା ଆଉ ସମୟର ଦ୍ୱାହୀ ସହ Iକିଂତୁ ଏମିତି କିଛି ସମ୍ପର୍କବି ଥାଏ,ଯିଏ ବାରମ୍ବାର ଆମକୁ ଚେତାଇ ଦେଉଥାଏ ନିର୍ଭୁଲ ଭାବରେ ଜୀବନ ରାସ୍ତାରେ ଚାଲିବା ପାଇଁ I କାରଖାନାର  ସାଇରନ୍‍ ଆମକୁ ଯେତେ ବିରକ୍ତିବୋଧ ହେଲେବି,ଯେମିତି ଆମକୁ ସମୟ ପ୍ରତି ସତର୍କ କରାଇଥାଏ,ସେମିତି ବୋଧହୁଏ ପତ୍ନୀ ସହ ଜୀବନ ସାରା ଯେତେ ବାଦ ବିବାଦ ହେଲେବି,ପ୍ରତି ସୋପାନରେ ସେ ସତର୍କ କରି ଚାଲିଥାନ୍ତି ଆମକୁ Iକେଜାଣି କାହିଁକି ସେଦିନ ନରେନ ଆଉ ଅନିତା ଦୁହେଁ ସଞ୍ଜବେଳଟାରେ ଚା  ପିଉ ପିଉ ଭାବପ୍ରବଣ ହୋଇ ପଡିଥିଲେ Iଉଚ୍ଚ ଶିଖିତ ପିଲାମାନେ  ସେମାନଙ୍କର Iକିନ୍ତୁ ସେମାନଙ୍କର ପିଲାଙ୍କୁ ସଠିକ୍‍ ବାଟରେ ନେବାପାଇଁ,ଏଇମାନେ ହିଁ ତାଗିଦ୍‍ କରି ନିଜଠୁ ଦୂରକୁ ପଠେଇ ଦେଇଥିଲେ Iଦୁଇ ପୁଅ ଆଉ ଦୁଇ ବୋହୁ ତାଙ୍କର ବହୁତ ଭଲ Iଏବେବି ଏମାନଙ୍କ କଥାକୁ ଅବଜ୍ଞା କରନ୍ତି ନାହିଁ Iଦୁଇ ପୁଅ ପାରାଦ୍ୱୀପରେ  ଚାକିରି  କରନ୍ତି Iଏମାନେ ବ୍ରହ୍ମପୁରରେ ରୁହନ୍ତି Iଅନେକ ଲୋକ କୁହଂତି,“ଦେଖୁନା ବୁଢା ବୁଢୀ ହେଲେଣି ତଥାପି ସଉକ ଯାଉନି Iପିଲା ମାନେ କେତେ ଡାକୁଛନ୍ତି ହେଲେ କେହି କାହାକୁ ଛାଡି ଯାଉ ନାହାନ୍ତି I” କିଂତୁ ଏମାନେ ସେ କଥାକୁ କାନରେ ପୁରାନ୍ତି ନାହିଁ Iକାରଣ ନରେନ ବାବୁ ବହୁତ ଭଲ ପାଆଂତି ଅନିତା ଦେବୀଙ୍କୁ Iବାହା ହେଲା ଦିନରୁ ଅନିତା ସହ ଅନେକ ଥର ଝଗଡା ହୋଇଛି ସତ, କିଂତୁ ମନାଂତର କେବେବି ହୋଇନି I ଅନିତା ସେଦିନ ଖାଇବାକୁ ଦେଲାବେଳେ ନରେନ ବାବୁଙ୍କୁ କହିଲେ,“ଯାଉନା,ଟିକେ ବିଟୁ ଘର ଆଡେ ବୁଲିଦେଇ ଅସିବ I ନାତୁଣୀଟା ମୋର କେତେ ଥର ଡାକୁଛି Iଏବେତ ତାଙ୍କର ଛୁଟି ଅଛି I ଯାଇ ଟିକେ ବୁଲି ଦେଇ ଆସ I”କଥାଟା ନରେନଙ୍କ ମନକୁ ପାଇଲା Iସେ ବି ହଁ ଭରିଦେଲେ Iକିନ୍ତୁ କହିଲେ, “ସେଠି ମୋତେ ବେଶୀଦିନ ରହିବାକୁ ବାଧ୍ୟ କରିବନି I ଯିବି ଆଉ ସପ୍ତାହକ ଭିତରେ ଫେରି ଆସିବି I

ପରଦିନ ସକାଳୁ ନରେନ ବାବୁ ଗଧୋଇ ପାଧୋଇ ବାହାରିଲା ବେଳକୁ,ଅନିତା ଆଇନାରେ ନିଜର ସିନ୍ଦୁର ଟିପାଟିକୁ  ଗୋଲେଇବାରେ ବ୍ୟସ୍ତ ଥାଆନ୍ତି Iନରେନ ସେଇଠି ଅଟକି ଗଲେ କିଛି ସମୟ ପାଇଁ Iବଡ ମନଦେଇ ସେଦିନ ଟିପାଟିକୁ ସଜାଉ ଥିବାର ଦେଖି ନରେନ ପଚାରିଲେ,” କଥାକ?ମୋ ସହ ଯିବ ନା କ?ବହୁତ ଧ୍ୟାନରେ ସଜେଇ ହଉଛ?” “ନା ମ Iଏଇ ଦେଖୁନା ଘଣ୍ଟାଏ ହେଲାଣି ଲାଗିଛି ଯେ ଟୋପାଟା ଗୋଲ୍‍ ହଉନି I” “ଆରେ ଆଉ କେତେ ଗୋଲ୍‍ କରିବ?” “ତମେ କଣ ଜାଣିଛ କହିଲ ?ସିନ୍ଦୁରଟା ଯେତେ ଗୋଲ୍‍ହବ ତମେ ସେତେ ସୁରକ୍ଷିତ ରହିବ Iହେଲେ ତମେ ଆସି ଏତେବେଳ ଯାଏ ମୋ ପଛରେ  କଣ ଦେଖୁଥିଲ?”ହସି ହସି ଏତକ କହିଦେଇ ବାହାରି ଯାଉଥିଲେ ଅନିତା Iନରେନ ଅନିତାଙ୍କ ହାତଟିକୁ ଧରିନେଇ କହିଲେ,”ତମେ କଣ ଜାଣିନ? ଯେତେବେଳେ ତମକୁ ମୁଁ ସଜେଇ ହେଲା ବେଳେ ଦେଖେ,ମୋତେ କାହିଁକି କେଜାଣି ବହୁତ ଖୁସି ଲାଗେ Iମୁଁ ତମ ଭିତରେ ହଜି ଯିବାକୁ ଚେଷ୍ଟାକରେ Iଭାବେ ସତେ ଯେମିତି କେଉଁ ସରଗର ପରି.....I” କଥାକୁ ଅଧାରେ ରୋକି ଦେଲେ ଅନିତା,”ଥାଉ ସେ ଗୌରଚନ୍ଦ୍ରିକା Iଆଉ ସେ ବେଳ ଅଛି ନା ଆଉ ସେ ବୟସ ଅଛି? ଚାଲ ଖାଇବାକୁ ଦେବି Iବସ୍‍ ଟାଇମ ହେଇ ଗଲାଣି I”ଦୁହେଁ ଜଳଖିଆ କରିବାପରେ ବସ୍‍ ଷ୍ଟାଣ୍ତ ବାହାରି ଗଲେ I ନରେନ ବସ୍‍ ସିଟ୍‍ ରେ  ବସିଲା ପରେବି ଅନିତା ବାରମ୍ବାର ତାଗିଦ୍‍କରି କହି କହି ପଛକୁ ପଛକୁ ସିଡିରେ ଫେରୁ ଥାଆନ୍ତି,“ପାଣି ପିଇ ପିଇ ବାଟସାରା ଯିବ Iଭୋକ ହେଲେବିସ୍କୁଟ ଟିକେ ପାଟିରେ ପକେଇବ Iମୁଁ ଯାଉଛି  I ଆଉ ହଁ ବାରମ୍ବାର ବସ୍‍ ଅଟକିଲେ ତଳକୁ ଓହ୍ଲେଇବନି Iଯାଉଛି ମୁଁ Iତମେ ପହଞ୍ଚି ଫୋନ୍‍ କରିବ..I” ଏମିତି କହୁ କହୁ ହଠାତ୍‍ ବସ୍‍ର ଉପର ସିଡିରୁ ତାଙ୍କ ଗୋଡ ଖସିଗଲା Iସେ ପଛ ହୋଇ ସିଧା ତଳେ ପଡିଗଲେ Iସମସ୍ତେ ଦୌଡିଯାଇ ଉଠାଇଲା ବେଳକୁ, ତାଙ୍କର ମୁଣ୍ତ ପଛପଟରେ ମାଡ ହୋଇ ସେ  ରକ୍ତ ଜୁଡୁବୁଡୁ ହୋଇ ସାରିଥିଲେ I ହତବାକ ହୋଇ ନରେନ ଅନିତାଙ୍କୁ କୋଳକୁ ଉଠାଇ ନେଇ ପାଣି ପିଇବାକୁ ଦେଲା ପରେ,ସବୁଦିନ ପାଇଁ ସେଇଠି ତାଙ୍କରି କୋଳରେ ଶୋଇ ପଡିଲେ ଅନିତା I

 ପୁଅ ବୋହୁ, ବଂଧୁ ବାଂଧବ କେହିବି ବିଶ୍ୱାସ କରି ପାରୁନଥିଲେ ଅନିତା ଆଜି ତାଙ୍କ ପାଖରେ ନାହଂତି ବୋଲି I ସମସ୍ତଙ୍କ ଆଖିରେ ଲୁହ ଶୁଖିବାର ନାଁ ଧରୁ ନଥାଏ Iକିଂତୁ ନରେନ ନା କାନ୍ଦୁ ଥାଆନ୍ତି ନା କାହାକୁକିଛି କହୁଥାଆନ୍ତିI ଘରର ଗୋଟିଏ କୋଣରେ ନିର୍ବାକ ହୋଇ,ଚେୟାର ଉପରେ ସେମିତି ବସି ରହିଥାଆଂତି Iଅନିତାଙ୍କୁ ଅହ୍ୟରାଣୀ ବେଶରେ ସଜା ଚାଲିଥାଏ Iହଠାତ୍‍ ଦଲକାଏ ପବନ ନରେନଙ୍କୁ ଛୁଇଁ ଚାଲିଗଲା Iଘରର ଆର କୋଣରେ ନରେନ ଦେଖିଲେ ଠିଆ ହୋଇଥାଆଂତି ଅନିତା Iମୁହଁରେ ତାଙ୍କର ସେଇ ଚିରାଚରିତ ହସ Iଚୁପ୍‍ଚୁପ୍‍ କହୁ ଥାଆଂତି , “ଏଇ,ଆରେ ଏଠି ଏମିତି କଣ ବସିଛ?ତମେ ପରା ମୁଁ ସଜ ହେଲାବେଳେ ଦେଖିବାକୁ ଭଲ ପାଅ?ଆଜି ପରା ମୋର ଶୃଙ୍ଗାର ଚାଲିଛି Iକଣ ଦେଖିବନି? ଏଇ, ଥରଟିଏ ଚାଲନା Iତମେ ସିନା ଲୁଚିଲୁଚି ମୋ ସଜବାଜ ଦେଖ I ହେଲେ ଆଜି ମୋର ଭାରି ଇଚ୍ଛା,ତମେ ଆଜି ମୋତେ ମନଭରି ଟିକେ ଦେଖ Iଆଜିପରା ମୋର ଶେଷଶୃଙ୍ଗାର I” ନରେନ ଚେୟାର ଉପରୁ ଉଠିବାକୁ ଚେଷ୍ଟା କରି ପୁଣି ବସି ପଡିଲେ ନିରବରେ Iକିଛି ସମୟପରେ ବଡପୁଅ ବିଟୁ ଆସି ଡାକିଲା,” ବାପା,ଚାଲ ବୋଉ ପାଖକୁ Iସବୁ ସରିଲାଣି I”ନରେନ କିଛି ନକହୁ ଥିବାର ଦେଖି ହଲେଇ ଦେଲା ବିଟୁ Iଆଉ ଖୁବ୍‍ ଜୋରରେ ଚିତ୍କାର କରି ଉଠିଲା,“ବାପା........!!”

 

 


Rate this content
Originality
Flow
Language
Cover Design