ଅନ୍ତରାଳେ
ଅନ୍ତରାଳେ
ତୁ ଏମିତି ଚୁପ୍ ବସିଛୁ ଯେ??ପଚାରିଲି ପରବିନ୍ କୁ ।ମୁସଲମାନ ଝିଅ ।ଫେସ୍ ବୁକ୍ ରୁ ଚିହ୍ନା ।ତା ମୁହଁରେ ଟିକେ ହସ ନଥିଲା ।କହିଲା ନା ସେମିତି କିଛି ନୁହେଁ ।ପଚାରିଲି ଫେସ୍ ବୁକ୍ ବି ତ ଆସୁନୁ ।ଆଗରୁ ସବୁବେଳେ ଥିଲୁ ତ ଅନ୍ ଲାଇନ୍ ରେ ...ଆଉ ଏବେ କଣ ହେଇଛି?
ଉତ୍ତରରେ କହିଲା ନା...ଭଲ ଲାଗୁନି ।ତା କଥାରୁ ଜାଣିଲି ଯେ ଯେଉଁ କାରଣଟି ଲାଗି ସେ ଫେସ୍ ବୁକ୍ ଆସୁଥିଲା ସେ କାରଣଟି ଏବେ ନାହିଁ କିମ୍ବା ଧୋକା ଦେଇଛି ତାକୁ ।ଯାହା ବି ହେଉ ।ଗୋଟିଏ ବାସ୍ତବିକ ଦୁନିଆରୁ ଯେତେବେଳେ ମଣିଷ ଅତିଷ୍ଠ ହୋଇଯାଏ ସେତେ ବେଳେ ସେ ଏଇ କଳ୍ପ ର ଦୁନିଆକୁ ଆସେ ।କାରଣ ମଣିଷ ଜାଣିଛି ବାସ୍ତବିକ ଦୁନିଆରେ ସମସ୍ତଙ୍କୁ ଆପଣାର କରିବା ଖୁବ୍ କାଠିକର ପାଠ ।ହସି ପଦେ କଥା କହିବା କଷ୍ଟ ହୋଇ ପଡେ ।
ଏଠି ସମସ୍ତେ ଗୋଟିଏ ଖୋଜ୍ ରେ ଆସନ୍ତି ।ବାସ୍ ଟିକେ ଖୁସି...ହେଉ ପଛେ ମିଛ ମିଛରେ ।ଜ୍ଞାନ ଗାରିମା ତ କଥା ପଛ କଥା ।ମଣିଷ ବଞ୍ଚିବାକୁ ଟିକେ ପ୍ରଶଂସା ଲୋଡେ ।ଯିଏ କୁହେ ମୋତେ ପ୍ରଶଂସା ଦରକାର ନାହିଁ ସେ ପରୋକ୍ଷରେ କହୁଥାଏ ପ୍ରଶଂସା ହିଁ ମୋର କାମ୍ୟ ।କିଛି ଖରାପ ବି ତ ନୁହେଁ ।ପ୍ରଶଂସା ଟିଏ ମଣିଷକୁ ପୋଜିଟିଭ୍ ଏନର୍ଜି ଭଳି କାମ କରାଏ ।ଧକେ ମାରି ଗାଡି ଆଗକୁ ଗଡେଇ ଷ୍ଟାର୍ଟ କରେଇବା ଭଳି କଥା ।ଆମ ଭିତରେ ସବୁ ଅଛି ହେଲେ ଚାଲିବାକୁ ଶକ୍ତି ନାହିଁ ।ଏଇ ସତ ପ୍ରଶଂସା ହେଉ ଅବା ମିଛ ପ୍ରଶଂସା ମଣିଷକୁ ଗାଡିର ଷ୍ଟାର୍ଟ ଗିୟର ଭଳି କାମ କରାଏ ।
ପରବିନ ଭଳି ଅନେକ ମଣିଷ ଏଠିକୁ ଆସନ୍ତି କୌଣସି ଏକ ନିର୍ଧିଷ୍ଟ ମଣିଷର ଅପେକ୍ଷାରେ ।ଅଦେଖା ହେଉ ପଛେ ତା ସହ ଦୁଇ ପଦ କଥା ହୋଇ ଜିଇଁବାକୁ ଇଛା କରନ୍ତି ଆଉ ଯେତେ ବେଳେ କାରଣଟି ହାତରୁ ଖସିଯାଏ ଅବା ଅଣଦେଖା କରେ ସେତେ ବେଳେ ମଣିଷ ଭାଙ୍ଗିପଡେ । ସେ ଆଉ ଫେସ୍ ବୁକ୍ ଆସେନି କିମ୍ବା ଆସିଲେ ବି ହତାଶରେ ପୋଷ୍ଟ ଛାଡେ ....ମୁଁ ଆଉ ଆଜିଠୁ ଫେସ୍ ବୁକ୍ ଆସିବିନି ହେଲେ ପୁଣି ପର ଦିନ ସେ ଏଇଠି ହିଁ ଖୋଜେ ତାର ଇପସିତ ମଣିଷଟିକୁ ।
ଏଇ ଖୋଜିବା ଆଉ ହରାଇବା ହିଁ ଜୀବନ ।ଏହା ଭିତରେ ବି ମଣିଷ ଜିଇଁବାର ରାସ୍ତା ଖୋଜୁଛି ।ବାସ୍ତବ ଜଗତର ରୁକ୍ଷତା ଠାରୁ ମୁଖ ପୁସ୍ତକର ସ୍ୱପ୍ନିଳ ଜଗତ ସମସ୍ତଙ୍କୁ ଭଲ ଲାଗୁଛି ।କାରଣ ସ୍ୱପ୍ନ ସବୁବେଳେ କୋମଳର ଜଗତ ।ଏହି ସ୍ୱପ୍ନ ଜଗତରେ ବି ମଣିଷ ନିଜର କ୍ଷୋଭ,ଘୃଣା,ଇର୍ଷା ସବୁ ଅଜାଡି ଦେଉଛି ଯଦିଓ ସମସ୍ତେ ଜାଣନ୍ତି ଏଠି କେହି କାହାର ନୁହଁନ୍ତି ।
ଆଗରୁ ମଣିଷ ହତାଶ ହେଲେ ଗୁରୁଙ୍କ ପାଖକୁ ଦୌଡୁଥିଲା ହେଲେ ଏବେ ଏଇ ମୁଖ ପୁସ୍ତକ ଗୁରୁ ହୋଇଛି ଅନେକଙ୍କର ଆଉ ବେଳେ ବେଳେ ଅନେକ ସମସ୍ୟା ବି ଅକାରଣରେ ମୁଣ୍ଡାଇଛି ।
ଯାହା ବି ହେଉ ଏ ଜାଗା ଏକ ଖୋଜିବାର ଜାଗା । ହେଇପାରେ ତାହାପ୍ରେମର..,ଜ୍ଞାନର...ବନ୍ଧୁତ୍ୱର...ଶତ୍ରୁତାର କିମ୍ବା ଆଉ କିଛି ଅଲଗା ।
ପରବିନ୍ ଆଜିବି ରୁଷିଛି ହେଲେ ମୁଁ ଜାଣିଛି ସେ ପୁଣି ଜଲଦି ଫେରି ଆସିବ ଏଠିକୁ ତା ଇପସିତ୍ ଖୋଜ୍ ଟିଏ ପାଇଁ......
-Lucy-