Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -100
ଜହ୍ନମାମୁଁ -100
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.2K    14


Content Ranking

ଏ ବାକ୍ସ କାହାର? - ୧

ମହେନ୍ଦ୍ରର ଶେଷ ଅବଲମ୍ବନ ତା ବୋଉ ଥିଲା । ବାପା ତ ବହୁ ଆଗରୁ ଯାଇଥିଲେ । ବୋଉର ପରଲୋକ ପରେ ସେ ଆଉ ଗାଁରେ ନରହି ସହରକୁ ଯାଇ କୌଣସି କାମ ଧନ୍ଦା ଯୋଗାଡ କରିନେବାକୁ ସ୍ଥିର କଲା ।

ଗାଁରେ ଜଣେ ଆତ୍ମୀୟ ଥିଲେ । ସେ ବେଶ୍ ଭଲ ମଣିଷ । ମହେନ୍ଦ୍ର ନିଜ ଘରର ଦାୟିତ୍ୱ ତାଙ୍କୁ ସମର୍ପି ଦେଲା । ଜମି ଯାହା ଅଳ୍ପସଳ୍ପ ଥିଲା, ତାକୁ ପ୍ରତିବେଶୀମାନଙ୍କୁ ସେ ଭାଗରେ ଦେଲା । ତେଣିକି ନିଜ ଭାଗ୍ୟ ପରୀକ୍ଷା ନିମନ୍ତେ ଦୂରକୁ ଯିବାରେ ଆଉ କୌଣସି ଅସୁବିଧା ରହିଲା ନାହିଁ ।

ସେ ଗାଁ ଛାଡି ସହର ଅଭିମୁଖେ ଯାତ୍ରାରମ୍ଭ କଲା । ସାରା ଦିନର ବାଟ । ମଝିରେ ମଝିରେ ଘୋଡା ଗାଡି ମିଳିଯାଏ । କିନ୍ତୁ ସେଥିପାଇଁ ଯେତେ ଭଡା ଦେବାକୁ ପଡେ, ତାହା ଖର୍ଚ୍ଚ କଲା ଭଳି ସମ୍ବଳ ମହେନ୍ଦ୍ରଠିଁ ନଥିଲା । ସହରରେ ଯାଇ ପହଁଚିବା ମାତ୍ରେ ତ ଆଉ ଚାକିରୀ ମିଳିଯିବ ନାହିଁ । ଦୁଇ ଚାରିଦିନ କୌଣସି ନା କୌଣସି ଚଟିଘରେ ରହି କାମ ଖୋଜିବାକୁ ହେବ । ତେଣୁ ପାଖରେ ଅଳ୍ପ ପଇସା ପତ୍ର ଯାହା ଥିଲା, ତାହାକୁ ସାବଧାନ ହୋଇ ଖର୍ଚ୍ଚ କରିବାକୁ ମହେନ୍ଦ୍ର ସ୍ଥିର କରିଥାଏ ।

ଦୁଇପହର ବେଳକୁ ବାଟ ଚାଲି ଚାଲି ସେ ହାଲିଆ ହୋଇ ପଡିଥାଏ । ରାସ୍ତା କଡରେ ଗୋଟିଏ ବରଗଛ ଛାଇରେ ସେ ଟିକିଏ ବିଶ୍ରାମ କରିବ ବୋଲି ଗଛ ପାଖକୁ ଯାଇ ଦେଖେତ ଭଦ୍ରଲୋକ ଭଳି ଦିଶୁଥିବା ଜଣେ ବୁଢା ବସିଛି । ମହେନ୍ଦ୍ର ଆଡେ ଅନାଇ ସେ ଅଳ୍ପ ହସିଲା ଓ ପଚାରିଲା, “ବାବୁ, ସହରକୁ ଯାଉଛ କି?”

ମହେନ୍ଦ୍ର କହିଲା “ହଁ, ଆଜ୍ଞା ।”

ବୁଢା କହିଲା “ଭଲ ହେଲା । ସାଥୀ ପାଇଗଲି । ବସି ପଡ ବାପା, ବସି ପଡ । ଗୋଟିଏ ଗାଡି ପାଇଲେ ଉଠି ପଡିବା ।”

ମହେନ୍ଦ୍ର କହିଲା “ଗାଡି? ନା, ଆଜ୍ଞା, ମୁଁ ଚାଲି ଚାଲି ଯିବି । ଗାଡିରେ ଯିବା ଭଳି ତାକତ୍ ମୋର ନାହିଁ ।”

ବୁଢା କହିଲା “ତମେ ପଇସାର ତାକତ୍ କଥା କହୁଛ ତ? ଚିନ୍ତା କର ନାହିଁ । ଗାଡି ଭଡା ମୁଁ ଦେବି । ମୋ’ ଦେହରେ ତାକତ୍ ନାହିଁ । ଗାଡି ଆସିଲେ ତମେ ଟିକିଏ ମୋର ଏ ବାକ୍ସକୁ ଉଠାଇଦେବ । ଆଉ ସହରରେ ପହଁଚିବା ପରେ ମୋତେ ମୋ ବନ୍ଧୁ ଘରେ ନେଇ ଛାଡିବ । କଥା କ’ଣ କି, ମୁଁ ହୃଦ୍ରୋଗୀ । କେତେବେଳେ ବେମାର ବାହାରି ପଡିବ, ସେଥିପାଇଁ ସବୁବେଳେ ଡରଥାଏ । ସାଙ୍ଗରେ ଜଣେ ଥିଲେ ସାହସ ଥାଏ ।”

ମହେନ୍ଦ୍ରର ଏ ପ୍ରସ୍ତାବରେ ଆପତ୍ତି କରିବାର କୌଣସି କାରଣହିଁ ନଥିଲା । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସେ ସର୍ବଦା ତତ୍ପର ଥାଏ ।

ବୁଢା ବହୁତ ସଦୟ ମନେ ହେଉଥାଏ । ଗପସପ ଭିତରେ ସେ ବୁଝିନେଲା ଯେ ମହେନ୍ଦ୍ର ଚାକିରୀ ସନ୍ଧାନରେ ଯାଉଛି । ସେ ମହେନ୍ଦ୍ରକୁ କୌଣସି ବଡ ପ୍ରତିଷ୍ଠାନର ମାଲିକ ସହିତ ପରିଚୟ କରାଇଦେବ, ଏକଥା ବି ସେ କହିଲା । ମହେନ୍ଦ୍ର ତା’ ମନେ ମନେ ଭାବିଲା, “ଯାହାହେଉ, ଶୁଭ ମୁହୂର୍ତ୍ତରେ ମୁଁ ଆଜି ମୋ ଘରୁ ବାହାରିଥିଲି! ସଙ୍ଗେ ସଙ୍ଗେ ସାହାଯ୍ୟର ପ୍ରତିଶୃତି ମିଳିଗଲା!”

ଅଳ୍ପ ସମୟ ଭିତରେ ଗୋଟାଏ ଖାଲି ଘୋଡାଗାଡି ସେ ରାସ୍ତାରେ ଯାଉଥାଏ । ମହେନ୍ଦ୍ର ତାକୁ ଅଟକାଇଲା । ବୁଢା ଗାଡିକୁ ଉଠିଯିବା ପରେ ବାକ୍ସଟି ଧରି ସେ ନିଜେ ଉଠିଗଲା । ଗାଡି ସହର ଅଭିମୁଖେ ଚାଲିଲା ।

ଗାଡି ଠିକ୍ ସହର ଭିତରେ ପଶିବ, ଠିକ୍ ସେତିକିବେଳେ କେତେଜଣ ସିପାହୀ ଗାଡି ଅଟକାଇ ପଚାରିଲେ, “ତମେମାନେ କେଉଁଠାରୁ ଆସିଲ?” ମହେନ୍ଦ୍ର ନିଜ ଗାଁର ନାମ କହିଲା ଓ ବୁଢା ଅନ୍ୟ ଗୋଟିଏ ଗାଁର ନାମ କହିଲା । ବୁଢାର ଏଭଳି ଉତ୍ତର ଶୁଣି ମହେନ୍ଦ୍ର ଟିକିଏ ଆଶ୍ଚର୍ଯ୍ୟ ହେଲା । କାରଣ ସେ ଯେଉଁ ଗାଁର ନାମ କହିଲା, ସେ ଗାଁ ମହେନ୍ଦ୍ରର ଗାଁ ପୂର୍ବରୁ ପଡେ । ସେ ଗାଁର ବହୁତ ପରେ ବୁଢା ଗାଡିରେ ଉଠିଲା ।

ବୁଢା କହିଲା “ସିପାହୀ ବାବୁମାନେ! ମୁଁ ହୃଦ୍ରୋଗୀ । ଯଥାଶୀଘ୍ର ମୋ ସମୁଧି ଘରେ ପହଁଚିଲେ କବିରାଜ ଡକାହୋଇ ମତେ ସେ ଦେଖିବେ । ତମେମାନେ ଏଠାରେ ମୋତେ ଅଟକାଇଲେ ମୋ ଜୀବନ ବିପନ୍ନ ହେବ । ଗାଡିକୁ ଯିବାକୁ ଦିଅ ।”

ସିପାହୀ-ସର୍ଦ୍ଦାର ବୁଢାକୁ କହିଲା “ଏ ବାକ୍ସ ଫିଟାଅ । କ’ଣ ଅଛି ଦେଖିବା ।”

ବୁଢା ଉତ୍ତର ଦେଲା “ବାକ୍ସ? ଏ ବାକ୍ସ ମୋର ନୁହେଁ, ଏହା ଏ ଟୋକାର ।”

ମହେନ୍ଦ୍ର ଅବାକ୍ ହୋଇଗଲା । ସିପାହୀସର୍ଦ୍ଦାର ଗାଡିବାଲାକୁ ପଚାରିଲା, “କିରେ, ଏ ବାକ୍ସ କାହାର?”

ମହେନ୍ଦ୍ର ଗାଡିରେ ବାକ୍ସ ରଖିଥିବାର ଗାଡିବାଲା ତ ଦେଖିଥିଲା । ଏଣୁ ସେ ମହେନ୍ଦ୍ର ଆଡେ ହାତ ଦେଖାଇଦେଲା

ମହେନ୍ଦ୍ରର ଗାଁ ବୁଢା

Rate the content


Originality
Flow
Language
Cover design

Comments

Post

Some text some message..