Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Urbashi Satpathy

Others

1.0  

Urbashi Satpathy

Others

ନାରୀ--ଏକ ଆତ୍ମାନୁଶୀଳନ

ନାରୀ--ଏକ ଆତ୍ମାନୁଶୀଳନ

3 mins
439


ମାଆ କହିଲା --- ଦୁହିତା , ଦୁଇ କୁଳକୁ ହିତା । ବାପା ଜେଜେବାପା ଙ୍କ ନାଁ ତଳେ ପକେଇବୁନି । ମୋ କଥାଟି ମନେ ରଖିଥିବୁ ।

ମୁଁ କହିଲି---ହଉ।

ବାପା କହିଲେ --ପାଠଶାଠ ପଢି ଭଲ ମଣିଷଟିଏ ହବୁ। ମୋ ନାଁ ର ଟେକ ରଖିବୁ ।

ମୁଁ କହିଲି---ହଉ।

ଜେଜେମା କହିଲା---ଆଲୋ ,ମାଇପି ଝିଅ ଟାଏ ,ପାଠ ସାଙ୍ଗକୁ ଶାଠ ବି ଶିଖ୍ ।ନହେଲେ ଶାଶୁଘରେ ତିହିଠି( ତିଷ୍ଠି) ପାରିବୁନି । ଘୋଡୀ ଭଳି ହେଁ ହେଁ ହେଇ ହସିବୁନି ,ବଡ ପାଟିରେ କଥା କହିବୁନି, ଦୁମ୍ ଦୁମ୍ ହେଇ ଚାଲିବୁନି ଇତ୍ୟାଦି ଇତ୍ୟାଦି । ବୁଢୀର ଟିକେ ଲମ୍ବା ଭାଷଣ ।

ମୁଁ କହିଲି----ହଉ।

ବଡ ଭଉଣୀ ମାନେ କହିଲେ----ସବୁଦିନ ଏମିତି ବୋକୀ,ମୁର୍ଖୀ ଆଉ ଗଧୀ ହେଇକି ଥାଆ ।

ମୁଁ କହିଲି----ହଉ।

ଭାଇ କହିଲେ---- ମୋ କଥା ସବୁବେଳେ ମାନିବୁ ,ନହେଲେ ଦେଖିବୁ ।

ମୁଁ କହିଲି---- ହଉ।

ଇହକାଳ ଆଉ ପରକାଳର ଦେବତା ସ୍ବାମୀ କହିଲେ---ମୋ ପାଦରେ ପାଦ ମିଳେଇ ଚାଲିବା ଶିଖ । । ମୁଁ ଟିକେ ଖାଦ୍ୟ ପ୍ରିୟ ।ସେଥିପ୍ରତି ଧ୍ୟାନ ଦେବ ।ମୋ କଥା ଉପରେ କଥା କହିବନି ।

ମୁଁ କହିଲି ---ହଉ।

ଶାଶୁ କହିଲେ----ମୋ ପୁଅ ସୁନାମୁଣ୍ଡାଟା । ତା ମନ ନେଇ ଚଳିବୁ ।

ମୁଁ କହିଲି----ହଉ।

ଦିଅର ନଣନ୍ଦ କହିଲେ ----ଆମ ଭାଇ ଅଲରାଉଣ୍ଡର ।

ମୁଁ କହିଲି---ହଉ।

ସାଇପଡିଶା (ଶାଶୁଘର) କହିଲେ ଭାଗ୍ୟ ରେ ଥିଲେ ଏମିତି ବର ମିଳେ ।

ମୁଁ କହିଲି ----ହଉ।

ମୋ ପିଲାମାନେ କହିଲେ ----ତମେ ଭାରୀ ରାଗୀ , କଡା ଶାସନ । ଆମ ସାଙ୍ଗର ମାଆ ମାନେ ଭାରି ଭଲ ।ତୁମେ ନୁହଁ ।

ମୁଁ କହିଲି ---- ହଉ।

ହଁ ମ , ମାଇକିନିଆ ଝିଅର କଣ ଗୋଟାଏ ମନ ଥାଏ ଯେ ? ଭଲ ଖାଇବା , ଭଲ ପିନ୍ଧିବା ଆଉ ଛୁଆ ଜନ୍ମ କରିବା ଠାରୁ ତାର ଆଉ ଅଧିକା କ'ଣ ଦରକାର ଯେ । ମାଇପି ଜାତିର ସୁଖ ଟା ଏଇ ଭାତ , ଲୁଗା ଆଉ ସ୍ବାମୀ ର ପ୍ରତିଷ୍ଠା ଭିତରେ ସିମୀତ । ଛଅ ତୁଣ ନ' ଭଜା କରି. ଘଣ୍ଟାକରେ ଥୋଇ ଦେଇ ପାରୁଥିବ । ଦ୍ରୌପଦୀ, ସୀତାଙ୍କ ଭଳି ସବୁ ଅତ୍ଯାଚାରକୁ ସହୁଥିବ । ପେଟର ଭୋକକୁ ଚାପି ରଖି ମୁହଁରେ ମଧୁର ହସ ହସୁଥିବ । କୌଣସି କଥାରେ ଉଁ କି ଚୁଁ ହେଉ ନଥିବ , ସେଇ ଏକା ଖଣ୍ଡେ ,ଖାଣ୍ଟି ଆଉଟା ସୁନାମୁଣ୍ଡାଟିଏ ।

ହଠାତ୍ କୋଉ ଦିନରୁ ଚକାମାଡି ଶୋଇ ରହିଥିବା ଅଜଗରଟା ଝାଡିଝୁଡି ହେଇ ଉଠିପଡେ । ଫଁ ଫଁ ହୁଏ , ହିସ୍ ହିସ୍ କରେ ଆଉ ଫୁତ୍କାର ଛାଡେ । ହେଏ......ଯେତେ ସବୁ ବାଜେ କଥା । ସବୁ ଭଲ କରିବି ବୋଲି କୋଉଠି କେବେ କାହାକୁ କଥା ଦେଇଥିଲି ତା'ର କିଛି ପ୍ରମାଣ ଅଛି ?

ନାହିଁ ନା । ମୁଁ ମୋ ନିଜ ରୁଚିରେ ବଞ୍ଚିବାକୁ ଚାହେଁ । ମୋ ବେ-ଲଗାମ୍ ଇଛାରେ ମୁଁ ଖାଇବି , ଶୋଇବି, ବୁଲିବି ।ସମସ୍ତ ଙ୍କୁ ଦେଇଥିବା କଥା ମୁଁ ରଖି ପାରିବିନି । ସ୍ବାମୀ ର ଏତେ ଆଜ୍ଞାଧୀନା କି ବୋଲକରା ହେଇ ପାରିବିନି । ମୋ ବୟଫ୍ରେଣ୍ଡ ସାଙ୍ଗରେ ମଉଜ୍ କରିବି ,ଘଣ୍ଟା ଘଣ୍ଟା ଗପିବି , ମୁଁ ଫିଲ୍ମ ଯିବି ,ପାର୍କ ଯିବି , ସି ବିଚ୍ ଯିବି । ହୋଟେଲ୍ ଯିବି , ଅସୁବିଧା କ'ଣ?

ଦ୍ରୌପଦୀ ସୀତା ଭଳି ହବା ମୋର ଦର୍କାର ନାହିଁ । ସେମାନେ ବୋଧେ ଟିକେ ବେଶୀ ସମ୍ମାନଲୋଭୀ ଆଉ ପ୍ରଶଂସାପ୍ରିୟ ଥିଲେ । ସେଥିପାଇଁ ସେମାନେ ସବୁ ଅତ୍ଯାଚାର ଆଉ ଯନ୍ତ୍ରଣା କୁ ଢକଢକ କରି ପିଇ ଯାଉଥିଲେ । ଯେତେ ସବୁ ବାଜେ କଥା । ମୋର ସେସବୁ କିଛି ଦର୍କାର ନାହିଁ ।

ଆଲୋ ହେ ସତୀ ସାବିତ୍ରୀଏ , ମୁଁ ସତ କହିଦେଲି ଆଉ ଗୁମର କଥାଟା ପଦାରେ ପକେଇ ଦେଲି ବୋଲି ମୁଁ ପାପୀ ଅସତୀ ହେଇଗଲି କି ? ବୃନ୍ଦାବତୀ କି ଛୁଆ ମୁଣ୍ଡ ଛୁଇଁ କିଏ କହୁ ତ ଦେଖି , ବେଳ ଅବେଳରେ କାହା ମନରେ ପାପ ସବାର୍ ନ ହୋଇଛି । ମନ ଚହଲି ନ ଯାଇଛି । ଜାଣିଛି ଲୋ , କାହା ପାଖରେ ଉତ୍ତର ନାହିଁ କି ସତ କହିବାକୁ ଜିଭରେ ହାଡ ନାହିଁ ।

ନିଜ ମନ ଆଉ ବିବେକ କୁ ଲଗାମ୍ ଦେବାକୁ ପଡେ । ଛାଟ ମାରିବାକୁ ପଡେ । ମାରି ମାରି ଲହୁଲୁହାଣ , କ୍ଷତାକ୍ତ ଆଉ କଲବଲ କରିବାକୁ ପଡେ ।

ହଠାତ୍ ନିଦ ଭାଙ୍ଗିଯାଏ । ଛି ଛି , କି ବାଜେ ସ୍ବପ୍ନ ଟାଏ ।ଗୋବିନ୍ଦ ....ଗୋବିନ୍ଦ.... ଅସ୍ପଷ୍ଟ ଉଚ୍ଚାରଣ କରି ନିଜକୁ ନିଜେ ଆବିଷ୍କାର କରେ ଭଙ୍ଗା ଦଦରା ଦଉଡିଆ ଖଟିଆ ଉପରେ । ଓଃ, ସକାଳ ହେଇ ଗଲାଣି ପରା । ଉଠିବାକୁ ପଡିବ ଏବେ । ଆଗକୁ ଆହୁରି ଲମ୍ବା ରାସ୍ତା .............।


Rate this content
Log in