Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Inspirational

3  

Deepak Sarangi

Inspirational

ଗୋଲାମଗିରି

ଗୋଲାମଗିରି

8 mins
14.7K


ବୟସର ସାୟାହ୍ନରେ ଉପନୀତ ହୋଇ ବି ଡକ୍ଟର ପ୍ରଶାନ୍ତ ମିଶ୍ରଙ୍କ ସିନେମା ଦେଖା ନିଶା ଜମା ଛାଡି ପାରୁ ନଥିଲେ । ପୁଅ ଝିଅ ବଡ ହେଇ ବାହା ସାହା ହେଇ ପ୍ରଶାନ୍ତ ବାବୁ ଆସି ନାତି ନାତୁଣୀ ଖେଳେଇଲେଣି ତଥାପି ଟିଭିରେ କୌଣସି ଗୋଟେ ନୂଆ ସିନେମା ଦେଲେ ସବୁ କାମ ଛାଡି ବସିଯିବେ ଟିଭି ଆଗରେ । ପତ୍ନୀ ଶୋଭା ଦେବୀଙ୍କୁ କଡା ତାଗିଦ “ଦେଖ ମୁଁ ସିନେମା ଦେଖିଲା ବେଳେ ମୋତେ ଜମା ଡିସଟର୍ବ କରିବନି ଯାହା କାମ ଅଛି ମୋତେ ଏବେ କହିଦିଅ କରିଦେବି” । ଶୋଭା ଦେବୀ ମଧ୍ୟ ସ୍ଵାମୀଙ୍କର ଏହି ଝୁଙ୍କ୍ କୁ ଭଲ ଭାବେ ଜାଣନ୍ତି । ଟିଭିରେ ନୂଆ ସିନେମାର ଆଡ୍ ଆସିଲା ମାନେ ପ୍ରଶାନ୍ତ ବାବୁ ୫ ଦିନ ଆଗରୁ ଘର ସାରା ଲୋକଙ୍କୁ କହି ବୁଲୁଥିବେ ଜାଣିଛ ଅମୁକ ଦିନ ରାତି ୮ଟା ରେ ସୋନି ମାକ୍ସରେ ଅମୁକ ସିନେମା ଦବ , ଏବେ ପରା ହଲରେ ରିଲିଜ ହେଇଥିଲା, ବଢିଆ ଫିଲ୍ମଟା ।

ପ୍ରଶାନ୍ତ ବାବୁଙ୍କର ସିନେମା ଦେଖାରେ କୌଣସି ଗୋଟେ ଧରାବନ୍ଧା ନିୟମ ନ ଥାଏ । ହିନ୍ଦୀ,ବଙ୍ଗଳା ,ଇଂରାଜୀ ,ତେଲୁଗୁ,ତାମିଲ ଡବିଂ ଆଦି ଯେଉଁ ସିନେମା ଦେଖିବାକୁ ବସିଯିବେ ମାନେ ସିନେମାର ନାଁ ବାହାରିବା ଠାରୁ ଆରମ୍ଭ କରି ନାଁ ଶେଷ ହେବା ପର୍ଯ୍ୟନ୍ତ ସେମିତି ଚାତକ ଭଳିଆ ଟିଭି ଆଗରେ ବସିଥିବେ । ଏମିତିକି ପରିଶ୍ରା ଲାଗିଲେ ମଧ୍ୟ କେବଳ ଯେତେବେଳେ ଆଡ୍ କିମ୍ବା ଗୀତ ଦେଲେ ହିଁ ଯାଆନ୍ତି ନହେଲେ କାଳେ କୋଉ ସିନ୍ ଟା ମିସ୍ ହେଇଯିବ । କିନ୍ତୁ ପ୍ରଶାନ୍ତ ବାବୁଙ୍କର ଓଡିଆ ଫିଲ୍ମର ପ୍ରଶାନ୍ତ ନନ୍ଦଙ୍କର ଫିଲ୍ମ ଗୁଡିକ ଭାରି ପସନ୍ଦ। ପ୍ରଶାନ୍ତ ନନ୍ଦଙ୍କର ସବୁ ଫିଲ୍ମ ସେ ପ୍ରାୟ ୧୦/୧୧ ଥରରୁ ଉର୍ଦ୍ଧଥର ଦେଖିଛନ୍ତି । ତା ମଧ୍ୟରୁ ଗୋଲାମଗିରି ହେଉଛି ଅନ୍ୟତମ ଏବଂ ଟିକେ ନିଆରା ମଧ୍ୟ । କଣ ପାଇଁ ନିଆରା ତା ପଛରେ ଗୋଟେ କାହାଣୀ ମଧ୍ୟ ଅଛି ।

ଆଜ୍ଞା ହଁ ! ସୁଧୀ ପାଠକବୃନ୍ଦଙ୍କ ଅବଗତି ନିମନ୍ତେ ମୁଁ ଏଠି ଜଣାଇ ରଖେ ଯେ ଇଏ ହଉଛନ୍ତି ମୋର ଅନ୍ତରଙ୍ଗ ବନ୍ଧୁ ସର୍ଜରୀ ସ୍ପେଶ୍ଯାଲିସ୍ଟ ଡକ୍ଟର ପ୍ରଶାନ୍ତ ମିଶ୍ର । ଜଣେ ଡକ୍ଟର ହେଇ କି ବି ବାବୁଙ୍କର ସିନେମା ନିଶା ପ୍ରବଳ । ମୁଁ ବାବୁଙ୍କର ସିନେମା ପ୍ରୀତି ଉପରେ ଆଉ ଟିକେ କହିଦିଏ । ତା’ପରେ ଆମେ ମୁଖ୍ୟ କାହାଣୀକୁ ଯିବା ।

ପ୍ରଶାନ୍ତ ବାବୁଙ୍କର ସିନେମା ଦେଖାରେ କାଳେ ବ୍ୟାଘାତ ନ ଘଟିବ ସେଥିପାଇଁ ମଧ୍ୟ ସବୁ ବନ୍ଦୋବସ୍ତ ସେ ଘରେ କରି ରଖିଛନ୍ତି । ଗୋଟେ ବଡ ଇନ୍ଭାର୍ଟର ଖାସ୍ କରି ଟିଭି ସହିତ କନେକ୍ସନ ଦିଆଯାଇଛି , ଯଦି କରେଣ୍ଟ ପଳାଏ ତେବେ କମ ସେ କମ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଟିଭି ଚାଲିପାରିବ । ସିନେମା ଦେଖିବାର ଅସଲି ମଜା ଲୁଟିବା ପାଇଁ ମଧ୍ୟ ପ୍ରଶାନ୍ତ ବାବୁ ସବୁ ବ୍ୟବସ୍ଥା କରି ଦେଇଛନ୍ତି । ସୋନି କମ୍ପାନୀର ୧୦୦ ଇଞ୍ଚିଆ ବଡ ଏଲଇଡ଼ି ଟିଭି ତା ସହିତ ହୋମ ଥିଏଟର ସଂଯୁକ୍ତ ହୋଇଛି । ଘରେ କିଏ କାଳେ ବ୍ୟାଘାତ କରିବ ସେଥି ପାଇଁ ନିଜେ ଅଲଗା ଗୋଟେ ଟାଟା ସ୍କାଏର କନେକ୍ସନ ନେଇଛନ୍ତି , ଯେଉଁଥିରେ ସବୁ ସିନେମା ଚ୍ୟାନେଲ୍ ର ଏଚ୍ଡ଼ି ଭର୍ଶନ ଏକ୍ଟିଭେଟ କରାଯାଇଛି । ସିନେମା ଦେଖା ପାଇଁ ସ୍ଵତନ୍ତ୍ର ନିଜର ବେଡ୍ ରୁମ ବନେଇଛନ୍ତି ସେ । ଟିଭି ଲଗା ଯାଇଛି କାନ୍ଥରେ । ଆଗରେ ଏକ ବିଶାଳ ୩ ଜଣିଆ ସୋଫା ସେଟ୍ । ଆରାମରେ ଗୋଡ ରଖିବା ପାଇଁ ସୋଫା ଆଗରେ ଗୋଟେ ଟିପୟ । ସିନେମା ଆରମ୍ଭ ହେଲା ମାନେ ଶୋଭା ଦେବୀ ଚା’, ବିସକୁଟ, ମିକ୍ସଚର ଓ ପାଣି ବୋତଲ ଆଣି ରଖି ଦେଇ ଯାଆନ୍ତି ଟିପୟ ଉପରେ ।

ଏବେ ଆସନ୍ତୁ ଜାଣିବା ପ୍ରଶାନ୍ତର ସିନେମା ପ୍ରୀତି । ମୋର ପ୍ରଶାନ୍ତ ସହ ବନ୍ଧୁତା କଟକର ରେଭେନସା କଲିଜିଏଟ ସ୍କୂଲରୁ । ତା’ର ମୋର ଦଶମ ଶ୍ରେଣୀରେ ଗୋଟିଏ ସେକ୍ଶନ ଥିଲା । ମାଟ୍ରିକ ପରେ ରେଭେନସା କଲେଜ ଓ ତା’ପରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏଡମିଶନ ସବୁ ଏକା ସାଙ୍ଗରେ । ପ୍ରଶାନ୍ତର ଦଶମ ପର ଠାରୁ ଏ ସିନେମା ଦେଖା ନିଶା ଲାଗିଲା । ମୋର ମନେ ଅଛି ରାଜ୍ କପୁରଙ୍କ ବବି ସିନେମା ଦେଖାଠାରୁ ଆରମ୍ଭ ହୋଇ ଥିଲା ତା’ର ଏ ସିନେମା ପ୍ରୀତି । କଲେଜରେ ଯେତେବେଳେ ଦେଖିବ ସାଙ୍ଗ ମାନଙ୍କ ସହ ସିନେମା ଷ୍ଟାଇଲରେ ଗପିବ । ଅମିତାଭ , ରାଜେଶ ଖାନ୍ନା ,ଦେବ ଆନନ୍ଦଙ୍କ ପରି ମିମିକ୍ରୀ କରି ସାଙ୍ଗମାନଙ୍କୁ ହସେଇବ । ଏମିତି ଥରେ ଥଟା ମଜାରେ ଆମର ଗୋଟେ ସାଙ୍ଗ ପ୍ରଭାତ ତାକୁ କହି ଦେଲା “ଆବେ ଏ ପ୍ରଶାନ୍ତ ତୁ ତ ପୁରା ଆମ ଓଡିଆ ହିରୋ ପ୍ରଶାନ୍ତ ନନ୍ଦଙ୍କ ଭଳିଆ ଦେଖା ଯାଉଛୁ , ତୁ ଟିକେ ନିଶ ରଖି ଦେ ଆଉ ଚୁଟି ଟିକେ ବାଗେଇ ଦେ ଦେଖିବୁ ପୁରା ପ୍ରଶାନ୍ତ ନନ୍ଦଙ୍କୁ ଲୁଚେଇବ ଆଉ ତତେ ଦେଖିବ ଏକଦମ ସମାନ ତ ଆଉ” ?ତୋ ନାଁ ଆଉ ପ୍ରଶାନ୍ତ ନନ୍ଦଙ୍କ ନାଁ ବି ସମାନ ଅଛି ଖାଲି ଯାହା ସାଙ୍ଗିଆ ରେ ତୁ ମିଶ୍ର । ବାସ୍ ସେହି ଦିନ ଠାରୁ ବାବୁଙ୍କର ଗୋଡ ଆଉ ତଳେ ଲାଗିଲାନି । ପ୍ରଶାନ୍ତ ନନ୍ଦଙ୍କର ଯେତେ ସବୁ ଫିଲ୍ମ ଥିଲା ଶେଷ ଶ୍ରାବଣ ଠାରୁ ଆରମ୍ଭ କରି ସେତେବେଳକାର ସବୁ ଫିଲ୍ମ ଗୋଡେଇ ଗୋଡେଇ ଦେଖିଲା । ତାଙ୍କରି ଭଳି କେଶ ସଜେଇଲା, ନାକ ତଳେ ନିଶ ରଖିଲା ,ସାର୍ଟ, ପ୍ୟାଣ୍ଟ ଏମିତିକି ବେଳେବେଳେ କଲେଜରେ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମର ଡାୟଲଗ୍ ଗୁଡା ବି କହିଲା ଆଉ ମିମିକ୍ରୀ ବି କଲା। ତାକୁ ଦେଖି ଝିଅ ପିଲା ମାନେ ବଡ ମଜା ନଉଥିଲେ କିନ୍ତୁ ସେ କାହାରିକୁ ଖାତିର କରୁ ନ ଥିଲା ତାକୁ ସିନେମା ଓ ପ୍ରଶାନ୍ତ ନନ୍ଦଙ୍କ ଫ୍ୟାନ୍ ହବା ନିଶା ଘାରିଥିଲା । ସେ ତା ନିଜ ଦୁନିଆରେ ହିଁ ଖୁସି ଥିଲା ।

ମୋର ଠିକ୍ ମନେ ଅଛି ସେତେବେଳେ କଟକର ହିନ୍ଦ୍ ସିନେମା ହଲରେ(ଏବେ ଅବଶ୍ୟ ବନ୍ଦ ହୋଇଗଲାଣି) ପଡିଥାଏ ପ୍ରଶାନ୍ତ ନନ୍ଦ ଓ ମହେଶ୍ଵତାଙ୍କ ଅଭିନୀତ ଲୋକପ୍ରିୟ ଚଳଚିତ୍ର ଗୋଲାମଗିରି । ପ୍ରାୟ ଏକ ମାସ ହବ ସିନେମା ହାଉସ୍ ଫୁଲ ଚାଲିଥାଏ । ଆମେ ସାଇକେଲରେ କଲେଜ ଗଲା ବେଳେ ପ୍ରଶାନ୍ତ ହଲ୍ ଆଗରେ ଛିଡା ହୋଇ ୫/୧୦ ମିନିଟ୍ ପୋଷ୍ଟର ଦେଖିବ ଆଉ ତାପରେ ଆସିବ । ମତେ ବଡ ବିରକ୍ତ ଲାଗେ ମୁଁ କହେ “ତୁ ଏଇଠି ଠିଆ ହେଇ ପୋଷ୍ଟର ଦେଖୁଥା ମୁଁ ଚାଲିଲି , ସେପଟେ କ୍ଲାସ ଡେରି ହେଇ ଗଲେ ସାର ଆଉ କ୍ଲାସରେ ପୁରେଇ ଦେବେନି ଯେ” । ମୋ କଥାକୁ ତାର ତିଳେ ମାତ୍ର ଖାତିର ନ ଥାଏ । ସେ ସବୁବେଳେ ଗୋଟାଏ କ୍ଲାସ ପରେ ହିଁ କଲେଜ ଆସେ । ଦିନେ ଗୋଟେ ରବିବାର ଦିନ ପ୍ରଶାନ୍ତ ମତେ କହିଲା “ଚାଲ ଆଜି ଯିବା ଯାହା ହେଲେ ଗୋଲାମଗିରି ଦେଖିବାକୁ । ତମର କାହାର ପଇସା ଦବା ଦରକାର ନାହିଁ ସମସ୍ତଙ୍କ ଟିକେଟ ମୁଁ ଦେବି” । ମୋର ସିନେମା ଯିବାକୁ ଏତେ ଇଛା ନଥାଏ । ତଥାପି ଶୁଣିଥିଲି ଯେ ସିନେମାଟି ଭଲ ହେଇଛି ବୋଲି ଆଉ ପ୍ରଶାନ୍ତ ତ ତା ଖର୍ଚରେ ନଉଛି ମୁଁ କାଇଁ ଏ ସୁଯୋଗ ହାତ ଛଡା କରିବି । ମାଟିନୀ ଶୋ ସିନେମା ଯିବା ପାଇଁ ସ୍ଥିର ହେଲା । ମୁଁ ଓ ପ୍ରଭାତ ଦୁଇ ଜଣ ଜାକ ତାଙ୍କ ଘରେ ଦିନ ୧.୩୦ରେ ଯାଇ ପହଞ୍ଚିଗଲୁ । ଘରେ ତାଙ୍କର ବୁଢା ଜେଜେବାପା, ଜେଜେମା ସାନ ଭଉଣୀ ମିନୁ ଓ ପ୍ରଶାନ୍ତକୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ । ତା ବାପା ଜଣେ ଅଧସ୍ତନ ସରକାରୀ କର୍ମଚାରୀ ଦରମା ମଧ୍ୟ ବେଶୀ ନୁହେଁ ଆଉ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ଆମେ ଦୁଇ ଜଣ ତାଙ୍କ ଘରେ ପହଞ୍ଚି ଯିବାରୁ ତାଙ୍କ ମା ଆମକୁ ମେଲା ଘରେ ବସିବାକୁ କହି ଭିତରକୁ ଚାଲି ଗଲେ । ଘର ଭିତରୁ ପ୍ରଶାନ୍ତର ପାଟି ଶୁଣା ଯାଉଥାଏ “ ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କାରେ କଣ ହବ? ପ୍ରଶାନ୍ତ ଅଭିଯୋଗ କରି ତା ମା ଙ୍କୁ କହୁଥାଏ । ଟିକେଟ୍ କେତେ ଦାମ ଜାଣିଛୁ ନା ? ଆଉ ସାଙ୍ଗ ମାନେ ବି ଥିବେ, ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସନମାନ ବୋଲି କିଛି ଅଛି ନା ନାହିଁ ? ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନୀରବ ହୋଇଗଲା । ପରେ ପୁଣି କହିଲା “ବୋଉ ମୋର ଟାଇମ୍ ହେଇ ଗଲାଣି ଟଙ୍କା ଦେ” । ରୋଷେଇ ଘରୁ ଥାଇ ତାଙ୍କ ମା କହିଲେ ମୋ ପାଖରେ କିଛି ନାହିଁ ତୁ ବାପାଙ୍କୁ ମାଗି ନେଇ ଯା । ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦ ଧ୍ୱନି ଶୁଣି ନୀରବ ହୋଇଗଲା ।

ତା ବାପା ତାକୁ ପଚାରିଲେ “କଣ ହେଲା? କାହିଁକି ପାଟି କରୁଛୁ ? ଆଉ ତୋ ସାଙ୍ଗ ମାନେ ଆସି କାହିଁକି ମେଲା ଘରେ ବସିଛନ୍ତି” ? ସେପଟୁ ତା’ ମା’ ଉତ୍ତର ଦେଲେ “ସାଙ୍ଗ ମାନଙ୍କୁ ନେଇ ସିନେମା ଯିବ ବୋଲି ବାହାରିଛି । ୨୦ ଟଙ୍କା ଥିଲା ଦେଲି , କହୁଛି ଆହୁରି ପଇସା ଦେ” । ଆମ ଆଗରେ ତା ବାପା ବେଶୀ କିଛି ଉଚବାଚ ନକରି ପକେଟରୁ ୫୦ ଟଙ୍କାଟେ କାଢି ତାକୁ ଦେଇ ଦେଲେ । ତାଙ୍କ ମୁହଁ କାହିଁକି ଏକ ପ୍ରକାର ମଳିନ ଓ ଭାବ ଗମ୍ଭୀର ଦେଖା ଯାଉଥିଲା । ପ୍ରଶାନ୍ତ କିନ୍ତୁ ବାପାଙ୍କର କଣ ହେଇଛି ବୋଲି ଶୁଣିବାକୁ ଧର୍ଯ୍ୟ ନଥିଲା , ଯେମିତି ୫୦ ଟଙ୍କା ପାଇଛି ଆମକୁ ଆଖିରେ ଠାରି ଦେଲା ଯେ “ତମେ ମାନେ ସବୁ ବାହାରକୁ ଯାଅ “। ଆମେ ବି ତା ଇଶାରା ଠିକ ସେ ବୁଝି କି ବାହାରକୁ ପଳେଈ ଆସିଲୁ । ଆଉ ସାଇକେଲ ଧରି ସିଧା ଚାଲିଲୁ ହିନ୍ଦ୍ ସିନେମାରେ ପଡି ଥିବା ଗୋଲମଗିରି ଫିଲ୍ମ ଦେଖିବାକୁ । ବାଲକୋନୀ ଟିକେଟରେ ବସି ସିନେମା ଦେଖିଲୁ । ଫିଲ୍ମ ସନ୍ଧ୍ୟା ୬.୩୦ରେ ଭାଙ୍ଗିଲା । ଆମେ ସମସ୍ତେ ଘରକୁ ଫେରିଲୁ । କିନ୍ତୁ ତା ପରଦିନ ଠାରୁ ମାସେ ଆଉ ମୁଁ ପ୍ରଶାନ୍ତକୁ କଲେଜ ଆସିବାର ଦେଖି ପାରିଲିନି । ମୁଁ ଦିନେ ବ୍ୟସ୍ତ ହେଇ କି ତାଙ୍କ ଘରକୁ ଗଲି , ଦେଖିଲି ତାଙ୍କ ଘର ଆଗରେ ତାଲା ପଡିଛି । ଫେରିକି ଆସିଲା ବେଳକୁ ପ୍ରଶାନ୍ତ ସହ ବାଟରେ ମୋର ଭେଟ ହୋଇଗଲା । ମୁଁ ପଚାରିଲି “ଆରେ କଣ ହେଲା ? କଲେଜ କଣ ପାଇଁ ଆସୁନୁ”? । ମତେ ଦେଖି ପ୍ରଶାନ୍ତ ଭୋ ଭୋ ହୋଇ କାନ୍ଦି ଉଠି କହିଲା । ମୋ ଭଉଣୀ ମିନୁ ଆଉ ଏ ଦୁନିଆରେ ନାହିଁରେ । ମୁଁ ତାକୁ ଟିକେ ଧର୍ଯ୍ୟ ଦେଇ କହିଲି “ଆରେ କ’ଣ ହେଲା ମିନୁର ଟିକେ ଠିକ୍ ସେ କହ? ତା’ପରେ ସେ କହିଲା “ମିନୁ ମୋ ନିଜ ଭଉଣୀ ନଥିଲା । ମୋ ବାପା ତାକୁ ଆମ ଗାଁ ମନ୍ଦିର ପାଖରୁ ପରିତ୍ୟକ୍ତ ଅବସ୍ଥାରେ ପାଇଥିଲେ , କିନ୍ତୁ ମିନୁ ଆମ ଘରେ ସବୁ ଠାରୁ ଗେଲହୀ ଥିଲା , ଆମେ ଯୋଉ ଦିନ ସିନେମା ଦେଖିବାକୁ ଯାଇ ଥିଲେ ସେହି ଦିନ ସକାଳେ ମିନୁର ରକ୍ତ ବାନ୍ତି ହୋଇ ନାକରୁ ରକ୍ତ ପଡିଥିଲା , ବାପା ତାକୁ ନେଇ ହସ୍ପିଟାଲ ଯାଇଥିଲେ ସେଇ ଦିନ । ଆଉ ସେଦିନ ସେଇଥି ପାଇଁ ତମ ମାନଙ୍କ ଆଗରେ ମୋ ସହ ବେଶି କିଛି ଯୁକ୍ତି ତର୍କ ନକରି ସିଧା ପଇସା ଦେଇ ଦେଇଥିଲେ । ଆଉ ମିନୁ ତା ପର ଦିନ ସକାଳେ ଆମ ସମସ୍ତଙ୍କୁ ଛାଡି ଚାଲିଗଲା । ତାର କ୍ରିୟା କର୍ମ ପାଇଁ ଆମେ ସମସ୍ତେ ଗାଁରେ ଥିଲୁ । ଏତିକି କହି ପ୍ରଶାନ୍ତ ମୋ ଛାତି ଉପରେ କାନ୍ଦି କାନ୍ଦି ନୟାନ୍ତ ହୋଇ ପଡିଲା । ମୁଁ ତାକୁ ବୁଝାଇ ସୁଝାଇ ଆମ ଘରକୁ ନେଇଗଲି ସେହି ଦିନ ଠାରୁ ପ୍ରଶାନ୍ତ କେମିତି ଏକ ସ୍ଥାଣୁ ପାଲଟି ଯାଇଥିଲା ତା’ର ସବୁ ଫିଲ୍ମି କାର୍ଯ୍ୟକଳାପ ବନ୍ଦ ହୋଇ ଯାଇଥିଲା । ସେହି ଦିନ ଠାରୁ ମୁଁ ତା ମୁହଁରୁ କେବେ ବି ହଲ୍ କୁ ସିନେମା ଯିବା କଥା ଆଉ ଶୁଣିନି । ସେ ବହୁତ ମନ ଲଗାଇ ପଢିଲା ଆଉ ସର୍ଜରିରେ ପିଜି କଲା । ସେ ଦେଖିଥିବା ଗୋଲାମଗିରି ଫିଲ୍ମର କାହାଣୀକୁ ମଧ୍ୟ କିଛି ମାତ୍ରାରେ ତା ଜୀବନରେ ପ୍ରୟୋଗ କଲା । କଟକ ମେଡିକାଲର ସରକାରୀ ଡାକ୍ତରୀ ଚାକିରୀକୁ ଅବସର ନେବା ବୟସର ୧୦ ବର୍ଷ ପୂର୍ବରୁ ସେ ଛାଡି ଦେଲା । ସରକାରୀ କଳର ଗୋଲାମଗିରିରୁ ସେ ଚାହୁଁଥିଲା ସ୍ଵାଧୀନତା । କିଛି କରିବା ପାଇଁ ଦୁସ୍ଥ , ଅନାଥ , ଗରିବ ଲୋକ ମାନଙ୍କ ପାଇଁ । ଗରିବ , ଅନାଥ, ଅସହାୟ ଲୋକଙ୍କ ପାଇଁ ସେ ନିଜେ ତା ହାତରୁ ପଇସା ଖର୍ଚ୍ଚ କରି ଏକ କର୍କଟ ରୋଗ ଦାତବ୍ୟ ଚିକିତ୍ସାଳୟ ଖୋଲିଲା । ଯେଉଁଠାରେ ମାଗଣାରେ ସେ ଅନାଥ ଓ ଅସହାୟ ଲୋକ ମାନଙ୍କର ମାଗଣାରେ ଚିକିତ୍ସା କରୁଥିଲା । ଆଉ ଏହି କାମରେ ଗୋଲାମଗିରିର ମହାଶ୍ଵେତାଙ୍କ ଭଳି ଶୋଭା ଦେବୀ ମଧ୍ୟ ତାକୁ ଖୁବ୍ ସାହାଯ୍ୟ କରୁଥିଲେ । ତା ପୁଅ ଅବିନାଶ ମଧ୍ୟ ବାପାର ପଦାଙ୍କ ଅନୁସରଣ କରି ଡକ୍ଟର ହେଇଛି , ଆଉ ହସ୍ପିଟାଲ କାମରେ ତା ବାପାକୁ ସାହାଯ୍ୟ କରୁଛି । ମଝିରେ ମଝିରେ ଝିଅ/ଜ୍ଵାଇଁ ବି ଦିଲ୍ଲୀରୁ ଆସି ହସ୍ପିଟାଲ କଥା ବୁଝାବୁଝି କରନ୍ତି । ହସ୍ପିଟାଲ ଖୋଲା ହବା ୧୦ ବର୍ଷରୁ ଉର୍ଦ୍ଧ ହୋଇଗଲାଣି , ତେଣୁ କିଛି ସରକାରୀ ସାହାଯ୍ୟ ମଧ୍ୟ ମିଳୁଛି । ବହୁତ ଗରିବ , ଅନାଥ ଅସହାୟ ଲୋକଙ୍କୁ ଖୋଜି ଖୋଜି ଆଣି ପ୍ରଶାନ୍ତ ମାଗଣାରେ ଚିକିତ୍ସା କରାଏ । ମୋତେ ବେଳେବେଳେ ତାକୁ ଦେଖିଲେ ଲାଗେ ବୋଧେ ଗୋଲାମଗିରି ଫିଲ୍ମ ତା ଜୀବନକୁ ଗୋଟେ ନୂଆ ରାହା ଦେଖାଇଲା । ସେ ସେହି ଦିନ ଠାରୁ ଆଉ ଫିଲ୍ମ ହଲକୁ ସିନା ଯାଉନି କିନ୍ତୁ ବାବୁଙ୍କର ଫିଲ୍ମ ଦେଖା ନିଶା ଏବେ ମଧ୍ୟ ଯାଇନି । ପଚାରିଲେ କୁହେ “ଆଉ କାଇଁ ସିନେମା ହଲକୁ ଯିବି ଫିଲ୍ମ ରିଲିଜ୍ ହବାର ମାସେ/ଦି ମାସ ଭିତରେ ତ ଟିଭିରେ ଆସି ଯାଉଛି” । ପୁଅ ଯେବେ ଠାରୁ ହସ୍ପିଟାଲ ଦେଖାଶୁଣା କଲାଣି ପ୍ରଶାନ୍ତ ଏବେ ନିଶ୍ଚିନ୍ତରେ ବସି ସବୁ ଫିଲ୍ମ ଟିଭିରେ ଦେଖୁଛି ।“ଆରେ ହେଇ ତୁ ଏଇଠି ବସିଛୁ ମୁଁ ତତେ ସେଆଡେ କେତେ ଖୋଜିଲିଣି”? । ପ୍ରଶାନ୍ତର ଡାକରେ ମୁଁ ଭାବନା ରାଇଜରୁ ଫେରି ଆସିଲି । “ଆସେ ଯିବା ସେ ନିଆଳିରୁ ଜୋଉ ଦୁଇ ମାସ ତଳେ ଛୋଟ ଝିଅଟି ଆସି ଥିଲା ସେ ଆଜି ଡିଶ୍‌ଚାର୍ଜ ହବ ପରା । ଠିକ୍ ସମୟରେ ତା ବାପା ମା ତାକୁ ମୋ ପାଖକୁ ନେଇ ଆସିଥିଲେ , ମେଡିସିନରେ ହିଁ କ୍ୟାନସରଟା ମୋଟାମୋଟି ଦବି ଗଲା । ବାପା ମା ତାର କି ଖୁସି , ଝିଅ ଭଲ ହେଇ ଯାଇଛି ବୋଲି” । ପ୍ରଶାନ୍ତର ଆଖିରେ ମୁଁ ଦେଖି ପାରୁଥିଲି ଗୋଟେ ଅଫୁରନ୍ତ ଶାନ୍ତି ଓ ଆନନ୍ଦ । ତା’ପରେ ସେ କହିଲା ହଁ ଶୁଣୁ ଆଜି ସନ୍ଧ୍ୟାରେ ଇଟିଭି ଓଡିଆରେ ମୋ ଫେବରିଟ୍ ଫିଲ୍ମ ଗୋଲାମଗିରି ଅଛି ଆସିବୁ ମିଶିକି ଦେଖିବା । ମୁଁ କହିଲି “ଭାଇ ଆଉ କେତେଥର ଦେଖିବୁ ଏଇ ସିନେମାଟା ? ମୋ ଆଡକୁ ଟିକେ ଅନେଇ ହସି ଦେଇ ଦେଇ ଚାଲି ଗଲା ପ୍ରଶାନ୍ତ ୱାର୍ଡ ବୁଲିବା ପାଇଁ , ଆଉ ମୁଁ ତା ପଛରେ ହସିହସି ଚାଲୁଥାଏ ।

ସହକାରୀ ଅଧ୍ୟାପକ

ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ

ଖୋଡାସିଙ୍ଗୀ,ବ୍ରହ୍ମପୁର-୧୦


Rate this content
Log in

Similar oriya story from Inspirational