ଏସ୍.ଏମ୍.ଏସ୍.ର ହାତ
ଏସ୍.ଏମ୍.ଏସ୍.ର ହାତ
ପ୍ରାୟ ଘଣ୍ଟାଏ ଆଗରୁ ଫେସବୁକରେ ନିଜର ଗୋଟିଏ କବିତା ପୋଷ୍ଟ କରିଥିଲା ଜୀବନ।
କମେଣ୍ଟ୍ କଥା ଛାଡ,ଗୋଟିଏ ବି ଲାଇକ୍ ଆସି ନ ଥିଲା।
ମୁହଁ ଶୁଖାଇ ମନ ଦୁଃଖରେ ବସିଥିଲା ଜୀବନ।
- ' କ'ଣ ହେଇଛି ? ' ସୁଧା ପ୍ରଶ୍ନ କଲେ।
- ' କବିଟିଏ ହେବାର ସ୍ବପ୍ନ ଅପହଞ୍ଚ ମନେ ହେଉଛି।ଘଣ୍ଟାଏ ହେଲା କବିତା ପୋଷ୍ଟ କଲିଣି,ଏଯାଏ ଗୋଟିଏ ବି ଲାଇକ୍ ଆସିନି। ' ଜୀବନ ଦୁଃଖିତ ସ୍ବରରେ କହିଲା ।
- ' ହଉ ,ତୁମେ ଲେଖି ଚାଲ।ମୁଁ ତୁମ ସହିତ ଅଛିନା ! 'ସୁଧା ଆଶ୍ବାସନା ଦେଲା।
- ' ଦେଖାଯାଉ।' ଜୀବନ ମନକୁମନ କହିଲା।ଉଲ୍ଲସିତ ଦିଶିଲା।ପରେ ପରେ ଗୋଟିଏ କବିତା ଲେଖି ପକାଇଲା।
ନିୟମିତ ଲେଖୁଥିଲା ଜୀବନ।ଫେସବୁକରେ ପୋଷ୍ଟ କରୁଥିଲା।
କିଛି ଦିନ ପରେ........
ଦିନେ ଗୋଟେ କବିତା ପୋଷ୍ଟ କରି ସେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ।ତା' କବିତା ଉପରେ ବନ୍ଧୁମାନଙ୍କ ପାଖରୁ ଲାଇକ୍ ଓ କମେଣ୍ଟର ସୁଅ ଛୁଟିଥିଲା।ଆନନ୍ଦରେ ଅଭିଭୂତ ହୋଇ ସେ ସୁଧା ପାଖରେ ପହଞ୍ଚି କହିଲା - ' ପ୍ରତ୍ୟେକ ପୁରୁଷର ପ୍ରତିଷ୍ଠା ପଛରେ ଜଣେ ନାରୀର ହାତ ଥାଏ।ଆଜି ତାହାର ପ୍ରମାଣ ପାଇଗଲି।ମୁଁ ଜଣେ କବି ହୋଇଗଲି।ଦେଖ,ମୋ କବିତା ଉପରେ କେତେ ଲାଇକ୍, କମେଣ୍ଟ୍ ଆସିଛି। '
ସୁଧା ହସି ହସି କହିଲା - ' ନାରୀ ନୁହେଁ, ଏ ହେଉଛି ହ୍ବାଟସ୍ ଆପ୍ ଏସ୍. ଏମ୍. ଏସ୍.ର ହାତ।ତୁମ ପାଇଁ ଯେଉଁ ଯେଉଁ ଏସ୍. ଏମ୍. ଏସ୍. କରିଥିଲି ପଢୁଛି ଶୁଣ।
ଓଁ ମା' ଶାରଳା। ଝଙ୍କଡ।
ପ୍ରିୟ ଭକ୍ତ,
ମା' ଶାରଳାଙ୍କ ସ୍ବପ୍ନାଦେଶ ପାଇ ଜୀବନ ଦାସ କବିତା ଲେଖୁଛନ୍ତି।ମା'ଙ୍କ ପ୍ରତି ବିଶ୍ବାସ ଥିଲେ ଏହି ଏସ୍. ଏମ୍. ଏସ୍. ଟିକୁ ଶ୍ରଦ୍ଧାପୂର୍ବକ ଆପଣ ଜାଣିଥିବା କୋଡ଼ିଏ ଜଣ ବନ୍ଧୁଙ୍କ ପାଖକୁ ପଠାଇବାକୁ ଅନୁରୋଧ।ତାଙ୍କ କବିତା ପାଠ କରି ଲାଇକ୍, କମେଣ୍ଟ୍, ସେୟାର କଲେ ପାଞ୍ଚ ସେକେଣ୍ଡ ମଧ୍ୟରେ ମନସ୍କାମନା ପୂରଣ ହେବ।ମା'ଙ୍କ ଅପାର କରୁଣା ପ୍ରାପ୍ତ କରି ଆପଣ ବି ଜଣେ କବି ହୋଇ ପାରିବେ।
ଇତି ମା'ଙ୍କର ଜଣେ ଭକ୍ତ । '
- 'ଇଏ ତା'ହେଲେ ସୁଧା ନୁହେଁ, ଏସ୍. ଏମ୍. ଏସ୍.ର କମାଲ୍ ! ' ମନକୁମନ କହିଲା ଜୀବନ। ସ୍ତମ୍ଭିଭୂତ ହୋଇ ସୁଧାକୁ ଚାହିଁ ରହିଲା
ସୁଧା ପୁଣି କହିଲା - ' ନାରୀର ହାତ ହେଉ ବା ମୋ ଏସ୍. ଏମ୍.ଏସ୍.ର , ତୁମେ ସେଥିରୁ କ'ଣ ପାଇବ ! ଲେଖିଚାଲ ଆଉ ପୋଷ୍ଟ କର।ପ୍ରତିଷ୍ଠା ଏବେ ବେଶୀ ଦୂର ନୁହେଁ। '
ମୁର୍କି ମୁର୍କି ହସୁଥିଲା ସୁଧା।
ଏସ୍. ଏମ୍. ଏସ୍. ର ହାତ !
ଖୁସି ହେବ କି ଲଜ୍ଜିତ ହେବ, ମୁହଁ ବୁଲେଇ ମନ ଦୁଃଖରେ ଭାବିବାକୁ ଲାଗିଲା ଜୀବନ।